Unknown

 

 

 

 

 

 

 

ଏବଂ ମଧ୍ୟାହ୍ନ

ଲେଖକ

ଆଲବେର୍ଟୋ ମୋରାଭିଆ

 

ଅନୁବାଦକ

ଶ୍ରୀ ଉମାଶଙ୍କର ପଣ୍ଡା

 

 

 

 

 

 

 

 

 

 

 

 

ମୋର ସ୍ୱର୍ଗୀୟ ପିତୃଦେବ ‘ପୀତାମ୍ବର ପଣ୍ଡା’ଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ

 

ଉମାଶଙ୍କର

 

ମୋ ନିଜକଥା–

 

ଏ ଯୁଗର ଶ୍ରେଷ୍ଠ କଥା ସାହିତ୍ୟିକମାନଙ୍କ ମଧ୍ୟରେ ଆଲବେର୍ଟୋ ମୋରାଭିଆ ସର୍ବାଧିକ ଜନପ୍ରିୟ । ମଣିଷ ମନର ଗୋପନ କଥାଟିକି ପ୍ରକାଶ କରିବାରେ ଯେଉଁ ନିର୍ଭୀକତା ଲୋଡ଼ା ତାହା ମୋରାଭିଆଙ୍କ ବ୍ୟତୀତ ଅନ୍ୟାନ୍ୟ ସମସାମୟିକ ଲେଖକମାନଙ୍କ ପାଖରେ ଦୁର୍ଲ୍ଲଭ-। ଓଡ଼ିଆ ସାହିତ୍ୟରେ ଏ ଯାବତ୍ ଅନୁଦିତ ଗଳ୍ପ ବା ଉପନ୍ୟାସ ସଂଖ୍ୟା ସୁପ୍ରଚୁର ନୁହେଁ । ତେଣୁ ମୋତେ ଯେଉଁ ଗଳ୍ପ ବା ଉପନ୍ୟାସଗୁଡ଼ିକ ଭଲ ଲାଗିଛି ଅବସର ସମୟରେ ତାର ଅନୁବାଦ କରିବାର ପ୍ରୟାସ କରିଛି । ‘ଏବଂ ମଧ୍ୟାହ୍ନ’ ସେହି ପ୍ରୟାସର ଏକ ସାମୟିକ କୃତି । ଓଡ଼ିଶାର ସର୍ବୋଚ୍ଚ ସାହିତ୍ୟସଂସ୍ଥା ‘ଓଡ଼ିଆ ସାହିତ୍ୟ ଏକାଡ଼େମୀ’ର ପ୍ରଚେଷ୍ଟା ଏ ଦିଗରେ ଅତି କ୍ଷୀଣ; କିନ୍ତୁ ମନେରଖିବାକୁ ପଡ଼ିବ ଯେ ଅନୁବାଦ ବିନା କୌଣସି ପ୍ରାନ୍ତୀୟ ସାହିତ୍ୟ ପୂର୍ଣ୍ଣାଙ୍ଗ ନୁହେଁ ।

 

ମୋରାଭିଆଙ୍କ ଏହି ବହି ଖଣ୍ଡିକ ଅନୁବାଦ ପଛରେ ଦୁଇଟି କାରଣ ରହିଛି । ପ୍ରଥମତଃ ମୋର ଅଗଣିତ ଓଡ଼ିଆ ପାଠକମାନଙ୍କ ପାଖରେ ମୋରାଭିଆଙ୍କୁ ପରିଚିତ କରାଇବା । ଦ୍ୱିତୀୟ କାରଣ ମୋରାଭିଆଙ୍କ ଉପନ୍ୟାସ ଓ ଗଳ୍ପର ଜନପ୍ରିୟତା ।

 

ମୋରାଭିଆ ଏ ଶତକର ବହୁ ଆଦୃତ କଥାକାର ଏବଂ ତାଙ୍କର ପ୍ରତ୍ୟେକ ପୁସ୍ତକ ବହୁ ସଂଖ୍ୟାରେ ପଠିତ, ଏଥିରୁ ଦ୍ୱିରୁକ୍ତି ନାହିଁ । ଯେଉଁମାନେ ଇଂରାଜୀ ଜାଣନ୍ତି ସେମାନେ ନିଶ୍ଚୟ ମୋରାଭିଆଙ୍କୁ ଜାଣନ୍ତି । ଇଂରାଜୀ ସହିତ ପରିଚୟ ନ ଥିବା ବହୁ ଉତ୍ସାହୀ ପାଠକ ଆଜି ମୋରାଭିଆଙ୍କ ଅମୂଲ୍ୟ ପ୍ରତିଭାର ଗୁଣ ଗ୍ରହଣ କରିବାରୁ ବଞ୍ଚିତ । ଏହି ଓଡ଼ିଆ ଅନୁବାଦ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁ ବନ୍ଧୁଗଣ ମୋତେ ଏ ଦିଗରେ ଉତ୍ସାହିତ କରିଛନ୍ତି, ସାହାଯ୍ୟ କରିଛନ୍ତି, ସେମାନଙ୍କ ପାଖରେ ମୁଁ ଚିର ଋଣୀ ।

 

ଓଡ଼ିଶାର ବହୁ ପାଠକପାଠିକା ସଦୟ ସ୍ନେହ ଓ ସହାନୁଭୂତି ମୋର ଏହି କ୍ଷୁଦ୍ର ପ୍ରଚେଷ୍ଟାର ପାଥେୟ ହୋଇ ରହୁ, ଏହା ହିଁ ମୋର କାମନା ।

 

ବିନୀତ

ଉମାଶଙ୍କର ପଣ୍ଡା

Image

 

ଲେଖା ଓ ଲେଖକ–

 

୧୯୦୭ ମସିହାର ଏକ ସୁବର୍ଣ୍ଣ ସକାଳରେ ଇଟାଲୀର ରୋମ ନଗରୀରେ ଏ ଯୁଗର ଶ୍ରେଷ୍ଠ କଥାଶିଳ୍ପୀ ଆଲବେର୍ଟୋ ମୋରାଭିଆ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ଲେଖନୀ ନିସୃତ Woman of Rome, A Gost at Noon, Conjugal love, Two Women, Bitter Honeymoon, Wayward Wife ପ୍ରଭୃତି ରଚନା ଅଜସ୍ର ପାଠକର ଅକୁଣ୍ଠ ପ୍ରଶଂସା ଓ ଆଦର ଲାଭ କରିଛି । ସମସାମୟିକ ଯୁଗର ଶ୍ରେଷ୍ଠ ଲିପିକାର ଭାବରେ ସେ ଆଜି ପୃଥିବୀର ସର୍ବତ୍ର ଅଭିନନ୍ଦିତ ।

 

ପ୍ରଧାନତଃ ରୋମ ନଗରୀର ଜୀବନ ଚିତ୍ର ହିଁ ମୋରାଭିଆଙ୍କର ରଚନାର ଉପଜୀବ୍ୟ, ଯୌବନର ଦ୍ୱନ୍ଦ ଓ ଆଶାନିରାଶା, ରୂପାଜୀବାର ପ୍ରେମ, ଦାମ୍ପତ୍ୟ ଜୀବନର ବିରୋଧ ଓ ଜୀବନ ସଂଗ୍ରାମରେ ପରାଜିତ ବ୍ୟର୍ଥ ସାହିତ୍ୟିକର ମର୍ମବେଦନାର ଚିତ୍ର ସେ ରୂପ ଦେଇଛନ୍ତି ତାଙ୍କର ନିପୁଣ ତୂଳିକାରେ । ତାଙ୍କର ବାସ୍ତବମୁଖୀ କାହାଣୀ ଭିତରେ ଅନ୍ତସଲୀଳା ଫଲ୍‌ଗୁ ଭଳି ବହିଯାଇଛି ସବୁଦେଶ ଆଉ ସବୁକଳାର ମଣିଷ ମନର ଗୋପନ କଥା; ତେଣୁ ସହଜରେ ମୋରାଭିଆଙ୍କ ରଚନା ଚିତ୍ତ ଜୟ କରିବାରେ ସମର୍ଥ । ଏହା ବ୍ୟତୀତ ରଚନାର ବଳିଷ୍ଠତା, ସାବଲୀଳତା ଓ ସାରଲ୍ୟ, କଳ୍ପନା ବିଳାସ, ଅପୂର୍ବ ସୃଜନଶକ୍ତି, ଅନୁପମ ପ୍ରକାଶଭଙ୍ଗୀ ଓ ସରସ ବିଶ୍ଳେଷଣ ମୋରାଭିଆଙ୍କର ସମଗ୍ର ସୃଷ୍ଟିକୁ ଆକର୍ଷଣୀୟ କରି ତୋଳିଛି । ତୁଚ୍ଛ ଘଟଣାକୁ କେନ୍ଦ୍ରକରି ରସଘନ ସାହିତ୍ୟ–ସୃଷ୍ଟି, ଜୀବନର ସତ୍ୟକୁ ପ୍ରତିଷ୍ଠା କରିବାପାଇଁ ଅକାଟ୍ୟ ଯୁକ୍ତି ଉତ୍‌ଥାପନ କରିବାରେ କେବଳ ତାଙ୍କର ବଳିଷ୍ଠ ଲେଖନୀ ସମର୍ଥ । ମୋରାଭିଆଙ୍କ ରଚନାରେ ମିଳେ ଗୋଟାଏ ଅନାବିଷ୍କୃତ ଆନନ୍ଦାଲୋକର ସନ୍ଧାନ । ଅଦୃଷ୍ଟ ଓ ଅନନୁଭୂତ ପୂର୍ବ ଅଥଚ ସମ୍ଭାବ୍ୟ ଜୀବନର ଅବିସ୍ମରଣୀୟ, ହୃଦୟଗ୍ରାହୀ କାହାଣୀ ଶୁଣାଇବାରେ ସେ ସିଦ୍ଧହସ୍ତ । ବିଭିନ୍ନ ଚରିତ୍ର ଓ ମଣିଷ ମନର ଅନ୍ତର୍ଦ୍ୱନ୍ଦ୍ୱ ଏକ ବିଶେଷ ଭଙ୍ଗୀରେ ତାଙ୍କର ଲେଖନୀରେ ରୂପାୟିତ । ତାଙ୍କର ରଚନା ବାସ୍ତବ ଆଉ ଅବାସ୍ତବ, ସ୍ୱପ୍ନ ଆଉ ଜୀବନ ଭିତରେ ନିର୍ମାଣ କରି ତୋଳେ ଏକ ବିଚିତ୍ର ସେତୁ । ଲେଖନୀର ଯାଦୁ ସ୍ପର୍ଶରେ ଅପରୂପ ହୋଇଉଠେ ବାସ୍ତବ ଜୀବନର ଆଲେଖ୍ୟ ।

 

‘A GOST AT NOON’ ମୋରାଭିଆଙ୍କର ଏକ ବିସ୍ମୟକର ଶିଳ୍ପକୀର୍ତ୍ତି । ଏହା କେବଳ କଳ୍ପନା ବା କାହାଣୀ ନୁହେଁ, ଏଥିରେ ରହିଛି ରୂଢ଼ ସତ୍ୟର ସୁସ୍ପଷ୍ଟ ସ୍ୱାକ୍ଷର । କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଅସନ୍ତୋଷ ଓ ସନ୍ଦେହର ବୀଜ ବିଶାଳ ମହିରୁହରେ ପରିଣତ ହୋଇ ମଧୁର ଦାମ୍ପତ୍ୟ ଜୀବନରୁ ଶୋଷିନିଏ ପ୍ରେମର ରସ । ଅମୃତର ପାତ୍ରକୁ ପରିଣତ କରେ ହଳାହଳରେ । ବନ୍ଧନହୀନ ଦୁଇଟି ଜୀବନର ଉଜ୍ଜ୍ୱଳ ସମ୍ଭାବନାକୁ ସମୂଳେ ନଷ୍ଟ କରି ମନର ଶୁଭ୍ର ଆକାଶ ଉପରେ ଢାଙ୍କିଦିଏ କୃଷ୍ଣ ଅନ୍ଧକାରର ଯବନିକା ।

 

ଚିତ୍ର ନାଟ୍ୟକାର ମଲ୍‌ଟେନି ଆଉ ତାର ପରିଣିତା ସ୍ତ୍ରୀ ଏମିଲିଆର ମୁଗ୍‌ଧ–ମଧୁର, ପ୍ରଣୟବିଧୂର ଜୀବନରେ ଭୀମପୁଚ୍ଛ ବିସ୍ତାର କରି ଉଲ୍‌କା ଭଳି ଦେଖା ଦିଅନ୍ତି ଚିତ୍ରନିର୍ମାତା ଇନ୍ଦ୍ରିୟପରାୟଣ ବାତ୍ତିସତ୍ତା । ଅଭାବ ଅନାଟନ ଭିତରେ ଯେଉଁ ଜୀବନ ନିରାପଦ ନିଜସ୍ୱ ବୋଲି ମଲ୍‌ଟେନିର ମନେହୋଇଥିଲା ସେ ଖୋଜି ବୁଲେ ଏକ ଅମୂଳକ ସନ୍ଦେହର ଉତ୍ତର, ତାପରେ ମନରେ ଉଦୟ ହୁଏ ପ୍ରତିହିଂସାର ବାସନା ।

 

ମନସ୍ତାତ୍ତ୍ୱିକ ଚିତ୍ର ନିର୍ମାତା ରେନ୍‌ଗୋଲ୍‌ଡ଼ଙ୍କ ସହିତ ଓଡ଼ସିର ଚିତ୍ର ଗ୍ରହଣ ପରିକଳ୍ପନା, ଇଉଲିସିସ୍‌ ଓ ପେନିଲୋପର ଦାମ୍ପତ୍ୟ ଜୀବନ ସମ୍ପର୍କରେ ବିଭିନ୍ନ ଅଭିମତ ଆଲୋକପାତ କରେ ମଲଟେନି ଆଉ ଏମିଲିୟାର ଜୀବନ ଉପରେ । ଉପନ୍ୟାସଟିର ମନସ୍ତତ୍ତ୍ୱ ବିଶ୍ଳେଷଣ ମୁଖ୍ୟ । ନାରୀ ଓ ପୁରୁଷ ସ୍ୱାମୀ ସ୍ତ୍ରୀ ଭାବରେ ପରସ୍ପରକୁ ଆପଣାର ସର୍ବସ୍ୱ ଦେଇ ଭଲ ପାଆନ୍ତି । ଏକ ସୁଖର ନୀଡ଼ ରଚନା କରିବାରେ ପ୍ରୟାସ କରନ୍ତି, କିନ୍ତୁ ସେ କଣ ସଫଳ ହୁଏ ? ଏହି ବିରାଟ ପ୍ରଶ୍ନ ରୂପାୟନ କରିଛନ୍ତି ଲେଖକ ବିଭିନ୍ନ ଚରିତ୍ର ମାଧ୍ୟମରେ । ମଲ୍‌ଟେନି ଆଉ ଏମିଲିଆ ବୋଧହୁଏ ମୋରାଭିଆଙ୍କର କଳ୍ପଲୋକର ସକଳ ସ୍ତ୍ରୀ ଓ ପୁରୁଷ ଭିତରେ ସର୍ବୋତ୍ତମ ।

 

ରୋମ ନଗରୀର ମଧ୍ୟବିତ୍ତ ନାଗରିକର ଜୀବନାଲେଖ୍ୟ ରହିଛି ଏହି ଉପନ୍ୟାସଟି ଭିତରେ । ସ୍ୱାମୀଗତପ୍ରାଣା ଏମିଲିୟା ପରିସ୍ଥିତିର ଚାପାରେ ଦେହଦାନ କରିବାର ପ୍ରୟାସ ଏଡ଼ାଇ ପାରିନି ଚିତ୍ରନିର୍ମାତା ବାତ୍ତିସତାଙ୍କ ପାଖରେ । ବାତ୍ତିସତା ସୁଯୋଗର ସଦ୍‌ବ୍ୟବହାର କରିବାରେ ପଶ୍ଚାଦ୍‌ପଦ ହୋଇ ନାହାନ୍ତି ।

 

କେତେ ଅନାବିଳ ତୃପ୍ତିରେ କଟି ନ ଥିଲା ଆମରି ଦାମ୍ପତ୍ୟ ଜୀବନର ପ୍ରଥମ ଦୁଇଟି ବସନ୍ତ । ସୁରଭିତ ପ୍ରଣୟବିଧୂର ଦୁଇଟି ବର୍ଷ–ଯେମିତି ଚଳଚଞ୍ଚଳ ଦୁଇଟି ମୁହୂର୍ତ୍ତ । ଗନ୍ଧେ ଗାନେ ମୁଖରିତ ସ୍ୱପ୍ନର ଦୁଇଟି ଫୁଲ । ପତ୍ନୀ ସହିତ ମୋର ସମ୍ପର୍କ ଥିଲା ଅତୀବ ମଧୁର । ଅତି ନିବିଡ଼ ଭାବରେ ମୁଁ ତାକୁ ଭଲ ପାଉଥିଲି, ସିଏ ବି ମୋତେ ଆପଣାର ଜୀବନରୁ ବେଶି ଭଲ ପାଉଥିଲା । ଗଭୀର ପ୍ରେମରେ ଦୁଇଟି ଜୀବନ ଯେମିତି ଏକ ହୋଇଯାଇଥିଲା । ରଙ୍ଗୀନ୍‌ ସ୍ୱପ୍ନବିଭୋର ମନ, ବାଧାବନ୍ଧନହୀନ ସମ୍ଭୋଗ ଶାନ୍ତ ଜୀବନ । କପୋତ କପୋତୀ ଭଳି ନିର୍ଭର ସୁଖରେ କଟିଯାଉଥିଲା ପ୍ରେମଗୁଞ୍ଜନ ମୁଖର ଦିନଗୁଡ଼ିକ । ପରସ୍ପରକୁ ଦୁହେଁ ନିର୍ବିଚାରରେ ଭଲ ପାଉଥିଲୁ । ତେଣୁ ମୁହୂର୍ତ୍ତକର ଅଦର୍ଶନ ଆମ ପକ୍ଷରେ ଅସହ୍ୟ ମନେହେଉଥିଲା । ସେହି ନିର୍ଜନ ମୁହୂର୍ତ୍ତଗୁଡ଼ିକ ମନେ ହେଉଥିଲା ଯୁଗଯୁଗାନ୍ତ । ସେତେବେଳେ ପ୍ରେମ ବ୍ୟତୀତ ମନରେ କୌଣସି ଚିନ୍ତାର ଅବକାଶ ନ ଥିଲା । କବିର ଭାଷାରେ ସେତେବେଳେ ଆମର ଅବସ୍ଥା ଥିଲା ‘‘ଦୁଇ ପ୍ରାଣ ଆନେ ଆନେ ଟାଣି ହୋଇଯାଇ ।’’ ଭାବୁଥିଲି ପ୍ରେମମୟୀ ଏମିଲିୟା ରତିନିପୁଣା, ନିଖୁଣ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି, ସିଏ ବି ହୁଏତ ଭାବୁଥିଲା ସ୍ୱାମୀ ହିସାବରେ ମୁଁ ସୁଯୋଗ୍ୟ ।

 

କୌଣସି କୌଣସି ଅସତର୍କ ମୁହୂର୍ତ୍ତରେ ହୁଏତ ଦୁହିଁଙ୍କର ଦୋଷ ତ୍ରୁଟି ଆଖିରେ ପଡ଼ୁଥିଲା; କିନ୍ତୁ ପ୍ରେମର ନିଶାରେ ଆମେ ଏମିତି ପ୍ରମତ୍ତ ହୋଇପଡ଼ିଥିଲୁ ଯେ ସେ ଦିଗକୁ ମୋଟେ ଖିଆଲ ହିଁ ନ ଥିଲା । ପ୍ରେମର ନିଶାରେ ଆମେ ଏକାବେଳକେ ଆତ୍ମବିସ୍ମୃତ ହୋଇପଡ଼ିଥିଲୁ । ସେତେବେଳେ ମୋଟେ କଳ୍ପନା କରିପାରି ନାହିଁ ଯେ ଦୁହିଁଙ୍କର ଏହି ନିବିଡ଼ ପ୍ରେମ–ବନ୍ଧନ ଦିନେ ଶିଥିଳ ହୋଇପଡ଼ିବ । ଭାଙ୍ଗି ଚୂନା ଚୂନା ହୋଇଯିବ ଏହି ନିରୁବ୍ଦେଗ ଜୀବନର ସ୍ୱପ୍ନ ଅପ୍ରତ୍ୟାଶିତ ଝଡ଼ରେ ଧୂଳିସାତ୍‌ ହୋଇଯିବ ଆମରି ସୁଖର ନୀଡ଼, ସମାଧି ରଚନା କରିବାକୁ ହେବ ଏମିତି ଦୁର୍ଲଭ ପ୍ରମର । ବିରହୀ ଯକ୍ଷ ଭଳି ବୋହି ବୁଲିବାକୁ ପଡ଼ିବ ସମଗ୍ର ବେଦନା ଓ ଅନୁଶୋଚନା । ସେ ଦିନର ସ୍ମୃତି.... ।

 

ସେତେବେଳକୁ ଆମର ଦାମ୍ପତ୍ୟ ଜୀବନରେ ଭରାଜୁଆର । ଏମିଲିୟାକୁ ମୁଁ ଆଗ ଭଳି ଭଲ ପାଉଛି, ମୋର ପ୍ରେମ ଟିକିଏ ବି କମି ନାହିଁ । ଏହି ସମୟରେ ହଠାତ୍‌ ଏମିଲିୟାର ଆଖିରେ ଧରାପଡ଼ିଲା ମୋର ତ୍ରୁଟି । ସେ ମନେ ମନେ ମୋର ବିଚାର କରି ଦେଖିଲା, ବିତୃଷ୍ଣ ହୋଇ ଉଠିଲା ମୋ ଉପରେ, ପ୍ରତ୍ୟାହାର କରିନେଲା ତାର ଅନୁରାଗ, ସେ ଆଉ ମୋତେ ଭଲ ପାଇଲା ନାହିଁ ।

 

ସେଇଥିପାଇଁ ଏ କାହାଣୀର ଅବତାରଣା ।

 

ପରିପୂର୍ଣ୍ଣ ସୁଖ ଖାଲି ଆଖିରେ ଦେଖାଯାଏନା । ହୁଏତ ମନେହେବ କଥାଟା ପୂରାପୂରି ମାନସ–ପ୍ରସୂତ, ଗୁଲିଖଟି ଗପ । ତେଣୁ ବୁଝେଇ କହୁଛି–

 

ସେତେବେଳେ ମନେହେଉଥିଲା ଜୀବନଟା ଯେମିତି ବନ୍ଧାଗତ, ଶଗଡ଼ଗୁଳା; ଟିକିଏ ଏପାଖ ସେପାଖ ନାହିଁ । ଆଖି ଦୁରୁଶିଆ ନୂତନତ୍ୱ କିଛି ନାହିଁ । ରଙ୍ଗହୀନ ଫିକା କାଗଜ ଫୁଲ । ତା ସତ୍ତ୍ୱେ ବି ମୁଁ ଯେ ସୁଖୀ ଥିଲି ସେ କଥା ବୁଝିପାରି ନାହିଁ । ଭାବୁଥିଲି ସଂସାରର ଅଗଣିତ ନାରୀ ପୁରୁଷ ଭିତରେ ଆମେ ଦୁଇଟି ବିନ୍ଦୁ, ଆମର ଯେପରି ସ୍ୱାତନ୍ତ୍ର୍ୟ ନାହିଁ, ନାହିଁ ବିଶେଷତ୍ୱ । ଆମ ଜୀବନରେ ଛଳନା ବା ବ୍ୟତିକ୍ରମର ସ୍ଥାନ ନାହିଁ । ସବୁ ପୁରୁଷମାନଙ୍କ ଭଳି ମୁଁ ଭଲ ପାଇଛି ମୋର ପରିଣୀତା ସ୍ତ୍ରୀକୁ, ଆଉ ତାର ପ୍ରତିଦାନରେ, ବିନିମୟରେ ପାଇଛି ତାର ଅନୁରାଗ, ପ୍ରେମ, ଦେହ, ଭଲପାଇବା । ଏହାରି ଭିତରେ ଅସ୍ୱାଭାବିକତା କିଛି ନାହିଁ । ପତ୍ନୀର ପ୍ରେମ ତ ଆଉ ଦୁର୍ଲଭ ସାମଗ୍ରୀ ନୁହେଁ ? ଏକଥା ଥରେ ହେଲେ ମନରେ ସ୍ଥାନ ଦେଇ ନାହିଁ, ବିଚାର କରି ନାହିଁ । ବୁଦ୍ଧି ଦେଇ ପ୍ରେମର ପରିମାପ କରାଯାଏନା, କେବଳ ଅନୁଭୂତିରେ ତାହା ଉପଭୋଗ କରାଯାଇପାରେ-। ପବନ ଯେତେବେଳେ ଅବିରାମ ଗତିରେ ବୋହିଚାଲେ, ସେତେବେଳେ ତା’ରି ମୂଲ୍ୟ କେହି ବୁଝନ୍ତି ନାହିଁ । କିନ୍ତୁ ପବନର ଅଭାବ ହେଲା ମାତ୍ରକେ ସେ ହୋଇପଡ଼େ ଅମୂଲ୍ୟ । ପ୍ରଚଣ୍ଡ ଗ୍ରୀଷ୍ମରେ ତୃଷିତ ବ୍ୟକ୍ତି କେବଳ ଜଳର ଶୀତଳତା ଉପଲବ୍‌ଧି କରିବାରେ ସମର୍ଥ । ସେ ସମୟରେ ଅନ୍ୟ କେହି ଯଦି କହୁଥିଲା ଯେ ମୁଁ ପ୍ରକୃତରେ ସୁଖୀ ମୁଁ ଅବାକ୍‌ ହୋଇପଡ଼ୁଥିଲି । ତାକୁ ଉତ୍ତରରେ କହୁଥିଲି, ନା ନା ମୁଁ ସୁଖୀ ନୁହେଁ । ମୁଁ ମୋର ସ୍ତ୍ରୀକୁ ଭଲପାଏ, ଆଉ ସିଏ ବି ମୋତେ ଭଲପାଏ-। କିନ୍ତୁ ଆମର ଅନାଗତ ଭବିଷ୍ୟତ ନିରାପଦ ନୁହେଁ ।

 

ମୁଁ ଗୋଟାଏ ଶସ୍ତା ଦୈନିକପତ୍ରର ଚିତ୍ର ସମାଲୋଚକ, ଆଉ ସାମ୍ବାଦିକ । ଯାହା ରୋଜଗାର ହୁଏ ସେଥିରେ ସ୍ୱଚ୍ଛଳ ଭାବରେ ଦିନ ଚଳେନା । ତେଣୁ ହୋଟେଲରେ ଗୋଟାଏ ଛୋଟ କ୍ୟାମେରାରେ ରହିଥାଉ । ଉଦ୍‌ବୃତ୍ତ ବ୍ୟୟ ତ ଦୁରାଶା କେବେ କେବେ ପ୍ରୟୋଜନୀୟ ବ୍ୟୟ ନିର୍ବାହ ନିମନ୍ତେ ବି ଅର୍ଥର ଅନାଟନ ହୁଏ । ତେବେ ମୁଁ ସୁଖୀ ହେଲି କେମିତି ! କିନ୍ତୁ ନିଜକୁ ଯେତେବେଳେ ପ୍ରକୃତ ସୁଖୀ ବୋଲି ମନେକଲି ସେତେବେଳେ ଭାବିପାରି ନାହିଁ ଯେ ଏହା ଆଗରୁ ମୁଁ ସୁଖୀ ଥିଲି ।

 

ଦୁଇବର୍ଷ ପରେ କପାଳ ଫିଟିଲା । ଚିତ୍ର–ନିର୍ମାତା ବାତ୍ତିସତାଙ୍କ ସହିତ ପରିଚୟ ହେଲା ଅତି ଅପ୍ରତ୍ୟାଶିତ ଭାବରେ । ତାଙ୍କର ଗୋଟାଏ ଚିତ୍ର ପାଇଁ ଲେଖିଲି ମୋର ପ୍ରଥମ ଚିତ୍ରନାଟ୍ୟ । ଅନ୍ତରରେ ବାସନା ଥିଲା ସାମୟିକ ଭାବରେ ଚିତ୍ର ସମାଲୋଚନା କରି ଅବଶିଷ୍ଟ ସମୟରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବି । କିନ୍ତୁ ସବୁ ଯେମିତି ଓଲଟପାଲଟ ହୋଇଗଲା । ଭାଗ୍ୟଚକ୍ରରେ ମୁଁ ହୋଇପଡ଼ିଲି ପେଶାଦାର ଚିତ୍ରନାଟ୍ୟକାର, ଆଉ ସେହି ଅଶୁଭ ମୁହୂର୍ତ୍ତରୁ ଏମିଲିୟା ସହିତ କ୍ରମଶଃ ମୋର ସମ୍ପର୍କ ତିକ୍ତ ହେବାକୁ ଲାଗିଲା......

 

ଏଥର ମୋ ନିଜ କାହାଣୀ ଆରମ୍ଭ କରେ........

 

ପେଶାଦାର ଚିତ୍ର ସଂପାଦକ ଭାବରେ ଜୀବନ ଆରମ୍ଭ କରିଛି, ଆଉ ଆମରି ଦାମ୍ପତ୍ୟ ଜୀବନରେ ଅଙ୍କୁରିତ ହୋଇଛି ଅଶାନ୍ତିର ବୀଜ । ଦୁଇଟିଯାକ ଘଟଣା ଘଟିଛି ଯୁଗପତ୍‌ । ଘଟଣା ଦୁଇଟିଯାକ ଅବିଚ୍ଛେଦ୍ୟ ଯେମିତି ଗୋଟାଏ ଅଦୃଶ୍ୟ ସୂତ୍ରରେ ଗ୍ରଥିତ ଭାଗ୍ୟଲିପିର ଦୁଇଟି ପଂକ୍ତି । ଗୋଟାକର ଅନୁପସ୍ଥିତିରେ ଅପରର ସ୍ଥିତି କଳ୍ପନାତୀତ ।

 

ସ୍ମୃତିର ରୋମନ୍ଥନରେ ଆଜି ସେଦିନର ବହୁ ଘଟଣା ମନେପଡ଼ୁଛି । ହୁଏତ ସେଦିନ ଘଟଣାଟି ଉପରେ କୌଣସି ଗୁରୁତ୍ୱ ଆରୋପ ନ କରି ତୁଚ୍ଛ ମନେକରିଥିଲି । ତା ଛଡ଼ା ଏମିତି ଛୋଟ ଛୋଟ ଘଟଣା ହୁଏତ ମନରେ ହଠାତ୍‌ କୌଣସି ବିଶେଷ ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ । କିନ୍ତୁ ପରେ ସେ ଘଟଣା ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ବାଧ୍ୟ ହୋଇଛି ।

 

ଏମିଲିୟା, ବାତ୍ତିସତା ଓ ମୁଁ ରେସ୍ତୋରାଁରୁ ବାହାରି ଆସି ସହର ମଝିରେ ରାସ୍ତା ଉପରେ ଠିଆ ହୋଇଛୁ । ସନ୍ଧ୍ୟାଟା ତାଙ୍କରି ବସାରେ କଟେଇବା ପାଇଁ ବାତ୍ତିସତ୍ତା ଅନୁରୋଧ କଲେ । .....ତାଙ୍କରି ପ୍ରସ୍ତାବରେ ନିଜକୁ କୃତ୍ୟ କୃତ୍ୟ ମନେକରି ଆନନ୍ଦରେ ରାଜି ହୋଇଗଲି । ତିନିହେଁ ବାତ୍ତିସତାଙ୍କ ଗାଡ଼ି ପାଖକୁ ଆଗେଇ ଆସିଲୁ । ଗାଢ଼ ଲାଲ ରଙ୍ଗର ବେଶ୍‌ ଦାମି ଗାଡ଼ି । ଗାଡ଼ିରେ କେବଳ ଦୁଇଟି ମାତ୍ର ସିଟ୍‌ । ବାତ୍ତିସତା ନିଜେ ହିଁ ଗାଡ଼ିର ଚାଳକ । ଗାଡ଼ିର ଦରଜା ଖୋଲି ସେ କହିଲେ କିଛି ମନେ କରିବେନି ମି: ମଲଟେନି, ଗାଡ଼ିରେ କେବଳ ଜଣକ ପାଇଁ ଜାଗା ହେବ..... ଆପଣ ବରଂ ଏଇଠି ଅପେକ୍ଷା କରନ୍ତୁ, ଫେରିଆସି ଆପଣଙ୍କୁ ନେଇଯିବି ।

 

ଏମିଲିୟା ମୋରି ପାଖକୁ ଲାଗି ଠିଆ ହୋଇଥିଲା । ଦେହରେ ପୂରାଗଳାର ହାତକଟା ରେଶମୀ ବ୍ଲାଉଜ ଉପରେ ସୁନେଲୀ ରଙ୍ଗର ସ୍କାର୍ଟ । ହାତରେ ଭଙ୍ଗାହୋଇ ରହିଛି ଜରିଲଗା ଟୋପି-। ଅକ୍ଟୋବର ମାସର ଅୟମାରମ୍ଭ । ଶୀତ ସେମିତି ବିଶେଷ କିଛି ପଡ଼ି ନାହିଁ । ଏମିଲିୟାକୁ ଚାହିଁଲି–ଦେଖିଲି ତାର ପ୍ରଶାନ୍ତ ମୁହଁ ଉପରେ ଫୁଟିଉଠିଛି ଅସ୍ଥିରତାର ଚିହ୍ନ । ଆଖିରେ ବନ ହରିଣୀର ଚଞ୍ଚଳତା । କହିଲି ତୁମେ ବାତ୍ତିସତାଙ୍କ ସହିତ ଯାଅ ଏମିଲିୟା.... ମୁଁ ଟ୍ୟାକ୍‌ସି ନେଇ ଯାଉଛି ।

 

ମୋ ଆଡ଼କୁ ସେ ମୁହଁ ଉଠେଇ ଚାହିଁଲା–ସତେ ଯେମିତି ଜାଣିଶୁଣି ତାକୁ ବିପଦ ମୁହଁକୁ ଠେଲି ଦିଆହେଉଛି । ଅନିଚ୍ଛା ଜଡ଼ିତ କଣ୍ଠରେ ସେ କହିଲା, ମି: ବାତ୍ତିସତା ଯଦି ତାଙ୍କ ଗାଡ଼ିରେ ଯାଆନ୍ତି ଆଉ ଆମେ ଟ୍ୟାକ୍‌ସିରେ ଯାଉ–

 

ଗାଡ଼ିର ଗ୍ଳାସ ସଟର ବୁଲେଇ ଦେଇ ତାରି ଭିତରେ ମୁହଁ ବଢ଼େଇ ମି: ବାତ୍ତିସତା କହିଲେ, ଆପଣ ତ ଆଚ୍ଛା ଲୋକ । ମୋତେ ଏକାକୀ ଯିବା ପାଇଁ କହୁଛନ୍ତି ?

 

ଏମିଲିୟା କହିଲା, ନା.....ନା.... ତାହା ନୁହେଁ । ତାର ସମଗ୍ର ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ମନେହେଲା ସେ ନିଜକୁ ଯେପରି ବିପନ୍ନ ବୋଧ କରୁଛି । ତେଣୁ ଯେତେଶୀଘ୍ର ସମ୍ଭବ ପରିସ୍ଥିତିଟାକୁ ସହଜ କରିନେବା ଉଦ୍ଦେଶ୍ୟରେ କହିଲି, ଆପଣ ଠିକ୍‌ କହିଛନ୍ତି ମି: ବାତ୍ତିସତା... ଆପଣ ତା ସହିତ ଯାଆନ୍ତୁ, ମୁଁ ଟ୍ୟାକ୍‌ସିରେ ଯାଉଛି ।

 

ଏଥର ଏମିଲିୟା ପରାଜୟ ସ୍ୱୀକାର କଲା । ଗାଡ଼ିରେ ଉଠିପଡ଼ି ବାତ୍ତିସତାଙ୍କ ପାଖରେ ବସିଲା । ଗାଡ଼ିର ଖୋଲା ସଟର ଦେଇ ମୋତେ ଦେଖାଯାଉଥାଏ ତାର ବ୍ୟାକୁଳ ଓ ଚଞ୍ଚଳ ଦୃଷ୍ଟି । ତାର ସେହି ଦୃଷ୍ଟିରେ ଥିଲା ଅନୁନୟ, ବିରକ୍ତି ଓ ଅସହାୟତା । କିନ୍ତୁ ସେ ଦିଗକୁ ଲକ୍ଷ୍ୟ ନ କରି ସିନ୍ଦୂକର ଓଜନଦାର ଢାଙ୍କୁଣି ବନ୍ଦ କଲାପରି କାର୍‌ର ଦରଜାଟି ବନ୍ଦ କରିଦେଲି ।

 

ଗାଡ଼ି ଦୃଷ୍ଟିର ସୀମା ଅତିକ୍ରମ କରି ବାହାରିଗଲା । ମନ ଖୁସିରେ କୌଣସି ଗୋଟାଏ ଦରଭୁଲା ସିନେମା ସଙ୍ଗୀତ ଗୁଣୁ ଗୁଣୁ ଗାଇ ଟ୍ୟାକ୍‌ସି ଷ୍ଟେଣ୍ଡ ଆଡ଼କୁ ଆଗେଇ ଗଲି ।

 

ରେସ୍ତୋରାଁରୁ ବାତ୍ତିସତାଙ୍କ ଘରଟି ମୋଟେ ଦୂର ନୁହେଁ । ଟ୍ୟାକ୍‌ସିରେ ଠିକ୍‌ ଏକାସମୟରେ ନ ହେଲେ ମଧ୍ୟ ଅଳ୍ପ ସମୟ ପରେ ପହଞ୍ଚିଯିବାର କଥା । କିନ୍ତୁ କିଛି ବାଟ ଆସିବା ପରେ ଠିକ୍‌ ଛକ ଉପରେ ଦୁର୍ଘଟଣା ଘଟିଲା । ଟ୍ୟାକ୍‌ସି ସହିତ ଧକ୍‌କା ଲାଗିଗଲା ଗୋଟାଏ ପ୍ରାଇଭେଟ ଗାଡ଼ିର । ଡ୍ରାଇଭର ଦୁହେଁ ବ୍ୟସ୍ତଭାବରେ ଗାଡ଼ିରୁ ଓହ୍ଳେଇ ଆସିଲେ । ତାପରେ ସେହି ଚିରାଚରିତ ଦୃଶ୍ୟ, ଆରମ୍ଭ ହେଲା ଦୁହିଁଙ୍କ ମଧ୍ୟରେ ବଚସା । ରାସ୍ତାରେ ଯାଉଥିବା ଲୋକେ କୌତୂହଳ ସମ୍ବରଣ କରି ନ ପାରି ଭିଡ଼ ଜମାଇଲେ । କେହି କେହି ପକ୍ଷ ନେଇ ସେମାନଙ୍କୁ ଆହୁରି ଉତ୍ତେଜିତ କରିବାରେ ଲାଗିଲେ ।

 

ପୋଲିସ ଆସି ଗାଡ଼ି ନମ୍ବର ଏବଂ ଉଭୟ ଚାଳକଙ୍କର ନାମ ଓ ଠିକଣା ଟିପି ନେଇଗଲା । ମୁଁ ନିଶ୍ଚିନ୍ତ ମନରେ ଗାଡ଼ି ଭିତରେ ବସି ରହିଲି । ଆଜି ଆକଣ୍ଠ ସୁଖାଦ୍ୟ ଖାଇଛି, ଭବିଷ୍ୟତରେ ରହିଛି ସୁପ୍ରଚୁର ଅର୍ଥଲାଭର ସୁଯୋଗ । ବାତ୍ତିସତା ଗୋଟାଏ ନୂତନ ଚିତ୍ର ସମ୍ପାଦନାର ଭାର ଦେବେ ବୋଲି ପ୍ରତିଶ୍ରୂତି ଦେଇଛନ୍ତି । ତେଣୁ ମନରେ ଆନନ୍ଦର ସୀମା ନ ଥିଲା-। ଗୋଟାଏ ଅନାଗତ ସ୍ୱପ୍ନର ପରିବେଶର ଭିତରେ ନିଜକୁ ମୁଁ ବାରମ୍ବାର ଯେମିତି ହରେଇ ଦେଉଥିଲି । ଦୁର୍ଘଟଣା ଘଟିବା ଫଳରେ ରାସ୍ତାରେ ମୋର ଦଶପନ୍ଦର ମିନିଟ ଡେରି ହୋଇଗଲା-

 

ବାତ୍ତିସତାଙ୍କର ସୁସଜ୍ଜିତ ବୈଠକଖାନାରେ ପ୍ରବେଶକରି ଦେଖିଲି ଗୋଡ଼ ଉପରେ ଗୋଡ଼ ଦେଇ ଗୋଟାଏ ଚୌକି ଉପରେ ଏମିଲିୟା ବସି ରହିଛି । ଚକଲଗା ଗୋଟାଏ ସୁରାଦାନି ଉପରେ ପାଦରଖି ମି: ବାତ୍ତିସତା ଠିଆ ହୋଇଛନ୍ତି ଗୋଟାଏ କୋଣରେ । ମୋତେ ଦେଖିବା ମାତ୍ରକେ ବାତ୍ତିସତା ଗଦ୍‌ଗଦ କଣ୍ଠରେ ସାଦର ଅଭ୍ୟର୍ଥନା ଜଣାଇଲେ । ଏମିଲିୟା ବ୍ୟସ୍ତ ଓ ବିବ୍ରତ ଭାବରେ ପ୍ରଶ୍ନକଲା–ଏତେବେଳ ଯାଏ କେଉଁଠି ଥିଲ.... ଏତେ ଡେରିହେଲା କେମିତି ? କହିଲି ଦୁର୍ଘଟଣା ଫଳରେ ରହିଯାଇଥିଲି । ଏହିଥର ଏମିଲିୟାର ମୁହଁ ଆଉ ଆଖିରେ ଫୁଟିଉଠିଲା ବିସ୍ମୟ ଓ ଅବିଶ୍ୱାସର ଭାବ । ଦୁର୍ଘଟଣା....କେମିତି ଦୁର୍ଘଟଣା ? ସେ ପ୍ରଶ୍ନକଲା ।

 

ଯାହା ଘଟିଥିଲା ତାର ସଂକ୍ଷିପ୍ତ ବର୍ଣ୍ଣନା କଲି । ବିନା ପ୍ରଶ୍ନରେ ଦୁର୍ଘଟଣା ସମ୍ବନ୍ଧରେ କିଛି ପ୍ରକାଶ କରି ନ ଥିବାରୁ ଲଜ୍ଜିତ ହୋଇପଡ଼ିଲି । ଏମିଲିୟା କିଛି ନ କହି ନୀରବରେ କେବଳ ଚାହିଁରହିଲା ଶୂନ୍ୟଦୃଷ୍ଟିରେ । ବାତ୍ତିସତା ହସିହସି କହିଲେ, ଏଇ ନିଅନ୍ତୁ । .....ତାପରେ ଟେବୁଲ ଉପରେ ଗ୍ଳାସଗୁଡ଼ିକ ସଜେଇ ରଖିଲେ । ଗୋଟାଏ ଗ୍ଳାସ ବଢ଼େଇ ଦେଲେ ମୋ ହାତକୁ । ହାସ ପରିହାସ ଆଉ ଗଳ୍ପ ଭିତରେ କଟିଗଲା ପ୍ରାୟ ଦୁଇଘଣ୍ଟା । ବାତ୍ତିସତା ଓ ମୋ ମଧ୍ୟରେ ଚାଲିଲା ଥଟ୍ଟାତାମସା । ବାତ୍ତିସତାଙ୍କର ସ୍ଫୁର୍ତ୍ତି ଅସୀମ । ସେମତବେଳକୁ ମୁଁ ଲକ୍ଷ୍ୟ କରିପାରି ନାହିଁ ଯେ ଏମିଲିୟା ମୋଟେ ପ୍ରଫୁଲ୍ଲ ନୁହେଁ । ବାଧ୍ୟ ହୋଇ ପରିସ୍ଥିତିର ଚାପାରେ ସେ ଯେମିତି ଯନ୍ତ୍ର ଭଳି ବସିରହିଛି । ସ୍ୱଭାବତଃ ସେ ନିର୍ଜନତାପ୍ରିୟ, ସ୍ୱଳ୍ପଭାଷିଣୀ ଓ ଲଜ୍ଜାଶୀଳା; ତେଣୁ ତାର ଗାମ୍ଭୀର୍ଯ୍ୟରେ ଟିକିଏ ହେଲେ ଅବାକ୍‌ ହେଲି ନାହିଁ । ଏମିଲିୟା ଆମରି କଥାବାର୍ତ୍ତାରେ କୌଣସି ପ୍ରକାର ଉତ୍ସାହ ପ୍ରକାଶ ନକରି ନିର୍ବିକାର ଭାବରେ ବସିରହିଲା ।

 

ଥରେ ହେଲେ ସ୍ମିତ ହସି ବା ମୁହଁ ଟେକି ସେ ସେ ଆମର ଆଲୋଚନାରେ ଯୋଗଦେଲା ନାହିଁ । ବୈଠକଖାନାରେ ଥାଇ ବି ଯେମିତି ସେ ଅନୁପସ୍ଥିତ, ଏକାକିନୀ । ପ୍ରଶାନ୍ତ ନୀଳକାଶ ତଳେ ଏକ ଏକକ ବିହଙ୍ଗୀ, ନିଜର କଳ୍ପନାରେ ନିଜେ ମଗ୍ନ, ମୌନ । ନିଜର ସ୍ୱପ୍ନରେ ନିଜେ ସମ୍ମୋହିତ । ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଗଲା.....

 

ଗୋଟାଏ ନୂତନ ଚିତ୍ର ସମ୍ବନ୍ଧରେ ମୋ ସହିତ ଆଲୋଚନା କରୁଥିଲେ ବାତ୍ତିସତା । ସେ କହିଲେ, ମୋର ଇଚ୍ଛା, ଆପଣ ଚିତ୍ରରେ କାମ କରନ୍ତୁ । ସେ ମୋତେ କାହାଣୀଟା ଶୁଣାଇଲେ, ଚିତ୍ର ନିର୍ଦ୍ଦେଶକ ଓ ମୋର ସହଯୋଗୀ ଚିତ୍ର ସମ୍ପାଦକଙ୍କର ପରିଚୟ ଦେଲେ । କହିଲେ–କାଲି ମୋର ଅଫିସକୁ ଆସି ଆପଣ ଚୁକ୍ତିନାମାଟା କରି ନିଅନ୍ତୁ ।

 

ବାତ୍ତିସତାଙ୍କୁ ଆନ୍ତରିକ ଅଭିବାଦନ ଜଣେଇ ଉଠିଲି । ତଳକୁ ଓହ୍ଳେଇ ଆସି ଟ୍ୟାକ୍‌ସି ଷ୍ଟାଣ୍ଡରୁ ଗୋଟାଏ ଟ୍ୟାକ୍‌ସି ନେଇ ଏମିଲିୟା ଓ ମୁଁ ଫେରିଆସିଲୁ । ବାତ୍ତିସତାଙ୍କ ଅପ୍ରତ୍ୟାଶିତ ପ୍ରସ୍ତାବରେ ମୁଁ ଅତି ମାତ୍ରାରେ ଉତ୍ତେଜିତ ହୋଇପଡ଼ିଥିଲି । ତେଣୁ ସେ ବିଷୟରେ ଏମିଲିୟାକୁ ନ ଜଣେଇ ରହିପାରିଲି ନାହିଁ । କହିଲି, ଭାଗ୍ୟ ଭଲ ଯେ, କାମଟି ଠିକ୍‌ ସମୟରେ ଜୁଟିଗଲା–ଜାଣେନା ନ ହେଲେ କି ଅବସ୍ଥା ହୋଇଥାନ୍ତା...ଧାର କରିବା ପାଇଁ ପଡ଼ିଥାନ୍ତା ନିଶ୍ଚୟ । ଏମିଲିୟା କୌଣସି ଆଗ୍ରହ ପ୍ରକାଶ ନ କରି ନିର୍ଲିପ୍ତ କଣ୍ଠରେ ପ୍ରଶ୍ନ କଲା–ଗୋଟାଏ ଚିତ୍ର ସମ୍ପାଦନା ପାଇଁ କେତେ ଆୟ ହୁଏ ।

 

ଅର୍ଥର ପରିମାଣଟା ଆତ୍ମସନ୍ତୋଷର ସହିତ ଜଣାଇଦେଇ କହିଲି, ଅନ୍ତତଃ ଆଗାମୀ ଶୀତ ଋତୁ ଯାଏ ଆମର ଅନାୟାସରେ ଚଳିଯିବ ।

 

ଟ୍ୟାକ୍‌ସିରେ ବସିଲା ପରେ ଏମିଲିୟାର ଶଙ୍ଖଧବଳ ହାତଟି ଟାଣି ନେଇ ମୃଦୁ ମୃଦୁ ଚାପ ଦେବାକୁ ଲାଗିଲି । ସେ ମୋଟେ ପ୍ରତିବାଦ କଲା ନାହିଁ ।

 

ଘରକୁ ଫେରି ଆସିବାଯାଏ ସେ ଆଉ ପଦେହେଲେ କଥା କହିଲା ନାହିଁ ।

 

ତା’ ପରଦିନ ବାତ୍ତିସତାଙ୍କ ସହିତ ଦେଖାକରି ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଅଗ୍ରୀମ ଟଙ୍କା ନେଇ ଆସିଲି । ମନେପଡ଼ୁଛି ଚିତ୍ରର କାହାଣୀଟି ଥିଲା ହାସ୍ୟରସାତ୍ମକ । ଭାବସଂବୃଦ୍ଧ କାହାଣୀ ଲେଖିବାକୁ ମୋର ବେଶି ଝୁଙ୍କ । ସାହିତ୍ୟର ମୂଲ୍ୟବୋଧ ସମ୍ବନ୍ଧରେ ମୁଁ ଏତେ ସଚେତନ ଯେ, ମୁଁ ଭାବିଥିଲି ଏହି ହାସ୍ୟରସାତ୍ମକ ଗଳ୍ପଟିରେ ମୁଁ କୌଣସି କୃତିତ୍ୱ ଦର୍ଶାଇ ପାରିବି ନାହିଁ । କିନ୍ତୁ ଚିତ୍ର ସମ୍ପାଦନା କରୁ କରୁ ଦେଖିଲି, କାହାଣୀଟି ବେଶ୍‌ ସଫଳ ହୋଇଛି । ସେହିଦିନ ହିଁ ମୋର ପରିଚୟ ହେଲା ଚିତ୍ର ନିର୍ଦ୍ଦେଶକ ଆଉ ମୋର ସହଯୋଗୀ ସମ୍ପାଦକଙ୍କ ସହିତ ।

 

ଆଜି କହିବାରେ କୌଣସି ସଂକୋଚ ବା ଦ୍ୱିଧା ନାହିଁ ଯେ, ବାତ୍ତିସତାଙ୍କ ଘରେ ହିଁ ଚିତ୍ର ସମ୍ପାଦକ ଭାବରେ ମୋର ଜୀବନ ଆରମ୍ଭ ହେଲା । କିନ୍ତୁ ଜୋର ଦେଇ ନିଃସଂଶୟରେ କହିପାରିବି ନାହିଁ ଯେ ସେହିଦିନଠାରୁ ପତ୍ନୀ ଏମିଲିୟା ସହିତ ବିରୋଧର ସୂତ୍ରପାତ ହୋଇ ମୋର ଦାମ୍ପତ୍ୟ ଜୀବନ ବିଷମୟ ହୋଇଉଠିଲା । ତେବେ ଏତିକି ନିର୍ବିବାଦରେ ସ୍ୱୀକାର କରାଯାଇପାରେ ଯେ ସେହି ମୁହୂର୍ତ୍ତରେ ମୋର ଦୁର୍ଭାଗ୍ୟ ଓ ବେଦନାର ବୀଜ ଅଙ୍କୁରିତ ହୋଇଥିଲା । ଏହି ଘଟଣାର ଅବ୍ୟବହିତ ପରେ ମୋ ପ୍ରତି ଏମିଲିୟାର ଆଚରଣରେ କୌଣସି ଲକ୍ଷ୍ୟଣୀୟ ପରିବର୍ତ୍ତନର ଚିହ୍ନ ପ୍ରକାଶ ପାଇ ନାହିଁ । ପରିବର୍ତ୍ତନଟା ହୋଇଥିଲା ଠିକ୍‌ ତାର ଆର ମାସଟିରେ । କିନ୍ତୁ ଜାଣେନା କେଉଁ ମୁହୂର୍ତ୍ତରେ ଓ କାହିଁକି ଏମିଲିୟା ମନର ତୁଳାଦଣ୍ଡ ତଳ ଉପର ହୋଇଯାଇଥିଲା । କଣ୍ଟାର ତଉଲରେ ମୁଁ ହାଲୁକା ହୋଇ ସତେ ଯେମିତି ବହୁ ଉପରକୁ ଉଠିଯାଇଥିଲି । ଯେମିତି ପ୍ରୟୋଜନହୀନ ଅବହେଳିତ ଗୋଟାଏ ଜୀବନ ।

 

ବର୍ତ୍ତମାନ ବାତ୍ତିସତା ସହିତ ପ୍ରାୟ ପ୍ରତ୍ୟହ ଦେଖା ସାକ୍ଷାତ ହୁଏ । ପରିଚୟ ହେବାର ପ୍ରଥମଦିନର ସନ୍ଧ୍ୟା ଭଳି ଆହୁରି ବହୁ ଘଟଣା ଘଟିଥିଲା, ମାତ୍ର ସେତେବେଳେ ଏହା ଉପରେ ମୁଁ ବିଶେଷ ଧ୍ୟାନ ଦେଇ ନାହିଁ । କିନ୍ତୁ ପରେ ପ୍ରାୟ ସବୁ ଘଟଣା ବିଶେଷ ଅର୍ଥପୂର୍ଣ୍ଣ ହୋଇଉଠିଲା । ଏଠାରେ କେବଳ ଗୋଟାଏ ମାତ୍ର ଘଟଣାର ଉଲ୍ଲେଖ କରୁଛି–

 

ପ୍ରାୟ ବହୁବାର ବାତ୍ତିସତା ଆମକୁ ନିମନ୍ତ୍ରଣ କରୁଥିଲେ । ଏମିଲିୟା ମୋ ସହିତ ଯିବାକୁ ଅନିଚ୍ଛା ପ୍ରକାଶ କରି ବାରମ୍ବାର ଆପତ୍ତି ଜଣାଉଥିଲା । ଏମିତି ସବୁ ବାହାନା କରୁଥିଲା ଯାହା ସହିତ ବାତ୍ତିସତା ଘରକୁ ଯିବାର କୌଣସି ସମ୍ପର୍କ ନ ଥିଲା ।

 

ମୁଁ କହୁଥିଲି, ତମକୁ ଛାଡ଼ି ମୁଁ କୋଉଠିକି ହେଲେ ଯିବି ନାହିଁ.... ତା’ଛଡ଼ା ବାତ୍ତିସତା ଅସନ୍ତୁଷ୍ଟ ହେବେ, ଅପମାନ ହେବ ଆମରି ଅନ୍ନଦାତାର । ଅଗତ୍ୟା ଏମିଲିୟାକୁ ରାଜିହେବାକୁ ପଡ଼ୁଥିଲା, ପରାଜୟ ସ୍ୱୀକାର କରିବାକୁ ପଡ଼ୁଥିଲା ମୋର ଯୁକ୍ତି ନିକଟରେ । ସେତେବେଳେ ରହସ୍ୟ କରି ମୁଁ ପ୍ରଶ୍ନ କରୁଥିଲି, ମୋ ସହିତ ଯିବାକୁ ତୁମକୁ ବୋଧହୁଏ ଭଲ ଲାଗେନା । ତା ଉପରେ ସନ୍ଦେହ କରି ଯେ ଏଭଳି ପ୍ରଶ୍ନ ମୁଁ କରୁଥିଲି ସେକଥା ନୁହେଁ, ମୋର ଉଦ୍ଦେଶ୍ୟ–ସେ ବୁଝୁ ଯେ ତାର ବି ଗୋଟାଏ ନିଜସ୍ୱ ସ୍ୱାଧୀନ ମତ ରହିଛି । ଆଉ ମୁଁ ତାର ସ୍ୱାଧୀନତାରେ ମୋଟେ ହସ୍ତକ୍ଷେପ କରିବାକୁ ଚାହେଁନା । ସେ ସ୍ପଷ୍ଟ ଭାବରେ ଜବାବ ଦେଉଥିଲା, ଭଲ ଲାଗିବ ନାହିଁ କାହିଁକି ! ନିଶ୍ଚୟ ଭଲ ଲାଗେ । ତାପରେ ଦୁହେଁ ବାହାରି ପଡ଼ୁଥିଲୁ ।

 

ଅବଶ୍ୟ ବିକ୍ଷିପ୍ତ ତୁଚ୍ଛ ଘଟଣାଗୁଡ଼ିକୁ ସ୍ମୃତି ମନ୍ଥନ କରି ପରେ ସଜେଇ ନେଇଥିଲି । ଛିଣ୍ଡା କାଗଜ ଖଣ୍ଡମାନ ଯୋଡ଼ି ସମୁଦାୟ ପତ୍ରଟି ବିଷୟରେ ଜାଣିବାର ସକ୍ଷମ ନ ହେଲେ ହେଁ କେତୋଟି ପଂକ୍ତିରୁ ସମୂହ ପତ୍ରଟି ସମ୍ବନ୍ଧରେ ଧାରଣା କରିନେବା ଭଳି ଏହି ବିଚ୍ଛିନ୍ନ–ସମ୍ପର୍କହୀନ ଘଟଣାଗୁଡ଼ିକରୁ କେତେକ ପରିମାଣରେ ଏମିଲିୟାର ମାନସଚିତ୍ର ମୁଁ ପାଇବାରେ ସକ୍ଷମ ହୋଇଥିଲି । ଆଗେ କେବଳ ଅନୁଭବ କରୁଥିଲି–ଏମିଲିୟାର ମୋ ପ୍ରତି ବ୍ୟବହାର ସାମାନ୍ୟ ପରିବର୍ତ୍ତନ ହୋଇଛି । କିନ୍ତୁ କେବେହେଲେ ତାର କାରଣ ନିର୍ଣ୍ଣୟ କରିବାର ଚେଷ୍ଟା କରି ନାହିଁ । ଆକାଶ ପରିଷ୍କାର ଥିଲେ ବି ମୌସୁମୀର ଗତି ଓ ପରିବର୍ତ୍ତନ ଦେଖି ଯେମିତି ଆସନ୍ନ ବଜ୍ରପାତ ଓ ଝଡ଼ ବୃଷ୍ଟିର ସୂଚନା ମିଳିଥାଏ ଇଏ ବି ଠିକ୍‌ତାରି ଅନୁରୂପ । ମନେହେଉଥିଲା ଏମିଲିୟା ଯେମିତି ମତେ ପୂର୍ବାପେକ୍ଷା କମ୍‌ ଭଲ ପାଉଛି, ଦୂରେଇ ଯାଉଛି ଧୀରେ ଧୀରେ । ବିବାହ ଆଗରୁ ମୋତେ ପାଇବା ପାଇଁ ଯେଉଁ ବ୍ୟାକୁଳତା, ଯେଉଁ ଉଦ୍‌ବେଗ ଥିଲା, ଆଜି ହୁଏତ ସେ ବ୍ୟାକୁଳତା ଆଉ ତାର ଅନ୍ତରରେ ନାହିଁ । ସେତେବେଳେ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେବା ମାତ୍ରକେ ତାର ନିରୀହ ଆଖି ଯୋଡ଼ିକ ଅଶ୍ରୁସଜଳ ହୋଇପଡ଼ୁଥିଲା । ଏପରି ଭାବ ସେ ପ୍ରକାଶ କରୁଥିଲା ଯେପରି ମୁଁ ବାହାରକୁ ନ ଗଲେ ସେ ବେଶି ଖୁସି । ଦିନେ ଦିନେ ଏମିତି ବି ହେଇଛି ଯେ ବାହାରକୁ ଯାଇନି ବା ଏମିଲିୟାକୁ ସାଥିରେ ନେଇଯାଇଛି । ବର୍ତ୍ତମାନ କିନ୍ତୁ ମୋର ସାନ୍ନିଧ୍ୟ ଅପେକ୍ଷା ଅନୁପସ୍ଥିତି ହିଁ ତାର ବେଶି କାମ୍ୟ, ମୁଁ ପାଖରେ ନ ଥିଲେ ଯେପରି ଶାନ୍ତି, ଶ୍ୱସ୍ତି ।

 

ଦିନ ଥିଲା ଯେତେବେଳେ ଏମିଲିୟା କହୁଥିଲା, ମୋର ଅଦର୍ଶନ ତାର ଅସହ୍ୟ । ସେତେବେଳେ ମୁଁ ଗର୍ବ ଅନୁଭବ କରୁଥିଲି । ମୋର ପୌରୁଷ ଯେମିତି ଅଧୀର ହୋଇ ପଡ଼ୁଥିଲା, ଆଉ ତାର କଷ୍ଟ ଦେଖି ମନେ ମନେ ଖୁସି ହେଉଥିଲି । ଭାବୁଥିଲି ଏହା ହେଉଛି ଏମିଲିୟାର ଗଭୀର ପ୍ରେମର ନିଦର୍ଶନ । କିନ୍ତୁ ଯେତେବେଳେ ଦେଖିଲି ମୋର ଦୀର୍ଘ ଅନୁପସ୍ଥିତିରେ ସେ ଆଉ ଉଦ୍‌ବିଗ୍ନ ହେଉ ନାହିଁ; ବରଂ ଆନନ୍ଦ ବୋଧ କରୁଛି–ସେତିକିବେଳେ ଗୋଟାଏ ଅବ୍ୟକ୍ତ ଦୁଃସହ ବେଦନା ଅନୁଭବ କରିବାକୁ ଲାଗିଲି । ପ୍ରଣୟିନୀ ବିମୁଖ ହେଲେ ମନରେ ଯେଉଁ ଆଘାତ ଲାଗେ, ସେହି କଠୋର ଆଘାତରେ ହୃଦୟ ଯେମିତି କ୍ଷତବିକ୍ଷତ ହୋଇପଡ଼ିଲା । ପାଦତଳୁ ଅତର୍କିତ ଭାବରେ ମାଟି ଯେମିତି ଅପସରି ଯାଇଛି । ତାପରେ ବିରାଟ ରସାତଳ । ଆଖି ପାଉ ନାହିଁ, କେବଳ ଅନ୍ଧକାର, ନିବିଡ଼ ଅନ୍ଧକାର ଗହ୍ୱର ।

 

ଦ୍ୱିପ୍ରହରରେ ସାଧାରଣତଃ ମୋର କାମକୁ ଯିବା କଥା, କିନ୍ତୁ ଦିନେ ଦିନେ ସକାଳରୁ ବାହାରି ଯାଉଥିଲି–କେବଳ ମୋ ପ୍ରତି ଏମିଲିୟାର ଔଦାସିନ୍ୟର ପରିମାପ କରିବା ପାଇଁ । ବୁଝିପାରୁ ନ ଥିଲି ମୋର ଅନୁପସ୍ଥିତିରେ ସେ ତୃପ୍ତି ଓ ସ୍ୱସ୍ତି ବୋଧକରୁଛି । ମନକୁମନ ସାନ୍ତ୍ୱନା ଦେଉଥିଲି–ବିବାହର ଦୁଇବର୍ଷ ପରେ ହୁଏତ ଅନୁରାଗ ଅଭ୍ୟାସରେ ପରିଣତ ହୋଇଯାଏ । ସ୍ୱାମୀ ସ୍ତ୍ରୀର ପ୍ରେମ ବିନିମୟର ପ୍ରତିଶ୍ରୁତି ଦାମ୍ପତ୍ୟ ସମ୍ପର୍କରେ କୌଣସି ଆବେଗ ରହିବାକୁ ଦିଏନା... ତଥାପି ମନେହେଉଥିଲା... ନା... ନା... ଏସବୁ ସତ ନୁହେଁ । ମୁଁ ଯେପରି ମିଛର ଗୋଟାଏ ଗୋଲକଧନ୍ଦାରେ ଘୂରୁଛି । ଏହି ପରିକ୍ରମଣର ଇତି ନାହିଁ । ଆପଣାର ଭାବନା ଯେମିତି ଅନନ୍ତ, ଅସରନ୍ତି । ତାର ଆରମ୍ଭ ବା ଶେଷ ନାହିଁ, ରହିଛି କେବଳ ଏକ ନିରବଚ୍ଛିନ୍ନ ବିସ୍ତୃତି । ଛନ୍ଦାଛନ୍ଦି ଗୋଟାଏ ସୂତାଗୁଳା । ଯେତେ ଟାଣିଲେ ସେତେ ବାହାରି ଆସୁଛି । ଆଉ ତାର ଅଗ ବା ଶେଷ ବାହାର କରିବାରେ ମୁଁ ମୋର ସମସ୍ତ ବୁଦ୍ଧି ଖର୍ଚ୍ଚକରି ଘୂରୁଛି । ଏସବୁ କେବଳ ଅନୁଭୂତି–ଚିନ୍ତାର ସ୍ପର୍ଶ ବି ଏଥିରେ ନାହିଁ । କାରଣ ଯାହା ନିଶ୍ଚିତ, ସ୍ଥିର, ସ୍ଥାବର ତା ସମ୍ବନ୍ଧରେ ଆଉ ଚିନ୍ତା ବା କ’ଣ ? ଆଲୋକର ପ୍ରକାଶରେ କାର୍ଯ୍ୟକାରଣର ସଂପର୍କ ନାହିଁ । ବୁଦ୍ଧି ବା ଚିନ୍ତା ଲଗେଇ ତା’ର ସ୍ୱରୂପ ପ୍ରମାଣ କରିବାର କୌଣସି ପ୍ରୟୋଜନ ନାହିଁ । ସିଏ ଆପେ ଯେମିତି ସ୍ୱୟଂ ପ୍ରବୃଦ୍ଧ, ସ୍ଥିର । ନିଜେ ହିଁ ନିଜର ପ୍ରମାଣ, ସବୁ କିଛି ।

 

ମୋର ଅଦର୍ଶନରେ ଏମିଲିୟା ଦୁଃଖ ଅନୁଭବ କରେ ନାହିଁ । ସେ ହୁଏତ ଭାବେ ମୋର ଅନୁପସ୍ଥିତି ଅପରିହାର୍ଯ୍ୟ... ମୋ ଉପରୁ ତାର ପ୍ରେମ, ଭଲପାଇବା କମିଯାଇଛି । ହୁଏତ ସେ ମୋତେ ମୋଟେ ଭଲପାଏନା । ଆମ ଭିତରେ ଆଉ ସେ ଅନ୍ତରଙ୍ଗତା ନାହିଁ, ଆମରି ଭଲ ପାଇବା ଭିତରେ, ପ୍ରେମ ଭିତରେ ନାହିଁ ସେହି ଆନ୍ତରିକତା, ନିଶ୍ଚୟ ଏମିତି କିଛି ଘଟିଛି ଯାହାଫଳରେ ଏମିଲିୟା ହରେଇ ଦେଇଛି ତାର ପ୍ରେମାବେଗ ଆଉ ସୃଷ୍ଟି ହୋଇଛି ଗୋଟାଏ ଅଭାବନୀୟ ପରିସ୍ଥିତିର....... ।

 

ଯେତେବେଳେ ବାତ୍ତିସତାଙ୍କ ସହିତ ମୋର ପ୍ରଥମ ସାକ୍ଷାତ ହୋଇଥିଲା, ସେତେବେଳେ ସଂପୂର୍ଣ୍ଣ ଅଚଳ ନ ହେଲେ ବି ମୋର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ଏଥିରୁ ଉଦ୍ଧାର ପାଇବାର ପଥ ଖୋଜି ପାଉ ନ ଥିଲି । ସେତେବେଳେ ନିଃସହାୟ ଭାବରେ ଦାରିଦ୍ର୍ୟର ସକଳ ନିପୀଡ଼ନକୁ ନିରବରେ ସହିନେବା ଛଡ଼ା ଅନ୍ୟ କୌଣସି ଉପାୟ ନ ଥିଲା । ...ଗୋଟାଏ ଫ୍ଳାଟ ଲିଜ ନେଇଛି । ଲିଜ୍‌ର ପୂରାଟଙ୍କା ଦେଇପାରି ନାହିଁ, କେଉଁଠୁ ଅର୍ଥ ଆସିବ ତାହା ବି ଠିକ୍‌କରିପାରି ନାହିଁ । ଦୁଇଟି ବର୍ଷ ବିତେଇ ଦେଇଛି ଭଡ଼ାଘରେ । ଏମିଲିୟା ବ୍ୟତୀତ ଅନ୍ୟ କୌଣସି ସ୍ତ୍ରୀ ହୋଇଥିଲେ ଏହି ସାମୟିକ ବ୍ୟବସ୍ଥାରେ ହୁଏତ ରାଜି ହୋଇ ନ ଥାନ୍ତା । ସ୍ୱାମୀ ପ୍ରତି ଏମିଲିୟାର ଥିଲା ଗଭୀର ପ୍ରେମ, ଅନୁରାଗ ଯାହା ଫଳରେ ସମସ୍ତ ଅଭାବ ଅସୁବିଧାକୁ ପଛକୁ ପକେଇ ସେ ମୋତେ ବିବାହ କରିବାକୁ ରାଜି ହୋଇଥିଲା । ସତରେ ଏମିଲିୟା ଥିଲା ଆଦର୍ଶ ଗୃହିଣୀ । କିନ୍ତୁ ଗୃହ ପ୍ରତି, ଆପଣାର ଏକ ସ୍ୱତନ୍ତ୍ର ନିରାପଦ ନୀଡ଼ ପ୍ରତି ଥିଲା ତାର ତୀବ୍ର ଆକର୍ଷଣ-। ତାକୁ ଯଦି କେବଳ ନାରୀ ଜାତିର ସ୍ୱଭାବଜାତ ପ୍ରବଣତା ବୋଲି ନାମିତ କରାଯାଏ ତେବେ ଭୁଲ ହେବ–ଏ ଆଗ୍ରହ ଅନେକଟା ପ୍ରାୟ କ୍ଷୁଧା ଭଳି ଦୁର୍ବାର, କାମନା ଭଳି ଉଦ୍‌ବେଳ । ଏହା କେବଳ ଏମିଲିୟାର ବ୍ୟକ୍ତିଗତ କ୍ଷୁଧା ନୁହେଁ, ବଂଶଗତ, ପାରମ୍ପରିକ, ପୁରୁଷାନୁକ୍ରମେ ପ୍ରତି ରକ୍ତ ବିନ୍ଦୁରେ ସଂକ୍ରମିତ ।

 

ଗରିବ ଘରେ ଏମିଲିୟାର ଜନ୍ମ । ମୋ ସହିତ ଯେତେବେଳେ ତାର ପରିଚୟ ହୁଏ ସେ ସେତେବେଳେ ଥିଲା ଗୋଟାଏ ବେସରକାରୀ ଫାର୍ମର ଟାଇପିଷ୍ଟ । ସମାଜରେ ଏଭଳି ଦଳେ ଲୋକ ଅଛନ୍ତି ଯେଉଁମାନେ ଉତ୍ତରାଧିକାର ସୂତ୍ରରେ ବଞ୍ଚିତ, ଛୋଟ ଗୋଟାଏ ଆଶ୍ରୟ ବା ନୀଡ଼ରଚନାର ଆକାଂକ୍ଷା ଯେଉଁମାନେ ପୁରୁଷାନୁକ୍ରମେ ପୂରଣ କରିବାରେ ଅକ୍ଷମ । ସେହିମାନଙ୍କ ଅନ୍ତରତରଳର ଗୋପନ ଅପୂର୍ଣ୍ଣ ଆଶା ଯେମିତି ସଂପୂର୍ଣ୍ଣ ଅଲକ୍ଷ୍ୟରେ ପ୍ରକାଶ ପାଇଥିଲା ଏମିଲିୟାର ସୁପ୍ତ ବାସନା ଭିତରେ । ଜାଣେନା–ବିବାହ ପରେ ତାର ସ୍ୱପ୍ନ ସଫଳ ହେବ ଏ ଦୂରାଶା ସେ କରିଥିଲା କି ନାହିଁ । ତଥାପି ମନେପଡ଼ୁଛି ଦୁହିଁଙ୍କ ଭିତରେ ବିବାହ ହେବା–ସ୍ଥିର ନିଶ୍ଚିତ ହେବାପରେ ଯେତେବେଳେ ତାକୁ ଜଣାଇଲି ଯେ ମୋର ନିଜର ଘର ନାହିଁ ଏବଂ ଆପାତତଃ ତାକୁ ଗୋଟାଏ ସଜ୍ଜିତ କକ୍ଷରେ ସନ୍ତୁଷ୍ଟ ରହିବାକୁ ପଡ଼ିବ, ସେତେବେଳେ ତାର ଦୁଇଆଖି ସଜଳ ହୋଇପଡ଼ିଥିଲା । କୌଣସି ପ୍ରକାରେ ସେ ଅଶ୍ରୁ ସମ୍ବରଣ କରିନେଲା । ଭାବିଲି–କେବଳ ସ୍ୱପ୍ନ ବିଫଳ ହେବାର ହତାଶାରେ ନୁହେଁ, ସେହି ସ୍ୱପ୍ନର ଅସଲ ରୂପ ବାସ୍ତବ ସହିତ କେତେ ବେସାମିଲ ତାହା ଦେଖି ହିଁ ଅଶ୍ରୁ ଜମିଛି ତାର ଆଖିରେ । ତଥାପି ସ୍ୱପ୍ନ ଏମିଲିୟା ନିକଟରେ ଅର୍ଥହୀନ ବା ଅଳୀକ ନୁହେଁ । ସ୍ୱପ୍ନ ଆଉ କଳ୍ପନା ଭିତରେ ସେ ଯେପରି ବଞ୍ଚି ରହିଛି !

 

ପ୍ରଥମ ଦୁଇଟି ବର୍ଷ ଆମେ ଗୋଟାଏ ସଜ୍ଜିତ କକ୍ଷରେ ବାସ କଲୁ । ଏମିଲିୟା ଯଥାସାଧ୍ୟ ଚେଷ୍ଟାକରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିଥାଏ । ଛୋଟ ଗୋଟାଏ ଘର ସୀମିତ ଆୟତନ ଭିତରେ ରହି ବି ସେ ଭାବୁଥିଲା ଯେ ନିଜର ଘରେ ରହିଛି । ନିଜର ହାତରେ ଜିନିଷପତ୍ର ସଜେଇ ରଖି ସୁକୋମଳ ଶଯ୍ୟା ରଚନା କରୁଥିଲା । ସକାଳୁ ନିଦରୁ ଉଠି ରୋଷେଇ ଘରକୁ ଯାଇ ଭୋଜନ ତିଆରି କରୁଥିଲା । ତଥାପି ତାର ଆପ୍ରାଣ ଚେଷ୍ଟା ସତ୍ୱେ ଘରଟି ଆଗଭଳି ଅପରର, ତାର ନିଜର ନୁହେଁ । ତେଣୁ ଆମ ଦୁହିଁଙ୍କ ପାଇଁ ମାୟାପୁରୀ ରଚନା କରିବାର ଇଚ୍ଛା ଏମିଲିୟାର ଅପୂରଣ ରହିଯାଏ । ମଝିରେ ମଝିରେ ଶ୍ରାନ୍ତ ନିରାଶହୋଇ ଶାନ୍ତ ଅଥଚ ସ୍ପଷ୍ଟ କଣ୍ଠରେ ଅନୁଯୋଗ କରେ–ଏ ଦୁଃସହ ଜୀବନ ଯାତ୍ରା ଆଉ କେତେଦିନ ଚାଲିବ, କୁହ ? ଜାଣୁଥିଲି ତାର ଏ ଅନୁଯୋଗ ଭିତରେ ଲୁଚି ରହିଛି ହୃଦୟର ବେଦନା । ମନେ ମନେ ସଂକଳ୍ପ କରୁଥିଲି ଯେମିତି ହେଉ ତାର ଇଚ୍ଛା ପୂର୍ଣ୍ଣ କରିବାକୁ ହେବ, ସନ୍ତୁଷ୍ଟ କରିବାକୁ ହେବ ଏମିଲିୟାକୁ ।

 

ପରିଶେଷରେ ସିଦ୍ଧାନ୍ତ କଲି ଗୋଟାଏ ଫ୍ଳାଟ୍‌ ଲିଜ୍‌ନେବି । ସେଯାଏ ନେବାର ସଂଗତି ହୋଇ ନାହିଁ । ତଥାପି ଭାବିଲି, ଏମିଲିୟା କଷ୍ଟ ପାଉଛି–ଦିନେ ନା ଦିନେ ହୁଏତ ସେ ସହ୍ୟର ସୀମା ଲଘଂନ କରିଯିବ । କିଛି ଟଙ୍କା ପାଇଥିଲି । କିଛି ଧାର କରି ପ୍ରଥମ କିସ୍ତି ପରିଶୋଧ କଲି । ପ୍ରିୟତମା ପତ୍ନୀ ପାଇଁ ଆପଣାର ନୀଡ଼ ରଚନା କରି ପୁରୁଷ ଯେଉଁ ତୃପ୍ତି ପାଏ ସେ ତୃପ୍ତି ମୁଁ ପାଇ ପାରିଲି ନାହିଁ । ପକ୍ଷାନ୍ତରେ, କେତୋଟି ମାସ ପରେ ଦ୍ୱିତୀୟ କିସ୍ତିର ଟଙ୍କା ପରିଶୋଧ କରିବା ଚିନ୍ତାରେ ମନ ଅଧୀର ହୋଇଉଠିଲା । କେବଳ ଏମିଲିୟା ପାଇଁ ଅବିବେକୀ ଭଳି ଏମିତି ଗୋଟାଏ କାମ କରିବାକୁ ବାଧ୍ୟ ହୋଇଛି । ତେଣୁ ତା ଉପରେ ବିତୃଷ୍ଣା ଆସିଲା ।

 

ଯାହାହେଉ ଏମିଲିୟାକୁ ଜଣାଇଲି–ସବୁ ଠିକ୍‌ ହୋଇଯାଇଛି... । ନୂତନ ଫ୍ଳାଟରେ ଗୃହ ପ୍ରବେଶ ଦିନ ଏମିଲିୟାର ଆବେଗ ଦେଖି ନିଜର ଚିନ୍ତା କେତେଦିନ ପାଇଁ ଭୁଲିଗଲି । ...କହିଛି ଏମିଲିୟାର ମନରେ ଥିଲା ଗୃହ ରଚନାର ଦୁର୍ବାର ଆକାଂକ୍ଷା । ମୋର ହୃଦୟ ତନ୍ତ୍ରୀରେ ଧ୍ୱନିତ ହେଲା ସେହି ସୁର । ମନେହେଲା ଏହି ଫ୍ଳାଟ୍‌ଟି ଯୋଗାଡ଼ କରି ଏମିଲିୟାର ଆଖିରେ ପ୍ରିୟତର ହୋଇଉଠିଛି । ଦୈହିକ ସଂପର୍କରେ ଆହୁରି ପାଖେଇ ଆସିଛି । ଆହୁରି ଅନ୍ତରଙ୍ଗ ହୋଇପଡ଼ିଛି-

 

ଦୁହେଁ ମିଶି ଫ୍ଳାଟ୍‌ଟା ଦେଖିବାକୁ ଗଲୁ । ନିର୍ଜ୍ଜନ ସନ୍ତସନ୍ତିଆ ଘରଗୁଡ଼ିକ ବୁଲି ବୁଲି ଦେଖିଲା ଏମିଲିୟା । କେଉଁ ଘରଟି କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ, କେଉଁ ଘର କେମିତି ସଜାଯିବ ତାକୁ କହିଲି । ଘର ଦେଖା ଶେଷ ହେଲା । ଝରକା ଖୋଲି ବାହାରର ଦୃଶ୍ୟ ଦେଖିବା ପାଇଁ ଆଗେଇ ଯାଉଥିଲି । ମୋ ଦେହରେ ତା ଦେହର ସମ୍ପୂର୍ଣ୍ଣ ଭାର ଥୋଇ ଦେଇ ଏମିଲିୟା ତୁନି ତୁନି କହିଲା, ଗୋଟାଏ ଚୁମା ଦିଅନା ପ୍ରିୟ । ...ପ୍ରେମ ନିବେଦନ କରିବାରେ ସେ ସଦା ସର୍ବଦା ଓ ଲଜ୍ଜାଶୀଳା । ତାର ଏହି ଅପ୍ରତ୍ୟାଶିତ ଅଭିନବ ଆଚରଣ ଓ କଣ୍ଠସ୍ୱରରେ ଉତ୍ତେଜିତ ହୋଇ ତାକୁ ଚୁମ୍ବନ କଲି । ସେ ମୋତେ ତାର ଦୁଇବାହୁରେ ଚାପି ଧରି ଆହୁରି ନିକଟକୁ ଚାଲି ଆସିଲା । ସେମିଜ୍‌ ଆଉ ବ୍ଳାଉଜ ବୋତାମ ଖୋଲି ତାର ସମଗ୍ର ଦେହଟି ମୋର ଦେହ ଉପରେ ଥୋଇଦେଲା-। ତାର ପରିପୁଷ୍ଟ ସ୍ତନ, ଶ୍ୱେତମର୍ମର ଜାନୁ ଆଉ ନାଭିମଣ୍ଡଳ ମୋର ସମଗ୍ର ଶରୀରରେ ସୃଷ୍ଟିକଲା ବାଡ଼ବାଗ୍ନିର ଦହନ । ଚୁମ୍ବନ ପର୍ବ ଶେଷ ହେବା ପରେ ଅସ୍ପଷ୍ଟ ନିଶ୍ୱାସ ଭଳି ସ୍ୱଚ୍ଛ ଅଥଚ ସୁଶ୍ରାବ୍ୟ କଣ୍ଠରେ ସେ ଯେମିତି ମୋତେ କହିଲା–ହୁଏତ ସେଭଳି ମୋର ମନେହେଲା, ଆସ ।

 

ଏମିଲିୟାର ଉତ୍ତପ୍ତ ଦେହ ଭାରାରେ ମୁଁ ଚଟାଣ ଉପରେ ପଡ଼ିଯାଇଥିଲି ।

 

ମାଟିରେ, ଧୂଳିମଳିର ସ୍ତୁପୀକୃତ ଆବର୍ଜ୍ଜନା ଉପରେ, ଯେଉଁ ଝରକାଟି ଖୋଲିବାକୁ ଯାଉଥିଲି ଠିକ୍‌ ତାରି ତଳେ ଚାଲିଲା ଆମରି ପ୍ରେମଲୀଳା । ନଗ୍ନ ସୁପୁଷ୍ଟ ସ୍ତନର ବାରମ୍ବାର ଚାପ ଦେଉଥିଲା ଏମିଲିୟା ମୋର ବଳିଷ୍ଠ ପେଶିରେ । ଅତୃପ୍ତା, ଅଭିଶପ୍ତା କିନ୍ନରୀର ରତିର ଲାଳସା ଯେମିତି ଅସୀମ । ସେ ଚାହେଁ ଉଷ୍ମ ଆଶ୍ଳେଷ, କୁଣ୍ଠାହୀନ, ଅନ୍ତହୀନ ରତି । ତାର ସ୍ୱର୍ଣ୍ଣକାନ୍ତି ସେହି ମୁହୂର୍ତ୍ତରେ କାମନାକୁଟିଳ ହୋଇପଡ଼ିଲା । ଅପରିସୀମ ତୃପ୍ତିରେ ସେ ମୁଦିଛି ତାର ଚକ୍ଷୁ, ଶିଥିଳ ନୀବିବନ୍ଧନକୁ ସଜାଡ଼ି ନେବାରେ କୌଣସି ପ୍ରୟୋଜନ ସେ ମନେକରି ନାହିଁ । ମୋ ଆଗରେ ପଡ଼ିରହିଛି ଉଲଙ୍ଗ ପ୍ରିୟଦର୍ଶିନୀ ଆସଙ୍ଗଲୋଭୀ ଏମିଲିୟା ରମଣକ୍ଳାନ୍ତ, ତୃପ୍ତ ।

 

ଏମିଲିୟାର ଅସଂଯତ ଅନଭ୍ୟସ୍ତ ଆଲିଙ୍ଗନ ଆକୁଳତା ଭିତରେ ମୁଁ ଅନୁଭବ କଲି ମୋ ପ୍ରତି ତାର ପ୍ରେମର ଗଭୀରତା । ବୁଝିପାରିଲି ତାର ଆକସ୍ମିକ କାମାବେଗ ଭିତରେ ସ୍ୱତଃସ୍ଫୁର୍ତ୍ତ ଭାବରେ ଆତ୍ମପ୍ରକାଶ କରିଛି ଗୋଟାଏ ନିରାପଦ ଆଶ୍ରୟ ସ୍ଥାପନ ପାଇଁ ଅନ୍ତରର ସ୍ୱପ୍ନବାସନା । ଧୂଳିଧୂସର ମଳିନ ଚଟାଣରେ, ନିର୍ଜ୍ଜନ ଗୃହର ଅନ୍ଧକାରରେ ସେହି ନିବିଡ଼ ଆଲିଙ୍ଗନ ଭିତରେ ସେ ଦେହଦାନ କରିଛି ତାର ଗୃହଦାତାକୁ, ସ୍ୱାମୀକୁ ନୁହେଁ । ଫାଙ୍କା ଘରଗୁଡ଼ିକର ରଙ୍ଗ ଆଉ ଚୂନର ଗନ୍ଧରେ ରୋମାଞ୍ଚ ଜାଗିଥିଲା ତାର ଦେହରେ, ପୁଲକ ପ୍ରବାହ ଛୁଟିଥିଲା ତାର ଅନ୍ତରର ଅନ୍ତସ୍ଥଳରେ । ଆଦର, ଅନୁରାଗ ସୋହାଗ ଓ ପ୍ରେମରେ ତାର ଦେହରେ ଆଉ ଏହି ବଣ୍ୟ ଉତ୍ତେଜନା ଓ ରମଣ ଇଚ୍ଛା ଜାଗ୍ରତ କରିବା ସମ୍ଭବ ନୁହେଁ ।

 

ନୂତନ ଗୃହ ପ୍ରବେଶ ପରେ ଦୁଇମାସ କଟିଯାଇଛି । ଏମିଲିୟାର ନାମରେ ହିଁ ଚୁକ୍ତିପତ୍ର ସମ୍ପାଦନ କରିଛି । ତାର କାରଣ–ମୁଁ ଜାଣେ ସେଇୟା ହିଁ ତାର ଇଚ୍ଛା । ମୋର ଆୟ ସୀମାବଦ୍ଧ ହେଲେହେଁ ଛୋଟ ରକମର ଗୋଟାଏ ଦୁଇଟି ଆସବାବପତ୍ର କିଣା ହୋଇ ଆସିଛି । ପ୍ରଥମ ଆବେଗ କଟିଯାଇଛି । ଭବିଷ୍ୟତ ସମ୍ବନ୍ଧରେ ମନରେ ଜାଗିଛି ଚିନ୍ତା । ଭଦ୍ର ଭାବରେ ଚଳପ୍ରଚଳ ହେବା ଭଳି ଆୟ କରୁଛି, ଏଳଭିକି ଇଚ୍ଛା କଲେ କିଛି କିଛି ସଞ୍ଚୟ ବି କରାଯାଇପାରିବ । କିନ୍ତୁ ସେହି ସଞ୍ଚୟ ଟଙ୍କାରୁ ଫ୍ଳାଟର କିସ୍ତି ପରିଶୋଧ କରିବା ସମ୍ଭବ ନୁହେଁ । ସବୁଠୁ ମୁସ୍‌କିଲ ଏହି ଯେ ଏମିଲିୟାକୁ ଜଣାଇବାର ଉପାୟ ନାହିଁ । କାରଣ ତାର ମନର ଆନନ୍ଦଟିକ କାଢ଼ିନେବା ଘୋର ଅବିଚାର ହେବ । ତଥାପି ସେ ସମୟରୁ ଏମିଲିୟା ପ୍ରତି ମୋର ପ୍ରେମର ତୀବ୍ରତା କମିଯାଉଥାଏ । ଏମିଲିୟା ମୋର ଅବସ୍ଥା ସମ୍ବନ୍ଧରେ ସଚେତନ ହେଲେ ହେଁ ମୋର ଦୁଃଶ୍ଚିନ୍ତାରେ ମୋଟେ ମୁଣ୍ଡ ପୂରାଏ ନାହିଁ । ମୋ ମନର ଅଶାନ୍ତି ଓ ଉଦ୍‌ବେଗ ପ୍ରତି ଯେମିତି ତାର ମୋଟେ ଖିଆଲ ହିଁ ନାହିଁ । ମୁଁ ବିବ୍ରତ ବିପନ୍ନ, ଚିନ୍ତାଗ୍ରସ୍ତ–ଅଥଚ ସେ ନିର୍ଲିପ୍ତ ନିର୍ବିକାର । ଏହା ତାର ସ୍ୱାର୍ଥପରତା..... ହୁଏତ ତାର ଅବିବେକିତା...... ।

 

ମାନସ ପଟରେ ନିଜର ଯେଉଁ ମୂର୍ତ୍ତି ଅଙ୍କନ କରିଥିଲି ତାର ରୂପ ବଦଳିଗଲା ଦୁର୍ଭାବନାରେ । ମନରେ ଭାବୁଥିଲି, ମୁଁ ଜଣେ ସଂସ୍କୃତିବାନ, ରୁଚିଶୀଳ, ବିଚକ୍ଷଣ ବିଦ୍ୱାନ ବ୍ୟକ୍ତି; ନାଟକ ରଚନା ଦିଗରେ ହିଁ ମୋର ଆଗ୍ରହ ବେଶି । ମନର ସେହି ଛବିଟି ଦେହରେ ବି ପ୍ରତିଫଳିତ ହୋଇଥିଲା । ଭାବୁଥିଲି ମୁଁ ତରୁଣ । ରୁଗ୍‌ଣ ପାତଳା ଚେହେରା, ଦୃଷ୍ଟି ଶକ୍ତିର କ୍ଷୀଣତା, ମାନସିକ ଚାପଲ୍ୟ, ମଇଳା ପୋଷାକପତ୍ର ଏ ଉଦାସୀନତା ଯେମିତି ମୋର ଭବିଷ୍ୟତ ସାହିତ୍ୟିକ ଜୀବନର ଗୌରବ । କିନ୍ତୁ ସେ ଦିନର ନିର୍ମମ ଚିନ୍ତାକ୍ଳିଷ୍ଟ ଅବସ୍ଥାରେ ସେହି ସମ୍ମୋହନ ମୂର୍ତ୍ତିଟି ଆଉ ଦେଖିବାକୁ ପାଇଲି ନାହିଁ । ଦେଖିଲି ଗୋଟିଏ ନିଃସ୍ୱ ସଇତାନର ଜାଲରେ ପଡ଼ିଛି । ପତ୍ନୀର ପ୍ରେମକୁ ଉପେକ୍ଷା କରି ନ ପାରି ନିଜକୁ ଯେମିତି ହଜେଇ ଦେଇଛି । ମର୍ମନ୍ତୁଦ ବେଦନା ସହିତ ଆଉ କେତେଦିନ ସଂଗ୍ରାମ କରିବାକୁ ପଡ଼ିବ–କିଏ ଜାଣେ ?

 

ଦୈହିକ ରୂପାନ୍ତର ବି ଲକ୍ଷ୍ୟ କଲି । ଜଣେ ଦରିଦ୍ର ସାମ୍ବାଦିକ, ଶସ୍ତା ଦ୍ୱିତୀୟ ଶ୍ରେଣୀ ସାମୟିକ ପତ୍ରର ଚିତ୍ର ସମାଲୋଚକ ହୁଏତ କୌଣସି ସରକାରୀ ବା ବ୍ୟବସାୟ ପ୍ରତିଷ୍ଠାନରେ ସାଧାରଣ ଜଣେ କିରାଣୀ, ଯିଏ ତାର ପତ୍ନୀକୁ ଖୁସି ରଖିବା ପାଇଁ ନିଜର ଦୁର୍ଭାବନା ତା ପାଖରେ ପ୍ରକାଶ ନ କରି–ଅର୍ଥର ସନ୍ଧାନରେ ସହରର ଆଦ୍ୟପ୍ରାନ୍ତ ଘୂରିବୁଲେ । ଦେ’ଣାର ଦୁଃଶ୍ଚିନ୍ତାରେ ରାତିରେ ଭଲଭାବରେ ଶୋଇପାରେନା । ଆଖିରେ ଟଙ୍କା ଛଡ଼ା ଆଉ କିଛି ଦେଖାଯାଏନା । ସ୍ୱପ୍ନେ, ଜାଗରଣେ ଅର୍ଥ ବ୍ୟତୀତ ଆଉ କୌଣସି ଭାବନା ନାହିଁ । ଟଙ୍କା ଛଡ଼ା ପୃଥିବୀରେ ଯେମିତି ଆଉ ଦ୍ୱିତୀୟ ବସ୍ତୁ ନାହିଁ ।

 

ବଡ଼ କରୁଣ ଏ ମୂର୍ତ୍ତି–ବଡ଼ ବେଦନାଦାୟକ ଏହି ଚିନ୍ତା–ବିବର୍ଣ୍ଣ, ମଳିନ, ମର୍ଯ୍ୟାଦାହୀନ । ଏହା କେବଳ ଜଣେ ହତଭାଗ୍ୟ ସାହିତ୍ୟିକ ଜୀବନର ମାମୁଲି ଚିତ୍ର–ଅତି ସାଧାରଣ ।

 

ଘୃଣାରେ ଅନ୍ତର ଭରି ଉଠିଲା । କାଳକ୍ରମେ ମୋର ସବୁ ନଷ୍ଟ ହୋଇଯିବ । ଏହା କ’ଣ ହେବ ମୋର ଶେଷ ପରିଣତି ? ତେବେ ହଁ ଗୋଟାଏ କଥା–ମୋର ପରିଣିତା ପତ୍ନୀ, ଭଗବାନଙ୍କୁ ସାକ୍ଷୀ ରଖି ଯାହାର ହାତ ଧରିଛି ସେ ଧାରଣା ବି କରିପାରେ ନାହିଁ ଯେ ସେ ମୋର ଅଭିରୁଚି, ଉଚ୍ଚାକାଂକ୍ଷା, ସୁଖ ଦୁଃଖର ସମଭାଗିନୀ ହୋଇପାରୁ ନାହିଁ । ଏମିଲିୟା ଅସାଧାରଣ ସୁନ୍ଦରୀ, ଶିକ୍ଷିତା ଟାଇପିଷ୍ଟ । ତାହାରି ରକ୍ତ ସ୍ରୋତରେ ହୁଏତ ରହିଛି ଶ୍ରେଣୀଗତ ସଂସ୍କାର ଓ ଉଚ୍ଚାଭିଳାଷ । ସେ ଯଦି ମୋତେ ଠିକ୍‌ ବୁଝିପାରନ୍ତା–ତାହାହେଲେ ନାଟ୍ୟକାର ଭାବରେ ସାଫଲ୍ୟର ମୁଁ ଦରିଦ୍ରଭାବେ କୌଣସି ଷ୍ଟୁଡ଼ିଓରେ କିମ୍ବା ସୁସଜ୍ଜିତ କକ୍ଷରେ ବିଶୃଙ୍ଖଳ କଷ୍ଟକର ଜୀବନ ଯାପନର ବେଦନା ଅମ୍ଳାନ ବଦନରେ ବରଣ କରିନେବାର କୁଣ୍ଠା ପ୍ରକାଶ କରନ୍ତି ନାହିଁ । କିନ୍ତୁ ମୋର ସ୍ତ୍ରୀ ଚାହେଁ ତାର ନିଜସ୍ୱ ଗୋଟାଏ ଗୃହ । ତାହାରି ପାଇଁ ଗୃହ ନିର୍ମାଣ କରିବାକୁ ହେବ–ରଚନା କରିବାକୁ ହେବ ନୀଡ଼ । ହତାଶାର ମେଘ ସମଗ୍ର ମନକୁ ଆଚ୍ଛନ୍ନ କରି ପକେଇଲା । ହୁଏତ ତାହାରି ପାଇଁ ମୋର ସାହିତ୍ୟିକ ହେବାର ଆଶା ତ୍ୟାଗ କରିବାକୁ ପଡ଼ିବ । ସେଥିପାଇଁ ମୋର ବେଦନା ଓ ଅସହାୟତାର ମାତ୍ରା ଆହୁରି ବଢ଼ିଗଲା । ଅନୁଭବ କରି ଅଗ୍ନି ଶିଖାରେ ଲୁହାକୁ ପୋଡ଼ି ଯେମିତି ନରମ କରାଯାଏ ଠିକ୍‌ ସେହିଭଳି ଦୁଃଖର ଦହନରେ ମୋର ଅନ୍ତର କୋମଳ ଓ ଅବନମିତ ହୋଇ ପଡ଼ିଛି । ଧନୀ, ଅଭିଜାତ ଗୋଷ୍ଠୀର ମଣିଷ ଯିଏ ଏଭଳି ଦୁଃଖ ଭୋଗ କରନ୍ତି ନାହିଁ ସେମାନଙ୍କ ପ୍ରତି ମନରେ ଈର୍ଷା ହେଲା । ଅନିଚ୍ଛାସତ୍ତ୍ୱେ ଏହି ଈର୍ଷାର ଭାବ ବ୍ୟକ୍ତି ଓ ଅବସ୍ଥା ବିଶେଷର ସୀମା ଡେଇଁ ପଡ଼ିଲା । ଦାରିଦ୍ର୍ୟ ପ୍ରତି ମୋର ବିଦ୍ୱେଷ ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହର ରୂପ ନେଲା । ଏ ବିଦ୍ରୋହ କେବଳ ମୋର ଦେହ, ମୋର ମନ, ମୋର ଆତ୍ମା ଉପରେ, ଅନ୍ୟାୟ ବିରୁଦ୍ଧରେ ନୁହେଁ । ଯେଉଁମାନେ ମୋ ଭଳି ଅନର୍ଥକ କଷ୍ଟ ପାଉଛନ୍ତି ସେ ସମସ୍ତଙ୍କ ପ୍ରତି ହେଉଥିବା ଅବିଚାରର ପ୍ରତିବାଦ ।

 

ଏକମାତ୍ର ଏକ୍ଷ୍ୟ ରଖି ମୋର ମନର ଚିନ୍ତା ବରାବର ଗୋଟାଏ ପଥ ଅନୁସରଣ କରୁଥିଲା । ତେଣୁ ମୋର ଅନ୍ତର ତଳର ଘୃଣା, କଳ୍ପନା ଓ ମନର ଅଦୃଶ୍ୟ ରୂପାନ୍ତର ସମ୍ବନ୍ଧରେ ସଂପୂର୍ଣ୍ଣ ସଚେତନ ଥିଲି । ଅନୁଭବ କଲି ଯେଉଁ ରାଜନୈତିକ ଦଳ ସମାଜରୁ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ପ୍ରାଣପାତ ସଂଗ୍ରାମ କରୁଛନ୍ତି, ସେମାନଙ୍କ ପ୍ରତି ମୋର ମନ ସମବେଦନା ଜ୍ଞାପନ କରୁଛି । ହୁଏତ ମୋର ଦୁଖଃ କଷ୍ଟ ପାଇଁ ଦାୟୀ ସମାଜ । ଏହି ସମାଜ ତାର ସୁଯୋଗ୍ୟ ସନ୍ତାନମାନଙ୍କୁ ପଙ୍ଗୁକରି ରଖିଛି, ଆଉ ପୋଷଣ କରୁଛି ଯେତେ ଅଯୋଗ୍ୟମାନଙ୍କୁ । ସାଧାରଣତଃ ଯେଉଁମାନେ ଅପେକ୍ଷାକୃତ ମୁଷ୍ଟିମେୟ, ସଭ୍ୟ ଓ ସରଳ–ସେମାନେ ଏକଥା ଜାଣନ୍ତି ନାହିଁ । ଗହନ ଚେତନା ଭିତରେ ଏକ ରହସ୍ୟମୟ ରାସାୟନିକ ରୂପାନ୍ତରର ଫଳସ୍ୱରୂପ ଅର୍ଥନୀତି ନିଏ ପରୋପକାରର ରୂପ, ଘୃଣା ପ୍ରେମ ହୋଇ ଫୁଟିଉଠେ; ଆଶଙ୍କା ପରିଣତ ହୁଏ ଦୁର୍ଜ୍ଜୟ ସାହସରେ । ମୁଁ ମୋର ନିଜ ଉପରେ ଦୃଷ୍ଟି ରଖିଥିଲି, ପରୀକ୍ଷା କରୁଥିଲି ନିଜକୁ । ତେଣୁ ସବୁ ବିଷୟ ସ୍ପଷ୍ଟ ଦୃଷ୍ଟିରେ ଦେଖିପାରୁଥିଲି । ମୁଁ ଯେମିତି ଅପର ବ୍ୟକ୍ତିକୁ ଦେଖୁଛି, ନିଜକୁ ନୁହେଁ । ତଥାପି ଜାଣୁଥିଲି ଯେ ଜନତାର ସ୍ୱାର୍ଥ ସହିତ ନିଜର ସ୍ୱାର୍ଥକୁ ଜଡ଼ିତ କରୁଛି । ଯୁଦ୍ଧୋତ୍ତର ଯୁଗରେ ମୁଁ ମଧ୍ୟ କୌଣସି ରାଜନୈତିକ ଦଳର ସଦସ୍ୟ ହେବାର ଆଶା ପୋଷଣ କରି ନ ଥିଲି । ମୋର ମନଟା ହିଁ ଥିଲା ସଂପୂର୍ଣ୍ଣ ଭିନ୍ନ । ତେଣୁ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ପାଇଁ ରାଜନୀତିରେ ଅଂଶଗ୍ରହଣ କରିପାରି ନାହିଁ, କୌଣସି ରାଜନୈତିକ ଶିବିରରେ ପାଦ ଦେଇ ନାହିଁ । କିନ୍ତୁ ଏ କ’ଣ ? ମୋର ଚିନ୍ତାଧାରା, କଥାବାର୍ତ୍ତା ଆଉ ଆଚରଣ ଧୀରେ ଧୀରେ ପରିବର୍ତ୍ତନ ହୋଇଯାଉଛି, ଭାସିଯାଉଛି, ଭାସିଯାଉଛି ବ୍ୟକ୍ତିଗତ ସ୍ୱାର୍ଥର ସ୍ରୋତରେ । ତେଣୁ ବିରକ୍ତ ହୋଇପଡ଼ିଲି ସାଧାରଣ ମଣିଷଠାରୁ ମୋର କ’ଣ କୌଣସି ପାର୍ଥକ୍ୟ ନାହିଁ, ସ୍ୱାତନ୍ତ୍ର୍ୟ ନାହିଁ ? ମଣିଷ ଜୀବନର ନବଜନ୍ମର ସ୍ୱପ୍ନ ଦେଖିବାକୁ ହେଲେ କ’ଣ ବିତ୍ତହୀନ ହେବା ଏକାନ୍ତ ପ୍ରୟୋଜନ ?

 

ମୋର ଜଣେ ବନ୍ଧୁ କେତେ ଦିନ ଧରି ମୋ ପଛରେ ଘୂରା ଫେରା କରୁଥିଲେ । କୌଣସି ଏକ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ସେ ମୋ ମନରେ ବିଶ୍ୱାସ ଜନ୍ମେଇଲେ । ମୁଁ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଗଲି । ପରମୁହୂର୍ତ୍ତରେ ବୁଝିପାରିଲି ତରୁଣ ଅଖ୍ୟାତ ପ୍ରତିଭାଧାରୀର ଯୋଗ୍ୟ କାର୍ଯ୍ୟ ମୁଁ କରି ନାହିଁ, ଦରିଦ୍ର ବୁଭୁକ୍ଷୁ ସାମ୍ବାଦିକ କିମ୍ବା ମସୀଜୀବୀ ଭଳି କାମ କରିଛି ।

 

ଯେଉଁମାନେ ପ୍ରତିଭାର ଧାର ଧାରନ୍ତି ନାହିଁ, ସେହିମାନେ ହିଁ ଗଢ଼ିଛନ୍ତି ପାର୍ଟି, ସଂଘ, ଦଳ ସବୁକିଛି, ଆଉ କେତେକ ଶ୍ରମକାତର ମଲାଙ୍ଗ ଏମାନଙ୍କୁ ନେଇ ବ୍ୟବସାୟ ଚଳାନ୍ତି । ଏମାନଙ୍କ ମୁଣ୍ଡ ଉପରେ ଗୋଡ଼ ଦେଇ ସୋମନେ ବୋଲାନ୍ତି ନେତା, ମନ୍ତ୍ରୀ, ଦେଶଭକ୍ତ, ଲୋକତନ୍ତ୍ରର ସ୍ୱାଧୀନ ପ୍ରତିନିଧି ।

 

କିନ୍ତୁ ଗଲାକଥା ଶୋଚନା କରି ଲାଭ ନାହିଁ । ଯାହା ହେବାର ହୋଇଯାଇଛି । ଥରେ ପାର୍ଟିରେ ଯୋଗଦେଲେ ଆଉ ବାହାରି ଆସିବା ମୁସ୍କିଲ ।

 

ଏ ସମ୍ବାଦ ଶୁଣି ଏମିଲିୟା କହିଥିଲା ଏଥର କେବଳ କମ୍ୟୁନିଷ୍ଟମାନେ ତୁମର କାମରେ ଆସିବେ ଆଉ ସମସ୍ତେ ବୟକଟ କରିବେ । ତାକୁ କହିବା ପାଇଁ ଇଚ୍ଛା ହେଲା, ତୁମକୁ ଖୁସି କରିବା ପାଇଁ ଫାଟଟା ନେଇ ନ ଥିଲେ ଆଜି ବୋଧହୁଏ କମ୍ୟୁନିଷ୍ଟ ହେବାକୁ ପଡ଼ି ନ ଥାନ୍ତା ।

 

କିନ୍ତୁ ସାହସ କରି କିଛି କହିପାରିଲି ନାହିଁ ।

 

ସେଇଠି ଘଟଣାଟିର ଇତି ହେଲା ।

 

ଆମେ ନୂଆ ଘରକୁ ଉଠିଗଲୁ । ତା ଆରଦିନ ଦୈବକ୍ରମେ ବାତ୍ତିସତାଙ୍କ ସହିତ ଦେଖାହେଲା । ସେ ମୋତେ ଗୋଟାଏ ଚିତ୍ର ସମ୍ପାଦନା ପାଇଁ ଆହ୍ୱାନ କଲେ । ମନଟା ଟିକିଏ ଶାନ୍ତ ହେଲା । ଦୀର୍ଘ ଦିନ ପରେ ଆନନ୍ଦିତ ହେଲି । ଭାବିଲି ଚାରି ପାଞ୍ଚୋଟି ଚିତ୍ରନାଟ୍ୟ ଲେଖି ୠଣ ପରିଶୋଧ କରି ନିଶ୍ଚିନ୍ତ ହେବି । ତାପରେ ସାମ୍ବାଦିକତା କରିବି, ଯୋଗସୂତ୍ର ସ୍ଥାପନ କରିବି ରଙ୍ଗମଞ୍ଚ ସହିତ ।

 

ଏହି ଅବସରରେ ଏମିଲିୟା ଉପରେ ମୋର ପ୍ରେମ ଆହୁରି ନିବିଡ଼ ହୋଇଉଠିଲା । ଭାବିଥିଲି ସେ ସ୍ୱାର୍ଥପର, ନିର୍ଲଜ; ତେଣୁ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲି । କିନ୍ତୁ ବେଶିଦିନ ସ୍ଥାୟୀ ହୋଇ ରହିଲା ନାହିଁ ଏ ଅବସ୍ଥା । ମନର ଆକାଶ ଉପରେ ଛାଇଗଲା ଖଣ୍ଡେ ପତଳା ମେଘ–ଗାଢ଼ କୃଷ୍ଣବର୍ଣ୍ଣ । ସମସ୍ତ ପାପ, ମଳିନତା ଆଉ କଳଙ୍କର ପ୍ରତିମୂର୍ତ୍ତି, ସମସ୍ତ ଅଶୁଭର ପ୍ରତୀକ ଗୋଟାଏ କୃଷ୍ଣବର୍ଣ୍ଣ ମେଘ ।

 

ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ମୋର ଦେଖା ହୋଇଥିଲା ବାତ୍ତିସତାଙ୍କ ସହିତ-। ଆମେ ଠିକ୍‌ତାର ଆଗଦିନ ନୂଆ ଫ୍ଳାଟକୁ ଆସିଥାଉ । କୋଠରୀଗୁଡ଼ିକ ସାଧ୍ୟମତେ ସଜାଇଥାଉ-। ଘରଟା ଏତେ ବଡ଼ ବା ସୁଦୃଶ୍ୟ ନୁହେଁ । ଦୁଇଟି ମାତ୍ର ରୁମ୍ ଗୋଟାଏ ବଡ଼, ଆଉ ଗୋଟାକ ଚଳନୀୟ । ବାଥ୍‌ରୁମ, ରୋଷେଇଶାଳ ଆଉ ଚାକର ବାକରଙ୍କ ରହିବା ଘର ଆଧୁନିକ ଫ୍ଳାଟ ଭଳି ଘୁବ୍ ଛୋଟ । ତାଛଡ଼ା ଛୋଟ ବାକ୍‍ସ ଭଳି ଅଳ୍ପ ଖାଲି ଜାଗା । ସେହି ସ୍ଥାନଟିକି ଏମିଲିୟା ତାର ପ୍ରସାଧନ କକ୍ଷ କରିବା ପାଇଁ ଠିକ୍ କରିଥାଏ । ଅପରିସର ରାସ୍ତା ଉପରେ ତିଆରି ଗୋଟାଏ ନୂତନ କୋଠାର ଦୁଇ ତାଲାରେ ଆମର ଫ୍ଳାଟଟି, ବେଶ ପରିଚ୍ଛନ୍ନ । ଘର ସାମନାରେ ଗୋଟାଏ ଛାୟାଘନ ଉଦ୍ୟାନ । ଭିତରେ ସର୍ପିଳ ପଥ, ରଙ୍ଗ ବେରଙ୍ଗ ଫୁଲରେ ସଜ୍ଜିତ ରୁଚିପୂର୍ଣ୍ଣ କୁଞ୍ଜ । ଫୁଲ ଉପରେ ଅସଂଖ୍ୟ ମହୁମାଛିର ଗୁଞ୍ଜରଣ । ମଝିରେ ମଝିରେ ଖାଲି ଜାଗା–ଘାସର ଲନ୍‌, ଛୋଟ ଛୋଟ ଘାସଫୁଲ । ଆଗରେ କୌଣସି ରାସ୍ତା ନାହିଁ, ଘରଟିକୁ ଲାଗି କୌଣସି ପ୍ରାଚୀର ନାହିଁ । ମନଖୁସିରେ ତଳକୁ ଓହ୍ଳେଇ ବଗିଚା ଭିତରେ ବୁଲି ଆସି ହେବ ।

 

ଦ୍ୱିପ୍ରହରରେ ଆସିଥିଲୁ । ସମଗ୍ର ଦିନଟିଯାକ ବ୍ୟସ୍ତତା ଭିତରେ କଟିଯାଇଥାଏ–ଆମେ ସେଦିନ କେଉଁଠି ଖାଇଥିଲୁ ବା ଆମ ସାଥିରେ କେହି ଥିଲା କି ନାହିଁ ମନେ ନାହିଁ । କେବଳ ମନେପଡ଼ୁଛି–ରାତ୍ରିରେ ଶୟନ କକ୍ଷର ମଝିରେ ଥିବା ଲାଇଫ୍‌ସାଇଜ ଦର୍ପଣଟା ଆପରେ ଠିଆ ହୋଇ ନେକ୍‌ଟାଇ ଖୋଲୁଛି, ହଠାତ୍‌ ଦର୍ପଣ ଭିତରେ ଦେଖିବାକୁ ପାଇଲି ଏମିଲିୟାର ଛାୟା । ଗୋଟାଏ ତକିଆ ନେଇ ସେ ପାଖ ରୁମ୍‌କୁ ଯାଉଛି । ଅବାକ୍‌ ହୋଇ ପ୍ରଶ୍ନ କଲି, ଇୟେ କ’ଣ କରୁଛୁ ଏମିଲିୟା ? ନିଶ୍ଚଳ ଭାବରେ ଠିଆ ହୋଇ ଏତକ ଏକା ନିଶ୍ୱାସରେ କହି ପକେଇଲି । ଦରଜା ପର୍ଯ୍ୟନ୍ତ ଯାଇ ଫେରି ଆସିଲା ଏମିଲିୟା । କହିଲା, ମୁଁ ଆର ରୁମଟାରେ ଶୋଇଲେ ତୁମର କୌଣସି ଆପତ୍ତି ନାହିଁ ତ ?

 

ତାର ପ୍ରଶ୍ନରେ ଅବାକ୍‌ ହୋଇପଡ଼ିଲି । କୌଣସି ଚିନ୍ତା ନ କରି କହିଲି–ଆଜି ରାତିଟା କଥା କହୁଛ ତ ?

 

ନା–ପ୍ରତ୍ୟହ । ଏମିଲିୟା କହିଲା, ବିଶ୍ୱାସ କର ଏଇଥିପାଇଁ ମୁଁ ନୂଆ ଘରଟିଏ ଖୋଜୁଥିଲି । ଝରକାଗୁଡ଼ିକ ଖୋଲାରଖି ମୁଁ ତୁମଭଳି ନିଶ୍ଚିନ୍ତରେ ଶୋଇପାରେନା । କୁକୁଡ଼ାର ଡାକ ଶୁଣିବା ମାତ୍ରକେ ନିଦ ଭାଙ୍ଗିଯାଏ–ଆଉ ନିଦ ଆସେନା...ଦିନସାରା ମୁଣ୍ଡ ବଥାଏ । ତମେ ନିଶ୍ଚୟ କିଛି ମନେକରିବ ନାହିଁ । ମୋର ମନେହୁଏ ଦୁହେଁ ଅଲଗା ଶୋଇବାଟା ହିଁ ଭଲ । ମୁଁ ତାର ଇଙ୍ଗିତ ସ୍ପଷ୍ଟ ବୁଝିପାରିଲି ନାହିଁ । ଏ ପୁଣି କି କଥା-? ଆଗେଇ ଆସି କହିଲି, ନା–ଏହା ହୋଇ ପାରେନା–ମୋଟେ ସମ୍ଭବ ନୁହେଁ । ଅଲଗା ଶୋଇବ କାହିଁକି ? ବିଛଣାରେ ନ ଶୋଇ ଗଦି ଉପରେ ଶୋଇବା ମୋଟେ ଆରାମପ୍ରଦ ନୁହେଁ ନିଶ୍ଚୟ.... ତାଛଡ଼ା ଏହା ଆଗରୁ ତ ତୁମେ କେବେ ଅସୁବିଧା କଥା କହି ନାହଁ ।

 

ତଳକୁ ମୁହଁ ପୋତି ସେ କହିଲା, ‘‘ସାହସ ହୁଏ ନାହିଁ ।’’

 

କହିଲି, ଦୁଇବର୍ଷ ଭିତରେ ଅନ୍ତତଃ ଦିନେ ହେଲେ ତ କହିପାରିଥାନ୍ତ । ମୁଁ ଭାବିଥିଲି ତୁମେ ଅଭ୍ୟସ୍ତ ହୋଇପଡ଼ିଛ ।

 

ଯେମିତି ସେ ଖୁସି ହେଲା । ମୁହଁ ଟେକି ଏଥର ସେ କହିଲା, ନା–ଅଭ୍ୟାସ ହେଇନି–ମୋଟେ ନିଦ ହୁଏନା–ଆଉ.... । କଥାଟା ଶେଷ ନ ହେଉଣୁ ସେ ଯିବା ପାଇଁ ପାଦ ବଢ଼େଇଲା । କହିଲି, ରୁହ,..... ଝରକାଗୁଡ଼ିକ ବନ୍ଦରଖି ଏଥର ଶୋଇବା ।

 

ତାପର ମୁହୂର୍ତ୍ତରେ ବୁଝିପାରିଲି–ତାକୁ ମୁଁ ଅତିରିକ୍ତ ସ୍ନେହକରେ ବୋଲି ଏକଥା କହି ନାହିଁ, କହିଛି ପରୀକ୍ଷା କରିବା ପାଇଁ । ମୁଣ୍ଡ ହଲେଇ ହସି ହସି ସେ କହିଲା, ସୁନାଟା ପରା, ତମେ କାହିଁକି ମୋ ପାଇଁ କଷ୍ଟ ସ୍ୱୀକାର କରିବ ? ତୁମେତ କୁହ ଝରକା ବନ୍ଦ ରଖିଲେ ତୁମେ ଅଣନିଶ୍ୱାସୀ ହୋଇପଡ଼ । ତେଣୁ କହୁଛି.... ।

 

ସତରେ କହୁଛି ମୋର ବେଶୀ ଅସୁବିଧା ହେବ ନାହିଁ । ଦିନେ ଦୁଇଦିନ ଗଲେ ଅଭ୍ୟାସରେ ପରିଣତ ହୋଇଯିବ । .....ନ ହେଲେ ଧରିନିଅ ତମପାଇଁ ଏ ଟିକକ ସ୍ୱାର୍ଥ ତ୍ୟାଗ କରିବାରେ ମୁଁ ରାଜି ।

 

ଅଳ୍ପ ଇତସ୍ତତଃ କରି ସେ ଦୃଢ଼କଣ୍ଠରେ କହିଲା, ନା....ନା କମ୍‌ ହେଉ ବା ବେଶୀ ହେଉ ଅସୁବିଧା ହେବ କାହିଁକି ? ତା ଛଡ଼ା ତୁମେ ବା କାହିଁକି ସ୍ୱାର୍ଥ ତ୍ୟାଗ କରିବ ? ସେହି ରୁମଟାରେ ହିଁ ମୁଁ ଶୋଇବି ।

 

ଯଦି କୁହେଁ ତମର ଅଭିରୁଚିକୁ ମୁଁ ମୋଟେ ପସନ୍ଦ କରେ ନାହିଁ, ତୁମକୁ ମୋ ସହିତ ରଖିବାକୁ ଚାହେଁ ।

 

ମୁରୁକି ମୁରୁକି ହସି ସ୍ୱଭାବ–ଶାନ୍ତ କଣ୍ଠରେ କହିଲା ଏମିଲିୟା, ଇୟେ ପୁଣି କି ନୂଆ କଥା ? ଦୁଇବର୍ଷ ହେଲା ଆମର ବିବାହ ହୋଇଛି । ସେତେବେଳେ ତୁମେ ଟିକିଏ କଷ୍ଟ ସ୍ୱୀକାର କରିବାକୁ ଚାହିଁନ–ବର୍ତ୍ତମାନ ଚାହିଁଛ.....ତମର କ୍ଷତିଟା ବା କ’ଣ ? କେତେ ସ୍ୱାମୀ ସ୍ତ୍ରୀ ତ ଅଲଗା ରହନ୍ତି–ତା ଛଡ଼ା ଅଲଗା ରହି ବି ସେମାନଙ୍କର ପ୍ରେମ ଅକ୍ଷୁର୍ଣ୍ଣ ରହିଥାଏ । ସକାଳୁ ମନ ମୁତାବକ କାମକୁ ବାହାରି ଯାଇ ପାରିବ । ମୋତେ ଉଠେଇବା ପାଇଁ ପଡ଼ିବ ନାହିଁ ।

 

କିନ୍ତୁ ଅବିକା ତୁମେ କହିଲ ଯେ କୁକୁଡ଼ାର ଡାକରେ ତୁମର ନିଦ ଭାଙ୍ଗିଯାଏ....ମୁଁ ତ ଏତେ ସକାଳୁ କାମକୁ ଯାଏନା ।

 

ଅଧୀର ହୋଇପଡ଼ିଲା ଏମିଲିୟା......ଓଃ ତୁମେ ଯେ କ’ଣ ? କୌଣସି ଉତ୍ତରକୁ ଅପେକ୍ଷା ନ କରି, ମୋର ଉପସ୍ଥିତିକୁ ପୁରାପୁରି ଉପେକ୍ଷା କରି ସେ ବାହାରିଗଲା ।

 

ବିଛଣା ଉପରେ ବସିପଡ଼ିଲି । ଗୋଟିଏ ତକିଆ ନାହିଁ । ସେଇଥିରୁ ବୁଝାପଡ଼ୁଛି ଦିହିଙ୍କ ଭିତରେ ବିଚ୍ଛେଦ ହୋଇଛି–ମୁଁ ନିଃସଙ୍ଗ ହୋଇପଡ଼ିଛି । ଏମିଲିୟା ଯେଉଁ ଦରଜା ଦେଇ ବାହାରି ଯାଇଛି ସେହି ଆଡ଼କୁ ମୁଁ ବିସ୍ମିତ ବିହ୍ୱଳ ଭାବରେ ଚାହିଁ ରହିଲି । ମନରେ ପ୍ରଶ୍ନ ଉଠିଲା–ଦିନର ଆଲୁଅରେ ନିଦ ଭାଙ୍ଗିଯାଏ ବୋଲି ଏମିଲିୟା ମୋ ସହିତ ଗୋଟାଏ ଶଯ୍ୟାରେ ଶୋଇବାକୁ ଚାହେଁ ନା କିମ୍ବା ମୋ ସହିତ ରହିବା ପାଇଁ ଆଉ ଚାହେଁ ନା ?

 

ହୁଏତ ଦ୍ୱିତୀୟ କାରଣଟି ଠିକ୍‌ । କାୟମନୋବାକ୍ୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି–ପ୍ରଥମଟି ସତ୍ୟ ହେଉ । ସତରେ କ’ଣ ତେବେ ଏମିଲିୟା ଆଉ ମୋତେ ଭଲ ପାଏନା ?

 

ମୁଁ ଚିନ୍ତାର ଅତଳ ସମୁଦ୍ରରେ ବୁଡ଼ି ରହିଛି–ଏମିଲିୟା ଏଘରୁ ସେଘରକୁ ଯିବା ଆସିବା କରୁଛି । ଅକ୍ଟୋବର ମାସର ପ୍ରଥମ ଭାଗ । ଶୀତ ପଡ଼ି ନାହିଁ । ଏମିଲିୟାର ଦେହରେ ଗୋଟାଏ ପାତଳା ଶିଲ୍‌କର ହାଲୁକା ସେମିଜ୍‌ । ଦୁଧ ଅଳତାରଙ୍ଗର ସମଗ୍ର ଦେହ ବାରି ହୋଇପଡ଼ୁଛି ଆବରଣ ତଳୁ । ଦୈହିକ ଗଠଣରେ ତାର ଥିଲା ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ । ଏମିଲିୟା ଯଦିଓ ଦୀର୍ଘାଙ୍ଗୀ ନ ଥିଲା ତଥାପି ମୋର ମନେ ହେଉଥିଲା ସାଧାରଣ ତରୁଣୀମାନଙ୍କ ଅପେକ୍ଷା ସେ ଲମ୍ବା । ଜାଣେନା ତାର ଆଖି ଯୋଡ଼ିକ ପ୍ରକୃତରେ ବଡ଼ ନ ଥିଲା ନା ମୋର ଆଖିରେ ସେ ସେମିତି ଦେଖାଯାଉଥିଲା । ବିବାହର ପ୍ରଥମ ରାତିରେ ତାକୁ ଆଲିଙ୍ଗନ କରିଛି ସେଦିନ ଦେହରେ ତାର ବସ୍ତ୍ର ନ ଥିଲା । ଦେଖିଲି ତାର କପାଳଟି ରହିଛି ଠିକ୍‌ ମୋର ବୁକୁ ଉପରେ–ଦୁଇଟି ସୁନ୍ଦର ସ୍କନ୍ଦ ସୁଗୋଲ ସୁସ୍ପଷ୍ଟ ଦୁଇଟି ବାହୁ, ଖଣ୍ଡାଧାର ନାକ, ଶୁଭ୍ର ଉଜ୍ଜଳ ଦନ୍ତପାଟି, ମସୃଣ ଓଠ, ଆଖିର ଦୃଷ୍ଟିରେ ଫୁଟି ଉଠୁଛି କାମନା । ସିଂହକଟୀ । ନିତମ୍ବ ଓ ସ୍ତନ ଦୁଇଟି ବେଶ୍ ସୁଗଠିତ । ପାଦ ଦୁଇଟି ଦୀର୍ଘ, ରୁଜୁ ଓ ବଳିଷ୍ଠ । ସତରେ ତାରି ଭିତରେ ଥିଲା ଏକ ଅପୂର୍ବ କମନୀୟତା, ରହସ୍ୟମୟ ବର୍ଣ୍ଣନାତୀତ ସହଜାତ ଗାମ୍ଭୀର୍ଯ୍ୟ ।

 

ତାର ଉଲଗ୍ନ ଦେହକୁ ଚାହିଁ ରହିଥିଲି ସେଦିନ । ଆଜି ବି ତାକୁ ଚାହିଁ ରହିଛି । ଭାବିପାରୁ ନାହିଁ–କ’ଣ କରିବି । ତାର ମୁହଁ ଓ ଦେହ ଉପରେ ପହଁରି ଯାଉଛି ମୋର ଚଞ୍ଚଳ ଦୃଷ୍ଟି । ପାତଳା ମେସିଜ୍‌ ଭିତର ଦେଇ ତାର ଦେହର ବର୍ଣ୍ଣ, ବୁକୁର ଗଠଣ କେତେବେଳେ ସ୍ପଷ୍ଟ କେତେବେଳେ ଅସ୍ପଷ୍ଟ ଭାବରେ ଦେଖାଯାଉଛି । ହଠାତ୍‌ ମନେପଡ଼ିଲା ସେ ମୋତେ ଆଉ ଭଲ ପାଉ ନାହିଁ । ସେତେବେଳେ ମନେହେଲା–ତା ସହିତ ଦୈହିକ ମିଳନ ଆଉ ସମ୍ଭବ ନୁହେଁ । ସ୍ତମ୍ଭିତ ଓ ସ୍ତବ୍‌ଧ ହୋଇପଡ଼ିଲି । ଏହା ବିଶ୍ୱାସ ବି କରାଯାଇପାରେନା । ପ୍ରେମ କେବଳ ଏକ ମାନସିକ ବୃତ୍ତି ନୁହେଁ, ଅନବଦ୍ୟ ଓ ସ୍ୱାଭାବିକ ଦୈହିକ ମିଳନ । ଦେହର ତୃପ୍ତି ବିନା ପ୍ରେମର କୌଣସି ମୂଲ୍ୟ ନାହିଁ । ସେହିଭଳି ମନର ମିଳନ ବିନା ଦୈହିକ କାମନାର ପରିତୃପ୍ତି ପାଶବିକ । ଏତେଦିନ ଧରି ଏମିଲିୟାର ମନକୁ ଆବିଷ୍କାର ନ କରି କେବଳ ତାର ଦେହକୁ ଉପଭୋଗ କରି ଆସିଛି । ବର୍ତ୍ତମାନ ଏହି ସୁସ୍ପଷ୍ଟ ଅଥଚ ଗୋପନ ସତ୍ୟ ଆଖି ଆଗରେ ଦିବାଲୋକ ଭଳି ସ୍ପଷ୍ଟ ହୋଇ ଉଠିଲା । ଆମରି ମିଳନ ଆଉ ଅବ୍ୟାହତ ରହିବ ନାହିଁ–କେବେ ବି ନ ଥିଲା ।

 

କେହି ଯଦି ହଠାତ୍‍ ଜାଣିପାରେ ଯେ ସେ ଏକ ଅତଳସ୍ପର୍ଶ ଗହ୍ୱର ଉପରେ ଝୁଲୁଛି, ତାର ଯେଉଁ ଅବସ୍ଥା ହୁଏ ମୋର ବି ଅବସ୍ଥା ଆଜି ଠିକ୍‌ ତାର ଅନୁରୂପ । ଅକାରଣରେ ଛିନ୍ନ ହୋଇଯାଉଛି ପ୍ରେମର ମଙ୍ଗଳସୂତ୍ର । ଜୀବନର କ୍ଷୁଦ୍ର ତରଣୀଟାକୁ ବିକ୍ଷୁବ୍ଧ କରି ତୋଳୁଛି ବିଚ୍ଛେଦ ଆଉ ବିରହର ଅଶାନ୍ତ ଊର୍ମ । ତୀବ୍ର ଘୃଣା, ବିତୃଷ୍ଣା ଓ ବେଦନାରେ ଭରିଗଲା ସମସ୍ତ ମନ ।

 

ଏମିଲିୟା ମୋ ଆଗରେ ଚାଲିଯାଉଥିଲା । ଖପ୍‌କରି ହାତଟାକୁ ଧରି ପକେଇ କହିଲି, ଆସ–ତୁମ ସହିତ ଅନେକ କଥା ଅଛି ।

 

ନିଜକୁ ମୁକ୍ତ କରିନେବାର ବୃଥା ଚେଷ୍ଟା ସେ କଲା । ଅଳ୍ପ ଦୂରରେ ବିଛଣା ଉପରେ ବସି ସେ କହିଲା, ମୋ ସହିତ କଥା ଅଛି । କି କଥା ? ଆମ ଭିତରେ କେବେ ଏପରି ଭାବ ନ ଥିଲା । ତେଣୁ ଏ ଉତ୍କଣ୍ଠା ବା ଲଜ୍ଜା ଆସନ୍ନ ପରିବର୍ତ୍ତନକୁ ସ୍ପଷ୍ଟତର, ନିଶ୍ଚିତକରି ତୋଳିଲା ।

 

କହିଲି ହଁ–ତୁମ ସହିତ କଥା ରହିଛି । ମନେ ହେଉଛି ଆମ ଭିତରେ ଯେମିତି ଗୋଟାଏ ପରିବର୍ତ୍ତନ ହୋଇଛି ।

 

ମୋ ଆଡ଼କୁ ମୁହଁ ଫେରାଇ ସହଜ ଭାବରେ ସେ କହିଲା, କ’ଣ ଯେ ତୁମେ କୁହ–ମୋଟେ ବୁଝିପାରେନା । ଆମର କ’ଣ ପରିବର୍ତ୍ତନ ହୋଇଛି । ଦୁହେଁ ତ ଠିକ୍‌ ଆଗଭଳି ରହିଛୁ ।

 

ମୁଁ ଠିକ୍‌ ସେମିତି ରହିଛି–ପରିବର୍ତ୍ତନ ହୋଇଛି ତୁମର ।

 

ଟିକିଏ ବି ନୁହେଁ । ମୁଁ ଏବେ ବି ସେହି ‘ମୁଁ’ ରହିଛି–କହିଲା ଏମିଲିୟା । ଆଗେ ଏହା ଅପେକ୍ଷା ମୋତେ ତୁମେ ବେଶି ଭଲ ପାଉଥିଲ–ଯେତେବେଳେ ତୁମକୁ ଏକାକୀ ରଖି ବାହାରକୁ ଯାଉଥିଲି ତୁମେ ବେଦନା ଅନୁଭବ କରୁଥିଲ । ମୋ ସହିତ ଗୋଟାଏ ଶଯ୍ୟାରେ ଶୋଇବାକୁ ଆଜି ଭଳି ଆପତ୍ତି ତୁମର ନ ଥିଲା ।

 

ଓଃ ଏହି କଥା ! –ମୁଁ ଅନୁମାନ କରିଥିଲି–ତମେ ଏମିତି କିଛି ଭାବିବ । କିନ୍ତୁ କୁହତ–ତୁମେ ଅକାରଣରେ କାହିଁକି ମୋତେ କଷ୍ଟ ଦିଅ । ସତରେ ମୁଁ ଶୋଇବାକୁ ଚାହେଁ–ତୁମ ସଙ୍ଗରେ ଶୋଇଲେ ମୋଟେ ନିଦ ହୁଏନା–ସେଇଥିପାଇଁ–

 

ଏ କ’ଣ ? ମୋର ଯୁକ୍ତି ଓ ବିଦ୍ୱେଷ ଅଗ୍ନିଶିଖାରେ ମହମ ଭଳି ତରଳିଗଲା । ମୋର ଦେହକୁ ଲାଗି ବସିଛି ଏମିଲିୟା । ଦେହରେ ପାତଳା କୁଞ୍ଚିତ ସେମିଜ୍‌ । ସେମିଜ୍‌ଭେଦକରି ଆଖିରେ ପଡ଼ୁଛି ତାର ଦେହର ସୁପରିଚିତ ଗୋପନ ବର୍ଣ୍ଣ ଓ ଆକାର । ମନରେ ଜାଗିଉଠିଲା କାମନା । ରୋମାଞ୍ଚିତ ହୋଇଉଠିଲା ସର୍ବାଙ୍ଗ ।

 

କିନ୍ତୁ ମୋର ଏ ଦୁର୍ବାର କାମନା ମୋତେ କେବଳ ତାର ଦେହ ନିକଟକୁ ଟାଣିନେବ କାହିଁକି ? ତାର ଦେହ ଆଉ ମନରେ ଅନୁରୂପ କାମନା ଜାଗିଉଠିବ ନାହିଁ କାହିଁକି ? କାହିଁକି ? ଖୁବ୍‌ ନିମ୍ନ ସ୍ୱରରେ କହିଲି, ବେଶ ଯଦି କିଛି ପରିବର୍ତ୍ତନ ହୋଇ ନାହିଁ, ତେବେ ତାର ପ୍ରମାଣ ଦିଅ ।

 

ପ୍ରତିଦିନ–ପ୍ରତି ମୁହୂର୍ତ୍ତରେ ତ ପ୍ରମାଣ ଦେଇ ଆସୁଛି ।

 

ଏହିକ୍ଷଣି, ଏହିକ୍ଷଣି ପ୍ରମାଣ ଲୋଡ଼ା ।

 

ତା ଆଡ଼କୁ ଢଳିପଡ଼ିଲି । ଦୁର୍ବାର ବିକ୍ରମରେ ତାର ଓଠ, କେଶ ଆଉ ସ୍ତନ ଉପରେ ଚୁମ୍ବନ କରିବାକୁ ଚାହିଁଲି । ପ୍ରଥମରେ ସେ ଆପତ୍ତି କଲା ନାହିଁ । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାର ମୁହଁଟି ଘୁଞ୍ଚେଇ ନେଇ ମୋର ଚୁମ୍ବନକୁ ଏଡ଼ାଇଗଲା । ମୋର ଓଠ ଦୁଇଟି ସ୍ପର୍ଶକଲା ତାର ଗଳା ତାକୁ ଛାଡ଼ିଦେଇ ମୁଁ କହିଲି–ତୁମକୁ ଚୁମ୍ବନ କରେଁ ତୁମେ କ’ଣ ଏକଥା ଚାହଁନା ?

 

ମୋର କେଶରାଶି ଭିତରେ ଅଙ୍ଗୁଠି ବୁଲୋଉ ବୁଲୋଉ ସେ କହିଲା.... ନା....ନା.....ତା ନୁହେଁ.... କେବଳ ଗୋଟାଏ ଚୁମ୍ବନ ପାଇଁ ଆପତ୍ତି ନ ଥିଲା.... କିନ୍ତୁ ତୁମେ ତା ପରେ ତ ଆଉ ଛାଡ଼ିବ ନାହିଁ.... ଆଉ ଆଜି ବି ଅନେକ ରାତି ହୋଇଗଲାଣି । ଏମିଲିୟା ବିଜ୍ଞ ବ୍ୟକ୍ତିଙ୍କ ଭଳି କଥା କହୁଛି–ତେଣୁ ହଠାତ୍‌ ହତାଶ ହୋଇ କହିଲି, ଏଥିରେ ପୁଣି ସମୟ ଅସମୟ କ’ଣ ?

 

ତାକୁ ଆଲିଙ୍ଗନ କରି ପୁନରାୟ ଚୁମ୍ବନ କରିବାକୁ ଚାହିଁଲି । ସେ କହି ଉଠିଲା....ଓଃ.....କାଟୁଛି !

 

ଆଶ୍ଚର୍ଯ୍ୟ ! ତାକୁ କେବଳ ଟିକିଏମାତ୍ର ସ୍ପର୍ଶ କରିଛି । ଆଗେ ଏହାଠାରୁ ବି ବଣ୍ୟ ଆକ୍ରୋଶରେ ତାକୁ ଆଲିଙ୍ଗନ କରିଛି; କିନ୍ତୁ ଏଭଳି ସେ କରି ନାହିଁ । ତେଣୁ ରାଗିଯାଇ କହିଲି, ଆଗେ ଯେ ତୁମକୁ ମୋଟେ କାଟୁ ନ ଥିଲା ।

 

ସେ କହିଲା, ତୁମେ ମୋଟେ ଜାଣନା–ତୁମର ଦୁଇବାହୁ ଇସ୍ପାତ ଭଳି ଟାଣ..... କ୍ଳାନ୍ତ କଣ୍ଠରେ କହିଲା ଏମିଲିୟା । ଦେଖିଲି ତାର ଉକ୍ତିରେ ଲେଶମାତ୍ର କୌତୁକ ନାହିଁ ।

 

ଦୁଢ଼ କଣ୍ଠରେ କହିଲି, ତେବେ ଚୁମ୍ବନ କରିବାକୁ ଦେବ ନାହିଁ ?

 

ଆସ.... ଏଇ ହେଲା.... ଆସ ନା.... ଆଗକୁ ନଇଁପଡ଼ି ମୋର ଭୁରୁ ଉପରେ ସେ ଦୁଇଥର ଚୁମ୍ବନ ଦେଲା । ଏଥର ଯାଏ ଶୋଇବି.... ଅନେକ ରାତି ହେଲାଣି ।

 

ତହିଁରେ ମୁଁ କ୍ଷାନ୍ତ ହେଲି ନାହିଁ । ତାରି ନିତମ୍ବ ତଳେ ହାତରଖି କହିଲି, ଏଭଳି ଚୁମ୍ବନ ତ ତୁମ ନିକଟରେ ଚାହିଁ ନ ଥିଲି ଏମିଲିୟା ! ସେ ପୁନରାୟ କହିଲା, ଆଃ ଛାଡ଼ନା, କାଟୁଛି ।

 

ତାର ଦେହ ଉପରେ ଭରାଦେଇ ଧୀରେ ଧୀରେ କହିଲି, ନା... ନା.... ସୁନାଟା ପରା । ତୁମର ଏ କଥା ମୋଟେ ସତ ନୁହେଁ.... ସତ ନୁହେଁ ।

 

ମୋର ବାହୁ ବନ୍ଧନରୁ ସେ ନିଜକୁ ମୁକ୍ତକରି ନେଇ କହିଲା, ଯାହା କରିବାର କଥା ସହଳ ଶେଷ କରିନିଅ, ମୋଟେ ଏମିତି ଭାବରେ ଆଉ କଷ୍ଟ ଦିଅ ନାହିଁ ।

 

ଏମିତି ଭାବରେ ଚାପି ଧଇଲେ ମୋର ନିଶ୍ୱାସ ବନ୍ଦ ହୋଇଯାଏ... ବିସ୍ମୟରେ ସ୍ତବ୍‌ଧ ହୋଇପଡ଼ିଲି । ତାର କଣ୍ଠସ୍ୱରରେ ପ୍ରକାଶ ପାଇଛି ଚରମ ଉଦାସୀନତା, ଟିକିଏ ହେଲେ ଆବେଗ ନାହିଁ ତହିଁରେ ।

 

ହାତ ଉପରେ ହାତ ଥୋଇ, ମୁହଁ ତଳକୁ ପୋତି ନିଶ୍ଚଳଭାବରେ ମୁଁ ବସିରହିଲି । ଅଳ୍ପକ୍ଷଣ ପରେ ପୁନରାୟ ଶୁଣିଲି ତାର କଣ୍ଠସ୍ୱର–ଆସ–ଯେତେବେଳେ କୌଣସି ପ୍ରକାରେ ଅବ୍ୟାହତି ଦେବ ନାହିଁ–କଣ କହୁଛ ?

 

ଉପରକୁ ମୁହଁ ନ ଟେକି ଅସ୍ପଷ୍ଟ ସ୍ୱରରେ କହିଲି, ନିଶ୍ଚୟ ! କିନ୍ତୁ ତାକୁ ସମ୍ଭୋଗ କରିବାର ବାସନା ଆଉ ନ ଥିଲା । ଶେଷ ପର୍ଯ୍ୟନ୍ତ ଏହି ନୂତନ ବିଚ୍ଛେଦକୁ ସହ୍ୟ କରିନେବାର ଶକ୍ତି ସଞ୍ଚୟ କରିନେଲି । ମନେ ପଡ଼ିଲା ଏମିତି ଆୟୋଜନ ପର୍ବକୁ ମୁଗ୍‌ଧ ଚକ୍ଷୁରେ ମୁଁ ଚାହିଁ ରହୁଥିଲି । ଯେମିତି ରୂପକଥାର ଦସ୍ୟୁ–ଯାଦୁମନ୍ତ୍ର ଉଚ୍ଚାରଣର ସଙ୍ଗେ ସଙ୍ଗେ ଖୋଲି ଯାଉଛି ଗୁହାର ଦ୍ୱାର...ଆଉ ଅଦୃଶ୍ୟ, ଅମୂଲ୍ୟ ମଣି ମାଣିକ୍ୟରେ ଉଦ୍‌ଭାସିତ ହୋଇ ପଡ଼ୁଛି । କିନ୍ତୁ ଆଜି ମୋଟେ କୌତୁହଳ ହେଲା ନାହିଁ । ଆଜି ତାକୁ ଦେଖିଲି ଭିନ୍ନ ଦୃଷ୍ଟିରେ । ଏହି ଦୃଷ୍ଟିରେ ନ ଥିଲା ନିର୍ମଳ ଆନନ୍ଦ, କାରଣ ଏମିଲିୟା ଆଜି ଉଦାସୀନ । ଦୁହେଁ ଦୁହିଁଙ୍କ ଉପରେ ନିର୍ମମ ହୋଇପଡ଼ିଛୁ, ଦୁହେଁ ହୋଇପଡ଼ିଛୁ ଦୁହିଁଙ୍କର ଅଯୋଗ୍ୟ ।

 

ତଳକୁ ମୁହଁକରି ମୁଁ ଖଟ ଉପରେ ଶୋଇ ରହିଲି । ଟିକିଏ ପରେ ଖଟ ଦେହରେ ଲାଗିଥିବା ସ୍ପ୍ରିଂର ଆବାଜ ଶୁଣାଗଲା । ବେଡ଼୍‌କଭରଟି କାଢ଼ି ନ ନେଇ ତାରି ଉପରେ ଶୋଇଯାଇଛି ଏମିଲିୟା । ଆଉ ଥରେଶବ୍ଦ ହେଲା, ମୋର ଦେହର ଅତି ନିକଟକୁ ସେ ଘୁଞ୍ଚି ଆସିଲା । ତାପରେ ମୋତେ ଡାକିଲା, ଆସୁନ । ଆଉ ଡେରି କରୁଛ କାହିଁକି ? ତାର ଅନାବୃତ ଅଙ୍ଗ ଲତିକାରେ ଟିକିଏ ବି ରୋମାଞ୍ଚ ବା ଉତ୍ତେଜନାର ଚିହ୍ନ ନାହିଁ । ଯେପରି ଗୋଟାଏ ଗଣିକା ଅନାୟାସରେ ତାର ଖରିଦ୍‌ଦାରକୁ ଅକୁଣ୍ଠିତ ଭାବରେ ଦେହଦାନ କରିବାକୁ ପ୍ରସ୍ତୁତ ହୋଇ ରହିଛି । ଟିକିଏ ହେଲେ ସଂକୋଚ ବା ଦ୍ୱିଧା ନାହିଁ ।

 

ଟିକିଏ ହେଲେ ଘୁଞ୍ଚିଲି ନାହିଁ–ଭାବିଲି ଏହିଟା କଣ ଆମର ସ୍ୱାଭାବିକ ଜୀବନ ? ହଁ ଅନେକଟା ଏହିଭଳି । ଦେହରୁ ବସ୍ତ୍ର ପରିତ୍ୟାଗ କରି ଏମିଲିୟା ଏମିତି ଶୁଏ ଆଉ ଏହିଭଳି ମୋତେ ଆହ୍ୱାନ ଜଣାଏ । ତଥାପି ସବୁ ଯେମିତି ପରିବର୍ତ୍ତନ ହୋଇଯାଇଛି । ଏହା ଆଗରୁ ସିଏ ଏହିଭଳି ନିର୍ଲିପ୍ତ ବଶ୍ୟତା ସ୍ୱୀକାର କରିବା ଆଖିରେ ପଡ଼ି ନାହିଁ । ଆଗେ ସବୁକିଛି ନିମିଷକ ମଧ୍ୟରେ ହେଉଥିଲା, ତାରି ଭିତରେ ଥିଲା ସହଜାତ ଉତ୍ତେଜନା, ନିବିଡ଼ତା । ଜାଣିପାରୁ ନ ଥିଲି କେତେବେଳେ କେମିତି ଭାବରେ ଧରା ପଡ଼ୁଥିଲି ଏମିଲିୟାର ବାହୁବନ୍ଧନ ଭିତରେ । ଆଜି ଆଉ ଏମିଲିୟାର ସେ ଆକୁଳତା ବି ବିଶିଷ୍ଟତା ନାହିଁ, ମୋର ବି ନାହିଁ । ସେତେବେଳେ ଦୈହିକ ଉତ୍ତେଜନା ଭିତରେ ନୀରବରେ ଏମିଲିୟାର ଗତି ଲକ୍ଷ୍ୟ କରୁଥିଲି । ସିଏ ବି ମୋତେ ଠିକ୍‌ ଅନୁରୂପ ଆଖିରେ ଦେଖୁଥିଲା । କିନ୍ତୁ ଆଜି ଯେମିତି ମୁଁ ମୋର ପତ୍ନୀ ସହିତ ମୁହାଁମୁହିଁ ବସି ନାହିଁ, ବସିଛି ଗୋଟାଏ ରୂପଜୀବି ସହିତ । ସେ ମୋର ବାହୁବନ୍ଧନରେ ଧରା ଦେବାକୁ ପ୍ରସ୍ତୁତ ହେଉଛି । ଭାବୁଛି କ୍ଷଣସ୍ଥାୟୀ ଏହି ଆଲିଙ୍ଗନ ବି ଟିକିଏ କ୍ଳାନ୍ତିକର ହେବ ନାହିଁ । ମୁହୂର୍ତ୍ତକ ପାଇଁ ଦେଖିଲି ଏମିଲିୟାକୁ–ଠିକ୍‌ ଯେମିତି ଗୋଟାଏ ଅପଛାୟା । ଶଯ୍ୟାରେ ଶାୟିତା ଏମିଲିୟା ସହିତ ଛାୟାମୂର୍ତ୍ତିଟି ମିଶି ଯେମିତି ଏକାକାର ହୋଇଯାଉଛି ।

 

ଉଠି ଠିଆ ହେଲି– । ତାକୁ ଦୃଷ୍ଟି ନ ଦେଇ କହିଲି, କିଛି ମନେକରିବନି–ଆଜି ଥାଉ । ଆର କୋଠରୀକୁ ଯାଇ ମୁଁ ଶୋଉଛି । ତୁମେ ଏଇଠି ରୁହ ।

 

ପାଦ ଚିପି ଚିପି ଆର କୋଠରୀ କି ପଶିଲି । ବିଛଣା ଆଗରୁ ପ୍ରସ୍ତୁତ ହୋଇ ରହିଥିଲା । ଏମିଲିୟାର ଜୋତା ଆଉ ପୋଷାକ ନେଇ ଆସି ଶୟନକକ୍ଷର ଚୌକୀରେ ରଖିଦେଲି । ତାକୁ ଆଉ ଥରେ ଚାହିଁ ଦେଖିବାର ଲୋଭ ସମ୍ବରଣ କରିପାରିଲି ନାହିଁ । ଟିକିଏ ଆଗରୁ ସେ ଯେଉଁ ଅବସ୍ଥାରେ ଥିଲା ଏବେ ବି ଠିକ୍‌ ସେହି ଅବସ୍ଥାରେ ଅଛି । ଦେହ ଅନାବୃତ, ମୁଣ୍ଡତଳେ ରହିଛି ଗୋଟାଏ ବାହୁ । ବୁକୁ ଉପରେ ପଡ଼ିଛି ଅପର ବାହୁଟି । ଶୂନ୍ୟ ଦୃଷ୍ଟି–ଏଥର ମନେ ହେଲା ସେ ବାରାଙ୍ଗନା ନୁହେଁ, ଏକ ନଗ୍ନ ସ୍ୱପ୍ନର ପ୍ରତିମୂର୍ତ୍ତି । ଚାରିପାଖରେ ତାର ଘନ କୁହୁଡ଼ିର ଆସ୍ତରଣ.... ସେ ମୋ ପାଖରୁ ଚାଲିଯାଇଛି ବହୁ ଦୂରକୁ... ବାସ୍ତବ ସୀମାର ବାହାରକୁ । ମୋର ଅନୁଭୂତିର ଆରପାରିକୁ.... ।

 

ଜୀବନରେ ଦୁର୍ଦ୍ଦିନ ଯେମିତି ଘନେଇ ଆସୁଛି । କିନ୍ତୁ ଏମିଲିୟାର ବ୍ୟବହାରରେ ତାର ତିଳେ ହେଲେ ସୂଚନା ନାହିଁ । ସେ ନିର୍ବିକାର ନିର୍ଲିପ୍ତ ହୋଇ ପଡ଼ିଛି । ଜୋର୍‌କରି ଯଦିଓ ତାର ପ୍ରେମ ଆଦାୟ କରିବା ମୋ ପକ୍ଷରେ ଅନୁଚିତ, ତଥାପି ମୁଁ ତାକୁ ଭଲ ପାଇ ବସିଲି । ପ୍ରେମର ଗୋଟାଏ ଆଶ୍ଚର୍ଯ୍ୟ ଶକ୍ତି ରହିଛି । ପ୍ରେମ କେବଳ ମୋହ ଆଣେନା, ଆଣେ ବିସ୍ମୃତି । କାହିଁକି ଜାଣେ ନାହିଁ ଗତ ରାତ୍ରିର ଘଟଣାର ଗୁରୁତ୍ୱ ତା ପରଦିନ ମୋ ନିକଟରେ ଅନେକ ପରିମାଣରେ କମିଗଲା । କଟିଗଲା ବିଦ୍ୱେଷର ଭାବ । ମନେହେଲା ଇୟେ କେବଳ ମତାନୈକ ଛଡ଼ା କିଛି ନୁହେଁ-। ଅସଲ କଥା ଇଚ୍ଛା ଥିଲେ ସବୁ ଭୁଲିଯାଇ ହୁଏ । ତା ଛଡ଼ା ଏ ବିଷୟରେ ମୋତେ ଏମିଲିୟା ହିଁ ଅନେକ ସାହାଯ୍ୟ କରିଥିଲା । ସେ ଏକାକୀ ରହିବାକୁ ଇଚ୍ଛା କରୁଥିଲେହେଁ ମୋତେ ଦେହଦାନ କରିବାକୁ ଅନିଚ୍ଛା ପ୍ରକାଶ କରୁ ନ ଥିଲା । ଯଦିଓ ରତିକ୍ରୀଡ଼ା ସମୟରେ ସେହିପରି ନିଷ୍କ୍ରିୟ ରହୁଥିଲା-। ତେଣୁ ମନରେ ଜାଗୁଥିଲା ବିଦ୍ରୋହ । କେତୋଟି ଦିନ ଭିତରେ ତାହା ବି କ୍ରମେ ଦେହସୁହା ହୋଇଗଲା, ଏପରି କି ତୃପ୍ତିକର ମନେହେଲା । କେବଳ ସେହି ରାତିରେ ବାରବିଳାସିନୀ ଭଳି ବ୍ୟବହାର କରିଥିଲା ଏମିଲିୟା । ମାତ୍ର କେତୋଟି ଦିନ ଆଗେ ଏହି ଅବସ୍ଥାରେ ତା ସହିତ ଇନ୍ଦ୍ରିୟ ସଂଭୋଗ କରିବା ପାଇଁ ଟିକିଏ ବି ଆପତ୍ତି କରୁ ନ ଥିଲି । ଭୟ ହେଉଥିଲା–ସେ ବୋଧହୁଏ ଆଉ ମୋତେ ଚାହୁଁ ନାହିଁ । ତଥାପି ତାର ଔଦାସିନ୍ୟ ଓ ନିଷ୍କ୍ରିୟତାପାଇଁ ତା ପାଖରେ କୃତଜ୍ଞ ରହିଲି-

 

ଯଦି ଭାବୁଥାଆନ୍ତି ଏମିଲିୟା ମୋତେ ଆଗଭଳି ଭଲ ପାଉଛି ତେବେ ଉପଲବ୍‌ଧି କରିପାରନ୍ତି ଆମ ଭିତରେ କିଛି ପରିବର୍ତ୍ତନ ହୋଇ ନାହିଁ ।

 

ଥିୟେଟରର କାମ ଛାଡ଼ିଦେଇ ସିନେମାରେ କାମ କରୁଛି–କେବଳ ଏମିଲିୟାର ଗୃହ ନିର୍ମାଣର ଇଚ୍ଛାପୂରଣ କରିବାପାଇଁ । ଯେତେଦିନ ମନରେ ଧାରଣା ଥିଲା ଯେ ଏମିଲିୟା ମୋତେ ଭଲପାଏ ସେତେଦିନ ଯାଏ ଚିତ୍ର ସମ୍ପାଦନା ଶ୍ରମସାଧ୍ୟ ବୋଲି ମନେହେଉ ନ ଥିଲା । ମନରେ ଥିଲା ଅସୀମ ଉତ୍ସାହ । କିନ୍ତୁ ସେଦିନ ସନ୍ଧ୍ୟାର ଘଟଣାପରେ ନିରାଶ ହୋଇପଡ଼ିଲି । ପ୍ରକୃତରେ ସିନେମାର କାମ, ଏପରି କି ତା ଠାରୁ ବି ଖରାପ କାମ ବୋଧହୁଏ ଏମିଲିୟାର ପ୍ରେମ ପାଇଁ ମୁଁ କରିପାରିଥାନ୍ତି । ଏବେ ସେହି ପ୍ରେମ ନଷ୍ଟହେବାକୁ ଯାଉଛି । ଏ କେବଳ ନିପଟଦାସତ୍ୱ ଛଡ଼ା ଆଉ କିଛି ନୁହେଁ.... ।

 

ମୋର ମନର ଅବସ୍ଥା ଆହୁରି ପରିଷ୍କାର ଭାବରେ ପ୍ରକାଶ କରିବାକୁ ହେଲେ ଏହି ପ୍ରସଙ୍ଗରେ ଚିତ୍ର ସମ୍ପାଦକ କାର୍ଯ୍ୟ ସମ୍ବନ୍ଧରେ ପଦେ ଅଧେ ଉଲ୍ଲେଖ କରିବା ପ୍ରୟୋଜନ ।

 

ଚିତ୍ରନାଟ୍ୟ ହେଲା–ନାଟକ, ଦୃଶ୍ୟ ଓ ଚିତ୍ରଗ୍ରହଣ, ନିର୍ଦ୍ଦେଶନା ଓ ପରିଚାଳନା–ଏକାବେଳକେ ସମସ୍ତ । ଚିତ୍ର ସମ୍ପାଦକର କାମ ଗୁରୁତ୍ୱପୂର୍ଣ୍ଣ । ତାର ସ୍ଥାନ ଠିକ୍‌ ଚିତ୍ର ପରିଚାଳକର ପରେ ।

 

କିନ୍ତୁ ଚିତ୍ର ସଂପାଦକ କେଉଁଠି ହେଲେ ମର୍ଯ୍ୟାଦା ପାଏ ନାହିଁ । ଆଙ୍ଗିକ ଦୃଷ୍ଟିରୁ ଶିଳ୍ପକୁ ବିଚାର କଲେ ଚିତ୍ର ସମ୍ପାଦକ ଜଣେ ନିପୁଣ ଶିଳ୍ପୀ । ଚିତ୍ର ମଧ୍ୟରେ ସେ ଜୀବନ ଦିଏ ଅଥଚ ମୋଟେ ଜାଣିପାରେନା–ସେହିଠାରେ ହିଁ ତାର ପ୍ରକୃତ ପ୍ରକାଶ । ସେହି ହେତୁରୁ ତାର ସାର୍ଥକ ସୃଷ୍ଟି ସତ୍ୱେ ସେ ହୋଇଯାଏ କେବଳ ମାତ୍ର ଜଣେ ପ୍ରସ୍ତାବକ । ତାର ସ୍ଥାନ ଯବନିକାର ଅନ୍ତରାଳରେ, ଅଥଚ ସେ ଚିତ୍ରର ସଫଳତା ପାଇଁ ବୁକୁର ରକ୍ତ ଢାଳେ । ଏହି କାମରେ ସେ ଉତ୍କର୍ଷ ଲାଭ କରିପାରେ, ମୋଟା ଅର୍ଥ ବି ପାଏ; କିନ୍ତୁ କେବେ ଦାବୀ କରିପାରେ ନାହିଁ ଯେ ମୁଁ ଛବିଟି ପ୍ରସ୍ତୁତ କରିଛି–ନିଜକୁ ପ୍ରକାଶ କରିଛି–ଚିତ୍ରଟି ମୋ ଦ୍ୱାରା ଗଢ଼ା । ସେ କାମ କରେ ଅର୍ଥର ବିନିମୟରେ । ଚିତ୍ର ସଂପାଦକର ମୋଟାମୋଟି ଜୀବନ ହେଲା–ଶ୍ରମର ବିନିମୟରେ ଯାହା ପାଏ ତହିଁରୁ ସମ୍ଭବ ହେଲେ ଆନନ୍ଦ ଉପଭୋଗ କରିବା । ଅବିଶ୍ରାନ୍ତ, ଅବିରାମ, କେତେବେଳେ ହାସ୍ୟରସାତ୍ମକ, କେତେବେଳେ କରୁଣରସାତ୍ମକ କେତେବେଳେ ବା ଦୁଃସାହସିକ ଅଭିଯାନପୂର୍ଣ୍ଣ କାହାଣୀର ରୂପାୟନ କରିଯିବା । ନର୍ସ ଗୋଟାଏ ଶିଶୁର ଯତ୍ନ ତ୍ୟାଗକରି ଆଉ ଗୋଟାଏ ଶିଶୁକୁ ପାଳନ କରିବାର ଭାର ନିଏ, ଆଉ ତାର ପରିଶ୍ରମର ଫଳ ଭୋଗ କରନ୍ତି ଶିଶୁର ଜନନୀ । ଏକମାତ୍ର ଜନନୀ ହିଁ ଶିଶୁକୁ ନିଜର ବୋଲି ଦାବୀ କରି ପାରନ୍ତି । ଇୟେ ବି ଠିକ୍‌ତାର ଅନୁରୂପ । ଏହା ବ୍ୟତୀତ ଚିତ୍ର ସମ୍ପାଦକର କାମରେ ଆହୁରି ଅନେକ ଅସୁବିଧା ରହିଛି । ଚିତ୍ର ସମ୍ପାଦକ ଓ ସହଯୋଗୀ ଚିତ୍ର ସମ୍ପାଦକର ଗୁଣ ଓ ପ୍ରକାର ଭେଦରେ ସେ ଅସୁବିଧାଗୁଡ଼ିକ କମ୍‌ ବିରକ୍ତିକର ନୁହେଁ । ଚିତ୍ର ସମ୍ପାଦକର ସ୍ୱାଧୀନ ସତ୍ତା ନାହିଁ, ସ୍ୱାସ୍ଥ୍ୟ ଓ ରୁଚିର ଅନୁକୂଳ ପରିବେଶ ନାହିଁ । ନିଜର ଅଭିଜ୍ଞତା, ରୁଚି ଓ ସଂସ୍କୃତିର କଥା ପାସୋରି ଯାଇ ଦିନ ପରେ ଦିନ ତାକୁ ଅର୍ଥ ଉପାର୍ଜ୍ଜନ ଆଉ କାମ କରିବାକୁ ପଡ଼େ । କିନ୍ତୁ ସବୁ କ୍ଷେତ୍ରରେ ଯେ ଅନୁକୂଳ ପରିସ୍ଥିତି ନ ଥାଏ, ଏ କଥା କୁହାଯାଇ ପାରେନା । ତେବେ ଉତ୍ତମ ଚିତ୍ର ଯେପରି ବିରଳ ସେହିପରି ପ୍ରକୃତ ସୁସ୍ଥ ପରିବେଶ ମଧ୍ୟ ଦେଖାଯାଏ କ୍ୱଚିତ ।.......

 

ଏଥର ବାତ୍ତିସତାଙ୍କ ବ୍ୟତୀତ ଆଉ ଜଣେ ଚିତ୍ର ନିର୍ମାତାଙ୍କ ସହିତ ଦ୍ୱିତୀୟ ଚିତ୍ରନାଟ୍ୟ ସମ୍ପାଦନାର ଚୁକ୍ତିପତ୍ର ସ୍ୱାକ୍ଷର କଲି । ....ମୁଁ ସଂକଳ୍ପ ଓ ଆଦର୍ଶଚ୍ୟୁତ ହୋଇପଡ଼ିଲି ।

 

ସକାଳୁ ନିଦରୁ ଉଠିବାମାତ୍ରକେ ମନେହେଉଥିଲା–ସମସ୍ତ ଦିବସଟି ମରୁଭୂମି ଭଳି ଶୁଷ୍କ, ଚିନ୍ତା ବା ବିଶ୍ରାମର ମରୂଦ୍ୟାନ କେଉଁଠି ହେଲେ ନାହିଁ–ରହିଛି କେବଳ ଅନିଚ୍ଛାକୃତ ଚିତ୍ର ଅନୁପ୍ରେରଣାର ନିର୍ମମ ତପନର ପ୍ରଚଣ୍ଡ ତେଜ । ପରିଚାଳକଙ୍କ ଅଫିସରେ ପ୍ରବେଶ କଲାମାତ୍ରକେ ସେ ପ୍ରଶ୍ନ କରୁଥିଲେ କାଲି ରାତ୍ରିରେ ଏ ବିଷୟରେ କିଛି ଚିନ୍ତା କରିଥିଲେ କି ? .....ସମାଧାନ କିଛି ହେଲା ?

 

ସେତେବେଳେ ମନ ବିଦ୍ରୋହ କରି ଉଠୁଥିଲା । ଚିତ୍ର ପରିଚାଳକ, ଚିତ୍ରସମ୍ପାଦକଙ୍କର ସୁଦୀର୍ଘ ଆଲୋଚନା ଓ ସହଯୋଗୀମାନଙ୍କ ମତାମତ ଶୁଣିବାକୁ ଭଲ ଲାଗୁ ନଥିଲା ଆଦୌ । ଏପରିକି ନିଜର ଉଦ୍‌ଭାବନୀ ଶକ୍ତି କିମ୍ବା ବିଚାର ବୁଦ୍ଧି, ପ୍ରଶଂସା ଓ ସ୍ତୁତିବାଦ ବିସ୍ୱାଦ ହୋଇପଡ଼ୁଥିଲା । ମନେହେଉଥିଲା–ନିଜକୁ ଯେମିତି ମୁଁ ବିକ୍ରୀ କରିଦେଇଛି ।

 

ନୀତି ଦୃଷ୍ଟିରୁ ଏ କାମ ମୋର ଆଦୌ ପସନ୍ଦ ନୁହେଁ । ତଥାପି ତହିଁରେ ମୁଁ ନଷ୍ଟ କରୁଛି ମୋର ସର୍ବୋତ୍ତମ ବସ୍ତୁଟିର । ଅପବ୍ୟୟ କରୁଛି ମୋର ପ୍ରତିଭାର । କିନ୍ତୁ ଆଶ୍ଚର୍ଯ୍ୟ ଏତେ ବିଦ୍ୱେଷ ସତ୍ତ୍ୱେ ବି କର୍ତ୍ତବ୍ୟରେ ଅବହେଳା କରିପାରୁ ନ ଥିଲି । ଚିତ୍ରନାଟ୍ୟ କଳା ହେଉଛି ଆର୍ଟର ଗୋଟାଏ ଘୋଡ଼ାଗାଡ଼ି । କେବଳ ପରିଶ୍ରମୀ ବଳବାନ ଘୋଡ଼ା ଏହି ଗାଡ଼ି ଟାଣନ୍ତି । ବଳକା ଘୋଡ଼ାଗାଡ଼ିଗୁଡ଼ିକୁ ଟାଣନ୍ତି ତାଙ୍କର ସାଥି ଘୋଡ଼ାଗୁଡ଼ିକ–ଯେଉଁମାନେ ଗାଡ଼ି ଓ ଘୋଡ଼ା ଉଭୟଙ୍କୁ ଟାଣନ୍ତି । ମନର ଅଧୀରତା ଓ ବିରକ୍ତି ସତ୍ୱେ ମୁଁ ଥିଲି ଗାଡ଼ିଟଣା ଘୋଡ଼ା । ପରିଚାଳକ ଓ ସହଯୋଗୀମାନଙ୍କ ଅସୁବିଧା ଦେଖିବା ମାତ୍ରକେ ମୋତେ ଅପେକ୍ଷା କରି ରହିଥାନ୍ତି, ସମସ୍ୟାର ସମାଧାନ ପାଇଁ ମୋ ପାଖକୁ ଧାଇଁ ଆସନ୍ତି । ନିଜର ବିଚାର କ୍ଷମତା ଓ ବୁଦ୍ଧିମତ୍ତାକୁ ଅଭିଶାପ ବୋଲି ମୁଁ ମନେ କରୁଥିଲେ ହେଁ ବିନା ଦ୍ୱିଧାରେ ତତ୍‌କ୍ଷଣାତ ସମସ୍ୟାର ସମାଧାନ କରିଦେଉଥିଲି-। ନିଜର ବିଦ୍ୟା ଜାହିର କରିବା ପାଇଁ ନୁହେଁ, ସତ୍ୟତା ଓ ସଦ୍‌ବୁଦ୍ଧି ପ୍ରାଣୋଦିତ ହୋଇ ତାହା କରୁଥିଲି । ପଇସା ନେଉଛି କାମ କରିବାକୁ ପଡ଼ିବ । କିନ୍ତୁ ପ୍ରତ୍ୟହ କ୍ଷୁର୍ଣ୍ଣ ମନରେ ଭାବୁଥିଲି ସାମାନ୍ୟ କେତୋଟି ମୁଦ୍ରାର ବିନିମୟରେ ମୁଁ ଏକ ଅମୂଲ୍ୟ ସମ୍ପଦର ଅପବ୍ୟବହାର କରୁଛି, ଅନ୍ୟ କ୍ଷେତ୍ରରେ ଯାର ସଦ୍‌ବ୍ୟବହାର କରାଯାଇ ପାରନ୍ତା ।

 

ଏ ଅସୁବିଧାଗୁଡ଼ିକ ଜାଣିପାରିଲି ଚୁକ୍ତିପତ୍ର ସ୍ୱାକ୍ଷର କରିବାର ଛମାସ ପରେ । ପ୍ରଥମରେ ମୁଁ ବୁଝିପାରି ନାହିଁ–ଏ ଅସୁବିଧାଗୁଡ଼ିକ ଆଖିରେ ପଡ଼ି ନାହିଁ କାହିଁକି ? କାହିଁକି ଏ ସମସ୍ତ ଆବିଷ୍କାର କରିବାକୁ ଦୀର୍ଘଦିନ ଲାଗିଲା ? ମନେହେଲା–ଯେଉଁ କାମରେ ଦିନେ ମୋର ଏତେ ଆଗ୍ରହ ଥିଲା–ତା’ଉପରେ ମୋର ବିଦ୍ୱେଷ ଓ ଅସାଫଲ୍ୟ ଏମିଲିୟା ଓ ମୋର ସଂପର୍କ ଉପରେ ପୂରାପୂରି ନିର୍ଭରଶୀଳ । ଅନୁଭବ କଲି–ଏମିଲିୟା ମୋତେ ଭଲ ପାଏନା । ଅନ୍ତତଃ ସେଇୟା ହିଁ ମୋର ଧାରଣା । କାମ କରିବାକୁ ତେଣୁ ବିରକ୍ତି ଆସେ । ଯେତେଦିନଯାଏ ଏମିଲିୟାର ପ୍ରେମ ସମ୍ବନ୍ଧରେ ମୁଁ ନିଶ୍ଚିନ୍ତ ଥିଲି, ସେତେଦିନ ପର୍ଯ୍ୟନ୍ତ ବିଶ୍ୱାସ ଓ ସାହସର ସହିତ କାମ କରିଛି । ଏବେ ମୁଁ ଆଉ ନିଃସନ୍ଦେହ ନୁହେଁ । ବିଶ୍ୱାସ ଓ ମନର ବଳ ଆଉ ନାହିଁ । ମନେହେଉଛି–ଏ ଦାସତ୍ୱ, ପ୍ରତିଭାର ଅପଚୟ, ସମୟର ଅପବ୍ୟବହାର ।

 

ସମୟର ସ୍ରୋତ ବହିଯିବାକୁ ଲାଗିଲା ।

 

ମୁଁ ଯେମିତି ଆସନ୍ନ ବ୍ୟାଧିର ଅକ୍ଷମତାର ବୋଝ ବୋହି ବୁଲୁଛି, ଅଥଚ ଡାକ୍ତର ପରାମର୍ଶ ନେବାର ସାହସ ନାହିଁ । ଇଚ୍ଛା ହେଲା ଯେତେ ଦିନ ସମ୍ଭବ ନିଶ୍ଚିନ୍ତ ରହିବାର ଚେଷ୍ଟା କରିବି । ମନର ଆକାଶଟା ସଂପୂର୍ଣ୍ଣରୂପେ ଆବୃତ୍ତ କରି ଦେଇଛି ସନ୍ଦେହର ମେଘ । ସନ୍ଦେହର କୀଟ ମନର ଫୁଲ କଳିଟିକୁ ଟିକି ଟିକି କରି କାଟିଦେଇଛି । ତେଣୁ ଶଙ୍କିତ ହୋଇପଡ଼ିଥିଲି । ଏମିଲିୟା ସହିତ ସୁସଂପର୍କ ରକ୍ଷାକରି ଚଳିବା ଦୁଃସହ, ତଥାପି ତା ସହିତ ବସବାସ କରିବାକୁ ଲାଗିଲି । ମିଛରେ ମନକୁ ପ୍ରବୋଧ ଦେବାକୁ ଲାଗିଲି । ଦିବସରେ ଅନିଚ୍ଛାକୃତ ଆକସ୍ମିକ ଓ ଅସଂଲଗ୍ନ ଆଳାପ, ରାତ୍ରିରେ କେବେ କେବେ ପ୍ରେମଳୀଳା–ଯାହାକୁ କୁହାଯିବ ଏକତରଫା ଇନ୍ଦ୍ରୟତୃପ୍ତି ବା ଏମିଲିୟା ଉପରେ ଅତ୍ୟାଚାର; ଏଇତ ଆମର ସ୍ୱାଭାବିକ ଜୀବନ ।

 

ପୂର୍ଣ୍ଣ ଉଦ୍ୟମରେ କାମ କରିବାକୁ ଲାଗିଲି । କିନ୍ତୁ ଅନିଚ୍ଛା ଓ ବିଦ୍ୱେଷର ଘୂଣ କାଟିବାକୁ ଲାଗିଲା ଦିନ ପରେ ଦିନ । ସେତେବେଳେ ସାହସକରି ନିଜର କଥା ଚିନ୍ତା କରିପାରୁଥିଲେ କାମ ଓ ଇନ୍ଦ୍ରୟସଂଭୋଗ ଉଭୟ ପରିତ୍ୟାଗ କରିଥାନ୍ତି । କାହିଁକି ନା ଦିହିଁଙ୍କ ଭିତରେ କାହାରି ହେଲେ ଉତ୍ସାହ ବା ଆଗ୍ରହ ନ ଥିଲା । ଏକଥା ଅବଶ୍ୟ ବୁଝିଲି ଅନେକ ଦିନ ପରେ । ଭାବିଥିଲି କୌଣସି ଚେଷ୍ଟା ନ କଲେ ବି ସ୍ୱତଃ ଯଥା ସମୟରେ ସମସ୍ୟାର ସମାଧାନ ହୋଇଯିବ । ସମାଧାନ ବି ହୋଇଥିଲା, ତେବେ ମୁଁ ଯେମିତି ଚାହିଁଥିଲି ଠିକ୍‌ ସେହିଭଳି ଭାବରେ ନୁହେଁ.....

 

କ୍ଷୀଣ ଅସ୍ପଷ୍ଟ ଆଶାରେ ଦିନଗୁଡ଼ିକ କଟି ଯାଉଛି । ଏମିଲିୟା ମୋତେ ଅଗ୍ରାହ୍ୟ କରି ଚାଲିଛି । ମନଦେଇ କାମ ମୋଟେ କରିପାରୁନାହିଁ । ମଝିରେ ମଝିରେ ଅତିଷ୍ଠ ହୋଇଉଠୁଛି । ମନରେ ଜାଗି ଉଠୁଛି ଦୁଶ୍ଚିନ୍ତା ।

 

ଏହାରି ଭିତରେ ବାତ୍ତିସତାଙ୍କ ଚିତ୍ରନାଟ୍ୟ ସଂପାଦନା ଶେଷ ହୋଇଗଲା । ମୋତେ ଆହୁରି ଗୋଟାଏ ଚିତ୍ର ସଂପାଦନା କଥା କହିଲେ ବାତ୍ତିସତା । ଆଗ ଅପେକ୍ଷା ଏହି କାମଟି କଠିଣ-। ସଚରାଚର ଚିତ୍ର ନିର୍ମାତାମାନଙ୍କ ଚରିତ୍ର ଯେଭଳି ହୋଇଥାଏ ବାତ୍ତିସତା ମଧ୍ୟ ସେହିଭଳି ଚଞ୍ଚଳ, ତାଙ୍କର କଥାବାର୍ତ୍ତା ରହସ୍ୟପୂର୍ଣ୍ଣ । ସେ କହିଲେ, ପ୍ରଥମ ଚିତ୍ରନାଟ୍ୟ ଅପେକ୍ଷା ଆପଣ ଏଥର ବେଶି ଟଙ୍କା ପାଇବେ ।

 

ଚିନିସଂପାଦନା କରିବାରେ ଆଉ ମୋର ଆଗ୍ରହ ନ ଥିଲା । ତଥାପି ସହଜ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ସର୍ବାଗ୍ରେ ମନରେ ପଡ଼ିଲା ସେହି ଫ୍ଳାଟଟିର କଥା । ତେଣୁ ବାତ୍ତିସତାଙ୍କ ପ୍ରସ୍ତାବରେ ଉତ୍‌ଫୁଲ ହୋଇ ଉଠିଲି । ଯାହାହେଉ ଚିତ୍ରଶିଳ୍ପର କାମଟାହିଁ ଏହିଭଳି । କାମ ନ ଥିଲେ ମନ ସଂଶୟାକୂଳ, ପଙ୍ଗୁ ହୋଇପଡ଼େ । କାମ ମିଳିଲେ ଉତ୍ସାହର ଅନ୍ତ ନ ଥାଏ ।

 

ଦୁଇଟି କାରଣରୁ ଏମିଲିୟାକୁ ବାତ୍ତିସତାଙ୍କ ନୂତନ ପ୍ରସ୍ତାବ ଜଣାଇଲି ନାହିଁ । ପ୍ରଥମତଃ ପ୍ରସ୍ତାବଟି ଗ୍ରହଣ କରିବି କି ନାହିଁ ସ୍ଥିର କରିପାରି ନ ଥିଲି । ଦ୍ୱିତୀୟତଃ ମୁଁ ନିଶ୍ଚିନ୍ତ ଯେ ମୋର କାର୍ଯ୍ୟରେ ଏମିଲିୟାର କୌଣସି କୌତୂହଳ ନାହିଁ । ତେଣୁ ସେ ସମ୍ବନ୍ଧରେ ତାକୁ କିଛି କହିବି ନାହିଁ ବୋଲି ଠିକ୍‌ କରିନେଲି, ଯେମିତି ମୁଁ ଆହୁରି ଗଭୀର ଭାବରେ ଉପଲବ୍‌ଧି କରି ପାରିବି ଯେ ସେ ନିର୍ବିକାର । ନା, ଏ ବିଷୟରେ ଖୁବ୍‌ ବେଶି ଗୁରୁତ୍ୱ ଆରୋପ କରିବା ଅନୁଚିତ । ତେବେ ବି ଜାଣିଥିଲି ଏମିଲିୟାର ଭଲ ପାଇବା ବା ଉପେକ୍ଷା କରିବା ଉପରେ କାମଟା ଗ୍ରହଣ କରିବା ନ କରିବା ସଂପୂର୍ଣ୍ଣ ନିର୍ଭର କରେ । ଏମିଲିୟା ମୋତେ ଆଉ ଭଲ ପାଉ ନାହିଁ । ତେଣୁ ସ୍ଥିର କରିପାରି ନ ଥିଲି କାମଟା ଗ୍ରହଣ କରିବି କି ନାହିଁ; ସେ ଯଦି ମୋତେ ଆଗଭଳି ଭଲ ପାଉଥାନ୍ତା ତେବେ ତାକୁ ଜଣାଇଥାନ୍ତି । ଆଉ ତାକୁ ଜଣାଇବା ଅର୍ଥ କାମଟା ଗ୍ରହଣ କରିବା....

ବାତ୍ତିସତାଙ୍କ ପାଇଁ ଯେଉଁ ଚିତ୍ରନାଟ୍ୟ ଲେଖିଥିଲି ସେହି ଚିତ୍ରର ପରିଚାଳକଙ୍କ ସହିତ ଦେଖା କରିବା ଉଦ୍ଦେଶ୍ୟରେ ସେଦିନ ସକାଳୁ ବାହାରି ପଡ଼ିଲି । ଆଜି ହିଁ ଶେଷ ହୋଇଯିବ–ଆଉ ଦୁଇ ପୃଷ୍ଠା ମାତ୍ର ବାକି । ତେଣୁ ମନରେ ଅପରିସୀମ ତୃପ୍ତି । କାମଟି ଶେଷ ହେବା ଉପରେ, ଯାହାହେଉ କିଛି ଦିନ ଶ୍ୱସ୍ତିରେ ରହିହେବ । ଚିତ୍ରନାଟ୍ୟ ଲେଖାରେ ଏହା ନିତ୍ୟନୈମିତ୍ତିକ ବ୍ୟାପାର-। ଦୁଇମାସ ବ୍ୟାପୀ ଏକାଦିକ୍ରମେ କାମ କରିବା ପରେ ଚିତ୍ରର ଚରିତ୍ର ଓ କାହାଣୀ ଉପରେ ବିରକ୍ତି ଆସିଯାଏ । ଶୀଘ୍ର ହୁଏତ ଆହୁରି ଗୋଟାଏ ବିରକ୍ତିକର କାହାଣୀ ଓ କେତୋଟି ଚରିତ୍ରର କବଳରେ ପୁଣି ପଡ଼ିବି । ଆପାତତଃ ଗୋଟାକର ହାତରୁ ମୁକ୍ତି ପାଉଛି ।

ଆସନ୍ନ ମୁକ୍ତିର ଆଶା ଓ ଆନନ୍ଦାତିଶଯ୍ୟାରେ ଦ୍ୱିଗୁଣ ଉତ୍ସାହରେ କାମ କରିବାକୁ ଲାଗିଲି । ପାଣ୍ଡୁଲିପିର କେତୋଟି ସ୍ଥାନରେ ଅଦଳ ବଦଳ କରିବାକୁ ପଡ଼ିଲା । ଏ ବିଷୟରେ କେତେଦିନ ଧରି ଆମ ଭିତରେ ଆମେ ଆଲୋଚନା କରୁଥିଲୁ ।

ଆଜି ଆଲୋଚନାକୁ ସହଜରେ ଠିକ୍‌ ପଥରେ ଚଳେଇ ନେଲି, ସମସ୍ୟାର ସମାଧାନ କରି ପକେଇଲି ପ୍ରଚଣ୍ଡ ଉତ୍ସାହରେ । ମାତ୍ର ଦୁଇ ଘଣ୍ଟା ଭିତରେ ମୁଁ ବୁଝିପାରିଲି–ଚିତ୍ରନାଟ୍ୟ ସମ୍ପାଦନା ଶେଷ ହୋଇଛି । ପର୍ବତାରୋହୀ ଯେମିତି ତାର ହରାଇଥିବା ଲକ୍ଷ୍ୟ ପଥ ଦେଖି ଉତ୍‌ଫୁଲ ହୋଇଉଠେ, ଠିକ୍‌ ସେହିଭଳି ଗୋଟାଏ ସଂଳାପ ରଚନା କରିସାରି ବିସ୍ମୟରେ କହି ଉଠିଲି.....କାହିଁକି–ଏଇଠି ତ ଶେଷ କରା ଯାଇପାରେ ।

କୋଠରୀ ଭିତରେ ପରିଚାଳକ ପଦଚାରଣ କରୁଥିଲେ । ମୁଁ ଲେଖି ଯାଉଥିଲି, ସେ ମୋ ପାଖକୁ ଆସି ଠିଆ ହେଲେ । ମୋର କାନ୍ଧ ଉପରେ ଝୁଙ୍କିପଡ଼ି ଲେଖାଟି ପଢ଼ି ଦେଖିଲେ । ପରମ ଉତ୍ସାହରେ କହିଲେ, ଠିକ୍‌ କହିଛନ୍ତି–ସତରେ ଏଇଠି ଶେଷ କରି ଦିଆଯାଇପାରେ ।

ସୁତରାଂ ପାଣ୍ଡୁଲିପିର ଶେଷ ପୃଷ୍ଠାରେ ଲେଖିଲି ସ...ମା....ପ୍ତ । ତାପରେ ବନ୍ଦକଲି ପାଣ୍ଡୁଲିପିଟି ।

ଦୁହେଁ ମୁହୂର୍ତ୍ତେ ପର୍ଯ୍ୟନ୍ତ ଠିଆ ହୋଇ ରହିଲୁ, କାହାରି ମୁହଁରେ ଭାଷା ନାହିଁ । ଦୁହିଁଙ୍କର ଦୃଷ୍ଟି ଡେକ୍‌ସ ଉପରେ ନିବଦ୍ଧ–ଯେମିତି ଦୁଇଜଣ ଅବସନ୍ନ ପର୍ବତାରୋହୀ ଅତି କଷ୍ଟରେ ଗୋଟାଏ ଅପରିସର ହ୍ରଦ ବା ଚୁଡ଼ାକୁ ଆସି ମୁଗ୍‌ଧ ବିସ୍ମୟରେ ପରମ ତୃପ୍ତିରେ ଚାହିଁ ରହିଛୁ ।

ପରିଶେଷରେ ପରିଚାଳକ କହିଲେ, କାମ ଶେଷ ହେଲା ତାହାହେଲେ । ଟିକିଏ ପରେ ମୁରୁକି ହସି କହିଲେ, ଟଙ୍କା ଲୋଭରେ ଆପଣ ଶୀଘ୍ର କାମଟି ଶେଷ କରିପାରିଲେ, ନୁହେଁ ? ପରିଚାଳକଙ୍କ ନାମ ମି: ପାସେତ୍ତି । ସୁଦର୍ଶନ ତରୁଣ । ଚେହେରା ସୂକ୍ଷ୍ମ ଜ୍ୟାମିତିକ ବା ହିସାବ ରକ୍ଷକ ଭଳି–ଶିଳ୍ପୀ ଜନୋଚିତ ନୁହେଁ । ବୟସ ପ୍ରାୟ ମୋ ସହିତ ସମାନ । କିନ୍ତୁ ସେ ଚିତ୍ରନାଟ୍ୟ ପରିଚାଳକ, ଆଉ ଚିତ୍ରନାଟ୍ୟ ସମ୍ପାଦକ । ଦୁହିଁଙ୍କର ସମ୍ପର୍କ ପ୍ରଭୁ ଓ ଭୃତ୍ୟର ଅନୁରୂପ । କାହିଁକି ନା ଆମର ସହଯୋଗୀମାନଙ୍କର ତୁଳନାରେ ପରିଚାଳକଙ୍କର କ୍ଷମତା ହିଁ ବେଶି ।

ଯଦିଓ ପାସେତ୍ତିଙ୍କ ସାହଚର୍ଯ୍ୟ ମୋତେ ଭଲ ଲାଗୁଥିଲା, ମୋ ସହିତ ତାଙ୍କ ଜୀବନ ବା ଚରିତ୍ରର କୌଣସି ସାମଞ୍ଜସ୍ୟ ନ ଥିଲା । କଳ୍ପନା ଶକ୍ତି ଓ ସାହସ ନ ଥିଲେ ହେଁ ମୋଟାମୋଟି ଭଦ୍ରଲୋକଟି ଶିଷ୍ଟାଚାରୀ ! ତାଙ୍କର ରସିକତାରେ ଗମ୍ଭୀର ଭାବରେ କହିଲି, ହଁ.....ସେଇୟା ।

ସିଗାରେଟରେ ଅଗ୍ନି ସଂଯୋଗ କରି ସେ କହିଲେ, ତେବେ ମନେକରନ୍ତୁ ନାହିଁ ଯେ କାମଟା ଶେଷ ହୋଇଯାଇଛି.... ପ୍ରଧାନ ଅଂଶଟା ଶେଷ ହୋଇଛି, କିନ୍ତୁ ସଂଳାପଟା ମୂଳରୁ ସଂଶୋଧନ କରିବାକୁ ପଡ଼ିବ–ଏ ପର୍ଯ୍ୟନ୍ତ ବି ଠିକ୍‍ ଭାବରେ କୁହାଯାଇପାରିବ ନାହିଁ କେତେ ପରିମାଣରେ ଆପଣ ସଫଳ ହୋଇ ପାରିଛନ୍ତି ।

 

କହିଲି, କିଛି ମନେକରିବେ ନାହିଁ । ଦରକାର ହେଲେ ଖବର ଦେବେ । ମୁଁ ନିଶ୍ଚୟ ଯିବି-

 

ମୁଣ୍ଡ ହଲେଇ ପାସେତ୍ତି କହିଲେ, ନିଶ୍ଚୟ ମୁଁ ମଧ୍ୟ ମୋର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ–ଆପଣଙ୍କର ପ୍ରାପ୍ୟ ସମୁଦାୟ ନ ଦେଇ ହାତରେ କିଛି ରଖିବାକୁ ପଡ଼ିବ–ବୁଝିପାରିଲେ ତ ? ତାଙ୍କର ଏହି ସକୌତୁକ ଉକ୍ତିରେ ମୁଁ ଲକ୍ଷ୍ୟ କଲି କର୍ତ୍ତୃତ୍ୱର ସ୍ୱର । ତାଙ୍କ ଭଳି ତରୁଣର ମୁହଁରେ ଏ ଧରଣର ଉକ୍ତି ବିସ୍ମୟକର । ସିଏ ତାଙ୍କର ସହଯୋଗୀମାନଙ୍କୁ କେତେବେଳେ ପ୍ରଶଂସା କରନ୍ତି, ଅପର ମୁହୂର୍ତ୍ତରେ ସେମାନଙ୍କ ଉପରେ ଦୋଷାରୋପ କରନ୍ତି । ପୁଣି କେତେବେଳେ ତୋଷାମଦ କରନ୍ତି ତ କେତେବେଳେ ଆଦେଶର ଭଙ୍ଗିରେ ଅନୁରୋଧ କରନ୍ତି । ଏହି ହିସାବରେ ତାଙ୍କୁ ଜଣେ ସୁଦକ୍ଷ ପରିଚାଳକ କୁହାଯାଇପାରେ । କାହିଁକି ନା ପରିଚାଳକଙ୍କର କୃତିତ୍ୱ ଅନେକ ପରିମାଣରେ କାମ କରେଇ ନେବାର ଦକ୍ଷତା ଉପରେ ନିର୍ଭର କରେ ।

 

କହିଲି, ନା–ମୋର ସମୁଦାୟ ପ୍ରାପ୍ୟଟା ଦେଇଦେବା ପାଇଁ କହିବେ । ଆପଣଙ୍କୁ କଥା ଦେଉଛି–ଯେତେବେଳେ ଦରକାର ପଡ଼ିବ କାମ କରିଦେଇ ଆସିବି ।

 

ରସିକତା କରି ସେ କହିଲେ, ଦେଖନ୍ତୁ ମହାଶୟ ! ଆପଣ ଏତେ ଗୁଡ଼ିଏ ଟଙ୍କା ନେଇ କଣ କରନ୍ତି ? ଆପଣଙ୍କୁ ଅର୍ଥର ଅନାଟନ ହୁଏ, ଯଦିଓ ଆପଣଙ୍କର ୠଣ ନାହିଁ, ଉପପତ୍ନୀ ନାହାନ୍ତି–ଏପରିକି ପିଲାଛୁଆ ବି ନାହାନ୍ତି ।

 

ତାଙ୍କରି କଥାରେ ଅଳ୍ପ କ୍ଷୁର୍ଣ୍ଣ ହୋଇ କହିଲି, ଫ୍ଳାଟର କିସ୍ତି ଦେବାକୁ ହୁଏ ।

 

ଅନେକ ଟଙ୍କା ବାକି ପଡ଼ିଛି ବୋଧହୁଏ ? କହିଲେ ମି; ପାସେତ୍ତି ।

 

ପ୍ରାୟ ସବୁଯାକ ଟଙ୍କା ବାକି ପଡ଼ିଛି ।

 

ତଥାପି ବାଜିମାରି ମୁଁ କହିପାରେ–ପାଉଣା ଟଙ୍କା ଆଦାୟ କରି ନ ପାରିଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଧମକାନ୍ତି । ମୁଁ ସ୍ପଷ୍ଟ ଶୁଣିପାରୁଛି ତାଙ୍କର କଣ୍ଠସ୍ୱର–ସେ ଆପଣଙ୍କୁ କହୁଛନ୍ତି ଦେଖ ରିକାର୍ଡ଼ୋ ! ଏମାନଙ୍କ ପାଖରୁ ସବୁ ଟଙ୍କା ନେଇ ଆସ.... ନୁହେଁ ?

 

ଏଥର ମୋତେ ମିଥ୍ୟାର ଆଶ୍ରୟ ନେବାକୁ ପଡ଼ିଲା । କହିଲି, ହଁ, ମୋର ସ୍ତ୍ରୀ–କିନ୍ତୁ ଆପଣ ଜାଣନ୍ତି ସ୍ତ୍ରୀମାନଙ୍କ ସ୍ୱଭାବ । ଘର ସେମାନଙ୍କ ନିକଟରେ ଅତି ମୂଲ୍ୟବାନ୍‌ ।

 

ଆପଣ ମୋତେ ଏକଥା କହୁଛନ୍ତି ? ସେ ତାଙ୍କର ସ୍ତ୍ରୀଙ୍କର ଗୁଣ ବ୍ୟାଖାନ କରିବାକୁ ଲାଗିଲେ । ପାସେତ୍ତିଙ୍କର ସେ ଯୋଗ୍ୟ ପତ୍ନୀ । ପାସେତ୍ତି ମନେକରନ୍ତି ସେ ନିଜେ ଗୋଟାଏ ଚଞ୍ଚଳ ଜୀବ–ଅନେକ କିଛି ଅସ୍ୱାଭାବିକ, ଗୋଟାଏ ସ୍ତ୍ରୀଲୋକ....

 

ମନ ଉଡ଼ିବୁଲୁଥିଲା ବହୁ ଦୂରରେ । ତଥାପି ଏଭଳି ଭାବ ଦେଖେଇଲି ଯେମିତି ତାଙ୍କ କଥା ମନଦେଇ ଶୁଣୁଛି । ହଠାତ୍‌ ସେ ତାଙ୍କର କଥାରେ ପୂର୍ଣ୍ଣଚ୍ଛେଦ ଟାଣିଲେ । ତେବେ ବେଶ୍‌ ଭଲ କଥା, କିନ୍ତୁ ମୁଁ ଜାଣେ, ଆପଣମାନେ ଚିତ୍ର ସଂପାଦକଗଣ କି ପ୍ରକାରର, ସମସ୍ତେ ଠିକ୍‌ ଗୋଟାଏ ଧରଣର । ଅର୍ଥଟା ଆସିବା ମାତ୍ରକେ–ବେଶ୍‌..... ଆପଣମାନଙ୍କ ଦେହର ଗନ୍ଧ ପାଇବା ମୁସ୍କିଲ । ଗୋଟାଏ କିସ୍ତିର ଟଙ୍କା ଯେମିତି ସେ ହାତରେ ରଖନ୍ତି ।

 

ଦେଖନ୍ତୁ ମୁଁ ଯାହା କହିଛି ଦୟାକରି ସେଇୟା କହିବେ ।

 

ଆଚ୍ଛା ! ବେଶ୍‌ ଚେଷ୍ଟା କରିବି । ତେବେ ବିଶେଷ ଭରସା କରି ବସିରହିବେ ନାହିଁ । ପୁନରାୟ ଘଡ଼ିକୁ ଚାହିଁଲି । ତାଙ୍କୁ କର୍ତ୍ତୃତ୍ୱ ଦେଖାଇବାର ସୁଯୋଗ ଦେଇଛି, ସେହି ସୁଯୋଗ ସେ ଗ୍ରହଣ କରିଛନ୍ତି । ଯାହାହେଉ ଏଥର ଯିବାକୁ ପଡ଼ିବ । କହିଲି, ମୁଁ ବିଶେଷ ଖୁସି ଯେ କାମଟି ଶେଷ ହୋଇଛି । ଯିବାର ସମୟ ହୋଇଯାଇଛି ।

 

ବିନା ଚିନ୍ତାରେ ସ୍ଫୁର୍ତ୍ତି ସହକାରେ ସେ କହିଲେ, ଆରେ ଇୟେ କଣ–ଆସନ୍ତୁ ଆମର ଆଗାମୀ ଚିତ୍ରର ସଫଳତା ପାଇଁ ପାନାହାର କରାଯାଉ । ଚିତ୍ରନାଟ୍ୟ ଶେଷ ହେଲା, ଆପଣଙ୍କୁ ତ ଆଉ ଏଭଳି ଛାଡ଼ିଦିଆଯାଇ ପାରେନା–ମୋ ଘରକୁ ଯିବାକୁ ଆପଣଙ୍କର କୌଣସି ଆପତ୍ତି ନାହିଁ ତ ?

 

ନା....ନା....ଆପତ୍ତି କରିବି କାହିଁକି ?

 

ବେଶ୍‌ ଆସନ୍ତୁ ତାହାହେଲେ–ମୋରି ସ୍ତ୍ରୀ ଏ ଆନନ୍ଦରେ ଯୋଗ ଦେଇପାରିଲେ ଖୁସି ହେବ ।

 

ଗୋଟାଏ ସରୁଗଳି ଦେଇ ପାସେତ୍ତିଙ୍କ ସହିତ ଚାଲିଲି । ପାସେତ୍ତି ଆଗେ ଘର ଭିତରକୁ ପଶିଯାଇ ଡାକିଲେ ଲୁଇସ.. ମଲଟେନି ଓ ମୁଁ ଆମର ଚିତ୍ରନାଟ୍ୟ ଶେଷ କରିଛୁ–ବର୍ତ୍ତମାନ ଆମେ ଆମ ଭବିଷ୍ୟତ ସାଫଲ୍ୟର ପାଇଁ ପାନାହାର କରିବାକୁ ଚାହୁଁ ।

 

ଚୌକୀରେ ବସିଥିଲେ ମିସେସ୍‌ ପାସେତ୍ତି । ମି. ପାସେତ୍ତିଙ୍କ କଥା ଶୁଣି ସେ ଅଭ୍ୟର୍ଥନା କରିବାକୁ ଆଗେଇ ଆସିଲେ । ଭଦ୍ରମହିଳା ଖର୍ବକାୟା, ସ୍ଥୂଳାଙ୍ଗୀ, ଚୂର୍ଣ୍ଣକୁନ୍ତଳ ନଇଁ ଆସିଛି ବିବର୍ଣ୍ଣ ମୁହଁ ଉପରକୁ । ଆଖି ଦୁଇଟି ଗୋଲ, ଶେତା । ସ୍ୱାମୀଙ୍କ ଉପସ୍ଥିତିରେ ଜ୍ୱଳନ୍ତ ହୋଇପଡ଼େ–ଅନବରତ ଚାହିଁ ରହିଥାନ୍ତି ମି. ପାସେତ୍ତିଙ୍କୁ । କିନ୍ତୁ ସ୍ୱାମୀ ଚାଲିଗଲେ ଆଖି ଉଠେଇ କୌଣସି ଆଡ଼କୁ ଚାହାନ୍ତି ନାହିଁ.... ଚାରିବର୍ଷର ଘରକରଣା ଭିତରେ ସେ ଚାରୋଟି ସନ୍ତାନର ଜନନୀ ।

 

ଆଜି ସମସ୍ତେ ମିଶି ମନଇଚ୍ଛା ମଦ ପିଇବା.....କଣ କହୁଛ ? ମିସେସ୍‌ ପାସେତ୍ତି ବିନୟ ସହକାରେ କହିଲେ, କିନ୍ତୁ ତୁମେ ତ ଜାଣ ମୁଁ ମଦ ପିଏନା ।

 

ତେବେ ଆମ୍ଭେ ଦୁହେଁ ପିଇବୁ । ମି: ପାସେତ୍ତି କହିଲେ ।

 

ଅଗ୍ନିକୁଣ୍ଡର ଅପର ପାର୍ଶ୍ୱରେ ସେ ବସିଥିଲେ । ମିସେସ୍‌ ପାସେତ୍ତି ମୋ ସହିତ ଆଳାପ କରିବାର କୌଣସି ପ୍ରୟୋଜନ ମନେକଲେ ନାହିଁ । ମୁହଁ ପୋତି କୋଳ ଉପରେ ହାତ ଦୁଇଟିକୁ ରଖି ସେ ସ୍ଥିର ଭାବରେ ବସି ରହିଲେ । ଦୁଇ ବୋତଲ ମଦ ଆଣି ଟେବୁଲ ଉପରେ ଥୋଇଦେଇ ମି: ପାସେତ୍ତି ବରଫ ଆଣିବାକୁ ବାହାରିଗଲେ ।

 

ନିରବରେ କିଛି ସମୟ ବସି ରହିଲି । ତା ପରେ ହଠାତ୍‌ କହିଲି, ଜାଣନ୍ତି ମିସେସ୍‌ ପାସେତ୍ତି । ଆମର ଚିତ୍ରନାଟ୍ୟଟି ଶେଷ ହୋଇଛି ।

 

ଉପରକୁ ମୁହଁ ଟେକି ସେ ଜବାବ ଦେଲେ, ହଁ ଜିନୋ ପାଖରୁ ଶୁଣିଛି–

 

ଚିତ୍ରଟି ଯେ ଖୁବ୍‌ ସଫଳ ହେବ ଏ ବିଷୟରେ ମୋର ଟିକିଏ ବି ସନ୍ଦେହ ନାହିଁ ।

 

ମୋର ମଧ୍ୟ ନାହିଁ, ନ ହେଲେ କଣ ଜିନୋ ଏ ଚିତ୍ର ଦାୟିତ୍ୱ ନେଇଥାନ୍ତେ ?

 

ଆଚ୍ଛା ! ଗଳ୍ପଟି ଆପଣ ଜାଣନ୍ତି ?

 

ଆପଣଙ୍କ ମନକୁ ପାଇଛି ?

 

ହଁ ଜିନୋ କହିଛନ୍ତି ।

 

ଜିନୋ ଯେତେବେଳେ ପସନ୍ଦ କରିଛନ୍ତି ମୋତେ ଆଉ କଣ ଭଲ ଲାଗିବ ନାହିଁ ?

 

ସବୁ ସମୟରେ ଆପଣ ଦୁହିଁଙ୍କର ମତ ବୋଧହୁଏ ଏକ । ମୁଁ କହିଲି ।

 

ଜିନୋ ଓ ମୁଁ ? ହଁ–ନିଶ୍ଚୟ.....ନିଶ୍ଚୟ ।

 

ତେବେ କାର ମତ ବେଶି ଗୃହୀତ ହୁଏ ?

 

କାହିଁକି ? ତାଙ୍କର ।

 

ଲକ୍ଷ୍ୟ କଲି ମିସେସ୍‌ପାସେତ୍ତିଙ୍କ ମୁହଁରେ ଜିନୋ ଛଡ଼ା ଯେମିତି ଅନ୍ୟ କୌଣସି କଥା ନାହିଁ । ଅତି ଧୀର ଭାବରେ ସେ ମୋର କଥାର ଉତ୍ତର ଦେଉଥିଲେ ।

 

ବରଫ ଧରି ଫେରି ଆସି ମି: ପାସେତ୍ତି କହିଲେ, ରିକାର୍ଡ଼ୋ ତୁମର ସ୍ତ୍ରୀ ଟେଲିଫୋନ କରୁଛନ୍ତି । –ମୋର ମନେହେଲା, ମୋର ସୁଖର ଦିନ ବୋଧହୁଏ ଅତର୍କିତ ଭାବରେ ଫେରିଆସିଛି-। ବ୍ୟସ୍ତ ଭାବରେ ଠିଆ ହେଲି ।

 

ମି: ପାସେତ୍ତି କହିଲେ, ଟେଲିଫୋନ ଆରଘରେ ରହିଛି । ତେବେ ଏଠି ଥାଇ ବି ଆପଣ କଥାବର୍ତ୍ତା କରିପାରିବେ । ସୁଇଚ୍‌ ଦେଇ ଦେଉଛି ।

 

ଅଗ୍ନିକୁଣ୍ଡ ପାଖରେ ଗୋଟିଏ ବାକ୍‌ସ ଉପରେ ଟେଲିଫୋନଟି । ରିସିଭର କାନ ପାଖରେ ଦେବାମାତ୍ରକେ ଶୁଣିଲି ଏମିଲିୟାର କଣ୍ଠସ୍ୱର । ମୁଁ ମା ପାଖକୁ ଯାଉଛି । ତୁମେ ବାହାରେ ଖିଆପିଆ ସାରି ଆସ, ବୁଝିଲ, କିଛି ମନେକରିବ ନାହିଁ ।

 

କିନ୍ତୁ ଆଗରୁ କାହିଁକି କହି ନାହଁ ?

 

ତୁମର କାମରେ କାଳେ ବାଧା ପହଞ୍ଚିବ, ଏଇଥିପାଇଁ ।

 

ବେଶ୍‌ ମୁଁ ରେସ୍ତୋରାଁରେ ଖାଇନେବି ।

 

ଆଚ୍ଛା ।

 

ରିସିଭରଟି ରଖିଦେଇ ମି. ପାସେତ୍ତିଙ୍କୁ ଚାହିଁଲି । ପାସେତ୍ତି ପ୍ରଶ୍ନ କଲେ, ଆପଣ କଣ ଆଜି ଘରକୁ ଫେରୁ ନାହାନ୍ତି । ଘରେ ଖାଇବେ ନାହିଁ ?

 

ମୁଁ ଉତ୍ତର ଦେଲି, ନା–ରେସ୍ତୋରାଁରେ ଖାଇବି ।

 

ସେ କଥା ପଟିବ ନାହିଁ–ଆମ ସଙ୍ଗରେ ଖାଇବେ.... ସାଧାରଣ ଖାଦ୍ୟ..... ତଥାପି ଆମେ ଦୁହେଁ ଖୁସି ହେବୁ ।

 

ଭାବିଥିଲି ଚିତ୍ରନାଟ୍ୟ ଶେଷ ହେବା ସମ୍ବାଦଟି ଏମିଲିୟାକୁ ଦେବି । ତେଣୁ ଏକାକୀ ରେସ୍ତୋରାଁରେ ଖାଇବା କଥା ଚିନ୍ତା କଲା ବେଳକୁ ହତାଶ ହୋଇପଡ଼ିଲି । ହୁଏତ ଶେଷ ପର୍ଯ୍ୟନ୍ତ ତାକୁ କହି ନ ଥାନ୍ତି । ଏ ବିଷୟରେ ତାର ତ ମୋଟେ ଆଗ୍ରହ ନାହିଁ । ତଥାପି ଦୁହିଁଙ୍କର ପୁରାତନ ସଂପର୍କ କଥା ଆଦୌ ଭୁଲିପାରି ନାହିଁ ।

 

ପାସେତ୍ତିଙ୍କ ନିମନ୍ତ୍ରଣରେ ଖୁସି ହେଲି । କେବଳ ଆନନ୍ଦରେ ରାଜି ହେଲି କହିଲେ ଭୁଲ ହେବ, କୃତଜ୍ଞତା ପ୍ରକାଶ କଲି । ବୋତଲ ଦୁଇଟିର କର୍କ ଖୋଲି ଜିନ୍‌ ଓ ମଦ ମିଶେଇ ଚାମୁଚ ସାହାଯ୍ୟରେ ମିଳେଇବାକୁ ଲାଗିଲେ ମି: ପାସେତ୍ତି । ମିସେସ୍‌ ପାସେତ୍ତି ଅପଲକ ଦୃଷ୍ଟିରେ ସ୍ୱାମୀଙ୍କୁ ଚାହିଁ ରହିଲେ । .....ମିଶ୍ରିତ ସୁରା ଗ୍ଳାସରେ ଢାଳିବାକୁ ଲାଗିଲେ ମି: ପାସେତ୍ତି । ମିସେସ୍‌ ପାସେତ୍ତି ଅଧୀର ଭାବେ କହିଲେ, କେବଳ ଟୋପାଏ....ଏତେ ବେଶି ଦିଅ ନାହିଁ......ଆଉ ତୁମେ ବି ବେଶି ଖାଅନା ଜିନୋ.....ଅନଷ୍ଟ ହୋଇପାରେ । ପାସେତ୍ତି ହସିଲେ । କହିଲେ, କଣ ଯେ କୁହ.....ସବୁଦିନ ତ ଆଉ ଚିତ୍ରନାଟ୍ୟ ଶେଷ ହୁଏନା ।

 

ସେ ଦୁଇଟି ଗ୍ଳାସ ପୂରାପୂରି ଭର୍ତ୍ତି କରିନେଲେ । ଦ୍ୱିତୀୟ ଗ୍ଳାସଟିରେ ସ୍ତ୍ରୀଙ୍କ କହିବା ମୁତାବକ ଖୁବ୍‌ ଅଳ୍ପ । ତିନିହେ ଗ୍ଳାସ ଉଠାଇନେଲୁ ।

 

ଓଠ ଦୁଇଟି ଅଳ୍ପ ଓଦା କରି ଗ୍ଳାସଟି ଟେବୁଲ ଉପରେ ରଖି ମି: ପାସେତ୍ତି କହିଲେ, ଏମିତି ଆହୁରି ଅଜସ୍ର ଚିତ୍ରନାଟ୍ୟ ଯେମିତି ଆମେ ଶେଷ କରିପାରୁ.....ଏକା ନିଶ୍ୱାସରେ ଶେଷ କରି ପକେଇଲି ପାନୀୟ ତକ । ଅଳ୍ପ ଅଳ୍ପ ଢୋକି ନେଇ ମିସେସ୍‌ ପାସେତ୍ତି କହିଲେ, ଏଥର ରୋଷେଇଘରକୁ ଯାଇ ଦେଖେ–ଚାକରାଣୀଟା କଣ କରୁଛି । କିଛି ମନେକରିବେ ନାହିଁ । ମିସେସ୍‌ ପାସେତ୍ତି ବାହାରିଗଲେ ।

 

ପାସେତ୍ତି ଚୌକୀରେ ବସିଲେ । ଆରମ୍ଭ ହେଲା ଅସରନ୍ତି ଗଳ୍ପ । ପାସେତ୍ତି ନିଜେ ବକ୍ତା-। ତାଙ୍କର ବକ୍ତବ୍ୟ କେବଳ ଚିତ୍ରନାଟ୍ୟ ସମ୍ବନ୍ଧରେ । ମୁଁ କେବଳ ନୀରବରେ ଶୁଣିବାକୁ ଲାଗିଲି, ଆଉ ମଝିରେ ମଝିରେ ଅସ୍ପଷ୍ଟ କଣ୍ଠରେ ତାଙ୍କର ବକ୍ତବ୍ୟକୁ ସମର୍ଥନ କରିବାକୁ ଲାଗିଲି । ତିନି ଚାରି ଗ୍ଳାସ ମଦ ଖାଇଲି, ତଥାପି ଟିକିଏ ହେଲେ ନିଶା ଧରି ନାହିଁ, କେବଳ ବଢ଼ିଛି ମନର ଦୁଃଖ-। ମନେପଡ଼ିଲା–ଅଳ୍ପ ଆଗରୁ ଶୁଣୁଛି ଏମିଲିୟାର ଉଦାସ ଓ ଯୁକ୍ତିପୂର୍ଣ୍ଣ କଣ୍ଠସ୍ୱର । ମିସେସ୍‌ ପାସେତ୍ତିଙ୍କ ସହିତ ତାର କେତେ ତଫାତ୍‌ । ଯେମିତି ଠିକ୍‌ ଦୁଇଟି ଭିନ୍ନମୁଖୀ ନଦୀ । ଆଉ ଚିନ୍ତା କରିପାରିଲି ନାହିଁ ।

 

ଅଳ୍ପ ସମୟ ପରେ ମିସେସ୍‌ ପାସେତ୍ତି ଫେରିଆସି ରାତ୍ରି ଭୋଜନର ନିମନ୍ତ୍ରଣ ଜଣାଇଲେ । ଡାଇନିଂ ହଲ୍‌ଟି ବେଶ୍‌ପରିଷ୍କାର ପରିଚ୍ଛନ୍ନ । ଟେବୁଲ ଉପରେ ପରିଚାରିକାଟି ସନ୍ତର୍ପଣରେ ଭୋଜନସାମଗ୍ରୀ ଥୋଇଦେଇ ଗଲା । ମୁଁ ନିରବରେ ଭୋଜନ କରିବାକୁ ଲାଗିଲି । ପାସେତ୍ତିଙ୍କୁ ତାଙ୍କର ଭବିଷ୍ୟତ ପରିକଳ୍ପନା ସମ୍ବନ୍ଧରେ ପ୍ରଶ୍ନକଲି । ସେ ସ୍ୱାଭାବିକ ନିର୍ଲିପ୍ତ ଭଙ୍ଗିରେ ଉତ୍ତର ଦେଲେ । ତାଙ୍କର ପରିକଳ୍ପନା ମୋର ମନଃପୁତ ହେଲା ନାହିଁ । ଏହି ଚିରାଚରିତ କଥା ଶୁଣିବା ପାଇଁ ମୋତେ ଆଉ ଭଲ ଲାଗୁ ନ ଥିଲା । ମୋର ଦୃଷ୍ଟି ଚଞ୍ଚଳ ହୋଇ ଉଠିଲା । ହଠାତ୍‌ ମିସେସ୍‌ପାସେତ୍ତିଙ୍କ ଉପରେ ଆଖି ପଡ଼ିବା ମାତ୍ରକେ ଦେଖିଲ ଆମର ଆଳାପ ସେ ମନଯୋଗ ସହକାରେ ଶୁଣୁଛନ୍ତି, ଆଉ ଗାଲ ଉପରେ ହାତ ଥୋଇ ମି: ପାସେତ୍ତିଙ୍କୁ ଚାହିଁ ରହିଛନ୍ତି । ସେହି ଦୃଷ୍ଟି ପ୍ରଣୟାକୁଳ, ଅଭିଭୂତ, ଶ୍ରଦ୍ଧାଜଡ଼ିତ, କୃତଜ୍ଞତାପୂର୍ଣ୍ଣ, ଭୀରୁ, ବିଷର୍ଣ୍ଣ ଓ ବିମୁଗ୍‌ଧ । ଏହି ରହସ୍ୟମୟ ଆବେଗ ଦେଖି ଅବାକ୍‌ ହୋଇଗଲି । ନାରୀର ଚିତ୍ତ ଜୟ କରିବାର କୌଣସି ଗୁଣ ପାସେତ୍ତିଙ୍କ ପାଖରେ ନାହିଁ । ତେଣୁ ମିସେସ୍‌ ପାସେତ୍ତିଙ୍କ ଏହି ଅସାଧାରଣ ଆକର୍ଷଣ ଦେଖି ନିଜର ଦୃଷ୍ଟିକୁ ବିଶ୍ୱାସ କରିପାରିଲି ନାହିଁ । ତାପରେ ମନେ ମନେ ଭାବିଲି ପୁରୁଷ ବୋଧହୁଏ ଏମିତି ଏକ ନାରୀ ଖୋଜେ ଯିଏ ତାକୁ ଜୀବନ ଦେଇ ଭଲପାଉ, ତାର ଗୁଣରେ ମୁଗ୍‌ଧ ବିସ୍ମୃତ ହୋଇପଡ଼ୁ । ନିଜ ମନର ମାପକାଠିରେ ଅନ୍ୟ ବ୍ୟକ୍ତିର ମନର ଗଭୀରତା ମୋଟେ କଳନା କରାଯାଇପାରେନା । ନିଷ୍କଳୁଷ ପତିଭକ୍ତି ପାଇଁ ମିସେସ୍‌ ପାସେତ୍ତିଙ୍କ ଉପରେ ସମବେଦନା ଜ୍ଞାପନ କଲି । ତାଙ୍କର ଏହି ଆଚରଣ ଅଦ୍ଭୁତ ହେଲେ ହେଁ ମୋତେ ଖୁବ୍‌ ଭଲ ଲାଗିଲା । ଶେଷରେ କ୍ଳାନ୍ତ ହୋଇ ପଡ଼ିଲି । ହୁଏତ ତନ୍ମୟ ହୋଇ ଏହି ନାରୀଟିର ଦୁଇ ଆଖିରେ ଫୁଟି ଉଠିଛି ସ୍ୱାମୀ ପ୍ରତି ଅକପଟ ସ୍ନେହ । ତାଙ୍କର ସ୍ୱାମୀ ତୃପ୍ତ ଓ ସନ୍ତୁଷ୍ଟ, କାରଣ ପାସେତ୍ତିଙ୍କ ସ୍ତ୍ରୀ ତାଙ୍କୁ ଭଲପାଏ । କିନ୍ତୁ ଏମିଲିୟାର ଆଖିରେ ସେ ଆସକ୍ତି ନାହିଁ.....ଏମିଲିୟା ମୋତେ ଭଲପାଏନା ।

 

ହଠାତ୍‌ ଜ୍ୱରାକ୍ରାନ୍ତ ମଣିଷ ଭଳି ମୋର ସର୍ବଶରୀର କଂପିବାକୁ ଲାଗିଲା । ସେତେବେଳେ ଯାଏ ପାସେତ୍ତି ଅନର୍ଗଳ କହିଯାଉଥିଲେ । ତାଙ୍କରି କଥା ମୁଁ ମୋଟେ ଶୁଣିପାରୁ ନ ଥିଲି । ମନେ ମନେ ନିଜର ଏହି ଦୁର୍ବୋଧ୍ୟ ବେଦନାର ଅନୁଭୂତି ବିଶ୍ଳେଷଣ କରିବାର ଚେଷ୍ଟା କରୁଥିଲି.... । ନା.....ନା ଏଭଳି ଭାବରେ ବସିରହିବା ଅସମ୍ଭବ । ଏମିଲିୟା ଠାରୁ କୈଫିୟତ ମାଗିବି–ପ୍ରୟୋଜନ ହେଲେ ତା ନିକଟରୁ ଚାଲିଯିବି, କାମ ବି ପରିତ୍ୟାଗ କରିବି ।

 

ବାରମ୍ବାର ଚିନ୍ତାକଲି, ପ୍ରତିଜ୍ଞା କଲି ଗଭୀର ହତାଶାରେ । ତଥାପି ପୂରାପୂରି ବିଶ୍ୱାସ କରିପାରିଲି ନାହିଁ ଏମିଲିୟାର ପ୍ରେମ ମୁଁ ହରେଇଛି, ଆଉ ତାରି ନିକଟରୁ ମୋତେ ଅପସରି ଯିବାପାଇଁ ପଡ଼ିବ । ନିର୍ମମ ନିଶ୍ଚିତ ଏହି ଅଭିନବ ଅନୁଭୂତି ! କାହିଁକି ? କାହିଁକି ? ଏହି ମର୍ମନ୍ତୁଦ ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ପ୍ରମାଣ ଦରକାର, ଆହୁରି ସ୍ପଷ୍ଟ–ପ୍ରମାଣ । କାହିଁକି ସେ ମୋତେ ଭଲପାଏନା ? ତାର ନିଜ ମୁହଁରୁ ଶୁଣିବାକୁ ହେବ, ବିଚାର କରି ଦେଖିବାକୁ ପଡ଼ିବ । ଯେଉଁ କ୍ଷତଟାକୁ ଏତେଦିନ ଗ୍ରାହ୍ୟ କରି ନାହିଁ ତାରି ଭିତରେ ଚଳେଇବା ପାଇଁ ହେବ ଶାଣିତ ଛୁରିକା । ମନେ ମନେ ଖୁବ୍‌ ଆନନ୍ଦିତ ହୋଇପଡ଼ିଲି । ତଥାପି ବୁଝିପାରିଲି ଚରମ ଅନୁସନ୍ଧାନ ପରେ ହିଁ ଏମିଲିୟା ନିକଟରୁ ବିଦାୟ ନେବାପାଇଁ ହେବ ।

 

ଯଥା ସମୟରେ ଭୋଜନ ସମାପ୍ତ ହେଲା । ବୈଠକଖାନାରେ ବସି ଆଉ କିଛି ସମୟ ଦୁହେଁ ଗଳ୍ପ କଲୁ । ତାପରେ ବ୍ୟସ୍ତତାର ଭାବ ନ ଦେଖେଇ ଚେୟାର ଛାଡ଼ି ଉଠିଲି । ପାସେତ୍ତିଙ୍କ ବଡ଼ ଝିଅଟାକୁ ସଙ୍ଗରେ ଧରି ଧାଇଁ ଆସି ଘର ଭିତରେ ପ୍ରବେଶ କଲା । ବାହାରକୁ ନେବା ଆଗରୁ ଝିଅଟିକି ବାପମାଙ୍କୁ ଦେଖେଇ ନେବାପାଇଁ ସେ ଆଣିଛି । ମିସେସ୍‌ ପାସେତ୍ତି କୋଳକୁ ଟେକିନେଇ ତାର ନରମ ଗାଲରେ ଚୁମ୍ବନ କରିବାକୁ ଲାଗିଲେ । ଭାବିଲି ମୁଁ ଏମାନଙ୍କ ଭଳି କେବେହେଲେ ସୁଖୀ ହୋଇପାରିବି ନାହିଁ । ଏହି ଜନ୍ମରେ ଏମିଲିୟା ଆଉ ମୋର ସନ୍ତାନ ହେବ ନାହିଁ ।

 

ଅପତ୍ୟ ସ୍ନେହର ଏହି ଅପୂର୍ବ ଦୃଶ୍ୟ ଆଉ ସହ୍ୟ କରିପାରୁ ନ ଥିଲି । ଅଧୀର ହୋଇ ଉଠିଲି । କହିଲି, ଏଥର ଯିବି... ।

 

ଗେଟ୍‌ ପର୍ଯ୍ୟନ୍ତ ମୋତେ ଆଗେଇ ଦେଲେ ମି: ପାସେତ୍ତି । ମିସେସ୍‌ ପାସେତ୍ତି ମୋର ଅପ୍ରତ୍ୟାଶିତ ବିଦାୟରେ ବିସ୍ମୟ ପ୍ରକାଶ କଲେ । ହୁଏତ ଭାବିଲେ–ତାଙ୍କରି ମାତୃ ମମତାର ମଧୁର ଦୃଶ୍ୟ ଦେଖି କାହିଁକି ମୁଁ ଅଭିଭୂତ ହୋଇପଡ଼ିଲି ?

 

ସନ୍ଧ୍ୟା ଚାରିଟା ଯାଏ କୌଣସି କାମ ନାହିଁ । ଏଯାଏ ହାତରେ ଦେଢ଼ଘଣ୍ଟା ସମୟ ରହିଛି । ରାସ୍ତାକୁ ଆସି ସହଜାତ ପ୍ରବୃତ୍ତି ପରବଶ ହୋଇ ଘରମୁହାଁ ହୋଇପଡ଼ିଲି । ଜାଣେ ଘରେ ଏମିଲିୟା ଅନୁପସ୍ଥିତ । ସେ ଯାଇଛି ତାର ମା ପାଖକୁ । ତଥାପି ବିପନ୍ନ, ବିହ୍ୱଳ ହୋଇପଡ଼ିଥିଲି । ଆଶାକଲି ଏମିଲିୟା ହୁଏତ କୁଆଡ଼େ ନ ଯାଇ ଘରେ ରହିଛି । ଠିକ୍‌ କଲି ତା ସହିତ ସ୍ପଷ୍ଟ ଭାବରେ ଆଳାପ କରିନେବି । ତାରି ଉତ୍ତର ଉପରେ ହିଁ ସମସ୍ତ ନିର୍ଭର କରୁଛି । ଏହି ସଶଂୟ ଓ ମିଥ୍ୟା ଆଚରଣ ପରେ ଯେଉଁ ଦୁର୍ବିସହ ଅବସ୍ଥାରେ ଦିନ ଯାପନ କରୁଛି ହୁଏତ ଅନ୍ୟ ଯେ କୌଣସି ବିପଦ ଏହା ତୁଳନାରେ କମ୍‌ କଷ୍ଟକର ହେବ । ହୁଏତ ବିଚ୍ଛେଦ ହେବ ଏମିଲିୟା ସହିତ । ବାତ୍ତିସତାଙ୍କର ଚିତ୍ରନାଟ୍ୟର ଭାର ନେବି ନାହିଁ । ସେ ହୁଏତ ବରଂ ମଙ୍ଗଳ । ମୋର ଅବସ୍ଥା ଅନିଶ୍ଚିତ–ଗୋଟାଏ ଦିଗରେ ମିଥ୍ୟା ଆଉ ଗୋଟାଏ ଦିଗରେ ଆତ୍ମଗ୍ଳାନି । ଏ ଅବସ୍ଥାରେ ପ୍ରକୃତ ସତ୍ୟ ହିଁ ମୋର ଏକମାତ୍ର କାମ୍ୟ ।

 

ଘରଟା ଯେତେ ପାଖେଇ ଆସିଲା ସେତେ ଚିନ୍ତିତ ହୋଇପଡ଼ିଲି । ଏମିଲିୟା ନିଶ୍ଚୟ ଘରେ ନାହିଁ । ନୂତନ ଫ୍ଳାଟରେ ପ୍ରବେଶ କଲା ମାତ୍ରକେ ମନ ବିମର୍ଷ ଆଉ ଚଞ୍ଚଳ ହୋଇପଡ଼ିବ । ତା ଅପେକ୍ଷା ବାହାରେ କୌଣସି କାଫେରେ ବସି ଦେଢ଼ଘଣ୍ଟା ସମୟ ବିତେଇ ଦେବା ଢେର ଭଲ ।

 

ହଠାତ୍‌ ମନେପଡ଼ିଲା–ବାତ୍ତିସତାଙ୍କୁ ମୁଁ କଥା ଦେଇଛି, ତାଙ୍କ ସହିତ କେତେବେଳେ ଦେଖା ହେବ ସେ ଟେଲିଫୋନ କରି ଜଣେଇ ଦେବେ । କାମଟି ବିଶେଷ ଜରୁରୀ । ବାତ୍ତିସତାଙ୍କୁ କହିଛି ଏହିକ୍ଷଣି ମୁଁ ଘରେ ଥିବି । ଅବଶ୍ୟ କୌଣସି କାଫେରୁ ତାଙ୍କୁ ଟେଲିଫୋନ କରାଯାଇପାରେ, କିନ୍ତୁ ତାଙ୍କୁ ପାଇବା ସମ୍ଭବ କି ନୁହେଁ ସେ ବିଷୟରେ ମୁଁ ଅନିଶ୍ଚିତ । ଯାହାହେଉ ଏହି ବାହାନାରେ ମୁଁ ଘରକୁ ଫେରି ଯାଇପାରେ ।

 

ହଲ୍‌ ଭିତରେ ପ୍ରବେଶ କରି ସୁଇଚ୍‌ ଟିପିବା ମାତ୍ରକେ ଲିଫ୍‌ଟଟା ଉପରକୁ ଉଠିବାକୁ ଲାଗିଲା । ବାତ୍ତିସତାଙ୍କ ସହିତ ଯୋଗାଯୋଗର ଆଉ ବା କି ପ୍ରୟୋଜନ, ସମସ୍ତ ଯେତେବେଳେ ନିର୍ଭର କରୁଛି ଏମିଲିୟା ସହିତ ମୋର ଶେଷ ସିଦ୍ଧାନ୍ତ ଉପରେ । ....ଜାଣେ ଏମିଲିୟା ଯଦି ସ୍ପଷ୍ଟ ଭାବରେ କୁହେ ଯେ–ସେ ମୋତେ ଭଲପାଏନା, ତାହାହେଲେ ଜୀବନରେ ଆଉ କେବେହେଲେ ଚିତ୍ରସଂପାଦନା କରିବି ନାହିଁ । ତେବେ ହଁ ଏମିଲିୟା ଘରେ ଅନୁପସ୍ଥିତ–ବାତ୍ତିସତାଙ୍କୁ ମୋର ସିଦ୍ଧାନ୍ତ ଜଣାଇ ହେବ ନାହିଁ । ସେଇୟା ଭଲ । ମୋର ଜୀବନରେ ଅନେକ ଅସଙ୍ଗତି ରହିଛି, ତଥାପି ଏତେଦୂର ଅଗ୍ରସର ହୋଇ ପୁନରାୟ ପଛେଇ ଯିବା ଅସଙ୍ଗତ ହେବ । ଘୃଣା ଓ କ୍ରୋଧରେ ସମଗ୍ର ଅନ୍ତରଟା ଦୀର୍ଣ୍ଣ ବିଦୀର୍ଣ୍ଣ ହୋଇଗଲା । ଲିଫ୍‌ଟର ସୁଇଚ୍‌ଟି ତଳକୁ ଟିପିଲି । ଏମିଲିୟା ସହିତ କଥାବର୍ତ୍ତା କରି ବାତ୍ତିସତାଙ୍କୁ ଜଣାଇଦେବି କାମଟା ନେବି କି ନାହିଁ । ଲିଫ୍‌ଟ ତଳକୁ ଖସିଆସିଲା । କବାଟ ଖୋଲି ଓହ୍ଳେଇବା ପାଇଁ ଯାଉଛି.... ଏହି ସମୟରେ ମନରେ ଆହୁରି ଏକ ପ୍ରଶ୍ନ ଉଠିଲା–ଆଚ୍ଛା ! ଏମିଲିୟା ଯଦି ନୂତନ ଭାବରେ ଭଲ ପାଇବାର ପ୍ରତିଶ୍ରୂତି ଦିଏ, ଆଉ ଟେଲିଫୋନରେ ବାତ୍ତିସତା ମୋତେ ନ ପାଆନ୍ତି ତାହାହେଲେ କାମଟି ମିଳିବ ନାହିଁ । ମୋର ଅଭିଜ୍ଞତା ଚିତ୍ରନିର୍ମାତାଗଣ ଅତି ମାତ୍ରାରେ ଖାମଖିଆଲି । ବାତ୍ତିସତା ହୁଏତ ମତ ପରିବର୍ତ୍ତନ କରି ଆଉ କାହାକୁ ଚିତ୍ରନାଟ୍ୟର ଦାୟିତ୍ୱ ଦେବେ । ମୁଣ୍ଡଟା ବୁଲାଇବାକୁ ଲାଗିଲା–ନିତାନ୍ତ ଅସହାୟ ବୋଧକଲା । ସ୍ୱାର୍ଥ ଓ ପ୍ରେମର ମଝି ନଈରେ ଅଣନିଶ୍ୱାସି ହୋଇ ପଡ଼ୁଛି–କେଉଁ କୂଳ ଧରିବି ବୁଝିପାରୁ ନାହିଁ । ଲିଫ୍‌ଟରେ ସ୍ଥିର ଭାବରେ ଠିଆ ହୋଇ ରହିଲ । ହାତରେ କେତୋଟି ପୁଟୁଲି ନେଇ ଲିଫ୍‌ଟରେ ଉଠିଲେ ଜଣେ ତରୁଣୀ । ହଠାତ୍‌ ମୋତେ ଦେଖି ସେ ଚିତ୍କାର କରି ଉଠିଲେ । ତାପରେ ପ୍ରକୃତିସ୍ଥ ହୋଇ ସୁଇଚ୍‌ ଟିପିଲେ । ଲିଫ୍‌ଟ ଉପରକୁ ଉଠିବାକୁ ଲାଗିଲା ।

 

ଏଥର ଆଶ୍ୱସ୍ତ ହେଲି । ମନରେ ପ୍ରଶ୍ନ ଜାଗିଲା–ଛି–ଛି କାହିଁକି ଏମିତି କରୁଛି ? ହଠାତ୍‌ କେମିତି ଏତେ ନୀଚ ସ୍ତରକୁ ଖସି ଆସିଲି । ଫ୍ଳାଟରେ ପ୍ରବେଶ କରି ଦେଖିଲି–ଗୋଟାଏ ସୋଫା ଉପରେ ଶୋଇ ଏମିଲିୟା ଖଣ୍ଡେ ମାସିକ ପତ୍ର ପଢ଼ୁଛି । ପାଖରେ ପଡ଼ିଛି ଦୁଇଟି ପ୍ଳେଟ ଓ ଭୁକ୍ତାବଶିଷ୍ଟ । ବାହାରକୁ ସେ ଯାଇ ନାହିଁ ବା ତା ମା ସହିତ ଖାଇ ନାହିଁ । ମୋତେ ସେ ମିଛ କହିଛି-

 

ମୋର ମୁହଁକୁ ଚାହିଁ ସେ ବ୍ୟଗ୍ରଭାବରେ ପ୍ରଶ୍ନକଲା, କଣ ହେଇଛି ତୁମର ?

 

ରୁଦ୍ଧ କଣ୍ଠରେ କହିଲି, ତମେ ତମର ମା ପାଖକୁ ଯାଇନା ?

 

ସହଜ ଓ ସ୍ପଷ୍ଟ କଣ୍ଠରେ କହିଲା ଏମିଲିୟା, ନା ପରେ ଟେଲିଫୋନ କରି ମା ବାରଣ କରିଥିଲେ ।

 

ମୋତେ କାହିଁକି ସେ କଥା ଜଣାଇ ନାହଁ ?

 

ଅନେକ ସମୟ ପରେ ସେ ଟେଲିଫୋନ କରିଥିଲେ–ଭାବିଲି ତମେ ସେତେବେଳକୁ ପାସେତ୍ତିର ଅଫିସରୁ ବାହାରି ଯାଇଛ ।

 

ନା–ମିଛ କହୁଛି ଏମିଲିୟା । କିନ୍ତୁ ତାର ତ କୌଣସି ପ୍ରମାଣ ନାହିଁ । ତେଣୁ ମୁଁ ନିରବରେ ସୋଫା ଉପରେ ବସି ରହିଲି । ଅନେକ ସମୟ ପରେ ମାସିକ ପତ୍ରର ଗୋଟାଏ ପୃଷ୍ଠା ଓଲଟେଇ ମୁହଁ ଉପରକୁ ନ ଟେକି ସେ ପ୍ରଶ୍ନକଲା ଆଉ ତୁମେ, ତୁମେ ଏତେବେଳ ଯାଏ କଣ କରୁଥିଲ ?

 

ପାସେତ୍ତି ଓ ତାଙ୍କର ପତ୍ନୀ ମୋତେ ଖାଇଦେଇ ଯିବାପାଇଁ କହିଲେ....

 

ପାଖଘରେ ଟେଲିଫୋନ ବାଜି ଉଠିଲା । ନିଶ୍ଚୟ ବାତ୍ତିସତା–ତାଙ୍କୁ କହିବି ମୁଁ କୌଣସି ପ୍ରକାରେ ଚିତ୍ରନାଟ୍ୟ ଲେଖିବି ନାହିଁ । ସମସ୍ତେ ନର୍କକୁ ଯାଆନ୍ତୁ–ଏମିଲିୟା ମୋତେ ତିଳେ ସୁଦ୍ଧା ଭଲ ପାଏନା ।

 

ଏମିଲିୟା ଅଳସ ଭାବରେ କହିଲା, ଦେଖନା କିଏ ଡାକୁଛି । ତୁମକୁ ଡାକୁଛି ନିଶ୍ଚୟ ! ଆର ଘରକୁ ଯାଇ ରିସିଭରଟି ଉଠାଇଲି । କିନ୍ତୁ ଏ ଯେ ମୋର ଶାଶୁଙ୍କର କଣ୍ଠସ୍ୱର । ସେ ପଚାରିଲେ, ଏମିଲିୟା ଅଛି ରିକାର୍ଡ଼ୋ ?

 

ନା–ସେ ତ ଆପଣଙ୍କ ପାଖକୁ ଯାଇଛି–ସେ ଆପଣଙ୍କ ସହିତ ଖାଇବ । ବାହାରି ଯାଇଛି–ମୋର ଧାରଣା ଯେ ସେ ଆପଣଙ୍କ ସହିତ ଅଛି ।

 

କାହିଁକି ମୁଁ ତ ତାକୁ ଟେଲିଫୋନ କରି ଜଣାଇ ଦେଇଛି ଯେ ଆଜି ଚାକରାଣିଟା ଆସି ନାହିଁ । ଦେଖିଲି ଆରଘରେ ଶୋଇ ରହିଛି ଏମିଲିୟା, ମୋରି ଉପରେ ତାର ଦୃଷ୍ଟି ନିବଦ୍ଧ । ଆଖିରେ ତାର ଅସନ୍ତୋଷ ଓ ଅବଜ୍ଞାର ଭାବ ।

 

ମୁଁ ମିଛ କହିଛି–ସେଥିପାଇଁ ନୁହେଁ; ତା ଛଡ଼ା ସେ ଜାଣେ ମୁଁ କାହିଁକି ମିଛ କହିଲି । ତା ପରେ ଗୁଣୁଗୁଣୁ କରି ନିଜର ଭୁଲ ସଂଶୋଧନ କରି ମୁଁ କହିଲି, ନା...ସେ–ଏଇଯେ ଏମିଲିୟା ଆସୁଛି । ତାକୁ ଡାକି ଦେଉଛି । ଏମିଲିୟାକୁ ଇଙ୍ଗିତରେ ଡାକିଲି । ସୋଫା ଉପରୁ ଉଠି, ମୁହଁ ତଳକୁ ପୋତି ସେ ଆଗେଇ ଆସିଲା । ମୋତେ ଦୃଷ୍ଟି ନ ଦେଇ ସେ ଟାଣିନେଲା ରିସିଭରଟା । ବେଡ଼ ରୁମ୍‌କୁ ମୁଁ ଚାଲି ଆସିଲି । ଏମିଲିୟା ଯେମିତି ମୋତେ ଦରଜାଟା ବନ୍ଦ କରିନେବାକୁ ନିର୍ଦ୍ଦେଶ ଦେଲା । ମୁଁ ଦରଜାଟା ବନ୍ଦ କରିନେଲି । ମୋର ମନ ମଧ୍ୟରେ ଆରମ୍ଭ ହେଲା ଆଲୋଡ଼ନ-। ନିରବରେ ବସିରହିଲି ସୋଫା ଉପରେ ।

 

ରିସିଭରଟିକୁ ଅନେକ ସମୟ ପର୍ଯ୍ୟନ୍ତ ଧରି ରହିଲା ଏମିଲିୟା । ଅଧୈର୍ଯ୍ୟ ହୋଇପଡ଼ିଲି । ମନେହେଲା ଇଚ୍ଛାକରି ସେ ଯେମିତି ବିଳମ୍ବ କରୁଛି । ତଥାପି ମନକୁ ସାନ୍ତ୍ୱନା ଦେଲି–ସବୁ ସମୟରେ ସେ ତାର ମା’ଙ୍କ ସହିତ ଏମିତି ଭାବରେ କଥା କୁହେ । ମା’କୁ ସେ ଖୁବ୍‌ ଭଲ ପାଏ । ମାଆ ତାର ବିଧବା । ଏମିଲିୟା ବ୍ୟତୀତ ସଂସାରରେ ତାଙ୍କର ଆଉ କେହି ନାହାନ୍ତି । ମା’କୁ ସେ ସବୁକଥା ଖୋଲାଖୋଲି କୁହେ, କୌଣସି କଥା ଗୋପନ ରଖେ ନାହିଁ ।

 

ପରିଶେଷରେ କବାଟଟି ଖୋଲି ଘର ଭିତରକୁ ଆସିଲା ଏମିଲିୟା । କିନ୍ତୁ ତାହାର ଚେହେରା ଦେଖି ବୁଝିପାରିଲି ଯେ ସେ ମୋ ଉପରେ ଅସନ୍ତୁଷ୍ଟ ହୋଇଛି । ଟେବୁଲ ଉପରୁ ପ୍ଳେଟ ଓ ଚାମଚଗୁଡ଼ିକ କାଢ଼ି ନେଉ ନେଉ ସେ କହିଲା–ଆଚ୍ଛା କୁହ ତ ତମର କଣ ମୁଣ୍ଡ ଖରାପ ହୋଇଛି-? ମା’କୁ କାହିଁକି କହିବାକୁ ଯାଉଥିଲ ଯେ ମୁଁ ଘରେ ନାହିଁ ?

 

ନିରବ ରହିଲି ।

 

ଏମିଲିୟା କହିବାକୁ ଲାଗିଲା, ମୋତେ ପରୀକ୍ଷା କରୁଥିଲ । ମୁଁ ଯେ ମା ପାଖକୁ ଯାଇପାରି ନାହିଁ । ଏ କଥା ସତ କି ନୁହେଁ..... ନା ?

 

ଦୟାକରି ଆଉ କେବେ ହେଲେ ଏମିତି କରିବ ନାହିଁ । ତା’ପରେ ରୁଦ୍ଧକଣ୍ଠରେ ଉତ୍ତର ଦେଲି, ହୁଏତ ସେଇଆ । ତେଣୁ ଏସବୁ ମୁଁ ମୋଟେ ସହ୍ୟ କରିପାରେନା....

 

ଦୃଢ଼ କଣ୍ଠରେ ଏତକ କହି ପ୍ଳେଟ ସହିତ ଗ୍ଳାସଗୁଡ଼ିକ ଟ୍ରେରେ ନେଇ ବାହାରିଗଲା ଏମିଲିୟା !

 

ମୁଁ ଏକାକୀ ପଡ଼ିରହିଲି । ମୁହୂର୍ତ୍ତକ ପାଇଁ ଅନୁଭବ କଲି ବିଜୟର ତିକ୍ତ ଆବେଗ । ତାହା ହେଲେ ସତେରେ ଏମିଲିୟା ମୋତେ ଭଲ ପାଏ ନାହିଁ । ଆଗେ ତ ସେ କେବେହେଲେ ମୋତେ ଏମିତିକଥା କହୁ ନ ଥିଲା । ଶାନ୍ତ ମଧୁର ବିସ୍ମୟ ଜଡ଼ିତ କଣ୍ଠରେ ସେ କହିଲା, ତୁମେ ଭାବିଥିଲ, ମୁଁ ମିଥ୍ୟା କହିଛି ? ତାପରେ ଶିଶୁ ସୁଲଭ ହସରେ ସେ ସମସ୍ତ ପରିବେଶକୁ ମୁଖରିତକରି ତୋଳିଲା । ତୁମର ନିଶ୍ଚୟ ଈର୍ଷା ହେଉଛି ନୁହେଁ ? ଆଚ୍ଛା ! ତୁମେ କଣ ଜାଣନା ତୁମ ବ୍ୟତୀତ ମୁଁ ଆଉ କାହାକୁ ଭଲପାଏନା । ଏହି ପର୍ବ ଶେଷ ହୋଇଥିଲା କଳ୍ପନା ବି ମୋର ନ ଥିଲା, କାରଣ ମୁଁ ତାର କୌଣସି କଥାକୁ ଅବିଶ୍ୱାସ କରି ନ ଥିଲି । ଏବେ ତାର ଯେମିତି ପରିବର୍ତ୍ତନ ହୋଇଯାଇଛି–ତାର ପ୍ରେମ ନେଇଛି ଅନ୍ୟରୂପ । ମୁଁ ବଦଳି ଯାଇଛି । ସମସ୍ତ ଯେପରି ଧୀରେ ଧୀରେ ସଂପୂର୍ଣ୍ଣ ଅଦୃଶ୍ୟ ଭାବରେ ଆଗେଇ ଯାଉଛି ଏକ କୁପରିଣତି ପଥରେ । ଗଭୀର ହତାଶାର ଅନ୍ଧକାର ମଧ୍ୟରେ ବି ମଣିଷର ମନରେ ଜାଗିଉଠେ ଏକ କ୍ଷୀଣ ଆଶାର ଆଲୋକ । ସୁସ୍ପଷ୍ଟ ପ୍ରମାଣ ରହିଛି–ଏମିଲିୟା ଆଉ ମୋତେ ଭଲ ପାଏ ନାହିଁ । ତଥାପି ସଂଶୟ–ସଂଶୟ ନୁହେଁ ଆଶା-। ତଥାପି ଏମିଲିୟାର ମୁହଁରୁ ଶୁଣିବି ଏହି ନିର୍ମମ ସତ୍ୟ ଯେ ସେ ମୋତେ ଭଲପାଏ ନାହିଁ । ତାରି ନିକଟରୁ ପାଇବି ପ୍ରମାଣ–ଯାହା ଏ ଯାବତ୍‌ ପାଇ ନାହିଁ । ଶୂନ୍ୟ ଦୃଷ୍ଟିରେ ବାହାରକୁ ଚାହିଁରହି ଭାବିବାକୁ ଲାଗିଲି । ଦରଜା ଖୋଲି ପୁନରାୟ ଘର ଭିତରକୁ ପ୍ରବେଶ କଲା ଏମିଲିୟା । ମୋର ପଛପଟ ସୋଫାରେ ଦେହ ମେଲି ଦେଇ ସାମୟିକ ପତ୍ରଟି ହାତରେ ଟେକିନେଲା । ତା ଆଡ଼କୁ ମୁହଁ ନ ବୁଲେଇ କହିଲି–ଆଉ ଗୋଟାଏ ଚିତ୍ରନାଟ୍ୟ ପାଇଁ ବର୍ତ୍ତମାନ ବାତ୍ତିସତାଙ୍କର ଟେଲିଫୋନ ଆସିବ । ଶାନ୍ତ କଣ୍ଠରେ ଏମିଲିୟା କହିଲା, ତୁମେ ତାହା ହେଲେ ଖୁବ୍‌ ଖୁସି ହୋଇଛ ନୁହେଁ-?

 

କହିଲି ସେ ଫିଲ୍ମଟି ଖୁବ୍‌ ଚମତ୍କାର ହେବ । ଚିତ୍ରନାଟ୍ୟ ପାଇଁ ଅନେକ ଟଙ୍କା ମିଳିବ । ଲିଜ୍‌ର ଦୁଇଟି କିସ୍ତି ଏକା ସଙ୍ଗରେ ଦେଇପାରିବ ।

 

ଏମିଲିୟା କୌଣସି ଉତ୍ତର ଦେଲା ନାହିଁ..... କହିଲି ଏହି କାମଟି ସଫଳତାର ସହିତ କରିପାରିଲେ ଆହୁରି ଅନେକ କାମ ମିଳିବ, ଚିତ୍ରଟି ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରିବ ।

 

ଅନ୍ୟମନସ୍କ ଭାବରେ ଏମିଲିୟା ପ୍ରଶ୍ନକଲା, କି ଚିତ୍ର ?

 

କହିଲି, ଜାଣେ ନାହିଁ ।

 

କିଛି ସମୟ ନିରବ ରହି କହିଲି, ତେବେ ଠିକ୍‌ କରିଛି କାମଟି ନେବି ନାହିଁ ।

 

କାହିଁକି ? ଧୀରେ ଉଦାସ ତାର କଣ୍ଠସ୍ୱର ।

 

ଏମିଲିୟାର ମୁହାଁମୁହିଁ ସୋଫା ଉପରେ ଆସି ମୁଁ ବସିଲି । ସେ ମୋତେ ଚାହିଁଲା । କହିଲି, କାରଣ ତୁମେ ଜାଣ, ଏ କାମ ମୋର ରୁଚି ସମ୍ମତ ନୁହେଁ; ତଥାପି ତୁମକୁ ଭଲପାଏ ବୋଲି ଫ୍ଳାଟର କିସ୍ତି ପରିଶୋଧ କରିବାପାଇଁ... କାହିଁକି ନା ଫ୍ଳାଟଟି ତୁମ ପାଖରେ ଅତି ମୂଲ୍ୟବାନ୍‌; ତେଣୁ ଏତେଦିନ ଧରି ଏ କାମ ମୁଁ କରିଆସିଛି... କିନ୍ତୁ ଏବେ ମୁଁ ଜାଣିପାରିଛି ଯେ ତୁମେ ମୋତେ ଆଉ ଭଲପାଉ ନାହଁ । ତେଣୁ ଏ ଅନର୍ଥକ ଧନ୍ଦାରେ ପଶିବା କୌଣସି ପ୍ରୟୋଜନ ନାହିଁ ।

 

ମୋତେ ନିରୀହ ଆଖିରେ ଚାହିଁ ରହିଲା ଏମିଲିୟା–ପଦେ ହେଲେ କିଛି କହିଲା ନାହିଁ ।

 

ମୋତେ ତୁମେ ଆଉ ଭଲପାଉନା.... ଏ କାମ ମୁଁ ଆଉ କରିବି ନାହିଁ । ଆଉ ଫ୍ଳାଟଟାକୁ ହୁଏତ ବିକ୍ରି ବା ବନ୍ଧକ ଦେଇଦେବି । ଏଭଳି ଭାବରେ ମୁଁ କୌଣସି ପ୍ରକାରେ ରହିପାରିବି ନାହିଁ । ତମର ଜାଣିବାର ସମୟ ଆସି ଯାଇଛି–ତେଣୁ କହୁଛି–ଏହିକ୍ଷଣି ବାତ୍ତିସତା ଟେଲିଫୋନ କରିବେ । ତାଙ୍କୁ ଜଣାଇଦେବି ଯେ ମୁଁ କାମଟା ନେବାପାଇଁ ଅକ୍ଷମ ।

 

ମୋର ବକ୍ତବ୍ୟ ଶେଷ ହୋଇଗଲା । ମନ ହାଲୁକା ହୋଇଗଲା ଅନେକ ପରିମାଣରେ-। ଉତ୍ତର ଅପେକ୍ଷାରେ ଉତ୍କଣ୍ଠିତ ଭାବରେ ଚାହିଁ ରହିଲି ଏମିଲିୟାର ମୁହଁକୁ । ମୋର ଏହି ଘୋଷଣାରେ ତାର ଅନ୍ତହୀନ, ସୀମାହୀନ ବିସ୍ମୟ । ପରିଶେଷରେ ଶୁଣିପାରିଲି ତାର ପ୍ରଶ୍ନ–ତମେ କେମିତି ବୁଝିଲ ଯେ ମୁଁ ତୁମକୁ ଭଲ ପାଏନା ?

 

ଆବେଗମିଶା ସ୍ୱରରେ କହିଲି, ପ୍ରତ୍ୟେକଟି କଥା, ପ୍ରତ୍ୟେକଟି ଭଙ୍ଗୀ, ପ୍ରତ୍ୟେକଟି ଘଟଣାରେ ।

 

ଯେମିତି– ?

 

ପ୍ରଥମେ ତୁମେ କୁହ ମୋର ଏ ଅନୁମାନ ସତ କି ନୁହେଁ ?

 

ନା, ପ୍ରଥମରେ ତୁମେ କୁହ କେଉଁଥିରୁ ବୁଝିଲ ?

 

ସବୁ–ସବୁ କିଛିରେ ରହିଛି ତାର ପ୍ରତିଫଳନ–ତୁମର କଥାର ଭଙ୍ଗିରେ, ତୁମର ଆଖିର ଚାହାଣୀରେ, ବ୍ୟବହାରରେ । ମାସକ ଆଗେ ତୁମେ ଏକାକୀ ରହିବାକୁ ଚାହିଁଥିଲ–ତା ଆଗରୁ ତ କେବେ ଚାହିଁ ନ ଥିଲ । ସେ ପଥର ଭଳି ସ୍ଥିର ଓ କଠିଣ ଦୃଷ୍ଟିରେ ମୋ ଆଗକୁ ଚାହିଁ ରହିଲା ।

 

ଦେଖିଲି ତାର ଦୁଇ ଚକ୍ଷୁତାରକା ହିଂସାରେ ଜଳିଉଠୁଛି । ତେବେ, ତେବେ ସେ କ’ଣ ତାର କର୍ତ୍ତବ୍ୟ ଠିକ୍‌ କରି ପକେଇଲା ? ହୁଏତ ଏମିଲିୟା ଆଉ ମତ ପରିବର୍ତ୍ତନ କରିବ ନାହିଁ । ସ୍ନିଗ୍‌ଧ, ଶାନ୍ତ କଣ୍ଠରେ ଏମିଲିୟା ଉତ୍ତର ଦେଲା, ବିଶ୍ୱାସକର ଝରକା ଖୋଲା ରଖିଲେ ମୋଟେ ମୋତେ ନିଦ ହୁଏନା । ନିର୍ଜ୍ଜନ ଓ ଅନ୍ଧକାର ନ ହେଲେ ମୁଁ ମୋଟେ ଶୋଇପାରେନା–ତୁମର ଦେହ ଛୁଇଁ କହିପାରେ ।

 

ମୁଁ ଝରକାଗୁଡ଼ିକ ବନ୍ଦ କରିବାକୁ ରାଜି ଥିଲି ।

 

ଅଳ୍ପ ସମୟ ଭାବିନେଲା ପରେ ସେ କହିଲା, ନିଦରେ ତୁମେ ନାକ ଘଡ଼ ଘଡ଼ କର ବେଶି–ପ୍ରତିଦିନ ରାତିରେ ନିଦ ଭାଙ୍ଗିଯାଏ–ତେଣୁ ଏକାକୀ ଶୋଇବାକୁ ଚାହିଁଥିଲି । ତାର କଥା ଶୁଣି ବିଚଳିତ ହୋଇ ପଡ଼ିଲି । କାହିଁ କେହି ତ ଆଗରୁ ଏ କଥା କେବେ କହି ନାହାନ୍ତି । ଆହୁରି ଅନେକଙ୍କ ସହିତ ଗୋଟାଏ ଶେଯରେ ରାତ୍ରି ଯାପନ କରିଛି । ଏମିଲିୟାର କଥାରେ ମୋଟେ ବିଶ୍ୱାସ ହେଲା ନାହିଁ । କହିଲି, ମୁଁ ଜାଣେ ତୁମେ ମୋତେ ଭଲ ପାଅ ନାହିଁ । ଯେଉଁ ସ୍ତ୍ରୀ ତାର ସ୍ୱାମୀକୁ ଭଲପାଏ ସେ ତୁମ ଭଳି ବ୍ୟବହାର କରେ ନାହିଁ ।

 

ବାଧାଦେଇ ଏମିଲିୟା କହିଲା, ସତରେ ତୁମେ କ’ଣ ଚାହଁ ମୁଁ ଜାଣେନା । ଯେତେବେଳେ ତୁମେ ମୋତେ ପାଖରେ ପାଇବାପାଇଁ ଚାହିଁଛ, ମୁଁ ନିର୍ବିବାଦରେ ସେହି ମୁହୂର୍ତ୍ତରେ ଧରାଦେଇଛି ତୁମର ବାହୁ ବନ୍ଧନରେ । କେବେହେଲେ ତୁମକୁ କ’ଣ ମୁଁ ବିମୁଖ କରିଛି ?

 

ତାର କଥା ଶୁଣି ଭୀଷଣ ଲଜ୍ଜିତ ହୋଇପଡ଼ିଲି । ଏଭଳି ସ୍ପଷ୍ଟ କଥା ସେ ତ ଆଗେ କେବେ କହୁ ନ ଥିଲା । ଯେଉଁ ଏମିଲିୟା ଏତେ ଦିନ ସଂଯତ, ଗମ୍ଭୀର ଥିଲା–ସେ ଯେମିତି ତାର ଶାଳିନତା, ସାରଲ୍ୟ ସବୁ ହରେଇ ଦେଇଛି । ସ୍ୱାଭାବିକ ଅଜ୍ଞତା ହିଁ ହୁଏତ ଥିଲା ତାର ସର୍ବଶ୍ରେଷ୍ଠ ଆକର୍ଷଣ । ଏବେ ତାର ଚରିତ୍ରରେ ସ୍ଥାନ ପାଇଛି କପଟତା । କହିଲି, ନା–ବିମୁଖ କରି ନାହିଁ–କିନ୍ତୁ.... ।

 

ଯେତେବେଳେ ମୋତେ ଚାହିଁଛ ପାଇଛ ତୁମ ପାଖରେ, ଏଥିରେ ବି ଖୁସି ନୁହଁ ? ତା ଛଡ଼ା... କେବଳ ସମ୍ଭୋଗରେ ତୃପ୍ତ ରହିବା ଲୋକ ତୁମେ ନୁହଁ । ତମେ ତ ଏହି କାମରେ ଓସ୍ତାଦ ।

 

ସତେ ନା.... ?

 

ହଁ–ଗୋ ହଁ, ତୁମକୁ ଭଲ ନ ପାଇଲେ ତୁମର ପ୍ରେମଲୀଳାରେ ଆପତ୍ତି କରନ୍ତି, ତୁମକୁ ଏଡ଼େଇଦେଇ ଚଳନ୍ତି..... ନାରୀ ଇଚ୍ଛା କଲେ ଗୋଟାଏ ବାହାନାକରି ପୁରୁଷକୁ ଏଡ଼େଇ ଦେଇପାରେ, ନୁହେଁ ?

 

ବୁଝିଲି–ତଥାପି ଯେ ଭଲ ପାଏ, ସେ ତୁମ ଭଳି ବ୍ୟବହାର କରେ ନାହିଁ ।

 

ମୁଁ କେମିତି ବ୍ୟବହାର କରେ ?

 

ଇଚ୍ଛା ହେଲା କହନ୍ତି, ବାର ବିଳାସିନୀ ଭଳି ସହଳ କାମଟା ଶେଷ କରିନେଇ ତୁମେ ଶ୍ୱସ୍ତି ପାଇବାକୁ ଚାହଁ । କିନ୍ତୁ ଏ କଥା କହିବା ଅର୍ଥ ଦୁହିଁଙ୍କର ସମ୍ମାନହାନୀ କରିବା । ତା ବ୍ୟତୀତ ଏଥିରେ ଲାଭ ବା କଣ ? ସେ ତ ମୋର କଥା ସତ ବୋଲି ସ୍ୱୀକାର କରିବ ନାହିଁ । କହିବ ମୁଁ ନିଷ୍କ୍ରିୟ ନ ରହି କେବଳ ଯେତିକି ଦରକାର ସେତିକି ସକ୍ରିୟତା ଦେଖେଇଛି । ମୁଁ ପ୍ରତ୍ୟୁତ୍ତର ଦେଇପାରିବି ନାହିଁ, ଫଳରେ ସେ ଅସନ୍ତୁଷ୍ଟ ହେବ ।

 

ଯାହା କୁହନା କାହିଁକି ଏ ବିଷୟରେ ମୋର ସନ୍ଦେହ ନାହିଁ–ବେଶ ।

 

ମୋର ମୁହଁରେ ଗମ୍ଭୀର ଭାବ ଏମିଲିୟା ଲକ୍ଷ୍ୟ କଲା । ଭାବିଲା, ମୁଁ କ’ଣ କରିବି ? ତାର ସୁନ୍ଦର ମୁହଁଟି କୁଞ୍ଚିତ ହୋଇପଡ଼ିଲା । ମୁଖ ଗହ୍ୱର ଯେମିତି ସ୍ଥାନାନ୍ତରିତ ହୋଇପଡ଼ିଲା, ଦୁଇ ଆଖିରେ ଫୁଟି ଉଠିଲା ବିସ୍ମୟ, ଗଣ୍ଡଦେଶ ହୋଇପଡ଼ିଲା ସ୍ଫୀତ; ଚକ୍ଷୁ ତାରକା ମହମ ଭଳି ତରଳି ପଡ଼ିଲା କୋଟର ଭିତରେ । କୌଣସି ବିପଦରେ ପଡ଼ିଲେ କିମ୍ବା ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରିବା ପାଇଁ ହେଲେ ତାର ଏ ଭଳି ଅବସ୍ଥା ହୁଏ ।

 

ଦୁଇ ବାହୁ ଲତାରେ ମୋର କଣ୍ଠ ବେଷ୍ଟନ କରି ସେ କହିଲା, ଛି–ଏକଥା କାହିଁକି କହୁଛ ରିକାର୍ଡୋ–ମୁଁ ତୁମକୁ ଆଜି ବି ଭଲ ପାଏ–ଭଲ ପାଏ ଠିକ୍‌ ଆଗ ଭଳି ।

 

ଏମିଲିୟାର ଉଷ୍ଣ ନିଶ୍ୱାସ ମୋର କର୍ଣ୍ଣମୂଳ, କପାଳ ସ୍ପର୍ଶ କଲା । ଗାଲ ଓ କେଶ ଭିତରେ ଅନୁଭବ କଲି ତାର ସୋହାଗ ମିଶ୍ରିତ ହାତର କୋମଳ ସ୍ପର୍ଶ । ମୋର ମୁଣ୍ଡଟିକି ତାର ବୁକୁ ଉପରକୁ ଟାଣି ନେଇ ସେ ଚାପି ଧରିଲା ।

 

ମନେହେଲା ଏ କେବଳ ଛଳନା । ମୁଖର ଭାବ ଲୁଚେଇବା ପାଇଁ ସେ ମୋତେ ଆଲିଙ୍ଗନ କରୁଛି । କାମାତୁର ଭାବରେ ମୋର ମୁହଁଟାକୁ ଚାପି ରଖିଲି ତାର ନଗ୍ନ ବୁକୁ ଉପରେ । ନିଶ୍ୱାସ ପ୍ରଶ୍ୱାସ ସହିତ ସ୍ପନ୍ଦିତ ହୋଇପଡ଼ୁଥିଲା ତାର ଉନ୍ନତ ବକ୍ଷ । ଏହି ମୁହୂର୍ତ୍ତରେ କିଛି କହିବା ମାତ୍ରକେ ସେ ରାଗି ଉଠିବ; ତେଣୁ ତାର ଏ ହାବଭାବ ଅର୍ଥପୂର୍ଣ୍ଣ ହେଲେ ସୁଦ୍ଧା ନିରବ ରହିଲି ।

 

ସେ ସତର୍କ ଭାବରେ କହିଲା, ଆଚ୍ଛା ! ସତରେ ଯଦି ତୁମକୁ ମୁଁ ଭଲ ପାଇବି ନାହିଁ.... କ’ଣ କରିବ କୁହ ତ ?

 

ଭୁଲ କରି ନାହିଁ ତାହାହେଲେ । ଦୁଃଖ ପାଏ–କ୍ଷତି ନାହିଁ । ତଥାପି ମୁଁ ଜୟୀ । ଏମିଲିୟାର ମନୋଭାବ ପ୍ରକାଶ ପାଇଛି । ସେ ଜାଣିବାକୁ ଚାହେଁ ମୁଁ କ’ଣ କରିବି । ସେ ଯେମିତି ପରିମାପ କରିବାକୁ ଚାହେଁ ଜାଣିବାକୁ ଚାହେଁ ତାର ସ୍ପଷ୍ଟ ଉକ୍ତିର ବିପଦର ପରିମାଣ କେତେ । ତାର ନରମ ଉଷ୍ଣ ବୁକୁ ଉପରେ ମୁହଁ ରଖି କହିଲି, ତମକୁ ତ ପ୍ରଥମରୁ କହିଛି ବାତ୍ତିସତାଙ୍କ କାମ ନେବି ନାହିଁ ।

 

ଭାବିଲି ତାକୁ ଜଣାଇ ଦିଏ ତୁମ ପାଖରୁ ଦୂରକୁ ଘୁଞ୍ଚି ଯିବି । କିନ୍ତୁ ଏକଥାଟି ସାହସ କରି କହିପାରିଲି ନାହିଁ । ସେତେବେଳେ ପର୍ଯ୍ୟନ୍ତ ମୋର ବିଶ୍ଵାସ ଥିଲା ଯେ ସେ ମୋତେ ଭଲ ପାଏ ।

 

ବିଚ୍ଛେଦର ଆଶଙ୍କାରେ ବୁକୁ ଥରି ଉଠିଲା । ମୋତେ ନିବିଡ଼ ଭାବରେ ତାର ବୁକୁ ଉପରକୁ ଟାଣିନେଇ ଏମିଲିୟା । ସତରେ ତୁମକୁ ମୁଁ ଭଲ ପାଏ... ଭଲପାଏ, ଏ ସବୁ ସତ ନୁହେଁ, କେବଳ ଅପପ୍ରଚାର, ମିଥ୍ୟା । ଏହିକ୍ଷଣି ତୁମର କର୍ତ୍ତବ୍ୟ କଣ ଜା’ଣ ? ବାତ୍ତିସତାଙ୍କ ଫୋନ ଆସିଲେ, ତାଙ୍କ ସହିତ ସାକ୍ଷାତ୍‌କାର ସମୟ ଠିକ୍‌ କରିନିଅ–ତା ପରେ କାମଟି ଆରମ୍ଭ କର ।

 

ଉତ୍ତେଜିତ ଭାବରେ କହିଲି, ନା–ତୁମେ ମୋତେ ଭଲ ପାଅ ନାହିଁ, କାହିଁକି, କାହିଁକି ମୁଁ ତୁମ କଥା ଶୁଣିବି ?

 

କହିଛି ତ ତୁମକୁ ମୁଁ ଭଲପାଏ–ତଥାପି ତୁମେ କାହିଁକି ବାରମ୍ବାର ସେହି କଥାଟି କହିବା ପାଇଁ ଚାହଁ । ମୁଁ ତୁମ ସହିତ ଏକତ୍ର ରହିଛି, ଏହା କ’ଣ ତାର ଯଥେଷ୍ଟ ପ୍ରମାଣ ନୁହେଁ । ଯଦି ମୁଁ ତୁମକୁ ଭଲ ପାଉ ନାହିଁ ଭାବି ନେଇ କାମଟା ନେଉ ନାହଁ ତେବେ ଭୁଲ କରୁଛ ।

 

ମନ ଆଶାନ୍ୱିତ ହୋଇ ଉଠିଲା–ସେ ମିଥ୍ୟା କହୁ ନାହିଁ । ତଥାପି ତାର ପ୍ରେମର ଅକାଟ୍ୟ ପ୍ରମାଣ ପାଇବାକୁ ଚାହେଁ ।

 

ସେ ଯେପରି ନିର୍ମିଷକରେ ବୁଝି ପାରିଲା ମୋର ମନର କଥା । ବାହୁବନ୍ଧନ ଶିଥିଳ କିର ନେଇ ଧୀରେ ଧୀରେ କହିଲା, ଗୋଟାଏ ଚୁମ୍ବନ ଦିଅନା ପ୍ରିୟ, ଚୁମ୍ବନ ବି କରିବି ନାହିଁ ବୋଧହୁଏ ।

 

ଚୁମ୍ବନ ଦେବା ପାଇଁ ତାର ମୁହଁ ଟିକି ତୋଳି ଧରିଲି । ଏ କ’ଣ ତାର ମୁହଁରେ ଅବସାଦର ଛାୟା । ଯେମିତି ସେ କ୍ଳାନ୍ତ ହୋଇପଡ଼ିଛି । ମୋତେ ଆଦର କରି ବୁକୁଉପରେ ତୋଳି ନେଇ ମୋ ସହିତ କଥା କହୁଛି । ତାର ଚିବୁକଟି ଧରି ଓଠ ପାଖକୁ ନେଇ ଆସିଲି ।

 

କ୍ରିଂ... କ୍ରିଂ... ଟେଲିଫୋନ ବାଜି ଉଠିଲା ।

 

ବାତ୍ତିସତା ।

 

ନିଜକୁ ଛଡ଼େଇ ନେଇ ଚାଲିଗଲା ଏମିଲିୟା । ମୁଁ ସୋଫା ଉପରେ ବସି ରହିଲି । ଖୋଲା ଦରଜା ଦେଇ ଦେଖିଲି ଏମିଲିୟା ରିସିଭର୍‌ଟି ଉଠେଇନେଲା । ପଦେ ଦୁଇପଦ କଥାବାର୍ତ୍ତା ପରେ କହିଲା, ହଁ... ହଁ... ଘରେ ଅଛନ୍ତି । ଏହିକ୍ଷଣି ଦେଉଛି. ଆପଣ କେମିତି ଅଛନ୍ତି ଆମେ ଟିକକ ଆଗରୁ ଆପଣଙ୍କର ଆଗାମୀ ଚିତ୍ର ସମ୍ବନ୍ଧରେ କଥାବାର୍ତ୍ତା କରୁଥିଲୁ ।

 

ସହଳ ଦେଖା ହେବ...ଆଚ୍ଛା... ଏଥର ଆପଣ ରିକାର୍ଡୋ ସହିତ କଥାବାର୍ତ୍ତା କରନ୍ତୁ ମି: ବାତ୍ତିସତା... ।

 

ଆଗେଇ ଆସି ରସିଭର୍‌ଟି ଧରିଲି ।

 

ବାତ୍ତିସତା କହିଲେ, ତା ପରଦିନ ଯେମିତି ତାଙ୍କର ଅଫିସକୁ ଯାଇ ଦେଖା କରେ । କହିଲି–ଯିବି । ତାପରେ ପରେ ଅଧେ ସାଧାରଣ କଥାବାର୍ତ୍ତା ପରେ ସଶବ୍ଦରେ ରିସିଭର୍‌ଟି ରଖିଦେଲି ।

 

ଦେଖିଲି ଏହା ଭିତରେ ଅଦୃଶ୍ୟ ହୋଇଯାଇଛି ଏମିଲିୟା । ସେ ତାର କାମ ଆଦାୟ କରିନେଇଛି, ବାତ୍ତିସତାଙ୍କ ସହିତ ଦେଖା କରିବାକୁ ମୋତେ ସମ୍ମତ କରିପାରିଛି । ଏହିକ୍ଷଣି ତାର ଉପସ୍ଥିତି ବା ସୋହାଗର କୌଣସି ପ୍ରୟୋଜନ ନାହିଁ ।

 

ତା ପରଦିନ ନିର୍ଦ୍ଦଷ୍ଟ ସମୟରେ ବାତ୍ତିସତା ସହିତ ସାକ୍ଷାତ କରିବାକୁ ଗଲି । ଗୋଟାଏ ପୁରାତନ ଅମଳ କୋଠାର ଦ୍ୱିତୀୟ ମହଲା ତାଙ୍କର ଅଫିସ୍‌ । ବଡ଼ ବଡ଼ ଗମ୍ବୁଜ ଆଉ କାନ୍ଥର ଚେହେରା ଦେଖି ପୁରା ପୁରି ବୁଝାପଡ଼େ ଯେ ଏହି ପ୍ରସାଦରେ ଦିନେ କୌଣସି ଏକ ଅଭିଜାତ ପରିବାର ବାସ କରୁଥିଲେ । ଏହିକ୍ଷଣି ଅନେକଗୁଡ଼ିଏ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନର କେନ୍ଦ୍ର ଏଇଠି ସ୍ଥାପିତ ହୋଇଛି । ପ୍ରଶସ୍ତ ଘର ଗୁଡ଼ିକର କାଠ ପାର୍ଟିସନ୍‌ ଦିଆଯାଇ ଛୋଟ ଛୋଟ କଠୋରୀ କରାଯାଇଛି । କଠୋରୀଗୁଡ଼ିକରେ ସ୍ୱଚ୍ଛ ବାୟୁ ଆଉ ଆଲୁଅର ଅଭାବ ବାହାରୁ ସେଗୁଡ଼ିକ ସେତେ ପରିଷ୍କାର ପରିଚ୍ଛନ୍ନ ବି ଦେଖାଯାଏ ନାହିଁ ।

 

ବୟସ ଦୃଷ୍ଟିରୁ ବାତ୍ତିସତା କରୁଣ, କିନ୍ତୁ ବର୍ଷ କେତୋଟି ଭିତରେ ବେଶ୍ ଉନ୍ନତି କରିପାରିଛନ୍ତି । ତାଙ୍କଦ୍ୱାରା ପ୍ରସ୍ତୁତ ଚିତ୍ରଗୁଡ଼ିକ ଉଚ୍ଚ କୋଟୀର ନ ହେଲେହେଁ ବ୍ୟବସାୟ ଦୃଷ୍ଟିରୁ ଆୟ ହେଉଛି ପ୍ରଚୁର । ତାଙ୍କ ଚିତ୍ର ପ୍ରତିଷ୍ଠାନର ନାମଟି ହେଲା ବିଜୟ ଫିଲ୍ମସ୍‌ । ଏହି ପ୍ରତିଷ୍ଠାନ ହେଲା ଏ ଯୁଗର ଅନ୍ୟତମ ଶ୍ରେଷ୍ଠ ଚିତ୍ର ପ୍ରତିଷ୍ଠାନ ।

 

ବାହାର ଘରଟିରେ ସେତେବେଳକୁ ବେଶ୍ ଭିଡ଼ ଜମିଛି । ଏ ଦିଗରେ ମୋର କିଛି କିଛି ଅଭିଜ୍ଞତା ରହିଛି । ମୁହଁ ଦେଖିଲେ ଚିହ୍ନି ହୋଇଯାଏ, କହିଦେଇପାରେ କିଏ କେଉଁ ଉଦ୍ଦେଶ୍ୟରେ ଆସିଛି । ଭିଜିଟରମାନଙ୍କ ଉପରେ ଥରେ ଆଖି ବୁଲେଇନେଲି । ଦେଖିଲି ସେମାନଙ୍କ ଭିତରେ ରହିଛନ୍ତି ଦୁଇ ତିନି ଜଣ ନାଟ୍ୟକାର । କ୍ଳାନ୍ତ ଓ ଅଧ୍ୟବସାୟୀ ଦୃଷ୍ଟି, ପାଖରେ ଖାତାପତ୍ର, ପୋଷାକ ପରିଚ୍ଛଦ ଓ ହାବଭାବ ଦେଖିବା ମାତ୍ରକେ ସେମାନଙ୍କୁ ମୁଁ ଚିହ୍ନି ପକେଇଲି । ଦୁଇ ତିନିଜଣ ସିନେମା ଅର୍ଗାନାଇଜର୍‌ ବା ମାନେଜର୍‌ଙ୍କୁ ବି ଦେଖିଲି । ଗାର ମୁଖିଆ କିମ୍ବା ଦଲାଲ୍‌ ଭଳି ସେମାନଙ୍କର ଚେହେରା । ଦୁଇ ତିନୋଟି ତରୁଣୀ ବି ଆଖିରେ ପଡ଼ିଲେ । ଏମାନେ ହେଉଛନ୍ତି ଭାବୀ ଅଭିନେତ୍ରୀ-। ତରୁଣୀ ଓ ସୁନ୍ଦରୀ ହେଲେହେଁ ଭାବଭଙ୍ଗିରେ, ଅତିରିକ୍ତ ପ୍ରସାଧନ ଫଳରେ ଓ ପୋଷାକ ପରିଚ୍ଛଦର ଚାକଚକ୍ୟରେ ସେମାନେ କିମ୍ଭୂତ କିମାକାର ଦେଖାଯାଉଥିଲେ । ଆହୁରି ଅନେକ ଲୋକ ରହିଛନ୍ତି ଯେଉଁମାନେ ସାଧାରଣତଃ ଏଭଳି ଜାଗାରେ ଦେଖା ଯାଆନ୍ତି, ଅଥଚ ସେମାନଙ୍କ ବର୍ଣ୍ଣନା ଠିକ୍ ଠିକ୍ ଦେବା ଅସମ୍ଭବ । ଯେମିତି ବେକାର, ଅଭିନେତା, ପରାମର୍ଶଦାତା, ଆର୍ଟିଷ୍ଟ, ମିସ୍ତ୍ରୀ ଇତ୍ୟାଦି । ଏମାନଙ୍କ ଭିତରୁ କେତେଜଣ ପଦାଚାରଣ କରୁଥିଲେ, କିଏ କିଏ ଚେୟାର ଉପରେ ବସି ଅଳସରେ ହାଇ ତୋଳୁଥିଲେ । କେହି କେହି ଧୂମପାନ କରି ନିଜ ନିଜ ଭିତରେ ଗଳ୍ପ କରୁଥିଲେ । ...ଆଗରେ ବସି ରହିଛନ୍ତି ଦୁଇଜଣ ମହିଳା । ଟେଲିଫୋନ ଘନ ଘନ ବାଜିଉଠୁଛି ଏବଂ ସେମାନେ ଯୋଗାଯୋଗ ରକ୍ଷା କରୁଛନ୍ତି । ଟେଲିଫୋନ ବନ୍ଦ ହୋଇଗଲେ ନୀରବରେ ବସି ରହି କେତେବେଳେ ଉଦାସ ଦୃଷ୍ଟିରେ, କେତେବେଳେ ବା ଆଡ଼ଚକ୍ଷୁରେ ଭିଜିଟରମାନଙ୍କୁ ଚାହୁଁଛନ୍ତି-। ମଝିରେ ମଝିରେ ଖୁବ୍ ଜୋର୍‌ରେ କଲିଂବେଲ୍ ବାଜିଉଠୁଛି । ସେମାନେ ଜଣକ ପରେ ଜଣେ ଭିଜିଟର୍‌ଙ୍କ ନାମ ଧରି ଡାକୁଛନ୍ତି । ସେହି ଡାକ ଶୁଣିବା ମାତ୍ରକେ ଚଞ୍ଚଳ ଗତିରେ ଡେଇଁପଡ଼ି ଧଳା ଆଉ ସୁନେଲି ପରଦାର ଅନ୍ତରାଳରେ ଅଦୃଶ୍ୟ ହୋଇ ଯାଉଛନ୍ତି ଜଣକ ପରେ ଜଣେ ଭିଜିଟର-

 

ମୋର ନାଁଟି ଲେଖେଇ ନେଇ ଘରର ଶେଷଭାଗରେ ଯାଇ ବସିଲି । ମୋର ମନୋଭାବ ଅପରିବର୍ତ୍ତିତ ରହିଛି । ଭାବ ଦେଖିଛି, ଏମିଲିୟା ମୋତେ ଭଲ ପାଏନା... ଏ କଥା ନୁହେଁ । ତଥାପି ସ୍ଥିର କରିଛି ବାତ୍ତିସତାଙ୍କର କାମଟି ଗ୍ରହଣ କରିବି । ଏମିଲିୟା ପାଖର ତାର ମନର କଥା ବୁଝି ନେଇ ଦରକାର ହେଲେ କାମଟି ଛାଡ଼ିଦେଇ ପାରିବି । ତହିଁରେ କୌଣସି ଅସୁବିଧା ହେବ ନାହିଁ । ଏହି ସମାଧାନଟି ବେଶି ନାଟକୀୟ ହେବ ବୋଲି ମନେହେଲା । ଆର୍ଥିକ କ୍ଷତି ଫଳରେ ନୈରାଶ୍ୟ ଆସିବ । ଆଉ ତା ସହିତ ମନର ସଂଶୟ ଓ ଆପୋଷ ମିଳାମିଶାର ଆକାଂକ୍ଷା ଦୂର ହେବ ।

 

ଅନେକ ପରିମାଣ ଶାନ୍ତ ହୋଇ ଅପେକ୍ଷା କରିଛି । କିନ୍ତୁ ଜାଣେ ଏ ଅବସ୍ଥା ବେଶିଦିନ ରହିବ ନାହିଁ–ବେଦନା, ବିଷର୍ଣ୍ଣତା ଓ ବିଦ୍ରୋହର ଭାବ ଜାଗି ଉଠିବ ମନରେ । ଏ ଯେମିତି ବଜ୍ରପାତ ପୂର୍ବର ସ୍ତବ୍‌ଧତା । ଏତେବେଳଯାଏ କେବଳ ଭାବନା କରିଛି, ଏମିଲିୟା ମୋତେ ଭଲପାଏ କି ନାହିଁ । ଏଥର ମନେ ହେଲା–ନା, ସେ ସମ୍ବନ୍ଧରେ କୌଣସି ସନ୍ଦେହ ନାହିଁ । ଏହି ଆବିଷ୍କାରରେ ଆଶ୍ଚର୍ଯ୍ୟ ହୋଇଗଲି । କିନ୍ତୁ କାହିଁକି–କାହିଁକି ସେ ମୋତେ ଭଲ ପାଏନା ? ତାର ଅବଜ୍ଞାର କାରଣ ଜାଣିପରିଲେ ଜୋର୍‌କରି ତା ପାଖରୁ କୈଫିୟତ ଆଦାୟ କରାଯାଇ ପାରିବ ।

 

ତଥାପି ବିଶ୍ଵାସ ହେଲା ନାହିଁ । ନା... ନା... କୌଣସି ପ୍ରକାରେ ଏହା ସମ୍ଭବ ନୁହେଁ । ମୋତେ ଭଲ ନ ପାଇବାର କୌଣସି କାରଣ ଥାଇ ପାରେନା ! କାହୁଁ ଆସିଲା ଏହି ଦୃଢ଼ ବିଶ୍ଵାସ ? ତେବେ–ହଁ ଅକାରଣରେ ସେ ମୋତେ ଭଲ ପାଏନା । ପରିଶେଷରେ ମନକୁ ମନ କହିଲି–ହେଲେ କାରଣ ରହିଛି । ଏଥର ଦେଖାଯାଉ–କାରଣଟା କ’ଣ ହୋଇପାରେ ? ଯେଉଁଠି ଯେତେ ବେଶି ସଂଶୟ ସେଇଠି ମଣିଷ ସେତେ ବେଶୀ ମିଥ୍ୟା ବିଶ୍ଵାସକୁ ଆଶ୍ରୟ କରେ, ଯାହା କିଛି ଅସ୍ପଷ୍ଟ ଓ ଅନ୍ଧକାରଚ୍ଛନ୍ନ ହୋଇଯାଇଛି–ମନର ଆବେଗରେ ଯାହା କିଛି ଅସ୍ପଷ୍ଟ ତାକୁ ଯେମିତି ଯୁକ୍ତିର କ୍ଷୁର ଧାରରେ ଖଣ୍ଡନ କରିବାକୁ ଚାହେଁ ।

 

ଡିଟେକ୍ଟିଭ୍‌ ଗଳ୍ପର ଗୋଇନ୍ଦା ଭଳି ମୁଁ ତଦନ୍ତ କରିବି ।

 

ଗୋଟାଏ ଖୁନ୍ ହେଇଛି, କିନ୍ତୁ କାହିଁକି ଖୁନ୍ କରାଗଲା–ଖୁନ୍ କରିବାର ଉଦ୍ଦେଶ୍ୟଟା କ’ଣ ? ଉଦ୍ଦେଶ୍ୟ ନିର୍ଣ୍ଣୟ କରିପାରିଲେ ଅସଲ ଅପରାଧୀର ସନ୍ଧାନ କରଯାଇ ପାରିବ ।

Unknown

 

ଏମିଲିୟା ମୋତେ ଭଲ ପାଏ ନାହିଁ–ତାର ଉଦ୍ଦେଶ୍ୟ କଣ ? ସେ ହୁଏତ ଆଉ କାହାକୁ ଭଲ ପାଏ ।

 

ଏ ଧାରଣା ସହଜରେ ନାକଚ କରିଯାଇପାରେ କାରଣ ତାର ବ୍ୟବହାରରେ ଟିକିଏ ବି ସନ୍ଦେହ ହୁଏ ନାହିଁ ଯେ ତାର ଜୀବନ ସହିତ ଅପର କେଉଁ ପୁରୁଷ ଜଡ଼ିତ । ବରଂ ସାଧାରଣ ବ୍ୟବହାର ସଂପୂର୍ଣ୍ଣ ବିପରୀତ ଲକ୍ଷ୍ୟ କରିଯାଇଛୁ । ପ୍ରାୟ ସେ ଏକାକୀ ରୁହେ, ମୋ ଉପରେ ନିର୍ଭର କରେ ବେଶି । ସବୁବେଳେ ଘରେ ଥାଏ, ଅଳ୍ପ ବହୁତ ପଢ଼ାପଢ଼ି କରେ, ନ ହେଲେ ତାର ମା’କୁ ଟେଲିଫୋନ କରେ । ମତେ ସଙ୍ଗରେ ନ ନେଲେ ବାହାରକୁ ବାହାରି ପାରେନା । ତାର ଜଣେ ଦୁଇଜଣ ବାନ୍ଧବୀ ଥିଲେ । ବିବାହପରେ କିଛିଦିନ ଯାଏ ବନ୍ଧୁତ୍ୱ ବଜାୟ ରହିଲା, କିନ୍ତୁ ଶେଷ ପର୍ଯ୍ୟନ୍ତ ଛିନ୍ନ ହୋଇଗଲି ପ୍ରୀତିରେ ଡୋରି । ସେ କେବଳ ମୋତେ ଆଶ୍ରୟ କରି ପଡ଼ିରହିଲା । ମୋ ଉପରେ ଏକାନ୍ତ ଭାବେ ନିର୍ଭରଶୀଳ ହୋଇପଡ଼ିଲା । ତହିଁରେ ମୁଁ ବିରକ୍ତି ହୋଇ ପଡ଼ିଲି । ତଥାପି ତାର ନିର୍ଭରଶୀଳତା ଟିକିଏ ବି କମିଲା ନାହିଁ, ଏମିଲିୟା ଆଉ କାହାକୁ ଖୋଜିଲା ନାହିଁ । ଆଜି ବି ଠିକ୍ ଆଗଭଳି ମୋର ପ୍ରତିକ୍ଷାରେ ବସି ରହେ, ମୋ ଉପରେ ନିର୍ଭର କରେ–କେବଳ ପ୍ରେମ ଟିକକ ନାହିଁ । ଏହି ପ୍ରେମବିହୀନ ନିର୍ଭରତା ଭିତରେ ରହିଛି ଏକ କରୁଣ ବିଷର୍ଣ୍ଣତା, ବିଶ୍ଵାସର କାରଣ ନ ଥିଲେ ବି ସେ ଆପଣାର ଗୁଣରେ ସେ ବିଶ୍ୱାସୀ ହୋଇରହିଛି । ଗୋଟାଏ କଥାରେ ମୋ ଉପରେ ତାର ଆକର୍ଷଣ ନ ଥିଲେ ମଧ୍ୟ ଏହା ନିଶ୍ଚିତ ଯେ ମୋ ବ୍ୟତିତ ଏମିଲିୟାର ଜୀବନରେ ଦ୍ୱିତୀୟ ପୁରୁଷର ସ୍ଥାନ ନାହିଁ । ତା ବ୍ୟତୀତ ଆହୁରି ଗୋଟାଏ ପ୍ରମାଣ ରହିଛି–ଏମିଲିୟା ମିଛ କହିପାରେ ନା । ଇୟେ ହେଲା ତାର ଚରିତ୍ରର ବୈଶିଷ୍ଟ୍ୟ । ସେ ରକମର ସରଳ ମିଥ୍ୟା ତାର ଅସହ୍ୟ । କଳ୍ପନା ଶକ୍ତି ନାହିଁ, ଯାହା ସତ ନୁହେଁ ବା ଯାର ଅସ୍ତିତ୍ୱ ନାହିଁ, ତାକୁ ବନେଇ ଚୁନେଇ କହିପାରେନା । ତେଣୁ ସନ୍ଦେହ ରହିଲା ନାହିଁ ଯେ କାହାର ପ୍ରେମରେ ପଡ଼ିଥିଲେ ସେ ମୋତେ ସବୁ କଥା ଖୋଲି କହି ଥାଆନ୍ତା । କାହାର ପ୍ରେମରେ ପଡ଼ିଥିଲେ ସେ ମୋତେ ସବୁ କଥା ଖୋଲି କହି–ଥାଆନ୍ତା । ତାଛଡ଼ା ସେ ମୋର ଆଚରଣ ସମ୍ବନ୍ଧରେ କୌଣସି ପ୍ରତିବାଦ କରୁ ନାହିଁ । ନିରବ ରହିବା ତା ପକ୍ଷରେ ତିଳେହେଲେ କଠିଣ ନୁହେଁ । ଏକାବେଳକେ ଅସମ୍ଭବ ନ ହେଲେ ହେଁ ସହଜରେ ସେ ପ୍ରବଞ୍ଚନାର ଆଶ୍ରୟ ନେବ, ଏହା ଅବିଶ୍ଵାସ୍ୟ । ତାର ଏହି ଔଦାସିନ୍ୟର ଅର୍ଥ ପରପୁରୁଷର ଆକର୍ଷଣ ନୁହେଁ । ଯଦି କିଛି କାରଣ ଥାଏ ତେବେ ତାହା ଖୋଜିବାକୁ ପଡ଼ିବ–ଏମିଲିୟାର ଜୀବନ ନୁହେଁ, ମୋର ଜୀବନରେ...... ।

 

ଚିନ୍ତାର ସମୁଦ୍ରରେ ମୁଁ ପୂରାପୂରି ମଗ୍ନ । ଶୁଣିପାରୁ ନ ଥିଲି–ମୋର ସାମନାରେ ଠିଆ ହୋଇ ମୁରୁକି ମୁରୁକି ହସି ବାତ୍ତିସତାଙ୍କ ସେକ୍ରେଟେରୀ ବାରମ୍ବାର କହୁଛନ୍ତି, ମି: ମଲଟେନି, ଆପଣଙ୍କ ପାଇଁ ଅପେକ୍ଷା କରିଛିନ୍ତି ଡା: ବାତ୍ତିସତା ।

 

ପ୍ରକୃସ୍ଥିତ ହୋଇ ସହଳ ପାଦ ବଢ଼େଇଲି........ ।

 

ସୁନ୍ଦର ଗୋଟାଏ ସୁସଜ୍ଜିତ କକ୍ଷରେ ବସିଥିଲେ ମି ବାତ୍ତିସତା । ଘରଟିର ଛାତ ଓ କାନ୍ଥ ଚକ୍‌ଚକ୍ କରୁଛି । ବାତ୍ତିସତାଙ୍କ ଆଗରେ ପଡ଼ିଛି ଗୋଟାଏ ପିତଳର ଟେବୁଲ ।

 

ବାତ୍ତିସତା ଗୋଟେ ଲମ୍ବା ନୁହନ୍ତି, କାନ୍ଧ ଦୁଇଟି ପ୍ରଶସ୍ତ, ଦେହଟା ସ୍ଥୂଳ, ତାରି ତୁଳନାରେ ପାଦ ଦୁଇଟି ସରୁ ଓ ଛୋଟ । ମାଙ୍କଡ଼ ସହିତ ତାଙ୍କର ଏହି ସାଦୃଶ୍ୟ ଫଳରେ କେହି କେହି ତାଙ୍କୁ କହୁଥିଲେ ବାନର, ଗରିଲା ଆଉ କେତେ କ’ଣ । କିନ୍ତୁ ମୁଁ କେବେ ତାଙ୍କୁ ଏହି ନାମରେ ଡାକିପାରି ନାହିଁ, କାରଣ ମୋର ରୁଚି ଶିଷ୍ଟାଚାରରେ ଅଘାତ ଲାଗିଛି । ...ବାତ୍ତିସତାଙ୍କର ମୁଣ୍ଡ ଚନ୍ଦା, ଗହଳ ଭୁରୁ, ଆଖି ଯୋଡ଼ାକ ଛୋଟ, ମୋଟା ନାକ, ମୁହଁ ଉପରେ କୌଣସି ବୈଶିଷ୍ଟ୍ୟ ନାହିଁ । ହାତ ଦୁଇଟି ଛୋଟ, ଦେହସାରା କଳା କଳା ଲୋମ । ତାଙ୍କୁ ଦେଖିଲେ ମନେହୁଏ ବାତ୍ତିସତା ଯେମିତି ଏକ ବନ୍ୟପଶୁର ରୂପାନ୍ତର । କିନ୍ତୁ ତାଙ୍କର କଣ୍ଠସ୍ୱର ମଧୁର, ଉଚ୍ଚାରଣ ସ୍ପଷ୍ଟ ଓ ସୁନ୍ଦର । ତାଙ୍କର କଥା ଶୁଣିଲେ ବୁଝାଯାଏ–ସେ ବିଚକ୍ଷଣ ଓ ତିକ୍ଷଣ ବୁଦ୍ଧି ସଂପନ୍ନ ବ୍ୟକ୍ତି ।

 

ଅଫିସ ଭିତରେ ବାତ୍ତିସତା ଏକାକୀ ନ ଥିଲେ, ତାଙ୍କର ମୁହାଁମୁହିଁ ବସିଥିଲେ ଜଣେ ଅପରିଚିତ ବ୍ୟକ୍ତି । ମି. ବାତ୍ତିସତା ଭଦ୍ରବ୍ୟକ୍ତିଙ୍କ ସହିତ ମୋର ପରିଚୟ କରେଇଦେଲେ : ଇୟେ ହେଉଛନ୍ତି ରେନ୍‌ଗୋଲ୍‌ଡ଼ ....

 

ପ୍ରଥମ ସାକ୍ଷାତ ହେଲେ ମଧ୍ୟ ନାମଟି ଶୁଣିବା ମାତ୍ରକେ ଚିହ୍ନି ପାରିଲି । ପ୍ରାକ୍–ମହାଯୁଦ୍ଧର ଯୁଗରେ ସେ ଜର୍ମାନ ଚିତ୍ର ନିର୍ଦ୍ଦେଶକ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ନର୍ଦ୍ଦେଶିତ ଚିତ୍ରଗୁଡ଼ିକ ପେଶାଦାରୀ ବା ମାମୁଲି ଚିତ୍ର ନୁହେଁ–ଗୁରୁ ଗମ୍ଭୀର ହିଟଲର ଅଭ୍ୟୁଦୟ ପରେ ଆଉ ତାଙ୍କର ନାମ ଶୁଣାଯାଉ ନାହିଁ । ସେ କୁଆଡ଼େ ହଲିଉଡ୍‌ରେ ଥିଲେ; କିନ୍ତୁ ତାଙ୍କର ନର୍ଦ୍ଦେଶିତ କୌଣସି ଚଳଚ୍ଚିତ୍ର ଏ ଯାବତ୍ ଇଟାଲିରେ ପ୍ରଦର୍ଶିତ ହୋଇ ନାହିଁ ।

 

ମୋ ସହିତ କରମର୍ଦ୍ଦନ କରିବାକୁ ରେନ୍‌ଗୋଲ୍‌ଡ଼ ଠିଆହେଲେ । ବିନୀତ ଭାବରେ ସମ୍ଭାଷଣ ଜଣାଇ ସେ ପୁନରାୟ ଆସନ ଗ୍ରହଣ କଲେ ।

 

ବାତ୍ତିସତା କହିଲେ, ରେନ୍‌ଗୋଲ୍‌ଡ଼ ଓ ମୁଁ କ୍ୟାପ୍ରି ସମ୍ବନ୍ଧରେ କଥାବାର୍ତ୍ତା କରୁଥିଲୁ । କ୍ୟାପ୍ରି ସମ୍ବନ୍ଧରେ ଆପଣ ଜାଣନ୍ତିତ ମି. ମଲ୍‌ଟେନି ?

 

ହଁ ।

 

ବାତ୍ତିସତା କହିଲେ, ଜାଣନ୍ତି ସେଇଠି ମୋର ଗୋଟାଏ ପ୍ରମୋଦ ପ୍ରାସାଦ ଅଛି...ଏଇକ୍ଷଣି ମୁଁ ରେନ୍‌ଗୋଲ୍‌ଡ଼ଙ୍କୁ କହୁଥିଲି–ସତରେ ସ୍ଥାନଟା କେତେ ମନୋରମ; ପ୍ରକୃତିରେ ସେ ସୌନ୍ଦର୍ଯ୍ୟ ଭିତରେ ମୋ ଭଳି ନିରସ ବ୍ୟବସାୟୀର ମଧ୍ୟ କାବ୍ୟଚର୍ଚ୍ଚା କରିବାକୁ ଇଚ୍ଛା ହୁଏ । ସୌନ୍ଦର୍ଯ୍ୟ ଓ ଆଦର୍ଶ ଉପରେ ଏଭଳି ଶ୍ରଦ୍ଧା ଓ ଆଗ୍ରହ ପ୍ରଦର୍ଶନ କରିବା ମି: ବାତ୍ତିସତା ଅଭ୍ୟାସ । ତାଙ୍କରି ଏହି ଆଗ୍ରହ ଅକପଟ ହେଲେ ହେଁ ପୂରାପୂରି ସ୍ଵାର୍ଥ ବର୍ଜିତ ନୁହେଁ । ତେଣୁ ମୁଁ ବିଚଳିତ ହୋଇ ପଡ଼ିଲି । ଅଳ୍ପକ୍ଷଣ ପରେ ନିଜ କଥାରେ ନିଜେ ମୁଗ୍‌ଧ ହୋଇ ବାତ୍ତିସତା କହିଲେ, ନୟନାଭିରାମ ପ୍ରକୃତି, ଉଦାର ସ୍ଵଚ୍ଛ ଆକାଶ, ଚିର ନୀଳ ସମୁଦ୍ର–ଆଉ ଅଜସ୍ର ଫୁଲ–ସବୁଆଡ଼େ ଫୁଲର ଅପୂର୍ବ ସମାରୋହ...ଆପଣଙ୍କ ଭଳି ଲେଖକ ହୋଇଥିଲେ ମୁଁ କ୍ୟାପ୍ରିରେହିଁ ବାସ କରି ପ୍ରେରଣା ନିଅନ୍ତି । ସତରେ ଅବାକ୍‌ ଲାଗେ–ଶିଳ୍ପ ଗଣ କ୍ୟାପ୍ରିର ପ୍ରାକୃତିକ ଦୃଶ୍ୟର ଚିତ୍ର ଅଙ୍କନ ନ କରି ଏମିତି ସବୁ ଚିତ୍ର ଅଙ୍କନ କରନ୍ତି–ଯାର କୌଣସି ଅର୍ଥ ହୁଏ ନାହିଁ... କହିବାକୁ ଗଲେ କ୍ୟାପ୍ରିରେ ପ୍ରାକୃତିକ ଚିତ୍ର ଅଙ୍କିତ ହୋଇ ରହିଛି କେବଳ କ୍ୟାମେରାରେ ଧରିନେଲେ ହେଲା..... ।

 

କୌଣସି ପ୍ରକାର ମନ୍ତବ୍ୟ ନ ଦେଇ ରେନ୍‌ଗୋଲ୍‌ଡ଼ଙ୍କୁ କଣେଇ ଚାହିଁଲି । ଦେଖିଲି, ବାତ୍ତିସତାଙ୍କ କଥାରେ ମୁଣ୍ଡ ହଲେଇ ସେ ସମ୍ମତି ପ୍ରକାଶ କଲେ । ଆକାଶର ବଙ୍କିମ ଚନ୍ଦ୍ର ଭଳି ଦେଖାଗଲେ ତାଙ୍କରି ମୁହଁର ଦରହାସ । ବାତ୍ତିସତା କହିବାକୁ ଲାଗିଲେ, ଜାଣନ୍ତି–ସମୟ ସମୟରେ ଭାବେ ସମସ୍ତେ କାମଦାମ ଛାଡ଼ିଦେଇ ସେଇଠି କିଛିଦିନ ରହନ୍ତି–ମାତ୍ର ସୁବିଧା ଓ ସୁଯୋଗ ହୁଏନା–ଏଇଠି–ସହରରେ ଆମେ ଯେଉଁ ଜୀବନଯାପନ କରୁ ତା ସହିତ ସେଠାକାର ପ୍ରକୃତିର କୌଣସି ସାମଞ୍ଜସ୍ୟ ନାହିଁ । ଅଫିସର ଫାଇଲ ପାହାଡ଼ ତଳେ ନିଜକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରି ସମୟ ବିତେଇ ଦେବା ପାଇଁ ମଣିଷର ଜନ୍ମ ନୁହେଁ......ତା’ଛଡ଼ା କ୍ୟାପ୍ରିର ଲୋକେ ଆମଠାରୁ ଢେର ସୁଖୀ...ଅପରାହ୍ନରେ ଚତୁର୍ଦ୍ଦିଗ ଉଜ୍ୱଳ ହସରେ ମୁଖରିତ କରି ରଙ୍ଗୀନ ପ୍ରଜାପତି ଭଳି ଘୂରି ବୁଲନ୍ତି ତରୁଣ ତରୁଣିଗଣ । କି ଅପୂର୍ବ ସେହି ଦୃଶ୍ୟ । ତାଙ୍କର ଜୀବନ ଏମିତି ଆନନ୍ଦ ମୁଖରିତ କାହିଁକି ଜାଣନ୍ତି ? ସେମାନେ ଉଚ୍ଚାଭିଳାଷୀ ବା ସ୍ୱାର୍ଥପର ନୁହନ୍ତି, ତେଣୁ ସେମାନଙ୍କର ଦୁଃଖ ଓ ଅଭାବର ମାତ୍ରା ମଧ୍ୟ କମ୍...ସତରେ ସେମାନେ କେଡ଼େ ସୁଖୀ..

 

କିଛି ସମୟ ନିରବ ରହିଲେ ମି: ବାତ୍ତିସତା, ତାପରେ ପୁନରାୟ ଆରମ୍ଭ କଲେ, ମୁଁ ଯାହା କହୁଥିଲି–ମୋର ଗୋଟାଏ ପ୍ରମୋଦ ପ୍ରସାଦ ଅଛି କ୍ୟାପ୍ରିରେ–ମୁଁ ସେଠିକି କେବେହେଲେ ଯାଇନାହିଁ–କି ଦୁର୍ଭାଗ୍ୟ ଦେଖନ୍ତୁ ତ ପ୍ରାସାଦଟା ଯେତେବେଳେ ଅନ୍ତତଃ ନେଉଛି ସେଠି କିଛିଦିନ ରହିବା ଦରକାର–ତେଣୁ ମି. ରେନ୍‌ଗୋଲ୍‍ଡ଼ଙ୍କୁ କହୁଥିଲି ଚିତ୍ରନାଟ୍ୟ ରଚନା ପାଇଁ କେବଳମାତ୍ର କ୍ୟାପ୍ରି ହିଁ ସର୍ବୋତ୍ତମ ସ୍ଥାନ...ବାହ୍ୟ ପ୍ରକୃତିରୁ ପ୍ରେରଣା ମିଳିପାରିବ ଯଥେଷ୍ଟ–ବିଶେଷ ଭାବରେ–ରେନ୍‌ଗୋଲ୍‍ଡ଼ଙ୍କୁ କହୁଥିଲି ସେଠିକାର ବର୍ହିପ୍ରକୃତି ସହିତ ଆମ ଚିତ୍ରଟିର ବିଷୟବସ୍ତୁର ସାମଞ୍ଜସ୍ୟ ରହିଛି !

 

ରେନ୍‌ଗୋଲଡ଼ କହିଲେ, ଦେଖନ୍ତୁ ମି. ବାତ୍ତିସତା, କାମ ଯେଉଁଠି ଇଚ୍ଛା ସେଇଠି କରାଯାଇପାରେ...ତେବେ କ୍ୟାପ୍ରି ଆମରି କାମ ପାଇଁ ବିଶେଷ ଉପଯୋଗୀ ହୋଇପାରେ ଯଦି ନେପ୍‌ଲସ୍‌ ଉପସାଗରକୁ ଯାଇ କେତୋଟି ଶର୍ଟ ନିଆଯାଏ ।

 

ନିଶ୍ଚୟ...ରେନ୍‌ଗୋଲ୍‌ଡ଼ କହୁଛନ୍ତି ସେ କୌଣସି ଗୋଟାଏ ହୋଟେଲ୍‌ରେ ରହିବେ । ତାଙ୍କର କୋତୋଟି ବ୍ୟକ୍ତିଗତ ଅସୁବିଧା ରହିଛି–ତାଛଡ଼ା ନିର୍ଜ୍ଜନରେ ରହି ନିଜର କାମ ସମ୍ବନ୍ଧରେ ଚିନ୍ତା କରିବାକୁ ସେ ଭଲପାଆନ୍ତି; ତେଣୁ ଆପଣ ଓ ଆପଣଙ୍କ ସ୍ତ୍ରୀ ଯାଇ ମୋର ପ୍ରମୋଦ ପ୍ରାସାଦରେ ରହନ୍ତୁନା ମି. ମଲଟେନି । ଅନ୍ତତଃ କେହି ଜଣେ ସେଇଠି ରହିଲେ ମୁଁ ଖୁସି ହେବି–କିଛି ଅସୁବିଧା ନାହିଁ । ସେଠି ସବୁ ସୁବିଧା ରହିଛି–ଚାକର ଚାକରାଣି ପାଇବାକୁ କୌଣସି କଷ୍ଟ ହେବ ନାହିଁ ।

 

ଏମିଲିୟାର କଥା ମୋର ମନେପଡ଼ିଲା । ଭାବିଲି କ୍ୟାପ୍ରିର ମନୋରମ ପରିବେଶ ମଧ୍ୟରେ ସେହି ପ୍ରାସାଦକୁ ଗଲେ ଅନେକ ଅସୁବିଧା ଦୂର ହୋଇଯିବ । କାହିଁକି କହିପାରିବି ନାହିଁ ଏ ସମ୍ବନ୍ଧରେ ମୋର ଧାରଣା ନିଶ୍ଚିତ ହୋଇଗଲା । ତେଣୁ ମି. ବାତ୍ତିସତାଙ୍କୁ ଧନ୍ୟବାଦ ଜଣାଇଲି । କହିଲି ଚିତ୍ରନାଟ୍ୟ ରଚନା ପକ୍ଷରେ କ୍ୟାପ୍ରି ଯେ ପ୍ରଶସ୍ତ, ଏଥିରେ ମୋର କୌଣସି ସନ୍ଦେହ ନାହିଁ–ଆପଣଙ୍କର ପ୍ରମୋଦ–ପ୍ରାସାଦରେ ବାସ କରିବାର ସୌଭାଗ୍ୟ ଲାଭ କଲେ ମୁଁ ଓ ମୋର ପତ୍ନୀ ଉଭୟେ ଖୁସି ହେବୁ । ମୋର ହାତ ଧରି ବାତ୍ତିସତା ଉତ୍ତେଜିତ ଭାବରେ କହିଲେ ବେଶ୍ ଆପଣମାନେ କ୍ୟାପ୍ରିକୁ ଯିବେ । ମୁଁ ଆପଣମାନଙ୍କ ସହିତ ସେଠି ଦେଖାକରିବି–ବେଶ୍‌-ବେଶ୍‌ ଏଥର ଆମର ଚିତ୍ର ସମ୍ବନ୍ଧରେ ଆଲୋଚନା କରାଯାଉ ।

 

ବାତ୍ତିସତାଙ୍କର ମୁହଁ କୁ ଚାହିଁ ରହିଲି ।

 

କାହିଁକି ତାଙ୍କର ଆମନ୍ତ୍ରଣ ଗ୍ରହଣ କଲି ? ମୋର ଏ ହଠକାରିତା ଏମିଲିୟା ନିଶ୍ଚୟ ଗ୍ରହଣ କରିବ ନାହିଁ । ମୋ ପକ୍ଷରେ ଏତେ ଆଗ୍ରହ ପ୍ରକାଶ କରିବା ସତରେ ଠିକ୍‌ ହୋଇନାହିଁ । କହିବା ଉଚିତ ଥିଲା ଭାବି ଦେଖେ । ତେଣୁ ଲଜ୍ଜାବୋଧ କଲେ ।

 

ବାତ୍ତିସତା କହିଲେ, ଆମେ ସମସ୍ତେ ଏକମତ ଯେ ଚିତ୍ରଶିଳ୍ପରେ ନୂତନତ୍ୱ ଆଣିବାକୁ ପଡ଼ିବ–ଯୁଦ୍ଧୋତ୍ତର ଯୁଗ ଶେଷ ହୋଇଛି ଜନ–ସାଧାରଣ ବର୍ତ୍ତମାନ ନୂତନ ଜିନିଷ ଚାହାନ୍ତି, କାରଣ ସମସ୍ତେ, ଏହି ଅତ୍ୟାଧୁନିକ ବାସ୍ତବବାଦ ଭିତରେ କ୍ଳାନ୍ତ ହୋଇପଡ଼ିଛନ୍ତି... କାହିଁକି ଆମେ ବାସ୍ତବଧର୍ମୀ ଅଧୁନିକ ଚିତ୍ର ଉପରେ ବୀତଶ୍ରଦ୍ଧ ହୋଇପଡ଼ିଛୁ ? ତାର କାରଣ କଣ ? ...ଅଳ୍ପ ଚିନ୍ତାକରି ଦେଖିଲେ ବୁଝିପାରିବେ.... । ଆଜିକାର ଦର୍ଶକ ସମାଜ କ’ଣ ଚାହାଁନ୍ତି ?

 

ବାତ୍ତିସତା ପ୍ରତ୍ୟକ୍ଷ ଆକ୍ରମଣରେ ପକ୍ଷପାତୀ ନୁହଁନ୍ତି । ସେ ଛିଦ୍ରାନ୍ୱେଷୀ ନୁହଁନ୍ତି–ହୁଏତ ନିଜକୁ ସେ ସେହି ଭାବରେ ପ୍ରକାଶ କରିବାକୁ ଚାହାନ୍ତି । ତେଣୁ କୌଣସି ବିଷୟ ସ୍ପଷ୍ଟଭାବରେ କହିବା ତାଙ୍କର ସ୍ଵଭାବ ବିରୁଦ୍ଧ । ଅନ୍ୟାନ୍ୟ ଚିତ୍ର ନିର୍ମାତାମାନଙ୍କ ପରି ଲାଭ ଉପରେ ଷୋହଳଅଣା ଦୃଷ୍ଟି ରହିଥିଲେ ବି ସେ ଅନ୍ୟ ରକମର ଭାବ ଦେଖାନ୍ତି । ଗୋଟାଏ ଛଳନାର ମୁଖା । ତାରିତଳେ ଆତ୍ମଗୋପନ କରି ନିଜର ଅଭିଷ୍ଟ ସିଦ୍ଧି କରି ନେବାରେ ସେ ସଦାସର୍ବଦା ତତ୍ପର । କୌଣସି ଚିତ୍ରର ବିଷୟବସ୍ତୁ ବା କାହାଣୀ ପସନ୍ଦକୁ ନ ଆସିଲେ ସାଧାରଣତଃ ସବୁ ଚିତ୍ର ପରିଚାଳକ ଯେମିତି କହନ୍ତି ଏଥିରେ ପଇସା ମିଳିବ ନାହିଁ ବା ବକ୍‍ସ–ଅଫିସ ହିଟ୍‌ ହୋଇପାରିବନି, ସେ ଠିକ୍‌ ସେମିତି ସ୍ପଷ୍ଟ ଭାଷାରେ କହନ୍ତି ନାହିଁ । କହନ୍ତି ଏଇ ଏଇ କାରଣରୁ କାହାଣୀଟି ମୋର ମନକୁ ପାଉ ନାହିଁ । ଏମିତି ସବୁ ଯୁକ୍ତି ବାଢ଼ି ବସନ୍ତି–ଯାହା ଶୁଣିଲେ ମନେ ହେବ ଅବାଧ୍ୟ ରାଜପୁତ୍ରମାନଙ୍କୁ ପଣ୍ଡିତ ମହାଶୟ ହିତୋପଦେଶ ଶୁଣାଉଛନ୍ତି ।

 

ଅଳ୍ପ ଚିନ୍ତାକରି ବାତ୍ତିସତା କହିଲେ, ମୋର ମତରେ ଜନସାଧାରଣ ବର୍ତ୍ତମାନ ଆଉ ସେହି ଚର୍ବିତ ଚର୍ବଣ ଉଗ୍ର ଆଧୁନିକ ବାସ୍ତବଧର୍ମୀ ଚିତ୍ର ପସନ୍ଦ କରନ୍ତି ନାହିଁ–କାହିଁକି ନା ଏ ସବୁ ଚିତ୍ର ସ୍ଵାସ୍ଥ୍ୟକର ନୁହେଁ ।

 

ସେ ମୁଁହ ବୁଲେଇ ଥରେ ରେନ୍‌ଗୋଲ୍‌ଡ଼ଙ୍କୁ ଚାହିଁଲେ । ନିଷ୍କଳଙ୍କ ତାଙ୍କର ଦୃଷ୍ଟି । ହୁଏତ ସ୍ଵାସ୍ଥ୍ୟକର କଥାଟି ଉପରେ ଜୋର୍‌ଦେବା ଫଳରେ ଅଳ୍ପ ରହିଯାଇ ବାତ୍ତିସତା କହିଲେ, ଆଧୁନିକ ବାସ୍ତବଧର୍ମୀ ଚିତ୍ର ନୁହେଁ; କାରଣ ଏହି ଧରଣର ଚିତ୍ର ମଣିଷକୁ ଜୀଇଁ ରହିବାର ପ୍ରେରଣା ଦିଏନା, ଜୀବନ ଉପରେ ଅସ୍ଥା ସ୍ଥାପନ କରିବାର ସାହସ ଦିଏନା ଚିତ୍ର ମାଧ୍ୟମରେ ରୂପାୟିତ କରେ କେବଳ ହତାଶା, ଦୁଃଖବାଦ ଓ ନିରାଶା । ସେଇଠି କେବଳ ଜୀବନର ଅନ୍ଧକାରମୟ ଦିଗଟା ହିଁ ପ୍ରତିଫଳିତ ହୁଏ । ମାନବ ଜୀବନର କଦର୍ଯ୍ୟତମ, ଅସ୍ଵାଭାବିକ ଅବସ୍ଥା ଉପରେ ଆଧୁନିକ ଚିତ୍ର ନିର୍ମାତାଗଣ ଜୋର୍‌ ଦିଅନ୍ତି ସବୁଠୁ ବେଶୀ । ଏହି ସମସ୍ତ ଚିତ୍ର ସୁସ୍ଥ ଆନନ୍ଦମୟ ଜୀବନ ଯାପନର ପଥ ନିର୍ଦ୍ଦେଶ କରେ ନାହିଁ ।

 

ମି: ବାତ୍ତିସତାଙ୍କର ମୁହଁକୁ ଚାହିଁ ଦେଖିଲି । ସେ ଯାହା କହୁଛନ୍ତି ଠିକ୍ ବୁଝିପାରିଲି ନାହିଁ ସେ ନିଜେ ତାହା ବିଶ୍ଵାସ କରନ୍ତି କି ନାହିଁ । ତେବେ ହିଁ ତାଙ୍କର ଉକ୍ତି ଭିତରେ ରହିଛି ଆନ୍ତରିକତା ।

 

ବାତ୍ତିସତା କହିଲେ, ମି. ରେନ୍‌ଗୋଲ୍‍ଡ଼ ଗୋଟାଏ ପ୍ରସ୍ତାବ କରିଛନ୍ତି–ପ୍ରସ୍ତାବଟି ମନ୍ଦ ନୁହେଁ । ସେ କହିଛନ୍ତି ଆଜି ପର୍ଯ୍ୟନ୍ତ ବାଇବେଲ ଅବଲମ୍ବନରେ ଯେଉଁ କେତୋଟି ଚିତ୍ର ନିର୍ମିତ ହୋଇଛି ସେ ସମସ୍ତ ବେଶ ସଫଳ ହୋଇଛି କାହିଁକି ? ....କାରଣ ବାଇବେଲ ଭଳି ସରଳ ଓ ଦୀପ୍ତ ଆଉ କିଛି ନାହିଁ । ତେଣୁ ରେନ୍‌ଗୋଲ୍‍ଡ଼ କହିଛନ୍ତି, ଆଙ୍ଗ୍ଲୋସାକ୍‌ସନ୍‌ମାନଙ୍କର ବାଇବେଲ୍‌ ଆଉ ଭୂମଧ୍ୟସାଗରୀୟ ଦ୍ୱୀପପୁଞ୍ଜର ହୋମର୍‌....ସେଇୟା ନା ?

 

ମି: ରେନ୍‌ଗୋଲ୍‍ଡ଼ ମୁରୁକି ମୁରୁକି ହସି କହିଲେ–ନିଶ୍ଚୟ...ନିଶ୍ଚୟ......

 

ମି. ବାତ୍ତିସତା କହିଲେ, ସେ କହିଛନ୍ତି–ଆପଣମାନଙ୍କର...ମାନେ ଭୂମଧ୍ୟସାଗର ଅଞ୍ଚଳର ଜାତିପୁଞ୍ଜ ନିକଟରେ ‘ହୋମର’ ଆଙ୍ଗ୍ଲୋସାକ୍‌ସନ୍‌ମାନଙ୍କର ବାଇବେଲ୍‌ ସଦୃଶ–ଯେମିତି ଧରନ୍ତୁ ହୋମର୍‌ଙ୍କର ‘ଓଡ଼ିସି’... ଆପଣମାନେ ‘ଓଡ଼ିସି’ର ଚିତ୍ର ନାହାନ୍ତି କାହିଁ କି ?

 

ସେ ନୀରବ ରହିଲେ । ଅବାକ୍ ହେଇ ପ୍ରଶ୍ନ କଲି, ସମଗ୍ର ‘ଓଡ଼ିସି’ ନା ତାର କୌଣସି ଉପାଖ୍ୟାନ ? ମି: ବାତ୍ତିସତା କହିଲେ, ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିଛୁ । ସମଗ୍ର ‘ଓଡ଼ିସି’ଟା ନେଲେ ଭଲ ହେବ କିନ୍ତୁ ସେଇଟା ବଡ଼କଥା ନୁହେଁ..... । ତା ପରେ ମୁହଁ ଉଠେଇ କହିଲେ, ବଡ଼କଥା ହେଲା, ଓଡ଼ିସିଟାକୁ ଆଉଥରେ ଭଲ ଭାବରେ ପଢ଼ିବା....ଏଥର ବୁଝିପାରିଛୁ....ଏତେଦିନ କ'ଣ ଚାହିଁଛି ଅଥଚ ବୁଝିପାରି ନାହିଁ... ବୁଝୁଛି... ଅତି ସ୍ତବ୍ଧଧର୍ମୀ ଚିତ୍ରରେ ପ୍ରକୃତରେ କେଉଁ ଜିନିଷରେ ଅଭାବ ଯେମିତି ଆପଣ ଯେଉଁ ବିଷୟବସ୍ତୁର କଥା କହୁଛନ୍ତି–ତା ଭିତରେ ଯାହା ମୁଁ କେବେହେଲେ ପାଇନି ଏମିତି ଗୋଟାଏ ଜିନିଷ ଯାହା ଅନୁଭବ କରୁଛି, ଅଥଚ ପ୍ରକାଶ କରି ପାରୁ ନାହିଁ, ଯାହା ଜୀବନ ଆଉ ଚିତ୍ର ଶିଳ୍ପରେ ସମଭାବରେ ପ୍ରୟୋଜନୀୟ

 

–ସେ ହେଲା କାବ୍ୟ ।

 

ସେତେବେଳ ଯାଏ ରେନ୍‌ଗୋଲ୍‌ଡ଼୍‌ଙ୍କ ଓଠରୁ ହସର ରେଖାଟା ସଂପୂର୍ଣ୍ଣ ପୋଛି ହୋଇଯାଇ ନାହିଁ । ସାହସ କରି କହିଲି, ଓଡ଼ିସିରେ କାବ୍ୟର ଅଭାବ ହୁଏତ ନାହିଁ, କିନ୍ତୁ ଅସଲ ଅସୁବିଧା ହେଲେ ତାର ଚିତ୍ର ରୂପାୟନ ..

 

ବାତ୍ତିସତା କହିଲେ, ବେଶ୍‌ତ–ସେକାମ ପାଇଁ ଆପଣମାନେ ରହିଛନ୍ତି–ଆପଣ ଓ ରେନ୍‌ଗୋଲ୍‍ଡ଼ ? ଜାଣେ ଓଡ଼ିସିରେ କାବ୍ୟ ରହିଛି ଏବଂ ଆପଣମାନେ ସେହି କାବ୍ୟରସକୁ ଆହରଣ କରିବେ ।

 

କହିଲି, ଓଡ଼ିସି ହେଲା ଗୋଟାଏ ସ୍ୱତନ୍ତ୍ର ଜଗତ–ତହିଁରୁ ମଣିଷ ଯାହା ଚାହେଁ ତାହା ପାଇ ପାରେ... ତେବେ ଆହରଣଟା ଅନେକ ପରିମାଣରେ ନିର୍ଭର କରେ ରୁଚି ଓ ଦୃଷ୍ଟି ଭଙ୍ଗୀ ଉପରେ ।

 

ମୋର ଉତ୍ସାହର ଅଭାବ ଦେଖି ମି: ବାତ୍ତିସତା ବିଚଳିତ ହୋଇ–ପଡ଼ିଲେ । ମୋର ଔଦାସିନ୍ୟର କାରଣ ସେ ଖୋଜି ପାଇଲେ ନାହିଁ । ଚୌକିରୁ ଉଠିପଡ଼ି ଘର ଭିତରେ ପଦଚାରଣ କରୁ କରୁ କହିଲେ, ଓଡ଼ିସି ପଢ଼ି ମୋର ମନେହେଉଛି ତାର କାବ୍ୟ ସୌନ୍ଦର୍ଯ୍ୟ ଅତୁଳନୀୟ, ଅପରୂପ... ତହିଁରେ ଏମିତି ସବୁ ଦୃଶ୍ୟ ରହିଛି ଯାହାର ଆବେଦନ ସାର୍ବଜନୀନ... ବିଜୟ ଫିଲମ୍‌ସ ଆଧୁନିକ ରୁଚିର ଅନୁକୂଳରେ ରୂପ ଦେବ ଓଡ଼ିସିର ସେହି ଅଭିନବ ଦୃଶ୍ୟଗୁଡ଼ିକ ।

 

ମୁଁ ନୀରବ ରହିଲି । ବୁଝିପାରିଲ କାବ୍ୟ କହିଲେ ମୋର ଯାହା ଧାରଣା ମି: ବାତ୍ତିସତାଙ୍କ ଧାରଣା ସହିତ ତାର କୌଣସି ସାମଞ୍ଜସ୍ୟ ନାହିଁ । ତାଙ୍କର ବିଜୟ ଫିଲ୍‌ମ୍‌ସର ଓଡ଼ିସି ହେବ ବାଇବେଲ୍‌ ଅବଲମ୍ବନରେ ହଲିଉଡ଼ରେ ତିଆରି ହେଉଥ‌ିବା ଚିତ୍ରର ଅନୁରୂପ । ମୂଳ କଥାବସ୍ତୁ ସହିତ ତାର କୌଣସି ସଂପର୍କ ରହିବ ନାହିଁ । ତହିଁରେ ରହିବ ଦୈତ୍ୟ ଦାନବ, ନର ନାରୀ ହରଣ, ପାପ ଆଉ ଦୁଷ୍କର୍ମର ଦୃଶ୍ୟ, ପ୍ରେମ, ପ୍ରତିହିଂସା ଆଉ ବାଗାଡ଼ମ୍ବର । ଏହାଠାରୁ ଆଉ ଅନ୍ୟଥା ହେବ କେମିତି ?

 

ଚୌକି ଉପରେ ବସି ବାତ୍ତିସତା କହିଲେ, ଆପଣ କଣ କହୁଛନ୍ତି ମି: ମଲଟେନୀ ?

 

ଚିତ୍ରନାଟ୍ୟ ଲେଖକ ହିସାବରେ ମୋର ଅଭିଜ୍ଞତା ରହିଛି । ଏ ଚିତ୍ର କେବେ ହେଲେ ଶେଷ ହୋଇ ପାରିବ ନାହିଁ । କାମ କରିବି କିନ୍ତୁ ଶେଷରେ ଟଙ୍କା ମିଳିବ ନାହିଁ । ତେଣୁ ଭାବିଲି ଆଗରୁ ସତର୍କ ହେବା ଦରକାର । କହିଲେ, ଆଇଡ଼ିଆଟି ତ ବେଶ୍ ଚମତ୍କାର ବୋଲି ମନେ ହେଉଛି ।

 

କିନ୍ତୁ ଆପଣଙ୍କ ସେଭଳିର ବିଶେଷ ଆଗ୍ରହ ଦେଖୁ ନାହିଁ କାହିଁ କି ?

 

ମୁଁ ଭାବୁଛି–ବିଷୟ ବସ୍ତୁଟି ମୋ ପକ୍ଷରେ ଅଳ୍ପ କଠିଣ ହେବ... ମୁଁ ହୁଏତ ପାରିବି ନାହିଁ...ମୋର କ୍ଷମତାର ବହିର୍ଭୂତ ହୋଇପାରେ ବୋଲି ମୋର ଧାରଣା ।

 

ମି. ବାତ୍ତିସତା ଉତ୍ତେଜିତ ହୋଇ କହିଲେ, କାହିଁକି–ଆପଣ ତ ଉଚ୍ଚକୋଟୀର ଚିତ୍ର କଥା କହନ୍ତି–ବର୍ତ୍ତମାନ ଆପଣଙ୍କୁ ସୁଯୋଗ ଦେଉଛି, ଆଉ ଆପଣ ପଛେଇ ଯାଉଛନ୍ତି ?

 

ଦେଖନ୍ତୁ ମି. ବାତ୍ତିସତା ମନସ୍ତତ୍ତ୍ୱମୂଳକ ଚିତ୍ରରେ ମୋର ଆକର୍ଷଣ ବେଶି । ମୋର ମନେହୁଏ–ଆପଣଙ୍କର ପ୍ରସ୍ତାବିତ ଚିତ୍ରରେ ଦୃଶ୍ୟ ବ୍ୟତୀତ ଆଉ କିଛି ନାହିଁ ।

 

ମି. ବାତ୍ତିସତା ଏହାର କୌଣସି ଉତ୍ତର ଦେଇପାରିଲେ ନାହିଁ । ହଠାତ୍ କହିଉଠିଲେ, ମି. ବାତ୍ତିସତା ଚିତ୍ରଟି ସମ୍ବନ୍ଧରେ ଆପଣଙ୍କୁ ବିଶଦ ଭାବରେ କହିଛନ୍ତି–ଅବଶ୍ୟ ସେ କହିଛନ୍ତି ଚିତ୍ରନିର୍ମାତା ହିସାବରେ–ତେଣୁ ଯଦି ଆପଣଙ୍କୁ ଠିକ୍‌ ଭାବରେ–ବୁଝେଇ ପାରି ନାହନ୍ତି–କିନ୍ତୁ ଆପଣ ଯଦି ମନସ୍ତତ୍ତ୍ୱ ଚାହାନ୍ତି, ନିଃସନ୍ଦେହରେ କାମଟା ନେଇପାରନ୍ତି, କାହିଁକି ନା ଚିତ୍ରଟି ଭିତରେ ଇଉଲିସିସ ଓ ପେନିଲୋପର ମନସ୍ତତ୍ତ୍ଵ ଗୌଣ ନୁହେଁ–ମୁଖ୍ୟ... ମୁଁ ଚିତ୍ରଟି ତିଆରି କରିବି ଏମିତି ଚରିତ୍ରକୁ କେନ୍ଦ୍ର କରି ଯେ ତାର ପତ୍ନୀକୁ ଭଲପାଏ କିନ୍ତୁ ପ୍ରତିଦାନରେ ସ୍ତ୍ରୀର ପ୍ରେମ ସେ ପାଏନା ।

 

ମି. ବାତ୍ତିସତାଙ୍କ ଓଠତଳେ ଚହଲିଗଲା ଧାରେ ହସ......ମି: ରେନ୍‌ଗୋଲ୍‌ଡ଼ ମଧ୍ୟ ମୁରୁକି ମୁରୁକି ହସିଲେ । ଉଜ୍ଜ୍ୱଳ ହୋଇଗଲା ତାଙ୍କର ମୁଖମଣ୍ଡଳ । କଣ ଉତ୍ତର ଦେବି ଠିକ୍‌କରି ପାରିଲି ନାହିଁ । କହିବାକୁ ଚାହିଁଲି, ‘ପେନିଲୋପ ଉଇଲିସିସ୍‌କୁ ଭଲ ପାଏନା, ଏହା ମିଥ୍ୟା ।’ ଚିତ୍ର ନର୍ଦ୍ଦେଶକ ମି. ରେନ୍‌ଗୋଲ୍‌ଡ଼ଙ୍କ କଥା ମନେପଡ଼ିଲା–‘ଯେ ତାର ସ୍ତ୍ରୀକୁ ଭଲ ପାଏ ମାତ୍ର ବିନିମୟରେ ସ୍ତ୍ରୀର ପ୍ରେମ ସେ ପାଏନା ।’ ଏମିଲିୟା ସହିତ ମୋର ସଂପର୍କର କଥା ବି ମନେପଡ଼ିଲା । ମନରେ ପ୍ରଶ୍ନ ଉଠିଲା, ଏମିଲିୟା ମୋତେ ଭଲ ପାଏ ନାହିଁ କାହିଁକି ।

 

ମାନସ ଚକ୍ଷୁରେ ଦେଖିଲି–

 

ମୁଁ ପଢ଼ାଘରେ ବସି ଗୋଟାଏ ଚିତ୍ରନାଟ୍ୟ ଲେଖୁଛି–ବିଗତ କେତେଦିନ ଧରି କାମଟା ଚାଲିଛି । କାମଟା ପ୍ରାୟ ଶେଷ ହୋଇଆସୁଛି । କାର୍ଯ୍ୟବ୍ୟସ୍ତତା ଭିତରେ ମୁଁ ମୋର ଟାଇପିଷ୍ଟ ବାଳିକାଟିକୁ ଥରେ ସୁଦ୍ଧା ଚାହିଁ ଦେଖିବାର ଅବସର ପାଇ ନାହିଁ ।...ସେ କଣ ଗୋଟାଏ ଲାଇନ୍‌ ଟାଇପ କରୁଥିଲା, ତାର ପଛପଟରୁ କାନ୍ଧ ଉପରେ ଝୁଙ୍କିପଡ଼ି ଦେଖିଲି–ଗୋଟାଏ ଭୁଲ୍‌ ହୋଇଛି । ...ଟାଇପ ମେସିନ୍‌ର ଚାବିଟା ଟିପିନେଇ ଭୁଲ୍‌ଟା ସଂଶୋଧନ କରିବାକୁ ଚାହିଁଲା । ହଠାତ୍ ହାତରେ ଲାଗିଗଲା ମୋର ହାତର ସ୍ପର୍ଶ । ସେ ହାତଟି ଖସେଇନେଲା । ମୁଁ ଗୋଟିଏ ନୂତନ ଶବ୍ଦ ଟାଇପ କଲି । ଏଇଥର ଜାଣିଶୁଣି ତାର ଆଙ୍ଗୁଳି ସ୍ପର୍ଶ କଲି, ଚାହିଁଲି ତାର ମୁହଁକୁ । ଦେଖିଲି ସେ ଏକ ଦୃଷ୍ଟିରେ ମୋତେ ଚାହିଁ ରହିଛି । ଯେମିତି ନୀରବ ଆହ୍ୱାନ ଜଣାଉଛି । ଚାରି ଆଖିର ମିଳନ ହେବା ମାତ୍ରକେ କହିଲା, କ୍ଷମା କରିବେ, ଭୁଲ୍ ଟା ଆଖିରେ ପଡ଼ି ନାହିଁ । ଶୁଷ୍କ, ସ୍ପଷ୍ଟ ତାର ସ୍ୱର । ତା ମୁହଁକୁ ପୁନରାୟ ଚାହିଁଲି । ଭାବିଲି ମୁଁ କୌଣସି ଆବେଗ ପ୍ରକାଶ କରିଛି ? ସେ ଦିନଠାରୁ କେତୋଟି ଦିନ ଦୁହେଁ ଦୁହିଁଙ୍କୁ ଚାହିଁ ଚାହିଁ ସମୟ କଟେଇଲୁ । ପରିଶେଷରେ ସେ ଯାହା ଚାହିଁଥିଲା–ତାହା ହିଁ ହେଲା ।...ସେ ଦିନ ବି ଗୋଟାଏ ଭୁଲ୍‌ ସଂଶୋଧନ କରିଥିଲି । ଦୁହିଁଙ୍କର ଦୃଷ୍ଟି ବିନିମୟ ହେଲା-ବ୍ୟକୁଳ ଭାବରେ ତାର ରକ୍ତିମ ଓଠରେ ଗୋଟାଏ ଚୁମ୍ବନ ଦେଲି । ତାର କୋମଳ ଶରୀରକୁ ମୋର ବଳିଷ୍ଠ ପାଶରେ ଆବଦ୍ଧକରି ରଖିଲି ଅନେକ ସମୟ । ସେ ଯେମିତି ଭାବିଲା ମୋତେ ସେ ଆୟତ୍ତରେ ପାଇଛି । ପୁନରାୟ ମୁହଁ ତଳକୁ ପୋତି ଟାଇପ୍ କରିବାକୁ ଲାଗିଲା । ମୁଁ ବିବ୍ରତ ହୋଇପଡ଼ିଲି । ତରୁଣୀଟି ଲେଭନୀୟ ନିଶ୍ଚୟ । ନ ହେଲେ ତାକୁ ଚୁମ୍ବନ କାଲି କାହିଁକି ? ତା ଛଡ଼ା ଜାଣେ ଯେ ମୁଁ ତାକୁ ଭଲ ପାଏନା, ମୋ ପାଖରୁ ସେ ଜୋର୍‌କରି ଚୁମ୍ବନ ଆଦାୟ କରିଛି, ଖର୍ବକରି ଦେଇଛି ମୋର ପୌରୁଷର ଅଭିମାନ ! ଦେଖିଲି ସେ ନର୍ବିକାର ଭାବରେ ଟାଇପ୍ କରି ଯାଉଛି । ସେ ଅପୂର୍ବ ସୁନ୍ଦର ଦେଖାଯାଉଥିଲା । ଜାଣିଶୁଣି ତରୁଣୀଟି ପୁନରାୟ ଗୋଟାଏ ଭୁଲ୍‌କରି ପକେଇଲା । ପୁନରାୟ ଭୁଲଟି ସଂଶୋଧନ କରିବା ଉଦ୍ଦେଶ୍ୟରେ ଝୁଙ୍କି ପଡ଼ିଲି । କିନ୍ତୁ ମୋର ଅସ୍ଥିରତା ତାର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ମୁହଁଟି ମୁହଁ ପାଖକୁ ନେବାମାତ୍ରକେ ସେ ମୋତେ ଆଲିଙ୍ଗନ କରି ପକେଇଲା, ଓଠରେ ଓଠ ଚାପି ରଖି ଦୁହେଁ ଦୁହିଁଙ୍କ ନିବିଡ଼ଭାବରେ ଅଲିଙ୍ଗନ କରି ରହିଲୁ । ଠିକ୍ ସେହି ମୁହୂର୍ତ୍ତରେ ଦରଜା ଖୋଲିଗଲା, ଏମିଲିୟା ପଶି ଆସିଲା ଘର ଭିତରକୁ, ତାପରେ ତତ୍‌କ୍ଷଣାତ୍ ଦରଜା ବନ୍ଦ କରିଦେଇ ବାହାରି ଗଲା ।......

 

ତରୁଣୀଟିକୁ କହିଲି ଆଜି କାମ ଏତିକିରେ ଥାଉ, ଏଥର ଘରକୁ ଯାଅ । ...ଶଙ୍କିତ ଚିତ୍ତରେ ଶୋଇବା ଘରେ ପ୍ରବେଶ କଲି । ଛି...ଛି କଣ ଭାବିଥିବ ଏଲିମିୟା ? ହୁଏତ ତରୁଣୀଟି ଉପରେ ତାର ଈର୍ଷା ଜାଗିଥ‌ିବ । କିନ୍ତୁ ମୋତେ ଦେଖି ଏମିଲିୟା କହିଲା, ଓଠର ନାଲି ରଙ୍ଗଟା ଅନ୍ତତଃ ପୋଛି ପକାଅ ।

 

ରୁମାଲରେ ଓଠ ପୋଛି ନେଇ ତାରି ପାଖରେ ବସିଲି । ପ୍ରମାଣ କରିବାକୁ ଚାହିଁଲି ମୁଁ ନିର୍ଦ୍ଦୋଷ । ସନ୍ଦେହ ଓ ଅବିଶ୍ଵାସର ଦୃଷ୍ଟିରେ ମୋତେ ଚାହିଁଲା ଏମିଲିୟା । କହିଲା, ସତରେ ଯଦି ଏହି ଟାଇପିଷ୍ଟ ଗାର୍ଲର ପ୍ରେମରେ ପଡ଼ିଥାଅ ମୋତେ କହିଲେ କୌଣସି କ୍ଷତି ନାହିଁ–ବିବାହ–ବିଚ୍ଛେଦର ପ୍ରସ୍ତାବ ମୁଁ ଆନନ୍ଦରେ ଗ୍ରହଣ କରିନେବି ।...

 

କରୁଣ, ବିଷାଦଭରା ତାର କଣ୍ଠସ୍ୱର । ସେ ଯେମିତି ମୋ ପାଖରୁ କୈଫିୟତ ଚାହେଁ ! କେତେ ରକମରେ ତାକୁ ବୁଝେଇଲି–କହିଲି ମୋର ଅନ୍ୟାୟ ହୋଇଛି...ମୋତେ କ୍ଷମା କର–ସାମୟିକ ଉତ୍ତେଜନା ଓ ଦୁର୍ବଳତା ପାଇଁ ଭୁଲ୍‌ ବୁଝୁନାହିଁ ।

 

ସେ କୌଣସି କଥା ଶୁଣିବାକୁ ଚାହିଁଲା ନାହିଁ । ପରିଶେଷରେ ମୋତେ କ୍ଷମା କରିବାକୁ ରାଜି ହେଲା ।

 

ଏମିଲିୟା ମୋତେ ତ୍ୟାଗକରି ଚାଲିଯିବ–ଏହା କଳ୍ପନାତୀତ ! ସେହିଦିନ ହିଁ ତରୁଣୀଟିକୁ ଏମିଲିୟା ଆଗରେ ଟେଲିଫୋନ କରି ଜଣେଇ ଦେଲି–ତାର ଚାକିରୀର ଆଉ ପ୍ରୟୋଜନ ନାହିଁ । ବାହାରେ କେଉଁଠି ମୋ ସହିତ ଦେଖା କରିବାକୁ ତରୁଣୀଟି ଚାହିଁଲା, କିନ୍ତୁ ତାକୁ ଏଡ଼େଇ ଗଲି । ତା ସହିତ ଆଉ କେବେହେଲେ ଦେଖା କରିନାହିଁ ।

 

ଗାଁରେ ବିଜୁଳି ଭଳି ଏହି ଦୃଶ୍ୟଟି ମୋର ସ୍ମୃତିପଟରେ ଭାସି ଉଠିଲା, ଟାଇପିଷ୍ଟ ଗାର୍ଲକୁ ଚୁମ୍ବନ କରୁଛି, ଠିକ୍ ସେହି ମୁହୂର୍ତ୍ତରେ ଦରଜା ଖୋଲୁଛି ଏମିଲିୟା...

 

ଆଗେ ଏକଥା କାହିଁକି ଭାବେ ନାହିଁ ?

 

ଏମିଲିୟା ସେତେବେଳେ ଏମିତି ଭାବ ଦେଖେଇଛି, ଘଟଣାଟି ଯେପରି କିଛି ନୁହେଁ, କିନ୍ତୁ ତାର ଅଜ୍ଞାତସାରରେ ଚଞ୍ଚଳ ହୋଇପଡ଼ିଥିଲା ତାର ଅନ୍ତର । ସେ ନୀରବରେ ମାନି ନେଇଥିଲେ ଏହା ମୋର ସାମୟିକ ଦୁର୍ବଳତା ଛଡ଼ା ଆଉ କିଛି ନୁହେଁ, କିନ୍ତୁ ଏ ଘଟଣାରେ ସେ ବ୍ୟଥା ଅନୁଭବ କରିଥିଲା ।...

 

ସ୍ଵପ୍ନରାଜ୍ୟରେ ମୁଁ ବିଚରଣ କରୁଥିଲି । ମୋର ଚାରିପାଖରେ ଘେରି ରହିଥିଲା ଘନ କୁହୁଡ଼ିର ମାୟା ଜାଲ ।

 

ହଠାତ୍ ମି: ରେନ୍‌ଗୋଲ୍‌ଡ଼ଙ୍କ କଣ୍ଠସ୍ଵର ଶୁଣିଲି ! ଶୁଣୁଛନ୍ତି ମି. ମଲ୍‌ଟେନି !

 

ସ୍ଵପ୍ନର ମୋହ ତୁଟିଗଲା । ମୁଁ ସଜାଗ ହୋଇପଡ଼ିଲି ।

 

ମୋ ଆଗରେ ଦେଖିବାକୁ ପାଇଲି ମି. ବାତ୍ତିସତାଙ୍କ ହସ ହସ ମୁହଁ ଖଣ୍ଡକ । କହିଲି, କ୍ଷମା କରନ୍ତୁ । ଭାବିଥିଲି–ରେନ୍‌ଗୋଲ୍‌ଡ଼ଙ୍କ ସେହି କଥାଟି–ଯେ ତାର ପତ୍ନୀକୁ ଭଲ ପାଏ ମାତ୍ର ବିନିମୟରେ ସ୍ତ୍ରୀର ପ୍ରେମ ପାଏନା, କିନ୍ତୁ...କିନ୍ତୁ...

 

ଆଉ କ’ଣ କହିବି, ମୋଟେ ଭାବିପାରିଲି ନାହିଁ । ତଥାପି, ମୋର ନିଜର ମତ ପ୍ରକାଶ କଲି ! କିନ୍ତୁ କାବ୍ୟର ଇଉଲିସିସ୍‌କୁ ତାର ପତ୍ନୀ ପେନିଲୋପ ଭଲପାଏ...ଗୋଟାଏ ହିସାବରେ । ଇଉଲିସିସ୍ ପ୍ରତି ପେନିଲୋପର ପ୍ରେମ ହିଁ ହେଲା ସମଗ୍ର ଓଡ଼ିସିର ମୂଳଭିତ୍ତି ।...

 

ସ୍ମିତ ହସି ମୋର ଏହି ଉକ୍ତିକୁ ଖଣ୍ଡନ କଲେ ମି: ରେନଗୋଲ୍‌ଡ଼ ! ପ୍ରେମ ନୁହେଁ ମି. ମଲଟେନି, ଆନୁଗତ୍ୟ...ପେନିଲୋପ ଇଉଲିସିସର ଅନୁଗତା କିନ୍ତୁ ଆମେ ଜାଣୁନା ସେ କେତେ ପରିମାଣରେ ତାକୁ ଭଲ ପାଉଥିଲା–ଆପଣ ଜାଣନ୍ତି ପ୍ରେମ ନ ଥିଲେ ବି ଆନୁଗତ୍ୟ ଥିବା ଅସମ୍ଭବ ନୁହେଁ...କୌଣସି କୌଣସି ସ୍ଥଳରେ ଆନୁଗତ୍ୟ ମଧ୍ୟ ଗୋଟାଏ ରକମର ପ୍ରତିହିଂସା–ଜୋର କରି ପ୍ରେମ ଆଦାୟ କରିବା ହେଲା ତାର ଅନ୍ୟନାମ । ଆନୁଗତ୍ୟ ଆଉ ପ୍ରେମ ଏକ ନୁହେଁ ସତରେ ତ ! ପୁନରାୟ ମନେପଡ଼ିଲା ଏମିଲିୟାର କଥା । ଆନୁଗତ୍ୟ ଓ ଔଦାସିନ୍ୟର ସ୍ଥାନରେ ଯଦି ହୁଅନ୍ତା ବିଶ୍ୱାସଘାତକତା–ତାହାହେଲା ବି ଦୁଃଖ ନ ଥାନ୍ତା । ଯଦି ଅବିଶ୍ୱାସିନୀ ଏମିଲିୟାର ଆଗକୁ ଯାଇ ଠିଆ ହୋଇ ପାରନ୍ତି ! କିନ୍ତୁ ତାର ପରିବର୍ତ୍ତେ ମୁଁ ତା ନିକଟରେ ବିଶ୍ଵାସଘାତକ ହୋଇ ପଡ଼ିଛି ।

 

ମନ କେଉଁ ଏକ ଅଜଣା ରାଇଜରେ ଘୂରି ବୁଲୁଥିଲା ମି. ବାତ୍ତିସତାଙ୍କ କଣ୍ଠସ୍ୱରରେ ଚଞ୍ଚଳ ହୋଇପଡ଼ିଲି, ତା ହେଲେ ଆପଣ ରେନଗୋଲ୍‌ଡ଼ଙ୍କ ସହିତ କାମ କରିବାକୁ ରାଜି ଅଛନ୍ତି ମି. ମଲଟେନି ?

 

ହଁ... ହଁ...ରାଜି ।

 

ଉଲ୍ଲାସ ଓ ତୃପ୍ତିରେ କହିଲେ ମି. ବାତ୍ତିସତା, ବେଶ...ବେଶ–ସେୟା ମୁଁ ଚାହେଁ । ତେବେ ସେ ଅନୁସାରେ ମୁଁ ସମସ୍ତ ବ୍ୟବସ୍ଥା କରି ନେଉଛି । ରେନ୍‌ଗୋଲ୍‌ଡ଼ କାଲି ସକାଳେ ପ୍ୟାରିସ ଯାତ୍ରା କରୁଛନ୍ତି, ସେଇଠି ସେ ଗୋଟାଏ ସପ୍ତାହ ରହିବେ । ....ଆଉ ଆପଣ ଏହାରି ଭିତରେ ଓଡ଼ିସିର ଗୋଟାଏ ସଂକ୍ଷିପ୍ତସାର ତିଆରି କରି ପକାନ୍ତୁ...ରେନଗୋଲ୍‌ଡ଼ ଫେରି ଆସିବା ମାତ୍ରକେ ଆମ୍ଭେମାନେ କ୍ୟାପ୍ରିକୁ ଚାଲିଯିବା ।...ବିଳମ୍ବ ନକରି କାମ ଆରମ୍ଭ କରି ପକେଇବା ।

 

ମି. ରେନଗୋଲ୍‌ଡ଼ ଉଠି ଠିଆ ହେଲେ । ମୁଁ ମଧ୍ୟ ଯନ୍ତ୍ରଚାଳିତ ଭଳି ଆସନ ତ୍ୟାଗ କଲି-। ଯିବା ସମୟରେ ଅସ୍ପଷ୍ଟ କଣ୍ଠରେ କହିଲି, ମୋର ଚୁକ୍ତି ପତ୍ରଟା–

 

ଅପ୍ରତ୍ୟାଶିତ ଭଙ୍ଗିରେ ନିର୍ଲିପ୍ତ କଣ୍ଠରେ କହିଲେ, ମି.ବାତ୍ତିସତା, ଚୁକ୍ତିପତ୍ର ତ ତିଆରି ହୋଇ ରହିଛି–ତା ଛଡ଼ା ସଙ୍ଗେ ସଙ୍ଗେ ଆପଣଙ୍କର ପାରିଶ୍ରମିକଟା ବି ଦେବାର ବନ୍ଦୋବସ୍ତ କରାଯାଇଛି–କେବଳ ଥରେ ମାତ୍ର ସେକ୍ରେଟେରୀଙ୍କ ପାଖକୁ ଯାଇ ଦସ୍ତଖତକରି ଆପଣଙ୍କୁ ଟଙ୍କାଟା ନେବାପାଇଁ ପଡ଼ିବ ।

 

ବିସ୍ମୟରେ ସ୍ତବ୍‌ଧ ହୋଇପଡ଼ିଲି । ମୋ ସହିତ ଥରେ ହେଲେ ଆଲେଚନା ନ କରି ମି: ବାତ୍ତିସତା ଟଙ୍କାଟା ଦେଇ ପକେଇଛନ୍ତି । ତେଣୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କଲି । ତାପରେ ସେକ୍ରେଟେରୀଙ୍କର ଅଫିସକୁ ଯାଇ ଚୁକ୍ତିନାମାଟା ଦସ୍ତଖତକରି ଚେକ୍‌ଟା ନେଇଆସିଲି ।

 

ମି. ବାତ୍ତିସତା ରେନ୍‌ଗୋଲ୍ଡ଼ଙ୍କର କରମର୍ଦ୍ଦନ କଲେ, ତାପରେ ମୋର କାନ୍ଧରେ ମୃଦୁ ଆଘାତକରି ଏହି ନୂତନ କାମଟିର ସଫଳତାପାଇଁ ତାଙ୍କର ଶୁଭେଚ୍ଛା ଜ୍ଞାପନ କଲେ । ବାତ୍ତିସତା ନିଜ ଅଫିସ୍‌ରେ ପ୍ରବେଶ କଲେ । ହାତଟି ବଢ଼େଇ ମି. ରେନ୍‌ଗୋଲ୍‌ଡ଼ କହିଲେ, ପ୍ୟାରିସ୍‌ରୁ ଫେରିଲେ ପୁନରାୟ ଦେଖା ହେବ । ଆପଣ ସଂକ୍ଷିପ୍ତସାରଟା ତିଆରି କରି ରଖିଥିବେ–ଯେମିତି ମି: ବାତ୍ତିସତାଙ୍କ ସହିତ ସେ ସମ୍ବନ୍ଧରେ ଆଲୋଚନା କରାଯାଇପାରେ ।

 

ମୁଁ ସ୍ୱୀକୃତି ଜଣାଇଲି ।

 

ଅବାକ୍‌ହୋଇ ତାଙ୍କୁ ଚାହିଁ ରହିଲି । ସେ ଯେମିତି ମୋର ଆପାଦ–ମସ୍ତକ ନୀରିକ୍ଷଣ କରିନେଲେ, ଲକ୍ଷ କଲେ ମୋର ଦୃଷ୍ଟି । ତା ପରେ ମୋତେ ଜଡ଼େଇ ଧରି କାନ ପାଖରେ ମୁହଁ ରଖି କହିଲେ, କିଛି ଚିନ୍ତା କରିବେ ନାହିଁ ମହାଶୟ...ବାତ୍ତିସତା ଯାହା କହୁଛନ୍ତି କୁହନ୍ତୁ...ଆମେ ମନସ୍ତତ୍ତ୍ୱମୂଳକ ଚିତ୍ରହିଁ ତିଆରି କରିବା ପୂରାପୂରି...ପୁରାପୁରି ମନସ୍ତତ୍ତ୍ୱମୂଳକ...

 

ମୋ ସହିତ କରମର୍ଦ୍ଦନକରି ସେ ଆଗେଇ ଚାଲିଲେ । ମୁଁ ମଧ୍ୟ ଆଗକୁ ପାଦ ବଢ଼େଇଲି । ସେକ୍ରେଟେରୀଙ୍କ ଗଳା ଶୁଣିବାକୁ ପାଇଲି, ଦୟାକରି ଏଇଠି ଆଉ ଗୋଟାଏ ଦସ୍ତଖତ କରି ଦେଇଯାଆନ୍ତୁ ମି. ମଲ୍‌ଟେନି ।

 

ପ୍ରାୟ ସନ୍ଧ୍ୟା ସାତଟାବେଳକୁ ଘରକୁ ଫେରି ଡାକିଲି, ଏମିଲିୟା ।

 

କୌଣସି ଉତ୍ତର ପାଇଲି ନାହିଁ । ବୁଝିପାରିଲି ସେ ବାହାରକୁ ଯାଇଛି, ଦୁଇଘଣ୍ଟାପୂର୍ବରୁ ଫେରିବ ନାହିଁ । ଗଭୀର ହତାଶାରେ ବିଷାକ୍ତ ହୋଇଉଠିଲା ମନ । ଭାବିଥିଲି ସେହି ଟାଇପିଷ୍ଟ ଗାର୍ଲ ସମ୍ବନ୍ଧରେ ଆଜି ତାକୁ କହିବି । ସନ୍ଦେହ ନାହିଁ ଯେ–ସେହି ଚୁମ୍ବନ ହିଁ ଅସନ୍ତୋଷର ମୂଳକାରଣ । କେତୋଟି କଥା କହି ଏଲମିଲିୟାର ମନରୁ ଅପସାରଣ କରି ପକେଇବି ସନ୍ଦେହର ମେଘ–ତାପରେ ତାକୁ ଦେବି ଏହି ସୁସମ୍ବାଦ । କହିବି ‘ଓଡ଼ିଶି’ ଚିତ୍ରନାଟ୍ୟର କଥା–ଅଗ୍ରୀମ ଟଙ୍କା ପାଇବାର କଥା, କ୍ୟାପ୍ରିକୁ ଯିବାର କଥା ।

 

ଏହିକ୍ଷଣି ପ୍ରାୟ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ । ତଥାପି ଅମଙ୍ଗଳର ଆଶଙ୍କା କଲେ । ଦୁଇଘଣ୍ଟା ପରେ ହୁଏତ ମୋର ଏ ମନୋବଳ ନ ଥ‌ିବ । ଚାବିଟା ଖୋଜି ପାଇଛି–ଅର୍ଥାତ୍ ଏମିଲିୟା ମୋତେ ଆଉ ଭଲ ପାଏ ନାହିଁ ! ତଥାପି ସଂଶୟ । ଚଞ୍ଚଳ ଓ ବିରକ୍ତି ହୋଇ ପଡ଼ିଲି ।

 

ଉଦ୍ଦେଶ୍ୟହୀନ ଭାବରେ ଘର ଭିତରକୁ ପଶି ସେଲ୍‌ଫରୁ ଓଡ଼ିସିର ଅନୁବାଦଟି ଖୋଜି ବାହାର କରିନେଲି ।

 

ତାପରେ ଟାଇପ ରାଇଟରରେ କାଗଜ ଲଗେଇ, ଗୋଟିଏ ସିଗାରେଟରେ ଅଗ୍ନି ସଂଯୋଗ କରି ସଂକ୍ଷିପ୍ତସାର ତିଆର କରିବାକୁ ବସିଗଲି । ଏଇଥିରେ ହୁଏତ ମୋର ଉତ୍କଣ୍ଠା କମିଯାଇପାରେ । ପ୍ରଥମ ସର୍ଗଟି ଥରେ ପଢ଼ିନେଲି । କାଗଜ ଉପରେ ଶିରୋନାମା ଲେଖିଲି, ଓଡ଼ିସିର ସଂକ୍ଷିପ୍ତ ସାର । ତଳେ ଲେଖିଲି–

 

ଟ୍ରୟ ଯୁଦ୍ଧର ଶେଷ ହୋଇଛି–ଯୁଦ୍ଧର ଯୋଗଦାନ କରିଥିବା ବୀରଗଣ ଘରକୁ ଫେରି ଯାଇଛନ୍ତି–ସମସ୍ତେ ଫେରି ଯାଇଛନ୍ତି–କିନ୍ତୁ ଫେରି ନାହାନ୍ତି କେବଳ ଜଣେ...ସେ ରହିଛନ୍ତି ଦୂରେ–ଆତ୍ମୀୟ ପରିଜନମାନଙ୍କଠାରୁ ବହୁଦୂରେ...

 

ଭାବିବାକୁ ଲାଗିଲି–ଦେବତାମାନଙ୍କର ମନ୍ତ୍ରଣା ସଭାର କଥା ଉଲ୍ଲେଖ କରିବି କି ନାହିଁ । ମିଃ ବାତ୍ତିସତାଙ୍କର କଥା ମନେପଡ଼ିଲା । ସେ ହୁଏତ ଚିତ୍ରରେ ଦେବତାମାନଙ୍କର ଅବତାରଣା ପସନ୍ଦ କରିବେ ନାହିଁ । ତା ଛଡ଼ା ରେନ୍‌ଗୋଲ୍‌ଡ଼ ଇଙ୍ଗୀତରେ ଜଣାଇ ଦେଇଛନ୍ତି–ଚିତ୍ରଟି ହେବ ମନସ୍ତତ୍ତ୍ଵମୂଳକ । ମନସ୍ତତ୍ତ୍ଵ ଉପରେ ଦେବତା ବା ନିୟତିର ସ୍ଥାନ ନାହିଁ । ଶ୍ରାନ୍ତ ହୋଇ ଉଠିଲି––ବିକ୍ଷିପ୍ତ ହୋଇପଡ଼ିଲା ଚିନ୍ତାଧାରା । ଟାଇପ କରିବାକୁ ଚାହିଁଲି ମାତ୍ର ହେଲେ ଟିକିଏ ଚଞ୍ଚଳ ହେଲା ନାହିଁ ହାତ । ବସି ରହି କେବଳ ଭାବିବାକୁ ଲାଗିଲି । ନାନା ଚିନ୍ତା ମନ ଭିତରେ ଜମିଗଲା । ଅବସନ୍ନ ମନ ଯେପରି ଉନ୍ମତ୍ତ ହୋଇ ପିଡ଼ିଛି, କୌଣସି ପ୍ରକାରେ ଆୟତ୍ତକୁ ଆସୁ ନାହିଁ । ଗୋଟାଏ ମଦମତ୍ତ ହସ୍ତୀ ଯେପରି ମାହୁନ୍ତର ଆଙ୍କୁଶକୁ ଭୂକ୍ଷେପ ନ କରି ମାଡ଼ି ଚାଲିଛି । ସରୋବରର ସ୍ଥିର ବୁକୁରେ ଯେମିତି ଅସଂଖ୍ୟ ବୁଦ୍‌ବୁଦ୍‌ର ସୃଷ୍ଟି ହୁଏ, ଠିକ୍ ସେହିଭଳି ମୋର ମନରେ ଜାଗି ଉଠିଲା ଏକ ନିଶ୍ଚିନ୍ତ ଧାରଣା । ଚିତ୍ରରେ ରୂପାୟିତ କରିବାକୁ ପଡ଼ିଲେ, ‘ଓଡ଼ିସି’କୁ ନିର୍ମମ ଭାବରେ ହତ୍ୟା କରିବାକୁ ହେବ । ଚିତ୍ରନାଟ୍ୟ ଶେଷ ହେବା ମାତ୍ରକେ ବହିଟିକୁ ଅନ୍ୟାନ୍ୟ ପୁସ୍ତକ ସହିତ ରଖିଦେବା ପାଇଁ ହେବ ।

 

ନିଜର ଏହି ବୃତ୍ତି ଉପରେ ବିତୃଷ୍ଣା ଆସିଗଲା । ଆସିବ ନାହିଁ । ମୁଁ ଜାଣେ ଯେ ଏମିଲିୟା ମୋତେ ଭଲ ପାଏନା । ଏତେଦିନ କେବଳ ମାତ୍ର ତାକୁ ଖୁସି କରିବା ପାଇଁ କାମ କରି ଆସିଛି । ମୋ ଉପରେ ଆଉ ତାର ଟିକିଏ ହେଲେ ପ୍ରେମ ନାହିଁ । ବର୍ତ୍ତମାନ କାମ କରିବାରେ ଆଉ ଲାଭ କଣ ?

 

କେତେ ସମୟ ଏମିତି ଭାବରେ ବାହାରକୁ ଚାହିଁ ବସିଥିଲି ଜାଣେ ନାହିଁ । ଫ୍ଲାଟ୍‌ର ଆଗ ଦରଜା ଖୋଲା ହେବାର ଶବ୍ଦ ଓ ତା ସହିତ ପଦଧ୍ଵନି ଶୁଣି ବୁଝି ପାରିଲି–ଏମିଲିୟା ଆସିଛି ନିଶ୍ଚଳ ଭାବରେ ବସି ରହିଲି । ଏମିଲିୟା କହିଲା, ତୁମେ ଏଇଠି ! ବସି ବସି କଣ କରୁଛ ? କାମ କରୁଛ ବୋଧହୁଏ ? ପଛକୁ ଫେରି ଚାହିଁଲି ହାତରେ ଗୋଟାଏ ପୁଟୁଳି ଧରି ଏମିଲିୟା ଠିଆ ହୋଇଛି । ସହଜ ଭାବରେ କହିଲି, ନା କାମ କରୁ ନାହିଁ... ଭାବୁଛି ମି. ବାତ୍ତିସତାଙ୍କର ନୂତନ ଚିତ୍ରଟିର ସଂପାଦନା ଭାର ନେବି କି ନାହିଁ ।

 

ଦରଜାଟି ବନ୍ଦ କରିଦେଇ ଏମିଲିୟା ମୋ ପାଖକୁ ଚାଲି ଆସିଲା କହିଲା, ବାତ୍ତିସତାଙ୍କ ସହିତ ଦେଖାକରିଛ ?

 

ହଁ ।

 

ଚୁକ୍ତିନାମା ହୋଇଛି ? ବେଶି ଟଙ୍କା ଦେବାକୁ ବୋଧହୁଏ ଚାହାନ୍ତି ନାହିଁ ?

 

ନା–ଅନେକ ଟଙ୍କା ଦେବେ–ଚୁକ୍ତିନାମା ହୋଇଯାଇଛି ।

 

ତେବେ–ବିଷୟବସ୍ତୁଟି କଣ ତମର ମନ ମୁତାବକ ନୁହେଁ ?

 

ନା–ବିଷୟବସ୍ତୁଟି ବେଶ୍ ଚମତ୍କାର ।

 

ଓଡ଼ିସି... ।

 

ଓଃ...ସେହି ଓଡ଼ିସି, ଯେଉଁ କାହାଣୀଟା ସ୍କୁଲରେ ପଢ଼ା ହୁଏ । ଚମତ୍କାର ଗଳ୍ପ–ତେବେ ତୁମେ କାମ କରିବାକୁ ରାଜି ନୁହେଁ କାହିଁକି ?

 

ଇଚ୍ଛା ହେଉ ନାହିଁ ... ।

 

କିନ୍ତୁ ଆଜି ସକାଳ ପର୍ଯ୍ୟନ୍ତ ତୁମର ଇଚ୍ଛା ଥିଲା ।

 

ଏହି ସମୟଟା ତା ସହିତ ରଫା କରି ନେବାର ଗୋଟାଏ ସୁବର୍ଣ୍ଣ ସୁଯୋଗ ! ଚୌକି ଉପରୁ ଉଠି ତାର ହାତଟା ଧଇଲି | କହିଲି, ଆର ଘରକୁ ଚାଲ...ତୁମ ସହିତ ଜରୁରୀ କଥା ଅଛି । ଏମିଲିୟା ଡରିଗଲା–ମୋର କଥାରେ ନୁହେଁ, ବ୍ୟବହାରରେ । କହିଲା, ତୁମର କଣ ହେଇଛି ? ପୁଣି ଏକ ପାଗଳାମୀ ? କୁହନା ତମର କଣ ହେଇଛି ?

ମୁଁ ପାଗଳ ହୋଇ ନାହିଁ–ଆର ଘରକୁ ଚାଲ କହୁଛି ।

 

ତାକୁ ଜୋର୍‌ରେ ଟାଣି ନେଇ ଆସି ଗୋଟାଏ ଚୌକି ଉପରେ ଫିଙ୍ଗି ଦେଲି । କହିଲି–ବସ । ନିଜେ ତାର ମୁହାଁମୁହିଁ ଗୋଟାଏ ଚୌକିରେ ବସି କହିଲି, ଏଇଥର ଶୁଣ ।

 

ମୋ ଆଡ଼କୁ ଅସହିଷ୍ଣୁ ଭାବରେ ଚାହିଁ ଏମିଲିୟା କହିଲା, କୁହ ତାର ଭୟର ଭାବଟା ସେଯାଏ ଯାଇ ନ ଥାଏ ।

 

ମନେପଡ଼ୁଛି କାଲି ତୁମକୁ କହିଥିଲି–ତୁମେ ମୋତେ ଭଲପାଅ କି ନାହିଁ ଠିକ୍ ଜାଣି ନାହିଁ ବୋଲି ଚିତ୍ରନାଟ୍ୟ ସଂପାଦନା କରିବାର ଭାରନେବାର ଇଚ୍ଛା ନାହିଁ... ତୁମେ କହିଥିଲ.., ମୋତେ ଭଲପାଅ...କାମଟି ନେବା ଉଚିତ... ନୁହେଁ ?

 

ହଁ... ।

 

କିନ୍ତୁ ମୁଁ ଭାବିଥିଲି... ମୋର ଧାରଣା... ତୁମେ ମିଥ୍ୟା କହିଛ, ମୋ ପ୍ରତି ସମବେଦନାରେ, କରୁଣାରେ କିମ୍ବା ନିଜର ସ୍ଵାର୍ଥରେ ।

 

ବାଧାଦେଇ କର୍କଶ କଣ୍ଠରେ କହିଲା ସ୍ଵାର୍ଥ.. କି ପ୍ରକାର ସ୍ୱାର୍ଥ ?

 

ତୁମର ପ୍ରିୟ ଏହି ଫ୍ଲାଟରେ ବାସ କରିବା ପାଇଁ ...

 

ଆଶ୍ଚର୍ଯ୍ୟ ପ୍ରତିକ୍ରିୟା ଦେଖାଦେଲା–ସହଜଭାବରେ ବସି ପାଟିକରି କହିଲା ଏମିଲିୟା, କିଏ ତୁମକୁ କହିଛି ? ଏ ଫ୍ଲାଟଟି ଛାଡ଼ି ଯେକୌଣସି ଜାଗାରେ ରହିବାକୁ ମୁଁ ରାଜିଅଛି... ମୋତ ତୁମେ ଜାଣନା... ଫ୍ଲାଟଟି ମୋ ପାଖରେ ଅତି ତୁଚ୍ଛ ।

 

କେହି ଯଦି ଯଥେଷ୍ଟ କ୍ଷତି ସ୍ୱୀକାରକରି କୌଣସି ଉପହାର ସଂଗ୍ରହ କରେ, ଆଉ ତାହା ଘୃଣାଭରେ ପ୍ରତ୍ୟାଖ୍ୟାତ ହୁଏ, ସେତେବେଳେ ଦାତାର ମନରେ ଯେଉଁ କଷ୍ଟ ହୁଏ, ଠିକ୍ ସେହିଭଳି ତୀବ୍ର ବେଦନା ବୋଧକଲି । କେବଳ ଏହି ଫ୍ଲାଟଟି ପାଇଁ ମୁଁ କଣ କରି ନାହିଁ ? ଆଦର୍ଶ ବିସର୍ଜ୍ଜନ ଦେଇଛି । ଉଚ୍ଚକାଂକ୍ଷାରେ ଚିତ୍ର ସଂପାଦକ ବୃତ୍ତି ଗ୍ରହଣ କରିଛି । ଏହା ଯେ ମୋର ସ୍ୱପ୍ନାତୀତ ।

 

ଶୁଷ୍କ କଣ୍ଠରେ କହିଲି, ଫ୍ଲାଟଟି ତୁମ ପାଖରେ କିଛି ନୁହଁ ?

 

ନା...ନା...ନା...ବୁଝିଲ ?

 

କିନ୍ତୁ କାଲି କହିଥିଲ–ତୁମେ ଏଠି ରହିବାକୁ ଚାହଁ ।

 

କହିଥିଲି, ତୁମକୁ ଖୁସି କରିବାପାଇଁ...ଭାବିଥଲି ଏ ବିଷୟରେ ତୁମର ନିଜର ମଧ୍ୟ ଆଗ୍ରହ ରହିଛି ।

 

ବିସ୍ମୟର ସୀମା ରହିଲା ନାହିଁ । ମୋର ଆଗ୍ରହ ? ସବୁ ପରିତ୍ୟାଗ କରିଛି ଏହି ଫ୍ଲାଟଟି ଯୋଗାଡ଼ କରିବାପାଇଁ । ସେ କଣ କେବଳ ମୋର ଆଗ୍ରହରେ ? ନା, ଏମିଲିୟା ମୋ ସହିତ ପ୍ରତାରଣା କରୁଛି । ପ୍ରତିବାଦ କରିବା ପାଇଁ ହେଲା ନାହିଁ । ନିଜକୁ ସଂଯତ କରି ନେଇ ଶାନ୍ତ କଣ୍ଠରେ କହିଲି, ଆଚ୍ଛା ସେ କଥା ଥାଉ... ଫ୍ଲାଟ୍‌ର କଥା ମୁଁ କହିବାକୁ ଚାହିନି–କହିବାକୁ ଚାହୁଁଥିଲି ମୋ ପ୍ରତି ତୁମର ମନୋଭାବର କଥା । କାଲି କେଉଁ କାରଣରୁ କହିଛ... ମୋତେ ଭଲ ପାଅ... ଏ କଥା ସତ ନୁହେଁ–ତେଣୁ ଏ କାମରେ ଆଉ ଉତ୍ସାହ ନାହିଁ । କାମଟା କରି ଲାଭ ବା କଣ ?

 

କେଉଁଥିରୁ ବୁଝିଲ ଯେ ମୁଁ ମିଥ୍ୟା କହୁଛି ?

 

କେଉଁଥିରୁ ନୁହେଁ ? ...କାଲି ବି ସେ କଥା କହିଛି ...ଆଜି ଆଉ କହିବାକୁ ଚାହେଁ ନା... ସବୁକଥା ତ ଆଉ ଥରକୁ ଥର କହିବାକୁ ପଡ଼େନା... ଏମିତି ବୁଝାଯାଏ ମୁଁ ବୁଝେ ତୁମେ ଆଉ ମୋତେ ଭଲ ପାଅନା ।

 

ଝରକାଦେଇ ସୁଦୂର ଆକାଶକୁ ଚାହିଁ କ୍ଳାନ୍ତ, ବେଦନାର୍ତ୍ତ କଣ୍ଠରେ ସେ କହିଲା, କାହିଁକି ତୁମେ ଏ ସବୁ ଜାଣିବାକୁ ଚାହଁ ?... କାହିଁକି ?... ଏ ବିଷୟ ନେଇ ଆଉ ମୁଣ୍ଡ ଘୂରାଅ ନାହିଁ, ତହିଁରେ ଦୁହିଙ୍କର ମଙ୍ଗଳ ହେବ ।

 

ତା’ହେଲେ ସ୍ୱୀକାର କରୁଛ–ମୋର କଥା ସତ୍ୟ–

 

କିଛି ସ୍ୱୀକାର କରେ ନାହିଁ–କେବଳ ଟିକିଏ ଶାନ୍ତିରେ ରହିବାକୁ ଚାହେଁ–ଏଥର ମୁଁ ଯାଏ... ଏ ଯାଏ ପୋଷାକପତ୍ର ପରିବର୍ତ୍ତନ କରି ନାହିଁ ।

 

ଉଠିପଡ଼ି ଝରକା ଆଡ଼କୁ ଆଗେଇଗଲା ଏମିଲିୟା । ତାର ହାତଟି ଧରି ପକେଇଲି । ଏହା ଆଗରୁ ବି ଅନେକ ଥର ଏମିତି କରିଛି । ମେ ପାଖରୁ ଚାଲିଯିବାପାଇଁ ଚାହିଁଲେ ତାର କବଜି ଧରିପକାଏ । କିନ୍ତୁ ସେତେବେଳେ ତାକୁ ଧରୁଥିଲି ମୋର ଅତି ନିକଟରେ ପାଇବାର ଉନ୍ମାଦ କାମନାରେ । ସେ ତାହା ଜାଣୁଥିଲା, ବିନା ପ୍ରତିବାଦରେ ଆତ୍ମସମର୍ପଣ କରୁଥିଲା । କିନ୍ତୁ ଆଜି ମୋର ଉଦ୍ଦେଶ୍ୟ ସଂପୂର୍ଣ୍ଣ ଅଲଗା । ସେ ବାଧା ଦେଇ ନାହିଁ । ନୀରବରେ କେବଳ କ୍ରୋଧରେ ଚାହିଁ ରହିଲା । କହିଲା, କୁହ ତୁମେ କଣ ଚାହଁ ?

 

ସତ କଥାଟା ଜାଣିବାକୁ ଚାହେଁ ।

 

ମାନେ ଗୋଟାଏ ଗୋଳମାଳ କରିବାକୁ ଚାହଁ ।

 

ତେବେ–ସତକଥା କହିଲେ ମୁଁ ଖୁସି ହୋଇପାରିବି ନାହିଁ...

 

ନା–ମୁଁ କିଛି କହିବି ନାହିଁ ।

 

ତମେ ଯେ କହିଲ ମୁଁ ଗୋଳମାଳ କରିବାକୁ ଚାହେଁ ... ଓ...ହଁ ମୋର କେତୋଟି କଥା କହିବାର ଥିଲା... ଯାଉ, ଏଥର ମୋତେ ଛାଡ଼ିଦିଅ ।

 

ସେ ତାର ହାତଟି ଛଡ଼ାଇ ନେବାପାଇଁ ଚାହିଁଲା ନାହିଁ । ପାଦେ ହେଲେ ଘୁଞ୍ଚିଲା ନାହିଁ । ଏହି ଅବଜ୍ଞାପୂର୍ଣ୍ଣ ଆତ୍ମସମର୍ପଣ ଅପେକ୍ଷା ସେ ଯଦି ବିଦ୍ରୋହ କରିଥାନ୍ତା ତେବେ ଭଲ ଥିଲା । ଇଚ୍ଛା ହେଲା ତାର ହାତ ଛାଡ଼ି ଦେଇ ଜୋରରେ ଚାପି ଧରନ୍ତି, ସେଇୟା ବି କଲି । ତାର ଦେହ ମିଶିଯାଇଛି ଦେହ ସହିତ । ହଠାତ ଉତ୍ତେଜନା ଅନୁଭବ କଲି । ପର ମୁହୂର୍ତ୍ତରେ ମନରେ ଜାଗିଉଠିଲା ନିରାଶାର ସ୍ୱର ।

 

ପ୍ରଶ୍ନ କଲି, ମୋର ବିରୁଦ୍ଧରେ ତମର କଣ କିଛି କହିବାର ଅଛି ?

 

କିଛି ନାହିଁ... ଏଥର ଛାଡ଼ିଦିଅ, ସୁନାଟା ପରା ।

 

ତାକୁ ଆହୁରି ଜୋରରେ ଚାପିଧରି କହିଲି...ନା...ନା ତମକୁ ଯିବାକୁ ଦେବି ନାହିଁ... ଏହିକ୍ଷଣି ସତକଥା କହିବାକୁ ପଡ଼ିବ...

 

ସତକଥା ନ କହିବା ଯାଏ ଏ ଘରୁ ବାହାରି ପାରିବ ନାହିଁ ।

 

ମୋତେ ଚାହିଁ ରହିଲା ଏମିଲିୟା । ତାକୁ ମୁଁ ସିଧା ଚାହିଁପାରିଲି ନାହିଁ । ମୋର ମୁଣ୍ଡ ଉପରେ ମୁଁ ଅନୁଭବ କଲି ତାର ଚଞ୍ଚଳ ଦୃଷ୍ଟି । ପରିଶେଷରେ ସେ କହିଲା, ବେଶ୍‌ତ–ତୁମେ ଯେତେବେଳେ ଜାଣିବାକୁ ଚାହଁ–ଶୁଣ–ଭାବିଥିଲି ଯେମିତି ଚାଲୁଛି ଚାଲୁ, କିନ୍ତୁ.... ସତରେ ତୁମକୁ ଭଲ ପାଇବା ମୋ ପକ୍ଷରେ ସଂପୂର୍ଣ୍ଣ ଅସମ୍ଭବ ।

 

କୌଣସି ଅପ୍ରୀତିକର ଘଟଣା ସମ୍ବନ୍ଧରେ ବସି ବସି ଭାବନା କରାଯାଇ ପାରେ, ତାର କାଳ୍ପନିକ ରୂପ ପ୍ରତ୍ୟକ୍ଷ କରାଯାଇ ପାରେ । କିନ୍ତୁ ସେହି କଳ୍ପନା ଯେତେବେଳେ ସତ୍ୟର ନିର୍ମମ ରୂପ ଧାରଣ କରେ ସେତେବେଳେ ସମଗ୍ର ମନ ବେଦନାରେ ଅବସନ୍ନ ହୋଇଯାଏ ! ବିଶ୍ଵାସ ହୁଏନା ଏ କଥା ସତ୍ୟ ! ଜାଣେ–ମୋ ଉପରେ ଏମିଲିୟାର ପ୍ରେମ ନାହିଁ । ତଥାପି ତାର ମୁହଁରେ ଏ କଥା ଶୁଣି ଛାତି ଥରିଉଠିଲା । ଦିନେ ଯାହା କେବଳ ଥିଲା କଳ୍ପନା, ଆଜି ଏମିଲିୟାର ମୁହଁରେ ତାହା ଉଚ୍ଚାରିତ ହୋଇଛି । ଏହାର ଗୁରୁତ୍ତ୍ଵ ସ୍ୱତନ୍ତ୍ର । ଏହା କଳ୍ପନା ନୁହେଁ, ଅବାଞ୍ଛିତସତ୍ୟ ।

 

ସ୍ନାନ କରିବା ପୂର୍ବରୁ ଦେହରେ ପାଣିର ଛିଟିକା ଲଗିଲେ ସ୍ନାନାର୍ଥୀ ଯେମିତି ଉଠେ ଠିକ୍ ସେମିତି ଚମକି ଉଠିଲି । ପ୍ରକୃତିସ୍ଥ ହୋଇ ଯଥା–ସମ୍ଭବ ଧୀର କଣ୍ଠରେ କହିଲି ଆସ–ବସ...କୁହ, ମୋତେ କାହିଁକି ଭଲ ପାଅନା ?

 

ସେଇଠି ବସିରହି ଏମିଲିୟା ବିରକ୍ତିଭରା କଣ୍ଠରେ ଜବାବ ଦେଲା–କଣ ଆଉ କହିବି....ତୁମକୁ ମୁଁ ଭଲ ପାଏନା, ଆଉ କିଛି କହିବାର ନାହିଁ । ପ୍ରାଣପଣେ ଯୁକ୍ତିପରାୟଣ ହେବାର ଚେଷ୍ଟାକଲି ।

 

କିନ୍ତୁ ସୀମାହୀନ ଅବ୍ୟକ୍ତ ବେଦନା ସର୍ବାଙ୍ଗରେ କଣ୍ଟା ଭଳି ବାନ୍ଧିବାକୁ ଲାଗିଲା । ମୁହଁ ଉପରେ ମ୍ଳାନହସ ଫୁଟେଇ କହିଲି, ଅସ୍ୱୀକାର କରିବ ନାହିଁ । ନିଶ୍ଚୟ ଯେ କାରଣଟା ମୋତେ ଜଣାଇବା ଦରକାର...ଗୋଟାଏ ଚାକରକୁ ମଧ୍ୟ କାମରୁ ବାହାର କରିବା ଆଗରୁ କାରଣଟା ଜଣାଇ ଦିଆଯାଏ ।

 

ତୁମକୁ ମୁଁ ଆଉ ଭଲ ପାଏନା–ଏହା ବ୍ୟତୀତ ମୋର ଆଉ କିଛି କହିବାର ନାହିଁ ।

 

କିନ୍ତୁ ତୁମେ ତ ମୋତେ ଆଗରୁ ଭଲ ପାଉଥିଲ–

 

ହଁ, କିନ୍ତୁ ଏବେ ଆଉ ପାଉ ନାହିଁ–ବର୍ତ୍ତମାନ ସବୁ ଶେଷ ହୋଇ ଯାଇଛି ।

 

କାହିଁକି ? କୌଣସି କାରଣ ନିଶ୍ଚୟ ରହିଛି ।

 

ହୁଏତ ଅଛି–କିନ୍ତୁ କି କାରଣ ଜାଣେନା–କେବଳ ଜାଣେ ମୁଁ ତୁମକୁ ଭଲ ପାଏନା ।

 

ନା...ନା...ବାରମ୍ବାର ସେ କଥାଟି କୁହ ନାହିଁ... ଏମିତି ଭାବରେ କୁହ ନାହିଁ !

 

ତୁମେ ତ ନିଜେ କହିବା ପାଇଁ ବାଧ୍ୟ କରୁଛ... ବିଶ୍ୱାସ କରୁନାହଁ, ତେଣୁ ବାରମ୍ବାର କହିବାକୁ ପଡ଼ୁଛି ।

 

ବର୍ତ୍ତମାନ ମୋର ଆଉ କୌଣସି ସନ୍ଦେହ ନାହିଁ ।

 

ଦୁହେଁ ନୀରବ । ଏମିଲିୟା ଗୋଟେ ସିଗାରେଟରେ ନିଆଁ ଲଗେଇଲା । ମୁଣ୍ଡ ହାତ ଉପରେ ରଖି ଚୁପ୍ କରି ବସିରହିଲି ।

 

ଟିକକ ପରେ କହିଲି, ଯଦି ତୁମକୁ କୁହେ–ମୋତେ ଭଲ ନ ପାଇବାର କାରଣଟା କଣ......

 

କିନ୍ତୁ, ମୁଁ ନିଜେ ତାହା ଜାଣେନା ।

 

ଯଦି ମୁଁ ତୁମକୁ କହିଦଏ । ...ତେବେ ସତକଥା କହିବ ?

 

ବେଶ୍ ତେବେ କୁହ... କୁହନା ମୁଁ ଶୁଣେ ।

 

ତାର କଣ୍ଠସ୍ଵରରେ ମୁଁ ଅବାକ୍ ହୋଇଗଲି । ନିଜକୁ ସଂଯତ କରି ନେଇ କହିଲି କାରଣ ମୋର ଚିତ୍ରନାଟ୍ୟ ଟାଇପ କରୁଥିବା ତରୁଣୀଟିକୁ ମୁଁ ଚୁମ୍ବନ କରିଥିଲି–କେବଳ ଗୋଟାଏ ଚୁମ୍ବନ–ପ୍ରଥମ ଓ ଶେଷ ଚୁମ୍ବନ.. ଏଥର ସତକରି କୁହତ ସେହି ଚୁମ୍ବନଟା କଣ ଆମରି ଭିତରେ ବ୍ୟବଧାନ ସୃଷ୍ଟି କରି ନାହିଁ ?

 

ଏମିଲିୟାର ମୁହଁରେ ଫୁଟିଉଠିଲା ବିସ୍ମୟ ଓ ଅସ୍ୱୀକୃତିର ଚିହ୍ନ । ନା–ମୋର ଅନୁମାନ ସତ୍ୟ ନୁହେଁ । କଣ ଯେମିତି ତାର ମନେପଡ଼ିଲା । ମୁହଁର ଭାବ ଧୀରେ ଧୀରେ ପରିବର୍ତ୍ତନ ହୋଇଗଲା, କହିଲା ଆଚ୍ଛା ଯଦି ତାହା ସତ୍ୟ ହୁଏ ତେବେ ଜାଣି ଲାଭ କଣ ?

 

ବୁଝିପାରିଲି ତୁଚ୍ଛ ଗୋଟାଏ ଚୁମ୍ବନ ତାର ପ୍ରେମ ହରେଇବାର କାରଣ ନୁହେଁ–ଆହୁରି ଗୁରୁତର କାରଣ ରହିଛି । ମୋରି ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ତାର କିଛି ପରିମାଣରେ ଶ୍ରଦ୍ଧା ରହିଛି–ତେଣୁ ସେ ଅସଲ କଥାଟି କହିପାରୁ ନାହିଁ । ଏମିଲିୟା ନିଷ୍ଠୁର ନୁହେଁ । କହାକୁ ସେ ବ୍ୟଥା ଦେବାକୁ ଚାହେଁ ନାହିଁ । ମୁଁ ବ୍ୟଥା ପାଇବି ବୋଲି ସେ କହୁନାହିଁ–ସତ୍ୟ ପ୍ରକାଶ କରୁନାହିଁ ।

 

ସହଜ କଣ୍ଠରେ ମୁଁ କହିଲି ନା ତୁମେ ସତକଥା କହୁ ନାହଁ ...ଆହୁରି କୌଣସି କାରଣ ରହିଛି ।

 

ଜାଣେ ନାହିଁ ତମେ କଣ କହିବାକୁ ଚାହଁ ।

 

ଭଲଭାବରେ ଜାଣ ।

 

ବିଶ୍ଵାସକର ଜାଣେ ନାହିଁ ।

 

ମୁଁ କହୁଛି–ତୁମେ ଜାଣ ।

 

ମା ଯେମିତି ଅଶାନ୍ତ ଶିଶୁକୁ ନେଇ ବିବ୍ରତ ହୋଇପଡ଼େ, ଠିକ୍ ସେହି ଭଳି ଅତିଷ୍ଠ ହୋଇ ଉଠିଲା ଏମିଲିୟା ।

 

ଏ ସବୁ ତୁମେ କାହିଁକି ଜାଣିବାକୁ ଚାହଁ ?. ତମେ ତ ଆଚ୍ଛା ମଣିଷ, ତମର ସ୍ଵଭାବ ସବୁକଥାରେ ମୁଣ୍ଡ ଘୂରେଇବା...ତହିଁରେ ତମର ବା ଯାଏ ଆସେ କେତେ ?

 

ମୁଁ ସତ୍ୟ ଆବିଷ୍କାର କରିବାକୁ ଚାହେଁ–ତା ଛଡ଼ା ଅସଲ କଥାଟି ନ ଜାଣିଲେ–କେତେ କଣ କଳ୍ପନା କରିବି–ହୁଏତ ଅନେକ ଖରାପ କଥା ଚିନ୍ତା କରିବାକୁ ପଡ଼ିବ ।

 

ମୋ ଆଡ଼କୁ ସେ ଅଦ୍ଭୁତ ଭାବରେ ଚାହିଁଲା ।

 

କହିଲା ତୁମର କଣ ହେଇଛି...ତୁମର ବିବେକ ବୋଲି କିଛି ଅଛି ନା ନାହିଁ ?

 

ଅଛି...ନିଶ୍ଚୟ ଅଛି ।

 

ତେବେ ଏ ଘଟଣାରେ ମୁଣ୍ଡ ଘୂରାଉଛ କାହିଁ କି ?

 

ତମେ ତ ଜାଣ–ବେଳେ ବେଳେ ନିଜର ବିବେକ ମଧ୍ୟ ନିଜକୁ ଛଳନା କରେ ।

 

ତୁମର ବିବେକ ତୁମକୁ ନିଶ୍ଚୟ ଛଳନା କରିବ ନାହିଁ ? ଶ୍ଳେଷ ମିଶ୍ରିତ କଣ୍ଠରେ କହିଲା ଏମିଲିୟା । ତାର ଉଦାସିନତାରେ ଯେତେ ପରିମାଣ ବ୍ୟଥା ପାଇନାହିଁ ଏହି କଥାରେ ତା ଠାରୁ ବି ବେଶୀ ଆଘାତ ପାଇଲି ।

 

ଏମିଲିୟା ଏଥର କହିଲା, ଦେଖ ବର୍ତ୍ତମାନ ମୁଁ ଯିବି–ତୁମର ଆଉ କିଛି କହିବାର ନାହିଁ ତ ?

 

ଏହି ତନୋଟି ଶବ୍ଦରେ କେତେ ଗଭୀର ପ୍ରତିକ୍ରିୟା ସୃଷ୍ଟି ନ ହେଲା–ମୁହଁ କାଗଜ ଭଳି ସାଦା ହୋଇପଡ଼ିଲି । ଏମିଲିୟାକୁ ମିନତି କଲି–ତୁମକୁ ତ କେତେଥର ଏହି କଥାଟି କହିବାପାଇଁ ବାରଣ କରିଛି, କାରଣ ଏଥିରେ ମୁଁ ବ୍ୟଥା ଅନୁଭବ କରେ ।

 

ତମେ ତ ମୋତେ ବାଧ୍ୟ କରୁଛ–ଏ କଥାଗୁଡ଼ିକ କହିବାପାଇଁ ମୋତେ ବି ଭଲଲାଗେ ନାହିଁ । ତେବେ କାହିଁକି ତୁମେ ମୋତେ ବିଶ୍ଵାସ କରେଇବାପାଇଁ ଚାହଁ ଯେ ସେହି ଚୁମ୍ବନପାଇଁ ତୁମେ ମୋତେ ଆଉ ଭଲ ପାଉ ନାହଁ । ସେ ତ ଗୋଟାଏ ଚୁମ୍ବନ ଛଡ଼ା ଆଉ କିଛି ନୁହେଁ...ସେ ଝିଅ ସହିତ ସେହିଦିନଠାରୁ ଆଉ ଦେଖା ହୋଇ ନାହିଁ... ତୁମେ ତ ଜାଣ, ସବୁକିଛି ବୁଝ... ନା...ନା... ଅନ୍ୟ କୌଣସି କାରଣ ରହିଛି... ନିଶ୍ଚୟ ଅଛି–ଯାହା ଫଳରେ ତୁମର ମନୋଭାବ ପରିବର୍ତ୍ତନ ହୋଇଯାଇଛି ।

 

ତୁମେ ବୁଦ୍ଧିମାନ ଏ କଥା ସ୍ଵୀକାର କରିବାକୁ ପଡ଼ିବ !

 

ମାନେ ?

 

କହିଛି ନା–ତୁମେ ବୁଦ୍ଧିମାନ୍... କହିଲି, ତୁମର ବୁଦ୍ଧି ଥିଲା ।

 

ଇଚ୍ଛା ହେଲା କୁହନ୍ତି–ଏହାର ଅର୍ଥ, ଆଗେ ମୋ ସମ୍ବନ୍ଧରେ ତୁମର ଭଲ ଧାରଣା ଥିଲା ପରେ ଖରାପ ହୋଇଯାଇଛି–ଫଳରେ ତୁମେ ମୋତେ ଭଲ ପାଉ ନାହଁ । କିନ୍ତୁ କହିଲି–ହୁଏତ ତୁମର କଥା ହିଁ ସତ ।

 

ତା ପରେ ହଠାତ୍ କ୍ରୋଧାନ୍ୱିତ ହୋଇ କହିଲି...କ’ଣ ଭାବିଛ... ତୁମ ସହିତ କ’ଣ ଖୁସି ଗପ କରିବାକୁ ଏଠିକି ଆସିଛି । ଅଜେୟ ବିକ୍ରମରେ ଏମିଲିୟାର ଗଳା ଧରି ଭୂଇଁ ଉପରେ ଠେଲିଦେଇ ଗର୍ଜନକରି ଉଠିଲି : କୁହ...ଏହି କ୍ଷଣି କୁହ ଅସଲ କାରଣଟା କ’ଣ ?

 

ମୋର ପ୍ରିୟତମା ଏମିଲିୟାର ଦେହଟି ଭୁଲୁଣ୍ଠିତ ହୋଇପଡ଼ିଲା । ସେ ନିଜକୁ ମୁକ୍ତ କରିନେବାର ଚେଷ୍ଟାକଲା ତାର ସମଗ୍ର ମୁଖମଣ୍ଡଳ ରକ୍ତିମ ହୋଇଉଠିଲା ।

 

ଜୋରରେ ତାର ଗଳା ଟିପିଧର କହିଲି, କୁହ... ଶେଷଥରକ ପାଇଁ କୁହ... ଏଥର ଆହୁରି ଜୋରରେ ଟିପିବାକୁ ଲାଗିଲି । ଖୁନ୍‌ ତାକୁ ମୁଁ ଖୁନ୍‌କରି ପକେଇବି । ଚିରଦିନର ଶତ୍ରୁକୁ ପୋଷି ରଖିବା ଅପେକ୍ଷା ଖୁନ୍ କରି ପକେଇବା ଶ୍ରେୟସ୍କର ।

 

ମୋତେ ପ୍ରଚଣ୍ଡ ଗୋଟାଏ ଧକ୍‌କାମାରି ନିଜକୁ ଅଳ୍ପ ଛଡ଼େଇନେଇ ଏମିଲିୟା କହିଲା, ନା...ନା... ନା..., ତୁମକୁ ମୁଁ ଭଲ ପାଏନା...

 

ଇୟେ ଯେପରି ପ୍ରବଳତର ଶତ୍ରୁର ନିର୍ମମତମ ଆଘାତ !

 

ଖୁନ୍‌ର ନିଶା କମିଆସିଲା । ଶିଥିଳ ହୋଇପଡ଼ିଲା ମୁଷ୍ଟି ।

 

ନିଜକୁ ସଂପୂର୍ଣ୍ଣ ରୂପରେ ମୁକ୍ତ କରିନେଲା ଏମିଲିୟା । ଧକେଇ ଧକେଇ କହିଲା; ମୁଁ ତୁମକୁ ଘୃଣାକରେ... ତେଣୁ ଆଉ ପ୍ରେମ କରେନା...ତମର ସ୍ପର୍ଶ ବିରକ୍ତି ଆଣେ...ଏ ହେଲା ନିରାଟ ସତକଥା ।

 

ଠିଆହୋଇ ରହିଥିଲି । ଟେବୁଲ ଉପରୁ ଆଷ୍ଟ୍ରେଟି ନେବାପାଇଁ ହାତ ବଢ଼େଇଲି । ଏମିଲିୟା ବୁଝିଲା... ମୁଁ ତାକୁ ଖୁନ୍ କରିବାକୁ ଯାଉଛି । ଆର୍ତ୍ତନାଦକରି ସେ ଦୁଇହାତ ପାପୁଲିରେ ତାର ମୁହଁ ଢାଙ୍କିଦେଲା । ବିଧାତା ଯେପରି ମୋ ଉପରେ ସଦୟ ହେଲେ... ଜାଣେନା ମୁଁ କେମିତିଭାବରେ ନିଜକୁ ସଂଯତ କରିନେଲି ।

 

ଆଷ୍ଟ୍ରେଟି ଟେବୁଲ ଉପରେ ରଖି ଘରୁ ନୀରବରେ ବାହାରି ଆସିଲି ।

 

ଏମଲିୟା ବେଶି ଶିକ୍ଷିତ ନୁହେଁ । ପ୍ରାଥମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ କିଛିଦିନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପଡ଼ିଥିଲା । ତାପରେ ପଢ଼ା ଛାଡ଼ିଦେଇ ଶିଖିଲା ଟାଇପ୍ ଓ ସର୍ଟହ୍ୟାଣ୍ଡ । ମାତ୍ର ଷୋହଳ ବର୍ଷ ବୟସରେ କୌଣସି ଗୋଟାଏ ବ୍ୟବସାୟ ପ୍ରତିଷ୍ଠାନରେ ସେ କାମ ଆରମ୍ଭ କରିଥିଲା । ତେବେ ସଦ୍‌ବଂଶରେ ତାର ଜନ୍ମ । ସେମାନଙ୍କର ପରିବାର ଦିନେ ସଙ୍ଗତି ସମ୍ପନ୍ନ ଥିଲା, କିନ୍ତୁ ତାଙ୍କର ପିତାମହଙ୍କର ଅମଳରେ ନାନା କାରଣରୁ ଅବସ୍ଥା ଖରାପ ହୋଇପଡ଼େ । ତାର ପିତା ଥିଲେ ଅର୍ଥବିଭାଗର ସାମାନ୍ୟତମ କିରାନୀ । ଦାରିଦ୍ର୍ୟ ଓ ଅଭାବ ଅନାଟନ ଭିତରେ ବଡ଼ ହୋଇଛି ଏମିଲିୟା । ଶ୍ରମଜୀବିଙ୍କ ପରି ତାର ଶିକ୍ଷା ଓ ଚିନ୍ତା ଧାରାର ମାନ ଉଚ୍ଚ ନୁହେଁ । ସାଧାରଣଜ୍ଞାନ ହିଁ ତାର ଏକମାତ୍ର ସମ୍ବଳ । ଏହି ଜ୍ଞାନଟିକକ ପୁଣି ଏତେ ସ୍ଥୂଳ ଯେ ସମୟ ସମୟରେ ମନେହୁଏ... ତାର କୌଣସି ବୁଦ୍ଧି ନାହିଁ କିମ୍ବା ସେ ସଂକୀର୍ଣ୍ଣମନା । ତଥାପି ଏହାରି ଉପରେ ନିର୍ଭରକରି କେତେ କେତେବେଳେ ସେ ଏମିତ ଆଶ୍ଚର୍ଯ୍ୟ ସିଦ୍ଧାନ୍ତ କରିପାରୁଥିଲା ଯେ ତହିଁରେ ମୁଁ ଅବାକ୍ ହୋଇଯାଉଥିଲି । ଏହା ମଧ୍ୟ ଶ୍ରମଜୀବିମାନଙ୍କ ଏକ ବୈଶିଷ୍ଟ୍ୟ । କାହିଁକି ନା ପ୍ରକୃତି ସହିତ ସେମାନଙ୍କର ଆତ୍ମୀୟତା ସୁଗଭୀର, ସେମାନଙ୍କର ମନ ସଂସ୍କାର ଓ ଦେଶଚାରର ପ୍ରଭାବ ମୁକ୍ତ ନୁହେଁ । ଏମିଲିୟା କୌଣସି ବିଷୟରେ ଅଳ୍ପ ଚିନ୍ତାକରି ସତ୍ୟ ଭଳି ଅଭ୍ରାନ୍ତ ଅଭିମତର ପ୍ରକାଶ କରି ପାରୁଥିଲା, କିନ୍ତୁ ନିଜେ ସେ ତାହା ବୁଝିପାରୁ ନ ଥିଲା, ଏଣୁ ଆତ୍ମପ୍ରସାଦ ଲାଭକରିବା ସୁଯୋଗ ତାର ନ ଥିଲା । ତାର ସାରଲ୍ୟ ଓ ଅଜ୍ଞତାରୁ ଏ କଥା ସ୍ପଷ୍ଟ ଭାବରେ ବୁଝା ପଡ଼ୁଥିଲା ଯେ ସେ ଯାହା କହିଛି କୌଣସି ପ୍ରକାରେ ତାର ଅନ୍ୟଥା ହୋଇପାରିବ ନାହିଁ ।....

 

ତେଣୁ ଯେଉଁଦିନ ଏମିଲିୟା ଘୋଷଣା କଲା ଯେ ମୁଁ ତୁମକୁ ଭଲ ପାଏ ନାହିଁ, ଘୃଣାକରେ–ସେହିଦିନ ଠାରୁ ମୋର ମନରେ ଵିନ୍ଦୁମାତ୍ର ସନ୍ଦେହ ରହିଲା ନାହିଁ ଯେ ତାର ଏହା ଉକ୍ତିରେ ତିଳେ ହେଲେ ମିଥ୍ୟାର ସ୍ଥାନ ଅଛି । ତାର କଥା କେବେହେଲେ ମିଥ୍ୟା ହୋଇ ପାରେ ନା-। ତାର ଚରିତ୍ର ମୁଁ ଜାଣେ–ଏହା ଯେପରି ତାର ଅନ୍ତରର ଅନ୍ତରତମ ପ୍ରଦେଶର ଅକୁହା କଥା-। ଏହା ସ୍ଵତଃସ୍ଫୂର୍ତ୍ତ ସ୍ପଷ୍ଟୋକ୍ତି ଅବିଶ୍ଵାସ ହେଲେ ହେଁ ସତ୍ୟ । ମୁର୍ଖବ୍ୟକ୍ତିର ମୁହଁରୁ ନୀତିକଥା ଶୁଣିଲେ ସହଜରେ ବିଶ୍ଵାସ ହୁଏ ନାହିଁ । ତଥାପି ଲକ୍ଷ୍ୟ କଲି–ସେ ଯେଉଁଦିନ ମୋତେ ପ୍ରଥମ ଥର ପାଇଁ ତାର ପ୍ରେମ ନିବେଦନ କରିଥିଲା, ସେଦିନ ଯେମିତି ଅକପଟ ଭାବରେ କହିଥିଲା, ମୁଁ ତୁମକୁ ଭଲ ପାଏ–ଆଜି ବି ଠିକ ସେମିତି ସରଳ ଭାବରେ ଆନ୍ତରିକତା ସହ କହିଛି–ମୁଁ ତୁମକୁ ଘୃଣାକରେ-

 

ଘର ଭିତରେ ପଦଚାରଣ କରିବାକୁ ଲାଗିଲି । ହାତ ଦୁଇଟି ଥରିବାକୁ ଲାଗିଲା, ଝାପ୍‌ସା ହୋଇପଡ଼ିଲା ଦୃଷ୍ଟି, ତାର କଥାଗୁଡ଼ିକ ତୀକ୍ଷ୍‌ଣ ଧାର କଣ୍ଟକ ଭଳି ବିଦ୍ଧ କରିବାକୁ ଲାଗିଲା ସମଗ୍ର ଅନ୍ତର । ମୁଁ ଯେମିତି ମୋର ସମସ୍ତ ଜ୍ଞାନ ହରେଇ ପକେଇଲି । ...କେବଳ ଯେ ତାର ପ୍ରେମ ମୁଁ ହରେଇଛି ତାହା ନୁହେଁ...କାହିଁକି ଜାଣେ ନା ତାର ଘୃଣାର ପାତ୍ର ମଧ୍ୟ ହୋଇପଡ଼ିଛି । ଭାବିଲି–ଏହା ଅନ୍ୟାୟ, ମୋ ଉପରେ ସେ ଘୋର ଅବିଚାର କରିଛି ।–ନା ଏହା ଭିତରେ ଅନ୍ୟାୟ ବା ରହିଲା କେଉଁଠି ? ଏହାର କୌଣସି ଅଜ୍ଞାତ ରହସ୍ୟ ରହିଛି । ଏମିଲିୟାର କଥାରେ ମୋ ନିଜ ସମ୍ବନ୍ଧରେ ଯେଉଁ ଧାରଣା ଥିଲା ତାହା ପରିବର୍ତ୍ତନ ହୋଇଗଲା । ବିତ୍ତହୀନ ହେଲେ ମଧ୍ୟ ଏତେଦିନ ଯାଏ ନିଜ ଉପରେ ଶ୍ରଦ୍ଧା ଥିଲା । ଜୀବନରେ ଆଜି ସର୍ବପ୍ରଥମ ଅନୁଭବ କଲି ଯେ, ଏଯାବତ୍ କେବଳ ମୁଁ ନିଜକୁ ମିଥ୍ୟା ତୋଷାମୋଦ କରି ଆସିଛି ।

 

ବାଥ୍‌ରୁମ୍‌ ଭିତରେ ପ୍ରବେଶ କରି ମୁଣ୍ଡଟାକୁ ଭଲ ଭାବରେ ତିନ୍ତେଇ ନେଲି । ମସ୍ତିଷ୍କଟା ଯେମିତି ଅଗ୍ନିଶିଖା ଭଳି ଲାଲ ହୋଇଯାଇଛି–ଦାବାନଳ ଜଳି ଉଠୁଚି ମସ୍ତିଷ୍କ ଭିତରେ । ହାତ ମୁହଁ ଧୋଇ, ମୁଣ୍ଡ କୁଣ୍ଡେଇ ବେଡ଼ ରୁମକୁ ପ୍ରବେଶ କଲି । ଟେବୁଲ ଉପରେ ଦୃଷ୍ଟି ପଡ଼ିବା ମାତ୍ରକେ ମନଟା ବିଦ୍ରୋହୀ ହୋଇଉଠିଲା । ଆଗଭଳି ସେଇଠି ଦୁହେଁ ବସି ଆଉ ଭୋଜନ କରିପାରିବୁ ନାହିଁ-। ଏହି କୋଠରୀର ଶୂନ୍ୟତା ଭିତରେ ବି ଧ୍ଵନିତ ହୋଇଉଠୁଛି ସେ ଭୟଙ୍କର ଶବ୍ଦଗୁଡ଼ିକ–ଯାହା ଶୁଣି ମୁଁ ଅଭିଭୂତ ହୋଇପଡ଼ିଛି ।...

 

ଏମିଲିୟା ଦରଜା ଖୋଲି ଦେଖିଲା । ତାର ମୁଖମଣ୍ଡଳ ବେଶ ପ୍ରଶାନ୍ତ–ଯେମିତି କୌଣସି ଘଟଣା ଘଟି ନାହିଁ । ତାକୁ ମୋଟେ ନ ଚାହିଁ କହିଲି ଆଜି ସନ୍ଧ୍ୟାରେ ଆମେ ଏଠି ଖାଇବା ନାହିଁ–ଚାକରାଣିକି କହିଦିଅ, ଆଉ ବାହାରକୁ ଯିବାପାଇଁ ପ୍ରସ୍ତୁତ ହୋଇପଡ଼ ।

 

ସେ ଅବାକ୍ ହୋଇ ପ୍ରଶ୍ନକଲା–କାହିଁକି ...ରୋଷେଇ ଶେଷ ହୋଇ ଯାଇଛି, ତାହେଲେ ଜିନିଷଗୁଡ଼ିକ ସବୁ ନଷ୍ଟ ହୋଇଯିବ ।

 

ଆଃ... ନଷ୍ଟ ହେଲେ ହେବ... ତୁମେ ଚଞ୍ଚଳ ବାହାରି ପଡ଼ । ଏମିଲିୟା ମୋଟେ ଫେରି ଚାହିଁଲା ନାହିଁ । କେବଳ ଶୁଣିବାକୁ ପାଇଲି ତାର କଣ୍ଠସ୍ୱର, କି ଅଦ୍ଭୁତ ଲୋକରେ ବାବା !

 

ପୁନରାୟ ଦରଜା ବନ୍ଦକରିଦେଲେ ଏମିଲିୟା...

 

ଅଳ୍ପ ସମୟ ପରେ ବାହାରିଲୁ । ଗାଡ଼ିଟା ବାହାରେ ଥିଲା, ଦୁହେଁ ନିରବରେ ସେ ଆଡ଼କୁ ଅଗ୍ରସର ହେବାକୁ ଲାଗିଲୁ ।

 

ଗାଡ଼ିରେ ଉଠିଲୁ, ମୋ ପାଖକୁ ଲାଗି ଏମିଲିୟା ବସି ପଡ଼ିଲା । ହାତ ବଢ଼େଇ ସଶବ୍ଦ ଗାଡ଼ିର ଦରଜାଟା ବନ୍ଦ କରିଦେଲି ।

 

ଆଗେ ଗାଡ଼ିର ଦରଜଟା ବନ୍ଦ କରିନେବା ଅବସରରେ ତାର ନରମ ଓଠରେ ଚୁମ୍ବନ କରୁଥିଲି, ଆଜି ଜାଣିଶୁଣି ତାକୁ ସ୍ପର୍ଶ କଲି ନାହିଁ ।

 

ଗାଡ଼ିରେ ଷ୍ଟାର୍ଟ ଦେଲି । ଏମିଲିୟା ପ୍ରଶ୍ନ କଲା, ଆମେ କେଉଁଠିକି ଯିବା ?

 

କୌଣସି ଚିନ୍ତା ନ କରି କିହିଲ, ‘‘ଭାୟା ଆପିୟା ।’’

 

ବର୍ତ୍ତମାନ ଯାଏ ସେଠିକି ଯିବାର ସମୟ ହୋଇ ନାହିଁ... ବହୁତ ଶୀତ... ତା ଛଡ଼ା ବର୍ତ୍ତମାନ ସ୍ଥାନଟି ଜନଶୂନ୍ୟ ।

 

କିଛି ଯାଏ ଆସେନା ! ଆମେ ସେହିଠିକି ହିଁ ଯିବା ।

 

ଏମିଲିୟା କୌଣସି ପ୍ରତିବାଦ କଲା ନାହିଁ । ଆପିୟା ରାସ୍ତାରେ ଗାଡ଼ି ଚଳେଇବାକୁ ଲାଗିଲି । ନଗରୀର ରାଜପଥ ତ୍ୟାଗ କରି, ଶିଉଳୀ ମଖା ପ୍ରାଚୀନ ପ୍ରାଚୀର, ଉଦ୍ୟାନ, ଫଳ ବଗିଚା ଓ ଛାୟାଘନ ପ୍ରମୋଦ–ପ୍ରାସାଦ ପାରିହୋଇ ପହଞ୍ଚିଲୁ ପ୍ରବେଶ ଦ୍ୱାରରେ । କ୍ଷୀଣ ଆଲୋକ ବିସ୍ତାର କରି ଉଚ୍ଚରେ ଦୁଇଟି ପ୍ରଦୀପ ଜଳୁଛି । ଏମିଲିୟା ଠିକ୍ କହିଛି–ଏଠିକି ଆସିବାର ସମୟ ଏ ଯାଏଁ ହୋଇନି–ଏଠି କେହି ନାହାନ୍ତି ।

 

ରେସ୍ତୋରାଁରେ ପ୍ରବେଶ କରି ଦେଖିଲି ଟେବୁଲ ଖାଲି । ବେହେରା–ମାନେ ଅଳସ ଭାବରେ ଗପସପ କରୁଛନ୍ତି । ଖରିଦଦାର ବା ଗ୍ରାହକ କହିଲେ କେବଳ ଆମେ ଦୁହେଁ । ନିର୍ଜନ କକ୍ଷରେ କେବଳ ବେହେରାମାନଙ୍କ ବ୍ୟତୀତ ଆଉ କେହି ନାହାନ୍ତି ।

 

ଆମ ଭିତରେ ସେଠି କୌଣସି ପ୍ରକାର ଅଲୋଚନା ହେବା ଅସଙ୍ଗତ । ମନେପଡ଼ିଲା ଦୁଇବର୍ଷ ତଳେ ଯେତେବେଳେ ଆମ ଭିତରେ ଥିଲା ସୁନିବିଡ଼ ପ୍ରେମ ସେତେବେଳେ ଏହି ରେସ୍ତୋରାଁରେ ଆମେ ଖାଉଥିଲୁ । ଅଜସ୍ର ରେସ୍ତୋରାଁ ଥାଉଣୁ ଏଠିକି ଆଜି କାହିଁକି ଆସିଲୁ ?

 

ବେହେରା, ମେନ୍ୟୁ ନେଇ ଆସିଲା । ଡିନର ପାଇଁ ଅର୍ଡ଼ର ଦେଲି । ତାଲିକା ପଢ଼ି ଏମିଲିୟାକୁ ଶୁଣେଇଲି । ସେ ତଳକୁ ମୁହଁ ପୋତି ସଂକ୍ଷେପରେ ଉତ୍ତର ଦେବାକୁ ଲାଗିଲା–ହଁ... ନା...ବେଶ । ଏମିଲିୟା ମଦ ଖାଇବ ନାହିଁ ଜାଣି ସୁଦ୍ଧା ବୋତଲେ ଦାମୀ ମଦ ପାଇଁ ଅର୍ଡ଼ର ଦେଲି-। କହିଲି, ମୁଁ ନିଜେ ଖାଇବି । ମୋତେ ଚାହିଁ ବେହେରାଟା ଅଳ୍ପ ହସିଲା ।

 

ଖାଦ୍ୟ ପଦାର୍ଥ ପରିବେଷଣ ହେବାପରେ ଦୁହେଁ ଖାଇବାକୁ ଲାଗିଲୁ । ଏତେଦିନ ଯାଏ ସବୁକିଛି ହେଉଥିଲା ସହଜ ଭାବରେ । ଛୋଟ ଘଟଣାଗୁଡ଼ିକ ପ୍ରତି ମୋଟେ ଖିଆଲ ରହୁ ନ ଥିଲା, ଗୋଟାଏ କିଛି କାମ ଶେଷ କରିଦେବା ପରେ ମୋର ଚୈତନ୍ୟଉଦୟ ହେଉଥିଲା । ଆଜି ଏମିଲିୟାର ପ୍ରେମ ନିଃଶେଷ ହୋଇଯିବା ପରେ ମୁଁ ପ୍ରତିଟି କାମରେ ଯେମିତି ସଚେତନ ହୋଇପଡ଼ିଛି । ଏମିଲିୟାକୁ ଲୁଣ ଶିଶିଟା ବଢ଼େଇଦେଲି, ଗ୍ଲାସଟା ତା ପାଖକୁ ଠେଲିଦେଇ ଥରେ ଚାହିଁଲି । ମୋର ପ୍ରତିଟି ଭଙ୍ଗିର ଯେମିତି ରହିଛି ଗୋଟାଏ ବେଦନାମୟ ଅର୍ଥହୀନ ଅକାରଣ ଅସମର୍ଥ ଚେତନା । ଅବଶ ଓ ସ୍ତବ୍‌ଧ ହୋଇପଡ଼ିଲି । ଯେମିତି ମୁଁ ଶୃଙ୍ଖଳିତ ହୋଇ ପଡ଼ିଛି । ବାରମ୍ବାର ଭାବିବାକୁ ଲାଗିଲି କିଛି ଭୁଲ କରୁ ନାହିଁ ତ ? ସତରେ ମୁଁ ଆତ୍ମବିଶ୍ଵାସ ହରେଇ ଦେଇଛି-। ଅପରିଚିତ ପାଖରେ ବିଶ୍ଵାସ ହରେଇଲେ ଫେରେଇ ଆଣିବାର ଆଶା କରଯାଏ; କିନ୍ତୁ ଏମିଲିୟା ପାଇଁ ସେ ଗୋଟାଏ ପୁରାତନ ଅଭିଜ୍ଞତା ଛଡ଼ା ଆଉ କିଛି ନୁହେଁ । ଏ କ୍ଷେତ୍ରରେ କୌଣସି ଆଶା ନାହିଁ । ଦୁହେଁ ନିରବ, ମଝିରେ ମଝିରେ ଖାପ ଛଡ଼ା କଥାବାର୍ତ୍ତା–ତୁମର ରୁଟି ଦରକାର...ମଦ...ମାଂସ....

 

ଯାହା କହିବାକୁ ଚାହିଁଥିଲି ତାହା କୁହା ହୋଇପାରିଲା ନାହିଁ । ଅସହ୍ୟ ନିରବତା ଭିତରେ ସବୁ ଯେମିତି ଚାପା ପଡ଼ିଗଲା । ସେତେବେଳେ ମୋର ମନର ଅବସ୍ଥା ଯାହା ଠିକ୍ ମୁଁ ପ୍ରକାଶ କରିପାରୁ ନାହିଁ । ତାକୁ ଅନ୍ୟ ଭାଷାରେ ବିରୁଦ୍ଧ ମୌନତା କୁହା ଯାଇପାରେ । ଦୁହିଁଙ୍କ ମଧ୍ୟରେ କୌଣସି ବୈରଭାବ ନାହିଁ–ଅନ୍ତତଃ ମୋ ଦିଗରୁ ତ ନାହିଁ–ରହିଛି କେବଳ ଅକ୍ଷମତା । ଅନେକ କିଛି କହିବାକୁ ଚାହେଁ–କିନ୍ତୁ କହିପାରୁ ନାହିଁ । କ’ଣ କହିବି ମୋଟେ ଭାବିପାରୁ ନାହିଁ ।

 

ତେଣୁ ମନର ସକଳ ଆବେଗକୁ ରୁଦ୍ଧ କରି ନିରବ ରହିଲି । କୌଣସି ପ୍ରକାରେ ସହ୍ୟ କରିପାରୁ ନଥିଲି–ତଥାପି ମନେହେଲା ନିରବ ରହିବା ବାଞ୍ଛନୀୟ । ମୌନତା ପରିହାର କରିବା ମାତ୍ରକେ ଗୋଟାଏ ତିକ୍ତ ଆଲୋଚନା ଭିତରକୁ ନିଜକୁ ଟାଣି ନେବାକୁ ପଡ଼ିବ ।

 

କିନ୍ତୁ ବେଶି ସମୟ ନିରବ ରହିପାରିଲି ନାହିଁ । କହିଲି–ତୁମେ ନିରବ କାହିଁକି ଏମିଲିୟା-?

 

କଣ କହିବି କୁହ...କହିବା ପାଇଁ ତ କିଛି ନାହିଁ ।

 

ଶାନ୍ତ ସ୍ଵାଭାବିକ ତାର କଣ୍ଠସ୍ଵର । ସତ୍ୟ ଭଳି ସ୍ପଷ୍ଟ ତାର ଉକ୍ତି ।

 

କହିଲି କାହିଁକି–ଅଳ୍ପ ଆଗରୁ ଯାହା କହିଛ, ସେ ସମ୍ବନ୍ଧରେ ତ ଘଣ୍ଟା ଘଣ୍ଟା ଧରି ଆଲୋଚନା କରାଯାଇପାରେ ।

 

ଭୁଲିଯାଅ ସେ କଥା–ଧରିନିଅ ମୁଁ କିଛି କହି ନାହିଁ ।

 

ଆଶାରେ ଦୀପ୍ତ ହୋଇ ଉଠିଲା ଅନ୍ତର । କହିଲି, ଭୁଲିବି କାହିଁକି ? ହଁ ଭୁଲିଯିବି... ଯଦି ଜାଣେ ତାହା ସତ ନୁହେଁ–ତମେ ରାଗରେ କହି ପକେଇଛି....

 

ଏଥର ଏମିଲିୟା କିଛି କହିଲା ନାହିଁ । ପୁନରାୟ ଆଶା–ହୁଏତ ତାର କଥା ସତ । ତାଉପରେ ବଳ ପ୍ରୟୋଗ କରିଥିଲି, ତେଣୁ ସେ ମୋତେ ଘୃଣା କରିଥିଲା ।

 

ସତର୍କ ଭାବରେ କହିଲି ତେବେ କୁହ ଆଜି ଯେଉଁ ଭୟଙ୍କର ଉକ୍ତିଟି ଶୁଣେଇଛ ତାହା ସତ ନୁହେଁ... କେବଳ କୁହ ଯେ ତମେ ସେହି ମୁହୂର୍ତ୍ତକ ପାଇଁ ମୋତେ ଘୃଣା କରିଥିଲ । ମୋତେ ସେ ଚାହିଁଲା । କିନ୍ତୁ ଏ କ’ଣ ? ଭୁଲ କରି ନାହିଁ ତ । ଭଲଭାବରେ ଚାହିଁ ଦେଖିଲି । ନା ତିଳେହେଲେ ସନ୍ଦେହ ନାହିଁ । ତାର ଦୁଇ ଆଖି ଅଶ୍ରୁ ସଜଳ ।

 

ଉତ୍ସାହିତ ହୋଇ ଏମିଲିୟାର ହାତଟି ମୋ ହାତରେ ତୋଳି ଧରିଲି । କହିଲି, କୁହ ପ୍ରିୟତମା କୁହ–ସତ ନୁହେଁ–ସତ ନୁହେଁ ତୁମର ସେ ଉକ୍ତି......

 

ଗୋଟାଏ ଝଟକାରେ ସେ ତାର ହାତ ଛଡ଼େଇ ନେଲା । କହିଲା... ସବୁ ସତ ଏଥିରେ ତିଳେ ହେଲେ ମିଛ ନାହିଁ ।

 

ତାର ଉତ୍ତରରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେ ଜାଣେ–ପଦେ ମିଛ କଥାରେ ସମସ୍ତ ଗୋଳମାଳର ଇତି ହୋଇଯିବ । ତେଣୁ ସେ ଯେମିତି ଭାବିଲା ମିଛ କହିବ–କିନ୍ତୁ ପରମୁହୂର୍ତ୍ତରେ ମନ ସ୍ଥିର କରି ନେଇ ଏ କଥାଟି କହିଲା । ପୁନରାୟ ନୂତନ ଭାବରେ ବ୍ୟଥା ଅନୁଭବ କଲି, ତୀବ୍ରତର ହୋଇଉଠିଲା ମନର ବେଦନା । ମୁହଁ ତଳକୁ ପୋତି ଦାନ୍ତ ଉପରେ ଦାନ୍ତ ଚାପି କହିଲି, କିନ୍ତୁ ତୁମେ ତ ଜାଣ–ଏଭଳି ଅନେକ କଥା ରହିଛି ଯାହା ଅକାରଣରେ କାହାକୁ କୁହାଯାଇପାରେନା... କାହାରିକି ନୁହେଁ... ସ୍ଵାମୀକି ତ ମୋଟେ ନୁହେଁ ।

 

ନିରବରେ ଶଙ୍କାଜଡ଼ିତ ଆଖିରେ ମୁହଁ ଟେକି ଚାହିଁଲା ଏମିଲିୟା । ହୁଏତ କ୍ରୋଧରେ ମୋର ମୁହଁ ବିକୃତ ହୋଇପଡ଼ିଥିଲା । ଧୀରେ ଧୀରେ କହିଲା, ତୁମେ ଜାଣିବାକୁ ଚାହିଁଥିଲେ ତେଣୁ କହିଥିଲି ।

 

କିନ୍ତୁ ସବୁ ବିଷୟ ପରିଷ୍କାର ଭାବରେ କହିବାକୁ ପଡ଼ିବ ।

 

ଆଉ କେମିତି ଭାବରେ କହିବି ?

 

କହିବାକୁ ପଡ଼ିବ–ତୁମେ କାହିଁକି ମୋତେ ଘୃଣା କର ।

 

ନା କହିବି ନାହିଁ... ପ୍ରାଣ ବାହାରିଗଲେ ବି ନୁହେଁ ।

 

ତାର କଣ୍ଠସ୍ୱର ମୋର ମନରେ ଭରିଦେଲା ଅଜସ୍ର ବିସ୍ମୟ । କିନ୍ତୁ ସେ ଭାବ ସ୍ଥାୟୀ ହେଲା ନାହିଁ । କ୍ରୋଧରେ ହଠାତ୍ କାଣ୍ଡଜ୍ଞାନ ହରେଇ ପକେଇଲି । ତାର ହାତଟିକି ଖପ୍‌କରି ଧରି ପକେଇ କହିଲି...କୁହ...କାହିଁକି ମୋତେ ଘୃଣା କର ?

 

କୁହ... ସତ କରି କୁହ !

 

ନା–କହିବି ନାହିଁ ।

 

କୁହ–ନ ହେଲେ ମାରିବି ।

 

କ୍ରୋଧରେ ଜୋର୍‌ରେ ତାର ଆଙ୍ଗୁଳି ଉପରେ ଚାପ ଦେବାକୁ ଲାଗିଲି ।

 

ଉଃ... ଏମିଲିୟାର ମୁଖମଣ୍ଡଳ ବେଦନାରେ କୁଞ୍ଚିତ ହୋଇପଡ଼ିଲା । ରୁଦ୍ଧ କଣ୍ଠରେ କହିଲା, ରୁହ... ରୁହ... ଛି ମୋତେ ଆହୁରି ବ୍ୟଥା ଦେବାପାଇଁ ଚାହଁ ?

 

ଏମିଲିୟାର କଥା ଶୁଣି ଶ୍ଵାସରୁଦ୍ଧ ହୋଇ ଆସୁଥିଲା । ଏମିଲିୟାକୁ ଯେପରି ଏହା ଆଗରୁ ବି ବ୍ୟଥା ଦେଇଛି । ତଥାପି ତାର ହାତ ଛାଡ଼ିଲି ନାହିଁ ।

 

ଏମିଲିୟା କହିଲା...ଛି...ଛି... ତୁମର କଣ ମୋଟେ ଲାଜ ନାହିଁ ।

 

କାହିଁକି ଘୃଣା କର କୁହ ?

 

ଆଉ ବୋକାମୀ କର ନାହିଁ...ମୋତେ ଛାଡ଼ିଦିଅ...ଛାଡ଼ କହୁଛି !

 

ଉଃ–

 

ଆଙ୍ଗୁଠି ଘୂରେଇ ହାତଟା ଛଡ଼େଇ ନେଲା ଏମିଲିୟା । ଗୋଟାଏ ଗ୍ଲାସ ଚଟାଣ ଉପରେ ଗଡ଼ି ପଡ଼ିଲା । ଗ୍ଲାସ ଭାଂଗିବାର ଶବ୍ଦ ହେଲା ।

 

ଗୋଟାଏ ନିଶ୍ୱାସରେ ଦରଜା ପାଖକୁ ଆଗେଇ ଯାଇ ଏମିଲିୟା କହିଲା, ମୁଁ ଗାଡ଼ିରେ ଅଛି, ବିଲ୍‌ଟା ଚୂକ୍ତି କରିଦେଇ ତୁମେ ଆସ । ଏମିଲିୟା ବାହାରିଗଲା । ମୁଁ ନିଶ୍ଚଳ ଭାବରେ ବସି ରହିଲି ।

 

ବେହେରାମାନେ ବସି ବସି ଆମକୁ ଲକ୍ଷ୍ୟ କରୁଥିଲେ । ତେଣୁ ଲଜ୍ଜା ଅପେକ୍ଷା ବେଶି ଅପମାନ ବୋଧ କଲି । ଏହା ଆଗରୁ କେବେ–ହେଲେ ଏମିତି ଘଟଣା ଘଟି ନାହିଁ । ଗୋଟାଏ ଅପ୍ରୀତିକର ପ୍ରହେଳିକା ଭଳି କାନରେ ପ୍ରତିଧ୍ୱନିତ ହେବାକୁ ଲାଗିଲା ସେହି ଶବ୍ଦଟି–‘‘ଆହୁରି’’ । ଆଉ ତାକୁ କେବେ ମୁଁ ବ୍ୟଥା ଦେଲି ? ବିଲ୍‌ଦେଇ ସାରି ରେସ୍ତୋରାଁରୁ ବାହାରି ଆସିଲି ।

 

ବାହାରେ ଝିପି ଝିପି ବର୍ଷା । ମୁଣ୍ଡ ଉପରେ ଭେଳା ଭେଳା ମେଘ ଛାଇ ଯାଇଛି ଆକାଶ ସାରା । ଦେଖିଲି ଗାଡ଼ି ପାଖରେ ଠିଆ ହୋଇଛି ଏମିଲିୟା । ଗାଡ଼ିର ଦରଜା ତାଲା ବନ୍ଦ । ତେଣୁ ବାହାରେ ଠିଆ ହୋଇ ସେ ଥରୁଛି । ସହଳ ଆଗେଇ ଆସି କଂପିତ କଣ୍ଠରେ କହିଲି, ଇସ୍, ପୂରାପୂରି ପାସୋରି ଯାଇଥିଲି ଯେ ଗାଡ଼ିର ଦରଜା ବନ୍ଦ ରହିଛି... କିଛି ମନେ କରିବ ନାହିଁ.. ।

 

ସେ ଶାନ୍ତ କଣ୍ଠରେ କହିଲା, ବର୍ଷା ତ ସାମାନ୍ୟ...ସେଥିରେ କିଛି ଯାଏ ଆସେନା ।

 

ଗାଡ଼ିର ଦରଜା ଖୋଲି ଭିତରେ ବସିଲି, ପାଖକୁ ଲାଗି ଆସି ବସିଲା ଏମିଲିୟା । ଗାଡ଼ି ତୀର ବେଗରେ ଚଳେଇବାକୁ ଲାଗିଲି । ଅତର୍କିତ ଭାବରେ ଗମ୍ଭୀର ଉଲ୍ଲାସରେ ପ୍ରଶ୍ନ କଲି, ଏଥର କେଉଁଠିକି ଯିବାକୁ ଚାହଁ ?

 

ଜାଣେନା... ତମର ଇଚ୍ଛା ।

 

ଅସୀମ ଉତ୍ସାହରେ ଗାଡ଼ି ଚଳେଇବାକୁ ଲାଗିଲି । ହୁଏତ ସମସ୍ତ ଘଟଣାଟିକୁ କୌତୁକ ବୋଲି ଉଡ଼େଇ ଦେଇ ହେବ । ଏମିଲିୟା ସହିତ ମୋର ସଂପର୍କ ସମସ୍ୟାଟା ମେଣ୍ଟେଇ ଦିଆଯାଇପାରିବ ।

 

ଅଳ୍ପ ରସିକତା କରି କହିଲି, ବେଶ୍‌ ତେବେ ଚାଲ... ନିୟତି ଇଚ୍ଛା... କଣ ହେଉଛି ଦେଖାଯାଉ...

 

ଏକଥା କହିବା ପରେ ମନଟା କଦର୍ଯ୍ୟ ହୋଇପଡ଼ିଲା । ପଙ୍ଗୁର ନୃତ୍ୟ ଭଳି ଏ ଯେମିତି ହାସ୍ୟକର, କିନ୍ତୁ ଏମିଲିୟା ନୀରବ । ଟିପିଟିପି ବର୍ଷା ଭିତରେ ଗାଡ଼ି ପହଁରି ଯାଉଛି । ଗାଡ଼ିର ସାମନା ଆଲୁଅରେ ଦେଖାଯାଉଛି ଧାଡ଼ି ଧାଡ଼ି ସାଇପ୍ରେସ, ପାଷାଣସ୍ତୂପ, ଶଙ୍ଖଧବଳ ମାର୍ବଲ ପ୍ରତିମୂର୍ତ୍ତି ଓ ପ୍ରଶସ୍ଥ ରାଜପଥ । କିଛିଦୂର ଆଗେଇ ଆସିଲା ପରେ କୃତ୍ରିମ ଉଲ୍ଲାସ ପ୍ରକାଶ କରି କହିଲି... ଚାଲ ଏଥର ଆମେ ନିଜକୁ ଭୁଲିଯିବା... ମନେକର–ଆମେ ଦୁଇଜଣ ତରୁଣ ଛାତ୍ରଛାତ୍ରୀ... ଦୁହେଁ ଖୋଜି ବୁଲୁଛୁ ଗୋଟିଏ ନିର୍ଜନ ସ୍ଥାନ ଯେଉଁଠିକି ପହଞ୍ଚି ପାରିବ ନାହିଁ କାହାର ଦୃଷ୍ଟି । ନିଶ୍ଚିନ୍ତ ଆନନ୍ଦରେ ରଚନା କରି ପାରିବା ଜୀବନର ପ୍ରଥମ ନିଭୃତ ମିଳନ–କୁଞ୍ଜ...

 

ତଥାପି ଏମିଲିୟା କିଛି କହିଲା ନାହିଁ । ସାହସ ପାଇ ଗାଡ଼ି ବନ୍ଦ କଲି । ମୂଷଳଧାରରେ ବର୍ଷା ହେଉଛି । ଅନଶ୍ଚିତ କଣ୍ଠରେ ପୁନରାୟ କହିଲି... ମନେକର ମୁଁ ମେରିଓ ଆଉ ତୁମେ ମେରିୟା । ପରିଶେଷରେ ଆବିଷ୍କାର କରିଛୁ ଗୋଟାଏ ଦୃଷ୍ଟି ଶିକ୍ତ ନିର୍ଜନ ସ୍ଥାନ...କିନ୍ତୁ ଆମେ ତ ଗାଡ଼ିରେ ରହିଛୁ...ଆସ ଟିକଏ ଆଦର କରିନିଅ...

 

ଦୁଇ ବାହୁରେ ତାର କଣ୍ଠ ବେଷ୍ଟନ କରି ଚୁମ୍ବନ କରିବାକୁ ଚାହିଁଲି । ଏମିଲିୟା ନିଜକୁ ବନ୍ଧନ ମୁକ୍ତ କରିନେବାର ଚେଷ୍ଟାକଲା । ମୋତେ ଠେଲିଦେଇ କହିଲା ଛି... ତୁମେ କଣ ପାଗଳ ହୋଇଯାଇଛ ନ । ମାତାଲ୍ ହୋଇପଡ଼ିଛ ?

 

ନା ମାତାଲ୍ ହୋଇ ନାହିଁ ବା ପାଗଳ ହୋଇ ନାହିଁ...କେବଳ ଗୋଟାଏ ଚୁମ୍ବନ କରିବାକୁ ଦିଅ ।

 

ଆବେଗ ମିଶା କଣ୍ଠରେ ସେ କହିଲା, ମୁଁ ଏକଥା ସ୍ଵପ୍ନରେ ବି କଳ୍ପନା କରିପାରେନା... ଯେତେବେଳେ କୁହେ ଯେ ମୁଁ ତୁମକୁ ଘୃଣା କରେ, ସେତେବେଳେ ତୁମେ ଅବାକ୍ ହୋଇଯାଅ... କିନ୍ତୁ ଏତେଦୂର ହେଲା ପରେ ବି... ଯେତେବେଳେ ଏମିତି ବ୍ୟବହାର କର...

 

କିନ୍ତୁ ତମକୁ ଯେ ମୁଁ ଭଲ ପାଏ !

 

ମୁଁ ତମକୁ ଭଲପାଏ ନାହିଁ ।

 

ମନରେ ଧିକ୍କାର ଆସିଲା । ତଥାପି କହିଲି–ଥରେ ଚୁମ୍ବନ କର ଯଦିଓ ଭଲ ପାଅନା, ତଥାପି ନ ହେଲେ ଛାଡ଼ିବି ନାହିଁ ।

 

ଏମିଲିୟାର ଦେହ ଉପରେ ଝାମ୍ପି ପଡ଼ିଲି । ସେ ନିରବରେ ଗାଡ଼ି ଦରଜା ଖୋଲି ବାହାରିଗଲା । ବାହାରେ ଦୃଷ୍ଟିର ବେଗ କମି ନାହିଁ । ରାସ୍ତା ଉପରେ ସେ ଛୁଟି ଚାଲିଛି ।

 

ମୁଁ ମଧ୍ୟ ଗାଡ଼ିରୁ ଓହ୍ଲେଇ ଆସିଲି । ରାସ୍ତାରେ ପାଦ ପକେଇବା ମାତ୍ରକେ ପାଦ ଦୁଇଟି ପାଣିରେ ବୁଡ଼ିଗଲା । ଉତ୍ତେଜିତ ହୋଇ ଡାକଲି... ଏମିଲିୟା... ଏମିଲିୟା ଫୋରିଆସ... କୌଣସି ଭୟ ନାହିଁ... ତୁମକୁ ଆଉ ସ୍ପର୍ଷ କରିବି ନାହିଁ ।

 

ଅନ୍ଧକାର ଭିତରେ କୌଣସି ବସ୍ତୁ ସ୍ପଷ୍ଟ ଭାବରେ ଦେଖାଯାଉ ନ ଥିଲା । ଅଦୂରରେ ତାର କଣ୍ଠସ୍ଵର ଶୁଣାଗଲା...ତୁମେ ଆସ ନାହିଁ, ସେଇଠି ଥାଅ, ନ ହେଲେ ପାଦରେ ଚାଲି ଚାଲି ରୁମକୁ ମୁଁ ଫେରିଯିବ ।

 

କଂପିତ କଣ୍ଠରେ କହିଲି, ବେଶ୍ ତୁମେ ଯାହା କହୁଛ ତାହା ହେବ ।

 

ବୃଷ୍ଟିରେ ଶାର୍ଟ ଖଣ୍ଡକ ତିନ୍ତିଗଲା, ଦେହରୁ ଟପ ଟପ କରି ପାଣି ପଡ଼ିବାକୁ ଲାଗିଲା । ଗାଡ଼ିର ଆଲୁଅ ବେଶିଦୂର ଦେଖା ଯାଉ ନ ଥିଲା ।

 

ଚେଷ୍ଟା ସତ୍ତ୍ୱେ ଓ ଏମିଲିୟାକୁ ଦେଖି ପାରିଲି ନାହିଁ । ହତାଶ ହୋଇ ଡାକିଲି ‘‘ଏମିଲିୟା...ଏମିଲିୟା...’’

 

ମୋର ଦୁଇ ଆଖିରେ ଉଦ୍‌ଗତ ଅଶ୍ରୁ ।

 

ଅନ୍ଧକାର ଭିତରୁ ବାହାରିଆସି ଏମିଲିୟା କହିଲା । ମୋ ଆଗରେ ଠିଆହେଲା । କହିଲା ଶପଥକରି କୁହ–ମୋତେ ସ୍ପର୍ଶ କରିବ ନାହିଁ ?

 

ହଁ ...କହୁଛି–ସ୍ପର୍ଶ କରିବି ନାହିଁ ।

 

ଏମିଲିୟା ଉଠିଆସି ଗାଡ଼ି ଭିତରେ ବସିଲା । କହିଲା–ଇୟେ ପୁଣି କି ପ୍ରକାର ରସିକତା ଦେହ ତିନ୍ତି ପାଣିରେ ଜୁଡୁ ବୁଡୁ ମୁଣ୍ଡରୁ ପଡ଼ୁଛି ଟୋପା ଟୋପା ପାଣି... କାଲି ସକାଳୁ ପୁଣି ବାଳ ‘ଡ୍ରେସ୍’ କରେଇବା ପାଇଁ ପଡ଼ିବ । ପୁନରାୟ ଗାଡ଼ି ଚଳେବାକୁ ଲାଗିଲି । ଥରେ ଦୁଇଥର ଏମିଲିୟା କାଶିଲା । ଦେଖେଇବା ପାଇଁ ଚାହିଁଲା–ଯେମିତି ମୋରି ପାଇଁ ତାର ଶର୍ଦ୍ଦି ହୋଇଛି ।

 

ଗାଡ଼ି ଚଳାଉ ଚଳାଉ ସ୍ୱପ୍ନଟିଏ ଦେଖିଲି–ଅତି କଦର୍ଯ୍ୟ ସ୍ୱପ୍ନ ମୁଁ ରିକାର୍ଡୋ, ମୋର ପତ୍ନୀର ନାଁ ଏମିଲିୟା–ମୁଁ ତାକୁ ଭଲପାଏ–ଘୃଣା କରେ ।

 

ତା ଆରଦିନ ସକାଳେ ନିଦ ଭାଜିଲା । ନିସ୍ତେଜ ଅବସନ୍ନ ହୋଇ–ପଡ଼ିଛି, ସମଗ୍ର ଶରୀରରେ ଅସହ୍ୟ ବେଦନା । ଆଗଦିନର ଘଟଣା ଓ ଭବିଷ୍ୟତର ଚିନ୍ତାରେ ମନରେ ଜାଗିଛି ଅସୀମ ଘୃଣା । ଏମିଲିୟା ସେ ପର୍ଯ୍ୟନ୍ତ ଶୋଇଛି । ଛାୟାନ୍ଧକାର ଭିତରେ କିଛି ସମୟ ଶୋଇ ରହିଲି । ଧୀରେ ଧୀରେ ନିଦରେ ଭୁଲିଯାଇଥିବା ବାସ୍ତବତା ସମ୍ବନ୍ଧରେ ସଚେତନ ହୋଇଉଠିଲି । ଠିକ କରିବା ପାଇଁ ହେବ–ଓଡ଼ିସିର ଚିତ୍ର ସମ୍ପାଦନର ଭାର ନେବି କି ନାହିଁ, ଜାଣିବାକୁ ହେବ ଏମିଲିୟା ମୋତେ କାହିଁକି ଘୃଣା କରେ–ଚିନ୍ତା କରିବାକୁ ହେବ ତାର ପ୍ରେମ ଓ ସୋହାଗ ଫେରି ପାଇବାର ଉପାୟ ।

 

ଆଖି ବୁଜି ଶୋଇ ଶୋଇ ଭାବିବାକୁ ଲାଗିଲି–ଆମ ଜୀବନର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଏମିତି ଭାବରେ ସମାଧାନ କରିବାର ଚେଷ୍ଟା କ’ଣ କେବଳ ଶକ୍ତିର ଅପଚୟ ନୁହେଁ ? ବୁଝିପାରିଲି ଏସବୁ ପ୍ରଶ୍ନର ଉତ୍ତର ଚିନ୍ତା କରିବା ସଙ୍ଗେ ସଙ୍ଗେ ମୋର କଳ୍ପନା ବାସ୍ତବର ସୁଦୃଢ଼ ଭିତ୍ତି ପରିତ୍ୟାଗ କରି ଉଚ୍ଚାଶାର ଶୂନ୍ୟମାର୍ଗରେ ଊର୍ଦ୍ଧ୍ୱଗାମୀ ହୋଇପଡ଼ିଛି ।

 

କଳ୍ପନାରେ ଦେଖିଲି–ମୁଁ ଓଡ଼ିସିର ଚିତ୍ରନାଟ୍ୟ ରଚନା କରୁଛି... ଏମିଲିୟା ସହିତ ମୋର କୌଣସି ମତାନୈକ୍ୟ ନାହିଁ–ମୋପ୍ରତି ତାର ଅବଜ୍ଞା ଶିଶୁ ସୁଲଭ ଚପଳତା ଆଉ ଭୁଲ ବୁଝାମଣା ଛଡ଼ା ଆଉ କିଛି ନୁହେଁ–ତହିଁରେ ତିଳେ ମାତ୍ର ସତ୍ୟ ନାହିଁ... ତା ସହିତ ପୁଣି ମୋର ଭଲପାଇବା ଆରମ୍ଭ ହୋଇଛି ।

 

ମୁଁ ଯେପରି ଗୋଟାଏ ପ୍ରୀତିକର ଉପସଂହାର କାମନା କରୁଛି । କିନ୍ତୁ ସେହି ଉପସଂହାର ଓ ବର୍ତ୍ତମାନ ଅବସ୍ଥା ମଝିରେ ଯେଉଁ ବିରାଟ ଶୂନ୍ୟତା ବର୍ତ୍ତମାନ ରାକୁ କୌଣସି ପ୍ରକାରେ ପୂରଣ କରି ପାରୁନାହିଁ । ମୁଁ ଚାହେଁ ମୋର ଅନୁକୂଳରେ ସମସ୍ୟାଟା ସମାଧାନ ହେଉ–କିନ୍ତୁ ଜାଣେନା ଏହା କେମିତି ଭାବରେ ସମ୍ଭବ ।

 

ଅଳ୍ପ ତନ୍ଦ୍ରା ମାଡ଼ି ଆସିଲା । ତାପରେ ଜାଣେ ନା କେତେବେଳେ ଗଭୀର ନିଦ୍ରାରେ ଆଚ୍ଛନ୍ନ ହୋଇ ପଡ଼ିଛି । ହଠାତ୍ ନିଦରୁ ଉଠି ଦେଖିଲି ଏମିଲିୟା ପ୍ରସାଧନ ଶେଷକରି ମୋର ପାଦପାଖରେ ବସିଛି । ଝରକା–ଗୁଡ଼ିକ ସବୁ ବନ୍ଦ–ତେଣୁ ସମଗ୍ର କୋଠରୀରେ ବିସ୍ତାର ଲାଭକରି ରହିଛି ଗୋଟିଏ ପାତଳା ଅନ୍ଧକାର । ଟେବୁଲ ଉପରେ ଲ୍ୟାମ୍ପଟା ଜଳୁଛି । ମୋଟେ ସୂଚନା ପାଇ ନାହିଁ ଏମିଲିୟା ଲ୍ୟାମ୍ପଟିକୁ ତେଜିଦେଇ କେତେ ବେଳେ ଆସି ମୋ ପାଖରେ ବସିଛି ।

 

ତାକୁ ଏହି ଅପରିଚିତ ବେଶରେ ଦେଖି ମୁଗ୍‌ଧ ହୋଇପଡ଼ିଲି । ମନେପଡ଼ିଲା ଅନ୍ତରର ମଧୁମୟ ସ୍ମୃତି । ରୁଦ୍ଧ କଣ୍ଠରେ କହିଲି–କୁହ... କୁହ ଏମିଲିୟା... ତୁମେ କଣ ମୋତେ ଭଲପାଅ...

 

ସେ ମୋ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ । ଅଳ୍ପକ୍ଷଣ ପରେ କହିଲା, ତୁମ ସହିତ ମୋର କେତୋଟି କଥା ଅଛି ।

 

ସ୍ତବ୍‌ଧ ହୋଇପଡ଼ିଲି । କହିବାକୁ ଇଚ୍ଛା ହେଲା–ତୁମ ସହିତ ମୁଁ କୌଣସି କଥାବାର୍ତ୍ତା କରିବାକୁ ଚାହେଁନା... ମୋତେ ଟିକିଏ ଶାନ୍ତିରେ ରହିବାକୁ ଦିଅ । କିନ୍ତୁ ତା ବଦଳରେ ପ୍ରଶ୍ନକଲି, କେଉଁ କଥା ?

 

ଆମ ସମ୍ୱନ୍ଧରେ ।

 

କିନ୍ତୁ ଆଉ ତ କିଛି କହିବାର ନାହିଁ–ତୁମେ ମୋତେ ଭଲପାଅନା–ଘୃଣା କର ।

 

ଶାନ୍ତ ସହଜଭାବରେ ସେ କହିଲା, ସେକଥା ନୁହେଁ...କହୁଥିଲି ମୁଁ ଆଜି ମା’ ପାଖକୁ ଯାଉଛି । ମା’କୁ ଟେଲିଫୋନ କରିବା ପୂର୍ବରୁ ତୁମକୁ କହିବାପାଇଁ ଆସିଲି ।

 

ଅନ୍ୟାୟ ଓ ଅପ୍ରତ୍ୟାଶିତ ନ ହେଲେ ମଧ୍ୟ ତାର ଏ ଘୋଷଣାରେ ଆଶ୍ଚର୍ଯ୍ୟ ହେଲି । ଏମିଲିୟା ମୋତେ ଛାଡ଼ି ଚାଲିଯିବ ଏ ଧାରଣା ମନରେ କେବେ ହେଲେ ଜାଗି ନାହିଁ । ମୋ ପ୍ରତି ତାର ନିଷ୍ଠୁରତା ଚରମ ସୀମାରେ ଆସି ପହଞ୍ଚିଛି, ତାର କଥାର ଅର୍ଥ ବୁଝିପାରିଲି ନାହିଁ ।

 

ତୁମେ ମୋତେ ଛାଡ଼ିଯିବ-କହୁଛ ?

 

ହଁ ।

 

ମୁହୂର୍ତ୍ତେ ନିରବ ରହି ଝରକାଗୁଡ଼ିକ ଖୋଲି ଦେବାପାଇଁ ଆଗେଇ ଗଲି । ପଛକୁ ଫେରି ଚାହିଁ କହିଲି–ଏମିତି ଭାବରେ ତୁମେ ଯାଇପାରିବ ନାହିଁ–ମୁଁ ଚାହେଁ ନା ଯେ ତୁମେ ଯାଅ ।

 

ପିଲାଙ୍କ ଭଳି କଥା କୁହ ନାହିଁ । ବିଚ୍ଛେଦ ଛଡ଼ା ଅନ୍ୟ ଉପାୟ ନାହିଁ । ଆମ ଭିତରେ ଆଉ କିଛି ଅବଶେଷ ନାହିଁ... ଅନ୍ତତଃ ମୋର ତ ନାହିଁ... ଏଥିରେ ଦୁହିଙ୍କର ମଙ୍ଗଳ ହେବ...

 

ଠିକ୍ ମନେ ନାହିଁ ତାର ଏ ଉକ୍ତିପରେ ମୁଁ କ’ଣ କହିଥିଲି । ତେବେ ଯେତେଦୂର ମନେପଡ଼େ ପ୍ରଳାପ କରିଥିଲି- ଅଙ୍ଗଭଙ୍ଗି ଥିଲା ମୋର ସମ୍ପୂର୍ଣ୍ଣ ଅଚେତନ ଅବସ୍ଥାରେ ! ହୁଏତ ଘର ଭିତରେ ପଦଚାରଣ କରିଥିଲି । ଏମିଲିୟାକୁ କହିଥିଲି ଯାଅ ନାହିଁ... ଯାଅ ନାହିଁ । ତାକୁ ଜଣାଇଥିଲି ମୋର ଅବସ୍ଥାର କଥା । କାହାକୁ ଉଦ୍ଦେଶ୍ୟ ନ ରଖି ଆପଣା ମନକୁ ମନ କେତେକଥା କହିଥିଲି ।

 

କଳ୍ପନା କରିପାରୁ ନ ଥିଲି ଯେ ସଂପୂର୍ଣ୍ଣ ନିଃସଙ୍ଗ ଅବସ୍ଥାରେ ଏହି ଘରେ ବାସ କରିବାକୁ ପଡ଼ିବ । ନିଶ୍ୱାସ ରୁନ୍ଧି ହୋଇ ଆସୁଥିଲା...

 

ନିଃସଙ୍ଗତା ଓ ବିଚ୍ଛେଦର ଚିନ୍ତାରେ ବିଦ୍ରୋହୀ ହୋଇଉଠିଲା ମୋର ସକଳ ସତ୍ତା । କୌଣସି ପ୍ରକାରେ ବିଶ୍ଵାସ ହେଲା ନାହିଁ । ମୋର ସମଗ୍ର ଚିନ୍ତା ଆଚ୍ଛନ୍ନକରି ରଖିଛି ଆଶଙ୍କା ଓ ବିଚ୍ଛେଦର ମେଘ, ତାରି ମଝିରେ ଦେଖାଯାଉଛି ଏମିଲିୟାର ମୁହଁ । ନିଶ୍ଚଳ ଭାବରେ ଏକ ପ୍ରସ୍ତର ମୂର୍ତ୍ତି ଭଳି ସେ ବସି ରହିଛି ।

 

ସେ କହିଲା ଅବିବେକତାର ପରିଚୟ ଦିଅ ନାହିଁ ରିକାର୍ଡୋ... ଏଇ ହେଲା ଆମର ଏକମାତ୍ର ପଥ ।

 

ତା ସାମନାରେ ଠିଆହୋଇ କହିଲି–କିନ୍ତୁ ମୁଁ ତମକୁ ଯେ ତ୍ୟାଗ କରିବାକୁ ନାରାଜ–କୌଣସି ଉପାୟରେ ଛାଡ଼ିବି ନାହିଁ ।

 

କାହିଁକି ଛାଡ଼ିବ ନାହିଁ....ମୋଟେ ଅବୁଝା ହୁଅ ନାହିଁ ।

 

ଯାହା କହିବାକୁ ଚାହିଁଥିଲି ଯେମିତ ଠିକ୍ ତାହା କରିପାରି ନାହିଁ । ବଡ଼ କଷ୍ଟରେ ଆତ୍ମଦମନକରି ପୁଣି ବିଛଣା ଉପରେ ଆସି ବସିଲି ।

 

କହିଲି କେତେବେଳେ ଯିବାକୁ ଚାହଁ ?

 

ଆଜି– ।

 

ମୋ ଆଡ଼କୁ ଦୃଷ୍ଟି ପାତ ନ କରି ଚଞ୍ଚଳ ପଦକ୍ଷେପରେ ଘର ଭିତରୁ ବାହାରିଗଲା ଏମିଲିୟା । ହାତ ପାପୁଲି ଉପରେ ମୁହଁଟି ଥୋଇ ବସି ରହିଲି । କେବେ କଳ୍ପନା ସୁଦ୍ଧା କରି ନାହିଁ ଯେ ସେ ଏମିତି କହିବ ବା କରିବ ।

 

ଏ ଯେମିତି ନିଜର ଭୁଲ ! ଘରର ଚାରିଆଡ଼କୁ ଚାହିଁ ଦେଖିଲି । ତୀବ୍ର ଉତ୍ତେଜନାରେ ମନେହେଲା ଘରର ରୂପ ଯେମିତି ବଦଳି ଯାଇଛି–ଘରଟି ସଙ୍କୁଚିତ ହୋଇପଡ଼ିଛି । ଏମିଲିୟା ଯେଉଁ ଘରେ ବସିଥିଲା ଇୟେ ସେହି ଘର ନୁହେଁ । ଇୟେ ସେହି ଘର–ଯେଉଁଠି ଏମିଲିୟା ନାହିଁ––ଆଉ କେବେ ହେଲେ ଫେରି ଆସିବ ନାହିଁ–ଯେଉଁଠି ଅନିର୍ଦ୍ଦିଷ୍ଟ କାଳ ଧରି ମୋତେ ବାସ ପରିବାକୁ ପଡ଼ିବ ନିଃସଙ୍ଗ, ଏକାକୀ । ଆଖି ଆଗରେ ଭବିଷ୍ୟତର ଛବି ସ୍ପଷ୍ଟତର ହୋଇଉଠିଲା । ଦେହରେ ସ୍ୱେଦର ଧାର । ନିଭୃତ ହୃଦୟରୁ ବାହାରି ଆସିଲା ଦୀର୍ଘଶ୍ଵାସ, ଦୁଇ ଅଖିରୁ ଝରିପଡ଼ିଲା ଅବିରଳ ଅଶ୍ରୁ ଧାର ।

 

ଆଉ ସେଇଠି ରହିପାରିଲି ନାହିଁ । ଉନ୍ମାଦଭଳି ଚାଲି ଆସିଲି ବେଡ଼ରୁମକୁ । ଆଲୁଅରେ ଆଖି ଝଲସି ଗଲା । ଏତେବେଳ ଯାଏ ଅସ୍ପଷ୍ଟ ଆଲୁଅରେ ବସିରହିଥିଲି । ଏହି ମୁକ୍ତ ଆଲୋକ ଅସହ୍ୟ ବୋଧ ହେଲା ।

 

ଦେଖିଲି ମଳିନ ଶଯ୍ୟା ଉପରେ ବସି ଏମିଲିୟା ଟେଲିଫୋନ୍‌ କରୁଛି । କେବଳ ପଦେ କଥା ଶୁଣି ବୁଝିପାରିଲି ଯେ ସେ ତାର ମା’ ସହିତ କଥାବାର୍ତ୍ତା କରୁଛି । ତାର ମୁହଁ ଉପରେ ଉଦ୍‌ବେଗର ଚିହ୍ନ ସ୍ପଷ୍ଟ ସେ ବିଚଳିତ ହୋଇପଡ଼ିଛି । ଅଦୂରେ ମୁହଁଟାକୁ ଦୁଇ ହାତର ପାପୁଲିରେ ଢାଙ୍କି ରଖି ବସି ରହିଲି । ସେତେବେଳ ଯାଏ ଏମିଲିୟା ରିସିଭରଟା ଛାଡ଼ି ନାହିଁ । ଯେମିତି ତାର ମା’ ତା ସହିତ ଅନେକ କଥା କହୁଛନ୍ତି । ଝାପ୍‌ସା ଦୃଷ୍ଟିରେ ଦେଖିଲି ପ୍ରକୃତି ଉପରେ କଳାମେଘର ଛାୟା ଭଳି ଏମିଲିୟାର ମୁହଁରେ ଫୁଟି ଉଠିଲା ଗୋଟାଏ ନିରାଶା ଓ ରୁଷ୍ଟ ଭାବ । ସେ କହିଲା... ବେଶ୍.... ବୁଝିଲି... ଆଉ କେବେହେଲେ ତୁମକୁ ଏ କଥା କହିବି ନାହିଁ କିନ୍ତୁ କଣ କହିଲେ ତାର ମା’-। କଥାଟା ସେ ଶୁଣି ପାରିଲା ନାହିଁ... ତାର ଆଉ ଧୈର୍ଯ୍ୟ ନ ଥିଲା । କହିଲା, ଏକଥା ତ ଆଗରୁ କହିଛ... ସବୁ ବୁଝିଲି... ଆଚ୍ଛା–ଆଚ୍ଛା– ।

 

ପୁନରାୟ ସେ କଣ କହିବାକୁ ଚାହିଁଲେ । ରିସିଭରଟା ରଖିଦେଇ ଏମିଲିୟା ମୋତେ ଚାହିଁଲା । ସେ ଯେମିତି ହତବୁଦ୍ଧି ହୋଇପଡ଼ିଛି । ତାର ହାତଧରି କହିଲା, ଯାଅନାହିଁ....ଯାଅନାହିଁ ସୁନାଟା ପରା–

 

ଶିଶୁ, ନାରୀ ଓ କାପୁରୁଷଗଣ ଭାବନ୍ତି ଅଶ୍ରୁର ଆବେଦନ ଗଭୀର । ଅଶ୍ରୁ ଧାରାରେ ସହଜରେ ମଣିଷର ମନ ତରଳି ଯାଇପାରେ । ମନର ଦୁଃଖରେ ମୁଁ କାନ୍ଦୁଥିଲି, ଆଉ କାପୁରୁଷ ଭଳି ଅଶ୍ରୁ ବିସର୍ଜନ କରୁଥିଲି । ଆଶା ଥିଲା ମୋର ଅଶ୍ରୁ ଏମିଲୟାକୁ ବାଧା ଦେବ । ତେଣୁ ଆଶାନ୍ୱିତ ହୋଇ ପଡ଼ିଥିଲି । ପରକ୍ଷଣରେ ମନେହେଲା–ଏମିଲିୟାକୁ ଛଳନା କରିବା ପାଇଁ ଅଶ୍ରୁ ବିସର୍ଜନ କରିଛି । ତେଣୁ ଲଜ୍ଜିତ ହୋଇ–ପଡ଼ିଲି । ସହଳ ଘରୁ ବାହାରି ପେଣ୍ଟଲୁମ୍ ପିନ୍ଧନେଇ ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କଲି । ତାପରେ ଚୌକିରେ ଆସି ବସିଲି । ଏମିଲୟା ଆସି କହିଲା, କୌଣସି ଚିନ୍ତା ନାହିଁ, ଭୟର କୌଣସି କାରଣ ନାହିଁ–ମୁଁ ଯାଉ ନାହିଁ ...ଯାଉ ନାହିଁ ।

 

ତାର କଣ୍ଠସ୍ୱରରେ ହତାଶା, ତିକ୍ତତା ଓ ଔଦାସିନ୍ୟ । ଏମିଲିୟା ବିବ୍ରତ ଓ ବିଚଳିତ ଦେଖାଯାଉଛି । ସେ ଆଖି ତଳକୁ ପୋତି କଣ ଯେମିତି ଚିନ୍ତା କଲା । ଦେଖିଲି ଏମିଲିୟାର ରକ୍ତିମ ଦୁଇ ଓଠ ଥରି ଉଠୁଛି, ସେ ଅସହିଷ୍ଣୁ, ହୋଇ ପଡ଼ିଛି ।

 

ବାଷ୍ପକୁଳ କଣ୍ଠରେ ଏମିଲିୟା କହିଲା ମୋର ମା ମୋତେ ଚାହାନ୍ତି ନାହିଁ–ସେ କହିଲେ, ମୋର ଘରଟି ସେ ଭଡ଼ା ଦେଇଛନ୍ତି–ପ୍ରଥମରୁ ଦୁଇଜଣ ଭଡ଼ା ନେଇଥିଲେ, ବର୍ତ୍ତମାନ ତିନିଜଣ ରହିଛନ୍ତି । ହେଲେ ଘର ଖାଲି ନାହିଁ–ମୁଁ ଯେ ସତରେ ଯିବାକୁ ଚାହୁଁଛି ଏକଥା ସେ ବିଶ୍ୱାସ କରୁ ନାହାନ୍ତି–କେହି ମୋତେ ଚାହାନ୍ତି ନାହିଁ–ତୁମ ସହିତ ରହିବାକୁ ବାଧ୍ୟ ହେବି ।

 

କେମିତି ଏକ ନିଦାରୁଣ ଉକ୍ତି–ମୋର ହୃଦୟରେ କିଏ ଯେମିତି ଛୁରିକାଘାତ କଲା । ଘୃଣାରେ କହିଲି–ମୋ ସହିତ ଏମିତି କଥା କହୁଛ କହିଁକ ? ବାଧ୍ୟ ବା ହେବ କାହିଁକି ? ମୁଁ ତମର କି କ୍ଷତି କରିଛି ? ତୁମେ କାହିଁକ ମୋତେ ଏମିତି ଘୃଣା କର ?

 

ଏଥର ଏମିଲିୟା ଫୁଲି ଫୁଲି କାନ୍ଦି ଉଠିଲା । ଦୁଇ ହାତରେ ଆଖିର ଲୁହ ପୋଛି କହିଲି, ତୁମେତ ମୋତେ ଛାଡ଼ିବାକୁ ନାରାଜ୍‌ । ବେଶ୍‌ ମୁଁ ତ ରହିଛି–ତୁମର ତ ଖୁସି ହେବା ଉଚିତ–ନୁହେଁ ?

 

ଅତୀତର ସମସ୍ତ କଥା ଭୁଲିଯାଇ ତାକୁ ଜଡ଼େଇ ଧଇଲି–ସତରେ ଏମିଲିୟା... ମୁଁ କଣ କରିଛି ଯାହାପାଇଁ ତୁମେ ମୋ ସହିତ ଏଭଳି ବ୍ୟବହାର କରୁଛ ?

 

ଏମିଲିୟା କହିଲା, ତୁମେ ଯଦି ଚାହଁ–ମୁଁ ଚାଲିଯିବ–କେଉଁଠି ଗୋଟାଏ ଛୋଟ ଘର ଭଡ଼ା ନେଇ ପୁନରାୟ ଟାଇପିଷ୍ଟ ହେବି–ମୋତେ ବେଶିଦିନ ସାହାଯ୍ୟ କରିବାକୁ ପଡ଼ିବ ନାହିଁ–ଗୋଟାଏ କାମ ପାଇବା ମାତ୍ରକେ ତୁମ ପାଖରୁ ମୁଁ ଆଉ କିଛି ଚାହିଁବି ନାହିଁ ।

 

କହିଲି–ନା...ନା–ନା ଏମିଲିୟା–ମୁଁ ଚାହେଁ, ତୁମେ ଏଇଠି ରୁହ, କିନ୍ତୁ ପୁନରାୟ କହୁଛି, ବାଧ୍ୟ ହୋଇ ନୁହେଁ–ବାଧ୍ୟ ହୋଇ ନୁହେଁ ।

 

ସେ ଯାଏ ସେ କାନ୍ଦୁଥିଲା । କହିଲା, କିନ୍ତୁ ତୁମେ ତ ବାଧ୍ୟ କରୁ ନାହଁ, ବାଧ୍ୟ କରୁଛି ମୋର ଜୀବନ ।

 

ପୁନର୍ବାର ତାକୁ ବୁକୁ ଉପରେ ଜଡ଼େଇ ଧଇଲି । ଇଚ୍ଛା ହେଲା ପ୍ରଶ୍ନ କରନ୍ତି କୁହ–ମୋର ଦୋଷ କେଉଁଠି–କାହିଁକି ମୋତେ ଘୃଣାକର ? କିନ୍ତୁ ବର୍ତ୍ତମାନ ପ୍ରଶ୍ନ କରିବାର ସମୟ ନୁହେଁ । କହିଲି, ଆଉ ଆଲୋଚନା କରି କୌଣସି ଲାଭ ନାହିଁ, ତା ଫଳରେ କେବଳ ଦୁଃଖର ମାତ୍ରା ବଢ଼ିବ–ବର୍ତ୍ତମାନ ତମ ପାଖରୁ ମୁଁ ଆଉ କିଛି ଜାଣିବାକୁ ଚାହେଁନା, ତେବେ ଗୋଟାଏ କଥା ମୁଁ ଓଡ଼ିଶି ଚିତ୍ରନାଟ୍ୟର ଭାର ନେଇଛି... କିନ୍ତୁ ମି. ବାତ୍ତିସତା କହିଛନ୍ତି ନେପ୍‌ଲସ ଉପସାଗରକୁ ଯାଇ ପ୍ରାକୃତିକ ଦୃଶ୍ୟଗୁଡ଼ିକୁ ଉଠେଇବା ପାଇଁ ହେବ ତେଣୁ ଠିକ୍ ହୋଇଛୁ ଆମେ କ୍ୟାପ୍ରିକୁ ଯିବା–ସେଇଠି ତୁମେ ତୁମର ମନ ଖୁସି ନିଶ୍ଚିନ୍ତ ଭାବରେ ଦିନ କଟେଇ ପାରିବ ...ସମୁଦ୍ରରେ ସ୍ନାନ କରିପାରିବ, ବୁଲିପାରିବ–ତୁମକୁ କେହି ବାଧା ଦେବେ ନାହିଁ–ତୁମର ମା’ ଠିକ୍ କହିଛନ୍ତି–ଚିନ୍ତାକରି ଦେଖିବା ଉଚିତ–ଏହି ତିନି ଚାରି ମାସ ମଧ୍ୟରେ ତୁମେ ତୁମର ସଂକଳ୍ପ ମୋତେ ଜଣାଇ ଦେଇ ପାରିବ...ତା ଆଗରୁ ତୁମକୁ ସେ ସମ୍ବନ୍ଧରେ ମୁଁ ପଦେହେଲେ ଜିଜ୍ଞାସା କରିବି ନାହିଁ ।

 

ଏମିଲିୟା ମୁହଁ ବୁଲେଇ ବସିଥିଲା ଯେମିତି ସେ ମୋତେ ଦେଖିବାକୁ ନ ଥାଏ । ମୋ କଥାରେ ଆଶ୍ୱସ୍ତ ହୋଇ କହିଲା, ଆମେ କେବେ ଯିବା ?

 

ଖୁବ୍‌ ଶୀଘ୍ର ଅର୍ଥାତ ପ୍ରାୟ ଦଶଦିନ ଭିତରେ–ପରିଚାଳକ ପ୍ୟାରିସ୍‌ରୁ ଫେରିଆସିବା ପରଦିନ ।

 

ସେତେବେଳଯାଏ ଏମିଲିୟାର ନରମ ବୁକୁ ମୋ ବୁକୁ ଉପରେ ଲାଗି ରହିଛି । ଭାବିଲି ଗୋଟାଏ ଚୁମ୍ବନ ଦେବାର ଦୁଃସାହସ ପୁଣି କରିବି କି ନାହିଁ । ମୋର ଆଲିଙ୍ଗନ ଭିତରେ ସେ ନିର୍ବିକାର ଭାବରେ ରହିଛି । ଇୟେ ଯେମିତି ତାର ନିରବ ଆତ୍ମ–ସମର୍ପଣ ।

 

ଧୀର କଣ୍ଠରେ ପ୍ରଶ୍ନ କଲା ଏମିଲିୟା, ସେଇଠି ଆମେ କେଉଁଠି ରହିବା ? ହୋଟେଲରେ ?

 

ତାକୁ ଖୁସି କରିବାପାଇଁ କହିଲି, ହୋଟେଲ ଅପେକ୍ଷା ଖୁବ୍ ଭଲ ଜାଗା ମିଳିଛି... ହୋଟେଲରେ କଣ ରୁହାଯାଇପାରେ ? ମି: ବାତ୍ତିସତା ତାଙ୍କର ପ୍ରମୋଦ–ପ୍ରସାଦାଟା ଦେବେ... ସେଇଠି ହିଁ ଆମେ ରହିବା ।

Unknown

 

ସେଦିନ ମି. ବାତ୍ତିସତାଙ୍କର ଚିତ୍ରନାଟ୍ୟ ଲେଖିବା ପାଇଁ ରାଜିହେବା ପରେ ଯାହା ଅନୁଭବ କରିଥିଲି–ଆଜି ମଧ୍ୟ ଠିକ୍ ସେହି ଅନୁଭୂତି ମୋର ହେଲେ ଏ ପରିକଳ୍ପନା ଏମିଲିୟାର ମନଃପୁତ୍ତ ହୋଇ ନାହିଁ ।

 

ମୋର ବାହୁବନ୍ଧନରୁ ନିଜକୁ ସେ ମୁକ୍ତ କରିନେଇ କହିଲା, ମି: ବାତ୍ତିସତାଙ୍କର ପ୍ରମୋଦ–ପ୍ରାସାଦ ! ତୁମେ ରାଜି ହୋଇଛ ?

 

ଭାବିଥଲି, ତୁମେ ଖୁସି ହେବ... ହୋଟେଲ୍‌ ଅପେକ୍ଷା ପ୍ରମୋଦ ପ୍ରାସାଦଟା କଣ ଭଲ ନୁହେଁ ?

 

କୁହନା–ତମେ ରାଜି ହୋଇଛ କି ନାହିଁ ?

 

ପରିଚାଳକ ବି ସେଇଠି ରହିବେ ?

 

ନା–ରେନ୍‌ଗୋଲ୍‍ଡ଼ ହୋଟେଲରେ ରହିବେ ।

 

ମି. ବାତ୍ତିସତା ଯିବେ ?

 

ମି. ବାତ୍ତିସତା ! ହଁ ସମୟ ସମୟରେ–ସପ୍ତାହରେ ଥରେ ଦୁଇ ଥର ଅଳ୍ପ ସମୟ ପାଇଁ ଯାଇପାରନ୍ତି । ସେ କେବଳ ଦେଖିବେ କାମଟା କେମିତି ଆଗଉଛି ।

 

ଆଉ କୌଣସି କଥା ନ କହି ପକେଟରୁ ରୁମାଲ ଖଣ୍ଡକ କାଢ଼ି ଏମିଲିୟା ନାକ ପୋଛିବାକୁ ଲାଗିଲା । ତାର ପିନ୍ଧିଥ‌ିବା ଜାମାଖଣ୍ଡକ ଅଣ୍ଟା ପର୍ଯ୍ୟନ୍ତ ଖୋଲିଗଲା । ଇୟେ ଯେମିତି ଏକ ମୌନ ଇଙ୍ଗିତ । ଇଚ୍ଛା ହେଲା–ତାକୁ ପାଖକୁ ଟାଣି ନଅନ୍ତି । କିନ୍ତୁ ଠିକ୍‌କଲି ଆକାଂକ୍ଷା ଯେତେ ତୀବ୍ର ହେଉନା କାହିଁକି–ତାକୁ ସ୍ପର୍ଶ କରିବି ନାହିଁ । ତାକୁ ଚାହିଁ ରହିଲି, ଛାତି ଥରିବାକୁ ଲାଗିଲା–ଯଦି ମୁହାଁ ମୁହିଁ ହୋଇଯାଏ ।

 

ଯାହା ଆଶଙ୍କା କରିଥିଲି ତାହା ଘଟିଲା ।

 

ନାକପୋଛି ନେଇ ମୁହଁରେ ମ୍ଳାନ ହସର ରେଖାଟିଏ ଅଙ୍କନକରି ଏମିଲିୟା ସହଜ ଶାନ୍ତ କଣ୍ଠରେ କହିଲା–ତୁମେ ଦେଖୁଛି ବର୍ତ୍ତମାନ ନିଜ ସ୍ତ୍ରୀର ନଗ୍ନରୂପ ଦେଖିବାରେ ଆଦୌ ଲଜ୍ଜିତ ନୁହଁ–ଅବଶ୍ୟ ଲୁକ୍‌କାୟିତ ଭାବରେ ।

 

ତାପରେ ପୋଷାକ ସଜାଡ଼ି ନେଇ ସେ କହିଲା–ମୁଁ କ୍ୟାପ୍ରିକୁ ଯିବା ପାଇଁ ରାଜି, ମାତ୍ର ଗୋଟାଏ ସର୍ତ୍ତରେ ।

 

କୌଣସି ସର୍ତ୍ତ କଥା କୁହ ନାହିଁ–ଏଥିରେ କୌଣସି ସର୍ତ୍ତ ନାହିଁ ।

 

କ୍ୟାପ୍ରି ଯାତ୍ରା କରିବାଦିନ ସକାଳୁ ରାସ୍ତାକୁ ଆସି ଦେଖିଲି–ମୋର ଛୋଟ ଗାଡ଼ିଟି ପାଖରେ ଠିଆ ହୋଇଛି ମି: ବାତ୍ତିସତାଙ୍କର ଲାଲ୍ ମୋଟର ଗାଡ଼ିଟି । ମି. ବାତ୍ତିସତା ଆମ୍ଭମାନଙ୍କ ସହିତ ଯିବେ । ଆମେ ତାଙ୍କର ଅତିଥି, ତେଣୁ ତାଙ୍କ ବ୍ୟତୀତ ଆମର ଯିବା ଅସମ୍ଭବ । କିଏ ସେଇଠି ଆମର ଅଭ୍ୟର୍ଥନା କରିବ ? ନୂତନ ଜାଗା–ସେ ସବୁ ବନ୍ଦୋବସ୍ତ କରିଦେଇ ଆସିବେ ।

 

ଜୁନ୍ ମାସର ଆୟମାରମ୍ଭ, କିନ୍ତୁ ଆକାଶ ମେଘାଚ୍ଛନ୍ନ–ସୁଲ ସୁଲିଆ ଥଣ୍ଡା ପବନ ବୋହୁଛି । ମି. ବାତ୍ତିସତା ଅଳ୍ପଦୂରରେ ଠିଆହୋଇ ରେନ୍‌ଗୋଲଡ଼ଙ୍କ ସହିତ ଆଲୋଚନା କରୁଛନ୍ତି-। ମୁଁ ଓ ଏମିଲିୟା ଆଗେଇ ଆସିଲୁ ।

 

ମି. ବାତ୍ତିସତା ଆମ୍ଭମାନଙ୍କୁ ସ୍ଵାଗତ କରି କହିଲେ, ଏଥର କୁହନ୍ତୁ ବ୍ୟବସ୍ଥାଟା କେମିତି କରାଯାଇପାରେ ? ମୋର ଉତ୍ତରକୁ ଅପେକ୍ଷା ନ କରି ସେ ନିଜେ କହିଲେ, ମୁଁ ପ୍ରସ୍ତାବ କରୁଛି ମିସେସ୍ ମଲଟେନି ମୋର ଗାଡ଼ିରେ ଯିବେ ଆଉ ଆପଣ ରେନ୍‌ଗୋଲ୍‌ଡ଼ଙ୍କ ସହିତ ଯାଆନ୍ତୁ–ରାସ୍ତାରେ ଚିତ୍ରଟି ସମ୍ବନ୍ଧରେ ଆପଣମାନେ ନିଜ ଭିତରେ ଆଲୋଚନା କରିପାରିବେ । ତାପରେ ମୁରୁକି ମୁରୁକି ହସି ଗମ୍ଭୀର କଣ୍ଠରେ କହିଲେ, କାହିଁକି ନା–କହିବାକୁ ଗଲେ କାମଟା ଆଜିଠୁ ଆରମ୍ଭ ହେଲା । ଦୁଇମାସ ଭିତରେ ଚିତ୍ରନାଟ୍ୟ ମୋର ଦରକାର ।

 

ଏମିଲିୟାକୁ ଚାହିଁ ଦେଖିଲି । ତାର ମୁହଁରେ ଉଦ୍‌ବେଗ ଓ ଅବଜ୍ଞତାର ଭବ । ମୁଁ ଦେଖି ବି ଯେମିତି ଦେଖିପାରିଲି ନାହିଁ । ମି. ବାତ୍ତିସତାଙ୍କ ପ୍ରସଙ୍ଗ ଯୁକ୍ତିସଙ୍ଗତ । ତେଣୁ ଥରେ ହେଲେ ଚିନ୍ତା କଲିନାହିଁ ଯେ–ଏମିଲିୟା ଅବସ୍ଥା ସହିତ ମି. ବାତ୍ତିସତାଙ୍କ ପ୍ରସ୍ତାବରେ କୌଣସି ସମ୍ପର୍କ ଅଛି କି ନାହିଁ ।

 

ଏମିଲିୟା କହିଲା, ଆପଣ ପବନ ବେଗରେ ଗାଡ଼ି ଚଳାନ୍ତି, ମୋର ଭୟହୁଏ ।

 

ତାର ହାତ ଧରି ମି. ବାତ୍ତିସତା କହିଲେ, ଆସନ୍ତୁ.. ‘‘ମୁଁ ଥ‌ିବାଯାଏ ଭୟର କୌଣସି କାରଣ ନାହିଁ...ତାଛଡ଼ା..ଏତେ... ଭୟ କେଉଁଥିପାଇଁ ? ଆପଣଙ୍କର କ’ଣ ଧାରଣା ମୋର ଜୀବନର ମାୟା ନାହିଁ ?

 

ମି. ବାତ୍ତିସତା ଯେମିତି ଏକ ପ୍ରକାର ଟାଣାଟାଣି ତାକୁ ଗାଡ଼ି ପାଖକୁ ନେଇଗଲେ । ଏମିଲିୟା ଜିଜ୍ଞାସୁ, ବିହ୍ୱଳ ଦୃଷ୍ଟିରେ ମୋତେ ଚାହିଁଲେ । ଥରେ ଚିନ୍ତାକଲି ମୋ ସହିତ ଆସିବାକୁ ତାକୁ କହିବି କି ନାହିଁ । କିନ୍ତୁ ତହିଁରେ ମି. ବାତ୍ତିସତା ଅସନ୍ତୁଷ୍ଟ ହେବେ । ତେଣୁ କିଛି କହିଲି ନାହିଁ ।

 

ଏମିଲିୟା ପୁଣି ମୃଦୁ ପ୍ରତିବାଦ ଜଣାଇଲା–ମୋ ପକ୍ଷରେ ମି. ମଲଟେନିଙ୍କ ସାଥିରେ ଗଲେ ଭଲ ହୁଅନ୍ତା...

 

ମି. ବାତ୍ତିସତା ରସିକତା କରି କହିଲେ, ସତରେ ଆପଣ ଅତି ମାତ୍ତରାରେ ସ୍ଵାମୀ ସୋହାଗିନୀ । ସବୁବେଳେ ସ୍ଵାମୀ ସହିତ କଟେଇବେ କାହିଁକି ? ଆସନ୍ତୁ ନୋହିଲେ କିନ୍ତୁ ଅଭିମାନ କରିବି ।

 

ମି. ବାତ୍ତିସତା ଗାଡ଼ିର ଦରଜା ଖୋଲି ଧଇଲେ–ଏମିଲିୟା ଭିତରକୁ ଯାଇ ବସିଲା । ମି. ବାତ୍ତିସତା ଗାଡ଼ିରେ ଉଠିପଡ଼ି ତା ପାଖରେ ବସିଲେ । ମି. ରେନ୍‌ଗୋଲ୍ଡ଼ ଓ ମୁଁ ଆମ ଗାଡ଼ିରେ ବସିଲୁ । ଦୁଇଟିଯାକ ଗାଡ଼ି ଚାଲିଲା । ଅଳ୍ପ ସମୟ ପରେ ମି. ବାତ୍ତିସତାଙ୍କ ଗାଡ଼ି ତୀବ୍ର ବେଗରେ ଆମକୁ ପଛରେ ପକେଇ ବାହାରିଗଲା ।

 

ମି. ବାତ୍ତିସତା କହିଛନ୍ତି–ଆମେ ରାସ୍ତାରେ ଯେମିତି ଚିତ୍ରନାଟ୍ୟ ସମ୍ବନ୍ଧରେ ଆଲୋଚନା କରୁ । ଏକଥା କହିବାର କୌଣସି ପ୍ରୟୋଜନ ନ ଥିଲା । ନଗରୀର ସୀମା ପାର ହୋଇ ଆସିଲୁ । ମି. ରେନ୍‌ଗୋଲ୍‌ଡ଼ ଏଥର ମୁହଁ ଫିଟେଇଲେ–ସେଦିନ ମି. ବାତ୍ତିସତାଙ୍କ ଅଫିସ୍‌ରେ ଆପଣ ଭୟ ପାଇଥିଲେ । ବୋଧହୁଏ... ଭାବିଥିଲେ ଏଭଳି ଗୋଟାଏ ଅସାମାନ୍ୟ ଶବ୍ଦଟି ଉପରେ ଟିକିଏ ବିଶେଷ ଜୋର ଦେଇ ହସିବାକୁ ଲାଗିଲେ ।

 

ଅନ୍ୟମନସ୍କ ଭାବରେ କହିଲି, ବର୍ତ୍ତମାନ ପର୍ଯ୍ୟନ୍ତ ମୋର ଭୟ ପୂରାପୂରି କଟି ନାହିଁ ।

 

କଣ୍ଠରେ କର୍ତ୍ତୃତ୍ଵର ସୁର ଫୁଟେଇ ମି. ରେନ୍‌ଗୋଲ୍‌ଡ଼ କହିଲେ–ଆପଣଙ୍କର କୌଣସି ଭୟ ନାହିଁ... ମନସ୍ତତ୍ତ୍ୱମୂଳକ ଚିତ୍ର ହିଁ ଆମେ ପ୍ରସ୍ତୁତ କରିବା... ଆପଣଙ୍କୁ ଯେମତି ପ୍ରତିଶ୍ରୁତି ଦେଇଛି ଠିକ୍ ଯେମିତି । ଆଉ ଜାଣନ୍ତି ମି ମଲଟେନି, ଅନ୍ୟାନ୍ୟ ଚିତ୍ରନିର୍ମାତାଗଣ ଯେମିତି ଭୟ କରନ୍ତି... ସେମିତି ଭୟ ମୋର ନାହିଁ... ମୁଁ କଣ ଚାହେଁ ଜାଣନ୍ତି... ଚଳଚ୍ଚିତ୍ରର ଦୃଶ୍ୟସଜ୍ଜାର ସଂପୂର୍ଣ୍ଣ କର୍ତ୍ତୃତ୍ୱ ରହିବ ଆମ ହାତରେ–ନ ହେଲେ ଚିତ୍ର ନିଆହେବ ନାହିଁ... ଏହି ହେଲା ମୋର ସ୍ପଷ୍ଟ କଥା–ବୁଝିଲେ ?

 

–ନିଶ୍ଚୟ । ତାଙ୍କର କଥା ଶୁଣି ଆନନ୍ଦିତ ହେଲି । ଆଶାହେଲା ବାତ୍ତିସତାଙ୍କ ଚିତ୍ର ପାଇଁ କାମ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ...

 

ଅଳ୍ପ ସମୟ ପରେ ମି. ରେନ୍‌ଗୋଲ୍‌ଡ଼ କହିଲେ, ଏଥର ଶୁଣନ୍ତୁ ମୋର ଆଇଡ଼ିଆଟି...ଗାଡ଼ି ଚଳଉ ଚଳଉ ଶୁଣି ପାରିବେ ତ ?

 

ନିଶ୍ଚୟ, ନିଶ୍ଚୟ...ଆପଣ କହନ୍ତୁନା...ମୁଁ ଶୁଣୁଛି ।

 

ଦେଖନ୍ତୁ ମି. ମଲଟେନି କ୍ୟାପ୍ରିକୁ ଆସିବା ପାଇଁ ହେଇଛି–ବହିଃ ଦୃଶ୍ୟଗୁଡ଼ିକୁ ନେପଲସ୍‍ ଉପସାଗରରେ ହିଁ ନିଆହେବ- କିନ୍ତୁ ଦୃଶ୍ୟଗୁଡ଼ିକ ହେବ କେବଳ ପଟ୍ଟଭୂମି–ଅନ୍ୟ ଅଂଶଗୁଡ଼ିକ ପାଇଁ ରୋମରେ ହିଁ ରହିବାକୁ ହେବ–ଇଉଲିସିସ ନାଟକଟି କୌଣସି ନାବିକ, ସୈନିକ ବା ଆବିଷ୍କାରଙ୍କର କାହାଣୀ ନୁହେଁ–ଏହି ନାଟକଟି ସର୍ବକାଳର ସର୍ବ ମଣିଷ ଜାତିର କାହାଣୀ–ଇଉଲିସିସର ରୂପକଥା ଅନ୍ତରାଳରେ ରହିଛି ସମାଜର ଗୋଟିଏ ଶ୍ରେଣୀର ବାସକରୁଥିବା ପୁରୁଷ ଓ ସ୍ତ୍ରୀଙ୍କ ପ୍ରକୃତ ଜୀବନ କାହାଣୀ ।

 

କୌଣସି ଚିନ୍ତା ନକରି କହିଲି ଗ୍ରୀକ୍‌ ଉପକଥା ମାତ୍ରକେ ମଣିଷର ଜୀବନ ନାଟ୍ୟ–କାଳାତୀତ, ସ୍ଥାନାତୀତ, ଚିରନ୍ତନ ।

 

ସତରେ ସେଇୟା...କହିବାକୁ ଗଲେ ପ୍ରତ୍ୟେକଟି ଗ୍ରୀକ୍ ଉପକଥା ମଣିଷ ଜୀବନର ଆଦର୍ଶ ରୂପକ... ଏହି ପ୍ରାଚୀନ, ବିସ୍ମୃତ ପ୍ରାୟ ଉପକଥା ବଂଚେଇ ରଖିବାପାଇଁ ବର୍ତ୍ତମାନ ଏଯୁଗରେ ଆମକୁ କଣ କରିବାକୁ ହେବ । ଉପକଥାଗୁଡ଼ିକ ଉପରେ ଭିତ୍ତିକରି ରଚିତ ଗ୍ରୀକ୍‍ ସାହିତ୍ୟର ସର୍ବୋତ୍‍କୃଷ୍ଟ ସୃଷ୍ଟି ମଧ୍ୟରେ ନିଜର ଅସ୍ତିତ୍ୱ ହରେଇ ନଦେଇ ଆଧୁନିକ ଜଗତ ଓ ଜୀବନ ସହିତ ତାର ଯୋଗସୂତ୍ର ସ୍ଥାପନ କରିବାକୁ ପଡ଼ିବ, ସଂପୂର୍ଣ୍ଣ ସ୍ଵାଧୀନ ଦୃଷ୍ଟି ଭଙ୍ଗିରେ ଯୁଗୋପଯୋଗୀ କରି ରୂପାୟିତ କରିବାକୁ ପଡ଼ିବ... ଜୀବନ୍ତ କରି ତୋଳିବାକୁ ପଡ଼ିବ...ଯେମତି ଧରନ୍ତୁ ଓନୀଲର ‘ମର୍ଣ୍ଣିଂ ବିକମସ୍‌ ଇଲେକ୍‌ଟା’... ଓନୀଲ ବୁଝିପାରିଥିଲେ ଯେ ପ୍ରାଚୀନ ଉପକଥା ଗୁଡ଼ିକର ଆଧୁନିକ ଭାଷ୍ୟ ପ୍ରୟୋଜନ । ତେବେ ଏହି ଚିତ୍ରଟି ସମ୍ବନ୍ଧରେ ମୁଁ ମୋଟେ ଚିନ୍ତା କରୁ ନାହିଁ । କାହିଁ କ ଜାଣନ୍ତି ? କାହାଣୀଟିକୁ ସେ ପୂରାପୂରି ଅବିକୃତ ରଖିଛନ୍ତି–ଏ ଯେମିତି ରୁଲଟଣା ଖାତା ଉପରେ ଲେଖା....ଲାଇନଗୁଡ଼ିକ ସ୍ପଷ୍ଟ ଦେଖା ଯାଇଛି !

 

ଓନୀଲଙ୍କର ସମାଲୋଚନା କରି ମି: ରେନ୍‌ଗୋଲଡ଼ ଗଭୀର ଆତ୍ମପ୍ରସାଦ ଲାଭକଲେ-। ତାଙ୍କର ହସର ଝଙ୍କାର କାନରେ ଆସି ବାଜିଲା ।

 

ଆମେ ନଦୀ କୂଳରେ ଆସି ପହଞ୍ଚି ଯାଇଛୁ । ପାଚିଲା ଧାନକ୍ଷେତର ସୁନେଲି ଆସ୍ତରଣ ଆଉ ପିଙ୍ଗଳ ପାହଡ଼ ଭିତର ଦେଇ ଆମେ ଅଗ୍ରସର ହେଉଛୁ–ମଝିରେ ମଝିରେ ଆଖିରେ ପଡ଼ୁଛି ଗୋଟାଏ ଦୁଇଟି ଗଛ.... ସବୁଜ ପତ୍ରରେ ଶ୍ରୀମଣ୍ଡିତ ।

 

ମି. ବାତ୍ତିସତାଙ୍କ ଅନେକ ପଛରେ ଆମେ ପଡ଼ିଯାଇଛୁ । ଦୃଷ୍ଟି ସୀମା ଭିତରେ– ନିର୍ଜନ ଜନଶୂନ୍ୟ ବସ୍ତା, ଜନମାନବର ଚିହ୍ନବର୍ଣ୍ଣ ନାହିଁ ।

 

ମି. ରେନ୍‌ଗୋଲ୍‌ଡ଼ ପୁନରାୟ କହିବାକୁ ଲାଗିଲେ–ଓନୀଲ ଯଦି ବୁଝିପାରିଥାନ୍ତେ ଉପକଥାଗୁଡ଼ିକର ଆଧୁନିକ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିବାକୁ ହେବ ! ବିଷୟବସ୍ତୁ ଉପରେ ତାଙ୍କର ପ୍ରାଧାନ୍ୟ ଦେବା ଉଚିତ ନ ଥିଲା–ପ୍ରୟୋଜନ ଥିଲା ନୂତନ ଜୀବନର ଅବତାରଣା । ସେ ତାହା କରିନାହାନ୍ତି–ତେଣୁ ତାଙ୍କର ଚିତ୍ରଟିରେ କୌଣସି ଆବେଦନ ନାହିଁ... ଚିତ୍ରଟି ସ୍କୁଲର ପାଠ୍ୟପୁସ୍ତକ ଭଳି ହୋଇପଡ଼ିଛି ।

 

ପ୍ରତିବାଦକରି କହିଲି, ମୋର ତ ମନେହୁଏ..ସେ ଚିତ୍ରଟି ବରଂ ସୁନ୍ଦର ହୋଇଛି । ମି. ରେନ୍‌ଗୋଲଡ଼ ମୋ କଥାରେ କର୍ଣ୍ଣପାତ କଲେ ନାହିଁ । କହିଲେ ବର୍ତ୍ତମାନ ଆମେ ଓଡ଼ିସିକୁ ଏମିତି ରୂପ ଦେବାପାଇଁ ଯାଉଛୁ–ଯାହା ଓନୀଲ କରିବାପାଇଁ ଚାହିଁ ନାହାନ୍ତି କିମ୍ବା କଳ୍ପନା କରିପାରି ନାହାନ୍ତି...ପୋଷ୍ଟମର୍ଟମ ଘରେ ଯେମିତି ଭାବରେ ମଣିଷର ଦେହକୁ ଟିକି ଟିକି କାଟି ଦେହର ଆଭ୍ୟନ୍ତରୀଣ ଗଠଣର ପରିକ୍ଷା କରାହୁଏ–ଠିକ୍ ସେମିତି ଭାବରେ ଖୋଲିବା ପାଇଁ ହେବ ଓଡ଼ିସିଟାକୁ... ତାପରେ ଯୁଗୋପଯୋଗୀ କରି ଯୋଡ଼ିନେବାପାଇଁ ପଡ଼ିବ...

 

ରେନ୍‌ଗୋଲଡ଼ଙ୍କର କଥା ଠିକ୍‌ଭାବରେ ବୁଝିପାରିଲି ନାହିଁ । ଅସଂଲଗ୍ନ ଭାବରେ କହିଲି ଓଡ଼ିସିର ଉଦ୍ଦେଶ୍ୟ ସର୍ବଜନ ପରିଚିତ–ଗୃହ ପରିବାର ଓ ଜନ୍ମଭୂମିକୁ ଫେରି ଆସିବାର ଦୁର୍ବାର ଆକାଂକ୍ଷା ଆଉ ପ୍ରତ୍ୟାବର୍ତ୍ତନର ପଥରେ ଅଗଣିତ ବାଧା ଓ ଦୁଃଖର ତୁଳନା... ହୁଏତ ଯେଉଁସବୁ ଯୁଦ୍ଧବନ୍ଦୀ ଓ ରଣନିପୁଣ ଯୋଦ୍ଧା କୌଣସି କାରଣରୁ ନିଜର ଜନ୍ମଭୂମିର ବହୁ ଦୂରରେ ପଡ଼ି ରହିଥାନ୍ତି ସେମାନେ ପ୍ରତ୍ୟେକ ଜଣେ ଜଣେ ଛୋଟ ଧରଣର ଇଉଲିସିସ୍ ।

 

କୁକୁଡ଼ାର ଡାକ ଭଳି ହସି ଉଠିଲେ ମି. ରେନ୍‌ଗୋଲ୍‌ଡ଼... ମୁଁ ମଧ୍ୟ ସେଇଆ ଆଶା କରିଥିଲି... ରଣନିପୁଣ, ବନ୍ଦୀ ! ...ନା ନା ସେୟା ନୁହେଁ ମଲ୍‌ଟେନି... ଇୟେ କେବଳ ବାହ୍ୟିକ ଘଟଣା... ତହିଁରେ ଓଡ଼ିଶି ହେବ ବିରାଟ ଗୋଟାଏ ଅଭିଯାନର ଚିତ୍ର ମି. ବାତ୍ତିସତା ଏମିତି ମନେ–କରନ୍ତି ଠିକ୍ ସେହିଭଳି କିନ୍ତୁ ବାତ୍ତିସତା ହେଉଛନ୍ତି ଚିତ୍ର ନିର୍ମାତା, ଆପଣ ତାହା ନୁହନ୍ତି... ଆପଣ ଜ୍ଞାନୀ, ରୁଚିବାନ, ବୁଦ୍ଧିମାନ... ମୁଣ୍ଡ ଖର୍ଚ୍ଚ କରିବାକୁ ହେବ ଆପଣଙ୍କୁ ।

 

ସେଇୟା ତ କରୁଛି ।

 

ନା–କରୁ ନାହାନ୍ତି । ଭଲ ଭାବରେ ଦେଖନ୍ତୁ–ପ୍ରଥମେ ଲକ୍ଷ୍ୟ କରନ୍ତୁ–ଇଉଲିସିସ୍‌ର ମୂଳକାହାଣୀ ହେଲା ତା ସହିତ ତାର ସ୍ତ୍ରୀ ପେନିଲୋପ ସଂପର୍କ...

 

ଏଥର କିଛି କହିଲି ନାହିଁ ।

 

ମି. ରେନ୍‌ଗୋଲଡ଼ କହିଲେ ଓଡ଼ସିଟିରେ କେଉଁ ବିଷୟଟା ସବା ଆଗରେ ଆଖିରେ ପଡ଼େ ?

 

ସେଇଟା ହେଲା ଇଉଲିସିସ୍‌ର ବିଳମ୍ବିତ ପ୍ରତ୍ୟାବର୍ତ୍ତନ–ଫେରି ଆସିବାକୁ ଲାଗିଛି ଦୀର୍ଘ ଦଶବର୍ଷ–ଏହି ଦଶବର୍ଷ ଭିତରେ ତା ପ୍ରତି ପେନିଲୋପର ପ୍ରେମ ଥିବା ସତ୍ତ୍ୱେ ଓ ସେ ବାରମ୍ବାର ସୁଯୋଗର ଅବହେଳା କରିଛି–ବିଶ୍ୱାସଘାତକତା କରିଛି । ହୋମର କହିଛନ୍ତି–ଇଉଲିସିସ୍‌ ମନରେ ପେନିଲୋପ ବ୍ୟତୀତ ଆଉ କୌଣସି ଚିନ୍ତାର ସ୍ଥାନ ନ ଥିଲା–ତାର ଏକମାତ୍ର କାମନା ଥିଲା ପେନିଲୋପ ସହିତ ପୁନର୍ମିଳନ–କିନ୍ତୁ ଆମେ ବି କଣ ବିଶ୍ୱାସ କରିବା ହୋମଙ୍କର ଏଇ କଥା ?

 

ଅଳ୍ପ କୌତୁକ କରି କହିଲି, ଯଦି ହୋମର ଅବିଶ୍ଵାସର ପାତ୍ର, ତେବେ ଆଉ କାହାକୁ ବିଶ୍ଵାସ କରିବି କହନ୍ତୁ ?

 

କାହିଁକି ? ନିଜକୁ–ଆଧୁନିକ ଯୁଗର ଲୋକମାନଙ୍କୁ, ଯେଉଁମାନେ ଉପକଥାର ଅନ୍ତର୍ନିହିତ ସତ୍ୟ ଆବିଷ୍କାର କରିପାରନ୍ତି–ସେମାନଙ୍କୁ ଦେଖନ୍ତୁ ମି: ମଲଟେନି, ଏକାଧିକବାର ‘ଓଡ଼ିସି’ ପାଠକରି ମୁଁ ଏହି ଅଭ୍ରାନ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ଜାଣିଶୁଣି ଇଉଲିସିସ୍ ଗୃହକୁ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି–ଆପଣ ଯାହା କହନ୍ତୁ ନା କାହିଁକି ପେନିଲୋପ ସହିତ ପୁନର୍ମିଳନର ଆକାଂକ୍ଷା ମୋଟେ ନ ଥିଲା ।

 

ମୁଁ ନୀରବ ରହିଲି ।

 

ମୋର ନିରବତା ଫଳରେ ଯେମିତି ସାହସ ପାଇ ମି. ରେନ୍‌ଗୋଲଡ଼ କହିବାକୁ ଲାଗିଲେ–ସତରେ ଇଉଲିସିସ୍ ଏମିତି ଗୋଟାଏ ଲୋକ ଯିଏ ନିଜର ସ୍ତ୍ରୀ ପାଖକୁ ଫେରିଯିବା ପାଇଁ ଭୟ ପାଉଥିଲେ । ପରେ ବିଚାର କରିବା–ତାର କାରଣ କଣ । ଅବଚେତନ ମନର ସେହି ଭୟ ହିଁ ତାଙ୍କର ପ୍ରତ୍ୟାବର୍ତ୍ତନ ପଥରେ ବାଧା ସୃଷ୍ଟି କରିଥିଲା–ତାଙ୍କର ଅଭିଯାନର ଉତ୍ସାହ ନିଜର ଯାତ୍ରାପଥ ଦୀର୍ଘତର କରିବାପାଇଁ ଗୋଟାଏ ଅପରିଜ୍ଞାତ କାରଣ ଛଡ଼ା ଆଉ କିଛି ନୁହେଁ । ସାଇଲା ଓ ସେରିବ୍‌ଡ଼ିସ୍‌, କ୍ୟାଲିପ୍‌ସୋ, ପଲିଫେମାସ୍, ଚାର୍ଟି ଓ ଦେବ ଦେବତାଗଣ ତାଙ୍କରି ପଥରେ ବାଧାସୃଷ୍ଟି କରି ନାହାନ୍ତି–ପ୍ରକୃତ ବାଧା ଦେଇଥିଲା ତାଙ୍କର ଅବଚେତନ ମନ । ତେଣୁ ସେ କେଉଁଠି ବର୍ଷେ କେଉଁଠି ବା ଦୁଇବର୍ଷ ରହିଯାଇଥିଲେ । ଓଡ଼ିସିର ଏଭଳି ଭାଷ୍ୟ ମୁଁ କେବେହେଲେ କଳ୍ପନା କରି ନାହିଁ । ତେଣୁ ଆଶ୍ଚର୍ଯ୍ୟ ହୋଇଗଲି–ଇଉଲିସିସ୍‌ ଭଳି ଗୋଟାଏ ସହଜ ସରଳ ଚରିତ୍ରର ଏମିତି ଜଟିଳ ଵିଶ୍ଳେଷଣ । ମି. ରେନ୍‌ଗୋଲ୍‌ଡ଼ ମନସ୍ତତ୍ତ୍ୱ ନେଇ କରିବାର କରିଛନ୍ତି ତେଣୁ ତାଙ୍କ ପାଖରେ ଏହା ଅସ୍ଵାଭାବିକ ନୁହେଁ ।

 

ଶୁଷ୍କ କଣ୍ଠରେ କହିଲି, ଆପଣଙ୍କର କଥାଟି ଠିକ୍... କିନ୍ତୁ ମୁଁ ତ ଭାବିପାରୁ ନାହିଁ... କେମିତି ଭାବରେ...

 

ତାହେଲେ ସ୍ପଷ୍ଟ ଭାବରେ ପ୍ରମାଣିତ ହେଲା–ଆଧୁନିକତମ ମନସ୍ତାତ୍ତ୍ୱିକ ଆବିଷ୍କାର ଅନୁସାରେ ମୋର ଭାଷ୍ୟଟି ନିର୍ଭୁଲ... ଓଡ଼ିସି ଦାମ୍ପତ୍ୟ ବିରୋଧର ହିଁ କାହାଣୀ–ଏହି ଦାମ୍ପତ୍ୟ ବିରୋଧ ସମ୍ବନ୍ଧରେ ବହୁଦିନ ବି ତର୍କ ହୋଇଛି, ବହୁ ପରୀକ୍ଷା ହୋଇଛି–ତା ପରେ ସୁଦୀର୍ଘ ଦଶବର୍ଷ ଆତ୍ମ–ସଂଗ୍ରାମ ପରେ ଘୁଞ୍ଚିଛି ତାଙ୍କର ସନ୍ଦେହ, ଆଉ ଯେଉଁ ଅବସ୍ଥା ଇଉଲିସ୍‌ଙ୍କ ଏହି ସଂଶୟ ପାଇଁ ଦାୟୀ ତାହା ସ୍ୱୀକାର କରିନେଇ ସେ ତାର ଅବସାନ ଘଟାଇଥିଲେ... । ଦଶବର୍ଷ ଧରି ଯେତେ ପ୍ରକାର ସମ୍ଭବ ସେ ବିଳମ୍ବ କରିଥିଲେ–ଦାମ୍ପତ୍ୟ ଜୀବନକୁ ଫେରି ନ ଆସିବାର ଛଳନା କରିଥିଲେ, ଏଭଳିକି ଆଉ ଏକ କନ୍ୟାର ପାଣିଗ୍ରହଣ କଳ୍ପନା କରିଥିଲେ । ପରିଶେଷରେ ଆତ୍ମଦମନ କରି ନ ପାରି ଫେରି ଆସିଥିଲେ–ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ଅର୍ଥ ହେଲା–ଯେଉଁ ଅବସ୍ଥା ଚକ୍ରରେ ଗୃହ ତ୍ୟାଗ କରିଥିଲେ, ଦେଶକୁ ଫେରି ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ, ତାକୁ ସ୍ଵୀକାର କରିନେବା...

 

କେଉଁ ଅବସ୍ଥା । ଇଉଲିସିସ କଣ ଟ୍ରୟ ଯୁଦ୍ଧରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ଗୃହତ୍ୟାଗ କରି ନାହାନ୍ତି ?

 

ଅଧୀର ଭାବରେ ରେନ୍‌ଗୋଲ୍‌ଡ଼ କହିଲେ, ମୁଁ କେବଳ ବାହ୍ୟିକ ଅବସ୍ଥାର କଥା ହିଁ କହୁଛି । ତେବେ ଗୋଟାଏ କଥା ମନେରଖିବେ–ଇଉଲିସିସ୍‌ କୌଣସି ଭୌଗଳିକ ଅବସ୍ଥାନ ମଧ୍ୟରେ ସଙ୍ଗଠିତ ଦୁଃସାହସିକ ଅଭିଯାନର କାହାଣୀ ନୁହେଁ–ଇଉଲିସିସ୍‌ ହେଲା–ଇଉଲିସିସ୍‌ ହିଁ ମନର ନାଟକ–ତହିଁରେ ଯାହା ଘଟିଛି ସବୁ ହେଲା ଇଉଲିସିସ୍‌ ଅବଚେତନ ମନର ପ୍ରତୀକ... ଆପଣ ଫ୍ରୟେଡ଼୍ ପଢ଼ିଛନ୍ତି ନିଶ୍ଚୟ ?

 

ହଁ.... କେତୋଟି ବହି ପଢ଼ିଛି ।

 

ବେଶ୍ ଫ୍ରୟେଡ଼ ହିଁ ହେବେ ଇଉଲିସିସର ମନୋରାଜ୍ୟର ପ୍ରଦର୍ଶକ... ଭୂମଧ୍ୟସାଗର ପରିବର୍ତ୍ତରେ ଆମେ ଦେଖିବା ଇଉଲିସିସର ଅନ୍ତର୍ଜଗତ ବା ଅବଚେତନ...

 

ତେବେ ଏହି ଗ୍ରାହସ୍ଥ୍ୟ ନାଟକ ପାଇଁ କ୍ୟାପ୍ରିକୁ ଆସିବାର ପ୍ରୟୋଜନ କଣ ଥିଲା ? ରୋମର ଯେକୌଣସି ପ୍ରାସାଦରେ ବସି ଏ କାମ କରାଯାଇ ପାରିଥାନ୍ତା ।

 

ମି. ରେନ୍‌ଗୋଲ୍‌ଡ଼ ମୋତେ ବିସ୍ମୟ ଓ ବିରକ୍ତିରେ ଚାହିଁ ରହିଲେ । ତା ପରେ ହସିଲେ–ଯେମିତି ଏ ପରିବେଶଟା ସଂପୂର୍ଣ୍ଣ ହାଲୁକା କରିଦେବାକୁ ଚାହାନ୍ତି ।

 

କହିଲେ କ୍ୟାପ୍ରିକୁ ଆମେ ଯାଇ ପୁନରାୟ ଧୀର ମସ୍ତିଷ୍କରେ ଏ ସମ୍ବନ୍ଧରେ ଆଲୋଚନା କରିବା–ମୋଟର ଚାଳନା ଓ ଓଡ଼ିସି ସମ୍ବନ୍ଧରେ ଆଲୋଚନା ଏକା ସଙ୍ଗରେ ହୁଏ ନାହିଁ ମି. ମଲଟେନି–ଆପଣ ବରଂ ମନଯୋଗ ଦେଇ ଗାଡ଼ି ଚଳାନ୍ତୁ–ମୁଁ ବାହାରେ ପ୍ରାକୃତିକ ଦୃଶ୍ୟଟା ଉପଭୋଗ କରେ ।

 

ପ୍ରାୟ ଘଣ୍ଟାଏ କାଳ ନିରବରେ ଆମେ ଆଗେଇଲୁ । ସମୁଦ୍ର କୂଳରେ ରାସ୍ତା । ଆର ପାଖରେ ଛୋଟ ଛୋଟ ଶିଳାମୟ ପାହାଡ଼– ପାହାଡ଼ ଉପରେ ଝିଲିମିଲି ସୂର୍ଯ୍ୟକିରଣ । ସମୁଦ୍ର ସ୍ଥିର ନୁହେଁ । ଇଷତ୍ ପୀତ ଆଉ କଳା ବାଲିର ପାହାଡ଼ ଉପରେ ଫିକା ସବୁଜ ରଙ୍ଗର ଜଳ । ଅବସନ୍ନ ଭାବରେ ଭାଙ୍ଗିପଡ଼ୁଛି ଢେଉ ଉପରେ ଢେଉ । ସାବୁନ ଫେଣ ପରି ଧଳାପାଣି ଛୁଇଁ ଯାଉଛି ତୀର ଭୂମି । ଅଳ୍ପ ଦୂରରେ ସମୁଦ୍ର ଗତିଶୀଳ କିନ୍ତୁ ନିସ୍ତରଙ୍ଗ । ସେଇଠି ସବୁଜ ରଙ୍ଗ ନୀଳାଭ, ତା’ ଉପରେ ଖେଳୁଛି ଶୁଭ୍ର ଫେନପୁଞ୍ଜ । ଆକାଶରେ ବି ସେହିଭଳି ଅସ୍ଥିରତା ଓ ବିଶୃଙ୍ଖଳା । ଚାରିପାଖରେ ଘୂରି ବୁଲୁଛି ଶୁଭ୍ର ମେଘ, ଅନନ୍ତ ନୀଳ ଆକାଶ ଉଜ୍ୱଳରେ ଉଦ୍ଭାସିର । ସାମୁଦ୍ରିକ ପକ୍ଷିଗଣ ବୁଲୁଛନ୍ତି, ଉଡ଼ୁଛନ୍ତି, ଯେମିତି ଦମକାଏ ପବନ, ଘୂର୍ଣ୍ଣିର ଅନୁକରଣରେ ସେମାନେ ବ୍ୟସ୍ତ ।

 

ସମୁଦ୍ର ଉପରେ ଦୃଷ୍ଟି ରଖି ଗାଡ଼ି ଚଳାଉଥିଲି । ମି. ରେନ୍‌ଗୋଲ୍‌ଡ଼ ମୁହଁରୁ ଓଡ଼ିସି ବ୍ୟାଖ୍ୟା ଶୁଣି ତାଙ୍କର ଅପରିକଳ୍ପିତ ନାଟକଟିକୁ ଗ୍ରାହସ୍ଥ୍ୟ ନାଟକ ବୋଲି ହୁଏତ କୌଣସି ଭୁଲ କରି ନାହିଁ । ଉଜ୍ଜ୍ୱଳ ନୀଳ ଆକାଶ ତଳେ ଏହି ବିକ୍ଷିପ୍ତ ସମୁଦ୍ରର ବର୍ଣ୍ଣାଢ଼୍ୟ ତରଙ୍ଗରାଜି ମଧ୍ୟରେ, ଭୂମଧ୍ୟସାଗରର ବୁକୁରେ ଅଜ୍ଞାତ ଅପରିଚିତ ରାଜ୍ୟ ସନ୍ଧାନୀ ଇଉଲିସିସର କର୍ଣ୍ଣବପୋତ କଳ୍ପନା କରିବା କଠିଣ ନୁହେଁ । ଏଇଠି ସବୁ ରହିଛି । ମି. ରେନ୍‌ଗୋଲ୍‌ଡ଼ ଏହି ଦୀପ୍ତିମୟ, ରୌଦ୍ରଜ୍ଜଳ ବାୟୁଭରା ଜୀବଧାତ୍ରୀ ବସୁନ୍ଧରାକୁ ରୌଦ୍ରହୀନ, ଅନ୍ଧକାର, ବାୟୁହୀନ, ପ୍ରାଣ ସ୍ପନ୍ଦନହୀନ ଗୋଟାଏ ଅବାସ୍ତବ ନିଭୃତ ମନୋରାଜ୍ୟରେ ରୂପାନ୍ତରିତ କରିବାକୁ ଚାହାନ୍ତି । ତାଙ୍କ ପାଖରେ ‘ଓଡ଼ିସି’ ମନସ୍ତତ୍ତ୍ୱର ଅସଙ୍ଗତି ମଧ୍ୟରେ ଜଡ଼ିତ ଗୋଟିଏ ଆଧୁନିକ ମଣିଷର ଅନ୍ତର–ରାଜ୍ୟର ନାଟକ କଳ୍ପନା କରାଯାଇପାରେନା । ସିନେମାର ଉପଯୋଗୀ କରିବା ପାଇଁ ହେଲେ ପ୍ରୟୋଜନ ନ ଥିଲେ ମଧ୍ୟ ସବୁ ପରିବର୍ତ୍ତନ କରିବାକୁ ହୁଏ । କିନ୍ତୁ ଏ ସ୍ଥଳରେ ‘ଓଡ଼ିସି’ ଭଳି ଗୋଟାଏ ସାର୍ଥକ ଓ ବାସ୍ତବ ଶିଳ୍ପକୀର୍ତ୍ତିକୁ କେବଳ ଅବାସ୍ତବ କରିବାକୁ ପଡ଼ିବ ନାହିଁ, ତା ଭିତରେ ସୂକ୍ଷ୍ମ ମନସ୍ତତ୍ତ୍ଵର ଅବତାରଣା କରିବାକୁ ପଡ଼ିବ । ଏହାଠାରୁ ଜଘନ୍ୟ ଆଉ କ’ଣ ହୋଇପାରେ ?

 

ଅଦୂରରେ ସମୁଦ୍ର । ରାସ୍ତା କଡ଼ରେ ବାଲୁକାମୟ କ୍ଷେତ୍ରରେ ଦେଖାଯାଉଛି ଅଜସ୍ର ଅଙ୍ଗୁର ଲତା । ତାପରେ ଅଳ୍ପ ବେଳାଭୂମି... ସେଇଠି ଆହତ ହୋଇ ଫେରୁଛି ତରଙ୍ଗ । ସ୍ଥାନଟା ରେଣୁ କଳା ପଡ଼ି ଯାଇଛି, ସ୍ତପୀକୃତ ହୋଇଛି ଜଞ୍ଜାଳ ।

 

ଉତ୍ସାହିତ ହୋଇ କହିଲି, ଦେଖନ୍ତୁ ମି. ରେନ୍‌ଗୋଲ୍ଡ଼–ଏଥର ଟିକିଏ ବିଶ୍ରାମ ନେଲେ ଭଲ ହୁଅନ୍ତା–ହାତଗୋଡ଼ ଦରଜ ହୋଇ ଗଲାଣି ।

 

ଗାଡ଼ିରେ ବ୍ରେକ ଦେଲି । ବାହାର ଆସି ଅଂଗୁର କ୍ଷେତ ଭିତର ଦେଇ ସମୁଦ୍ର ଆଡ଼କୁ ଆଗେଇବାକୁ ଲାଗିଲି । କହିଲି ଆଠମାସ ହେଲା ଘରୁ ପଦାକୁ ଗୋଡ଼ କାଢ଼ି ନାହିଁ... ଗତ ଗ୍ରୀଷ୍ମ ଋତୁ ପରେ ଆଜି ପ୍ରଥମ ସମୁଦ୍ର ଦେଖୁଛି... ଚାଲନ୍ତୁନା ସମୁଦ୍ର କୂଳରେ ଯାଇ କିଛି ସମୟ ବସିବା... ଆସନ୍ତୁ, ....ଆସନ୍ତୁ...

 

ମି. ରେନ୍‌ଗୋଲ୍‌ଡ଼ ନିରବରେ ମୋର ଅନୁସରଣ କରିବାକୁ ଲାଗିଲେ । ଭାବିଲି ମୋ ଉପରେ ସେ ଅସନ୍ତୁଷ୍ଟ ହୋଇଛନ୍ତି । ତେଣୁ କହିଲି, କିଛି ମନେକରିବେ ନାହିଁ... ମୁଁ ଅତ୍ୟନ୍ତ ଦୁଃଖିତ... ହୁଏତ ଯାହା କହିବାକୁ ଚାହିଁଥିଲି ସ୍ପଷ୍ଟ ଭାବରେ କହିପାରି ନାହିଁ... ତେବେ ଆପଣଙ୍କ ବ୍ୟାଖ୍ୟା ସହିତ ପୂରାପୂରି ଏକମତ ହୋଇପାରୁ ନାହିଁ ଯଦି ଶୁଣିବାକୁ ଚାହାନ୍ତି, ତେବେ କହିବାରେ ହିଁ ଦ୍ୱିଧା ନାହିଁ ମୁଁ କାହିଁକି ଆପଣଙ୍କ ସହିତ ଏକମତ ନୁହେଁ ।

 

ଉତ୍କଣ୍ଠିତ ଭାବରେ ମି. ରେନ୍‌ଗୋଲ୍‌ଡ଼ କହିଲେ, ବେଶ୍‌ ! କୁହନ୍ତୁ ନା ।

 

ଦେଖନ୍ତୁ ସମସ୍ତ ବିଶ୍ୱାସ କରିପାରୁ ନାହିଁ... ତେବେ ମୋର ମତ ନୁହେଁ ଯେ ଆପଣଙ୍କର ବ୍ୟାଖ୍ୟା ଏକାଥରେ ଅଚଳ... ହୋମରୀୟ କାବ୍ୟର ସାଧାରଣତଃ ରସୋତ୍ତୀର୍ଣ୍ଣ ସୃଷ୍ଟି ମାତ୍ରକେ–ବିଶେଷ ଗୁଣ ହେଲା ତାର ଅନ୍ତର୍ନିହିତ ଭାବ... ଯାହାର ହଜାର ରକମର ଅର୍ଥ ଆମେ କରିପାରିବା-। ମୁଁ କହିବାକୁ ଚାହେଁ–‘ଓଡ଼ିସି’ର ପ୍ରକୃତ ସୌନ୍ଦର୍ଯ୍ୟ ହେଲା ପ୍ରତ୍ୟକ୍ଷ ବାସ୍ତବ ଉପରେ ବିଶ୍ଵାସ–ତହିଁରେ କୌଣସି ଭାଷ୍ୟ ବା ବିଶ୍ଳେଷଣର ସ୍ଥାନ ନାହିଁ । ସମୁଦ୍ର ଆଡ଼କୁ ଚାହିଁ କହିଲି, ହୋମରଙ୍କ ଜଗତ... ବାସ୍ତବ ଜଗତ । ହୋମର ସେହି ଯୁଗରେ ଜନ୍ମଗ୍ରହଣ କରିଥିଲେ, ଯେଉଁ ଯୁଗରେ ସଭ୍ୟତାର ବିକାଶ ଘଟିଥିଲା ପ୍ରକୃତି ସହିତ ଯୋଗସୂତ୍ର ସ୍ଥାପନ କରି–ବିରୋଧିତା କରି ନୁହେଁ-। ହୋମର ତେଣୁ ବିଶ୍ଵାସ କରୁଥିଲେ ଦୃଶ୍ୟମାନ ଜଗତର ସତ୍ୟକୁ... ଆଖି ଆଗରେ ସେ ଯାହା ଦେଖୁଥିଲେ ସେହି ଚିତ୍ର ସେ ଅଙ୍କନ କରିଯାଇଛନ୍ତି । ତାର ତାତ୍ପର୍ଯ୍ୟ ନିର୍ଣ୍ଣୟ କରିବାର କୌଣସି ଚେଷ୍ଟା ନ କରି ଅବିକଳ ଯେମିତି ରହିଛି ସେଇଭଳି ଗ୍ରହଣ କରିବା ଉଚିତ... ଏତକ କହିସାରି ଶାନ୍ତ ହୋଇ ରହିପାରିଲି ନାହିଁ । ମି. ରେନ୍‌ଗୋଲଡ଼ଙ୍କୁ ବୁଝେଇବା ଅର୍ଥ ପଣ୍ଡଶ୍ରମ ଛଡ଼ା ଆଉ କିଛି ନୁହେଁ ।

 

ମି. ରେନ୍‌ଗୋଲ‍ଡ଼ ହୋ ହୋ ହୋଇ ହସି ଉଠି କହିଲେ, ବହିର୍ମୂଖୀ...ସଂପୂର୍ଣ୍ଣ ବହିର୍ମୂଖୀ ଆପଣଙ୍କର ଦୃଷ୍ଟି... ଯେଉଁମାନଙ୍କର ଦୃଷ୍ଟି ଅନ୍ତର୍ମୂଖୀ ସେମାନଙ୍କୁ ଆପଣ ବୁଝିପାରନ୍ତି ନାହିଁ... ଅବଶ୍ୟ ତହିଁରେ କୌଣସି କ୍ଷତି ନାହିଁ, ଆପଣଙ୍କ ଓ ମୋର ମଧ୍ୟରେ ତଫାତ ରହିଛି । ତେଣୁ ଆପଣଙ୍କୁ ଖୋଜି ନେଇଛି । ଆପଣଙ୍କର ବହିର୍ମୂଖିତା ମୋର ଅନ୍ତର୍ମୂଖିତା ସହିତ ସମତା ରକ୍ଷା କରିବ । ଦେଖିବେ, ଆମେ ଦୁହେଁ ମିଶି କରିବା ଏକ ଅତ୍ୟାଶ୍ଚର୍ଯ୍ୟ ଶିଳ୍ପ–ସୃଷ୍ଟି...

 

ତାଙ୍କର ଏହି ସ୍ଥୂଳତାରେ ବିରକ୍ତ ହୋଇପଡ଼ିଲି–ଭାବିଲି ଏମିତି କିଛି କୁହେ, ଯାହା ଶୁଣି ସେ ଅସନ୍ତୁଷ୍ଟ ହୁଅନ୍ତୁ । ପଛରୁ ଶୁଣାଗଲା ପରିଚିତ କଣ୍ଠସ୍ଵର–ରେନ୍‌ଗୋଲ୍‌ଡ଼, ମଲଟେନି–ଆପଣମାନେ ଏଇଠି କଣ କରୁଛନ୍ତି–ସମୁଦ୍ର ପବନ କରୁଛନ୍ତି ବୋଧହୁଏ ।

 

ପଛକୁ ଚାହିଁ ଦେଖିଲି, ମି. ବାତ୍ତିସତା ଓ ଏମିଲିୟା । ମି. ବାତ୍ତିସତା ହାତ ହଲେଇ ହଲେଇ ଓହ୍ଲେଇ ଆସୁଛନ୍ତି ଗୋଟିଏ ବାଲୁକା ସ୍ତୂପରୁ, ତାଙ୍କର ପଛରେ ଆସୁଛି ଏମିଲିୟା । ମି. ବାତ୍ତିସତାଙ୍କର ସଙ୍ଗରେ ଉଲ୍ଲାସର ଉଚ୍ଛ୍ୱସିତ ତରଙ୍ଗ । ଅତୃପ୍ତ, ବିବ୍ରତ ଓ ଚିନ୍ତାକୂଳ ଦେଖାଯାଉଛି ଏମିଲିୟା ।

 

କହିଲି, ଆମେ ଭାବିଥିଲୁ ଆପଣ ଅନେକ ଦୂର ଚାଲି ଯାଇଛନ୍ତି ଏହା ଭିତରେ ।

 

ମି. ବାତ୍ତିସତା କହିଲେ, ଆମେ ଅନେକ ଦୂର ବୁଲି ଆସିଲୁ–ରୋମର ପାଖାପାଖି ଗୋଟାଏ ସ୍ଥାନ ଦେଖେଇ ଆଣିଛି ଆପଣଙ୍କର ପତ୍ନୀଙ୍କୁ... ସେଇଠି ଗୋଟାଏ କୋଠା କରୁଛି କି ନା-! ତା ଛଡ଼ା ରେଲ ଲାଇନ ଉପରେ ଯେଉଁ ରାସ୍ତାଟି...ସେଟା ବନ୍ଦ ଥିଲା...

 

ଆଚ୍ଛା ମି. ରେନ୍‌ଗୋଲ୍‌ଡ଼ ସବୁ କୁଶଳ ତ ? ଓଡ଼ିସି ସମ୍ବନ୍ଧରେ ଆପଣମାନେ ଆଲୋଚନା କରିଛନ୍ତି ତ...

 

ହଁ.. ସଂକ୍ଷିପ୍ତ ଭାବରେ ଉତ୍ତର ଦେଲେ ମି. ରେନ୍‌ଗୋଲ୍‌ଡ଼ । ମି: ବାତ୍ତିସତାଙ୍କ ଆବିର୍ଭାବରେ ସେ ଯେମିତି ବିରକ୍ତ ହୋଇ ପଡ଼ିଛନ୍ତି । ମୋ ସହିତ ଏକାନ୍ତରେ ବସି ହୁଏତ ତାଙ୍କର ଆଲୋଚନା କରିବାର ଇଚ୍ଛା ଥିଲା ।...

 

ବାଃ... ବେଶ୍... ବେଶ୍... ।

 

ଅଦୂରରେ ଠିଆ ହୋଇଥିଲା ଏମିଲିୟା... ତା ଆଡ଼କୁ ମି. ବାତ୍ତିସତା ଆଗେଇ ଆସି କହିଲେ, ତାପରେ ମହାଶୟା । ଏଥର ଆପଣ କୁହନ୍ତୁ.... ଆମର ଲନ୍‌ଚଟା କେଉଁଠି ହେବ, ନେପଲସ ନା ଫର୍ମିୟାରେ ?

 

ଚମକ ପଡ଼ି ଏମିଲିୟା କହିଲା, ଆପଣମାନେ ଠିକ୍ କରନ୍ତୁ ନା । ଯେଉଁଠି ହେଲେ ସୁଦ୍ଧା ମୋର କୌଣସି ଆପତ୍ତି ନାହିଁ ।

 

ନା...ନା... ତାହା କଣ ହୋଇପାରେ,... ଆପଣ କହନ୍ତୁ... ଆପଣଙ୍କୁ କହିବାକୁ ପଡ଼ିବ । ମି. ବାତ୍ତିସତାଙ୍କ ଆଗ୍ରହାନ୍ୱିତ ଅନୁରୋଧ ଏଡ଼େଇ ନ ପାରି ଏମିଲିୟା କହିଲା...ତାହାହେଲେ ନେପଲ୍‌ସରେ କରାଯାଉ...ବର୍ତ୍ତମାନ ମୋଟେ ଭୋକ ହେଇନି ।

 

ବେଶ୍‌...ତାହାହେଲେ ନେପଲ୍‌ସରେ କରାଯିବ କହିଲେ ମି: ବାତ୍ତିସତା ।

 

କ୍ୟାପ୍ରି ବାହୀ ଷ୍ଟିମର କେତେବେଳେ ବାହାରିବ–ପ୍ରଶ୍ନ କଲେ ମି: ରେନ୍‌ଗୋଲ୍‌ଡ଼ ।

 

ଅଢ଼େଇଟାରେ...ଆସନ୍ତୁ ଏଥର ବାହାରିବା ।

 

ମି. ବାତ୍ତିସତ୍ତା ଆଗେ ବାହାରି ପଡ଼ିଲେ । ଏମିଲିୟା ଯେଉଁଠି ଠିଆ ହୋଇଥିଲା ସେଇଠି ନିଶ୍ଚଳ ଭାବରେ ଠିଆ ହୋଇ ରହିଲା । ପାଖକୁ ଆସିବା ମାତ୍ରକେ ମୋର ହାତ ଧରି ପକେଇ ଧୀରେ ଗଳାରେ କହିଲା, ମୁଁ ଏଥର ତୁମର ଗାଡ଼ିରେ ଯାଉଛି...ଆପତ୍ତି କର ନାହିଁ ସୁନାଟା ପରା ।

 

ତାର ବଚନଭଙ୍ଗୀରେ ଆଶ୍ଚର୍ଯ୍ୟ ହୋଇଗଲି ।

 

–କାହିଁକି–କଣ ହୋଇଛି ?

 

କିଛି ହୋଇ ନାହିଁ, ବାତ୍ତିସତା ଖୁବ୍‌ ଜୋରରେ ଗାଡ଼ି ଚଳାନ୍ତି କି ନା ।

 

ନିରବରେ ଆଗେଇବାକୁ ଲାଗିଲି । ଦୁଇଟିଯାକ ଗାଡ଼ି ଠିଆ ହୋଇଥିଲା । ଏମିଲିୟା ମୋ ଗାଡ଼ି ପାଖକୁ ଚାଲି ଆସିଲା । ନିଜ ଗାଡ଼ିର କବାଟଟା ଖୋଲି ଧରିଥିଲେ ମି. ବାତ୍ତିସତା । କହିଲେ...ଆପଣ କଣ ମୋ ଗାଡ଼ିରେ ଆସୁନାହାନ୍ତି ?

 

ଧୀର କଣ୍ଠରେ ଏମିଲିୟା ଜବାବ ଦେଲା...ମୁଁ ମି: ମଲଟେନିଙ୍କ ସହିତ ଯିବି ନେପଲସରେ ପହଞ୍ଚି ପୁନରାୟ ଦେଖାହେବ ।

 

ଦୌଡ଼ି ଆସି ମି. ବାତ୍ତିସତା କହିଲେ, ଦେଖନ୍ତୁ ମିସେସ୍‌ ମଲଟେନି, ଆପଣ ତ କ୍ୟାପ୍ରିରେ ପହଞ୍ଚି ଆପଣଙ୍କ ସ୍ୱାମୀଙ୍କ ସହିତ ଦୁଇମାସ ରହିବେ, ଆଉ ମୁଁ... ? ଧୀରେ ଗଳାରେ କହିଲେ, ଜାଣନ୍ତି ମି: ରେନ୍‌ଗୋଲ୍‌ଡ଼ଙ୍କ ସହିତ ରୋମରେ ଅନେକଦିନ କଟେଇଛି...ସତରେ ତାଙ୍କ ସହିତ ଏକତ୍ର ରହିବା କେତେ କଷ୍ଟକର...ଆପଣ ମୋ ସହିତ ଯାଉଛନ୍ତି ବୋଲି ଆପଣଙ୍କ ସ୍ୱାମୀ ନିଶ୍ଚୟ ଆପତ୍ତି କରୁ ନାହାନ୍ତି...କଣ କହୁଛନ୍ତି ମି: ମଲଟେନି ।

 

ଜୋରରେ କହିଲି...ନା...ନା, ତାହା ନୁହେଁ–ତେବେ ଏମିଲିୟା କହୁଥିଲା ଆପଣ ଖୁବ୍‌ଜୋରରେ ଗାଡ଼ି ଚଳାନ୍ତି ।

 

ମି: ବାତ୍ତିସତା ଉତ୍ସାହିତ ହୋଇପଡ଼ିଲେ । ପରିହାସ କରି ଏମିଲିୟାକୁ କହିଲେ, ଏଥର କଚ୍ଛପ ଗତିରେ ଯିବି...ତଥାପି ଆପଣଙ୍କ ରାଣ; ମୋତେ ରେନ୍‌ଗୋଲ୍‌ଡ଼ଙ୍କ ସାଥୀରେ ପଠାନ୍ତୁ ନାହିଁ-। ଯଦି ଜାଣନ୍ତେ ତାଙ୍କ ସହିତ ଯିବା କି କଷ୍ଟକର ! କେବଳ ଫିଲ୍‌ମ...ଫିଲ୍‌ମ ବ୍ୟତୀତ ଆଉ କୌଣସି କଥା ସେ କହନ୍ତି ନାହିଁ ।

 

ମୋର କଣ ହେଲା...ମୁଁ ନିଜେ ଜାଣେନା । ଗୋଟାଏ ସାମାନ୍ୟ କାରଣ ପାଇଁ ମି: ବାତ୍ତିସତାଙ୍କୁ ଅସନ୍ତୁଷ୍ଟ କରିବା ଠିକ୍‌ ନୁହେଁ । ଟିକିଏ ହେଲେ ଚିନ୍ତା ନ କରି କହିଲେ, ଆସ ଏମିଲି୍ୟା...ମି: ବାତ୍ତିସତାଙ୍କ ପାଇଁ ଏଇ ଟିକକ କଷ୍ଟ ସ୍ୱୀକାର କଣ କରିପାରିବ ନାହିଁ ? ସେ ସତକଥା କହିଛନ୍ତି...ରେନ୍‌ଗୋଲ୍‌ଡ଼ଙ୍କ ସହିତ ଫିଲ୍‌ମ ବ୍ୟତୀତ ଅନ୍ୟ କୌଣସି କଥା କୁହାଯାଇପାରେ ନା ।

 

ମି: ବାତ୍ତିସତା ଖୁସିହୋଇ କହିଲେ...ସତରେ ସେଇୟା ।

 

ଏମିଲିୟାର ହାତ ଧରି ଧୀରେ ଧୀରେ କହିଲେ...ଆସନ୍ତୁ...ଆସନ୍ତୁ...ମୋ ଉପରେ ନିଷ୍ଠୁର ହୁଅନ୍ତୁ ନାହିଁ...କଥା ଦେଉଛି ଖୁବ୍‌ ମନ୍ଥର ଗତିରେ ଗାଡ଼ି ଚଳେଇବି...ଆପଣଙ୍କର ମନେହେବ ଯେମିତି ପାଦରେ ଚାଲି ଚାଲି ଯାଉଛୁ ।

 

ଏମିଲିୟା ମୋ ଆଡ଼କୁ ଥରେ ଚାହିଁଲା...ତାର ଦୃଷ୍ଟିର ଅର୍ଥ ବୁଝି–ପାରିଲି ନାହିଁ...ବେଶ୍‌ ଆପଣ ଯେତେବେଳେ କହୁଛନ୍ତି...ଆସନ୍ତୁ ।

 

ମି: ବାତ୍ତିସତାଙ୍କ ପାଖାପାଖି ଚାଲିବାକୁ ଲାଗିଲା ଏମିଲିୟା । ମି: ବାତ୍ତିସତା ତା ଅପେକ୍ଷା ଖର୍ବାକାର । ଏମିଲିୟା ମନ୍ଥର ଗତିରେ, ଅଳସ ଭାବରେ, ଅସନ୍ତୁଷ୍ଟ ଚିତ୍ତରେ ଚାଲିଛି । ସେ ଦେଖାଯାଉଛି ଅପୂର୍ବ ସୁନ୍ଦରୀ । ଯେଉଁ ଆକାଶ ଓ ସମୁଦ୍ର ମଝିରେ ସେ ଠିଆ ହୋଇଛି ତା ସହିତ ସାମଞ୍ଜସ୍ୟ ରଖି କେଉଁ କଳାକାର ଯେମିତି ଆଙ୍କିଛି ଏହି ମୂର୍ତ୍ତି । ତାକୁ ଚାହିଁ ମନେହେଲା...ସେ ଖୁସି ନୁହେଁ । କିନ୍ତୁ କାହିଁକି ? ମୁଁ କେଡ଼େ ବୋକା...ହୁଏତ ସେ ମୋ ସହିତ ରହିବାକୁ ଚାହିଁଥିଲା...କହିବାକୁ ଚାହିଁଥିଲା ମୁଁ ତମକୁ ଭଲପାଏ । ଆଉ ମୁଁ...ମୁଁ ତାକୁ ଛାଡ଼ି ଦେଇଛି ବାତ୍ତିସତାଙ୍କ ସହିତ ।

 

ଅନୁଶୋଚନାରେ ଭରି ଉଠିଲା ସମଗ୍ର ମନ । ଏମିଲିୟାକୁ ଡାକିବା ପାଇଁ ଯେମିତି ହାତ ବଢ଼େଇଲି । କିନ୍ତୁ ସେତେବେଳକୁ ବିଳମ୍ୱ ହୋଇଯାଇଛି । ସେ ବାତ୍ତିସତାଙ୍କ ସହିତ ଗାଡ଼ିରେ ଉଠିଯାଇଛି... ।

 

ମି: ବାତ୍ତିସତାଙ୍କ ଗାଡ଼ି ଚାଲିଲା–ଆମେ ବହୁ ପଛରେ ରହିଗଲୁ । ଶେଷରେ ଗାଡ଼ି ଖଣ୍ତିକ ଦୃଷ୍ଟିର ସୀମା ଅତିକ୍ରମ କରି ଚାଲିଗଲା ।

 

ରେନ୍‌ଗୋଲ୍‌ଡ଼ ହୁଏତ ମୋର ମନର ଅବସ୍ଥା ବୁଝିପାରିଥିଲେ । ଆଶଙ୍କା କରିଥିଲି ସେ ପୁନରାୟ ‘ଓଡ଼ିସି’ କଥା ଉଠେଇବେ । ତା ନ କରି ସେ ଟୋପିଟା ତଳକୁ ଖସେଇ ନେଇ ନିରବରେ ବସି ରହିଲେ । ତାପରେ ଅଳ୍ପ ସମୟ ଭିତରେ ଶୋଇପଡ଼ିଲେ ।

 

ନିଶବ୍ଦରେ ଫୁଲସ୍ପିଡ଼ରେ ଗାଡ଼ିଟି ଚଳେଇବାକୁ ଲାଗିଲି । ମନଟା ଖରାପ ହୋଇଗଲା । ସମୁଦ୍ର ପାରିହୋଇ ରୌଦ୍ରସ୍ନାତ ଗ୍ରାମାଞ୍ଚଳରେ ଆସି ପହଞ୍ଚି ଯାଇଛି । ଚାରିଆଡ଼େ ସବୁଜ ଜୀବନରେ ସ୍ପନ୍ଦନ । ରଙ୍ଗିନ ପାହାଡ଼ ତଳେ ଯେତେ ଦୂର ଦୃଷ୍ଟି ପଡ଼ିଛି କେବଳ ଧୂସର ‘ଅଲିଭ’ ଗଛର ଧାଡ଼ି । ସୁନେଲି ରଙ୍ଗରେ ଝିଲିମିଲି କମଳା ଗଛର କୁଞ୍ଚ । ପୁରାତନ ଖଳାରେ ହଳଦିଆ ପାଳର ଗଦା...ଛାୟାଭରା, ମାୟାମୟ ପ୍ରାକୃତିକ ସୌନ୍ଦର୍ଯ୍ୟ ।

 

ଏହି ନୟନାତ୍ତିରାମ ଦୃଶ୍ୟ ଦେଖି ବି ଦେଖିପାରିଲି ନାହିଁ । ମନର ବିଦ୍ୱେଷଭାବ ଧୀରେ ଧୀରେ ବଢ଼ିବାକୁ ଲାଗିଲା । କାହିଁକି ଏମିଲିୟାକୁ ଚାଲିଯିବା ପାଇଁ ସୁଯୋଗ ଦେଲି ? ତାର କାରଣ ଖୋଜି ପାଇଲି ନାହିଁ । ମନଟା ଧୂମାଚ୍ଛନ୍ନ ହୋଇ ରହିଲା ।

 

ବିସ୍ତୀର୍ଣ୍ଣ ପ୍ରାନ୍ତର, ବନଭୂମି ସମତଳଭୂମି ଓ ପାହାଡ଼ ଭିତର ଦେଇ ଯାଉ ଯାଉ ଧୀରେ ଧୀରେ ଉପଶମ ହୋଇ ଆସିଲା ମନର ଏ ଅସ୍ଥିରତା ।

 

ନେପ୍‌ଲସର ପାଖାପାଖି ଆସିବା ମାତ୍ରକେ ସମଗ୍ର ପ୍ରକୃତିର ପରିବର୍ତ୍ତନ ହୋଇଗଲା । ରାଜପଥଟି ବଙ୍କେଇ ଯାଇଛି ସମୁଦ୍ର ଆଡ଼କୁ, ଆମେ ଚାଲିଛୁ ପାହାଡ଼ର ପାଦଦେଶରେ, ପାଇନବଣ ଭିତରେ ଦେଖାଯାଉଛି ଉପସାଗରର ଉଜ୍ୱଳ ନୀଳ ଜଳ । ଅବଶ ହୋଇପଡ଼ିଥିଲି । ହଠାତ୍‌ ଥର ଥର ହୋଇ କମ୍ପି ଉଠିଲା ସମଗ୍ର ମନ ଓ ଶରୀର । ବୁଝିପାରିଲି ନାହିଁ...ମୋର କଣ ହେଲା ?

 

କ୍ୟାପ୍ରିକୁ ଆସି ଜାଣିଲି ଯେ–ବହୁଦୂରରେ ‘ଉପକୂଳରେ ଗୋଟାଏ ନିର୍ଜ୍ଜନ ପ୍ରାନ୍ତରେ ମି: ବାତ୍ତିସତାଙ୍କ ପ୍ରମୋଦ–ପ୍ରସାଦ । ମି: ରେନ–ଗୋଲଡ଼ଙ୍କୁ ହୋଟେଲରେ ପହଞ୍ଚେଇ ଦେଇ ମି: ବାତ୍ତିସତା, ଏମିଲିୟା ଓ ମୁଁ ଗୋଟାଏ ଅପ୍ରଶସ୍ତ ରାସ୍ତାରେ ପ୍ରମୋଦ–ପ୍ରାସାଦ ଉଦ୍ଦେଶ୍ୟରେ ଚାଲିଲୁ-। ଦ୍ୱୀପଟିର ଚାରିପାଖରେ ଗୋଟାଏ ଛାୟାଘେରା ପଥ । ସେହି ରାସ୍ତାରେ ପାହାଡ଼ ପାଖକୁ ଚାଲି ଆସିଲୁ । ସୂର୍ଯ୍ୟ ସେତେବେଳକୁ ଅସ୍ତୋନ୍ନୁଖ, ରାସ୍ତାରେ ଲୋକ ଚଳାଚଳ ନାହିଁ କହିଲେ ଚଳେ-। ପାଇନ ଗଛର ଅନ୍ତରାଳରେ ଆଖିରେ ପଡ଼ୁଛି ଅସ୍ତଗାମୀ ସୂର୍ଯ୍ୟର ମ୍ଲାନ ଆଲୋକରେ ଦୀପ୍ତ ଘନ ନୀଳ ସମୁଦ୍ର । ମି: ବାତ୍ତିସତା ଓ ଏମିଲିୟାର ପଛରେ ମୁଁ ରହିଲି । ମୁଗ୍‌ଧ ବିସ୍ମୟରେ ଉପଭୋଗ କରୁଛି ନିଃସର୍ଗ ଶୋଭା । ବିଶେଷ ଖୁସି ନ ହେଲେହେଁ ଶାନ୍ତ ଓ ପ୍ରକୃତିସ୍ଥ ବୋଧକଲି ।

 

ରାସ୍ତାଟି ପାରିହୋଇ ଆଉ ଗୋଟିଏ ଅପ୍ରଶସ୍ତ ରାସ୍ତା ଉପରକୁ ଆସିବା ମାତ୍ରକେ ଏମିଲିୟାର ବିସ୍ମୟ ଓ ହର୍ଷଧ୍ୱନି ଶୁଣିପାରିଲି । ଏହା ଆଗରୁ ସେ ଏଠାକୁ କେବେହେଲେ ଆସି ନାହିଁ । ଏଠାରୁ ସମୁଦ୍ର ଉପରେ ଦୁଇଟି ଲାଲ୍‌ପାହାଡ଼ ବିଚିତ୍ର ବିସ୍ମୟକର ଦେଖାଯାଏ । ମନେ ହୁଏ...ଦର୍ପଣ ଉପରେ ଦୁଇଟି ଉଲ୍‌କାପିଣ୍ତ ଆକାଶରୁ ଖସି ପଡ଼ିଛି । ଉଲ୍ଲସିତ ହୋଇ ଏମିଲିୟାକୁ କହିଲି–ଜାଣ, ଏଇଠି ଗୋଟାଏ ରକମର ନୀଳ ଝିଟିପିଟି ଅଛନ୍ତି । ପୃଥିବୀରେ ଅନ୍ୟ କୌଣସି ଠାରେ ଏମିତି ଝିଟିପିଟି ନାହାନ୍ତି–କାରଣ ଏମାନେ ନୀଳସମୁଦ୍ର ଆଉ ଆକାଶର ମଝିରେ ରହନ୍ତି ।

 

ସେ ମୋର କଥା କୌତୂହଳୀ ହୋଇ ଶୁଣିଲା–ଯେମିତି ମୁହୂର୍ତ୍ତକ ପାଇଁ ଭୁଲିଗଲା ଯେ ସେ ମୋତେ ଭଲପାଏନା, ଘୃଣାକରେ । ସେତେବେଳେ ମୋର ମନରେ ବି ଜାଗି ଉଠିଲା ନୂତନ ଆଶା–ଏହି ନୀଳ ଝିଟିପିଟି ଭଳି ଆମରି ଅନ୍ତର ହେବ ପବିତ୍ର, ନୀଳ, ପୋଛି ହୋଇଯିବ ଚିନ୍ତାର ମସୀରେଖା, ଅନ୍ତରରେ ଫୁଟିଉଠିବ ନୀଳ ଆଲୋକ; ଝିଟିପିଟି, ସମୁଦ୍ର ଆଉ ଆକାଶ ଭଳି ଛଜ୍ଜ୍ୱଳ, ଆନନ୍ଦମୟ, ନିର୍ମଳ ହେବ ଆମର ଜୀବନ ।

 

ପଥରର ପାହାଡ଼ ଭିତରଦେଇ ବୁଲିଯାଇଛି ରାସ୍ତାଟି । ତାହାରି ଅଦୂରରେ ଗୋଟାଏ ଧଳା ପ୍ରାସାଦ, ପ୍ରାସାଦର ବାରଣ୍ତାଟି ଝୁଲୁଛି ସମୁଦ୍ର ଉପରେ । ଏଇଟା ହିଁ ମି: ବାତ୍ତିସତାଙ୍କର ପ୍ରମୋଦ–ପ୍ରାସାଦ । ଘରଟି ମୋଟେ ବଡ଼ ନୁହେଁ–ଗୋଟାଏ ବେଡ଼୍‌ରୁମ୍‌ ବ୍ୟତୀତ ଆଉ ତିନୋଟି ଛୋଟ ଛୋଟ ରୁମ୍‌ । ମି: ବାତ୍ତିସତା ଆଗେ ଆଗେ ଚାଲିଲେ । କହିଲେ ପକେଟରୁ ପଇସା ଖର୍ଚ୍ଚକରି ଘରଟି କିଣା ହୋଇ ନାହିଁ । ଜଣକ ପାଖରୁ କିଛି ଟଙ୍କା ପାଇବାର ଥିଲା, ଟଙ୍କା ପରିବର୍ତ୍ତେ ପାଇଲି ଏହି ଘରଟି...ଆସନ୍ତୁ...ଥରେ ସବୁ ରୁମ୍‌ଗୁଡ଼ିକ ଦେଖିନେଇ ପରେ ବିଶ୍ରାମ କରିବେ ।

 

ମି: ବାତ୍ତିସତାଙ୍କ ପଛରେ ଚାଲିଲୁ । ଦେଖିଲୁ ଆୟୋଜନର କୌଣସି ତ୍ରୁଟି ସେ କରି ନାହାନ୍ତି । ଶୋଇବା ଘରର ଫୁଲଦାନୀରେ ଫୁଲ ସଜା ହୋଇଛି, ଚକ ଚକ କରୁଛି ଚଟାଣ, ରୋଷେଇଶାଳାରେ ଆରମ୍ଭ ହୋଇଛି ବ୍ୟସ୍ତତା: ତାଙ୍କରି ପ୍ରାସାଦରେ ଆଜି ଯେମିତି ଉତ୍ସବ ।...

 

ଫେରିଆସି ବସିଲି । ଏମିଲିୟା କହିଲା ଏଥର ପୋଷାକ ପରିବର୍ତ୍ତନ କରିବି । ସେ ବାହାରକୁ ଚାଲିଗଲା । ଭାବିଲି, ମୁଁ ବି ତାର ଦୃଷ୍ଟାନ୍ତ ଅନୁସରଣ କରିବି । କିନ୍ତୁ ମି: ବାତ୍ତିସତା କହିଲେ ‘ବସନ୍ତୁନା’ । ଖଣ୍ତେ ସିଗାରେଟରେ ଅଗ୍ନି ସଂଯୋଗ କରି ବିନା ଭୂମିକାରେ ସେ ପ୍ରଶ୍ନ କଲେ, ଦେଖନ୍ତୁ ମି: ମଲ୍‌ଟେନି, ମି: ରେନ୍‌ଗୋଲ୍‌ଡ଼ଙ୍କ ସମ୍ୱନ୍ଧରେ ଆପଣଙ୍କର ଧାରଣା କ’ଣ ?

 

ଅଳ୍ପ ଆଶ୍ଚର୍ଯ୍ୟ ହୋଇ କହିଲି, ସତରେ–ଜାଣେନା...ତାଙ୍କୁ କେତେ ସମୟ ଅବା ବୁଝିଝି...କେମିତି ଭାବରେ କହିବି...ତେବେ ମନେହୁଏ ଖୁବ୍‌ ‘ସିରିୟାସ୍‌’ ଚିତ୍ର–ନିର୍ଦ୍ଦେଶକ ହିସାବରେ ସମସ୍ତେ ତାଙ୍କରି ସୁନାମ କରନ୍ତି ।

 

କଣ ଯେମିତି ଚିନ୍ତା କରି ମି: ବାତ୍ତିସତା କହିଲେ, ଦେଖନ୍ତୁ ମି: ମଲଟେନି, ମୁଁ ମଧ୍ୟ ତାଙ୍କୁ ଭଲ ଭାବରେ ଜାଣେନା–ତେବେ ତାଙ୍କର ଚିନ୍ତା ଓ ଉଦ୍ଦେଶ୍ୟ କଣ ଜାଣେ–ତାଛଡ଼ା ସେ ହେଉଛନ୍ତି ଜର୍ମାନ ଆଉ ଆମେ–ଆପଣ ଓ ମୁଁ ଇଟାଲୀୟ...ଦୁଇଟି ସଂପୂର୍ଣ୍ଣ ସ୍ୱତନ୍ତ୍ର ଜଗତ, ଅନୁଭୂତି ଓ ଜୀବନ ବୋଧ ସ୍ୱତନ୍ତ୍ର...

 

ନୀରବରେ ଶୁଣିବାକୁ ଲାଗିଲି ।

 

ଦେଖନ୍ତୁ ମି: ମଲଟେନି ଆପଣଙ୍କୁ–ମାନେ ଜଣେ ଇଟାଲୀୟକୁ ଜର୍ମାନ ରେନ୍‌ଗୋଲ୍‌ଡ଼ଙ୍କ ସହିତ ରଖିବାକୁ ଚାହେଁ–କାହିଁକି ଜାଣନ୍ତି ?

 

ତାଙ୍କ ସହିତ ଆମର ଅନେକ ତଫାତ୍‌ ରହିଛି...ଆପଣଙ୍କୁ ମୁଁ ବିଶ୍ୱାସ କରେ; ତେଣୁ ଭାବିଛି ଯିବା ପୂର୍ବରୁ (ମୋତେ ତ ସହଳ ଫେରିଯିବା ପାଇଁ ପଡ଼ିବ) ଆପଣଙ୍କୁ କେତୋଟି କଥା କହିଦେଇ ଯିବି ।

 

ବେଶ୍‌ କୁହନ୍ତୁ ନା ।

 

ଏହି ଫିଲ୍ମ ସମ୍ୱନ୍ଧରେ ଆଲୋଚନା କଲାବେଳକୁ ଦେଖିଛି–ମି: ରେନ୍‌ଗୋଲ୍‌ଡ଼ ମୋର ମତର ସମର୍ଥନ କରନ୍ତି ନ ହେଲେ ନିରବ ରହନ୍ତି, ନିଜେ କିଛି କହନ୍ତି ନାହିଁ...କିନ୍ତୁ ମୁଁ ତ ଲୋକ ଚିହ୍ନିପାରେ...ଯାର ଏମିତି ମନୋଭାବ ତା ଉପରେ କେମିତି ଭରସା କରିବି ? ଆପଣମାନେ ବିଦଗ୍‌ଧ...ଆପଣମାନେ ଭାବନ୍ତି–ଚିତ୍ର ନିର୍ମାତାଗଣ କେବଳ ବ୍ୟବସାୟୀ ଛଡ଼ା କିଛି ନୁହନ୍ତି, ବ୍ୟବସାୟ ହିଁ ସେମାନଙ୍କର ସର୍ବସ୍ୱ–ଆଉ ସେମାନେ କିଛି ବୁଝନ୍ତି ନାହିଁ । ରେନ୍‌ଗୋଲ୍‌ଡ଼ ଠିକ୍‌ ସେୟା ମନେକରନ୍ତି–ତାଙ୍କର ଧାରଣା ନିରବ ରହିଲେ ହିଁ ସହଜରେ ବୋକା ବନା ଯାଇ–ପାରେ...କିନ୍ତୁ ପ୍ରକୃତରେ ମୁଁ ହୁସିଆର ଏକଥା ଭୁଲିଗଲେ ଚଳିବ ନାହିଁ ।

 

ତାର ଅର୍ଥ ଆପଣ ମି: ରେନ୍‌ଗୋଲଡ଼ଙ୍କୁ ବିଶ୍ୱାସ କରନ୍ତି ନାହିଁ ?

 

ବିଶ୍ୱାସ କରେ–ପୁଣି କରେ ନାହିଁ...ଶିଳ୍ପୀ ଓ ବ୍ୟବସାୟୀ ହିସାବରେ ତାଙ୍କ ଉପରେ ମୋର ଆସ୍ଥା ରହିଛି... ଜର୍ମାନ ହିସାବରେ ଆମଠାରୁ ଭିନ୍ନ ଏକ ଜଗତର ମଣିଷ ହିସାବରେ ତାଙ୍କ ଉପରେ ଭରସା କରିପାରୁ ନାହିଁ ।

 

ଆଷ୍ଟ୍ରେଟି ଉପରେ ଜ୍ୱଳନ୍ତ ସିଗାରେଟ ଖଣ୍ତକ ଥୋଇ ମୋତେ ଚାହିଁ କହିଲେ ଏଥର କଥାଟା ପରିଷ୍କାର ଭାବରେ କହିବା ଦରକାର । ମୁଁ ଚାହେଁ, ଅନେକଟା ହୋମରଙ୍କ ‘ଓଡ଼ିସି’ ଭଳି ଗୋଟାଏ ଫିଲମ୍‌ ଅବଶ୍ୟ ଯେତେଦୂର ସମ୍ଭବ । ହୋମରଙ୍କ ‘ଓଡ଼ିସି’ର ଉଦ୍ଦେଶ୍ୟ କଣ ? ହୋମର କହିବାକୁ ଚାହିଁଥିଲେ–ଗୋଟାଏ ଅଭିଯାନର କାହାଣୀ ଯାହା ପ୍ରଥମରୁ ତାର ପାଠକ ସମାଜକୁ ଗଭୀର ଉତ୍କଣ୍ଠା ଭିତରେ ବୁଡ଼େଇ ରଖିବା–ଗୋଟାଏ କଥାରେ ସେ ସୃଷ୍ଟି କରିବା ପାଇଁ ଚାହିଁଥିଲେ ଅଭିନବ ଗୋଟାଏ କାହାଣୀ–ତାଙ୍କର ଆଉ କୌଣସି ଉଦ୍ଦେଶ୍ୟ ନ ଥିଲା–ମୁଁ ଚାହେଁ ଆପଣ ହୋମର ମଧ୍ୟରେ ହିଁ ସୀମିତ ରହନ୍ତୁ–ହୋମର ତାଙ୍କର କାହାଣୀ ମଧ୍ୟରେ ଦାନବ, ଅଲୌକିକ ଘଟଣା, ଝଡ଼ ଡାହାଣୀ ଓ ଚମକପ୍ରଦ ଦୃଶ୍ୟର ଅବତାରଣା କରିଛନ୍ତି...ଆପଣ ମଧ୍ୟ ସେୟା କରନ୍ତୁ...

 

ଅଳ୍ପ ବିସ୍ମିତ ହୋଇ କହିଲି, ଆମ୍ଭେମାନେ ମଧ୍ୟ ଠିକ୍‌ ସେୟା କରିବୁ ।

 

ହଁ...ହଁ...ସେୟା କରନ୍ତୁ...ଆପଣ ହୁଏତ ଭାବୁଛନ୍ତି ମୁଁ ବୋକା, କିନ୍ତୁ ଜାଣିରଖନ୍ତୁ ମୁଁ ବୋକା ନୂହେଁ... ।

 

ମୋ ଆଡ଼କୁ ସେ ହିଂସ୍ର ଦୃଷ୍ଟିରେ ଚାହିଁ ରହିଲେ । ଧୀର କଣ୍ଠରେ କହିଲି, ଆପଣ କାହିଁକି ମନେ କରୁଛନ୍ତି ଯେ ଆମେ ଆପଣଙ୍କୁ ନିର୍ବୋଧ ମନେକରୁଛୁ ।

 

ଆପଣମାନଙ୍କର ବ୍ୟବହାରରେ ତ ସେୟା ମନେହେଉଛି ।

 

ଆପଣଙ୍କର ଇଙ୍ଗିତଟା ଠିକ୍‌ ବୁଝି ପାରିଲି ନାହିଁ ।

 

ଅଳ୍ପ ଶାନ୍ତ ଗଳାରେ ଆଉ ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କରି ସେ କହିଲେ ଆପଣଙ୍କର ମନେ ପଡ଼ୁଛି–ମୋର ଅଫିସରେ ଯେଉଁଦିନ ମି: ରେନ୍‌ଗୋଲ୍‌ଡ଼ଙ୍କ ସହିତ ଆପଣଙ୍କର ପ୍ରଥମ ପରିଚୟ ହୋଇଥିଲା ସେହିଦିନ, ଆପଣ କହିଥିଲେ ଏମିତି ଗୋଟାଏ କଠିଣ ଚିତ୍ରନାଟ୍ୟ ଆପଣ ଲେଖିପାରିବେ ନାହିଁ... ?

 

ହଁ ।

 

ରେନ୍‌ଗୋଲ୍‌ଡ଼ କଣ କହିଥିଲେ ?

 

ଠିକ୍‌ମନେ ପଡ଼ୁନାହିଁ ।

 

ଆଚ୍ଛା ରୁହନ୍ତୁ–ମୁଁ କହିଦେଉଛି...ରେନ୍‌ଗୋଲ୍‌ଡ଼ ଆପଣଙ୍କୁ କହିଥିଲେ ଆପଣଙ୍କୁ କିଛି ଭାବନା କରିବାକୁ ପଡ଼ିବ ନାହିଁ–ସେ ଗୋଟାଏ ମନସ୍ତତ୍ତ୍ୱମୂଳକ ଚିତ୍ର ଉଠେଇବେ–ଇଉଲିସିସ୍‌ ଓ ପେନିଲୋପର ଦାମ୍ପତ୍ୟ ଜୀବନ ସମ୍ୱନ୍ଧରେ ନୁହେଁ ?

 

ଆଶ୍ଚର୍ଯ୍ୟ ! ମୁଁ ଯେମିତି କଳ୍ପନା କରିଥିଲି ମି: ବାତ୍ତିସତା ଠିକ୍‌ ସେମିତି ନୁହନ୍ତି ।

 

କହିଲି, ହଁ ଏହି ଧରଣର କିଛି ଗୋଟାଏ ହୁଏତ ସେ କହିଥିଲେ ।

 

ବେଶ୍‌ ବର୍ତ୍ତମାନ ଦେଖୁଛି...ଚିତ୍ରନାଟ୍ୟ ପ୍ରସ୍ତୁତ ହୋଇ ନାହିଁ...ଆରମ୍ଭ ବି ହୋଇ ନାହିଁ । ତେଣୁ ଆପଣଙ୍କୁ ଜଣାଉଛି–‘ଓଡ଼ିସି’ ମୋ ପାଖରେ ଇଉଲିସିସ୍‌ ବା ପେନିଲୋପ୍‌ର ଦାମ୍ପତ୍ୟ–ଜୀବନର ଚିତ୍ର ନୁହେଁ...ଆଧୁନିକ ଯୁଗର କୌଣସି ସ୍ୱାମୀ–ସ୍ତ୍ରୀ ସମ୍ପର୍କରେ କୌଣସି ଚିତ୍ର ନିର୍ମାଣ କରିବାକୁ ହେଲେ ଖଣ୍ଡେ ଆଧୁନିକ ଉପନ୍ୟାସ ନେଇ ରୋମର ଯେ କୌଣସି ଅଭିଜାତ ପ୍ରାସାଦର ବେଡ଼୍‌ରୁମ୍‌ ଆଉ ଡ୍ରଇଂରୁମ୍‌ର ଚିତ୍ର ତୋଳିନେଲେ ଯଥେଷ୍ଟ–ଯଦି ସେଇୟା ଚାହୁଁଥାନ୍ତି–ହୋମର ଓ ‘ଓଡ଼ିସି’ ସମ୍ୱନ୍ଧରେ ମୁଣ୍ତ ଘୂରାନ୍ତୁ ନାହିଁ...ବୁଝିଲେ, ମି: ମଲ୍‌ଟେନି ?

 

ହଁ ।

 

ସ୍ୱାମୀ–ସ୍ତ୍ରୀ ସମ୍ୱନ୍ଧରେ ମୋର କୌଣସି କୌତୁହଳ ନାହିଁ–‘ଓଡ଼ିସି’ ହେଉଛି କେବଳ ଗୋଟାଏ ଦୁଃସାହସିକ ଅଭିଯାନର କାହାଣୀ...ଏ ସଂପର୍କରେ ଆପଣମାନଙ୍କର ଯେମିତି ବିନ୍ଦୁମାତ୍ର ସନ୍ଦେହ ନ ରହେ ସେଇଥିପାଇଁ କହୁଚି...ମୁଁ ଚାହେଁ ସଂପୂର୍ଣ୍ଣ ନୂତନ ଧରଣର ଗୋଟାଏ ଚିତ୍ର...

 

ଆପଣ ନିଶ୍ଚିନ୍ତ ରୁହନ୍ତୁ...ସେୟା ହେବ...ଏଥିରେ କୌଣସି ସନ୍ଦେହ ନାହିଁ ।

 

ଅର୍ଦ୍ଧଦଗ୍‌ଧ ସିଗାରେଟ ଖଣ୍ତକ ଫିଙ୍ଗିଦେଇ ସ୍ୱାଭାବିକ କଣ୍ଠରେ ମି: ବାତ୍ତିସତା କହିଲେ, ସନ୍ଦେହ କରୁନାହିଁ ତେବେ ଅର୍ଥଟା ମୁଁ ଖଟୋଉଛି । ଏ କଥାଟା ମନେରଖିବେ–ଆପଣଙ୍କୁ ସବୁକଥା ଖୋଲାଖୋଲି କହିଲି ଯେମିତି ଆମ ଭିତରେ ଅପ୍ରିୟ, ଭୁଲ ବୁଝାମଣା ନ ହୁଏ...କାଲି ସକାଳୁ ଆପଣ ଆରମ୍ଭ କରନ୍ତୁ...ଆପଣଙ୍କ ନିଜର ସ୍ୱାର୍ଥ ଦୃଷ୍ଟିରୁ ସମୟ ଥାଉଣୁ କେବଳ ସତର୍କ କରିଦେଲି...ମୁଁ ସତରେ ଆପଣଙ୍କୁ ଗଭୀର ଭାବରେ ବିଶ୍ୱାସ କରେ–ମି: ରେନ୍‌ଗୋଲ୍‌ଡ଼ଙ୍କ ପାଖରେ ଆପଣ ହିଁ ହେବେ ମୋର ମୁଖପାତ୍ର... ପ୍ରୟୋଜନ ହେଲେ ତାଙ୍କୁ ସ୍ମରଣ କରେଇଦେବେ–‘ଓଡ଼ିସି’ ଯୁଗ ଯୁଗ ଧରି ନରନାରୀର ମନୋରଞ୍ଜନ କରିଛି...ଚିରଦିନ କରିବ...ତାର କାରଣ ତହିଁରେ ରହିଛି କାବ୍ୟ...ମୁଁ ଚାହେଁ ସେହି କାବ୍ୟ ଯେମିତି ରହିଛି ସବୁଗୁଡ଼ିକ ରହିବ ମୋର ଚିତ୍ରରେ ।

 

ବୁଝିପାରିଲି ମି: ବାତ୍ତିସତା ଏଥର ଶାନ୍ତ ହୋଇଛନ୍ତି । ସେ ଆଉ ସେ ବିସ୍ମୟକର ଫିଲ୍ମ ସମ୍ୱନ୍ଧରେ ଆଲୋଚନା କରୁ ନାହାନ୍ତି...କହୁଛନ୍ତି କାବ୍ୟ ସମ୍ୱନ୍ଧରେ...ବାସ୍ତବତାର ସୀମା ପରିତ୍ୟାଗକରି ଆମେ ଚାଲି ଆସିଛୁ ଶିଳ୍ପ ଓ ଆତ୍ମାର ଉର୍ଦ୍ଧ୍ୱ ଲୋକକୁ । ମୁହଁରେ ହସ ଫୁଟେଇ କହିଲି ଆପଣ କିଛି ଭାବନା କରନ୍ତୁ ନାହିଁ ମି: ବାତ୍ତିସତା...ହୋମରଙ୍କ ସମସ୍ତ କାବ୍ୟରସ ଆପଣ ପାଇବେ...ତା ଭିତରେ ଆମେ ଯେତେ ଖୋଜି ପାଉଁ ସବୁତକ ।

 

ବା...ବା, ଚମତ୍କାର...ଏହା ତ ଦରକା...ଆଉ କହିବାକୁ ପଡ଼ିବ ନାହିଁ ?

 

ଚେୟାର ଛାଡ଼ି ମି: ବାତ୍ତିସତା ଉଠିଲେ । ଘଡ଼ିକୁ ଚାହିଁ କହିଲେ, ମୁଁ ହାତ ମୁହଁ ପରିଷ୍କାର କରିନେଇ ଆସୁଛି । ମୋତେ ଏକାକୀ ଛାଡ଼ି ସେ ବାହାରିଗଲେ ।

 

ଭାବିଥିଲି କୋଠରୀ ଭିତରକୁ ଫେରିଯାଇ ପୋଷାକ ପରିବର୍ତ୍ତନକରି ପୁଣି ଆସିବି, କିନ୍ତୁ ମି: ବାତ୍ତିସତାଙ୍କ କଥାରେ ଏତେ ଉତ୍ତେଜିତ ହୋଇପଡ଼ିଥିଲି ଯେ ସେ କଥା ଭୁଲିଯାଇ ଅସ୍ଥିର ଭାବରେ ପଦଚାରଣ କରିବାକୁ ଲାଗିଲି । ମି: ବାତ୍ତିସତା ଆଜି ପ୍ରଥମ ଥର ପାଇଁ ଇଙ୍ଗିତରେ ଜଣାଇଦେଲେ ଅର୍ଥପାଇଁ ନିରୁଦ୍‌ବେଗରେ ଯେଉଁ କାମଟା ମୁଁ ହାତରେ ନେଇଛି ତାହା କେତେ ଦୂରୁହ । ଚିତ୍ରନାଟ୍ୟଟି ଲେଖିବାପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିବ । ସେ କଥା ଚିନ୍ତାକରି ସମଗ୍ର ଶରୀର ରୋମାଞ୍ଚିତ ହୋଇ ପଡ଼ିଲା । କାହିଁକି ? କାହିଁକି ମୁଁ ଏ ଅନ୍ୟାୟ କାମ କରିବାକୁ ଯିବି ? ମି: ବାତ୍ତିସତାଙ୍କ ସହିତ ଆଲୋଚନା ବା କାହିଁକି କରିବି ? ମି: ରେନ୍‌ଗୋଲ୍‌ଡ଼ ଓ ମୋ ଭିତରେ ଯେଉଁ ଆଲୋଚନା ହେବ ତାହା ଗୋପନ ରଖିବି କାହିଁକି ? କାହିଁକି ଆପୋଷ ମୀସାଂସାର ଚେଷ୍ଟା କରିବି ? କାହିଁକି...କାହିଁକି ଏ ସବୁ... ?

 

ଅଳ୍ପ ସମୟ ପୂର୍ବରୁ କ୍ୟାପ୍ରି ମୋ ପାଖରେ ପରମ ରମଣୀୟ ଓ ଶୋଭନୀୟ ମନେ ହୋଇଥିଲା । କିନ୍ତୁ ବର୍ତ୍ତମାନ ଗୋଟାଏ ଅନିଶ୍ଚିତ କାମର ଦୁର୍ଭାବନାରେ–ମୋ ଭଳି ରୁଚିସଂପନ୍ନ ବ୍ୟକ୍ତିର ମନର ଚାହିଦା ସହିତ ଚିତ୍ର ନିର୍ମାତାଙ୍କର ଚାହିଦାର ସଙ୍ଗତି ରକ୍ଷା କରିବାକୁ ଯାଇ–ସେହି କ୍ୟାପ୍ରିର ରୂପ ଯେମିତି ପରିବର୍ତ୍ତନ ହୋଇଯାଇଛି । ଗଭୀର ମନୋବେଦନା ସହିତ ମନେପଡ଼ିଲା ମି: ବାତ୍ତିସତା ପ୍ରଭୁ ଆଉ ମୁଁ ଭୃତ୍ୟ । ପ୍ରଭୁର ଆଦେଶ ପାଳନ ପାଇଁ ସବୁକିଛି କରିବାକୁ ପଡ଼ିବ । ପ୍ରଭୁର କର୍ତ୍ତୃତ୍ୱ ଏଡ଼େଇବାପାଇଁ ଶଠତା ଓ ତୋଷାମୋଦକାରୀ ତାର ଆଶ୍ରୟ ନେବା ଆହୁରି ଅସମ୍ମାନକର । ଗୋଟାଏ କଥାରେ ଚୁକ୍ତିପତ୍ରରେ ସ୍ୱାକ୍ଷରକରି ମୁଁ ମୋର ମନ ବିକ୍ରିକରି ଦେଇଛି ଗୋଟାଏ ସଇତାନ ପାଖରେ । ଯେକୌଣସି ସଇତାନ ଭଳି ସେ ନୀଚ–ମୋ ପଖରୁ କଡ଼ାଗଣ୍ତା ଆଦାୟ ନ କରି ମୋତେ ଛାଡ଼ିବ ନାହିଁ । ସହଜ, ସରଳ, ସ୍ପଷ୍ଟ କଣ୍ଠରେ ମି: ବାତ୍ତିସତା କହିଛନ୍ତି ଟଙ୍କଟା ମୁଁ ଦେଉଛି ।

 

ବାରମ୍ୱାର କାନ ପାଖରେ ଏହି କେତୋଟି କଥା ପ୍ରତିଧ୍ୱନିତ ହେବାକୁ ଲାଗିଲା । କଳ୍ପନା କରୁ କରୁ ନିଶ୍ୱାସ ରୁଦ୍ଧହୋଇ ଆସୁଥିଲା । ମି: ବାତ୍ତିସତାଙ୍କ ନିକଟରୁ ଦୂରକୁ ଚାଲିଯିବାପାଇଁ ଇଚ୍ଛା ହେଲା । ଝରକାଟି ଖୋଲି ଛାତ ଉପରେ ଆସି ଠିଆହେଲି ।

 

ରାତ୍ରିର ଆକାଶ ବୁକୁରେ ଅଦୃଶ୍ୟ ଚନ୍ଦ୍ରର ମୃଦୁ ଆଲୋକରେ ସମଗ୍ର ଛାତଟି ହସି ଉଠିଛି-। ଛାତରୁ ରାସ୍ତା ଉପରକୁ ନଇଁଯାଇଛି ଗୋଟାଏ ସିଡ଼ି । ରାସ୍ତାଟି ବୁଲିଯାଇଛି ଦ୍ୱୀପର ଚତୁର୍ଦ୍ଦିଗରେ-। ଭାବିଲି ତଳକୁ ଓହ୍ଲେଇ ବୁଲିବି–କିନ୍ତୁ ବର୍ତ୍ତମାନ ଆଉ ସମୟ ନାହିଁ–ରାତି ହୋଇଯାଇଛି, ରାସ୍ତା ନିର୍ଜନ । ବର୍ତ୍ତମାନ ଛାତ ଉପରେ ରହିବା ହିଁ ବାଞ୍ଚ୍ଥନୀୟ । ନିଶ୍ଚଳଭାବରେ ଠିଆହୋଇ ଅନ୍ଧକାର ରଜନୀକୁ ଦେଖିବାକୁ ଲାଗିଲି । ନକ୍ଷତ୍ର ଖଚିତ ଆକାଶ ତଳେ ଦ୍ୱୀପ ଉପରେ ମୁଣ୍ତ ଟେକି ଠିଆ ହୋଇଛି ଉଚ୍ଚ, କଳାପାହାଡ଼ଗୁଡ଼ିକ । ତଳର ପର୍ବତଶ୍ରେଣୀ ଉପର ପାଖର ପର୍ବତଗୁଡ଼ିକ ଅପେକ୍ଷା ଅସ୍ପଷ୍ଟ । ଦିଗନ୍ତରେ ସୀମାହୀନ ଅନ୍ଧକାର, ଅନନ୍ତ ନୀରବତା । ଅନେକ ତଳେ ଛୋଟ ଖଡ଼ି ପଥରର ବେଳାଭୂମିରୁ ଶୁଣାଯାଉଛି ଢେର ଅସ୍ପଷ୍ଟ କୋଳାହଳ । ନା, ହୁଏତ ମୁଁ ଭୁଲ କରୁଛି-। ଜୁଆରର ଗତି ସହିତ ଉଚ୍ଛ୍ୱସିତ, ପ୍ରସାରିତ ଶାନ୍ତ ସମୁଦ୍ରର ନିଶ୍ୱାସ ଛଡ଼ା ଆଉ କିଛି ନାହିଁ । ସମସ୍ତ ନିସ୍ତବ୍‌ଧ, ନିଝୁମ । ଏପରି କି ଟିକିଏ ହେଲେ ପବନ ନାହିଁ । ଆଖି ଟେକି ସୁଦୂର ଦିଗନ୍ତକୁ ଚାହିଁଲି । ଆଖିରେ ପଡ଼ିଲା ବତୀଘରର କ୍ଷୀଣ ଆଲୋକ । ମିଟ୍‌ମିଟ୍‌ କରି ପୁନରାୟ ଆଲୋକଟି ଉଜ୍ଜ୍ୱଳ ଭାବରେ ଜଳିଉଠୁଛି । ରହି ରହି ଅସ୍ପଷ୍ଟ ଭାବରେ ଦେଖାଯାଉଛି ସେହି ଆଲୋକ, ପୁନରାୟ ହଜିଯାଉଛି ଅନନ୍ତ ରାତ୍ରିର ଦିଗନ୍ତ–ପ୍ରସାରି ଅନ୍ଧକାର ଭିତରେ । ଚାରିଆଡ଼େ ଏହା ବ୍ୟତୀତ ଜୀବନର ଲେଶମାତ୍ର ଚିହ୍ନ କେଉଁଠି ହେଲେ ନାହିଁ ।

 

ନିରବ ରାତ୍ରିର ପ୍ରଭାବରେ ମନଟା ଶାନ୍ତହୋଇ ଉଠିଥିଲା । ତଥାପି ସ୍ପଷ୍ଟଭାବରେ ବୁଝି ପାରିଲି ମୋର ଜୀବନରେ ଗୋଟାକ ପରେ ଗୋଟାଏ ଦୁଃଖର ଆଘାତ ଆସୁଛି, ହୁଏତ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଏହି ଅଖଣ୍ତ ବେଦନାର ପଥରେ କ୍ଷଣିକପାଇଁ ବାଧା ସୃଷ୍ଟି କରିପାରେ–ତଥାପି ମୋର ଦୁଃଖରେ ଏହି ତିମିର ରାତ୍ରିର ଅବସାନ କେବେ ହେଲେ ହେବ ନାହିଁ ।

 

କେତେ ସମୟ ଧରି ଏମିତିଭାବରେ ଅନ୍ଧକାର ଭିତରକୁ ଚାହିଁ ରହିଥିଲି ଜାଣେନା । ହଠାତ୍‌ ମନରେ ଜାଗିଉଠିଲା ସେହି ଅବାଞ୍ଛିତ ଚିନ୍ତା–ଏମିଲିୟାର ଚିନ୍ତା ।...ମି: ବାତ୍ତିସତା ଓ ରେନ୍‌ଗୋଲ୍‌ଡ଼ଙ୍କ ସହିତ ମୋର ଆଲୋଚନା ହୋଇଛି–ମୁଁ ରହିଛି ହୋମରଙ୍କ କାବ୍ୟ ବର୍ଣ୍ଣିତ ଗୋଟାଏ ସ୍ଥାନରେ । ତେଣୁ ‘ଓଡ଼ିସି’ ଚିତ୍ରନାଟ୍ୟ ସହିତ ଜଡ଼ିତ ହୋଇପଡ଼ିଲା ମୋର ମନ । ସ୍ମୃତିର କେଉଁ ଏକ ଅଜ୍ଞାତ ଉତ୍ସରୁ ବାହାରି ଆସିଲା ଓଡ଼ିସିର ଶେଷ ସର୍ଗର ଅଂଶଟି–ଯେଉଁଠି ଆତ୍ମ–ପରିଚୟ ପ୍ରସଙ୍ଗରେ ତାର ପରିଣୟ ଶର୍ଯ୍ୟାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଦେଇଛନ୍ତି ଇଉଲିସିସ, ଆଉ ପେନିଲୋପ ଚିହ୍ନିପାରି ସ୍ୱାମୀର କଣ୍ଠଲଗ୍ନା ହୋଇ ତାକୁ ସାନ୍ତ୍ୱନା ଦେଉଛି । ବାରମ୍ୱାର ପଢ଼ି ଓ ମନେ ମନେ ଆବୃତ୍ତିକରି କଣ୍ଠସ୍ଥ ହୋଇଯାଇଛି ପେନିଲୋପର ସେହି ଉକ୍ତି ।

 

‘‘ମୋ ଉପରେ ଅଭିମାନ କରନାହିଁ ଇଉଲିସିସ...ତୁମର ପ୍ରତ୍ୟେକଟି କାମରେ ତ ତୁମେ ବିଜ୍ଞତାର ପରିଚୟ ଦିଅ–ଆମର ଏହି ଦୁର୍ଭାଗ୍ୟ ପାଇଁ ଦାୟୀ ଦେବତାଗଣ–ସେମାନଙ୍କର ଇଚ୍ଛା ନ ଥିଲା ଯେ ଆମର ଯୌବନର ସ୍ୱପ୍ନରଙ୍ଗିନ ଦିନଗୁଡ଼ିକ ମିଳନର ମଧୁର ଆନନ୍ଦରେ କଟିଯାଉ । ଆମେ ଯଥାରୀତି ଦେଖୁ ଜରାର ଆକ୍ରମଣରେ ଶୁଭ୍ର ହୋଇ–ପଡ଼ିଛି ଦୁହିଁଙ୍କର କେଶଦାମ ତଥାପି ପ୍ରେମବନ୍ଧନ ଟିକିଏ ହେଲେ ଶିଥିଳ ହେଇ ନାହିଁ–ଅମଳିନ ରହିଛି ଆମର ପ୍ରେମ...ତେଣୁ ଦେବତାଗଣ ଆମ ଜୀବନରେ ଆଣି ଦେଇଛନ୍ତି ଓ ଦୁର୍ଭାଗ୍ୟ ।

 

ଅନୁବାଦରେ ହୋମରଙ୍କ ଭାଷାର ଅବିକଳ ଧ୍ୱନିମାଧୂର୍ଯ୍ୟ ନ ଥିଲେ ହେଁ ଏହି ଉକ୍ତି ମଧ୍ୟରେ ଯେଉଁ ଆବେଗ ରହିଛି ତହିଁରେ ଯଥେଷ୍ଟ ଆନନ୍ଦ ମିଳୁଥିଲା । ଏଇଠି ଦେଖିବାକୁ ମିଳେ–ଅକୃତ୍ରିମ ପ୍ରେମାବେଗ–ଯାହା ବାର୍ଦ୍ଧକ୍ୟରେ ମଧ୍ୟ ଚିର ଅମଳିନ । ଆମ ଜୀବନରେ ସେ ଆଶା ଆଉ ନାହିଁ । ହାୟ ! ଯଦି ଆମ ସମ୍ପର୍କ ଭିତରେ ଏଭଳି ସମ୍ଭାବନା ଥାଆନ୍ତା ! କୌଣସି ଗୋଟାଏ ଦୁର୍ଜ୍ଞେୟ ବିପର୍ଯ୍ୟୟରେ ସଫଳ ହୋଇପାରୁ ନାହିଁ ମୋର ସ୍ୱପ୍ନ । କାହିଁକି ? ମନେହେଲା ପ୍ରମୋଦ–ପ୍ରସାଦର ଯେଉଁ କକ୍ଷଟିରେ ଏମିଲିୟା ରହିଛି ସେଉଠୁ ମିଳିବ ଏହାର ଯର୍ଥାଥ ଉତ୍ତର ।

 

ସମୁଦ୍ର ଆଡ଼କୁ ପଛକରି ଝରକା ପାଖକୁ ଗଲି । ଠିଆ ହୋଇ ରହିଲି ଛାତର ଗୋଟାଏ କୋଣରେ । ସେଠୁ ଡାଇନିଂହଲ ଭିତରଟା ଦେଖାଯାଏ, ଅଥଚ ଘର ଭିତରୁ ବାହାରର କିଛି ଦେଖାଯାଏନା ।

 

ଦେଖିଲି ମି: ବାତ୍ତିସତାଙ୍କ ସହିତ ସେ ଘରେ ଏମିଲିୟା ରହିଛି । ଗୋଟାଏ ସୁରାଦାନୀ ପାଖରେ ଠିଆ ହୋଇଛି ଏମିଲିୟା, ଗୋଟାଏ କାଚ ଗ୍ଲାସରେ ସରବତ ତିଆରି କରୁଛନ୍ତି ମି: ବାତ୍ତିସତା । ଏମିଲିୟା ତାଙ୍କୁ ଚାହିଁ ରହିଛି ଉଦ୍ଧତ, ଉଦ୍‌ବିଗ୍ନ ଦୃଷ୍ଟିରେ ଯେମିତି ସେ ମି: ବାତ୍ତିସତାଙ୍କ ହାତରୁ ଗ୍ଲାସଟି ନେବାକୁ ଚାହେଁ । ଲକ୍ଷ୍ୟ କଲି ତାର ଦୃଷ୍ଟିରେ ସନ୍ଦେହ ଓ ହତାଶା । ସରବତ ତିଆରି ହେଲା, ଗୋଟାଏ ଗ୍ଲାସ ଏମିଲିୟା ଆଡ଼କୁ ବଢ଼େଇ ଧଇଲେ ମି: ବାତ୍ତିସତା । ଚମକି ପଡ଼ିଲା ଏମିଲିୟା–ଯେମିତି ତାର ଧ୍ୟାନ ଭଙ୍ଗ ହେଲା । ଗୋଟାଏ ହାତ ଚୌକୀ ଉପରେ ଭରାଦେଇ ଆର ହାତରେ ସେ ଗ୍ଲାସଟି ଧଇଲା । ଆଗ ପଟକୁ ବୁକୁଟା ଝୁଙ୍କେଇ ସେ ଠିଆ ହୋଇଛି । ଠିଆ ହେବାର ଭଙ୍ଗି ଦେଖି ମନେହେଲା ସେ ଦେହ ଦାନ କରିବାକୁ ପ୍ରସ୍ତୁତ । କିନ୍ତୁ ତାର ମୁହଁ ଉପରର ଅସ୍ଥିର ଭାବ ମୋର ଦୃଷ୍ଟି ଏଡ଼େଇ ପାରିଲା ନାହିଁ । ଦୁଃସହ ନୀରବତା ହାତରୁ ରକ୍ଷା ପାଇବା ପାଇଁ ଏମିଲିୟା ଯେମିତି କିଛି କହିଲା, ତାପରେ ସନ୍ତର୍ପଣରେ ଗ୍ଲାସଟି ଧରି ଆଗକୁ ଚାଲି ଆସିଲା ।

 

ଯାହା ଭାବିଥିଲି ଠିକ୍‍ ସେୟା ! ଘର ମଝିକୁ ଆସି ଏମିଲିୟାର ମୁହଁ ପାଖକୁ ନିଜର ମୁହଁ ଆଣିଲେ ମି: ବାତ୍ତିସତା । ଏମିଲିୟା ମୃଦୁ ଆପତ୍ତି କଲା, ଇସାରାରେ ଗ୍ଲାସଟି ଦେଖେଇଲା । ବାତ୍ତିସତା ମୁଣ୍ତ ହଲେଇଲେ ଆଉ ଆହୁରି ପାଖକୁ ଏମିଲିୟାକୁ ଟାଣି ନେଲେ । ଗ୍ଲାସଟି ଲେଉଟି ପଡ଼ିଲା । ଭାବିଲି–ଏଥର ଚୁମ୍ୱନ ପର୍ବ ଆରମ୍ଭ ହେବ । କିନ୍ତୁ ବାତ୍ତିସତାଙ୍କର ଚରିତ୍ର ଓ ପାଶବିକତା ଠିକ୍‌ ଅନୁଧାବନ କରିପାରିଲି ନାହିଁ । ସେ ଚୁମ୍ୱନ କଲେ ନାହିଁ । ଏକା ଟାଣରେ ଏମିଲିୟାର ଦେହର ଉର୍ଦ୍ଧ୍ୱାଂଶର ଆବରଣଟି ଛିଣ୍ତେଇ ପକାଇଲେ, ଏଲିମିଆୟାର ଗୋଟାଏ ସ୍ତନ ପୂରାପୂରି ନଗ୍ନ ହୋଇଗଲା । ବାତ୍ତିସତାଙ୍କର ମୁହଁଟି ନଇଁ ଆସିଲା ଏମିଲିୟାର ନଗ୍ନ ବୁକୁ ଉପରକୁ । ଏମିଲିୟା ନିଶ୍ଚଳ, ଯେମିତି ସେ ଶେଷ ପର୍ବର ଅପେକ୍ଷା କରି ରହିଛି । ଚୁମ୍ୱନ କଲା ସମୟରେ ମଧ୍ୟ ଦେଖିଲି, ଏମିଲିୟାର ମୁହଁ ଓ ଆଖିର ଦୃଷ୍ଟି ସେହିଭଳି ଅଧୀର ଓ ଉଦ୍‌ବିଗ୍ନ ।

 

ହଠାତ୍‌ ଝରକା ଆଡ଼କୁ ଚାହିଁଲା । ସେ ଯେପରି ମୋତେ ଦେଖି ପାଲିଲା । ଅବଜ୍ଞା ସୂତକ ଭଙ୍ଗିରେ ଦେହର ନଗ୍ନ ଅଂଶତକ ଆବୃତ୍ତ କରି ସେ ସହଳ ଘୂରି ଭିତରୁ ବାହାରିଗଲା ।

 

ମୁହଁ ଫେରେଇ ନେଇ ଛାତ ଉପରେ ପୁନରାୟ ପଦଚାରଣ କରିବାକୁ ଲାଗିଲି । ସ୍ତମ୍ଭିତ, ବିହ୍ୱଳ ହୋଇପଡ଼ିଲି । ଯାହା ଜାଣେ, ଯାହା ଭାବିଛି–ଇୟେ ତା ଅପେକ୍ଷା ବି ଭୟଙ୍କର ! ଏମିଲିୟା ଆଉ ମୋତେ ଭଲ ପାଏନା–ତାର ନିଜର ଭଷାରେ କହିବାକୁ ଗଲେ–ଘୃଣା କରେ । କିନ୍ତୁ ଆଜି ସେ ମୋ ସହିତ ପ୍ରତାରଣା କରିଛି । ମୋର ଭୁଲ ଭାଙ୍ଗିଛି–ଉଦ୍ଧାର କରିଛି ସତ୍ୟ । ଆକାରଣରେ ଅବଜ୍ଞାର ବୋଝଦେଇ ମୁଁ ବୁଲୁଛି । ଆଜି ମୁଁ ତାକୁ ଅବଜ୍ଞା କରିପାରେ । ମୋ ପ୍ରତି ତାର ଆଚରଣ ଯେମିତି ଗୋଟାଏ ଷଡ଼ଯନ୍ତ୍ର । ଆବିଷ୍କାର କରିଛି ଏମିଲିୟାର ବିଶ୍ୱାସଘାତକତା । ଏହି ନିର୍ମମ ଓ ଯୁକ୍ତିପୂର୍ଣ୍ଣ ଚିନ୍ତାରେ ଆତ୍ମଭିମାନ କ୍ଷୁର୍ଣ୍ଣ ହେଲା । ଛାତ ଉପରେ ପାହାଚ ପାଖକୁ ଆସିବା ମାତ୍ରକେ ମନେହେଲା, ନା...ନା...ଯାହା ଦେଖୁଛି ତାହା ସତ ନୁହେଁ...ସତ ହୋଇପାରେନା-! ହଁ, ବାତ୍ତିସତାଙ୍କୁ ଚୁମ୍ୱନ କରିବା ପାଇଁ ଦେଇଛି ଏମିଲିୟା । ତା ଫଳରେ କଣ ମୋର ଦୋଷ କଟିଗଲା ? ତାକୁ ସତରେ କ’ଣ ମୋର ଘୃଣା କରିବାର ଅଧିକାର ରହିଛି ? ଅଛି–ଅବ୍ୟାହତ ରହିଛି ମୋର ପୂର୍ବ ଅଧିକାର । ନା, ମୁଁ ନିଜେ ଭୁଲ୍‌ କରିଛି । ସେ ଅବିଶ୍ୱାସିନୀ ନୁହେଁ, ବିଶ୍ୱାସଘାତକତାର ମୂଳ ଏଯାଏ ଅନାବିଷ୍କୃତ ରହିଛି ।...

 

ମନେପଡ଼ିଲା–ବାତ୍ତିସତାଙ୍କ ପ୍ରତି ସର୍ବଦା ଅବ୍ୟକ୍ତ ଘୃଣାର ଭାବ ଦେଖେଇଛି ଏମିଲିୟା-। ସକାଳେ ମଧ୍ୟ ମି: ବାତ୍ତିସତାଙ୍କ ସହିତ ଆସିବାକୁ ସେ ଆପତ୍ତି ଜଣାଇଛି–ଦୁଇଥର କହିଛି ସେ ତାଙ୍କ ସହିତ ରହିବାକୁ ଚାହେଁନା । ତାର ସେହି ଆଚରଣ ଓ ଏହି ଚୁମ୍ୱନର ସାଦୃଶ୍ୟ କେଉଁଠି-? ନିଃସନ୍ଦେହରେ କୁହାଯାଇପାରେ ଏହା ପ୍ରଥମ ଚୁମ୍ୱନ । ଏମିଲିୟାକୁ ଏକାକୀ ପାଇ ସୁଯୋଗର ସଦ୍‌ବ୍ୟବହାର କରିଛନ୍ତି ମି: ବାତ୍ତିସତା । ସୁତରାଂ ବର୍ତ୍ତମାନ ମଧ୍ୟ ସମୟ ଅଛି । ଜାଣିବାକୁ ପଡ଼ିବ ମି: ବାତ୍ତିସତାଙ୍କୁ ଚୁମ୍ୱନ ଦେବାପାଇଁ ସେ ସ୍ୱୀକୃତି ଦେଲା କାହିଁକି ? ବାରମ୍ୱାର ମନେହେଲା ସେହି ଚୁମ୍ୱନ ସତ୍ତ୍ୱେ ଆମର ସମ୍ପର୍କ ଅପରିବର୍ତ୍ତିତ ରହିଛି । ତେବେ ପୂର୍ବପରି ମୋତେ ଭଲ ନ ପାଇବାର ବା ଘୃଣା କରିବାର ଅଧିକାର ଏମିଲିୟାର ରହିଛି ।

 

ଏହି ମୁହୂର୍ତ୍ତରେ ପ୍ରମିକ–ପ୍ରେମିକା ପାଖରେ ଆତ୍ମପ୍ରକାଶ କରିବା ଇଚ୍ଛା ପ୍ରକାଶ ପାଇବା ଅସ୍ୱାଭାବିକ ନୁହେଁ । ଭାବିବାକୁ ଲାଗିଲି ଏମିଲିୟା ଏମିତି କଲା କାହିଁକି ? ତଥାପି ତାକୁ ଅପ୍ରସ୍ତୁତ କରିବାପାଇଁ ପ୍ରବୃତ୍ତି ହେଲା ନାହିଁ । ମୋର ଅତର୍କିତ ଆବିର୍ଭାବରେ ସତକଥା ଆବିଷ୍କାର କରିବାର ଆଶା ନିର୍ମୂଳ ହୋଇଯିବ । ଚିରଦିନପାଇଁ ଏମିଲିୟାକୁ ଫେରି ପାଇବାର ଆଶା ଲୁପ୍ତ ହୋଇଯିବ । ସୁତରାଂ ବିଚକ୍ଷଣତା ଓ ସତର୍କତାର ସହିତ କାମ କରିବାକୁ ପଡ଼ିବ । ତା ଛଡ଼ା ଘଟଣାସ୍ଥଳରେ ଆତ୍ମପ୍ରକାଶ ନ କରିବାର ଆହୁରି ଗୋଟାଏ କାରଣ ରହିଚି । ଓଡ଼ିସି ଚିତ୍ରନାଟ୍ୟ ରଚନା କରିବା ହାତରୁ ରକ୍ଷା ପାଇବାର ଇୟେ ଗୋଟାଏ ସୁଯୋଗ । ଯେଉଁ ଚୁମ୍ୱନ ପୂର୍ବ ମୁଁ ନିଜର ଆଖିରେ ଦେଖିଛି–ତାହା ପ୍ରକୃତରେ ଗୋଟାଏ ଚରମ ମିଥ୍ୟାଚାର । ସେହି ମିଥ୍ୟାଚାର ସହିତ ଦ୍ୱନ୍ଦ୍ୱ କରୁଛି ମୋର ସମଗ୍ର ଜୀବନ–ମୋ ସହିତ ଏମିଲିୟାର ସମ୍ପର୍କ ଓ କାମରେ ସେହି ମିଥ୍ୟାକୁ ଚିରଦିନପାଇଁ ଦୂରକରି ଦେବାର ସମ୍ଭାବନା ଦେଖି–ପାରୁଛି ।...

 

ଝଡ଼ି ଭଳି ଏ ସମସ୍ତ ଚିନ୍ତା ମୋ ମନରେ ଉଦୟ ହେଲା । ଝରକା ଖୋଲିବା ମାତ୍ରକେ ପ୍ରବଳ ପବନରେ ବାହାରର ଧୂଳିମଳି ଆର୍ବଜନା ଯେମିତି ଘର ଭିତରକୁ ପଶିଯାଏ ଓ ପୁନରାୟ ଝରକା ବନ୍ଦ କଲେ ସମସ୍ତ ନୀରବ, ନିସ୍ତବ୍‌ଧ ହୋଇପଡ଼େ–ଇୟେ ବି ଠିକ୍‌ସେମିତି ।

 

ସେଇଠି ଅନ୍ଧକାର ଭିତରେ ଠିଆହୋଇ ରହିଲି ।

 

ବୁଝିପାରିଲି ମନର ଚିନ୍ତା ଆବେଗ ଆଉ ନାହିଁ । ସଂପୂର୍ଣ୍ଣ ଅଜ୍ଞାତସାରେ ଝରକା ପାଖକୁ ଆସି ଝରକା ଖୋଲି ଖାଇବାକୁ ପଶିଆସିଲି । ହୁଏତ ଛାତ ଉପରେ ଅନେକ ସମୟ ଥିଲି । ଆସି ଦେଖିଲି ମି: ବାତ୍ତିସତା ଓ ଏମିଲିୟା ଖାଇବାପାଇଁ ବସିଛନ୍ତି, ଅର୍ଦ୍ଧେକ ଭୋଜନ ଶେଷ ହୋଇଯାଛି-। ଏହାରି ଭିତରେ ଛିଣ୍ତା ବ୍ଲାଉଜ ଖଣ୍ତକ ଏମିଲିୟା ବଦଳେଇ ନେଇଚି । ତାର ବିଶ୍ୱାସଘାତକତାର ଏହି ମର୍ମାନ୍ତିକ ଜାଜ୍ଜ୍ୱଲ୍ୟ ପ୍ରମାଣ ପାଇଁ ବ୍ୟଥିତ ହୋଇପଡ଼ିଲି ।

 

ମୋତେ ଦେଖିବା ମାତ୍ରକେ ମି: ବାତ୍ତିସତା ପରମ ଉତ୍ସାହରେ କହି ଉଠିଲେ, ଆମେ ଭାବିଥିଲୁ ଆପଣ ନୈଶ ସନ୍ତରଣରେ ଯାଇଛନ୍ତି...ଏତେ ସମୟ କେଉଁଠି ଆତ୍ମଗୋପନ କରିଥିଲେ କୁହନ୍ତୁ ତ ?

 

ଧୀରଗଳାରେ କହିଲି–ଟିକିଏ ବାହାରକୁ ଯାଇଥିଲି ।

 

ମୋତେ ଅଳ୍ପ ଚାହିଁ ମୁହଁ ତଳକୁ ପୋତିଦେଲା ଏମିଲିୟା ।

 

ସନ୍ଦେହ ରହିଲା ନାହିଁ ଯେ ଛାତ ଉପରୁ ମୁଁ ତାଙ୍କର ଗତିବିଧି ଲକ୍ଷ୍ୟ କରିଥିବାର ସେ ଦେଖିଛି ।

 

ନିର୍ବିକାର ଭାବରେ ବସି ନିଶବ୍ଦରେ ଖାଉଛି ଏମିଲିୟା । ମୋର ବିସ୍ମୟର ସୀମା ରହିଲା ନାହିଁ । ଭାବିଥିଲି ସେ ଅପ୍ରତିଭ ହୋଇପଡ଼ିବ । ମୋର ଧରଣା ଥିଲା ସେ ଛଳନା କରି ଜାଣେନା । ଆଜି ମୋର ସେହି ଧାରଣା ମିଥ୍ୟା ପ୍ରମାଣିତ ହୋଇଗଲା ।

 

ମନର ନିଦାରୁଣ ସ୍ଫୁର୍ତ୍ତି ଗୋପନ ନ ରଖି ବିଜୟ ଉଳ୍ଲାସରେ ଅନଗଳ ବକିଯାଉଛନ୍ତି, ଭୋଜନ କରୁଛନ୍ତି, ସୁରାପାନ କରୁଛନ୍ତି ମି: ବାତ୍ତିସତା । ଭଦ୍ରଲୋକର ଅମିତ ଗର୍ବ ଦେଖି ମନେ ହେଉଛି–ତାଙ୍କର ଦୃଢ଼ ଧାରଣା, ସେ ଏମିଲିୟାକୁ ଜୟ କରିଛନ୍ତି । ତେଣୁ ମୟୁର ଭଳି ଗର୍ବସହକାରେ ପକ୍ଷବିସ୍ତାର କରି ତାଙ୍କର ବିଚିତ୍ର ସୁନ୍ଦର ଚନ୍ଦ୍ରିକା ପ୍ରଦର୍ଶନ କରୁଛନ୍ତି ବିଜିତକୁ । ସ୍ୱୀକାର କରିବାକୁ ହେବ–ମି: ବାତ୍ତିସତା ମୋଟେ ନିର୍ବୋଧ ନୁହନ୍ତି । ପରିହାସର ମାଧ୍ୟମରେ ହିଁ ସେ ତାଙ୍କର ଗର୍ବ ପ୍ରକାଶ କରୁଛନ୍ତି । ବେଶ୍‌ ରସାଳ କଥା ସେ କହୁଛନ୍ତି । ତାଙ୍କର ଆମେରିକା ଭ୍ରମଣ ଓ ହଲିଉଡ଼ର ଷ୍ଟୁଡ଼ିଓ ପରିକ୍ରମା ସମ୍ୱନ୍ଧରେ ଗଳ୍ପ କରୁଚନ୍ତି । ତଥାପି ବିରକ୍ତ ହୋଇପଡ଼ିଲି । ମନେହେଲା–ଯାହା ଦେଖିଛି ତା ସତ୍ତ୍ୱେ ବି ଏମିଲିୟା ଯେମିତି ତାଙ୍କ ଉପରେ ବିରୂପ । ନା...ନା...ମୋ ନିଜର ଭୁଲ । ଏମିଲିୟା ତାଙ୍କ ଉପରେ ବିରୂପ ନୂହେଁ ବରଂ ସନ୍ତୁଷ୍ଟ । ଦେଖିଲି ମି: ବାତ୍ତିସତା ଯେତେବେଳେ ଗଳ୍ପ କରୁଛନ୍ତି ସେତେବେଳେ ଠିକ୍‌ କାମାର୍ତ୍ତ ନ ହେଲେହେଁ କୌତୂହଳୀ ବିସ୍ମୟାକୁଳ ଓ ଶ୍ରଦ୍ଧାପୂର୍ଣ୍ଣ ହୋଇ ଉଠୁଛି ଏମିଲିୟାର ଦୃଷ୍ଟି । ତାହା ମି: ବାତ୍ତିସତାଙ୍କର ପୌରୁଷର ଅହଙ୍କାର ଭଳି ଅସହ୍ୟ ମନେହେଲା । ମନେପଡ଼ିଲା–ଠିକ୍‌ ଏହାର ଅନୁରୂପ ଆହୁରି ଗୋଟାଏ ଦୃଷ୍ଟି । କିନ୍ତୁ କେଉଁଠି ଦେଖିଛି ସେ ଦୃଷ୍ଟି ସ୍ମରଣ କରିପାରିଲି ନାହିଁ । ଡିନର ଶେଷରେ ମନେପଡ଼ିଗଲା । ଅନେକ ଦିନ ତଳେ ଫିଲ୍‌ମ ଡିରେକ୍ଟର ମି: ପାସେତ୍ତିଙ୍କ ଘରେ ଯେତେବେଳେ ଭୋଜନ କରୁଥିଲି ସେତେବେଳେ ତାଙ୍କର ସ୍ତ୍ରୀଙ୍କ ଆଖିରେ ଅନୁରୂପ ଦୃଷ୍ଟିଲକ୍ଷ୍ୟ କରିଥିଲି । ସେ ଦୃଷ୍ଟିରେ ଥିଲା ପ୍ରେମ, ବିସ୍ମୟ, ଶ୍ରଦ୍ଧା ଓ ଆତ୍ମନିବେଦନ । ମି: ବାତ୍ତିସତାଙ୍କ ସହିତ ଏମିଲିୟା ଏ ପର୍ଯ୍ୟନ୍ତ ସେହି ଅବସ୍ଥାରେ ପହଞ୍ଚି ନାହିଁ, କିନ୍ତୁ ବୁଝିପାରିଲି–ତାର ଦୃଷ୍ଟି ମଧ୍ୟରେ ମିସେସ୍‌ ପାସେତ୍ତିଙ୍କର ମନୋଭାବର ବୀଜ ଲୁକ୍‌କାୟିତ ରହିଛି । ମି: ବାତ୍ତିସତା ନିଜକୁ ପ୍ରକାଶ କରିଛନ୍ତି–ଏମିଲିୟା କେତେକ ପରିଣାମଣରେ ବଶୀଭୂତ ହୋଇଛି, ପୂର୍ଣ୍ଣ ବଶ୍ୟତା ସ୍ୱୀକାର ଆସନ୍ନା ଏମିଲିୟା ଓ ମି: ବାତ୍ତିସତାଙ୍କୁ ଚୁମ୍ୱନରତ ଅବସ୍ଥାରେ ଦେଖି ଯେତେ କଷ୍ଟ ପାଇଥିଲି ତା ଠାରୁ ବେଶି କଷ୍ଟ ଅନୁଭବ କରିବାକୁ ଲାଗିଲି ।

 

ବେଦନାର ଛାୟା ଫୁଟି ଉଠିଲା ମୋର ମୁହଁ ଉପରେ । ମି: ବାତ୍ତିସତା ହୁଏତ ଲକ୍ଷ୍ୟ କଲେ । ମୋ ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିପାତକରି ହଠାତ୍‌ ପ୍ରଶ୍ନ କଲେ, କଣ ହେଇଛି ମି: ମଲଟେନି-? ...କ୍ୟାପ୍ରିକୁ ଆସି ଆପଣ ଖୁସି ନୁହନ୍ତି ?...କିଛି ଖରାପ ହୋଇ ନାହିଁ ତ ?

 

କାହିଁକି... ?

 

ଆପଣ ବିମର୍ଷ ଦେଖାଯାଉଛନ୍ତି...

 

ମି: ବାତ୍ତିସତାଙ୍କ ଆକ୍ରମଣ କରିବା ଧରଣ ହିଁ ଏହି ରକମ । ସେ ଜାଣନ୍ତି ପ୍ରଥମେ ଆକ୍ରମଣ କରିବା ହିଁ ଆତ୍ମରକ୍ଷାର ସର୍ବୋତ୍ତମ ଉପାୟ ।

 

କହିଲି, ଛାତ ଉପରେ ଠିଆହୋଇ ସମୁଦ୍ରକୁ ଚାହିଁ ରହିଥିଲି...ସେତେବେଳୁ ଅକାରଣରେ ମନଟା ଖରାପ ହୋଇଛି ।

 

ନିଜର ଏହି ଅଭାବନୀୟ କ୍ଷିପ୍ରତାରେ ଆଶ୍ଚର୍ଯ୍ୟର ହୋଇଗଲି ।

 

ମୋତେ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ଦୃଢ଼ କଣ୍ଠରେ ସେ କହିଲେ...କାହିଁକି ? ଏମଲିୟାକୁ ଚାହିଁଲା । ସେ ବିନ୍ଦୁମାତ୍ର ବିଚଳିତ ନୁହେଁ । ସେମାନେ ଦୁହେଁ ପୂରାପୂରି ନିଃସନ୍ଦିଗ୍‌ଧ । ଏମିଲିୟା ନିଶ୍ଚୟ ମୋତେ ଦେଖିଛି, ଆଉ ଏ କଥା କହିଛି ମି: ବାତ୍ତିସତାଙ୍କୁ । ତଥାପି ସେମାନେ ନିର୍ବିକାର, ନିଶ୍ଚିତ । ହଠାତ୍‍ କହି ପକେଇଲି ଆପଣଙ୍କୁ ମୋର କିଛି ହେବାର ଅଛି ।

 

ନିଶ୍ଚୟ...ନିଶ୍ଚୟ...କହିବେ ନାହିଁ କାହିଁକି...ମୁଁ ସଦାସର୍ବଦା ସହଜ ଓ ସ୍ପଷ୍ଟକଥା ପସନ୍ଦ କରେ...

 

ଦେଖନ୍ତୁ ଯେତେବେଳେ ମୁଁ ସମୁଦ୍ରକୁ ଚାହିଁ ରହିଥିଲି–ସେତେବେଳେ ମନେହେଲା ଯେ, ମୁଁ ନିଜ ସ୍ୱାର୍ଥରେ ହିଁ ଏଠାକୁ ଆସିଛି...ଆପଣ ତ ଜାଣନ୍ତି, ମୋ ଜୀବନର ଆକାଂକ୍ଷା ରଙ୍ଗମଞ୍ଚର ଉପଯୋଗୀ ନାଟକ ଲେଖିବା...ତେଣୁ ଭାବିଥିଲି–ମୋର କାମ ପାଇଁ ଏ ସ୍ଥାନଟି ପ୍ରଶସ୍ତ ହେବ । ଏଇଠି ସୌନ୍ଦର୍ଯ୍ୟ, ନୀରବତା, ଶାନ୍ତି ସବୁ ରହିଛି–ଆଉ ସଙ୍ଗରେ ରହିଛି ମୋର ସ୍ତ୍ରୀ...କୌଣସି ଭାବନା ନାହିଁ । ତାପରେ ମନେହେଲା–ଏହି ରମଣୀୟ ସ୍ଥାନକୁ ଆସିଛି ନିଜପାଇଁ ନୁହେଁ, ଆସିଛି ଗୋଟାଏ ଫରମାୟେସି ଚିତ୍ରନାଟ୍ୟ ଲେଖିବାକୁ । ଚିତ୍ରନାଟ୍ୟଟି ବେଶ୍‌ ଚମତ୍କାର ହେବ, କିନ୍ତୁ ତହିଁରେ ମୋର କୌଣସି ସ୍ୱାର୍ଥ ନାହିଁ...ମୁଁ ଚିତ୍ରନାଟ୍ୟଟିକୁ ସାଧ୍ୟମତେ ଭଲ କରିବାକୁ ଚେଷ୍ଟା କରିବି, ତାପରେ ଦେବି ମି:ରେନ୍‌ଗୋଲ୍‌ଡ଼ଙ୍କୁ । ରେନ୍‌ଗୋଲ୍‌ଡ଼ ତାଙ୍କର ମନଖୁସି ବ୍ୟବହାର କରିବେ ଚିତ୍ରନାଟ୍ୟଟି...ମୁଁ ମୋର ପାରିଶ୍ରମିକ ପାଇବି–ଜୀବନରେ ତିନି ଚାରୋଟି ମାସ ନଷ୍ଟ ହେବ । ଜାଣେ–ଏସବୁ କଥା କହିବା ଉଚିତ ନୁହେଁ–ତଥାପି କହୁଛି, ଆପଣ କହିବାକୁ କହିଛନ୍ତି, ତେଣୁ...ଏଥର ନିଶ୍ଚୟ ବୁଝିପାରିଛନ୍ତି–ମୋର ମନ ଖରାପ ହେବାର କାରଣ କଣ ।

 

କିନ୍ତୁ ଏ କଣ ? ଯାହା କହିବାକୁ ଚାହିଁଥିଲି ! ମୋର ସ୍ତ୍ରୀ ସହିତ ତାଙ୍କର ଆଚରଣ କଥା ନ କହି ଏ କଥା କହିଲି କାହିଁକି ? ଜାଣେନା, ହୁଏତ ଦୁର୍ବଳ ହୋଇପଡ଼ିଥିଲି । ଦୁର୍ବଳତା ପାଇଁ ଏପରି ପରୋକ୍ଷ ଭାବରେ ଏମିଲିୟାର ବିଶ୍ୱାସଘାତକତା ପାଇଁ ଇଙ୍ଗିତ କଲି । ମୋର ଏହି ଅଶୁଭ ଭୂମିକାରେ ତିଳେମାତ୍ର ଅସ୍ୱସ୍ତିର କାରଣ ବାତ୍ତିସତା ଦେଖିପାରିଲେ ନାହିଁ । ଏମିଲିୟା ବି ମୋଟେ ପ୍ରକାଶ କଲାନାହିଁ । ଗମ୍ଭୀର ଭାବରେ ବାତ୍ତିସତା କହିଲେ, ମୁଁ ଜାଣେ ମି: ମଲଟେନି....ଆପଣ ଅନବଦ୍ୟ ଚିତ୍ରନାଟ୍ୟ ଲେଖିବେ...

 

ସତରେ ଭୁଲ କରିପକେଇଛି । ତେଣୁ ପ୍ରାୟ ରୁଦ୍ଧ କଣ୍ଠରେ କହିଲି...ଦେକନ୍ତୁ ମୁଁ ପେଶାଦାର ଚିତ୍ରନାଟ୍ୟର ରଚୟିତା ନୁହେଁ...ଥିୟେଟରର ନାଟକ ଲେଖିବାପାଇଁ ମୋର ଅଭ୍ୟାସ । ...ମୋର ଜୀବନରେ ଗୋଟାଏ ମାତ୍ର ଆଦର୍ଶ ରହିଛି...ସେ ଆଦର୍ଶ ହେଲା ରଙ୍ଗମଞ୍ଚର ଉପଯୋଗୀ ନାଟକ ରଚନା ...ମୁଁ ତାହା ପାରୁ ନାହିଁ କାହିଁକି ? କାରଣ ଆଜିର ପୃଥିବୀଟା ଏମିତି ଭାବରେ ତିଆରି ଯେ କେହି ନିଜର ଇଚ୍ଛାନୁସାରେ କିଛି କରିପାରେ ନାହିଁ... ଅପରର ଇଚ୍ଛାରେ ତାକୁ ଚଳିବାକୁ ପଡ଼େ । ତାର କାରଣ–ଅର୍ଥର ପ୍ରଶ୍ନଟା ହିଁ ସବୁ ସମୟରେ ବଡ଼ ହୋଇ ଉଠେ... ଆମର କାମରେ, ଅସ୍ତିତ୍ୱରେ, ଉଚ୍ଚାକାଂକ୍ଷାରେ...ଏଭଳିକି...ପ୍ରେମିକା ସହିତ ସଂପର୍କ ସ୍ଥାପନ ପାଇଁ ସର୍ବାଗ୍ରେ ଆସେ ଟଙ୍କାର ପ୍ରଶ୍ନ...

 

ବୁଝିପାରିଲି, ଉତ୍ତେଜିତ ହୋଇପଡ଼ିଛି । ଯିଏ ମୋ ପାଖରୁ ମୋ ନିଜ ସ୍ତ୍ରୀକୁ ଛଡ଼େଇ ନେଇଯାଉଛି ତାକୁ ଏ ସବୁ କଥା କହୁଛି କାହିଁକି ?

 

କିନ୍ତୁ ଏଇ ତୁଚ୍ଛ କଥାରେ ମି: ବାତ୍ତିସତା ମୋଟେ ମୁଣ୍ତ ଘୂରାନ୍ତି ନାହିଁ । ସେ କହିଲେ, ଦେଖନ୍ତୁ ମି: ମଲଟେନି, ଆପଣଙ୍କ କଥା ଶୁଣି ମୋର ସେ ସମୟର କଥା ମନେପଡ଼େ–ଯେତେବେଳେ ମୁଁ ଆପଣଙ୍କ ଭଳି ତରୁଣ...

 

ଓଃ–ସତରେ କହୁଛନ୍ତି ମି: ବାତ୍ତିସତା ?

 

ହଁ, ମୁଁ ଖୁବ୍‌ ଦରିଦ୍ର ଥିଲି...ଆପଣଙ୍କ ଭଳି ମୋର ମଧ୍ୟ ଗୋଟାଏ ଆଦର୍ଶ ଥିଲା...ନା...ନା, ଅନେକ ଗୁଡ଼ାଏ ଆଦର୍ଶ ଥିଲା...ତେବେ, ଜାଣି ନ ଥିଲି–ସେ ଆଦର୍ଶଗୁଡ଼ିକ କଣ । ତାପରେ ଜଣକ ସାଥିରେ ସାକ୍ଷାତ ହେଲା...ସେ ମୋତେ କେତୋଟି ଉପଦେଶ ଦେଇଥିଲେ–ସେଇପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ...

 

ଟିକିଏ ନୀରବ ରହିଲେ ମି: ବାତ୍ତିସତା । ଭାବିନେଲି ନିଶ୍ଚୟ କୌଣସି ଚିତ୍ର ନିର୍ମାତାର କଥା ସେ କହିବେ । ବାତ୍ତିସତାଙ୍କ ଜୀବନ ନିଶ୍ଚୟ ତା ସହିତ ଆରମ୍ଭ ହୋଇଥିଲା । ଆଜି ମୋତେ ଆପଣ ଯେଉଁ କଥା କହୁଛନ୍ତି ମୁଁ ତାଙ୍କୁ ଠିକ୍‌ ଏହିକଥା କହିଥିଲି...ସେ ମୋତେ କହିଥିଲେ, ଯେତେବେଳେ ଯାଏ ଜଣେ ଉପଲବ୍‍ଧ କରିପାରେ ନାହିଁ ଯେ ସତରେ ସେ କଣ ଚାହେଁ, ସେତେବେଳେ ଯାଏ କୌଣସି ଆଦର୍ଶ କଥା ଚିନ୍ତା ନ କରିବା ଭଲ–ନିଜ ଗୋଡ଼ରେ ନିଜେ ଠିଆ ହେବାର ଶକ୍ତି ସଂଚୟ କଲା ସଙ୍ଗେ ସଙ୍ଗେ ଆଦର୍ଶକୁ ସ୍ମରଣ କରି ପାଳନ କରିବା ଦରକାର–ତାଙ୍କର ଉପଦେଶ ପାଳନ କରିଥିଲି–ବର୍ତ୍ତମାନ ଯାଏ କୌଣସି ଅସୁବିଧାରେ ପଡ଼ି ନାହିଁ । ତେବେ ହଁ, ଆପଣଙ୍କ ଆଦର୍ଶ କଣ ? ଆପଣଙ୍କ ଆଦର୍ଶ ନାଟକ ରଚନା, ବେଶ୍‌ ଲେଖନ୍ତୁ, ଅସୁବିଧା କିଛି ନାହିଁ ।

 

ନାଟକ ଲେଖିବି ?

 

ହଁ, ହଁ, ଲେଖିବେ, ଲେଖିବାର ଇଚ୍ଛାଥିଲେ ଲେଖି ପାରିବେ ଏ କାମ ଥିବା ସତ୍ତ୍ୱେ ଓ...ସାଫଲ୍ୟର ଗୁପ୍ତମନ୍ତ୍ର କଣ, ଜାଣନ୍ତି ମି:ମଲଟେନି ?

 

କଣ ?

 

ଷ୍ଟେସନରେ ବୁକିଂ ଅଫିସ ଆଗରେ ସମସ୍ତେ ଟିକଟ ପାଇଁ ଲାଇନ ଧରି ଠିଆ ହୁଅନ୍ତି, ପାଳି ପଡ଼ିବା ମାତ୍ରକେ ଯିଏ ଯାର ଗନ୍ତବ୍ୟ ସ୍ଥାନର ଟିକଟ କିଣିପାରନ୍ତି–ଯେମିତି ଧରନ୍ତୁ ଯେ ଅଷ୍ଟ୍ରେଲିୟାର ଟିକଟ ପାଏ, ଆଉ ଯେଉଁମାନେ ବେଶିଦୂର ଯିବାକୁ ଚାହାନ୍ତି ନାହିଁ–ସେମାନେ ହୁଏତ କ୍ୟାପ୍ରିର ଟିକଟ ବି ପାଇଥାଆନ୍ତି...ବୁଝିଲେ ?

 

ହୋ...ହୋ ହୋଇ ହସି ଉଠିଲେ ମି: ବାତ୍ତିସତା । କହିଲେ, ଆପଣ ବି ଅନେକ ଦୂର ଦେଶର ଟିକଟ ପାଇ ପାରନ୍ତି...ଆମେରିକା କେମିତି ହେବ ?...ତେବେ ହଁ, ଠିକ୍‌ ସେହିଭଳି...ଜୀବନରେ ବି ଲାଇନ୍‌ ଧରି ଠିଆ ହେବାକୁ ପଡ଼ିବ...ଏଥର ବୁଝିପାରିଲ ତ ?

 

ସ୍ମିତ ହସିଲେ ମି: ବାତ୍ତିସତା । ଏମିଲିୟାର ଓଠରେ ବି ମ୍ଲାନ ହସର ରେଖା ଦେଖି ବୁଝିଲି–ବାତ୍ତିସତାର ପ୍ରତି ତାର ବିଦ୍ୱେଷ ରୂପାନ୍ତରିତ ହେଇଛି ପ୍ରେମରେ । ମିସେସ ପାସେତ୍ତିଙ୍କ ଦୃଷ୍ଟି ନୂତନ ଭାବରେ ଦେଖିବାକୁ ପାଇଲି ଏମିଲିୟାର ଆଖିରେ । ବ୍ୟଥାର କଣ୍ଟକ ମୋର ହୃଦୟ ରକ୍ତାକ୍ତ କରି ତୋଳିଲା, ଦୁର୍ବିସହ ମର୍ମବେଦନାରେ ଲୁପ୍ତ ହୋଇଗଲା ମୋର ଈର୍ଷା ।

 

କ୍ଲାନ୍ତ ହୋଇପଡ଼ିଲି...ବିଷାଦରେ ଭରି ଉଠିଲା ସମଗ୍ର ଅନ୍ତର ।

 

ଅପ୍ରତ୍ୟାଶିତ ଭାବରେ ଡିନର ଶେଷ ହେଲା । ମି: ବାତ୍ତିସତାଙ୍କ କଥାଗୁଡ଼ିକ ମନଯୋଗ ସହକାରେ ଶୁଣିବା ପରେ ଏମିଲିୟାର କଥା ମୋର ମନେ ପଡ଼ିଲା । କିନ୍ତୁ ସେ ଏମିତି ଭାବ ଦେଖେଇଲା ଯେ ତହିଁରେ ମୋର ଅସ୍ଥିରତା ଆହୁରି ବଢ଼ିଗଲା ।

 

ଏମିଲିୟାକୁ କହିଲି...ଥରୁଟେ ଛାତ ଉପରକୁ ଚାଲ ଯିବା–ଆକାଶରେ ଜ୍ୟୋତ୍ସ୍ନାର ଜୁଆର–

 

ସେ ଶୁଷ୍କ କଣ୍ଠରେ କହିଲା–ମୁଁ ଯିବି ନାହିଁ–ନିଦ ଆସିଲାଣି–ବଡ଼ କ୍ଲାନ୍ତ ହୋଇପଡ଼ିଛି ।

 

ଆଉ କିଛି ନ କହି ଆକସ୍ମିକ ଭାବରେ ବିଦାୟନେଲା ଏମିଲିୟା ।

 

ତୃପ୍ତ, ଉତ୍‌ଫୁଲ୍ଲ ଦେଖାଯାଉଥିଲେ ମି:ବାତ୍ତିସତା ! ଏମିଲିୟାର ମନରେ ସେ–ଯେ ବିପର୍ଯ୍ୟୟ ସୃଷ୍ଟି କରିବାପାଇଁ ଚାହାନ୍ତି–ଇୟେ ଯେମିତି ତାର ଇଙ୍ଗିତ । କିନ୍ତୁ ମୋର ଅଧୀରତା ଦ୍ୱିଗୁଣ ବଢ଼ିଗଲା । କୌଣସି ପ୍ରକାରେ କ୍ଲାନ୍ତ ହୋଇଥିଲେ ମଧ୍ୟ ସ୍ୱସ୍ତି ପାଉ ନ ଥିଲି । ଶୋଇବା ବାହାନାରେ ମି: ବାତ୍ତିସତାଙ୍କ ପାଖରୁ ବିଦାୟ ନେଇ ଚାଲି ଆସିଲି...

 

ଭିତର କବାଟ ଦେଇ ଏମିଲିୟାର ଶୟନକକ୍ଷରେ ଆସି ଉପସ୍ଥିତ ହେଲି । ଦରଜା ଉପରେ ମୃଦୁ କରାଘାତ କରିବା ମାତ୍ରକେ ଏମିଲିୟା ଆସି ମୋତେ ଡାକିଲା । ବିଛଣା ଉପରେ ସେ ଚିନ୍ତିତ ଭାବରେ ବସିଥିଲା । ମୋତେ ଦେଖି ବା ମାତ୍ରକେ ବିରକ୍ତ ଓ କ୍ଲାନ୍ତ କଣ୍ଠରେ ପ୍ରଶ୍ନ କଲା, ମୋ ପାଖରୁ ଆଉ କଣ ଚାହଁ କୁହତ ?

 

କିଛି ନାହିଁ–କେବଳ ରାତିକପାଇଁ ତୁମଠାରୁ ବିଦାୟ ନେବା ପାଇଁ ଆସିଥିଲି ।

 

ନା, ଜାଣିବାକୁ ଚାହଁ–ଆଜି ସନ୍ଧ୍ୟାରେ ମି: ବାତ୍ତିସତାଙ୍କ ସହିତ ତୁମର ଆଲୋଚନାରେ ମୋର ମତାମତ କଣ ? ଯଦି ଜାଣିବାକୁ ଚାହଁ–ଶୁଣ; ତୁମର କଥାବାର୍ତ୍ତା ଯେ କେବଳ ସମୟୋଚିତ ନୁହେଁ ଏ କଥା ନୁହେଁ–ହାସ୍ୟକର ମଧ୍ୟ ହୋଇପଡ଼ିଛି ।

 

କାହିଁକି ?

 

ତୁମକୁ ମୁଁ ବୁଝିପାରେ ନାହିଁ... ସତରେ ବୁଝିପାରେ ନାହିଁ... ଚିତ୍ରନାଟ୍ୟ ଲେଖି ଅର୍ଥ ଉପାର୍ଜ୍ଜନ କରୁଛ...ତଥାପି କହୁଛ–ଏ କାମ ତୁମକୁ ଭଲ ଲାଗୁ ନାହିଁ...ଥିଏଟର ପାଇଁ ନାଟକ ଲେଖିବା ହିଁ ତୁମର ଇଚ୍ଛା...କିନ୍ତୁ ତମେ କଣ ଏହି ସହଜ କଥାଟି ବୁଝିପାରୁ ନାହିଁ...ଆଜି ଭଦ୍ରତା ଖାତିରରେ ହେଉ ବା ଚକ୍ଷୁ ଲଜ୍ଜାରେ ହେଉ କିଛି ନ କହିଲେ ହେଁ ହୁଏତ କାଲି ବାତ୍ତିସତା ଏସମ୍ୱନ୍ଧରେ ଚିନ୍ତା କରିବେ...ଯେମିତି ତୁମକୁ ଆଉ କାମ ଦିଆ ନଯାଏ ?

 

ସିଦ୍ଧାନ୍ତ କରିଥିଲି ନିରବ ରହିବି ।

 

କିନ୍ତୁ ତାର ଏହି ଅବଜ୍ଞା ଭରା କଣ୍ଠସ୍ୱର ଶୁଣି କୌଣସି ବିଷୟ ଚିନ୍ତା ନ କରି କହିଲି...ତେବେ ଏକଥା ଜାଣି ରଖ...ଯାହା କହୁଛି, ଠିକ୍‌ ହିଁ କହିଛି...ଏ କାମ ମୋତେ ଭଲ ଲାଗେ ନାହିଁ...କେବେ ବି ଭଲ ଲାଗି ନାହିଁ...ତା’ଛଡ଼ା, ଏକଥା ବି ଠିକ୍‌ ନୁହେଁ ଯେ ମୁଁ ଏହି କାମଟି କରିବି ।

 

ନିଶ୍ଚୟ କରିବ ।

 

ତା ପାଖରୁ ଏମିତି ଅପମାନ ଆଶା କରି ନ ଥିଲି । ଓଠ କାମୁଡ଼ି ନିଜକୁ ଅଳ୍ପ ସଂଯତ କରିନେଲି । କହିଲି...କରି ବି ନ ପାରେ...ଅବଶ୍ୟ କାଲି ସକାଳ ଯାଏ ଭାବିଥିଲି–କରିବି...କିନ୍ତୁ ଆଜି ଦିନକ ଭିତରେ ଏମିତି ସବୁ ଘଟଣା ଘଟିଛି ଯା, ଫଳରେ ହୁଏତ କାଲି ସକାଳୁ ଜଣାଇଦେବା ପାଇଁ ହେବ....କାମ ଛାଡ଼ିଦେଲି ।

 

ପ୍ରତିହିଂସା ନେବା ଇଚ୍ଛାରେ କଥାଗୁଡ଼ିକ କହିଲି । ଏମିଲିୟା ମୋତେ ବ୍ୟଥା ଦେଇଚି । ତେଣୁ ଝରକା ଭିତର ଦେଇ ଯାହା ଦେଖିଛି ଇଙ୍ଗିତରେ ତାହା ଜଣାଇ ଦେଇ ଏମିଲିୟାକୁ ବ୍ୟଥା ଦେବାକୁ ଚାହିଁଲି ।

 

ମୋ ଆଡ଼କୁ ଚାହିଁ ଶାନ୍ତ କଣ୍ଠରେ ଏମିଲିୟା କହିଲା, ପୁଣି କଣ ସବୁ ଘଟଣା ଘଟିଲା ?

 

ଅନେକ...ଅନେକ ଘଟଣା ।

 

କିନ୍ତୁ ଘଟଣାଟା କଣ–ଖୋଲି କରି କହୁନା ।

 

ତାକୁ ଏଡ଼ାଇ ଯିବାପାଇଁ ଚାହିଁଲି । କହିଲି, ଫିଲ୍‌ମ ସଂକ୍ରାନ୍ତୀୟ ଘଟଣା, ସେସବୁ ତୁମକୁ କହି କୌଣସି ଲାଭ ନାହିଁ ।

 

କଣ ହେଇଛି–କହିବାକୁ ଚାହୁଁ ନା କାହିଁକି ?

 

ସେ ସବୁ ତୁମକୁ ଭଲ ଲାଗିବ ନାହିଁ ।

 

ବୋଧହୁଏ ସତ...ତେବେ, କାମଟା ଛାଡ଼ି ଦେବାର ସାହାସ ତୁମର ନାହିଁ...ମୁଁ ଜାଣେ ତୁମେ ଠିକ୍‌ଠିକ୍‌କାମଟା କରିଯିବ ।

 

ସେ କଥା କାହିଁକି ଭାବୁଛ ?

 

କାରଣ–ମୁଁ ତୁମକୁ ଜାଣେ....କେତେଥର ତ ଶୁଣିଛି...ଏ କାମ ତୁମେ କରିବା ପାଇଁ ଅନିଚ୍ଛୁକ, କିନ୍ତୁ ଦେଖୁଛି...ତମେ ନିର୍ବିବାଦରେ କରି ଯାଉଛ...ଚିତ୍ରନାଟ୍ୟ ସମ୍ପାଦନାର ସବୁ ଅସୁବିଧା ଶେଷ ପର୍ଯ୍ୟନ୍ତ ଦୂର ହୋଇ ଯାଏ ।

 

ହୋଇପାରେ...କିନ୍ତୁ ଏଥରର ଅସୁବିଧାଟା ଚିତ୍ରନାଟ୍ୟ ନେଇ ନୁହେଁ ।

 

ତେବେ କେଉଁଠି ?

 

ଅସୁବିଧାଟା ହେଲା ସଂପୂର୍ଣ୍ଣ ବ୍ୟକ୍ତିଗତ ।

 

ମାନେ ?

 

ଏହାର ଠିକ୍‌ ଉତ୍ତର ହେବ ଯଦି କୁହେ...ମି: ବାତ୍ତିସତା ତୁମକୁ ଚୁମ୍ୱନ କରିଛନ୍ତି–ସେଇଥିପାଇଁ

 

କିନ୍ତୁ ନା । ଆତ୍ମଦମନ କଲି ! ଏମିତି କେତେ ଅକୁହା କଥା ତ ଆମ ଭିତରେ ରହିଛି ।

 

ମାନେ ତୁମେ ଭଲ ଭାବରେ ଜାଣ...ଡିନର ଟେବୁଲରେ ତ କହିଛି...ଅନ୍ୟ ପାଇଁ ମୁଁ କାମ କରି ପାରୁ ନାହିଁ...ନିଜ ପାଇଁ କାମ କରିବାକୁ ଚାହେଁ ।

 

ତୁମକୁ କିଏ ମନା କରିଛି ?

 

ତୁମେ ନିଜେ...ତେବେ ପ୍ରତ୍ୟକ୍ଷ ଭାବରେ ନୁହେଁ ମୋର ଜୀବନରେ ତୁମର ଉପସ୍ଥିତ–ଆମର ବର୍ତ୍ତମାନ ସମ୍ପର୍କ...ପ୍ରଥମରୁ ତ କହିଛି ତୁମେ ମୋର ବିବାହିତା ପତ୍ନୀ...ତୁମ ପାଇଁ କେବଳ ମୁଁ ଏ ସମସ୍ତ କାମ କରେ...ତୁମେ ବି ତାହା ଭଲଭାବରେ ଜାଣ...ତା’ଛଡ଼ା କରଜ ଅନେକ ରହିଛି...ଫ୍ଲାଟ୍‍ ଓ ଗାଡ଼ିର କିସ୍ତି ପରିଶୋଧ କରିବାକୁ ପଡ଼ିବ...ତେଣୁ ଚିତ୍ରନାଟ୍ୟ ଲେଖେ...ବର୍ତ୍ତମାନ ତୁମ ପାଖରେ ଗୋଟାଏ ପ୍ରସ୍ତାବ କରିବି ।

 

କି ପ୍ରସ୍ତାବ–ଶୁଣେ ?

 

ତୁମେ ହିଁ କୁହ–କାମଟା କରିବି କି ନାହିଁ...ଯଦି ମନାକର...କାଲି ସକାଳୁ ବାତ୍ତିସତାଙ୍କୁ ଜଣାଇଦେବି; ପ୍ରଥମ ଷ୍ଟିମାରରେ କ୍ୟାପ୍ରି ପରିତ୍ୟାଗ କରି ଚାଲିଯିବା ।

 

ଏମିଲିୟା ଅଳ୍ପ ଚିନ୍ତାକରି କହିଲା, ତୁମେ ବଡ଼ ଧୂର୍ତ୍ତ !

 

କାହିଁକି ?

 

ପରେ ଅସୁବିଧା ହେଲେ ଯେମିତି କହିପାରିବ...ଦୋଷ ମୋର ନିଜର ।

 

ନା–ନା, କେବେହେଲେ କହିବି ନାହିଁ...ମୁଁ ନିଜେ ଯେତେବେଳେ ତୁମର ମତ ଚାହୁଁଛି ।

 

ଏମିଲିୟା ପୁନରାୟ ଭାବିବାକୁ ଲାଗିଲା ।

 

ତାର ଉତ୍ତର ଉପରେ ସବୁକିଛି ନିର୍ଭର କରୁଛି । ଅଧୈର୍ଯ୍ୟ ଭାବରେ ତାର ମୁହଁକୁ ଚାହିଁ ରହିଛି ।

 

ଏମିଲିୟା କହିଲା–ଏ ସବୁ ବ୍ୟାପରରେ ଅନ୍ୟର ମତାମତ ନେବା ଠିକ୍‌ ନୁହେଁ ।

 

କିନ୍ତୁ ମୁଁ କହୁଛି–

 

ତେବେ–ମୁଁ କହିବି–ଥରେ ଯେତେବେଳେ କାମଟା ଗ୍ରହଣ କରିଛି, ଛାଡ଼ିଦେବା ଉଚିତ୍‌ ହେବ ନାହିଁ ।

 

ବେଶ୍‌ ! ପରେ ଯେମିତି ତୁମେ ନ କୁହ ଯେ–ଏହି କାମରେ ମୋର ଆଗ୍ରହ ଦେଖି ହିଁ ଏକଥା କହିଛ । ସତରେ କହୁଛି, ମୋର ତିଳେହେଲେ ଆଗ୍ରହ ନାହିଁ ।

 

ବିଛଣା ଛାଡ଼ି ଠିଆହୋଇ ଏମିଲିୟା କହିଲା...ଓଃ ମୋତେ କ୍ଲାନ୍ତ କରିଛ...ଏ ତ ମୋର ଉପଦେଶ ଛଡ଼ା ଆଉ କିଛି ନୁହେଁ...ତୁମେ ତୁମର ଯାହା ଇଚ୍ଛା କରିପାର...ମୋର ଆପତ୍ତି ନାହିଁ...ତଥାପି ମୋତେ ମୁକ୍ତି ଦିଅ ।

 

ତାର କଥାରେ ଅବଜ୍ଞାର ସ୍ୱର । ଯେଉଁଦିନ ରୋମରେ ମୋ ମୁହଁ ଉପରେ ଏମିଲିୟା କହିଥିଲା–ମୁଁ ତୁମକୁ ଘୃଣା କରେ, ସେଦିନ ଯେଉଁ ବ୍ୟଥା ପାଇଥିଲି ଆଜି ତା ଅପେକ୍ଷା ବି ବେଶି କଷ୍ଟ ପାଇଲି । କହିଲି, ଆଉ କାହିଁକି ଏମିଲିୟା...ଆଉ କାହିଁକି ଏ ସବୁ କରୁଛ ? କାହିଁକି ଆମ ଆମ ଭିତରେ ଏହି ବିରୋଧ ?

 

ଅନ୍ୟମନସ୍କଭାବରେ ସେ କହିଲା, ହୁଏତ ଜୀବନଟା ହିଁ ଏହିଭଳି...

 

ଏଥର ସ୍ତମ୍ଭିତ, ସ୍ତବ୍‌ଧ ହୋଇପଡ଼ିଲି ! ଏମିତି ଗଭୀର ଔଦାସିନ୍ୟର ସହିତ ସେ ତ କେବେହେଲେ ଏ କଥା କହି ନାହିଁ । ଇଚ୍ଛା ହେଲା କୁହନ୍ତି–ମୁଁ ତାକୁ ମି: ବାତ୍ତିସତାଙ୍କ ସହିତ ଦେଖିଛି, ତାର ମତାମତ ଜାଣିବାକୁ ଚାହିଁ କେବଳ ତାକୁ ପରୀକ୍ଷା କରୁଥିଲି । ଆମ ପ୍ରଶ୍ନର ସମାଧାନ ହୁଏତ ଏ ଯାଏ ହୋଇପାରି ନାହିଁ । କିନ୍ତୁ ଅସଲ କଥାଟି କୁହାହୋଇ ପାରିଲା ନାହିଁ ।

 

ଶଙ୍କିତ ଭାବରେ କହିଲି, ଯେତେଦିନ ଯାଏ ମୁଁ କ୍ୟାପ୍ରିରେ ରହିଛି ସେତେଦିନ ଯାଏ ତ ଚିତ୍ରନାଟ୍ୟ ନେଇ ବ୍ୟସ୍ତ ରହିବି...ତୁମେ ସେତେବେଳେ କଣ କରିବ ?

 

ବିଶେଷ କିଛି ନୁହେଁ...ଘୂରିବୁଲିବି, ସନ୍ତରଣ କରିବି ସମସ୍ତେ ଯେମିତି କରନ୍ତି ମୁଁ ବି ତାର ବ୍ୟତିକ୍ରମ କରିବି ନାହିଁ ।

 

ଏକାକୀ !

 

ହଁ... ।

 

ଦେହଘଷା ହୋଇପଡ଼ିବ ନାହିଁ ?

 

ନା–କେବେହେଲେ କୌଣସି ବିଷୟ ମୋର ଦେହ–ଘଷା ହୁଏନା...ମୋର ଅନେକ କଥା ଚିନ୍ତା କରିବାର ରହିଛି ।

 

ମୋରି କଥା କେତେ ଚିନ୍ତାକର ?

 

ନିଶ୍ଚୟ !

 

ଏମିଲିୟା ହାତଟା ଟାଣିନେଇ କହିଲି, କଣ ଭାବ ?

 

ହାତଟା ଛଡ଼େଇ ନେଇ କହିଲା, ଅନେକ ଥର ସେକଥା କହିଛି ।

 

ବର୍ତ୍ତମାନ ବି ଠିକ୍‌ ଆଗଭଳି ଭାବ ?

 

ଅନ୍ୟମନସ୍କ ଭାବରେ ଏଥର ଏମିଲିୟା କହିଲା...ଯାଅ ଶୋଇବ...ମୁଁ ଜାଣେ, ତୁମେ କେତେ ଜିନିଷ ପସନ୍ଦ କର ନାହିଁ...ତାହା ସ୍ୱାଭାବିକ ମଧ୍ୟ...ତା’ ଛଡ଼ା ଏହା ଆଗରୁ ଯାହା କହିଛି ତାର ପୁନରାବୃତ୍ତି ମଧ୍ୟ କରିପାରେ...ସେ ସବୁ କହି ଲାଭ କଣ ?

 

କିନ୍ତୁ, ମୁଁ ପୁନରାୟ ଶୁଣିବାକୁ ଚାହେଁ ।

 

କାହିଁକି ? ଆଗେ ଯାହା ଅନେକଥର କହିଛି, ସେ କଥା ତ ପୁର୍ନବାର କହିବି...କ୍ୟାପ୍ରିକୁ ଆସିଛି ବୋଲି ମୋ ମତ ତ ଆଉ ବଦଳିଯାଇ ନାହିଁ ।

 

ମାନେ... ?

 

ମୋର ତିଳେହେଲେ ପରିବର୍ତ୍ତନ ହୋଇନି...ମୁଁ ଆଗଭଳି ରହିଛି ।

 

ମୋ ସମ୍ୱନ୍ଧରେ ତୁମର ଠିକ୍‌ ଆଗ ଧାରଣା ରହିଛି । ନୁହେଁ ?

 

ଅଶ୍ରୁ ରୁଦ୍ଧ କଣ୍ଠରେ ଏମିଲିୟା କହିଲା–କୁହ ତ–ତୁମେ ମୋତେ ଏମିତି ଭାବରେ ଜଳେଇ ପୋଡ଼େଇ ମାର କାହିଁକି ?...ତୁମେ କଣ ମନେକର ଏ ସବୁକଥା ଶୁଣେଇ ମୁଁ ଆନନ୍ଦ ପାଏ ।...ଏ ସବୁକୁ ତୁମ ଅପେକ୍ଷା ମୁଁ ବେଶି ନାପସନ୍ଦ କରେ ।

 

ତାର କଣ୍ଠରେ ବେଦନାର ଆଭାସ ପାଇ ଅଭିଭୂତି ହୋଇପଡ଼ିଲି । ପୁଣି ତାର ହାତ ଧରି କହିଲି–ମୁଁ କେବଳ ତୁମକଥା ଭାବେ...ଚିରଦିନ ଭାବିବି...ଯାହା ବି ଘଟୁନା କାହିଁକି...

 

ଶେଷୋକ୍ତ କଥାରେ ଏମିଲିୟାକୁ ବୁଝେଇବାପାଇଁ ଚାହିଁଲି ଯେ ପ୍ରକୃତରେ ତାର ବିଶ୍ୱାସଘାତକତା ମଧ୍ୟ ମୁଁ କ୍ଷମା କରିଛି ।

 

ଏମିଲିୟା କୌଣସି ଉତ୍ତର ଦେଲା ନାହିଁ । ସେ କେବଳ ଅପେକ୍ଷା କରି ରହିଲା ମୁଁ କେତେବେଳେ ବାହାରିଯିବି ।

 

ଉଦାସ ଭାବରେ ବାହାରକୁ ଚାହିଁରହି କୌଶଳରେ ହାତଟି ଛଡ଼େଇ ନେବାର ଚେଷ୍ଟା ସେ କରିବାକୁ ଲାଗିଲା । ଅବସ୍ଥା ବୁଝିପାରି ରାତିକପାଇଁ ତା ପାଖରୁ ବିଦାୟ ନେଇ ବାହାରି ଆସିଲି । ସଙ୍ଗେ ସଙ୍ଗେ ତାଲାରେ ଚାବି ଲଗେଇବାର ଶବ୍ଦ ହେଲା ।

 

ତୀବ୍ରତର, ନୂତନତର ହୋଇ ଉଠିଲା ମୋର ବେଦନା ।

 

ତା ଆରଦିନ ସକାଳୁ ମି: ବାତ୍ତିସତା ଓ ଏମିଲିୟାର କୌଣସି ଖବର ନ ନେଇ ଘରୁ ବାହାରିଲି...ଅନ୍ୟ ଭାଷାରେ ପଳାୟନ କଲି । ସାରା ରାତ୍ରି ବିଶ୍ରାମ ନେବାପରେ ଗତ ଦିବସର ଘଟଣା ଓ ମୋର ଆଚରଣ ଅବିଶ୍ୱାସ୍ୟ ମନେହେବାକୁ ଲାଗିଲା । ଅସମ୍ଭବ...ସବୁ କିଛି ଅସମ୍ଭବ, ମିଥ୍ୟା । ବର୍ତ୍ତମାନ ସ୍ଥିର ଭାବରେ ଚିନ୍ତା କରିବା ଉଚିତ । ବିବେଚନା ନ କରି କିଛି ଗୋଟାଏ କରିବା ଉଚିତ ହେବ ନାହିଁ । ତେଣୁ ଘର ଛାଡ଼ିଲି ।

 

ମି: ରେନ୍‌ଗୋଲ୍‌ଡ଼ଙ୍କ ହୋଟେଲକୁ ଆସି ଖବର ପାଇଲି ଯେ ସେ ବଗିଚାରେ ରହିଛନ୍ତି-। କିଛି ଦୂର ଆଗେଇଯାଇ ଦେଖିଲି–ରାସ୍ତାର ଶେଷ ପ୍ରାନ୍ତରେ ସ୍ନିଗ୍‌ଧ ରୌଦ୍ରୋଜ୍ୱଳ ସମୁଦ୍ର ଆଉ ଆକାଶର ବାଧାହୀନ ଆଲୋକସ୍ନାତ ଗୋଟାଏ ପ୍ରାଚୀର ଆଗରେ କେତୋଟି ଚେୟାର ଟେବୁଲ୍‌ ସଜ୍ଜିତ ହୋଇ ରହିଛି । ଟେବୁଲ୍‌ ଉପରେ ଗୋଟାଏ ପୋର୍ଟଫୋଲିଓ, କାଗଜ ଓ କଲମ-। ସେ ଆଡ଼କୁ ଯିବାମାତ୍ରକେ ଚେୟାରରୁ ଉଠିପଡ଼ି ମି: ରେନ୍‌ଗୋଲ୍‌ଡ଼ ମୋତେ ଅଭ୍ୟର୍ଥନା କଲେ । ବେଶ୍‌ ପ୍ରଫୁଲ୍ଲ ଦେଖା–ଯାଉଥିଲେ ସେ । ମୋତେ ପ୍ରଶ୍ନ କଲେ, କହନ୍ତୁ ତ ମି: ମଲ୍‌ଟେନି ଏମିତି ସକାଳ ଆପଣଙ୍କୁ କେମିତି ଲାଗେ ?

 

ଚମତ୍‌କାର !

 

ମୋର ହାତ ଧରି ପ୍ରାଚୀର ଆଡ଼କୁ ମୁହଁ ବୁଲେଇ କହିଲେ, ବର୍ତ୍ତମାନ ସବୁକାମ ପଛକୁ ପକେଇ ନୌକାରେ ଦ୍ୱୀପଟା ଥରେ ବୁଲି ଆସିଲେ କେମିତି ହୁଅନ୍ତା ? ଖୁବ୍‌ଭଲ ଲାଗିବ, ନୁହେଁ ?

 

ଭାବିଲି ମି: ରେନ୍‌ଗୋଲ୍‌ଡ଼ଙ୍କ ସହିତ ଗଲେ ସେମିତି କିଛି ଆନନ୍ଦଦାୟକ ହେବ ନାହିଁ । ତେଣୁ ବିଶେଷ ଉତ୍ସାହ ନ ଦେଖେଇ କହିଲି, ହଁ–ଗୋଟାଏ ଦିଗରୁ ମନ୍ଦ ହେବ ନାହିଁ । ରେନ୍‌ଗୋଲ୍‌ଡ଼ ବିଜୟୋଲ୍ଲାସରେ କହିଉଠିଲେ, ଆପଣ ଠିକ୍‌ କହିଛନ୍ତି...କିନ୍ତୁ କେଉଁ ଦିଗରୁ । ଜୀବନ କହିଲେ ଆମେ ଯାହା ବୁଝ ସେ ଦିଗରୁ ନୁହେଁ, ନିଶ୍ଚୟ...କାରଣ ଆମ ପାଖରେ ଜୀବନର ଅର୍ଥ ହେଲା କର୍ତ୍ତବ୍ୟ...ନୁହେଁ ? କର୍ତ୍ତବ୍ୟ ଆଗେ, ସୁତରାଂ କାମ କରିବାକୁ ହେବ ।

 

ପ୍ରାଚୀରଟା ପାଖରେ ଆସି ପୁନରାୟ ଚୌକୀରେ ବସିଲେ ମି: ରେନ୍‌ଗୋଲ୍‌ଡ଼ । ଗମ୍ଭୀର ଭାବରେ କହିଲେ, ଆସନ୍ତୁ, ଆଗକୁ ଆସି ବସନ୍ତୁ । ଆଜି ହିଁ ଆମେ ଆଳାପ ଆଲୋଚନା କରିବା, ଆପଣଙ୍କ ସହିତ ଅନେକ କଥା ଅଛି । ମୁଣ୍ତର ଟୋପିଟା ମୁହଁ ଉପରକୁ ଟାଣିଆଣି ମି: ରେନ୍‌ଗୋଲ୍‌ଡ଼ କହିଲେ, ଆପଣଙ୍କର ମନେଅଛି–ନେପଲ୍‌ସ ଆସିବା ବାଟରେ ‘ଓଡ଼ିସି’ ସମ୍ୱନ୍ଧରେ ମୋର ନିଜର ଅଭିମତ ଓ ବ୍ୟାଖ୍ୟା ଆପଣଙ୍କୁ ଶୁଣାଇଥିଲି ।

 

ହଁ ।

 

ଏ କଥା ବି ହୁଏତ ମନେଅଛି–‘ଓଡ଼ିସି’ର ଉତ୍ସ ଓ ମୂଳଗତ ଭାବ ସମ୍ୱନ୍ଧରେ ଆପଣଙ୍କୁ କହିଥିଲି । କିନ୍ତୁ ସେତେବେଳେ ମୋର ବକ୍ତବ୍ୟ ଶେଷ କରିପାରି ନାହିଁ–ଇଉଲିସିସ୍‌ ତାଙ୍କର ଅବଚେତନ ମନରେ ଅନିଚ୍ଛା ପୋଷଣ କରିଥିଲେ–ତେଣୁ ଘରକୁ ଫେରିବାକୁ ବିଳମ୍ୱ କରିଥିଲେ–ସୁଦୀର୍ଘ ଦଶଟି ବର୍ଷ–

 

ହଁ– ।

 

ଏଥର ଆପଣଙ୍କୁ କହିବି–ମୋର ମତରେ କାହିଁକି ସେ ଘରକୁ ଫେରିଆସିବାକୁ ଚାହୁଁ ନ ଥିଲେ । କାହିଁକି ନା ସ୍ତ୍ରୀ ପେନିଲୋପଙ୍କ ସହିତ ତାଙ୍କର ସମ୍ପର୍କ ମଧୁର ବା ପ୍ରୀତିକର ନ ଥିଲା–ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଦୁହିଁଙ୍କ ଭିତରେ ଏହି ମାନସିକ ବିରୋଧିତା ଦେଖା ଦେଇଥିଲା । ତା ଛଡ଼ା, ଗୃହର ଅଶାନ୍ତିହିଁ ଥିଲା ତାଙ୍କର ଯୁଦ୍ଧଯାତ୍ରାର ପ୍ରଧାନ କାରଣ–ସ୍ତ୍ରୀ ସହିତ ମଧୁର ସମ୍ପର୍କ ନ ଥିବାରୁ ପାରିବାରିକ ଜୀବନରେ ଇଉଲିସିସ୍‌ ମୋଟେ ସୁଖୀ ନ ଥିଲେ ।

 

ଚକ୍ଷୁ ବିସ୍ଫାରିତ କରି ଚାହିଁ ରହିଲି ।

 

ରେନ୍‌ଗୋଲ୍‌ଡ଼ କହିବାକୁ ଲାଗିଲେ–ପେନିଲୋପ ସହିତ ତାଙ୍କର ସମ୍ପର୍କ ଯଦି ପ୍ରୀତିକର ହୋଇଥାନ୍ତା ତେବେ ସେ ନିଜଦେଶରୁ ଦୂରରେ ରହି ନ ଥାନ୍ତେ–ଦର୍ପୀ ବା ଯୁଦ୍ଧ ବ୍ୟବସାୟୀ ସେ ନ ଥିଲେ–ସେ ଥିଲେ ବିଚକ୍ଷଣ, ଜ୍ଞାନୀ ଓ ସାବଧାନୀ । ପତ୍ନୀ ସହିତ ସଦ୍‌ଭାବ ଥିଲେ କେବଳ ବୀରତ୍ୱର ଖ୍ୟାତି ଅର୍ଜନପାଇଁ ସେ ଗୃହତ୍ୟାଗ କରିଥାନ୍ତେ । ଯୁଦ୍ଧର ସୁଯୋଗ ପାଇବା ମାତ୍ରକେ ସେ ତାଙ୍କ ସ୍ତ୍ରୀଙ୍କ ପାଖରୁ ପଳାୟନ କରିଥିଲେ ।

 

ଆପଣଙ୍କର ଉକ୍ତି ସଂପୂର୍ଣ୍ଣ ଯୁକ୍ତିପୂର୍ଣ୍ଣ– ।

 

ମୋର ଉକ୍ତିରେ ଶ୍ଲେଷର ସୂଚନା ପାଇ ଯେମିତି ସେ କହିଲେ–ତା ହେଲେ ସ୍ୱୀକାର କରୁଛନ୍ତି–ଗଭୀର ମନସ୍ତତ୍ତ୍ୱମୂଳକ–ସତରେ ସେୟା...ତେବେ ମନେ ରଖିବେ ମନସ୍ତତ୍ତ୍ୱ ଉପରେ ହିଁ ସବୁ ନିର୍ଭର କରୁଛି...ମନସ୍ତତ୍ତ୍ୱ ଛଡ଼ା କୌଣସି ଚରିତ୍ର ହୋଇପାରେନା...ଚରିତ୍ର ଛଡ଼ା ଗଳ୍ପ ହୁଏନା...ତେବେ ଇଉଲିସିସ୍‌ ଆଉ ପେନିଲୋପର ମନସ୍ତତ୍ତ୍ୱଟା କ’ଣ ? ସେଇଟା ହେଲା–ପେନିଲୋପ ହେଉଛନ୍ତି–ପ୍ରାଚୀନ ରାଜତାନ୍ତ୍ରିକ, ଅଭିଜାତ ଗ୍ରୀସ୍‌ର ପରମ୍ପରାଗତ ନାରୀ...ସେ ଧର୍ମପରାୟଣା, ମହିମାମୟୀ, ଗର୍ବିତା, ସୁଗୃହିଣୀ, ଜନନୀ ଓ ଜାୟା...ଆଉ ଇଉଲିସିସ୍‌ର ଚରିତ୍ର ହେଉଛି ପରବର୍ତ୍ତୀ ଯୁଗର ସୁଫୀ ଓ ଦାର୍ଶନିକ ମତବାଦୀ ଗ୍ରୀସ୍‌ର ଜନସାଧାରଣଙ୍କ ଚରିତ୍ରର ପୂର୍ବ ରୂପାୟନ... ଇଉଲିସିସ୍‌ ସଂସ୍କାରମୁକ୍ତ, ସୁଚତୁର, କୁଣ୍ଠାହୀନ, ଯୁକ୍ତିପରାୟଣ, ବୁଦ୍ଧିମାନ, ନାସ୍ତିକ, ସନ୍ଦେହବାଦୀ...କେତେବେଳେ ବା ମାନବବିଦ୍ୱେଷୀ ।

 

ବାଧାଦେଇ କହିଲି, ମୋର ମନେହୁଏ–ଆପଣ ଇଉଲିସିସ୍‌ଙ୍କ ଚରିତ୍ରକୁ କଳଙ୍କିତ କରୁଛନ୍ତି...ଓଡ଼ିସିରେ...

 

‘ଓଡ଼ିସି’ ସମ୍ୱନ୍ଧରେ ଆମେ ଟିକିଏ ହେଲେ ମୁଣ୍ତ ଘୂରେଇବାକୁ ଚାହୁଁନା–ଚାହୁଁ ଓଡ଼ିସିର ମର୍ମାର୍ଥ ଉଦ୍‌ଘାଟନ କରିବାକୁ–ଓଡ଼ିସିକୁ ସଂପ୍ରସାରଣ କରିବାକୁ–ଆମେ ଚିତ୍ର ନିର୍ମାଣ କରିବାକୁ ଯାଉଛେ–ଓଡ଼ିସି ରଚିତ ହୋଇଯାଇଛି, କିନ୍ତୁ ଆମର ଫିଲ୍ଲ ଏ ଯାଏ ପ୍ରସ୍ତୁତ ହୋଇ ନାହିଁ ବା ଆରମ୍ଭ ହୋଇନି– ।

 

କିଛି ସମୟ ନିରବରହି ରେନ୍‌ଗୋଲ୍‌ଡ଼ କହିଲେ–ଇଉଲିସିସ୍‌ ଆଉ ପେନିଲୋପ ମଧ୍ୟରେ ବିରୋଧର କାରଣ ହେଲା–ଦୁହିଁଙ୍କର ଚାରିତ୍ରିକ ଅସଙ୍ଗତି–ଟ୍ରୟ ଯୁଦ୍ଧ ହେବା ଆଗରୁ ଇଉଲିସିସ୍‌ ଏମିତି ଗୋଟାଏ କିଛି କରିଥିଲେ ଯାହା ଫଳରେ ପେନିଲୋପ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ–ତେବେ କଣ କରିଥିଲେ–ଜଣା ନାହିଁ–ଏଇଠି ମନରେ ଆସକ୍ତି ପେନିଲୋପଙ୍କର ପାଣିପ୍ରାର୍ଥୀଗଣ–ଓଡ଼ିସିରେ ଦେଖିବାକୁ ପାଉଁ–ପ୍ରାର୍ଥୀଗଣ ଇଉଲିସିସଙ୍କ ଆପଣା ଗୃହରେ ସ୍ୱଚ୍ଛନ୍ଦରେ ବାସ କରୁଛନ୍ତି–ଏହି ପରିବେଶଟା ପରିବର୍ତ୍ତନ କରିଦେବାପାଇଁ ହେବ–

 

ସ୍ତବ୍‌ଧଭାବରେ ଚାହିଁ ରହିଲି ତାଙ୍କୁ ।

 

ରେନ୍‌ଗୋଲ୍‌ଡ଼ ପ୍ରଶ୍ନ କଲେ ବୁଝିଲେ ? ଶୁଣନ୍ତୁ ଆହୁରି ପରିଷ୍କାର ଭାବରେ କହୁଛି–ପେନିଲୋପଙ୍କ ପାଣି ପ୍ରାର୍ଥୀଗଣ ଟ୍ରୟ ଯୁଦ୍ଧ ଆଗରୁ ତାଙ୍କରି ପ୍ରଣୟାସକ୍ତ । ଗ୍ରୀସ୍‌ର ପ୍ରଚଳିତ ପ୍ରଥାନୁସାରେ ସେମାନେ ପେନିଲୋପଙ୍କ ପାଖକୁ ଉପହାର ପଠାନ୍ତି–ଗର୍ବଦୃପ୍ତା ଆଉ ମର୍ଯ୍ୟଦାଭିମାନୀ ପେନିଲୋପ ସେମାନଙ୍କର ଉପହାର ଘୃଣାଭରେ ପ୍ରତ୍ୟାଖାନ କରିବାକୁ ଚାହାନ୍ତି–ତାର ଇଚ୍ଛା–ଇଉଲିସିସ୍‌ ଏହି ଅବାଞ୍ଚ୍ଥିତ ପ୍ରାର୍ଥୀମାନଙ୍କୁ ଦୂର କରିଦିଅନ୍ତୁ କିନ୍ତୁ କେଉଁ କାରଣରୁ ଏ ବ୍ୟପାର ଉପରେ ଗୁରୁତ୍ୱ ଆରୋପ କରନ୍ତି ନାହିଁ ଇଉଲିସିସ–ସେ ଯୁକ୍ତିବାନ, ସେ ଜାଣନ୍ତି ଯେ ପେନିଲୋପ ତାଙ୍କର ଅନୁଗତା । ତେଣୁ ସେ ପ୍ରାର୍ଥୀଗଣଙ୍କୁ ମୋଟ ଖାତିର କରନ୍ତି ନାହିଁ–ସେ ସମ୍ୱନ୍ଧରେ କୌଣସି ଆଲୋଚନା ବା ବିବାଦ ସୃଷ୍ଟି କରିବା ତେଣୁ ତାଙ୍କର ଇଚ୍ଛା ନୁହେଁ । ସେ ଶାନ୍ତିମୟ ଜୀବନର ପକ୍ଷ–ପାତି–ଚିରଦିନଧରି କଳଙ୍କକୁ ତାଙ୍କର ଭୟ । ଇଉଲିସିସର ଏହି ନିଷ୍କ୍ରିୟତାରେ ବିରକ୍ତ ହୋଇ ଉଠନ୍ତି ପେନିଲୋପ–ମନରେ ତାଙ୍କର ଜାଗେ ଅବିଶ୍ୱାସ–ସେ ପ୍ରତିବାଦ ଜଣାନ୍ତି–ବିଦ୍ରୋହ କରନ୍ତି, କିନ୍ତୁ ଇଉଲିସିସ ଅବିଚଳ, ନିଷ୍କ୍ରିୟ, ପାଣିପ୍ରାର୍ଥୀମାନଙ୍କ ବିରୁଦ୍ଧରେ ବ୍ୟବସ୍ଥା ଗ୍ରହଣ ପାଇଁ କୌଣସି ଯୁକ୍ତି ସେ ଖୋଜି ପାଆନ୍ତି ନାହିଁ–ପେନିଲୋପକୁ ଉପଦେଶ ଦିଅନ୍ତି–ଉପହାର ଗ୍ରହଣ କର, ସେମାନଙ୍କ ସହିତ ଭଦ୍ର ବ୍ୟବହାର କର–ତହିଁରେ କ୍ଷତି ବା କ’ଣ ? ସ୍ୱାମୀର ଆଦେଶ ପାଳନ କରନ୍ତି ପେନିଲୋପ, କିନ୍ତୁ ତାର ମନର ବିଦ୍ୱେଷ ଧୂମାୟିତ ହେଉଥାଏ–ଭାବନ୍ତି–ସେ ଆଉ ଇଉଲିସିସଙ୍କୁ ଭଲ ପାଇ ପାରିବେ ନାହିଁ–, କେବଳ ତାହା ନୁହେଁ । ତାଙ୍କୁ ଏ କଥା ଜଣାନ୍ତି–ସେତେବେଳେ ଇଉଲିସିସ ଅନୁଭବ କରନ୍ତି–ନିଜର ଅପରିଣାମଦର୍ଶିତା ଫଳରେ ସେ ପେନିଲୋପର ପ୍ରେମ ହରେଇଛନ୍ତି–ପ୍ରତିକାର କରିବାକୁ ଚାହାନ୍ତି, ଫେରି ପାଇବାକୁ ଚାହାନ୍ତି ନିଜର ସ୍ତ୍ରୀକୁ–କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହୁଏ–ବିଷମୟ ହୋଇଉଠେ ତାଙ୍କର ଜୀବନ–ତାଙ୍କ ପକ୍ଷରେ ଇଥାକାରେ ବାସକରିବା ଦୁଃସାଧ୍ୟ ହୋଇପଡ଼େ–ଅବଶେଷରେ ଟ୍ରୟ ଯୁଦ୍ଧର ସୁଯୋଗରେ ସେ ଗୃହତ୍ୟାଗ କରନ୍ତି–ସାତବର୍ଷ ପରେ ଯୁଦ୍ଧ ଶେଷ ହୋଇଯାଏ–ସମୁଦ୍ରପଥରେ ଗୃହାଭିମୁଖେ ଯାତ୍ରାରମ୍ଭ କରନ୍ତି ଇଉଲିସିସ–କିନ୍ତୁ ସେ ଜାଣନ୍ତି–ସ୍ତ୍ରୀ ତାଙ୍କୁ ଭଲପାଏନା, ତେଣୁ ନିଜ ଅଜ୍ଞାତସାରରେ ଫେରି ନ ଆସିବାର ଉପାୟ ସେ ଖୋଜୁଥାନ୍ତି । ତଥାପି ଦିନେ ତାକୁ ଫେରିବାକୁ ପଡ଼ିଲା, ତାଙ୍କର ପ୍ରତ୍ୟାବର୍ତ୍ତନ ପରେ ପେନିଲୋପ ପ୍ରମାଣ କଲେ ଯେ, ସେ ପତିପରାୟଣା, ଜଣାଇଲଲେ, ସ୍ୱାମୀ ପ୍ରତି ତାଙ୍କର ଆନୁଗତ୍ୟ ପ୍ରେମ ନୁହେଁ, ଧର୍ମ । ସେ ପୁନରାୟ ତାଙ୍କର ସ୍ୱାମୀକୁ ଭଲପାଆନ୍ତି, କିନ୍ତୁ ଗୋଟାଏ ସର୍ତ୍ତରେ, ପାଣିପ୍ରାର୍ଥୀଗଣଙ୍କୁ ହତ୍ୟା କରିବାକୁ ହେବ... ଆମେ ଜାଣୁ ଇଉଲିସିସ ହିଂସ୍ର, ରକ୍ତପିପାସୁ ନୁହନ୍ତି...ତାଙ୍କର ମନରେ ପ୍ରତିହିଂସାର ତୃଷ୍ଣା ନାହିଁ...ଶାନ୍ତି ଭିତରେ ଘଟଣାଟାର ନିଷ୍ପତ୍ତି କରିପାରିଲେ ସେ ଖୁସି ହୁଅନ୍ତେ...କିନ୍ତୁ ଏଥର ବୁଝିପାରିଲେ ପ୍ରାଣିପ୍ରାର୍ଥୀମାନଙ୍କୁ ହତ୍ୟା କରିବା ଉପରେ ନିର୍ଭର କରୁଛି ପେନିଲୋପର ପ୍ରେମ, ଶ୍ରଦ୍ଧା । ମନ ସ୍ଥିର କରିନେଲେ ଇଉଲିସିସ...ପ୍ରାର୍ଥୀମାନଙ୍କୁ ହତ୍ୟାକଲେ...ପେନିଲୋପ ଆଉ ତାଙ୍କୁ ଘୃଣା କଲେ ନାହିଁ...ଜଣାଇଲେ ତାଙ୍କର ଅକୃତ୍ରିମ ପ୍ରେମ...ତାପରେ ଦୀର୍ଘ ବିବାହପରେ ସାଧୀତ ହେଲା ଇଉଲିସିସ ଓ ପେନିଲୋପଙ୍କର ପ୍ରଣୟ ମଧୁର ମିଳନ...ସେମାନେ ସେମାନଙ୍କର ଶୁଭପରିଣୟ ଉତ୍ସବ ସଂପନ୍ନ କଲେ, ଅନୁଷ୍ଠିତ ହେଲା ସେମାନଙ୍କର ପ୍ରକୃତ ଶୋଣିତ–ପରିଣୟ...ଏଥର ବୁଝିପାରିଲେ ମି: ମଲଟେନି ? ଗୋଟାଏ କଥାରେ ଇଉଲିସିସ ମଣିଷ ଭଳି ରାଜା ଭଳି ଆଚରଣ କରି ନ ଥିଲେ ବୋଲି ପେନିଲୋପ ତାଙ୍କୁ ଘୃଣା କରିଥିଲେ...ସେହି ଘୃଣା ତାଙ୍କୁ ନେଇ ଯାଇଥିଲା ଟ୍ରୟ ଯୁଦ୍ଧକୁ...ପତ୍ନୀର ପ୍ରେମ...ନିର୍ଝରିଣୀ ଯେଉଠି ଶୁଷ୍କ ସେହି ଗୃହକୁ ଫେରି ଆସିବାକୁ ଇଉଲିସିସ ଚାହିଁ ନାହାନ୍ତି...ଆଉ ଶେଷରେ ପେନିଲୋପର ଶ୍ରଦ୍ଧା ଓ ପ୍ରେମ ପାଇଁ ସେ ନିର୍ମମ ହତ୍ୟା କାର୍ଯ୍ୟରେ ଲିପ୍ତ ହୋଇଥିଲେ...ବୁଝିପାରି ଥିଲେ ?

 

କହିଲି, ହଁ...ବୁଝିଛି ।

 

ଏହି ବ୍ୟାଖ୍ୟା ଶୁଣି ମନର ପୁଞ୍ଜୀଭୂତ ଘୃଣା ତୀବ୍ରତର ହୋଇପଡ଼ିଲା ।

 

ରେନ୍‌ଗୋଲ୍‌ଡ଼ କହିଲେ, ଜାଣନ୍ତି କେମିତି ଭାବରେ ମୁଁ ଏହିପରି ବେଶ କଳ୍ପନା କଲି ? ...ଓଡ଼ିସିରେ ପ୍ରାଣିପ୍ରାର୍ଥୀମାନଙ୍କର ହତ୍ୟାକାଣ୍ତ ଦେଖି...ଇଚ୍ଛା କରିଥିଲେ ଇଉଲିସିସ ଏହି ହତ୍ୟାରୁ ନିବୃତ୍ତ ରହିପାରି ଥାଆନ୍ତେ...କିନ୍ତୁ ହତ୍ୟା କଲେ କାହିଁକି ? ତାଙ୍କର ନିଷ୍ଠୁର ଆଚରଣ ଦ୍ୱାରା ପ୍ରମାଣ କଲେ–ସେ ଶଠ, ନମନୀୟ, ବିଚକ୍ଷଣ ନୁହନ୍ତି ପ୍ରୟୋଜନ ହେଲେ ହିଂସ୍ର ଯୁକ୍ତିହୀନ, ହୃଦୟହୀନ ବି ହୋଇପାରନ୍ତି । କାହା ପାଖରେ ପ୍ରମାଣ କଲେ ?...କାହିଁକି ପେନିଲୋପ ପାଖରେ...ହଁ...ପେନିଲୋପ ପାଖରେ...ଇଉରେକା ! ଇଉରେକା !

 

ନୀରବ ରହିଲି । ମି: ରେନଗୋଲ୍‌ଡ଼ଙ୍କର ଯୁକ୍ତି ଚମତ୍କାର–ଓଡ଼ିସିକୁ ମନସ୍ତତ୍ତ୍ୱମୂଳକ କାହାଣୀରେ ରୂପାନ୍ତରିତ କରିବା ଆକାଂକ୍ଷା ଅନରୂପ । କେବଳ ଏହି କାରଣରୁ ମୋର ମନରେ ଜାଗି ଉଠିଲା ବିଦ୍ୱେଷ ଭାବ–ଯେମିତି କଳୁଷିତ ହୋଇପଡ଼ିଛି ମୋର ଅନ୍ତର । ହୋମର ମଧ୍ୟରେ ସବୁକିଛି ସରଳ, ସହଜ, ପବିତ୍ର ଓ ମହାନ । ମନନ୍‌ଶୀଳତାର, ଉତ୍କର୍ଷତାର ଗଣ୍ତି ମଧ୍ୟରେ ସମସ୍ତ ଅପୂର୍ବ କାବ୍ୟ ରସମୟ ହୋଇ ରହିଛି । କିନ୍ତୁ ମି: ରେନଗୋଲ୍‌ଡ଼ଙ୍କ ବ୍ୟାଖ୍ୟାରେ ସବୁ ନଇଁ ଆସିଛି ଆଧୁନିକ ନାଟକର ପର୍ଯ୍ୟାୟକୁ ,ଅକାରଣରେ ନୀତି ଓ ମନସ୍ତତ୍ତ୍ୱର ଅବତାରଣା କରାହୋଇଛି । ଏଥର ଉପସଂହାର କଲେ ମି: ରେନ୍‌ଗୋଲ୍‌ଡ଼–ଦେଖିଲେ ତ ମି: ମଲଟେନି...ଚିତ୍ରଟି ପୂରାପୂରି ରହିଛି...କେବଳ ରେଖାରେ ଫୁଟାଇ ପାରିଲେ ହେଲା ।

 

କହିଲି, ଆପଣଙ୍କର ବ୍ୟାଖ୍ୟା ସମର୍ଥନ କରିପାରୁ ନାହିଁ ।

 

ବିସ୍ମୟରେ ଆଖି ଦୁଇଟି କପାଳ ଉପରକୁ ଟେକି ମି: ରେନ୍‌ଗୋଲ୍‌ଡ଼ କହିଲେ, ସମର୍ଥନ କରୁ ନାହାନ୍ତି ! କାହିଁକି ?

 

କାରଣ, ଆପଣଙ୍କ ବ୍ୟାଖ୍ୟାରେ ଇଉଲିସିସଙ୍କର ମୂଳ ଚରିତ୍ରର ମର୍ଯ୍ୟାଦା କ୍ଷୂର୍ଣ୍ଣ କରାହୋଇଛି...ଏକ ଆଦର୍ଶ ପୁରୁଷକୁ ଜଣେ ସାଧାରଣ ବ୍ୟକ୍ତି ହିସାବରେ ବର୍ଣ୍ଣନା କରିଛନ୍ତି ଆପଣ-

 

ମି: ରେନ୍‌ଗୋଲ୍‌ଡ଼ଙ୍କ ଓଠ କୋଣର ହସ ଟିକକ ଧୀରେ ଧୀରେ ମିଳେଇ ଗଲା । କର୍କଶ କଣ୍ଠରେ ସେ କହିଲେ ଦେଖନ୍ତୁ ମି: ମଲଟେନି, କିଛି ବୁଝି ନାହାନ୍ତି...ବୁଝି ବି ପାରିବେ ନାହିଁ ।

 

ମାନେ ?

 

ତେବେ ଶୁଣନ୍ତୁ...କାହିଁକି ଏ କଥା କହିଲି । ଆପଣ ଯେମିତି ମନେ କରିଛନ୍ତି ସେମିତି ମର୍ଯ୍ୟାଦାହୀନ, ଶିଷ୍ଟାଚାରହୀନ ଭାବରେ ଇଉଲିସିସଙ୍କୁ ଚିତ୍ରଣ କରିବାକୁ ମୁଁ ଚାହେଁନା ।...ଓଡ଼ିସିରେ ଯେଉଁ ଭାବରେ ଚିତ୍ରଣ କରାଯାଇଛି ଠିକ୍‌ ସେମିତି ଭାବରେ ମୁଁ ଦେଖେଇବାକୁ ଚାହେଁ... ଓଡ଼ିସିରେ ଇଉଲିସିସ କିଏ ?...ସେ ହେଲେ...ମାର୍ଜିତ ରୁଚିର ପୁରୁଷ, ସଭ୍ୟତାର ପ୍ରତୀକ...ତାଙ୍କର ସଭ୍ୟତା କାହିଁ ? ଉଉଲିସିସଙ୍କ ସଭ୍ୟତାର ପ୍ରମାଣ–ତାଙ୍କର ଯୁକ୍ତିପୂର୍ଣ୍ଣ ଓ ବିଜ୍ଞାନ ସମ୍ମତ ଆଚରଣ, ମର୍ଯ୍ୟାଦା ଓ ସୌନ୍ଦର୍ଯ୍ୟବୋଧ, ବୁଦ୍ଧିମତା, ବସ୍ତୁତାନ୍ତ୍ରିକତା...କିନ୍ତୁ ସଭ୍ୟତାର ଅସୁବିଧା ମଧ୍ୟ ରହିଛି । ପେନିଲୋପ ସୁଶିକ୍ଷିତା ନୁହନ୍ତି...ସେ ହେଉଚନ୍ତି ପରମ୍ପରାଗତ ନାରୀ...ସେ ଯୁକ୍ତିର ଧାର ଧାରନ୍ତି ନାହିଁ...ପ୍ରେରଣା, ଶୋଣିତ, ଗର୍ବ...ଏଇ ହେଲା ତାଙ୍କର ସର୍ବସ୍ୱ...ସଂକ୍ଷେପରେ କହିବାକୁ ଗଲେ ‘ଓଡ଼ିସି’ରେ ପେନିଲୋପ ବର୍ବରତା ଓ ଇଉଲିସିସ ସଭ୍ୟତାର ପ୍ରତିମୂର୍ତ୍ତି...ଭାବିଥିଲି ଆପଣ ମଧ୍ୟ ଇଉଲିସିସଙ୍କ ଭଳି ସୁସଭ୍ୟ ଓ ସଂସ୍କୃତି–ସଂପନ୍ନ....କିନ୍ତୁ ଦେଖୁଛି–ଆପଣ ତର୍କ କରୁଛନ୍ତି, ଅମାର୍ଜିତ ରୁଚି ପେନିଲୋପ ଭଳି ।

 

ଆତ୍ମତୃପ୍ତିର ହସ ହସିଲେ ସି. ରେନ୍‌ଗୋଲ୍‌ଡ଼ ।

 

ବିସ୍ୱାଦ ମନେହେଲେ ତାଙ୍କର ଏହି ତୁଳନା । କ୍ରୋଧରେ ବିବର୍ଣ୍ଣ ହୋଇପଡ଼ିଲା ମୋର ମୁହଁ । କମ୍ପିତ କଣ୍ଠରେ କହିଲି, ଯଦି ମନେ କରି ଥାଆନ୍ତି–ସଭ୍ୟତା ଓ ସଂସ୍କୃତିର ଅର୍ଥ ଏହା ଯେ ସ୍ୱାମୀ ତାର ସ୍ତ୍ରୀର ପ୍ରଣୀୟକୁ ପୋଷଣ କରିବ, ତେବେ ମୁଁ ଅମାର୍ଜିତ ରହିବାକୁ ପ୍ରସ୍ତୁତ ମି: ରେନଗୋଲ୍‌ଡ଼... ।

 

ଆଶ୍ଚର୍ଯ୍ୟ ! ଏଥର ମଧ୍ୟ ମି: ରେନଗୋଲ୍‌ଡ଼ ଟିକିଏ ହେଲେ କ୍ରୋଧ ପ୍ରକାଶ କଲେ ନାହିଁ-। ହାତ ଟେକି କହିଲେ, ଆପଣ ଆଜି ମୋଟେ ଯୁକ୍ତିର ଧାର ଧାରୁ ନାହାନ୍ତି । ପେନିଲୋପଙ୍କ ଭଳି ଆପଣଙ୍କ କଥାଗୁଡ଼ିକ ଅଯୌକ୍ତିକ ମନେହେଉଛି...ଗୋଟିଏ କାମ କରନ୍ତୁ...ଘରକୁ ଫେରିଯାଇ ସ୍ଥିର ମନରେ ପୁଣି ଭାବି ଦେଖନ୍ତୁ । କାଲି ସକାଳେ ଚିନ୍ତାର ଫଳାଫଳ ଜଣାଇବେ...କେମିତି-?

 

ବେଶ !

 

ରେନଗୋଲ୍‌ଡ଼ ଉଠିଲେ, ମୁଁ ବି ଠିଆ ହେଲି ।

 

ଗମ୍ଭୀର ଭାବରେ ମି: ରେନ୍‌ଗୋଲ୍‌ଡ଼ କହିଲେ, ମୋର ବିନ୍ଦୁମାତ୍ର ସନ୍ଦେହ ନାହିଁ ଯେ ଟିକିଏ ଚିନ୍ତାକଲେ ଆପଣ ମୋ ସହିତ ଏକମତ ହୋଇପାରିବେ ।

 

ମୋର ବିଶ୍ୱାସ ହେଉ ନାହିଁ ।

 

Unknown

ହୋଟେଲ ଆଡ଼କୁ ଦୁହେଁ ଅଗ୍ରସର ହେଲୁ ।

 

ମି: ରେନ୍‌ଗୋଲ୍‌ଡ଼ଙ୍କ ସହିତ ପ୍ରାୟ ଘଣ୍ଟାଏ ଖଣ୍ତେ ଥିଲି । ସୁତରାଂ ତାଙ୍କର ବ୍ୟାଖ୍ୟା ମାନିବି କି ନାହିଁ–ଆଉ ଥରେ ଭାବି ଦେଖିବାର ସମୟ ଯଥେଷ୍ଟେ ରହିଛି; କିନ୍ତୁ ବାହାରକୁ ଆସି ତାଙ୍କର କଥା ଚିନ୍ତା କରିବାର ପ୍ରବୃତ୍ତି ହେଲା ନାହିଁ...ପ୍ରକୃତିର ସୌନ୍ଦର୍ଯ୍ୟ ଏକାଗ୍ର ଚିତ୍ତରେ ଉପଭୋଗ କରିବାର ଇଚ୍ଛା ହେଲା । ମି: ରେନ୍‌ଗୋଲ୍‌ଡ଼ଙ୍କର କଳ୍ପନା ଚିତ୍ରନିର୍ମାଣର ଗଣ୍ତି ଛାଡ଼ି ଅନେକ ଦୂର ଚାଲିଯାଇଛି । ସେ କହିଛନ୍ତି ଏମିତି କିଛି ଯାହା ଅବ୍ୟକ୍ତ, ଅବର୍ଣ୍ଣନୀୟ । ତେଣୁ ମୋତେ ଆଉ ଥରେ ଭାବି ଦେଖିବାକୁ ପଡ଼ିବ ।

 

ସକାଳୁ ଘରୁ ବାହାରିବା ସମୟରେ ଦେଖିଛି ଗୋଟାଏ ନିର୍ଜନ ଛୋଟ ଜାଗା...ବାତ୍ତିସତାଙ୍କ ପ୍ରାସାଦର ଠିକ୍‌ ତଳକୁ । ସ୍ଥିର କଲି ସେଇଠିକି ଯିବି । ସେିଠି ବସି ଭାବି ପାରିବି, ଆଉ ନ ପାରିଲେ ସନ୍ତରଣ କରିବି ।

 

ସେଯାଏ ସକାଳ ଯାଇନି । ରାସ୍ତା ଉପରେ ଖୋଲା ପାଦରେ ଗୋଟାଏ ଦୁଇଟି ପିଲା ଘୂରି ବୁଲୁଛନ୍ତି–ଶୁଣାଯାଉଛି ସେମାନଙ୍କର ପଦଧ୍ୱନି, ଚତୁର୍ଦ୍ଦିଗ କଳରବରେ ମୁଖର କରି ହାତ ଧରାଧରି ହୋଇ ଚାଲିଛନ୍ତି କେତୋଟି ଛୋଟ ଝିଅ । ସେମାନଙ୍କର ନୀଳ ଛୋଟ ଛୋଟ ଆଖି ଆନନ୍ଦ ଉଜ୍ଜ୍ୱଳ । କେତେଜଣ ବୃଦ୍ଧା ଭଦ୍ରମହିଳା କୁକୁରମାନଙ୍କୁ ସାଙ୍ଗରେ ଧରି ବୁଲି ବାହାରିଛନ୍ତି । ଛାୟାଘେରା ଜନବିରଳ ପଥ । ଯେଉଁ ରାସ୍ତା ଦେଇ ଯାଇଥିଲି ସେହି ରାସ୍ତାରେ ଫେରିଲି । ଯେଉଁ ରାସ୍ତାଟି ଦ୍ୱୀପକୁ ବେଷ୍ଟନ କରି ରହିଛି ତାକୁ ପାରିହୋଇ ଗୋଟିଏ ସରୁ ଗଳିକୁ ଚାଲି ଆସିଲି । ଗଳିପାରି ହୋଇ ଆସି ଗୋଟାଏ ନୂତନ ରାସ୍ତା ପାଇଲି । ରାସ୍ତାଟି ଗ୍ରୀଷ୍ମବାସର ଆଡ଼କୁ ଯାଇଛି । ପରିଶେଷରେ ସେହି ପଥରେ ଆଗେଇଲି । ଗ୍ରୀଷ୍ମାବାସକୁ ଆସି ତଳକୁ ଚାହିଁ ଦେଖିଲି । ତିନିଶହ ଫୁଟ ତଳେ ସମୁଦ୍ର ଯେପରି ଥରୁଛି, ସୂର୍ଯ୍ୟାଲୋକରେ ଝଲମଲ କରୁଛି...ପବନର ଗତି ସହିତ ପରିବର୍ତ୍ତନ ହେଉଛି ରଙ୍ଗର...କେଉଁଠି ନୀଳ, କେଉଁଠି ସବୁଜ, ଜଳ–ଦୂରେ, ଅନେକ ଦୂରେ । ଏହି ଦୂର ଅଚଞ୍ଚଳ ସମୁଦ୍ର ଭିତର ଦ୍ୱୀପରୁ ସମ–ବିଳମ୍ୱିତ ପାହାଡ଼ଗୁଡ଼ିକ ପକ୍ଷ ବିସ୍ତାର କରି ଯେମିତି ମୋ ଆଡ଼କୁ ଉଡ଼ି ଆସୁଛନ୍ତି, ତୀର ଭଳି ଉପରକୁ ଦଳ ଦଳ ହୋଇ ଉଠୁଛନ୍ତି । ସେମାନଙ୍କର ଉନ୍ନତ, ଉନ୍ନୁକ୍ତ ଶିରରେ ସୁନେଲି ଆଲୋକର ପ୍ଲାବନ ।

 

ଅତର୍କିତ ଭାବରେ ଆତ୍ମହତ୍ୟାର ଆକାଂକ୍ଷା ମନରେ ଜାଗି ଉଠିଲା–ଇଚ୍ଛା ହେଲା ଆଲୋକର ଏହି ପ୍ରାଚୁର୍ଯ୍ୟ ଭିତରେ ଚିରଦିନ ପାଇଁ ଶୋଇ ରହନ୍ତି । ଜୀବନରେ ଯେଉଁ ପବିତ୍ରତା ରକ୍ଷାକରି ପାରି ନାହିଁ । ମୃତ୍ୟୁରେ ହିଁ ତାହା ଅର୍ଜ୍ଜନ କରିବାକୁ ପଡ଼ିବ । ମୃତ୍ୟୁ ହିଁ ମୋର ପରମ ଶାନ୍ତି, ଏକମାତ୍ର କାମ୍ୟ ।

 

ଆତ୍ମହତ୍ୟାର ଏହି ପ୍ରଲୋଭନରେ ଉନ୍ମାଦ ହୋଇପଡ଼ିଲି । କ୍ଷଣିକ ପାଇଁ ମୋର ଜୀବନ ବିପନ୍ନ ହୋଇପଡ଼ିଲା । ମନେପଡ଼ିଲା ଏମିଲିୟାର କଥା । ଭାବିଲି ମୋର ମୃତ୍ୟୁ ସଂବାଦ ସେ କେମିତି ଭାବରେ ଗ୍ରହଣ କରିବ ? ନିଜକୁ ଉଦ୍ଦେଶ୍ୟ କରି କହିଲି–ଜୀବନରେ କ୍ଲାନ୍ତ ହୋଇ ତୁମେ ଆତ୍ମହତ୍ୟା କରିବାକୁ ଚାହଁ ନା ଆତ୍ମଘାତୀ ହେବାକୁ ଚାହୁଁଛ ଏମିଲିୟା ପାଇଁ ।...

 

ବିଚଳିତ ହୋଇପଡ଼ିଲି । ବିତୃଷ୍ଣାର ଭାବ କଟିଗଲା ।

 

ତୁମେ କାହିଁକି ମରିବାକୁ ଚାହଁ ? ଏମିଲିୟା ପାଇଁ ଜୀବନ ଦେବାକୁ ଚାହଁ, ନା ଏମିଲିୟା ତୁମର ଏହି ଜୀବନ ଉପରେ ବୀତଶ୍ରଦ୍ଧର କାରଣ ?

 

ମୁଁ ମରିବାକୁ ଚାହେଁ...କାହିଁକି ନା ମୃତ୍ୟୁର ପରେ ବି ହୁଏତ ମୁଁ ଏମିଲିୟାର ଶ୍ରଦ୍ଧା ଅର୍ଜ୍ଜନ କରିପାରିବି...ସେ ମୋତେ ଅନ୍ୟାୟ ଭାବରେ ଘୃଣା କରେ, ତେଣୁ ତାକୁ ଅନୁତପ୍ତ କରିବାକୁ ଚାହେଁ–

 

ଏକଥା ମନେପଡ଼ିବା ମାତ୍ରକେ ମୋର ବର୍ତ୍ତମାନ ଅବସ୍ଥାର ଚିତ୍ର ସମ୍ପୂର୍ଣ୍ଣ ହୋଇଉଠିଲା ।

 

ତୁମ ଭିତରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି କାହିଁକି ?

 

ତାର–କାରଣ–ଇଉଲିସିସ୍‌ ଓ ପେନିଲୋପର ସଂପର୍କ ବର୍ଣ୍ଣନା କରିବାକୁ ଯାଇ ଅଜ୍ଞାତସାରରେ ତୁମର ଓ ଏମିଲିୟାର ସମ୍ୱନ୍ଧରେ ହିଁ ରେନ୍‌ଗୋଲ୍‌ଡ଼ କହିଛନ୍ତି । ଇଉଲିସିସ୍‌ ପ୍ରତି ପେନିଲୋପର ଅବସ୍ଥାର ଅବଜ୍ଞା କଥା ଯେତେବେଳେ ସେ କହିଥିଲେ ତୁମର ସେତେବେଳେ ମନେପଡ଼ିଛି ଏମିଲିୟାର କଥା । ତୁମେ ସେ କଥାରେ ବେଦନା ଅନୁଭବ କରିଛ; ତେଣୁ ତାର ପ୍ରତିବାଦ କରିଛ । ତୁମେ ଭୁଲ କରିଛ । ବର୍ତ୍ତମାନ ସୁଦ୍ଧା ତୁମେ ବୁଝିପାରିନ ଯେ–ଏମିଲିୟାର ଶ୍ରଦ୍ଧା ଅର୍ଜ୍ଜନ କରିବାକୁ ହେଲେ ଆତ୍ମହତ୍ୟାର କୌଣସି ପ୍ରୟୋଜନ ନାହିଁ । ପେନିଲୋପର ପ୍ରେମ ଫେରି ପାଇବା ପାଇଁ ଇଉଲିସିସ୍‌ ପ୍ରଣୟୀମାନଙ୍କୁ ହତ୍ୟା କରିଥିଲେ । ସେ ଦିଗରୁ ଦେଖିବାକୁ ଗଲେ ମି: ବାତ୍ତିସତାଙ୍କୁ ତୁମର ହତ୍ୟା କରିବା ଉଚିତ । କିନ୍ତୁ ବର୍ତ୍ତମାନ ଯୁଗ ସହିତ ‘ଓଡ଼ିସି’ ଯୁଗର ତୁଳନା ଅଚଳ । ଆମେ ଗୋଟାଏ ଭିନ୍ନ ପୃଥିବୀରେ ବାସକରି ରହିଛୁ । ଆମେ ଚାହୁଁ ଶାନ୍ତି । ...ବର୍ତ୍ତମାନ ତୁମର କର୍ତ୍ତବ୍ୟ ହେବ–ମି: ରେନଗୋଲ୍‌ଡ଼ଙ୍କ ସହିତ ସଂପର୍କ ଛିନ୍ନ କରି କାଲି ପ୍ରଭାତରୁ ହିଁ ରୋମକୁ ଫେରିଯିବା । ଏମିଲିୟାର କୌଣସି ଉପଦେଶ ତୁମେ ଶୁଣିବ ନାହିଁ । କାମ କରିବ ବୀର ଇଉଲିସିସ୍‌ ଭଳି...

 

ହଁ...ହଁ...ଠିକ୍‌ ସତରେ ତ !

 

ଅଦ୍ୟପ୍ରାନ୍ତ ଆଲୋଚନା କରି ଦେଖିଲି । ନା, ଚିନ୍ତାକରି ଆଉ କୌଣସି ଲାଭ ନାହିଁ । ବର୍ତ୍ତମାନ ହିଁ ମି: ରେନଗୋଲ୍‌ଡ଼ଙ୍କୁ ଜଣାଇ ଦେବି...ମୋର ଅଭିପ୍ରାୟ । ତେବେ ହ,–ଏତେ ତରତର କାହିଁକି ? ଦ୍ୱିପ୍ରହରରେ ଜଣାଇଲେ ବି ଚଳିବ । ଘରକୁ ଫେରି ଏମିଲିୟାକୁ କହିବି ଜିନିଷପତ୍ର ସବୁ ବନ୍ଧାବନ୍ଧି କରିନିଅ । ମି: ବାତ୍ତିସତାଙ୍କୁ କିଛି କହିବି ନାହିଁ । ପ୍ରଭାତରୁ ହିଁ ଏମିଲିୟାକୁ ନେଇ ଚାଲିଯିବି । ଯିବା ପୂର୍ବରୁ କାଗଜରେ ଲେଖି ଦେଇ ଯିବି ମୋର ମତ ସହିତ ମି: ରେନ୍‌ଗୋଲ୍‌ଡ଼ଙ୍କ ମତ ମିଳୁ ନାହିଁ । ବାତ୍ତିସତାଙ୍କ ଦେଖା ନ କରିବା ହିଁ ମଙ୍ଗଳ । ସେ ଧୂର୍ତ୍ତ, ସବୁ ବୁଝି ପକେଇବେ...

 

ଭାବୁ ଭାବୁ ଉଦ୍ଦେଶ୍ୟହୀନ ଭାବରେ ଅଗ୍ରସର ହେବାକୁ ଲାଗିଲି । ଗୋଟାଏ ସରୁଗଳି ପାରିହୋଇ ଉଦ୍ୟାନ ବାଟିକାର ନିମ୍ନଦେଶକୁ ଆସିଲି । ଢାଲୁ ରାସ୍ତାରେ ତଳକୁ ଓହ୍ଲେଇବା ଫଳରେ ଧଇଁସଇଁ ହୋଇପଡ଼ିଲି । ପଥର ଉପରେ ଠିଆ ହୋଇ ଅଳ୍ପ ବିଶ୍ରାମ ନେଲି ।

 

ସମୁଦ୍ରତୀରରେ ବିକ୍ଷିପ୍ତ ଭାବରେ ରହିଛି ବଡ଼ ବଡ଼ ପଥର ଖଣ୍ତ । ପଥରଗୁଡ଼ିକ ଅଳ୍ପ ଆଗରୁ ଯେମିତି ତଳକୁ ଗଡ଼ି ଆସଛି...ସ୍ୱଚ୍ଛ ଜଳ ରାଶିରେ ସୀମା ପାରିହୋଇ ଚାଲିଯାଇଚି ଦୁଇଟି ଶିଳାମୟ ଅନ୍ତରୀପ, ସୂର୍ଯ୍ୟଲୋକରେ ପାଣିତଳର ଛୋଟ ଛୋଟ ପଥର ଦେଖାଯାଉଛି । ତାପରେ ଆଖିରେ ପଡ଼ିଲା ଶିଉଳୀ ଲଗା ବାଲି ଆଉ ପାଣିରେ ଅର୍ଦ୍ଧମଗ୍ନ ଖଣ୍ତିଏ କଳା ପଥର । ଏହି ପଥରର ପଛକୁ ଯାଇ ଶୋଇପଡ଼ିବି ।

 

ପଥରଟିର ପଛକୁ ଯାଇ ଦେଖିଲି...ସେଇଠି ଶୋଇ ରହିଛି ଏମିଲିୟା, ତାର ସର୍ବାଙ୍ଗ ଅନାବୃତ୍ତ ।

 

ପ୍ରଥମେ ଏମିଲିୟାକୁ ଚିହ୍ନି ପାରିଲି ନାହିଁ । ତାର ମୁହଁଟା ଗୋଟାଏ ପାଳ ଟୋପିରେ ଢଙ୍କା । ଇଚ୍ଛାହେଲା ନିଶବ୍ଦରେ ଫେରି ହୁଏତ କୌଣସି ଅପରିଚିତା ସ୍ନାନାର୍ଥିନୀର ନିକଟକୁ ପହଞ୍ଚି ଠିଆ ହୋଇଛି । ତାପରେ ଦୃଷ୍ଟିପଡ଼ିଲା–ବାଲି ଉପରେ ଲୁଣ୍ଠିତ ଦୁଇ ବାହୁ ଉପରେ । ଦେଖିଲି ତାର ହାତରେ ରହିଛି ଗୋଟାଏ ସୁବର୍ଣ୍ଣ ଅଙ୍ଗୁରୀୟ । କିଛିଦିନ ଆଗରୁ ପରିଣୟ–ଉପହାର ସଦୃଶ ଅଙ୍ଗୁରୀୟଟି ଏମିଲିୟାକୁ ଦେଇଥିଲି । ଠିକ୍‌ ତାରି ପଛରେ ମୁଁ ଠିଆ ହୋଇଥିଲି । ସମସ୍ତ ବସ୍ତ୍ର ପରିତ୍ୟାଗ କରି ଅଦୂରରେ ରହିଛି ଏମିଲିୟା । ତାର ନଗ୍ନ ଦେହ ବିଶାଳ ଦେଖାଯାଉଚି । ବକ୍ଷ, ଉରୁ, ନିତମ୍ୱ, ଅଣ୍ଟା, ଯୁଗ୍ମସ୍ତନ...ସବୁକିଛି ଅସ୍ୱାଭାବିକ । ମନେହେଲା–ଆକାଶ ଓ ସମୁଦ୍ରର ଅସୀମତାର ଛାୟା ତାର ଦେହରେ ପଡ଼ିଛି । କିନ୍ତୁ କାହିଁକି ଏମିତି ମନେହେଉଛି ? ଏହି ଅପ୍ରତ୍ୟାଶିତ ମୁହୂର୍ତ୍ତରେ ମୋର ଦେହର କାମନାରୁ ଯେମିତି ଜାଗିଛି ଏହି ଭାବ । ଏମିଲିୟା ସହିତ ଦୈହିକ ମିଳନର ତୀବ୍ର ଆକାଂକ୍ଷା ହେଲା । କିନ୍ତୁ ତାହା ନିର୍ଭର କରୁଛି ତାର ସମ୍ମତି ଉପରେ...ନା, ନା, ସେ ରାଜି ହେବ ନାହିଁ । ଯେମିତି ଏ ସବୁ ମୋର ଭୁଲ !

 

ସ୍ପଷ୍ଟ କଣ୍ଠରେ ଡାକିଲି, ଏମିଲିୟା !

 

ସେ ଚମକି ପଡ଼ିଲା । ପଛକୁ ନ ଚାହିଁ ସଙ୍କୁଚିତ ଭାବରେ ତାର ଦେହାଭରଣ ନେବାପାଇଁ ହାତ ବଢ଼େଇଲା ।

 

କହିଲି, ଭୟ ନାହିଁ, ମୁଁ–ରିକର୍ଡ଼ୋ ।

 

ସେ ମୁହିଁ ଫେରେଇ ମୋତେ ଥରେ ଦେଖିଲା...ଲଜ୍ଜା ନିବାରଣ ପାଇଁ ଆଉ ବ୍ୟସ୍ତତା ଦେଖେଇଲା ନାହିଁ ।

 

କହିଲି ପ୍ରାୟ ପାଞ୍ଚମିନିଟ ଧରି ତୁମକୁ ଦେଖୁଥିଲି...ମନେ ହେଉଥିଲା ଯେମିତି ଆଜି ପ୍ରଥମ ଦେଖୁଛି... ।

 

ଏମିଲିୟା କିଛି କହିଲା ନାହିଁ । ନୀରବରେ ଅଳ୍ପ ଆଗେଇ ଆସିଲା–ଯେମିତି ମୋତେ ଭଲ ଭାବରେ ଆଉ ଥରେ ଦେଖିନେଲା । ସେ ହୁଏତ ଭାବିଥିଲା କେହି ଅପରିଚିତ ବ୍ୟକ୍ତି ଆସିଛି-। ମୋତେ ଦେଖି ତାର ଭୟ ଦୂରୀଭୂତ ହୋଇଗଲା ।

 

କହିଲି–ମୁଁ ଏହି ରହିବି ନା ଚାଲିଯିବି ?

 

ଅଳ୍ପ ଚିନ୍ତାକଲା ଏମିଲିୟା । ତାପରେ ଶାନ୍ତ ଭାବରେ ଖରାରେ ମେଲେଇ ଦେଲା ତାର ନଗ୍ନ ଦେହ ବଲ୍ଲରୀ । କହିଲା, ଇଚ୍ଛା ହେଲେ ରହିପାର–ତେବେ ଛାଇ କରିବ ନାହିଁ ଯେମିତି ।

 

ତାହାହେଲେ ସତରେ ସେ କଣ ମନେକରେ–ମୋର ଅସ୍ତିତ୍ୱ ନାହିଁ, ମୁଁ କେବଳ ଗୋଟାଏ ଛାୟାମୟ ଦେହ–ଯାହାକୁ ଉଜ୍ଜ୍ୱଳ ସୂର୍ଯ୍ୟ ଓ ଏମିଲିୟାର ନଗ୍ନ ଦେହ ମଝିରେ ନିର୍ଭୟରେ ରଖାଯାଇପାରେ, ଯଦିଓ ମୋର ଦୈହିକ ଉତ୍ତେଜଣା ସହିତ ତାର ଦେହରେ ମଧ୍ୟ ଉତ୍ତଜନା ଜାଗିବାର କଥା । ଏହି ଔଦାସିନ୍ୟରେ ବ୍ୟଥିତ, ବିଚଳିତ ହୋଇପଡ଼ିଲି । ଆଶଙ୍କାରେ ଶୁଖିଗଲା ମୁହଁ ଖଣ୍ତକ । କହିଲି ଜାଗାଟା ଚମତ୍କାର...ମୁଁ ମଧ୍ୟ ସୂର୍ଯ୍ୟସ୍ନାନ କରିବି ।

 

ଅଦୂରେ ଗୋଟାଏ ପଥର ଉପରେ ଆଉଜେଇ ବସିଲି ।

 

ଦୁହେଁ ନୀରବ । ସୁନେଲି ଆଲୋକର ଅବାରିତ ଅନନ୍ତ ସ୍ରୋତ ମୋତେ ଘେରି ପକେଇଲା । କଲ୍ୟାଣ ଓ ଶାନ୍ତିର ଅନୁଭୂତିରେ ମୋର ଆଖି ଦୁଇଟି ବୁଜି ହୋଇ ଆସିଲା । କେବଳ କଣ ଖରା ପୋଇଁବାର ଉଦ୍ଦେଶ୍ୟରେ ଏଠିକି ଆସିଛି ? ଯଦି ଏମିଲିୟା ମୋତେ ଭଲ ନ ପାଏ, ତେବେ ରୌଦ୍ର ଉପଭୋଗର ଆନନ୍ଦ ପାଇ ପାରିବି ନାହିଁ ।

 

କହିଲି–ମନେହୁଏ ବିଶେଷ ଭାବରେ...ପ୍ରେମିକ ପ୍ରେମିକାମାନଙ୍କ ପାଇଁ ସ୍ଥାନଟା ତିଆରି-

 

ଏମିଲିୟା କହିଲା, ହଁ ସତରେ ସେୟା ।

 

ତେବେ–ଆମପାଇଁ ନୁହେଁ–ଆମ ଭିତରେ ତ ଆଉ ପ୍ରେମ ନାହିଁ । ଏମିଲିୟା କିଛି କହିଲା ନାହିଁ ।

 

ତା ଆଡ଼କୁ ଚାହିଁ ରହିଲି । ତାକୁ ଦେଖି ଯେଉଁ କାମନା ଜାଗି ଉଠିଥିଲା ପୁଣି ତାହା ପ୍ରବଳ ହୋଇ ଉଠିଲା ।

 

ଗଭୀର ଆବେଗର ଧର୍ମ ଏହା ଯେ ଆମେ ଆବେଗ ଚାଳିତ ହୋଇ ସମ୍ପୂର୍ଣ୍ଣ ଅଜ୍ଞାତସାରରେ ଓ ଇଚ୍ଛାର ବିରୁଦ୍ଧରେ କାମ କରିବସୁ । ଦେଖିଲି କେମିତି ଭାବରେ ଜାଣେନା ଏମିଲିୟାର ପାଖକୁ ଆସି ଯାଇଛି, ତାରି ପାଖରେ ବସିଛି, ତାର ମୁହଁ ପାଖରେ ମୋର ମୁହଁ, ସେ ନିଶ୍ଚଳ ନିଦ୍ରାମଗ୍ନ । ଭୋଜ୍ୟ ପଦାର୍ଥ ମୁହଁରେ ଦେବା ଆଗରୁ କ୍ଷୂଧିତ ଯେମିତି ଆହାର୍ଯ୍ୟ ଆଡ଼କୁ ଚାହେଁ, ସେମିତି ଆକୁଳ ଲୋଲୁପ ଦୃଷ୍ଟିରେ ଦେଖୁଛି ଏମିଲିୟାର ମୁହଁ । ତାକୁ ଚୁମ୍ୱନ କରିବି । କେତେ ଦିନ ଏହି ଗଣ୍ତ ଦେଶରେ ଚୁମ୍ୱନ କରି ନାହିଁ ! ଅର୍ଦ୍ଧ ନିଦ୍ରା ଆଉ ଅର୍ଦ୍ଧ ଜାଗରଣରେ ସେ ଯଦି ସେ ଚୁମ୍ୱନ ଫେରାଇ ଦିଏ ତେବେ ତାର ସ୍ୱାଦ ଓ ଗନ୍ଧ ପୁରାତନ ସୁରା ଭଳି ହୋଇପଡ଼ିବ । ହୁଏତ ମୁହୂର୍ତ୍ତେମାତ୍ର ସେହି ମୁହଁକୁ ଚାହିଁଥିଲି । ଧୀରେ ଧୀରେ ଏମିଲିୟାର ଓଠ ପାଖକୁ ଓଠ ନେଇ ଆସିଲି । କିନ୍ତୁ ଚମ୍ୱନ କଲିନାହିଁ, କିଛି ସମୟ ମୁଗ୍‌ଧ ହୋଇ ରହିଥିଲି । ସଙ୍ଗେ ସଙ୍ଗେ ଅନୁଭବ କଲି ମୃଦୁ ନିଶ୍ୱାସ ଓ ଉତ୍ତପ୍ତ ଓଷ୍ଠର ଉଷ୍ଣତା । ଜାଣେ, ଏହି ଦୁଇ ଓଠ ତଳେ–ଏମିଲିୟା ମୁହଁ ଭିତରେ ରହିଛି ଲାଳର ସ୍ନିଗ୍‌ଧତା–ରୌଦ୍ରଦଗ୍‌ଧ ମାଟିର ଫାଟ ଭିତରେ ସଞ୍ଚିତ ବରଫ ଭଳି । ସେହି ସ୍ୱାଦ କଥା କଳ୍ପନା କରି କରି ଏମିଲିୟାର ଓଠରେ ଓଠ ମିଳେଇଲି । ସେହି ସ୍ପର୍ଶରେ ଟିକିଏ ହେଲେ ଚେଇଁ ପଡ଼ିଲା ନାହିଁ ଏମିଲିୟା, ଟିକିଏ ହେଲେ ବିସ୍ମୟ ପ୍ରକାଶ କଲା ନାହିଁ । ପୁନରାୟ ଓଠରେ ଓଠ ଲଗେଇଲି, ମୃଦୁ ଚାପରୁ ଜୋରରେ ଚାପିଧଇଲି । ତଥାପି ସେ ନିଶ୍ଚଳ, ସ୍ଥିର । ତେଣୁ ଗୋଟାଏ ନିବିଡ଼ ଚୁମ୍ୱନ ଅଙ୍କନ କରିଦେଲି । ସେ ଧୀରେ ଧୀରେ ମୁହଁ ଖୋଲିଲା, ତାର ମାଢ଼ି ଉପରେ ଆସି ଲାଗିଲା ମୋର ଓଠ ଦୁଇଟି, ଅନୁଭବ କଲି–ଗୋଟାଏ କମଳ ବାହୁ ମୋର କଣ୍ଠବେଷ୍ଠନ କଲା ।

 

ହଠାତ୍‌ ଗୋଟାଏ ତୀବ୍ର ଧକ୍‌କାରେ ସମାଧିରୁ ଉଠି ବସିଲି । ମୋ ଆଗରେ ଠିକ୍‌ ପୂର୍ବପରି ଶୋଇରହିଛି ଏମିଲିୟା, ତାର ମୁହଁ ଟୋପିରେ ସଂପୂର୍ଣ୍ଣ ଢାଙ୍କିହୋଇ ପଡ଼ିଛି ।

 

ବୁଝିଲି, ସେହି ଚୁମ୍ୱନର ସ୍ୱପ୍ନ ଦେଖିଛି । ହୁଏତ ବା ଉନ୍ନତ୍ତ ଆକାଂକ୍ଷାର ଅବାନ୍ତର, ଆକର୍ଷଣୀୟ ମୋହରେ ଚୁମ୍ୱନର ଅଭିଜ୍ଞତା ସଂଚୟ କରିଛି...ମୁଁ ଚୁମ୍ୱନ କରିଛି, ସେ ମୋତେ ପ୍ରତିଚୁମ୍ୱନ କରିଛି । କିନ୍ତୁ ଯେ ଚୁମ୍ୱନ କରିଛି ଓ ଯିଏ ତାର ପ୍ରତିଦାନ ଦେଇଛି–ସେମାନେ ଦୁହେଁ ମୋ ଆକାଂକ୍ଷାରେ ଗଢ଼ା ସ୍ୱପ୍ନପ୍ରତିମା–ମୁଁ ଓ ଏମିଲିୟା ନୋହୁଁ ।

 

ଏମିଲିୟାକୁ ଚାହିଁ ଚାହିଁ ଭାବିଲି–ବର୍ତ୍ତମାନ ଯଦି ସତରେ ତାକୁ ଚୁମ୍ୱନ କରିବାକୁ ଚାହେଁ-? ...ମନକୁ ମନ କହିଲି...ନା । ତେବେ କଣ ମୁଁ ପଙ୍ଗୁ ହୋଇପଡ଼ିଛି ? ମୋର ଉପରେ ଏମିଲିୟାର ଘୃଣା କଥା ଚିନ୍ତା କରି କରି ଅବଶ ହୋଇ ପଡ଼ିଲି ?

 

ଅସ୍ପଷ୍ଟ କଣ୍ଠରେ ଡାକିଲି, ଏମିଲିୟା !

 

କଣ ?

 

ଶୋଇ ଶୋଇ ଦେଖୁଥିଲି ଯେ ମୁଁ ତୁମକୁ ଚୁମ୍ୱନ କରୁଛି ।

 

ଏମିଲିୟା ନୀରବ ରହିଲା । ତାର ଏହି ମୌନତାରେ ଶଙ୍କିତ ହୋଇପଡ଼ିଲି ।

 

ତେଣୁ ଅନ୍ୟ ପ୍ରସଙ୍ଗକୁ ଯିବାପାଇଁ ଚେଷ୍ଟାକଲି । ପ୍ରଶ୍ନକଲି...ମି: ବାତ୍ତିସତା ବର୍ତ୍ତମାନ କେଉଁଠି ?

 

ଶାନ୍ତ କଣ୍ଠରେ ଉତ୍ତର ଦେଲା ଏମିଲିୟା, ଜାଣେନା...ତେବେ ହଁ ଏତିକି ଜାଣେ ଯେ ଆମ ସହିତ ଭୋଜନ ନ କରି ମି: ରେନ୍‌ଗୋଲ୍‌ଡ଼ଙ୍କ ସହିତ ଖାଇବେ ।

 

ହଠାତ୍‌ କହି ପକେଇଲି–ଦେଖ ଏମିଲିୟା କାଲି ସନ୍ଧ୍ୟାରେ ଦେଖିଲି ମି: ବାତ୍ତିସତା ତୁମକୁ ଆଦର କରୁଥିଲେ ।

 

ସ୍ୱାଭାବିକ ଭାବରେ ସେ କହିଲା, ଜାଣେ ତୁମେ ଦେଖିଛ...ମୁଁ ମଧ୍ୟ ତୁମକୁ ଦେଖିଛି । ଏମିଲିୟାର କଥା ଶୁଣି ବିଚଳିତ ହୋଇପଡ଼ିଲି, ଅଳ୍ପ ବିବ୍ରତ ମଧ୍ୟ ବୋଧକଲି । ଭାବିଥିଲି–ସ୍ତବ୍‌ଧ ସୂର୍ଯ୍ୟାଲୋକ ଓ ସମୁଦ୍ରର ନୀରବତାରେ ଘୁଞ୍ଜିଯାଇଚି ଆମର ବିରୋଧ । ଦାମ୍ପତ୍ୟ–କଳହ ସ୍ୱାଭାବିକ ଦମ୍ଭ ଓ ଔଦାସିନ୍ୟର ସ୍ତରକୁ ପହଞ୍ଚି ଯାଇଚି । ତଥାପି ଅତି କଷ୍ଟରେ କହିଲି, ତୁମ ସହିତ ଗୋଟାଏ କଥା ଅଛି ଏମିଲିୟା ।

 

ବର୍ତ୍ତମାନ ନୁହେଁ...ମୁଁ କିଛି ସମୟ ଖରାରେ ରହିବି ।

 

ତେବେ, ଉପରଓଳି–

 

ବେଶ୍‌ ।

 

ପଛକୁ ଥରେ ହେଲେ ଫେରି ନ ଚାହିଁ ପ୍ରମୋଦ–ପ୍ରସାଦ ଆଡ଼କୁ ଯାଇ ଥିବା ରାସ୍ତାରେ ଆଗେଇବାକୁ ଲାଗିଲି ।

 

ଲଞ୍ଚ ସମୟରେ କୌଣସି କଥାବାର୍ତ୍ତା ହେଲା ନାହିଁ । ମଧ୍ୟାହ୍ନର ପ୍ରଦୀପ୍ତ ଆଲୋକ ପ୍ରମୋଦ–ପ୍ରାସାଦ ଭିତରେ ଯେମିତି ଆଣିଛି ଅଖଣ୍ଡ ମୌନତା । ଖୋଲା ଝରକା ଦେଇ ଦେଖାଯାଉଛି ଆକାଶ ଓ ସମୁଦ୍ର । ଏମିଲିୟା ଓ ମୋ ମଝିରେ ଯେମିତି ସୃଷ୍ଟି ହୋଇଛି ଅନନ୍ତ ବ୍ୟବଧାନ । ଏହି ସୀମାହୀନ ନୀଳିମା ଯେମିତି ସମୂଦ୍ରର ଗଭୀରତା ଭଳି ଗୋଟାଏ ତରଳ ପଦାର୍ଥ-। ଦୁହେଁ ବସି ରହିଛୁ ସମୁଦ୍ରର ନିମ୍ନଦେଶରେ, ଉଜ୍ଜ୍ୱଳ ଗତିଶୀଳ ପଦାର୍ଥଟି ରହିଛି ଆମର ମଝିରେ, ଦୁହେଁ ନିର୍ବାକ । ...ସ୍ଥିର କରିଛି ଉପର ବେଳା ଆଗରୁ ଏମିଲିୟାକୁ କିଛି କହିବି ନାହିଁ । ମୁହାଁମୁହିଁ ବସି ରହିଛୁ ଅଥଚ ଗୋଟାଏ ଜରୁରୀ ଆଲୋଚନା ମୁଲତବି ରହିଛି । ମି. ବାତ୍ତିସତାଙ୍କ ଚୁମ୍ବନ ବା ଆମର ସମ୍ପର୍କ କଥା ମୋଟେ ଚିନ୍ତା କଲି ନାହିଁ । ଏମିଲିୟା ମଧ୍ୟ ସେକଥା ନିଶ୍ଚୟ ଚିନ୍ତା କଲା ନାହିଁ-। ସମୁଦ୍ର ସୈକତରେ ଯେଉଁ ସାନନ୍ଦ କୌତୁହଳ, ଜଡ଼ତା ଓ ଔଦାସିନ୍ୟରେ ନୀରବ ରହିଥିଲି ଏଯାଏଁ ସେଭାବ କଟିନାହିଁ । ଲଞ୍ଚ ଶେଷ ହେବାପରେ ଏମିଲିୟା କହିଲା ବର୍ତ୍ତମାନ ମୁଁ ଅଳ୍ପ ସମୟ ପାଇଁ ବିଶ୍ରାମ କରିବାକୁ ଯାଉଛି ।

 

ଏମିଲିୟା ବାହାରିଗଲା ।

 

ଏକାକୀ ବସିରହି କିଛି ସମୟ ଖୋଲା ଝରକା ଦେଇ ବାହାରକୁ ଚାହିଁ ରହିଲି–ସ୍ୱଚ୍ଛ, ଆଲୋକ ଉଦ୍‌ଭାସିତ ଦିଗନ୍ତକୁ–ଯେଉଁଠି ସମୁଦ୍ରର ନୀଳ ସହିତ ମିଳନ ହୋଇଛି–ଆକାଶର ଗାଢ଼ ନୀଳିମାର । ସୀମାରେଖା ଧରି ଗୋଟାଏ କଳା ଜାହାଜ ଅଗ୍ରସର ହେଉଚି ଯେମିତି ସୁତା ଉପରେ ଗୋଟାଏ ମାଛି ଚାଲୁଛି । ଛୋଟ ଜାହାଜଟା ଯେମିତି ଗୋଟାଏ କଳାଦାଗ । କିନ୍ତୁ ପାଖକୁ ଗଲା ମାତ୍ରକେ ଦେଖାଯିବ–ପ୍ରକୃତରେ ଜାହାଜଟା ଛୋଟ ନୁହେଁ । ସେଇଠି ରହିଚନ୍ତି ସଜୀବ ମଣିଷ ଓ ମଣିଷର ଭାଗ୍ୟ । ଯାତ୍ରୀମାନେ ଯେମିତି କ୍ୟାପ୍ରିର ଉପକୂଳକୁ ଚାହିଁ ରହିଛନ୍ତି । ସେମାନେ ଉପକୂଳ ଦେଖିବାକୁ ପାଇବେ । ଗୋଟାଏ ଧଳା ଦାଗ, ବୁଝିପାରିବେ ନାହିଁ ଯେ...ଏଠି ରହିଛି ବାତ୍ତିସତାଙ୍କର ପ୍ରମୋଦ–ପ୍ରାସାଦ...ଆମେ ରହିଛୁ ତାହାରି ଭିତରେ...ଅଳ୍ପ ସମୟ ଆଗରୁ ଏମିଲିୟା ଥିଲା ମୋର ନିକଟରେ...ଆମ ଭିତରେ ପ୍ରେମ ନାହିଁ, ଏମିଲିୟା ମୋତେ ଘୃଣା କରେ, ଆଉ–ମୁଁ ଜାଣେନା, କେମିତି ଭାବରେ ଫେରି ପାଇବି ତାର ପ୍ରେମ, ଶ୍ରଦ୍ଧା ଓ ସୋହାଗ ।

 

ତନ୍ଦ୍ରା ଘୋଟିଆସିଲା । ଭାବିଲି ରେନ୍‌ଗୋଲ୍‌ଡ଼ଙ୍କୁ ମୋର ସଙ୍କଳ୍ପ କଥା ଜଣେଇଦେଇ ଆସିବି । ମୋର ଦେହରେ କିଏ ଯେପରି ବାଲଟିଏ ଥଣ୍ଡା ପାଣି ଅଜାଡ଼ି ଦେଲା । ତନ୍ଦ୍ରା କଟିଗଲା । ମୁଁ ଘରୁ ବାହାରି ଆସିଲି ।

 

ମି. ରେନ୍‌ଲୋଡ଼ଙ୍କ ହୋଟେଲକୁ ଆସିବାକୁ ପ୍ରାୟ ଅଧ ଘଣ୍ଟା ଲାଗିଲା ।

 

ହଲ ଭିତରକୁ ପଶି ତାଙ୍କ ପାଖକୁ ଖବର ପଠେଇଲି । ଚଞ୍ଚଳ ହେଲେ ମଧ୍ୟ ମନଟା ଯେମିତି ପରିଷ୍କାର ହୋଇପଡ଼ିଛି । ସ୍ୱସ୍ତି ବୋଧକଲି, ଆନନ୍ଦ ବି ଲାଗିଲା । ହୁଏତ ଏଥର ଠିକ୍‌ ରାସ୍ତାରେ ଚାଲିଛି ।

 

ମୋତେ ଦେଖି ମି: ରେନ୍‌ଗୋଲ୍‌ଡ଼ ଅବାକ୍‌ ହୋଇଗଲେ...ଅଶୁଭ ସମ୍ବାଦର ଆଶଙ୍କାରେ ଯେପରି ବ୍ୟାକୁଳ ବି ହୋଇପଡ଼ିଲେ ।

 

କହିଲି–କ୍ଷମା କରିବେ...ଆପଣଙ୍କ ବିଶ୍ରାମରେ ବ୍ୟାଘାତ ସୃଷ୍ଟି କଲି...ଶୋଇଥିଲେ ବୋଧହୁଏ ।

 

ନା...ନା...ଦିନବେଳେ ମୁଁ ଶୁଏନା...ଏଆଡ଼କୁ ଆସି ବାର୍‌ରେ ବସାଯାଉ ।

 

ବାର୍‌ ଭିତରେ ପଶିଲୁ...ସେଠି କେହି ନାହିଁ, ନିର୍ଜନ ।

 

ରେନ୍‌ଗୋଲ୍‌ଡ଼ କହିଲେ କିଛି ଖାଇବେ ତ ?

 

ନା, କିଛି ଦରକାର ନାହିଁ ।

 

ଏତେ ସହଳ ଆପଣଙ୍କ ପାଖକୁ ଫେରି ଆସିଚି ବୋଲି ଆପଣ ନିଶ୍ଚୟ ଅବାକ୍‌ ହୋଇ ପଡ଼ିଚନ୍ତି । ଗୋଟାଏ ଦିନ ଭାବି ପାରିଥାନ୍ତି, କିନ୍ତୁ ମନେହେଲା କାଲିଯାଏଁ ଅପେକ୍ଷା କରି ରହିବାର କୌଣସି ପ୍ରୟୋଜନ ନାହିଁ...ଏ ସମ୍ବନ୍ଧରେ ଅନେକ ଚିନ୍ତା କରିଛି...ଆପଣଙ୍କୁ ମୋର ଫଳାଫଳ ଶୁଣେଇବାକୁ ଆସିଲି...

 

କୁହନ୍ତୁ !

 

ଏହି ଚିତ୍ରନଟ୍ୟ ଲେଖିପାରିବି ନାହିଁ...ଚାକିରୀ ଛାଡ଼ି ଦେବି ।

 

ମି: ରେନଗୋଲ୍ଡ଼ ନିଃସନ୍ଦେହରେ ତାହା ଆଶା କରିଥିଲେ । ତେଣୁ ସେ ବିସ୍ମିତ ବା ବିଚଳିତ ହେଲେ ନାହିଁ । କହିଲେ ଆମ ଭିତରେ ଆନ୍ତରିକ ଓ ସୁସ୍ପଷ୍ଟ ଆଳାପ ହେବା ଦରକାର ।

 

ମୋର ମନେହୁଏ–ମୁଁ ଆନ୍ତରିକତାର ସହିତ କହୁଛି ଯେ ‘ଓଡ଼ିସି’ ଚିତ୍ରନାଟ୍ୟ ମୁଁ ଲେଖିବି ନାହିଁ ।

 

କିନ୍ତୁ କାହିଁକି ଦୟାକରି କହନ୍ତୁ !

 

କାରଣ ଆପଣ ଯେଉଁ ବ୍ୟାଖ୍ୟା କରିଛନ୍ତି ତାହା ମୋର ମନଃପୂତ ନୁହେଁ ।

 

ଆପଣ ତାହାହେଲେ ମି: ବାତ୍ତିସତାଙ୍କ ସହିତ ଏକମତ ?

 

ଏହି ଅପ୍ରତ୍ୟାଶିତ ଅଭିଯୋଗରେ ବିରକ୍ତିବୋଧ କଲି । ରୁଷ୍ଟ ଭାବରେ କହିଲି, ଏହା ସହିତ ମି: ବାତ୍ତିସତାଙ୍କ ସମ୍ପର୍କ କେଉଁଠି ?

 

ଆପଣଙ୍କୁ ତ କହିଛି, ତାଙ୍କ ସହିତ ବି ମୁଁ ଏକମତ ନୁହେଁ...ତଥାପି, ମି: ବାତ୍ତିସତାଙ୍କ ଆଇଡ଼ିଆଟା ଆପଣଙ୍କ ଅପେକ୍ଷା ଶ୍ରେୟ..ଯାହାହେଉ...ମୁଁ ଏହି କାମ କରିପାରୁ ନାହିଁ...ତେଣୁ ମୁଁ ଦୁଃଖିତ–ତେବେ କହିବି...ଚିତ୍ର ଯଦି ତିଆରି କରିବାର କୌଣସି ଅର୍ଥ ନାହିଁ...ନଗ୍ନନାରୀ, କିଂ କଂ, ଅଶ୍ଲିଳ ନୃତ୍ୟ, ଦୈତ୍ୟ ଦାନବ ଆଉ ଛଦ୍ମବେଶଧାରୀଙ୍କୁ ନେଇ ଗୋଟିଏ ରଙ୍ଗିନ ଛାୟାଚିତ୍ର–

 

ତାହା ମୁଁ କହି ନାହିଁ..ହୋମରଙ୍କ ‘ଓଡ଼ିସି’ ।

 

ତାପରେ ଦୃଢ଼ତା ସହକାରେ କହିଲେ ମି: ରେନଗୋଲଡ଼, ମୁଁ ଯେଉଁ ଓଡ଼ିସି କଥା କହିଛି ସିଏବି ହେଲା ହୋମରଙ୍କର ‘ଓଡ଼ିସି’ ।

 

ନାଁ । ଆପଣ ମୋତେ କହିବାକୁ ବାଧ୍ୟ କରିଚନ୍ତି...ଆପଣଙ୍କର ‘ଓଡ଼ିସି’ ହୋମରଙ୍କର ‘ଓଡ଼ିସି’ ନୁହେଁ...ହୋମରଙ୍କର ଓଡ଼ିସି ମୋତେ ମୁଗ୍ଧ କରେ, ଆପଣଙ୍କର ‘ଓଡ଼ିସି’ ବିରକ୍ତି ଆଣେ ।

 

ମଲଟେନି !

 

ମି: ରେନଗୋଲ୍ଡ଼ ଉତ୍ତେଜିତ ଦେଖାଯାଉଥିଲେ । ମୁଁ ମଧ୍ୟ ଉତ୍ତେଜିତ ହୋଇ କହିଲି–ଏହା ଅସହ୍ୟ...ହୋମରଙ୍କ ସୃଷ୍ଟି ସଦୃଶ ଚିତ୍ର ରୂପାୟନ ଅକ୍ଷମତାରେ ହୋମରଙ୍କ ନାୟକକୁ ହୀନ ପ୍ରତିପନ୍ନ କରିବାର ଏହି ସୁପରିକଳ୍ପିତ ପ୍ରଚେଷ୍ଟା ମୋ ନିକଟରେ ବିରକ୍ତିକର...ମୁଁ କୌଣସିମତେ ଏହି କାମରେ ଅଂଶ ଗ୍ରହଣ କରିପାରିବି ନାହିଁ । ଆପଣଙ୍କର ପରିକଳ୍ପନାରେ ପ୍ରସାରତା ନାହିଁ...ଏଥର ବୁଝି ପାରିଲେ ତ କାହିଁକି ମୁଁ ଏହି ଚିତ୍ରନାଟ୍ୟ ରଚନା କରିବାକୁ ଚାହେଁନା ?

 

ମୋର ସର୍ବାଙ୍ଗ ଘର୍ମାକ୍ତ ହୋଇପଡ଼ିଲା । ମି: ରେନ୍‌ଗୋଲ୍‌ଡ଼ ମୋ ଆଡ଼କୁ କଟାକ୍ଷପାତ କରି କହିଲେ–ଆପଣ ଯେ ମି: ବାତ୍ତିସତାଙ୍କ ସହିତ ଏକମତ ଏକଥା ସେ କାଲି ଲଞ୍ଚରେ ଆସିବା ସମୟରେ ମୋତେ ଜଣେଇଛନ୍ତି...ମୋର ମତ ସହିତ ଆପଣଙ୍କର ମତ ମିଳିବ କେମିତି ? ...ଶିଳ୍ପ ଆପଣଙ୍କ ପାଖରେ ବଡ଼ ନୁହେଁ...ଆପଣ ଚାହାନ୍ତି କେବଳ ଅର୍ଥ...ଯେ କୌଣସି ଉପାୟରେ ଅର୍ଥାଗମ ହେଲେ ହେଲା ।

 

ଗର୍ଜି ଉଠିଲି–ରେନ୍‌ଗୋଲ୍‌ଡ଼ !

 

ବୁଝିଛି ବନ୍ଧୁ ବୁଝିଛି–ଆପଣ କେବଳ ଅର୍ଥଟାକୁ ହିଁ ବଡ଼ ବୋଲି ମନେକରନ୍ତି ।

 

ନିଶ୍ୱାସ ବନ୍ଦ ହୋଇଯାଉଥିଲା । କାଗଜ ଭଳି ସାଦା ହୋଇଗଲା ମୂଖମଣ୍ଡଳ । ପୁନରାୟ କହିଲି, ରେନ୍‌ଗୋଲ୍‌ଡ଼ !

 

ଅନୁଭବ କଲି ମୋର କଣ୍ଠସ୍ୱରରେ ଫୁଟି ଉଠୁଛି ଏକ ଅବ୍ୟକ୍ତ ବେଦନା ଓ ଅନୁନ୍ୱୟ । ମୋର କଣ୍ଠସ୍ୱର ଲକ୍ଷ୍ୟ କଲେ ମି: ରେନ୍‌ଗୋଲ୍‌ଡ଼ । ଟିକିଏ ପଥକୁ ଚାଲିଆସି ବିନୀତ କଣ୍ଠରେ କହିଲେ, କ୍ଷମା କରନ୍ତୁ ମି: ମଲଟେନି..ହଠାତ ସତ କଥା କହିପକେଇଛି ।

 

ଚକିତ ଚପଳ ଭାବରେ କହିଲି ..ହଁ...ହଁ କ୍ଷମାକଲି ।

 

ମୋର ଚକ୍ଷୁ ଦୁଇଟି ଅଶ୍ରୂରେ ଝଲମଲ କରୁଛି ।

 

ଅଳ୍ପ ସମୟ ପରେ ମି: ରେନ୍‌ଗୋଲ୍‌ଡ଼ କହିଲେ, ବେଶ ବୁଝିଲି ଚିତ୍ରନାଟ୍ୟ ଲେଖିବେ ନାହିଁ ବୋଲି ମି: ବାତ୍ତିସତାଙ୍କୁ ଜଣାଇଛନ୍ତି ?

 

ନାଁ ।

 

ଜଣେଇବେ ତ ?

 

ଆପଣ ହିଁ ତାଙ୍କୁ ଜଣେଇବେ...ହୁଏତ ତାଙ୍କ ସହିତ ଆଉ ସାକ୍ଷାତ ହେବ ନାହିଁ...କହିବେ...ସେ ଅନ୍ୟ କାହାଦ୍ୱାରା ଚିତ୍ରନାଟ୍ୟଟି ଯେମିତି ଲେଖେଇ ନିଅନ୍ତି ମି: ରେନ୍‌ଗୋଲ୍‌ଡ଼ଙ୍କ ଆଖି ଦୁଇଟି ଅନୁଭୂତିର ଆଲୋଚନାରେ ଉଦ୍ଭାସିତ ହୋଇଉଠିଲା । ତଥାପି ସେ ସତର୍କ ଭାବରେ ପ୍ରଶ୍ନକଲେ, ଆଚ୍ଛା କୁହନ୍ତୁ ତ, ଆପଣ କେବଳ ମୋ ପରିକଳପିତ ଚିତ୍ରଟିକୁ କରିବାକୁ ଚାହାନ୍ତି ନାହିଁ ନା ଅନ୍ୟ କୌଣସି ରକମରେ କରିବାକୁ ଚାହାନ୍ତି ନାହିଁ ?

 

ଅଳ୍ପ ଚିନ୍ତାକରି କହିଲି, କହିଛି ତ–ଆପଣଙ୍କର ପ୍ରସ୍ତାବିତ ଚିତ୍ରନଟ୍ୟ ମୁଁ ଲେଖିବାକୁ ଚାହେଁନା...ସ୍ପଷ୍ଟ ଭାବରେ ଅସ୍ୱୀକାର କଲେ ହୁଏତ ଆପଣଙ୍କର ଅସୁବିଧା ହୋଇପାରେ, ତେଣୁ ଘୂରେଇ କହୁଛି...ମି: ବାତ୍ତିସତାଙ୍କୁ କହିବେ ମୁଁ ଏକାମ କରିପାରିବି ନାହିଁ...ଆପଣମାନେ ‘ଓଡ଼ିସି’ର ଯେକୌଣସି ବ୍ୟାଖ୍ୟା କରନ୍ତୁନା କାହିଁକି...ମୋର ଇଚ୍ଛା ନାହିଁ...ମୋର ଶରୀର ଅସୁସ୍ଥ...

 

କିନ୍ତୁ ମି: ବାତ୍ତିସତା କଣ ବିଶ୍ୱାସ କରିବେ ?

 

କରିବେ ନିଶ୍ଚୟ, ସେଥିପାଇଁ ଚିନ୍ତା କରିବେ ନାହିଁ ।

 

ଦୁହେଁ ଚଞ୍ଚଳ, କିନ୍ତୁ କାହାରି ଭାଷା ନାହିଁ ।

 

ପରିଶେଷରେ ମି: ରେନ୍‌ଗୋଲ୍‌ଡ଼ କହିଲେ, ତଥାପି ମୁଁ ଅତ୍ୟନ୍ତ ଦୁଃଖିତ ଯେ ଆପଣଙ୍କ ସହଯୋଗିତାରୁ ବଞ୍ଚିତ ହେଉଛି–ଆମ ଭିତରେ କଣ କୌଣସି ଆପୋଷ ମୀମାଂଶା ହୋଇପାରିବ ନାହିଁ ?

 

ଏହା ଆପଣଙ୍କର ଭୁଲ ଧାରଣା ମି: ରେନ୍‌ଗୋଲ୍‌ଡ଼ । ଆପୋଷ ସମ୍ଭବ ନୁହେଁ...ମୁଁ ଯାହା ଚାହେଁ ଆପଣ ଚାହାନ୍ତି ନାହିଁ ।

 

ଆମରି ମତର ବ୍ୟବଧାନଟା ହୁଏତ ବେଶି ନୁହେଁ ।

 

ନା, ମି. ରେନ୍‌ଗୋଲ୍‌ଡ଼–ଭୟଙ୍କର ବେଶି...ହୁଏତ ଆପଣ ‘ଓଡ଼ିସି’କୁ ଯେଉଁ ଦୃଷ୍ଟିଭଙ୍ଗୀ ନେଇ ବିଚାର କରୁଚନ୍ତି ତାହା ଠିକ୍...ତଥାପି ଏ ଯାଏଁ ମୋର ଦୃଢ଼ ଧାରଣା–ହୋମର ଯେମିତି ଲେଖିଛନ୍ତି ଅବିକଳ ସେହିପରି ଭାବରେ ‘ଓଡ଼ିସି’କୁ ଛାୟାଚିତ୍ରରେ ରୂପାୟିତ କରାଯାଇପାରେ । ଏହା ଆପଣଙ୍କର ଦୁରାଶା, ମି. ମଲଟେନି...ଆପଣ ଚାହାନ୍ତି ହୋମରଙ୍କୁ ଜଗତ ଅନୁରୂପ ଗୋଟାଏ ଜଗତ । ...ଦୁଃଖର ବିଷୟ, ତାହା ସମ୍ଭବ ନୁହେଁ ।

 

ଆପଣ...ଆପଣ ବି କ’ଣ ସେହି ଜଗତ ଚାହାନ୍ତି ନାହିଁ ?

 

ନିଶ୍ଚୟ ଚାହେଁ...କିନ୍ତୁ ଚିତ୍ର ନିର୍ବାଚନ କରିବାକୁ ହେଲେ କେବଳ ବ୍ୟକ୍ତିଗତ ରୁଚି ଯଥେଷ୍ଟ ନୁହେଁ...

 

ମି. ରେନ୍‌ଗୋଲ୍‌ଡ଼ ଯେମିତି ମୋର ଯୁକ୍ତି ଅନୁଧାବନ କଲେ, କିନ୍ତୁ ତାଙ୍କର ମନର ସଂଶୟ ପୂରାପୂରି ଅପସାରିତ ହେଲା ନାହିଁ ।

 

ହଠାତ ପ୍ରଶ୍ନ କଲି–ଆଚ୍ଛା ମି ରେନଗୋଲ୍ଡ଼ ! ଦାନ୍ତେଙ୍କର କାବ୍ୟରେ ଇଉଲିସିସ୍‍ ସର୍ଗଟି ନିଶ୍ଚୟ ପଢ଼ିଛନ୍ତି ?

 

ହଁ ।

 

ଏହି ସର୍ଗଟିରେ ଦାନ୍ତେ ଇଉଲିସିସର ମୁହଁରେ ତାଙ୍କ ନିଜର ଓ ସଙ୍ଗୀମାନଙ୍କର ଧ୍ୱଂସର କଥା କହିଛନ୍ତି ।

 

ଜାଣେ ।

 

ଏ ଅଶଂଟି ଆବୃତ୍ତିକରି ଆପଣଙ୍କୁ ଶୁଣାଇପାରେ କି ?

 

ବେଶ୍, ଶୁଣାନ୍ତୁନା ।

 

ମୁହଁ ତଳକୁ କରି ଆବୃତ୍ତି କରିବାକୁ ଲାଗିଲି । ସହଜ ସ୍ୱାଭାବିକ ଶାନ୍ତ ମୋର କଣ୍ଠସ୍ୱର-। ଆବୃତ୍ତି ଶେଷକରି ଠିଆହେଲି । ମି. ରେନ୍‌ଗୋଲ୍‌ଡ଼ ମଧ୍ୟ ଠିଆହୋଇ କହିଲେ–ଆଚ୍ଛା, କେବଳ ଏହି ଅଂଶଟି ବାଛିନେଲେ କାହିଁକି କହନ୍ତୁ ତ ? ଏ ଅଂଶଟି ନିସନ୍ଦେହରେ ସୁନ୍ଦର, ତଥାପି କେଉଁ ଉଦ୍ଦେଶ୍ୟରେ ଅଂଶଟା ଆବୃତ୍ତି କଲେ ?

 

ଠିକ୍ ଏହିଭଳି ଗୋଟାଏ ଇଉଲିସିସ ମୁଁ ସୃଷ୍ଟି କରିବାକୁ ଚାହିଁଥିଲି । ମୋର କଳ୍ପନାରେ ରହିଛି ଏହି ଇଉଲିସିସ...ଆବୃତ୍ତିର ମାଧ୍ୟମରେ ସେହି କଥାଟା ହିଁ କହିଦେଲି । କିନ୍ତୁ ଦାନ୍ତେ ମଧ୍ୟ ଯୁଗର ଲୋକ, ଆଉ ଆପଣ ହେଲେ ଆଧୁନିକ ଯୁଗର । ଏ କଥାର କୌଣସି ଉତ୍ତର ଦେଲେ ନାହିଁ । ମି: ରେନ୍‌ଗୋଲ୍‌ଡ଼ଙ୍କର କରମର୍ଦ୍ଦନକରି କହିଲି–ପୁଣି କେବେ ଆପଣଙ୍କ ସହିତ କାମ କରିବି–ପରିଚୟ ତ ହେଇଗଲା ଆଜି ଆସୁଚି ।

 

ସହଳ ‘ବାର୍’ ବାହାରକୁ ଚାଲିଆସିଲି । ମି. ରେନ୍‌ଗୋଲ୍‌ଡ଼ ହାତ ଦୁଇଟି ବଢ଼େଇ ଟେବୁଲ୍ ଆଗରେ ବସି ରହିଲେ । ଯେମିତି ସେ କହିବାକୁ ଚାହିଁଲେ...କାହିଁକି...କାହିଁକି ଯାଉଚନ୍ତି ?

 

ସିଧା ସଳଳଖ ଘରକୁ ଫେରି ଆସିଲି ।

 

ମାନସିକ ଅସ୍ଥିରତା ଓ ବିଚିତ୍ର ଉଲ୍ଲାସରେ କିଛି ହେଲେ ସ୍ଥିର ଭାବରେ ଭାବିପାରି ନାହିଁ-। ପ୍ରଚଣ୍ଡ ରୌଦ୍ର ଉପେକ୍ଷାକରି ଚାଲିଆସିଛି, ଚିନ୍ତା କରିବାର ଅବକାଶ ପାଇନି–କଣ ହେଇଛି-। ତେବେ ହଁ–ଭାଙ୍ଗି ପକେଇଛି–ଦୁଃସହ ଅବସ୍ଥାର ଅଚଳାୟତନ । ଅବିଳମ୍ବେ ଜାଣିପାରିବ ଏମିଲିୟା ମୋତେ କାହଁକି ଭଲପାଏ ନାହିଁ, ଶୁଣିବି ତାର ଅକୁହାକଥା । ଏହା ଅପେକ୍ଷା ମାର ଚିନ୍ତା ବେଶିଦୂର ଅଗ୍ରସର ହୋଇପାରିଲା ନାହିଁ । କୌଣସି କାମ କରିବା ଠିକ୍ ଆଗେ ଓ ପରେ ଏମିତି ଚିନ୍ତା ଆସେ-। ବିସ୍ମୃତି ଅତୀତର ଭାବନା ଅନ୍ତରରେ ଯେଉଁ ଆବେଗ ଜଗାଏ ତାରି ଫଳରେ ଆମେ କାମକରୁ-। ବସ୍ତୁତଃ ସମୟ ଚିନ୍ତାର ଅସ୍ତିତ୍ୱ ନ ଥାଏ । ଏତେବେଳେ ଯାଏ କାମ କରୁଥିଲି; ତେଣୁ କିଛି ଭାବି ନାହିଁ । ଜାଣେ କାମ ଶେଷ ହୋଇଯିବା ମାତ୍ରକେ ସବୁକଥା ପୁଣି ଭାବିବି । ଘରକୁ ଫେରିଆସି ସିଡ଼ି ପାରିହୋଇ ଶୋଇବାଘରକୁ ଆସି ଦେଖିଲି–କେହି ନାହାନ୍ତି । ଚେୟାର ଉପରେ ଗୋଟାଏ ସାମୟିକ ପତ୍ର ଖୋଲାହୋଇ ପଡ଼ିଛି, ଆଷ୍ଟ୍ରେରୁ ଉଠୁଛି ଅର୍ଦ୍ଧଦଗ୍ଧ ସିଗାରେଟର ଧୂଆଁ, ରେଡ଼ିଓରୁ ବାହାରି ଆସୁଛି ନାଚ ଗୀତର ଆବାଜ । ବୁଝାପଡ଼ୁଛି, ଅଳ୍ପ ଆଗରୁ ଏମିଲିୟା ଏଇଠି ଥିଲା-

 

ଅପରାହ୍ନର ମ୍ଲାନ ଆଲୋକରେ, ହୁଏତ ବା ମୃଦୁ ସଙ୍ଗୀତର ମୂର୍ଚ୍ଛନାରେ ଅତର୍କିତଭାବରେ ମନଟା ଶାନ୍ତହୋଇ ପଡ଼ିଲା । ଘରଟିର ଏହି ମୋହମୟ ପରିବେଶ ଆଶ୍ଚର୍ଯ୍ୟ ମନେହେଲା । ଆମେ ଯେମିତି ଏଠି ଅନେକ ଦିନ ଧରି ବାସ କରିଛୁ । ଏମିଲିୟା ଘରଟିକୁ ଏକାନ୍ତ ଆପଣାର କରିନେଇଛି । ହଠାତ୍ ମନେପଡ଼ିଲା ଗୃହ ପ୍ରତି ଏମିଲିୟାର ଅନୁରାଗ କଥା, ତାର ନାରୀ ସୁଲଭ–ଆକାଂକ୍ଷାର କଥା । ଲକ୍ଷ୍ୟ କଲି, ଏତେ ଘଟଣା ଘଟିବା ସତ୍ତ୍ୱେ ସେ ଏଠି ଦୀର୍ଘଦିନ ଧରି ରହିବାର ବ୍ୟବସ୍ଥା କରିଛି । ସତରେ, କ୍ୟାପ୍ରିକୁ ଆସି ଏମିଲିୟା ଖୁସିହେଇଛି । ମି. ବାତ୍ତିସତାଙ୍କ ପ୍ରାସାଦରେ ରହିବା; ସୁଯୋଗ ପାଇ ତୃପ୍ତିଲାଭ କରିଛି ଆହୁରି ବେଶି ! ଆଉ ମୁଁ ତାକୁ ଜଣାଇବାକୁ ଆସିଛି–ଏଥର ଯିବାକୁ ହେବ ।

 

ଉଦବିଗ୍ନ ଭାବରେ ଏମିଲିୟାର ଶୋଇବା ଘରର ଦରଜା ଫିଟେଇଲି । ଏମିଲିୟା ନାହିଁ-। ବିଛଣା ପାଖର ଚୌକି ଉପରେ ପଡ଼ିଛି ତାର ଗାଉନ୍, ଚଟାଣରେ ସ୍ଲିପର । ଦର୍ପଣ ଆଗରେ ଡ୍ରେସିଂ ଟେବୁଲ ଉପରେ ପ୍ରାସାଧନ ସାମଗ୍ରୀ ପରିଚ୍ଛନଭାବରେ ସଜ୍ଜିତ । ଅଦୂରେ ଟେବୁଲ ଉପରେ ଖଣ୍ଡେ ଇଂରାଜୀ ବ୍ୟାକରଣ–କେତେଦିନ ଧରି ବହିଟି ପଢ଼ୁଛି ଏମିଲିୟା । ରୋମରୁ ଯେଉଁ ସୁଟକେଶଟି ସେ ଆଣିଥିଲା ତାର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ପାଇଲି ନାହିଁ । ଏମିଲିୟାର ପରିଚ୍ଛଦଗୁଡ଼ିକ ଝୁଲୁଛି, ସେଲଫରେ ରହିଛି ଛୋଟ ବଡ଼ ରୁମାଲ, କମରପଟି ଆଉ ଅନେକ ଯୋଡ଼ା ଜୋତା ।

 

ଭାବିଲି ବାତ୍ତିସତା କିମ୍ବା ମୁଁ–ଯାହାକୁ ହେଉ ସେ ଭଲପାଉ, ତହିଁରେ କିଛି ଯାଏ ଆସେ ନାହିଁ । ସମ୍ପୂର୍ଣ୍ଣ ନିଜସ୍ୱ ଗୋଟିଏ ଗୃହ, ନିଶ୍ଚିନ୍ତ ନିରବ ଶାନ୍ତ ଗୋଟାଏ ଆଶ୍ରୟ ନୀଡ଼ ହିଁ ଏମିଲିୟା ପାଖରେ ବେଶି ମୂଲ୍ୟବାନ୍ ।

 

ରୋଷେଇଘର ଆଡ଼କୁ ଗଲି । ରୋଷେଇଘରର ଠିକ୍‍ ପଛପଟକୁ ରୋଷେଇଘର । ବାରଣ୍ଡାକୁ ଆସି ଏମିଲିୟାର ଗଳା ଶୁଣିବାକୁ ପାଇଲି । ସେ ପରିଚାରିକାକୁ ଉପଦେଶ ଦେଉଛି...ମଲଟେନି ସାଧାରଣ ଜିନିଷ ପସନ୍ଦ କରନ୍ତି, ବେଶି ଝୋଳ ବା ରାଗ ବେଶି ଖାଇବାକୁ ପସନ୍ଦ କରନ୍ତି ନାହିଁ । ସିଝା ହୋଇଗଲେ ହିଁ ଚଳିବ...ଏଥିରେ ତ ତୁମର ଖାଟୁଣି କମ୍, ସୁବିଧା କଣ କହୁଛ ଏଗ୍ନେସିନା ?

 

ତେବେ କାମ କଣ କମ୍ ? ....ସାଧାରଣ ରୋଷେଇରେ ହେଲେ କମ୍‍ ପରିଶ୍ରମ ?

 

...ତାହା ହେଲେ କଣ କଣ ରୋଷେଇ ହେବ ଏ ଓଳି ?

 

ଏମିଲିୟା କଣ ଯେମିତି ଚିନ୍ତାକଲା । ତାପରେ, ପ୍ରଶ୍ନକଲା, ବର୍ତ୍ତମାନ କଣ ମାଛ ମିଳିବ-? ...ଶୁଣ, ଗୋଟାଏ କାମ କର...ଯେଉଁମାନେ ହୋଟେଲରେ ମାଛ ଦିଅନ୍ତି, ସେମାନଙ୍କ ପାଖରୁ ଯଦି ମିଳିବ ବେଶ୍‍ ବଡ଼ ଦେଖି ଗୋଟାଏ ଭଲ ମାଛ ନେଇଆସ, ତେବେ ହିଁ ଭଲହେବା ଦରକାର...କଣ୍ଟାବାଲା ମାଛ ଯେମିତି ନ ଆଣ...ମୋଟ କଥାରେ ଯେତିକି ଭଲ ମାଛ ମିଳିବ...ମାଛଟା ଆଣି ଭାଜି ଦେଇପାର...ସିଝେଇ ଦେଲେ ମଧ୍ୟ ଚଳିବ...ତୁମେ ଚଟଣି ତିଆରିକରି ଜାଣ ତ ?

 

–ହଁ ଜାଣେ ।

 

ବେଶ ସିଝେଇଦେଇ ଚଟଣି କରି ପକାଅ...ଆଉ ସାଲାଡ଼...ଶାଗସବଜି ସିଝା–ଗାଜର, ଅଣ୍ଡା...ଯାହା ମିଳିବ, ନାନା ପ୍ରକାର ଫଳ, ବଜାରରୁ ଆଣି ବରଫ ଭିତରେ ରଖିଦେବ ଯେମିତି ଖାଇବାବେଳକୁ ଥଣ୍ଡା ହୋଇଥିବ ।

 

ସନ୍ଧ୍ୟାରେ କଣ ଖାଇବାକୁ ଦେବି ?

 

ଓ, ହଁ ଆଜିର ରାତ୍ରିଭୋଜନ ବି ସାଧାରଣ, ମାଂସ ଆଉ ଡିମିରି । ଆଚ୍ଛା ଡିମିରି ଏଠି ମିଳେ ତ ?

 

–ହଁ ।

 

କାହିଁକି ଜାଣେନା, ଏହି ଘରୋଇ ଆଲୋଚନା ଶୁଣୁ ଶୁଣୁ ହଠାତ୍ ମନେପଡ଼ିଲା ମି. ରେନ୍‌ଗୋଲ୍‌ଡ଼ଙ୍କ ଆଳାପର ଶେଷ ଅଂଶଟିକ । ସେ କହିଛନ୍ତି ‘ହୋମର’ର ଓଡ଼ିସିରେ ବର୍ଣ୍ଣିତ ଜଗତ ଆଉ ଆଧୁନିକ ଜଗତ ଏକ ନୁହେଁ, ହୋମରଙ୍କ ପୃଥିବୀ ଏ ଯୁଗରେ କଳ୍ପନା କରାଯାଇପାରେ ନାହିଁ । କିନ୍ତୁ ମୋର ମନେହେଲା–ଏହି ଜଗତରେ ହିଁ ରହିଛି ଏମିତି ଗୋଟିଏ ପରିବେଶ–ଯାହା ହଜାର ହଜାର ବର୍ଷ ପୂର୍ବେ ହୋମରଙ୍କ ଯୁଗରେ ମଧ୍ୟ କଳ୍ପନା କରିବା ସମ୍ଭବ ଥିଲା, ଗୃହକର୍ତ୍ତୀ ପରିଚାରିକାକୁ ଭୋଜନ ତିଆରି କରିବାପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

 

ଯାଦୁମନ୍ତ୍ର ପ୍ରଭାବରେ ଯେମିତି ମନେହେଲା–ମି. ବାତ୍ତିସତାଙ୍କର ପ୍ରମୋଦ ପ୍ରାସାଦଟି ଇଥାକାର ଗୃହ, ଏମିଲିୟା ପେନିଲୋପ, ସେ ତାର ପରିଚାରିକା ସହିତ କଥାବାର୍ତ୍ତା କରୁଛି ।

 

ହଁ, ସବୁ ଅବିକଳ–ଯେମିତି ରହିଛି, ଯେମିତି ହେଇପାରନ୍ତା । କିନ୍ତୁ ସବୁ ଯେମିତି ଭିନ୍ନ ।

 

ଝରକା ପାଖକୁ ଯାଇ ଡାକିଲି, ଏମିଲିୟା !

 

ମୋ ଆଡ଼କୁ ମୋଟେ ନ ଚାହିଁ ସେ କହିଲା, କଣ ?

 

ମନେ ଅଛି–ତୁମ ସହିତ ମୋର କଥା ଅଛି ?

 

ଘରେ ଯାଇ ବସ, ଏହା ସହିତ କାମଟା ଶେଷକରି ଦେଇ ଆସୁଛି ।

 

ଖାଇବା ଘରକୁ ଫେରିଆସି ଗୋଟିଏ ଚୌକିରେ ବସି ରହିଲି । ଯାହା କରିବାକୁ ଯାଉଛି ସେ କଥା ଭାବି ବିମର୍ଷ ବୋଧ କଲି । ହୁଏତ ଏହି ପ୍ରମୋଦ ପ୍ରାସାଦରେ ହିଁ ରହିବାକୁ ଚାହେଁ ଏମିଲିୟା, ଆଉ ମୁଁ ତାକୁ ଜଣାଇବାକୁ ଆସିଛି ଏଠୁ ଚାଲିଯିବାର କଥା । ଯେଉଁ ଦୁର୍ବିସହ ପରିବେଶ ବିରୁଦ୍ଧରେ ସେ ବିଦ୍ରୋହ କରିଥିଲା, ବର୍ତ୍ତମାନ ତା ସହିତ ନିଜକୁ ଖାପଖୁଆଇ ନେଇଛି ଏମିଲିୟା । ତଥାପି, ଏହା ଯେ ବିଦ୍ରୋହ ଅପେକ୍ଷା ବି ଅସ୍ୱସ୍ତିକର । ଇୟେ କେବଳ ମୋ ପ୍ରତି ଅବଜ୍ଞା ନୁହେଁ, ତା ନିଜ ପ୍ରତି ବି ତୀବ୍ର ଘୃଣାର ପ୍ରତୀକ । ହଁ ସତରେ ଆମକୁ ଯିବାକୁ ପଡ଼ିବ–ଉଭୟଙ୍କର ମଙ୍ଗଳ ପାଇଁ ଯିବାକୁ ହେବ । ଏମିଲିୟାକୁ ଜଣାଇବାପାଇଁ ହେବ–ଏଠୁ ଆମେ ଶୀଘ୍ର ଚାଲିଯାଉଛୁ ।

 

ଅଳ୍ପ ସମୟ ପରେ ଏମିଲିୟା ଆସି ରେଡ଼ିଓ ପାଖରେ ବସିଲା । କହିଲା କଣ କହିବାପାଇଁ ଚାହୁଁଥିଲ କୁହ ।

 

ତୁମର ଜିନିଷପତ୍ର ସବୁ କଣ ଖୋଲି ପକେଇଛ ?

 

ହଁ, କାହିଁକି ?

 

ସେଗୁଡ଼ିକ ପୁଣି ବାନ୍ଧିବାକୁ ହେବ...ଆମେ କାଲି ସକାଳୁ ରୋମକୁ ଫେରିଯିବା । ନିରବରେ ଭାବିବାକୁ ଲାଗିଲା ଏମିଲିୟା...ଯେମିତି ମୋ କଥା ସେ ବୁଝିପାରି ନାହିଁ । ତାପରେ କର୍କଶ କଣ୍ଠରେ କହିଲା...ଏଠି ପୁଣି କଣ ହେଲା ?

 

ଚୌକୀରୁ ଉଠି ଦରଜାଟି ବନ୍ଦ କରିଦେଇ କହିଲି...ଚିତ୍ରନାଟ୍ୟଟି ନ ଲେଖିବାପାଇଁ ସ୍ଥିର କରିଛି, ଏ ସବୁ ଛାଡ଼ିଦେଇ ରୋମକୁ ଫେରି ଯାଉଛି ।

 

ଭ୍ରୂକୁଟିକୁଞ୍ଚନ କରି ଏମିଲିୟା କହିଲି, କିନ୍ତୁ–କାହିଁକି ଶୁଣେ ?

 

ଶୁଷ୍କକଣ୍ଠରେ କହିଲି...ତୁମରି କଥାରେ ଆଶ୍ଚର୍ଯ୍ୟ ହେଉଛି...କାଲି ଝରକା ଦେଇ ଯାହା ଦେଖିଛି ତାପରେ ହୁଏତ...ଏହା ବ୍ୟତୀତ ମୁଁ ଆଉ କିଛି ଭାବିପାରୁ ନାହିଁ ।

 

ମି: ବାତ୍ତିସତା ଏ କଥା ଜାଣନ୍ତି ?

 

ନା, ତେବେ ମି: ରେନ୍‌ଗୋଲ୍‌ଡ଼ ଜାଣନ୍ତି–ଏଇମାତ୍ର ତାଙ୍କୁ କହିଦେଇ ଆସିଛି ।

 

ତୁମେ ଭୁଲ କରିଛ ।

 

କାହିଁକି ? ବିରକ୍ତ ହୋଇ ଯେମିତି ଏମିଲିୟା କହିଲା, ଫ୍ଲାଟର କିସ୍ତି ଦେବାପାଇଁ ହେବ–ତା ଛଡ଼ା ତୁମେ ନିଜେ ତ କହିଛ ଚୁକ୍ତି ଭଙ୍ଗକରିବାମାନେ ଭବିଷ୍ୟତର ପଥରେ ବାଧା ସୃଷ୍ଟି କରିବା–

 

ସତରେ ତୁମେ ଭୁଲ୍‍ କରିଛ ?

 

ଉତ୍ତେଜିତ ହୋଇ କହିଲି, କିନ୍ତୁ ତୁମେ କଣ ଜାଣନା ? ଏ ସବୁ ଯେ ମୁଁ ଆଉ ସହ୍ୟ କରିପାରୁ ନାହିଁ–ଯିଏ ମାର ସ୍ତ୍ରୀକୁ ଫୁସୁଲେଇ ନେବା ବ୍ୟବସ୍ଥା କରୁଛି, ତା ପାଖରୁ ମୁଁ ଅର୍ଥ ଗ୍ରହଣକରି ପାରିବି ନାହିଁ ।

 

ନିରବ ରହିଲା ଏମିଲିୟା । କହିଲି କାମଟା କାହିଁକି ଛାଡ଼ିଦେଉଛି ଜାଣ ? ଏ କାମ କରିବା ଆମ ପକ୍ଷରେ ଭଲ ହେବ ନାହିଁ. ଆଉ ଛାଡ଼ି ଦେଉଛି ତୁମପାଇଁ...ଯେମିତି ମୋ ସମ୍ବନ୍ଧରେ ତୁମର ଧାରଣାଟା ବଦଳି ଯାଏ...କାହିଁକି ଜାଣେନା, ବର୍ତ୍ତମାନ ତୁମେ ଭାବୁଛ–ଏ ଅବସ୍ଥାରେ ମଧ୍ୟ ମୁଁ ଏଇଠି ରହିପାରେ...କିନ୍ତୁ ତୁମର ଧାରଣା ଭୁଲ୍...ମୁଁ ସେଭଳି ମଣିଷ ନୁହେଁ ।

 

ଏମିଲିୟାର ଦୁଇ ଚକ୍ଷୁ ତାରକା ଭଳି ଉଠିଲା । ସେ କହିଲା ଯଦି ତୁମେ ତମର ନିଜପାଇଁ ଏ ସିଦ୍ଧାନ୍ତ ଗ୍ରହଣ କରବାକୁ ଚାହଁ–ମୋର କିଛି କହିବାର ନାହିଁ...ଯଦି କୁହ ଯେ ମୋ ପାଇଁ କରୁଛ, ତେବେ କହୁଛି...ବର୍ତ୍ତମାନ ମଧ୍ୟ ସମୟ ଅଛି...ମତ ପରିବର୍ତ୍ତନ କର...ଏମିତି କାମ କର ନାହିଁ...ତହିଁ ରେ ତୁମ ନିଜର କ୍ଷତିହେବ ।

 

ମାନେ ?

 

କହୁଛି–ତହିଁରେ ଲାଭ ହେବ ନାହିଁ ।

 

ମଳିନ ହୋଇପଡ଼ିଲା ତାର ମୁହଁ । ପ୍ରଶ୍ନ କଲି ତାପରେ ?

 

ଆଗେ କୁହ ତମର ଏହି ସ୍ୱାର୍ଥତ୍ୟାଗର କଣ ଲାଭ ହେବ ?

 

ବୁଝିପାରିଲି ଚରମ ମୁହୂର୍ତ୍ତ ଉପଗତ । କହିଲି, ମୋର ଏହି ସିଦ୍ଧାନ୍ତରେ ପ୍ରମାଣ କରିବାକୁ ଚାହେଁ...ତୁମ ଯେମିତି ମନେକର ସେମିତି ନୀଚ, ଘୃଣ୍ୟ ମୁଁ ନୁହେଁ ।

 

ସୁଯୋଗ ଲାଭକରି ଖୁସିହୋଇ ବିଜୟ ଗର୍ବରେ କହିଲା ଏମିଲିୟା, ଏଥିରେ କିଛି ପ୍ରମାଣ ହୋଇପାରିବ ନାହିଁ–ତେଣୁ କହୁଛି..ତୁମର ସଂକଳ୍ପ ଛାଡ଼ ।

 

କଣ କହୁଛ ତୁମେ ? କିଛି ପ୍ରମାଣ ହେବ ନାହିଁ ?

 

ପୁନରାୟ ବସିଲି । ହାତ ବଢ଼େଇ ଏମିଲିୟାର ହାତଟି ଧରି କହିଲି, କୁହ ଏମିଲିୟା !

 

ଅଦ୍ଭୁତଭାବରେ ହାତଟା ଟାଣିନେଇ ଏମିଲିୟା କହିଲା, ଛାଡ଼ିଦିଅ...ସତରେ କହୁଛି–ମୋତେ ସ୍ପର୍ଶ କର ନାହିଁ...ମୁଁ ତମକୁ ଭଲ ପାଏ ନାହିଁ...ଆଉ ଭଲ ପାଇ ପାରିବି ନାହିଁ ।

 

ହାତଟା ଖସେଇ ରୁଷ୍ଟ କଣ୍ଠରେ କହିଲି, ପ୍ରେମ ବା ସୋହାଗର କଥା କୁହନା–ସେକଥା ଥାଉ–ତୁମର ଘୃଣା ସମ୍ବନ୍ଧରେ ହିଁ ଆଲୋଚନା ହେଉ–ଏ କାମଟା ଛାଡ଼ିଦେଲେ ବି କଣ ତୁମେ ମୋତେ ଘୃଣା କରିବ ?

 

ହଠାତ୍ ଅଧୈର୍ଯ୍ୟ ହୋଇ ଡେଇଁ ପଡ଼ିଲା ଏମିଲିୟା । କହିଲା, ହଁ, ନିଶ୍ଚୟ–ବର୍ତ୍ତମାନ ମୋତ ମୁକ୍ତି ଦିଅ ।

 

କିନ୍ତୁ କାହିଁକି–କାହିଁକି ତୁମେ ମୋତେ ଘୃଣା କର ?

 

ତୁମକୁ ଘୃଣା କରେ, କାରଣ ତୁମେ ଘୃଣାର ଯୋଗ୍ୟ–ଶତ ଚେଷ୍ଟା କରି ମଧ୍ୟ ନିଜକୁ ସୁଧୁରେଇ ପାରନା ।

 

ମୁଁ ଘୃଣାର ଯୋଗ୍ୟ ? କଣ ସୁଧୁରେଇ ପାରେନା ?

 

ଜାଣେନା । ସେ ସବୁତ ତୁମର ଜାଣିବାର କଥା–ମୁଁ କେବଳ ଜାଣେ ତୁମେ ପୁରୁଷ ନୁହଁ–ତୁମ ଆଚରଣ ପୁରୁଷୋଚିତ ନୁହେଁ ।

 

ତାର କଥାରେ ଅବାକ୍‍ ହୋଇପଡ଼ିଲି ।

 

କ୍ରୋଧ ଓ ଶ୍ଲେଷ ମିଶ୍ରିତ କଣ୍ଠରେ କହିଲି, ପୁରୁଷ ନୁହେଁ...ମାନେ ?

 

ବୋକା ! ଜାଣନା...ତାର କୌଣସି ମାନେ ନାହିଁ ।

 

ମୁହଁ ଫେରେଇ ଝରକା ପାଖରେ ଠିଆହେଲା ଏମିଲିୟା । ଠିକ୍ ଏମିତି ଭାବରେ ଯେମିତି ମୋ ପାଖରୁ ସେ ଫେରେଇ ନେଇଛି ତାର ଅନ୍ତର । ତାର କାରଣ ସେ ନିଜେ ବି ଜାଣେନା, ଏ ଅବଜ୍ଞାର କୌଣସି କାରଣ ହୁଏତ ରହିଛି, କିନ୍ତୁ ତାହା ନିଜେ ସେ ପରିଷ୍କାର ଭାବରେ କହିପାରେ ନାହିଁ । ମୋର ମଧ୍ୟ କୌଣସି ଦୋଷ ଥାଇପାରେ ।

 

ବିସ୍ମୟର ସହିତ ଭାବିବାକୁ ଲାଗିଲି–ଗତ କେତେ ମାସ ଧରି ମି: ବାତ୍ତିସତା ଏମିଲିୟାକୁ ପ୍ରେମ ନିବେଦନ କରୁଛନ୍ତି–ମୁଁ ତାର ସୁଯୋଗ ନେବାର ଚେଷ୍ଟା କରୁଛି, ନିଜର ସ୍ୱାର୍ଥ ଦୃଷ୍ଟିରୁ କୌଣସି ପ୍ରତିବାଦ କରୁ ନାହିଁ ।

 

ମନେପଡ଼ିଲା–କେତୋଟି ଘଟଣା, ଯେଉଁଦିନ ମି: ବାତ୍ତିସତାଙ୍କ ଘରକୁ ଯାଇଥିଲି ସେଦିନ ଟ୍ୟାକସି ଦୁର୍ଘଟଣା ହେବା ଫଳରେ ମାର ଡେରି ହୋଇଯାଇଥିଲା, ଏମିଲିୟା ଭାବିଛି–ତାହା ବାତ୍ତିସତା ନିକଟରେ ତାକୁ ଏକାକୀ ରଖିବାର କେବଳ ଛଳନା ଛଡ଼ା ଆଉ କିଛି ନୁହେଁ ।

 

ହଠାତ୍‍ ବୁଲିପଡ଼ି ଏମିଲିୟା କହିଲା, ଯେମିତି ଧର–କାଲି ସନ୍ଧ୍ୟାରେ ତୁମ ଯାହା ଦେଖିଛ, ପ୍ରକୃତ ପୁରୁଷ ତାହା ଦେଖି ତୁମ ଭଳି ବ୍ୟବହାର କରି ନଥାନ୍ତା...ତୁମେ ମୋ ପାଖକୁ ଆସିଥିଲ, ଜାଣିବାକୁ ଚାହିଁଥିଲ ମୋର ମତ । ଛଳନା କରିଥିଲ...ଯେମିତି କିଛି ଜାଣନାହିଁ...ଭାବିଥିଲି, ମୁଁ ତୁମକୁ ଚିତ୍ରନାଟ୍ୟଟି ଲେଖିବାପାଇଁ ଅନୁରୋଧ କରିବି ସେଥିପାଇଁ କହିଥିଲି ତୁମେ ଯେମିତି ଚାହିଁଥିଲ ଠିକ୍ ସେଇୟା... ଆଉ ତୁମେ ମୋର ମତଟା ମାନି ନେଇଥିଲ...ତାପରେ ଜାଣେନା–ଆଜି ଏହି ଜର୍ମାନଟାର ସଙ୍ଗରେ ତୁମର କଣ କଥାବାର୍ତ୍ତା ହେଇଛି ଆଜି କହୁଛ–ମୋରି ପାଇଁ, ମୁଁ ତୁମକୁ ଘୃଣାକରେ ବୋଲି–କାମଟା ଛାଡ଼ୁଛ–ଏତେଦିନ ପରେ ତୁମକୁ ଚିହ୍ନିପାରିଲି–ତେବେ ମୁଁ ସ୍ପଷ୍ଟ ଦେଖିପାରୁଛି–ତୁମେ କୌଣସି ପ୍ରକାରେ କାମଟା ଛାଡ଼ିବା ଚାହଁନା, କେହି ତୁମକୁ ବାଧ୍ୟ କରୁଛି–ଇଚ୍ଛା ହେଲେ–ପୃଥିବୀର ସବୁକାମ ଛାଡ଼ିଦେଇପାରେ, କିନ୍ତୁ ମୁଁ ମୋର ମତ ପରିବର୍ତ୍ତନ କରିପାରିବି ନାହିଁ–ତୁମକୁ ଭଲ ପାଇପାରିବି ନାହିଁ–ତେଣୁ କହୁଛି ଗଣ୍ଡଗୋଳ କର ନାହିଁ, କାମଟି ଯେମିତି କରୁଛି କର, ମୋତେ ଟିକିଏ ଶାନ୍ତିରେ ରହିବାକୁ ଦିଅ–

 

ମୋତେ ଏମିଲିୟା ଘୃଣା କରେ । କିନ୍ତୁ କାହିଁକି ? ତାର ଘୃଣାର ଉତ୍ସ ସନ୍ଧାନ କରିବାର ଚେଷ୍ଟା କରିବାକୁ ଲାଗିଲି । କଣ ଆଉ କରିବି ? ଯଥା ସମ୍ଭବ ସ୍ଥିର ଭାବରେ କହିଲି–ଦେଖ ଏମିଲିୟା, ତୁମେ ମୋତେ ଘୃଣାକର, କିନ୍ତୁ ଘୃଣାର କାରଣଟା କହୁନାହଁ–ଯଦିଓ ତାହା ଜାଣିବାର ଅଧିକାର ମାର ରହିଛି–ତେଣୁ କହୁଛି, ତୁମର କଥା ସତ ନୁହେଁ–ନିଜକୁ ମୁଁ ସମର୍ଥନ କରିପାରୁ ନାହିଁ–ଆଚ୍ଛା, ନିଜେ ଯଦି ତୁମର ଘୃଣାର କାରଣଟା ଜଣାଏ, ତାହେଲେ ତୁମେ କହିବ–ମୋର କଥା ସତ କି ନୁହେଁ ?

 

ନିଶ୍ଚଳ ଭାବରେ ଠିଆ ହୋଇଥିଲା ଏମିଲିୟା । କ୍ଲାନ୍ତ, ରୁଷ୍ଟକଣ୍ଠରେ କହିଲା–କିଛି କହିପାରିବି ନାହିଁ–ତମ ରାଣ, ମାତେ ମୁକ୍ତି ଦିଅ...ମୁକ୍ତି ଦିଅ–

 

କହିଲି, ତୁମେ ଭାବିଛ–ମୁଁ ବାତ୍ତିସତାର ଚରିତ୍ର ସମ୍ବନ୍ଧରେ ଆଗରୁ ଜାଣିଥିଲି–ନଜ ସ୍ୱାର୍ଥପାଇଁ ଚୁପ୍‍ ରହିଥିଲି–ତୁମକୁ ଠେଲି ଦେଇଥିଲି ତାର ବାହୁ ଭିତରକୁ ନୁହେଁ ?

 

ଏମିଲିୟା ନିରୁତ୍ତର ।

 

ଲଜ୍ଜାରେ ଆରକ୍ତିମ ହୋଇପଡ଼ିଲା ମୋର ଦୁଇକାନ । କଣ ମୁଁ କହି ପକେଇଲି ? ଏହା ଫଳରେ ଯେ ତାର ଘୃଣାର ଭିତ୍ତି ଆହୁରି ଦୃଢ଼ ହୋଇପଡ଼ିଲା ।

 

ହତାଶ ହୋଇ କହିଲି, କିନ୍ତୁ ଏ କଥା ଯଦି ସତ ହୁଏ, ତେବେ ଜାଣିରଖ ଏମିଲିୟା ଯେ ତୁମେ ଭୁଲ କରିଛ...କାଲି ସନ୍ଧ୍ୟା ପୂର୍ବରୁ ମୁଁ ବାତ୍ତିସତା ସମ୍ବନ୍ଧରେ କିଛି ଜାଣି ନ ଥିଲି...ମୋତେ ବିଶ୍ୱାସ କର...ଯଦି ବିଶ୍ୱାସ ନ କର ତେବେ ବୁଝିନେବ ଯେ ତୁମ ଯେମିତି ଭାବରେ ହେଉ ମୋତେ ଅବଜ୍ଞା କରିବାକୁ ଚାହଁ...କୌଣସି ପ୍ରକାରେ ମୋ କଥା ଶୁଣିବାକୁ ଚାହଁନା ।

 

ତଥାପି ଏମିଲିୟା ନିରବ । ମନେହେଲା...ଲକ୍ଷ୍ୟ ଭେଦ କରିଛି । ହୁଏତ ସେ ଜାଣେନା, ଜାଣିବାକୁ ବି ଚାହେଁନା–କାହିଁକି ମୋତେ ଅବଜ୍ଞା କରେ, ଅକାରଣରେ କେବଳ ଘୃଣାକରେ । ତାର ହାତ ଧରି କହିଲି, କୁହ...ଏମିଲିୟା, କାହିଁକି ତୁମେ ମୋତେ ଘୃଣାକର ? ମୁହୂର୍ତ୍ତକ ପାଇଁ ସେକଥା କାହିଁକି ଭୁଲିପାରୁ ନାହଁ ?

 

ମୁହଁ ବୁଲେଇଲା ଏମିଲିୟା–ଯେମିତି ମୁହଁ ଲୁଚେଇବା ପାଇଁ ଚାହିଁଲା, ମାତେ ବାଧା ଦେଲା ନାହିଁ । ଆହୁରି ପାଖକୁ ଚାଲିଆସିଲି, ସେ ଘୁଞ୍ଚିଗଲା ନାହିଁ । ମନରେ ସାହସ ଆସିଲା, ତାର କଟି ବେଷ୍ଟନ କରି ଜଡ଼େଇ ଧଇଲି । ଦେଖିଲି ଆଖିର ଅଶ୍ରୂରେ ତିନ୍ତିଯାଇଛି ତାର ଗଣ୍ଡ ଦେଶ । ଏମିଲିୟା କହିଲା, ତୁମକୁ ମୁଁ କ୍ଷମା କରିପାରିବି ନାହିଁ, ତୁମେ ହିଁ ନଷ୍ଟ କରିଛ ଆମର ପ୍ରେମ...ଓଃ, ତୁମକୁ ଏତେ ଭଲ ପାଉଥିଲି...ଆଉ କାହାକୁ କେବେହେଲେ ଏତେ ଭଲ ପାଇନି...କାହାକୁ ଭଲ ପାଇବା ସମ୍ଭବ ମଧ୍ୟ ନୁହେଁ...ତୁମର ସ୍ୱଭାବ ଦୋଷରେ ତୁମେ ସବୁ ନଷ୍ଟ କରିଛ । ଆମେ ସୁଖି ହୋଇପାରିଥାନ୍ତେ, କିନ୍ତୁ ଆଜି ଆଉ ସମ୍ଭବ ନୁହେଁ...ଆଉ କେମିତି ଭାବରେ ମୁଁ ସେ ସବୁ ଭୁଲିଯାଇ ପାରିବି । କେମିତି ତୁମକୁ ଘୃଣା ନ କରି ରହିପାରିବି ?

 

ମନରେ ଜଳି ଉଠିଲା କ୍ଷୀଣ ଆଶାର ପ୍ରଦୀପ... । ତଥାପି ସେ ତ କହିଛି...ମୋତେ ଭଲ ପାଉଥିଲା, ଆଉ କାହାକୁ ଭଲ ପାଇନି–ଭଲ ପାଇବ ନାହିଁ ! ଏମିଲିୟାକୁ କୋଳ ଉପରକୁ ଟାଣି ନେଇ କହିଲି, ଶୁଣ ବିଛଣାପତ୍ର ବାନ୍ଧିନିଅ...କାଲି ସକାଳୁ ଆମେ ଯିବା...ରୋମକୁ ଫେରିଯାଇ ସବୁ କଥା କହିବି...ତାହା ହେଲେ ତୁମର ବିଶ୍ୱାସ ହେବ...

 

ଗୋଟାଏ ଝଟକାରେ ଏମିଲିୟା ନିଜକୁ ଛଡ଼େଇନେଇ କହିଲା, ନା, ନା, ମୁଁ ଯିବି ନାହିଁ । ରୋମକୁ ଫେରିଯାଇ କଣ ହେବ ? ଫ୍ଲାଟଟା ଛାଡ଼ି ଦେବାକୁ ପଡ଼ିବ...ମା ମୋତେ ଚାହାନ୍ତି ନାହିଁ...ଭଡ଼ାଘରେ ରହିବାକୁ ପଡ଼ିବ...ପୁଣି ଟାଇପିଷ୍ଟର ଜୀବନ ଯାପନ କରିବାକୁ ହେବ । ନା, ମୁଁ ଯିବି ନାହିଁ...ଏହିଠାରେ ହିଁ ରହିବି...ମି: ବାତ୍ତିସତା କହିଛନ୍ତି–ଯେତେ ଦିନ ଖୁସି ଏଇଠି ରହିପାରିବି...ରହିବି...ମୁଁ ଏଇଠି ହିଁ ରହିବି ।

 

ରାଗିଯାଇ ଚିତ୍କାରକରି ଉଠିଲି, କାଲି ସକାଳେ ମୋ ସହିତ ତୁମକୁ ଯିବାକୁ ପଡ଼ିବ, ବୁଝିଲ ?

 

ଭୁଲ୍‍,- ଭୁଲ୍ କରୁଛ ତୁମେ...ମୁଁ ଯିବି ନାହିଁ–କୌଣସି ପ୍ରକାରେ ଯିବି ନାହିଁ ।

 

ବେଶ୍, ତେବେ ମୁଁ ବି ରହିବି...ଦେଖିବି–ବାତ୍ତିସତା ଯେମିତି ଦୁହିଁଙ୍କୁ ବହିଷ୍କାର କରିଦିଅନ୍ତି ।

 

ନା, ତୁମେ ରହିପାରିବ ନାହିଁ ।

 

ନିଶ୍ଚୟ ପାରିବି ।

 

ଥରେ କଟମଟ କରି ମୋ ଆଡ଼କୁ ଚାହିଁ ନିରବରେ ଘର ଛାଡ଼ି ଚାଲିଗଲା ଏମିଲିୟା ।

 

ସଶବ୍ଦରେ ବନ୍ଦହେଲା ଘରର ଦରଜା । ତାଲାରେ ଚାବି ବୁଲେଇବାର ଆବାଜ କାନରେ ବାଜିଲା ।

 

ଉତ୍ତେଜନାର ମୁହୂର୍ତ୍ତରେ କହି ପକେଇଛି–ଏଇଠି ରହିବି ! ଏମିଲିୟା ଚାଲିଯିବା ପରେ ବୁଝିପାରିଲି–ମୋ ପକ୍ଷରେ ଏଠି ରହିବା ଆଉ ସମ୍ଭବ ନୁହେଁ । ମୋତେ ଯିବାକୁ ହିଁ ପଡ଼ିବ । ରେନ୍‌ଗୋଲ୍‌ଡ଼, ବାତ୍ତିସତା–ଏଭଳି କି ଏମିଲିୟା ସହିତ ବି ମୋର କୌଣସି ସଂପର୍କ ନାହିଁ । ଗୋଟିଏ କଥାରେ ମୁଁ ବର୍ତ୍ତମାନ ଅବାଞ୍ଛିତ । ମନର କ୍ଷୀଣ ଆଶାର ଶିଖା ସେଯାଏ ସଂପୂର୍ଣ୍ଣ ଭାବରେ ନିର୍ବାପିତ ହୋଇ ନାହିଁ, ତେଣୁ କହିଛି–ଏଠି ରହିବି । ଏଭଳି ଅବସ୍ଥା ହାସ୍ୟକର–କିନ୍ତୁ ମୋର ମନର ଏ ଅବସ୍ଥା ଗଭୀର ବେଦନାଦାୟକ, ଦୁର୍ଗମ ପଥର ଅଭିଯାତ୍ରୀ ଯେମିତି ପର୍ବତର ବିପଜ୍ଜନକ ସ୍ଥାନକୁ ଉଠିଆସି ବୁଝିପାରିଛି ଯେ–ସ୍ଥାନଟି ନିରାପଦ ନୁହେଁ, ଅଥଚ ଆଗେଇ ଯିବାର ତା ପଛକୁ ଫେରି ଆସିବାର କୌଣସି ଉପାୟ ନାହିଁ ।

 

ଚିନ୍ତା ଓ ଉତ୍ତେଜନାରେ ଘର ଭିତରେ ଦୌଡ଼ାଦୌଡ଼ି କରିବାକୁ ଲାଗିଲି । ବର୍ତ୍ତମାନ କର୍ତ୍ତବ୍ୟ କଣ ? ବାତ୍ତିସତା ଓ ଏମିଲିୟା ସହିତ ଆଜି ଗୋଟାଏ ଟେବୁଲରେ ବସି ଖାଇପାରିବି ନାହିଁ । ଭାବିଲି–ବାହାରେ କେଉଁଠି ଖାଇବି, ଡେରିକରି ଘରକୁ ଫେରିବି । କିନ୍ତୁ ପ୍ରଖର ଖରାରେ ଗୋଟିଏ ରାସ୍ତାରେ ଚାରିଥର ଯିବା ଆସିବା ପରେ କ୍ଲାନ୍ତ ହୋଇପଡ଼ିଛି । ତେଣୁ ଆଉ ବାହାରକୁ ଇଚ୍ଛା ହେଲା ନାହିଁ ।

 

ଘଡ଼ିକୁ ଚାହିଁ ଦେଖିଲି–ମାତ୍ର ଛ’ଟା । ବର୍ତ୍ତମାନ କରେ କଣ ? ଅବଶେଷରେ କର୍ତ୍ତବ୍ୟ ଠିକ୍‍ କରି ପକେଇଲି । ଘରେ ତାଲା ବନ୍ଦକରି, ଝରକା ଦେଇ ବିଛଣାରେ ଶୋଇପଡ଼ିଲି । ଅଳ୍ପ ସମୟ ପରେ ଗଭୀର ନିଦ୍ରାରେ ଅଚେତନ ହୋଇଗଲି ।

 

ନିର୍ଭୟରେ କିଛି ସମୟ ଶୋଇ ରହିଲି । ମନେହେଲା ଅନେକ ରାତି ହୋଇଯାଇଛି । ବିଛଣାରୁ ଉଠି ଝରକା ଖୋଲି ଦେଖିଲି–ଚାରିଆଡ଼େ ନିରବ ଅନ୍ଧକାର । ଆଲୁଅ ଲଗେଇ ଘଡ଼ି ଦେଖିଲି–ରାତି ନ’ଟା । ତିନିଘଣ୍ଟା ଶୋଇଛି । ଭାବିଲି, ଡିନର ଟେବୁଲକୁ ଯାଇ ବାତ୍ତିସତାଙ୍କ ସହିତ ଝଗଡ଼ା କରିବି...ଯହିଁରେ ସେ ମାତେ ଘରୁ ତଡ଼ିଦେବା ପାଇଁ ବାଧ୍ୟ ହେବେ ।

 

ଖାଇବା ଘରକୁ ଆସି ଦେଖିଲି–କେହି ନାହାନ୍ତି । ଗୋଟାଏ କୋଣରେ ଗୋଟାଏ ଛୋଟ ଟେବୁଲ ଉପରେ କେବଳ ଜଣକପାଇଁ ଭୋଜନର ବ୍ୟବସ୍ଥା କରାହୋଇଛି । ଚାକର ଆସି ଜଣାଇଲା, ବାତ୍ତିସତା ଓ ଏମିଲିୟା ବାହାରି ଯାଇଛନ୍ତି । ଇଚ୍ଛା ହେଲେ ମୁଁ ରେସ୍ତୋରାଁକୁ ଯାଇ ତାଙ୍କ ସହିତ ଖାଇପାରେ, ନ ହେଲେ ଘରେ ବି ଖାଇପାରେ....ଡିନର ପ୍ରସ୍ତୁତ ହୋଇ ରହିଛି ।

 

ବାତ୍ତିସତା ଓ ଏମିଲିୟା ତା ହେଲେ ଭାବିଛନ୍ତି–ମୁଁ ବର୍ତ୍ତମାନ କଣ କରିବି ? କିନ୍ତୁ ମୋତେ ଏକାକୀ ଛାଡ଼ିଦେଇ ସେମାନେ ତାଙ୍କରି ସମସ୍ୟାର ସମାଧାନ କରିଛନ୍ତି । ଈର୍ଷା, ବିରକ୍ତି ଜାଗିଲା ମନରେ, ଅସହ୍ୟ ମର୍ମବେଦନା ଅନୁଭବ କଲି । ଇୟେ ଯେମିତି ମୋତେ ତଡ଼ିବାର ଗୋଟାଏ ଫନ୍ଦି !

 

ପରିଚାରକକୁ କହିଲି, ମୁଁ ଏଇଠି ହିଁ ଖାଇବି ।

 

ଡାଇନିଂ ଟେବୁଲରେ ଆସି ବସିଲି, ଖାଇବାକୁ ପ୍ରବୃତ୍ତି ହେଲା ନାହିଁ । ଅଳ୍ପ କେଇମିନିଟ୍‍ ଭିତରେ ଭୋଜନ ଶେଷ କରିନେଲି । ପରିଚାରକକୁ ଛୁଟିଦେଇ ବାରଣ୍ଡାକୁ ଆସିଲି । କାନ୍ଥ ପାଖକୁ ଗୋଟାଏ ଚେୟାର ଟାଣି ନେଇ ଅଦୃଶ୍ୟ ସମୁଦ୍ର ଆଡ଼କୁ ମୁହଁକରି ଅନ୍ଧକାର ଭିତରେ ବସିରହିଲି । ମି: ରେନ୍‌ଗୋଲ୍‌ଡ଼ଙ୍କ ପାଖରୁ ଫେରିଆସି ଭାବିଥିଲି–ଏମିଲିୟା ସହିତ କଥାବାର୍ତ୍ତା କରିବି, ତାପରେ ସ୍ଥିର ମସ୍ତିଷ୍କରେ ସବୁ ଠିକ୍‍ କରିବି । ଏମିଲିୟାର ଉତ୍ତର ଶୁଣି ମନର ଅସ୍ପଷ୍ଟତା ଓ ଆଶାଙ୍କା ଦୂର ହୋଇଯିବ । କିନ୍ତୁ ଯାହା ଭାବିଥିଲି ତାହା ହୋଇପାରିନି, ଯେତେ ଜାଣିଥିଲି ତା ଅପେକ୍ଷା ଟିକିଏ ବି ଅଧିକ ଜାଣିପାରି ନାହିଁ, ବୁଝିପାରିଛ–ଆମର ଅତୀତ ସମ୍ପର୍କ ଟିକକ ଅନୁଧାବନ କଲେ ହିଁ ହୁଏତ ମୋ ଉପରେ ଏମିଲିୟାର ବିଦ୍ୱେଷର କାରଣ ନିର୍ଣ୍ଣୟ କରିପାରନ୍ତି । କିନ୍ତୁ ଏମିଲିୟା ତାହା ଚାହେଁ ନା, ସେ ଅକାରଣରେ ମୋତେ ଘୃଣା କରିବାକୁ ଚାହେଁ ମୋର ପ୍ରେମରୁ ନିଜକୁ ମୁକ୍ତକରି ରଖିବାକୁ-

 

ବୁଝିପାରିଲି ତାରି ଏହି ଘୃଣାର ମୂଳରେ କୌଣସି ଯୁକ୍ତି ବା ସତ୍ୟ ନାହିଁ । ଜାଣେନା, ସେଥିପାଇଁ ମୋର ଆଚରଣ ଦାୟୀ କି ନୁହେଁ । କଷଟିପଥରରେ ଘଷି ସୁନା ଖାଣ୍ଟିକି ନୁହେଁ ବୁଝାଯାଏ । ଠିକ୍‍ ସେହି ଭଳି ଦୁଇଟି ଚରିତ୍ରର ଦୈନନ୍ଦିନ ସଂଘର୍ଷରୁ ଜନ୍ମିଛି ତାର ସତ୍ୟ ଧାରଣା । ବାତ୍ତିସତା ସହିତ ତାର ଆଚରଣ ସମ୍ବନ୍ଧରେ ମୁଁ ଯେଉଁ ଅମୂଳକ ସନ୍ଦେହ କରିଛି ତାରି ଫଳରେ ମୋତେ ଅବଜ୍ଞା କରିବାପାଇଁ ଆରମ୍ଭ କରିଛି ଏମିଲିୟା । ଅବଶ୍ୟ ସେ କୌଣସି ପ୍ରତିବାଦ କରି ନାହିଁ, କେବଳ ନିରବ ରହିଛି । ପ୍ରଥମରୁ ସେ ଯେମିତି ଧାରଣାକରି ଆସିଛି ମୁଁ ଏହିଭଳି–ଘୃଣା ହିଁ ମାର ନ୍ୟାଯ୍ୟ ପ୍ରାପ୍ୟ । ମୋର କାମରେ ଆହୁରି ବଦ୍ଧମୂଳ ହୋଇଛି ତାର ସେ ଧାରଣା । ହୁଏତ ସେ ମୋତେ ଅନ୍ୟ ଭାବରେ ବିଚାର କରିଛି । ଏମିଲିୟାର ଅଦ୍ଭୁତ ଆଚରଣ ତାର ପ୍ରମାଣ । ପ୍ରଥମରୁ ଏ ଭୁଲ୍‍ ବୁଝାମଣାର ପ୍ରତିରୋଧ କରିପାରିଥାନ୍ତା, ସବୁକଥା ସ୍ପଷ୍ଟ ଭାବରେ କହି ଆମର ପ୍ରଣୟ ସମ୍ପର୍କ ଅତୁଟ ରଖିପାରିଥାଆନ୍ତା । ସେ ତାହା କରି ନାହିଁ । ପ୍ରତାରିତ ହେବାକୁ ସେ ଚାହେଁନା, ସେ ମୋତେ ଘୃଣା କରିବାକୁ ଚାହେଁ ।

 

ଏତେ ସମୟ ଧରି ଡେକ୍‍ ଚେୟାରରେ ଶୋଇଥିଲି, କିନ୍ତୁ ମନର ଚିନ୍ତା ଓ ଉତ୍ତେଜନା ଅସହ୍ୟ ବୋଧହେଲା । ତେଣୁ ବାରଣ୍ଡାରେ ଆସି ଠିଆହେଲି । ରାତ୍ରିର ମୌନ ଶାନ୍ତିର କଥା ଭାବି ହୁଏତ ନିଜକୁ ଶାନ୍ତ କରିବାକୁ ଚାହିଁଲି । ତପ୍ତ ମୁଖମଣ୍ଡଳରେ ସମୁଦ୍ରର ବୁକୁ ଉପରୁ ଉଠି ଆସୁଥିବା ପବନର ଶୀତଳ ସ୍ପର୍ଶ ପାଇବାକୁ ଉତ୍ସୁକ ହୋଇପଡ଼ିଲି । କିନ୍ତୁ ମୁଁ ଯେପରି ଶ୍ୱସ୍ତି ପାଇବାର ଯୋଗ୍ୟ ନୁହେଁ । ମୁଁ ଅବଜ୍ଞାର ପାତ୍ର, ଶାନ୍ତି ପାଇବି କେମିତି ? ଶେଷ ବିଚାରର ଦିନରେ ପାପୀମାନଙ୍କ ଭଳି ଅବଜ୍ଞାତ ବି ପ୍ରାର୍ଥନା କରିପାରେ, ହେ ପାହାଡ଼ ଶ୍ରେଣୀ ! ଭାଙ୍ଗିପଡ଼ ମୋର ମୁଣ୍ଡ ଉପରେ । ହେ ନୀଳ ପାହାଡ଼ ! ମୋତେ ଆବୃତ୍ତ କର...କିନ୍ତୁ ଘୃଣା । ତାକୁ କୌଣସି ପ୍ରକାରେ ଛାଡ଼ିବ ନାହିଁ, ସୁଦୂର ଗୋପନ ନିଭୃତ ମଧ୍ୟରେ ବି ଅନୁସରଣ କରିବ...ଯେଉଁଠାକୁ ଗଲେ ବି ସଙ୍ଗେ ସଙ୍ଗେ ରହିବ ।

 

ମୁଁ ଅବିଜ୍ଞାତ, ମୋର ଜୀବନରେ ଶାନ୍ତିର ଆଶା ନାହିଁ ।

 

ଫେରିଯାଇ କମ୍ପିତ ହସ୍ତରେ ସିଗାରେଟ ଲଗେଇଲି । ନା,–ଘୃଣାର୍ହ ହେଲେହେଁ ମୁଁ ନଗଣ୍ୟ ନୁହେଁ, ବୁଦ୍ଧିଭ୍ରଂଶ ବି ହୋଇନାହିଁ । ଏମିଲିୟା ମୋର ଏ ଗୁଣ ସ୍ୱୀକାର କରିଛି ! ଏଇତ ମୋର ଗର୍ବ । ମୋତେ ଭାବିବାପାଇଁ ପଡ଼ିବ । ସ୍ଥିର ଚିନ୍ତା ଓ ବୁଦ୍ଧି ଛଡ଼ା କୌଣସି ରହସ୍ୟ ଉଦଘାଟନ କରାଯାଇପାରେ ନାହିଁ । ବୁଦ୍ଧି ନ ଖଟାଇଲେ ହିଁ ଏହି ଅକାରଣ ଅବମାନନାର ବୋଝ ବୋହି ବୁଲିବାକୁ ହେବ ।

 

ଦୃଢ଼ପ୍ରତିଜ୍ଞ ହୋଇ ଭାବିବାକୁ ଲାଗିଲି–କାହିଁକି–କାହିଁକି ମୋର ଏହି ଘୃଣ୍ୟ ଅବସ୍ଥା ? ମନେପଡ଼ିଲା–ଇଉଲିସିସଙ୍କ ସହିତ ପେନିଲୋପର ସମ୍ପର୍କ କଥା କହିବାକୁ ଯାଇ ମୋ ସହିତ ଏମିଲିୟାର ସମ୍ପର୍କ ନେଇ ମି. ରେନ୍‌ଗୋଲ୍‌ଡ଼ ଯେଉଁ କଥାଗୁଡ଼ିକ କହିଛନ୍ତି...ଇଉଲିସିସ ହେଉଛନ୍ତି ସୁସଭ୍ୟ ପୁରୁଷ, ଆଉ ପେନିଲୋପ ଆଦିମ ନାରୀ...

 

ଓଡ଼ିସିର କେନ୍ଦ୍ରଗତ ଭାବ ବିଶ୍ଲେଷଣ ପ୍ରସଙ୍ଗରେ ମୋର ଓ ଏମିଲିୟାର ସମ୍ପର୍କର ଚରମତମ ସଂକଟ ମୁହୂର୍ତ୍ତଟିକୁ ଅଜ୍ଞାତସାରରେ ସେ ଟାଣି ଆଣିଥିଲେ । ମି: ରେନ୍‌ଗୋଲ୍‌ଡ଼ଙ୍କ ମତରେ ମୁଁ ଘୃଣ୍ୟ ନୁହେଁ...ସୁସଭ୍ୟ । ଏହା କେବଳ ମୋର ସାନ୍ତ୍ୱନା । ସତରେ ମୁଁ ଜଣେ ସୁସଭ୍ୟ ମଣିଷ, ଆଦିମଯୁଗର ମଣିଷ ଯେଉଁ ଅବସ୍ଥାରେ ଶାଣିତ ତରବାରୀର ଆଶ୍ରୟ ଗ୍ରହଣ କରନ୍ତା ସେ ଅବସ୍ଥାରେ ମଧ୍ୟ ଯୁକ୍ତି ପ୍ରୟୋଗ କରିବାକୁ ଚାହେଁ..... । ନା, ନା...ଏହା ଆଉ ଐତିହାସିକ ବ୍ୟାଖ୍ୟା ନୁହେଁ...ତହିଁରେ ମୁଁ ସନ୍ତୁଷ୍ଟ ରହିପାରିବି ନାହିଁ । ତା ଛଡ଼ା, ସତରେ ଇଉଲିସିସ ଓ ପେନିଲୋପ ମଧ୍ୟରେ ଯେଉଁ ସମ୍ପର୍କ ଚିତ୍ର ପରିଚାଳକ କଳ୍ପନା କରିଛନ୍ତି, ମୋର ଆଉ ଏମିଲିୟା ମଧ୍ୟରେ କଣ ସେହି ସମ୍ପର୍କ ହିଁ ଥିଲା ? ମଣିଷ ବିବେକର ଜଗତ ସ୍ଥାନ ଓ କାଳର ସୀମା ପାରେଇଯାଏ, ସେଇଠି ଐତିହାସିକ ବ୍ୟାଖ୍ୟା ଖାଟେ ନାହିଁ, ଅନ୍ତରରୁ ହିଁ ନିର୍ଦ୍ଦେଶ ଆସେ.... ।

 

ହଁ, ଇତିହାସ କେବଳ ମୋତେ ତାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖିପାରେ-। କିନ୍ତୁ ବର୍ତ୍ତମାନ ଯେଉଁ ଅବସ୍ଥାରେ ରହିଛି ତାର ଯେ କୌଣସି ଐତିହାସିକ ବ୍ୟାଖ୍ୟା କରେ ନା କାହିଁକି...ସେ ଅବସ୍ଥାରେ ମୁଁ ବାସ କରିବାକୁ ଚାହେଁ ନାହିଁ ।

 

ତେବେ ଏମିଲିୟା ମୋତେ କାହିଁକି ଭଲପାଏ ନାହିଁ ? କାହିଁକି ସେ ମୋତେ ଘୃଣା କରେ ? ତହିଁରେ ତାର ପ୍ରୟୋଜନ ବା କଣ ? ମନେ ପଡ଼ିଲା ତାର ସୁସ୍ପଷ୍ଟ ମନ୍ତବ୍ୟ–ତୁମେ ପୁରୁଷ ନୁହଁ ! ...ଏହି ଉକ୍ତି ମଧ୍ୟରେ ହିଁ ଫୁଟିଉଠିଛି ଏମିଲିୟାର କଳ୍ପିତ ଆଦର୍ଶ ପୁରୁଷର ମୂର୍ତ୍ତି । ଏହାହିଁ ହେଲା ତାର ଘୃଣାର ମୂଳ । ମୋ ମଧ୍ୟରେ ସେ ଖୋଜି ପାଇ ନାହିଁ ତାର ଇପସିତ ଆଦର୍ଶ ପୁରୁଷଟିକୁ । ଏ ରୂପ କେବଳ ତାର କଳ୍ପନାରେ ଗଢ଼ା ନୁହେଁ । ଯେଉଁ ପୃଥିବୀରେ ସେ ଏତେଦିନ ବାସକରି ଆସିଛି ତାର ସଂସ୍କାରରୁ ଏହାର ଜନ୍ମ । ସେ ଜଗତରେ ପୁରୁଷ ଭଳି ପୁରୁଷ ହେଲା–ପଶୁ ଭଳି ବଳବାନ୍ ଓ ସାଫଲ୍ୟ ମଣ୍ଡିତ ଗୌରବତୃପ୍ତ ବାତ୍ତିସତା । ତାର ପ୍ରମାଣ ପାଇଛି ମି. ବାତ୍ତିସତା ପ୍ରତି ଏମିଲିୟାର ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିରେ, ଆଉ ତାର ଆତ୍ମଦାନର ଦୃଶ୍ୟ ଦେଖି । ବାତ୍ତିସତାଙ୍କର ଜଗତ ସହିତ ସେ ଜଡ଼ିତ ହୋଇପଡ଼ିଛି । ସେ ଜଗତରେ ରହିଛି ଧନୀର ହାତରୁ ନିର୍ଦ୍ଧନର ମୁକ୍ତି ଅଥବା ପୁରୁଷ ହେବାର କାଳ୍ପନିକ ଅକ୍ଷମତା । ସାରଲ୍ୟ ଓ ଅସ୍ପଷ୍ଟତା ସତ୍ତ୍ୱେ ବି ଏମିଲିୟା ମୋତେ ଘୃଣା କରେ–ଘୃଣା କରିବାକୁ ଚାହେଁ । ଜାଣେନା ଆପଣାର ସ୍ୱାର୍ଥପାଇଁ ମୁଁ ବାତ୍ତିସତାଙ୍କୁ ସମର୍ଥନ କରେ–ଏ କଥା ସନ୍ଦେହ ସେ ପୋଷଣ କରେ କି ନାହିଁ । ଯଦି ସେୟା ହୁଏ–ତେବେ ସେ ଭାବିଛି–ରିକାର୍ଡ଼ୋ ବାତ୍ତିସତାଙ୍କର ମୂଖାପେକ୍ଷୀ, ବାତ୍ତିସତା ମୋତେ ପ୍ରେମ ନିବେଦନ କରୁଛି...ରିକାର୍ଡ଼ୋ ଚାହେଁ ଯେ ମୁଁ ବାତ୍ତିସତାର ଉପପତ୍ନୀ ହୁଏଁ ।

ଆଶ୍ଚର୍ଯ୍ୟ ! ଆଗେ କାହିଁକି ଏ କଥା ଭାବି ନାହିଁ ? ବାତ୍ତିସତା ଓ ରେନ୍‌ଗୋଲ୍‌ଡ଼ ଓଡ଼ିସିର ଯେଉଁ ବ୍ୟାଖ୍ୟା କରିଛନ୍ତି ତହିଁରୁ ବୁଝିପାରିଛି ସେମାନଙ୍କର ଦୃଷ୍ଟିଭଙ୍ଗି ସଂପୂର୍ଣ୍ଣ ସ୍ୱତନ୍ତ୍ର । କିନ୍ତୁ କାହିଁକି ବୁଝିପାରି ନାହିଁ ଏମିଲିୟା ବି ଠିକ୍‍ ସେଇମାନଙ୍କର ଦୃଷ୍ଟିଭଙ୍ଗି ନେଇ କଳ୍ପନା କରେ ମୋର ମୂର୍ତ୍ତି, ତଫାତ୍‍ କେବଳ ଏତିକି ଯେ ସେମାନେ ଦୁଇଟି କାଳ୍ପନିକ ମୂର୍ତ୍ତିର ସମର୍ଥନରେ ଯୁକ୍ତି ଦେଖେଇଛନ୍ତି, କିନ୍ତୁ ଅବଜ୍ଞା ଭିତରଦେଇ ଏମିଲିୟା ପ୍ରକାଶ କରିଛି ତାର ମନର ଭାବ ।

ଏମିଲିୟାର ପ୍ରକୃତି ସରଳ, କିନ୍ତୁ ତାରି ମଧ୍ୟରେ ରହିଛି ଔଦ୍ଧତ୍ୟ । ନିଜର ସାରଲ୍ୟ ଓ ଔଦ୍ଧତ୍ୟର ସମ୍ମିଶ୍ରଣରେ ହୁଏତ ତାର ମନରେ ଧାରଣା ଜନ୍ମିଛି ଯେ ମୁଁ ତାକୁ ବାତ୍ତିସତା ପାଖକୁ ଠେଲିଦେଇଛି । ହୁଏତ ରେନ୍‌ଗୋଲ୍‌ଡ଼ଙ୍କର ମନସ୍ତାତ୍ତ୍ୱିକ ବ୍ୟାଖ୍ୟା ହିଁ ମାନିନେଇଛି ଏମିଲିୟା, ମୋର ଭାଷ୍ୟ ସେ ବୁଝିପାରୁ ନାହିଁ । ଦାନ୍ତେ ଓ ହୋମରଙ୍କ ସ୍ତରକୁ ସେ ଉଠିବାରେ ଅକ୍ଷମ, କାରଣ ସେ ଆଦର୍ଶର ଜଗତରେ ବାସକରେ ନାହିଁ, ବାସକରେ–ବାତ୍ତିସତା ଓ ରେନ୍‌ଗୋଲ୍‌ଡ଼ ଭଳି ଲୋକଙ୍କର ଜଗତରେ ।

ତଥାପି–ତଥାପି ଏହି ଏମିଲିୟାହିଁ ଥିଲା ମାର ସ୍ୱପ୍ନ । ଆଉ ସେହି ଆଜି ମୋର ବିଚାର କରିଛି, ଗୋଟାଏ ତୁଚ୍ଛ ଘଟଣାପାଇଁ ମୋତେ ଘୃଣା କରିଛି ।

ପେନିଲୋପ ତାର ଅନୁପସ୍ଥିତ ସ୍ୱାମୀର ଅନୁଗତା ଥିଲା ସୁଦୀର୍ଘ ଦଶଟି ବର୍ଷ, କିନ୍ତୁ ଏମିଲିୟା ମୋତେ ଅକାରଣରେ ଘୃଣା କରୁଛି । ତାକୁ ଭଲ ପାଇବାପାଇଁ ଓ ତାକୁ ବୁଝେଇବାରେ ଆକୁଳତାରେ ମୁଁ ଯାହା କରିଛି ତାକୁ ନେଇ ହିଁ ସେ ମୋର ବିଚାର କରିଛି । ସେହି ପୃଥିବୀରୁ ଏମିଲିୟାକୁ ଦୂରକୁ ଘୁଞ୍ଚେଇ ଆଣିବାକୁ ହେବ, ତା ସହିତ ପରିଚୟ କରାଇଦେବା ପାଇଁ ପଡ଼ିବ ଆହୁରି ଏକ ଜଗତର–ଯେଉଁଠି ଅର୍ଥର କୌଣସି ମୂଲ୍ୟ ନାହିଁ, ବାଣୀ ଯେଉଁଠି ସୁସ୍ପଷ୍ଟ ଓ ତ୍ରୂଟିହୀନ-। ମୋର ଅଭିପସିତ ଯେଉଁ ଜଗତ–ଯାହାର ଅସ୍ତିତ୍ୱ ନାହିଁ, ସେଇଠିକି ନେଇ ଆସିବାକୁ ହେବ ଏମିଲିୟାକୁ ।

ଆପାତତଃ ବାତ୍ତିସତା ଓ ରେନ୍‌ଗୋଲ୍‌ଡ଼ଙ୍କର ଜଗତରେ ରହିବାକୁ ପଡ଼ିବ । ବର୍ତ୍ତମାନ କଣ କରିବି ? ହଁ, ମନର ସଂକୋଚ କଟେଇନେବା ପାଇଁ ହେବ–ମୋର ଆଚରଣ ପାଇଁ ନୁହେଁ, ପ୍ରକୃତିଗତ ଦୁର୍ବଳତା ପାଇଁ ସେ ମୋତେ ଘୃଣା କରେ ।

ଓଡ଼ିସି ସମ୍ବନ୍ଧରେ ମୋର କଳ୍ପିତ ରୂପଟି ହିଁ ସତ୍ୟ, ପ୍ରକୃତରେ ସେହିଟା ହିଁ ହେଲା ହୋମରଙ୍କ ଆଦର୍ଶ । ବାତ୍ତିସତା, ରେନ୍‌ଗୋଲ୍‌ଡ଼ ଓ ମୁଁ ଇଉଲିସିସକୁ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗିରେ ଦେଖିଛୁ–କାହିଁକି ନା ଆମ୍ଭମାନଙ୍କର ଜୀବନ ଓ ଆଦର୍ଶ ଏକ ନୁହେଁ । ବାତ୍ତିସତା ନିଜ ବ୍ୟକ୍ତିଗତ ଜୀବନ ଓ ଆଦର୍ଶ ବା ସ୍ୱାର୍ଥ ସହିତ ସାମଞ୍ଜସ୍ୟ ରଖି ସେ କଳ୍ପନା କରିଛନ୍ତି ଇଉଲିସିସକୁ । ମି. ରେନ୍‌ଗୋଲ୍‌ଡ଼ଙ୍କର କଳ୍ପିତ ରୂପ ଆହୁରି ବାସ୍ତବ ଓ ସ୍ଥୂଳ–ତାର ଭବିଷ୍ୟତ ସମ୍ଭାବନା ହିଁ ଅନୁକୂଳ, ଆଉ ମୋର ରୂପ ହେଲା–ମହାନ୍ ଅଥଚ ସ୍ୱାଭାବିକ, ବାସ୍ତବ । ଅର୍ଥ ଯେ ଜୀବନକୁ କଳଙ୍କିତ ବା ସଙ୍କୁଚିତ କରିପାରେ ନାହିଁ କିମ୍ବା ଯେଉଁ ଜୀବନ କେବେହେଲେ ଦୈହିକ ଓ ପାର୍ଥିବ ସ୍ତରକୁ ଓହ୍ଲେଇ ଆସି ପାରେ ନାହିଁ–ସେହିଭଳି ଗୋଟାଏ ଜୀବନର ନିଷ୍ଫଳ ଅଥଚ ଆନ୍ତରିକ ଅଭିଳାଷରୁ ମୋର ଏ ରୂପ କଳ୍ପନା ।

 

ହୁଏତ ଚିତ୍ରନାଟ୍ୟରେ ଏହି ରୂପ ଫୁଟେଇ ହେବ ନାହିଁ, ତଥାପି ଠିକ୍ ସେହିଭଳି ଜୀବନ ଯାପନର ଚେଷ୍ଟା କରିବାକୁ ପଡ଼ିବ ମୋତେ । ଏହିଭଳି ଭାବରେ ଫେରେଇ ଆଣିବାପାଇଁ ପଡ଼ିବ ଏମିଲିୟାର ଶ୍ରଦ୍ଧା ଓ ପ୍ରେମ ।

 

କିନ୍ତୁ କେମିତି ଭାବରେ ? କେଉଁ ଉପାୟରେ ?

 

ତାକୁ ଆହୁରି ଗଭୀରଭାବରେ ଭଲ ପାଇବାକୁ ହେବ । ଯେତେବେଳେ ଲୋଡ଼ା, ଯେତେ ଥର ପ୍ରୟୋଜନ ସେତେ ଥର–ମୋର ପ୍ରେମ ପବିତ୍ରତା ଓ ନିଃସ୍ୱାର୍ଥତାର ପ୍ରମାଣ ଦେବାକୁ ପଡ଼ିବ ।

 

ତେବେ ହଁ, ବର୍ତ୍ତମାନ ଏମିଲିୟା ଉପରେ ଜୋର୍ ଖଟେଇଲେ ସୁଫଳ ହେବ ନାହିଁ । ଆଜି ଏଇଠି ହିଁ ରହିବି, କାଲି ଚାଲିଯିବି । ରୋମରୁ ସବୁକଥା ଚିଠି ଲେଖି ଜଣାଇବି–ଯାହା ମୁହଁରେ କହିପାରି ନାହିଁ ।

 

ବାରଣ୍ଡା ତଳେ ଏମିଲିୟା ଓ ବାତ୍ତିସତାର କଣ୍ଠସ୍ୱର ଶୁଣିଲି । ଶୀଘ୍ର ଘର ଭିତରକୁ ପଶିଯାଇ ଦରଜା ବନ୍ଦ କରିନେଲି, ମାତ୍ର ନିଦ ହେଲା ନାହିଁ । ମନେ ହେଲା–ଏମାନେ ଦୁହେଁ ପ୍ରମୋଦ ପ୍ରାସାଦରେ ବୁଲି ବୁଲି ମୋର ଚାରିପଟେ ଗୁଞ୍ଜନ ତୋଳିବେ । ମୁଁ ସହିପାରିବି ନାହିଁ ।

 

କିଛିଦିନ ଭଲ ଭାବରେ ନିଦ ହେଉ ନ ଥିଲା, ତେଣୁ ରୋମରୁ ଆସିବାବେଳକୁ ନିଦ ପାଇଁ ଗୋଟାଏ ଶିଶି ଔଷଧ କିଣିନେଇ ଆସିଥିଲି । ଏକା ସାଥୀରେ ଦୁଇମାତ୍ରା ଔଷଧ ଢାଳି ଖାଇ ପକେଇଲି ।

 

ପ୍ରାୟ ସଙ୍ଗେ ସଙ୍ଗେ ନିଦରେ ଅଚେତନ ହୋଇପଡ଼ିଲି ।

 

ଏମିଲିୟା ଓ ବାତ୍ତିସତାଙ୍କର ଗୁଞ୍ଜନଧ୍ୱନି ଆଉ ଶୁଣାଗଲା ନାହିଁ । ...

 

ନିଦ ଭାଜିଗଲା । ଝରକା ଦେଇ ଉଙ୍କିମାରୁଛି ସୂର୍ଯ୍ୟାଲୋକ । ବୁଝିପାରିଲି, ଅନେକ ସମୟ ହୋଇଛି । ବିଛଣାରେ ଶୋଇ ଚାରିଆଡ଼ର ମୌନତାର ଭାଷା ଶୁଣିଲି । ନଗରର ନୀରବତା ସହିତ ଏହାର ଟିକିଏ ମଧ୍ୟ ସାମଞ୍ଜସ୍ୟ ନାହିଁ । ସେଠାକାର ପରିପୂର୍ଣ୍ଣ ପବିତ୍ରତା ମଧ୍ୟରେ ବି ଯେମିତି ରହିଛି ଅତୀତର କ୍ଷତ ଓ ବେଦନାର ପ୍ରତିଧ୍ୱନି । ବିଛଣା ଉପରେ ବସି କାନପାତି ଶୁଣିଲି–ଆହୁରି ନିବିଷ୍ଟ ଭାବରେ ଶୁଣିଲି ।

 

ହଠାତ୍‍ କୌଣସି ଜିନିଷର ଅଭାବ ବୋଧକଲି । ଏଇଠି ଯେମିତି କିଛି ଗୋଟାଏ ଅପରିହାର୍ଯ୍ୟ ବସ୍ତୁ ନାହିଁ । ଇୟେ ଯେମିତି ଲୋକାଳୟର ନୀରବତା ନୁହେଁ, ଜଡ଼ ଜଗତର ନିର୍ଜନତା-। ବିଛଣାରୁ ଡେଇଁପଡ଼ି ଏମିଲିୟାର ଦରଜା ପାଖକୁ ଗଲି । ଦରଜା ଖୋଲିବା ମାତ୍ରକେ ଆଖିରେ ପଡ଼ିଲା ଖଣ୍ଡେ ଚିଠି । ପରିତ୍ୟକ୍ତ ଅବିନ୍ୟସ୍ତ ଶଯ୍ୟା ଉପରେ ତକିଆ ତଳେ ରଖା ହୋଇଥିବା ଚିଠି ଖଣ୍ଡିକ ପଢ଼ିଲି । ସଂକ୍ଷିପ୍ତ ଏକ ଲିପି–

 

ପ୍ରିୟ ରିକାର୍ଡ଼ୋ !

 

ଦେଖିଲି ତୁମେ ଯିବାକୁ ଚାହଁନା, ତେଣୁ ମୁଁ ଯାଉଛି । ଏକାକୀ ଯିବାର ସାହସ ହୋଇ ନ ଥାନ୍ତା । ବାତ୍ତିସତା ଯାଉଛନ୍ତି । ଏହି ସୁଯୋଗଟା ହିଁ ଗ୍ରହଣ କଲି । ଏକା ଏକା ମୋତେ ଭୟ ଲାଗେ । ତା ଛଡ଼ା, ଏକାବେଳକେ ନିଃସଙ୍ଗ ହେବା ଅପେକ୍ଷା ମି: ବାତ୍ତିସତାଙ୍କର ସାନ୍ନିଧ୍ୟ ମନ୍ଦ ନୁହେଁ-। ରୋମରେ ପହଞ୍ଚି ତାଙ୍କ ପାଖରୁ ଚାଲିଯିବି, ନିଜେ ହିଁ ନିଜର ଜୀବିକା ଉପାର୍ଜ୍ଜନ କରିବି । ତେବେ, ଯଦି ଶୁଣିବାକୁ ପାଅ ବାତ୍ତିସତାଙ୍କର ଉପପତ୍ନୀ ହୋଇଛି, ଆଶ୍ଚର୍ଯ୍ୟ ଯେମିତି ନ ହୁଅ-। ରକ୍ତମାଂସରେ ଗଢ଼ା ମଣିଷ ମୁଁ । ସେତେବେଳେ ବୁଝିନେବ ଯେ ମୁଁ ନିଜକୁ ବଞ୍ଚେଇ ପାରିନାହିଁ ।

 

ଏମିଲିୟା

 

ବିଛଣା ଉପରେ ବସି ଉଦାସ ଦୃଷ୍ଟିରେ ଚାହିଁ ରହିଲି । ଚିଠି ଖଣ୍ଡିକ ହାତରେ ହିଁ ରହିଲା-

 

ଖୋଲା ଝରକା ଦେଇ ବାହାରକୁ ଚାହିଁଲି–ବାହାରେ କେତୋଟି ପାଇନ ଗଛ, ତାରି ପଛରେ ପ୍ରାଚୀର । ଆଖି ବୁଲେଇ ଘରଭିତରଟା ଆଉ ଥରେ ଦେଖିନେଲି । ସମସ୍ତ ଅସ୍ତବ୍ୟସ୍ତ, ଶୂନ୍ୟ–ସ୍କାର୍ଟ, ସେମିଜ ଜୋତା, ପ୍ରସାଧନ ସାମଗ୍ରୀ...କିଛି ନାହିଁ । ଗତ କେତେଦିନ ଧରି ଯେଉଁ ବିପଦର ଆଶଙ୍କାରେ ଦିନ କଟେଇଛି, ସେ ବିପଦ ଆଜି ଆସିଛି । ଛିନ୍ନମୂଳ ତରୁର ଯଦି ଅନୁଭବ ଶକ୍ତି ଥାଏ, ତାହାହେଲେ ସେ ତାର ମୂଳ ଭିତରେ ଯେଉଁ ବେଦନା ବୋଧ କରେ, ଠିକ୍ ସେହିଭଳି ମର୍ମାନ୍ତିକ ବେଦନା ଅନୁଭବ କଲି । ସତରେ ଅତର୍କିତ ଭାବରେ ମୁଁ ଛିନ୍ନମୂଳ ହୋଇପଡ଼ିଛି, ବୃକ୍ଷ ଭଳି ମୋର ମୂଳ ଉତ୍ପାଟିତ ହୋଇଛି, ମୋର ମୃତ୍ତିକା ଏମିଲିୟା–ଯିଏ ତାର ପ୍ରେମ ଦେଇ ମୂଳକୁ ସତେଜ ଓ ସଜୀବ କରିଥିଲା ସେ ଆଜି ଦୂରକୁ ଅପସରି ଯାଇଛି । ମୂଳ ଆଉ ସେହି ପ୍ରେମର ସ୍ପର୍ଶ ପାଇବ ନାହିଁ, ଆହରଣ କରିପାରିବ ନାହିଁ ମାଟିର ରସ ସୁଧା–ନିଷ୍ପ୍ରାଣ ଶୁଷ୍କ ହୋଇଯିବ ଧୀରେ ଧୀରେ ।

 

ବିଷର୍ଣ୍ଣ, ବ୍ୟଥିତ ଚିତ୍ତରେ ଘରକୁ ଫେରିଆସିଲି । ସଙ୍ଗେ ସଙ୍ଗେ ମନରେ ଜାଗିଉଠିଲା ବିସ୍ମୟ । ମୁଁ ଯେମିତି ଅନେକ ଉଚ୍ଚରୁ ତଳକୁ ଖସିପଡ଼ିଛି । ହିଂସ୍ର ପଶୁର ନିଶ୍ଚିତ ଆକ୍ରମଣ ପୂର୍ବରୁ ଅସହାୟ ଜୀବ ବ୍ୟାକୁଳ ଦୃଷ୍ଟିରେ ନିହନ୍ତାକୁ ଚାହିଁ ଯେଉଁ ମର୍ମବେଦନ; ଅନୁଭବ କରେ, ଠିକ୍ ସେହିଭଳି ନିଦାରୁଣ ବ୍ୟଥା ଜାଗିଉଠିଲା ବୁକୁରେ ।

 

ସନ୍ତରଣ ପୋଷକଟି ନେଇ ରାସ୍ତାକୁ ବାହାରି ଆସିଲି । ବଜାରକୁ ଆସି ଗୋଟାଏ ସମ୍ବାଦପତ୍ର କିଣି କାଫେରେ ବସିଲି । କି ଆଶ୍ଚର୍ଯ୍ୟ ! ଅଳ୍ପ ସମୟରେ ସଂବାଦପତ୍ର ପଢ଼ିବା ଶେଷ ହୋଇଗଲା । ନିଷ୍ଠୁର ଶିଶୁ ଯେତେବେଳେ କଙ୍କିଟିଏ ଧରି ତାରି ପକ୍ଷ ଛିଣ୍ଡାଇ ଦିଏ, କଙ୍କିଟା ଟେର ପାଏ ନାହିଁ । ସେହି ଅବସ୍ଥାରେ କିଛିଦୂର ଆଗେଇଯାଏ, ତାପରେ ନିଶ୍ଚଳ ହୋଇପଡ଼େ । ମୋର ବର୍ତ୍ତମାନ ଅବସ୍ଥା ସହିତ କଙ୍କିର ଅବସ୍ଥା ତୁଳନୀୟ । ...

 

ଦ୍ୱିପ୍ରହର ସମୁଦ୍ରତୀରଗାମୀ ବସ୍‍ ଛାଡ଼ିଛି । ବସରେ ଉଠିପଡ଼ିଲି । ଟିକିଏ ପରେ ରୌଦ୍ରୋଜ୍ଜ୍ୱଳ ଖୋଲା ପ୍ରାନ୍ତର ଆଖିରେ ପଡ଼ିଲା । ଧୀରେ ଧୀରେ ଗାଧୋଇବା ଘାଟକୁ ଆସି ସିଡ଼ିରେ ତଳକୁ ଓହ୍ଲେଇ ଆସିଲି । ଦେଖିଲି–ଶୁଭ୍ର ବେଳାଭୂମି, ପ୍ରଶାନ୍ତ ଆକାଶତଳ ନିର୍ମଳ ଗଭୀର ନୀଳ ସମୂଦ୍ର–ସ୍ଥିର ଦିଗନ୍ତଲୀନ ।

 

ସମୂଦ୍ରର ଜଳ ରେଶମ ଭଳି ଚକ ଚକ କରୁଛି । ଲହରୀଗୁଡ଼ିକ ଆଳସ୍ୟରେ ଘୂରି ଘୂରି ଚାଲୁଛି । ଭାବିଲି, ନୌକାରେ ଚଢ଼ିବି । ପାଲ ଟାଣିଲେ ମନର ଚିନ୍ତା ହାଲୁକା ହୋଇଯିବ, ତା ଛଡ଼ା ଏକା ରହିବାର ସୁଯୋଗ ପାଇବି । ଘାଟକୁ ଆସି ରକ୍ଷିକୁ ନୌକା ଆଣିବା ପାଇଁ ଆଦେଶ ଦେଲି । ବୃଦ୍ଧ ରକ୍ଷୀଟି ମୁଣ୍ଡ ଉପରକୁ ଟୋପିଟା ଉଠେଇ ନେଇ, ନୌକାଟି ଆଣ୍ଠୁଏ ପାଣିକୁ ଠେଲି ଦେଇ ଠିଆ ହୋଇ ରହିଲା । ଦେଖିଲି–ନୌକାରେ ସ୍ଥିର ଭାବରେ ବସି ରହିଛି ଏମିଲିୟା । ତାର ଦେହରେ ମୋର ବହୁ ପରିଚିତ ସବୁଜ ପୋଷାକ । ପାଦ ଦୁଇଟି ଏକତ୍ରିତ କରି ହାତ ଦୁଇଟି ବିସ୍ତାରିତ କରି, ଅଣ୍ଟାଟା ଅଳ୍ପ ସଙ୍କୁଚିତ କରି ସେ ବସି ରହିଛି । ଅପୂର୍ବ ସୁନ୍ଦର ସେ ଦେଖାଯାଉଛି ।

 

ମୋର ବିସ୍ମୟ ଦେଖି ସେ ମୁରୁକି ହସୁଛି, ମୋ ଆଖିରେ ଆଖି ରଖି ଚାହିଁ ରହିଛି–ଆଖିର ନୀରବ ଭାଷାରେ ସେ ଯେମିତି କହିବାକୁ ଚାହେଁ–ମୁଁ ଏଇଠି ହିଁ ରହିଛି..ମୋତେ କିଛି କୁହ ନାହିଁ; ଆଜି ଆଉ କୌଣସି କଥା ନୁହେଁ ।

 

ତାର ଅବ୍ୟକ୍ତ ଆଦେଶ ପାଳନ କଲି । ମନରେ ଜାଗି ଉଠିଲା ଆଲୋଡ଼ନ । ରକ୍ଷୀ ହାତଟା ବଢ଼େଇ ଠିଆ ହୋଇଥିଲା । ତାର ହାତ ଧରି ନୌକା ଉପରେ ଉଠିପଡ଼ି ମୁହଁ ତଳକୁ ପୋତି ପାଲ ଟାଣିବାକୁ ଲାଗିଲି । ପ୍ରାୟ ଦଶ ମିନିଟ୍ ଭିତରେ ଅନ୍ତରୀପରେ ଆସି ପହଞ୍ଚିଲୁ । ଏତେବେଳ ପର୍ଯ୍ୟନ୍ତ ଏମିଲିୟାକୁ ଚାହିଁନି, ପଦେ ହେଲେ କଥା କହିନି । ନିଜକୁ ସଂଯତ କରିନେଇଥିଲି । ଏମିଲିୟା ସହିତ ନିର୍ଜନରେ ବସି ଆଳାପ କରିବା ମୋର ଅଭ୍ୟାସ, ବତ୍ତିସତାଙ୍କ ପ୍ରମୋଦ–ପ୍ରାସାଦରେ ମଧ୍ୟ ଏହି ପୁରାତନ ଅଭ୍ୟାସର ବ୍ୟତିକ୍ରମ ହୋଇନି ।

 

ପାଲ ଟାଣୁ ଟାଣୁ ବିଚିତ୍ର, ଅଭିନବ ଆନନ୍ଦ ମିଶ୍ରିତ ବେଦାନର ଅନୁଭୂତିରେ ଆଖି ଜଳିବାକୁ ଲାଗିଲା, ଗଣ୍ଡଦ୍ୱୟ ସିକ୍ତ ହୋଇପଡ଼ିଲା ।

 

ଅନ୍ତରୀପର ଅପର ପ୍ରାନ୍ତକୁ ଆସି ଉଜାଣି ସ୍ରୋତ ଲକ୍ଷ୍ୟକରି ସେଆଡ଼କୁ ଆଗେଇ ଗଲି-। ସେଠୁ ଉଠୁଛି କଳ କଳ ଛଳ ଛଳ ଶବ୍ଦ । ଡାହାଣ ଦିଗକୁ ପାଣି ଉପରେ ଗୋଟାଏ କଳା ପାହାଡ଼ର ଚୂଡ଼ା ଦେଖାଯାଉଛି । ବାମ ପାଖରେ ଅନ୍ତରୀପର ପଛକୁ ସୁଉଚ୍ଚ ପଥରର ପ୍ରାଚୀର-। ଜୋରରେ ପାଲ ଟାଣି ସେ ସ୍ଥାନଟି ପାରିହୋଇ ଆସିଲୁ । ପାହାଡ଼ଟି ଯେଉଁଠି ବୁଡ଼ି ରହିଛି ସେଇଠି ପାଣି ଧଳା, ଭଟ୍ଟା ଫଳରେ ସାମୂଦ୍ରିକ ଶିଉଳିର ସବୁଜ ଶ୍ମଶ୍ରୂ ଦେଖାଯାଉଛି ! ଟମାଟୋ ଭଳି ଲାଲ ଲାଲ ଫଳ ପାଣି ଉପରେ ଭାସୁଛି । ଅନ୍ତରୀପର ଶେଷ ସୀମାରେ ରହିଛି ଗୋଟାଏ ପଥରରେ ତିଆରି ରଙ୍ଗମଞ୍ଚ ଭଳି ଏକ ସ୍ଥାନ–ପଛରେ ସମ ବିଳମ୍ବିତ ପାହାଡ଼ର ଦେବାଲ, ବିକ୍ଷିପ୍ତ ପଥରର ଫାଙ୍କରେ ଜନହୀନ ତଟଭୂମି । ସମୂଦ୍ର ବକ୍ଷ ବି ନିର୍ଜନ...ସ୍ନାନାର୍ଥିମାନଙ୍କ ଗହଳି ନାହିଁ, ନୌକା ବି ନାହିଁ । ଜଳ ଘନ ଉଜ୍ଜ୍ୱଳ ନୀଳ, ଦେଖିଲେ ହିଁ ଜଣାଯାଏ ଗଭୀର । ଆହୁରି ଦୂରରେ ଧାଡ଼ି ଧାଡ଼ି ଅନ୍ତରୀପ–କାଳ୍ପନିକ ରଙ୍ଗମଞ୍ଚର ପାର୍ଶ୍ୱଦେଶ ଭଳି ।

 

ନୌକାର ବେଗ କମେଇ ଦେଇ ଏମିଲିୟା ଆଡ଼କୁ ମୁହଁ ବୁଲେଇ ଚାହିଁଲି । ସିଏ ବି ଯେମିତି କିଛି କହିବାକୁ ଚାହେଁ । ମୋତେ ଚାହିଁ ହସ ହସ ମୁହଁରେ ସେ ପ୍ରଶ୍ନକଲା–ତୁମେ କାନ୍ଦୁଛ କାହିଁକି ?

 

କହିଲି ଆନନ୍ଦାତିଶଯ୍ୟରେ ।

 

ମୋତେ ଦେଖି ଖୁସି ହୋଇଛ ?

 

ଖୁସି ? ...ନିଶ୍ଚୟ । ଭାବିଥିଲି ତୁମେ ମୋତେ ଛାଡ଼ି ଚାଲିଯାଇଛ ।

 

ଆଖି ନୁଆଁଇ ଏମିଲିୟା କହିଲା–ଠିକ୍ କରିଥିଲି ଚାଲିଯିବି–ମି: ବାତ୍ତିସତାଙ୍କ ସହିତ ଷ୍ଟିମାର ଘାଟ ପର୍ଯ୍ୟନ୍ତ ଆସିଥିଲି...ଶେଷ ମୁହୂର୍ତ୍ତରେ ଠିକ୍ କଲି ଯିବି ନାହିଁ, ତେଣୁ ରହିଗଲି ।

 

ଏଇଠି କଣ କରୁଥିଲ ?

 

ବନ୍ଦରଟା ବୁଲି ବୁଲି ଦେଖିଲି...କାଫେକୁ ଗଲି...ପ୍ରମୋଦ–ପ୍ରାସାଦକୁ ଟେଲିଫୋନ କରି ଜାଣିଲି, ତୁମେ ବାହାରି ଆସିଛ...ଭାବିଲି, ଏଇଠିକି ଆସିଛ, ତେଣୁ ଆସିଲି–ଦେଖିଲି, ତୁମେ ନୌକା ଆଣିବାକୁ କହୁଛ...ଟିକିଏ ଖରାରେ ଶୋଇଥିଲି–ମୋ ପାଖଦେଇ ତୁମେ ଚାଲିଗଲ, ମୋତେ ମୋଟେ ଦେଖିପାରିଲ ନାହିଁ...ତାପରେ ତୁମେ ଯେତେବେଳେ ପୋଷାକ ପରିବର୍ତ୍ତନ କରୁଥିଲ ସେତେବେଳେ ମୁଁ ନୌକାରେ ଆସି ବସିଲି...

 

କିଛି ସମୟ ନୀରବ ରହିଲି ।

 

ଆଉ ଅଳ୍ପ ଆଗେଇଲେ ହିଁ ସବୁଜ ଗୁହା । ଭାବିଲି ସେଇଠି ଯାଇ ସ୍ନାନ କରିବି ।

 

ପ୍ରଶ୍ନକଲି, ବାତ୍ତିସତାଙ୍କ ସହିତ ଗଲ ନାହିଁ କାହିଁକି ?

 

ଭାବି ଦେଖିଲି–ଭୁଲ କରିଛି–ସବୁ କିଛି ଭୁଲ ବୁଝାମଣା ଛଡ଼ା କିଛି ନୁହେଁ ।

 

କଣ ଦେଖି ବୁଝିଲ ?

 

ଠିକ୍‍ ଜାଣେ ନାହିଁ...ତେବେ ଅନେକ କିଛି...ହୁଏତ କାଲି ସନ୍ଧ୍ୟାରେ ତୁମ କଣ୍ଠସ୍ୱର ଶୁଣି–

 

ତେବେ, ସତରେ ତୁମେ କଣ ବୁଝିପାରିଛ–ମୋ ବିରୁଦ୍ଧରେ ତୁମର ଅଭିଯୋଗ ଭିତ୍ତିହୀନ ?

 

ହଁ ।

 

କିନ୍ତୁ–ତୁମେ କଣ ମନେକରନା ମୁଁ ଘୃଣ୍ୟ ? କୁହ କୁହ ଏମିଲିୟା...ଏହା କଣ ତୁମର ଶେଷ କଥା ।

 

ଭାବିଥିଲି, ତୁମେ ଗୋଟାଏ କଣ କରିଥିଲ–ଆଉ ସେଥିପାଇଁ ମାର ଶ୍ରଦ୍ଧା ହରେଇଥିଲ, କିନ୍ତୁ ବର୍ତ୍ତମାନ ଜାଣିପାରିଛି–ସବୁ ଭୁଲ ବୁଝାମଣା...କିଛି ମନେକର ନାହିଁ, ସୁନାଟା ପରା !

 

ଦୁହେଁ ନୀରବ ।

 

ଆହୁରି ଜୋରରେ ପାଲ ଟାଣିବାକୁ ଲାଗିଲି । ଦେହରେ ଯେମିତି ଦ୍ୱିଗୁଣ ଶକ୍ତି ଆସିଛି, ମନରେ ସ୍ଫୂର୍ତ୍ତିର ସୀମାନାହିଁ । ମନର ଆନନ୍ଦ ବାହାରର ରୌଦ୍ର ଭଳି କ୍ରମଶଃ ବଢ଼ିବାକୁ ଲାଗିଲା, ଉଷ୍ଣତାରେ ସର୍ବାଙ୍ଗରେ ଶିହରଣ ଜାଗିଲା ।

 

ସବୁଜ ଗୁହାର ବିପରୀତ ଦିଗକୁ ଆସି ପ୍ରଶ୍ନକଲି, ତୁମେ କଣ ସତରେ ମୋତେ ଭଲପାଅ ?

 

ଅଳ୍ପ ଇତସ୍ତତଃ କରି ଏମିଲିୟା କହିଲା–ଚିରଦିନ ତୁମକୁ ଭଲ ପାଇଛି...ଭଲ ପାଇବି ଚିରଦିନ...

 

କିନ୍ତୁ ଏ କଣ ? ତାର ମୁହଁରେ ବେଦନାରେ ଛାୟା କାହିଁକି ?

 

ଶଙ୍କିତ ଭାବରେ କହିଲି–ଏମିତି ଭାବରେ–ଏତେ ବିମର୍ଷ ଭାବରେ କଥାଟି କହିଲ କାହିଁକି ?

 

ଜାଣେନା...ହୁଏତ, ତାର କାରଣ...ଯଦି ଦୁହିଁଙ୍କ ଭିତରେ ଏମିତି ଭୁଲ୍‍ ବୁଝାମଣା ହୋଇ ନ ଥାନ୍ତା–ଆଗଭଳି ପରସ୍ପରକୁ ଦୁହେଁ ଭଲ ପାଉଥାନ୍ତେ !

 

ହଁ–କିନ୍ତୁ ବର୍ତ୍ତମାନ ତ ଆଉ ଭୁଲ୍‍ ବୁଝାମଣା ନାହିଁ–ସେକଥା ଆଉ ନ ଭାବିବା ଉଚିତ । ବର୍ତ୍ତମାନଠାରୁ ଅବିଚ୍ଛେଦ୍ୟ ରହିବ ଆମର ପ୍ରେମବନ୍ଧନ...କଣ କହୁଛ ?

 

ଯେମିତି ମୁଣ୍ଡ ହଲେଇଲା ଏମିଲିୟା, ଆଖି ଟେକିଲା ନାହିଁ ।

 

ପାଲ ଟାଣିବା ଅଳ୍ପ ସମୟ ବନ୍ଦ କଲି–ଆମେ ଲାଲଗୁହାକୁ ଯିବା...ସେିଠି ଅଳ୍ପ ଜାଗା ରହିଛି...ଛାୟାନ୍ଧକାର ସ୍ଥାନଟି ନିର୍ଜନ...ସେଠିକି ଯେଇ ନୂତନ ଭାବରେ ଆରମ୍ଭ କରିବା ଆମର ସେହି ପୁରାତନ ଜୀବନ...ରଚନା କରିବା ଆମର ନିଭୃତ ମିଳନ–କୁଞ୍ଜ...ଚାଲିବ ବାଧାହୀନ, ଅନ୍ତହୀନ ପ୍ରେମଲୀଳା, ଅକୁଣ୍ଠିତ ରତିବିଳାସ । ଥରେ ଆଖି ଟେକି ଚାହିଁଲା ଏମିଲିୟା । ମୁଣ୍ଡ ହଲେଇ ଜଣେଇଲା ନୀରବ ସମ୍ମତି ।

 

ତାର ମୁହଁ ଲଜ୍ଜାରୁଣ ହୋଇପଡ଼ିଲା ।

 

ଲାଲ୍‍ ଗୁହା ଆଡ଼କୁ ଅଗ୍ରସର ହେଲୁ ।

 

ଗଭୀର ଉତ୍ସାହରେ ପାଲଟାଣି ଚାଲିଛି । ସ୍ଥିର ଦୃଷ୍ଟିରେ ଚାହିଁ ରହିଛି ଏମିଲିୟା, ଆଖିରେ କାମନାର ଆକୁଳତା । ସେ ଯେମିତି ଆତ୍ମଦାନର ଚରମ ମୁହୂର୍ତ୍ତର ଅପେକ୍ଷା କରି ରହିଛି-

 

ଲାଲଗୁହାକୁ ଆସି ନୌକାଟିକି ଭିତରକୁ ଟାଣି ଆଣିଲି । କହିଲି, ଏଇଠି ଅନ୍ଧକାର...ତେବେ କିଟି କିଟି ଅନ୍ଧକାର ନୁହେଁ...କୌଣସି ଅସୁବିଧା ହେବ ନାହିଁ ।

 

ଅନ୍ଧକାର ଭିତରେ ନୌକାଟି ଆଉ ଦେଖିବାକୁ ପାଇଲି ନାହିଁ । ଗୋଟାଏ ଶବ୍ଦ ହେଲା । ପାଲ ଛାଡ଼ିଦେଲି । ନୌକାର ପଛପାଖକୁ ଯାଇ କହିଲି, ତୁମର ହାତଟା ଦିଅ...ମୋର ହାତ ଧରି ଓହ୍ଲେଇ ଆସ ।

 

କୌଣସି ଉତ୍ତର ନାହିଁ !

 

ଡାକିଲି, ଏମିଲିୟା–ମୋର ହାତ ଧର–

 

ହାତଟି ବଢ଼େଇଲି ମାତ୍ର କୌଣସି ସୂଚନା ପାଇଲି ନାହିଁ । ଅନ୍ଧକାରେ ହାତ ବଢ଼େଇଲି, ଯେଉଁଠି ଏମିଲିୟା ବସିଥିଲା ସେଇଠି ହାତ ମାଇଲି । କେଉଁଠିକି ଗଲା ଏମିଲିୟା ? ବୁକୁ ଥରି ଉଠିଲା । ଡାକିଲି, ଏମିଲିୟା ! ପ୍ରତିଧ୍ୱନି ଶୁଣିଲି । ଅନ୍ଧକାର ଭିତରେ ଦେଖିଲି–ନୌକାଟି ସ୍ଥିର ଭାବରେ ସୈକତ ଉପରେ ରହିଛି–ମୁଣ୍ଡ ଉପରେ ଗୁହାର ଛାତ–ବେଶ୍ ଅନ୍ଧକାର, ଝର ଝର ହୋଇ ଉପରୁ ପାଣି ଝରୁଛି, ନୌକାରେ କେହି ନାହିଁ–ଜନମାନବର ଚିହ୍ନ କେଉଁଠି ହେଲେ ନାହିଁ, କେବଳ ମୁଁ ଏକା !

 

ଆକୁଳ କଣ୍ଠରେ ପୁଣି ଡାକିଲି, ଏମିଲିୟା, ତୁମେ କେଉଁଠି ?...

 

ସେହିକ୍ଷଣି ଭୁଲ୍‍ ଭାଙ୍ଗିଗଲା । ନୌକାରୁ ଓହ୍ଲେଇ ଓଦା ପଥର ଉପରେ ମୁହଁ ଗୁଞ୍ଜି ଶୋଇପଡ଼ିଲି, ହୁଏତ–ମୂର୍ଚ୍ଛିତ ହୋଇପଡ଼ିଲି ।

 

ପରେ ଜ୍ଞାନ ଫେରିପାଇ ଗୁହାରୁ ଫେରିଆସିଲି । ଗୁହା ମୁହଁକୁ ଆସି ହାତଘଡ଼ିଟା ଦେଖିଲି–ଦିନ ଦୁଇଟା । ପ୍ରାୟ ଘଣ୍ଟାକରୁ ବେଶି ସମୟ ଗୁହା ଭିତରେ କଟେଇଛି । ବୁଝିପାରିଲି–ସେହି ମଧ୍ୟାହ୍ନରେ ଗୋଟାଏ ଛାୟାମୂର୍ତ୍ତି ସହିତ କଥାବାର୍ତ୍ତା କରିଛି, ତାରି ପାଖରେ ଢାଳିଛି ନିଷ୍ଫଳ ଅଶ୍ରୂ ।

 

ଧୀରେ ଧୀରେ ନୌକା ବାହି ଫେରିବାକୁ ଲାଗିଲି–ଗାଧୋଇବା ଘାଟକୁ । ମଝିରେ ମଝିର ପାଲଟଣା ବନ୍ଦକରି ସ୍ୱପ୍ନାଚ୍ଛନ୍ନ ଭଳି ଚାହିଁ ରହିଲି ରୌଦ୍ରଦୀପ୍ତ ନୀଳସମୂଦ୍ରର ଶାନ୍ତ ଗଭୀର ଜଳରାଶିକୁ ।

 

ମୋର ଯେମିତି ମତିଭ୍ରମ ଘଟିଛି । ଦୁଇଦିନ ଆଗେ ଠିକ୍ ଏଭଳି ଘଟିଥିଲା । ଦେଖିଥିଲି–ଏମିଲିୟା ଖରାରେ ଶୋଇରହିଛି, ଆଉ ମୁଁ ତାର ମୁଖ ଚୁମ୍ବନ କରୁଛି । କିନ୍ତୁ ପ୍ରକୃତରେ ମୁଁ ତା ପାଖରୁ ଦୂରରେ ଥିଲି...ଟିକିଏ ବି ତା ପାଖକୁ ଆଗେଇନି, ଆଜିକାର ଏହି ଭ୍ରମଟା ଆହୁରି ସ୍ପଷ୍ଟ । ନା–ନା, ଏ କେବଳ ଭ୍ରମ ଛଡ଼ା ଆଉ କିଛି ନୁହେଁ । ସ୍ୱପ୍ନସଙ୍ଗିନୀ ସହିତ ମୁଁ ଆଳାପ କରୁଛି, ଏମିଲିୟାକୁ ଯାହା କହିବାକୁ ଚାହୁଁଛି ତାକୁ କହିଛି ସେ ସବୁ; ଏମିଲିୟା ପାଖରୁ ଯାହା ଶୁଣିବାର କଳ୍ପନା କରିଛି–ତାହା ଶୁଣିଛି; ତାକୁ ଯେମିତି କଳ୍ପନା କରିଛି ସେହି ରୂପରେ ଦେଖିଛି । ଅସ୍ୱାଭାବିକ, ତୁଳନାହୀନ ଏହି ମାୟାରେ ତିଳେହେଲେ ବିସ୍ମିତ ହୋଇ ନାହିଁ । କିନ୍ତୁ ବର୍ତ୍ତମାନ ଯାଏ ସେ ମାୟାଜାଲ କଟି ନାହିଁ । ଭାବିବାକୁ ଲାଗିଲେ–ଏ ସମ୍ଭବ କି ନୁହେଁ । ସେହି ଦୃଶ୍ୟର କଳ୍ପନାରେ ଆନନ୍ଦ ଓ ତୃପ୍ତି ବୋଧ କଲି ।

 

ନୌକା ଉପରେ ବସି ରହିଛି...କି ଅପରୂପ ଲାବଣ୍ୟମୟୀ ସେ ଦେଖାଯାଉ ନାହିଁ...ତାର ମୁହଁରେ ଊଦ୍ଧତ ଭାବ ଆଉ ନାହିଁ–ସେ ପ୍ରେମମୟୀ...ମଧୁର ତାର କଣ୍ଠସ୍ୱର...ମୁଁ ତାକୁ ଜଣେଇଛି ମୋର ମିଳନକାମନା...ସେ ପ୍ରସ୍ତାବରେ ସେ ସମ୍ମତି ଜ୍ଞାପନ କରିଛି...ତାକୁ ଦେଖି ଚଞ୍ଚଳ ହୋଇଛି ମୋର ମନ...ଇନ୍ଦ୍ରିୟସମ୍ଭୋଗ ସ୍ୱପ୍ନ ଦେଖି ମଣିଷ ଯେପରି ନିଦରୁ ଜାଗି ଉଠେ, ସେ କଳ୍ପନାରେ ପୁଲକାବିଷ୍ଟ ହୋଇପଡ଼େ, ସେହିପରି ମୋର ମନେହେଲା–ଏ ମାୟା ନୁହେଁ, ସତ୍ୟ । ମନର ଆନନ୍ଦରେ ସ୍ମରଣ କଲି ସେ ଦୃଶ୍ୟ । ହେଉ ସେ ସ୍ୱପ୍ନ, ମୋ ପାଖରେ ଏହି ଘଟଣା ବାସ୍ତବ ।

 

ଅଶ୍ରାନ୍ତି, ଅନାବିଳ, ଅନିର୍ବଚନୀୟ ତୃପ୍ତିରେ ରୋମନ୍ଥନ କରିବାକୁ ଲାଗିଲି ଘଟଣାଟି । ଇୟେ ଯେମିତି ମୋ ମନର ଗୋପନ ଆକାଂକ୍ଷାର ହିଁ ପ୍ରତୀକ !

 

ମୁଁ ଶୋଇପଡ଼ିଥିଲି–ନିଦରେ ଏମିଲିୟା ସହିତ ଆଳାପ କରୁଥିଲି, ହାତ ଧରିବାକୁ ଚାହିଁଥିଲି, କିନ୍ତୁ ତାକୁ ଦେଖି ନ ପାରି ମୂର୍ଚ୍ଛିତ ହୋଇ ପଡ଼ିଥିଲି ।

 

ପୁଣି ଭାବି ଦେଖିଲି...ହୁଏତ ସବୁଯାକ ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ । ସ୍ୱପ୍ନ ଓ ବାସ୍ତବର ସୀମାରେଖା ନିର୍ଦ୍ଧାରଣ କରିବା ପ୍ରାୟ ଅସମ୍ଭବ ମନେହେଲା । ...ଗୁହାରେ ଶୋଇପଡ଼ିଥିଲି । ମୁଁ କଣ ସ୍ୱପ୍ନ ଦେଖିଥିଲି...ରକ୍ତମାଂସରେ ଗଢ଼ା ଏମିଲିୟାକୁ ? ମୁଁ କଣ ଦେଖିଥିଲି–ଏମିଲିୟାର ପ୍ରେତାତ୍ମା ମୋ ପାଖକୁ ଆସିଛି, ନା ସ୍ୱପ୍ନ ଦେଖିବାର ସ୍ୱପ୍ନ ଦେଖିଥିଲି ?

 

ବାରମ୍ବାର ଭାବିବାକୁ ଲାଗିଲି–ମୁଁ କଣ ସ୍ୱପ୍ନ ଦେଖିଛି, ନା ମାୟାରେ ବିଭ୍ରାନ୍ତ ହୋଇପଡ଼ିଛି ? ନା, ଏ ରହସ୍ୟର ସମାଧାନ କେବେହେଲେ କରିପାରି ନାହିଁ ।

 

ଗାଧୋଇବା ଘାଟରେ ନୌକା ବାନ୍ଧି ଦେଇ କୂଳକୁ ଉଠି ପୋଷାକ ପରିବର୍ତ୍ତନ କରିବାକୁ ଲାଗିଲି । ତା ପରେ ରାସ୍ତାକୁ ଆସି ପୁଣି ବସରେ ଉଠିଲି । ଅବିଳମ୍ବେ ଘରକୁ ଫେରି ଆସିବାର ଇଚ୍ଛା ହେଲା । କାହିଁକି ଜାଣେନା, ମନରେ ଦୃଢ଼ ଧାରଣା ହେଲା ଯେ–ଘରକୁ ଫେରିଲେ ହିଁ ଏ ରହସ୍ୟର ସମାଧାନ ହେବ । ତା ଛଡ଼ା ଏଯାଏଁ ଖିଆ ହୋଇ ନାହିଁ, ଖିଆପିଆ ସାରି ମାଲପତ୍ର ବନ୍ଧାବନ୍ଧି କରି ନଅଟାରେ ଷ୍ଟିମର ଧରିବି । ଅନେକ ବିଳମ୍ବ ଭିତରେ ପ୍ରମୋଦ ପ୍ରାସାଦକୁ ଫେରିଆସିଲି ।

 

ଡାଇନିଂ ହଲ୍ନିର୍ଜନ, କିନ୍ତୁ ଟେବୁଲଟି ବେଶ୍‍ ସଜ୍ଜିତ । ଟେବୁଲ ଉପର ପ୍ଲେଟ ପାଖରେ ଗୋଟିଏ ଟେଲିଗ୍ରାମ । ବିନା ଦ୍ୱିଧାରେ ବିରକ୍ତି ସହକାରେ ହଳଦିଆ ଲଫାପାଟି ଖୋଲିଲି-। ତଳେ ମି: ବାତ୍ତିସତାଙ୍କର ନାମ ଲେଖା ରହିଥିବା ଦେଖି ଅବାକ୍‍ ହୋଇପଡ଼ିଲି । କାହିଁକି ଜାଣେନା, ମନରେ ସୁସଂବାଦର ଆଶା ଜାଗିଉଠିଲା । ଟେଲିଗ୍ରାମଟି ପଢ଼ିଲି ‘‘ଦୁର୍ଘଟଣାରେ ଆହତ ଏମିଲିୟାର ଅବସ୍ଥା ସଙ୍କଟଜନକ...ବାତ୍ତିସତା ।’’

 

ଶିରାର ରକ୍ତ ମୁଣ୍ଡ ଉପରକୁ ଚଢ଼ିଗଲା ।

 

କ୍ୟାପ୍ରିରୁ ଯିବାର ଆୟୋଜନ ପର୍ବ ସମ୍ବନ୍ଧରେ କିଛି କହିବା ଅବାନ୍ତର...ସେଦିନ ଉପରବେଳା ନେପଲସକୁ ଯାଇ ଜାଣିପାରିଲି ଯେ...ମୋଟର ଦୁର୍ଘଟଣାରେ ଏମିଲିୟାର ମୃତ୍ୟୁ ହୋଇଛି । ବିଚିତ୍ର ତାର ମୃତ୍ୟୁ । ବୁକୁଉପରେ ଚିବୁକ ଥୋଇ ମୁଣ୍ଡ ତଳକୁ ପୋତି ସେ ଶୋଇ ପଡ଼ିଥିଲା ଅନନ୍ତ ନିଦ୍ରାରେ । ଯଥାରୀତ ମି: ବାତ୍ତିସତା ଗାଡ଼ି ଚଳାଉଥିଲେ...ହଠାତ୍ ଆଗରେ ପଡ଼ିଲା ଗୋଟାଏ ବଳଦ ଗାଡ଼ି । ବାତ୍ତିସତା ଖୁବ୍ ଜୋରରେ ବ୍ରେକ୍‍ ଦବେଇ ଦେଲେ...ଧକ୍କା ପାଇ ଏମିଲିୟା ଥରୁଟେ ଆଗକୁ ଝୁଙ୍କି ପଡ଼ିଲା । ଗାଡ଼ିବାଲା ସହିତ ଗାଳି ତକରାଳ ପରେ ବାତ୍ତିସତା ପୁନରାୟ ଗାଡ଼ି ଚଳେଇଲେ । କିନ୍ତୁ ଏମିଲିୟା କୌଣସି କଥା କହିଲା ନାହିଁ, ବାତ୍ତିସତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ ।

 

ଗାଡ଼ିଟା ବାଙ୍କରେ ବୁଲିବା ମାତ୍ରକେ, ଏମିଲିୟା ବାତ୍ତିସତାଙ୍କର ଦେହ ଉପରେ ଢଳିପଡ଼ିଲା । ଗାଡ଼ି ଅଟକେଇ ବାତ୍ତିସତା ଦେଖିଲେ–ଦେହ ନିଷ୍ପ୍ରାଣ । ହଠାତ୍ ବ୍ରେକ ଦେବାଫଳରେ ପ୍ରଚଣ୍ଡ ଭାବରେ ଆଗକୁ ଟଳିପଡ଼ି ଏମିଲିୟାର ମେରୁଦଣ୍ଡର ଶିରା ଛିଣ୍ଡିଯାଇଛି । ଶୋଇବା ଅବସ୍ଥାରେ ହିଁ ଶେଷ ନିଶ୍ୱାସ ତ୍ୟାଗକରେ ଏମିଲିୟା ।

 

ଅସହ୍ୟ ଗରମ–ଶୋକ ଅତ୍ୟନ୍ତ ପୀଡ଼ାଦାୟକ; କାହିଁକି ନା ଶୋକ ଚାହେଁ...ମନରେ ଏକାଧିପତ୍ୟ ବିସ୍ତାର କରିବ, ଅନ୍ୟ କୌଣସି ଭାବ ସହିତ ସେ ପ୍ରତିଦ୍ୱନ୍ଦିତା କରିବାକୁ ଚାହେଁନା ।

 

ମେଘାଚ୍ଛନ୍ନ ଆକାଶରେ ନିଥର ପରିବେଶ ଭିତରେ ଶେଷହେଲା ଏମିଲିୟାର ଅନ୍ତେଷ୍ଟିକ୍ରିୟା ।

 

ସନ୍ଧ୍ୟାରେ ଘରକୁ ଫେରି ଦରଜାଟି ବନ୍ଦ କରିଦେଲି । ଆଜି ମନେହେଲା ଏ ଘରଟି ଚିରକାଳ ପାଇଁ ଅପ୍ରୟୋଜନୀୟ ।

 

ସତରେ ଏମିଲିୟା ନାହିଁ, ସେ ଏହି ପୃଥିବୀର ମାୟା କାଟିଦେଇ ଚାଲିଯାଇଛି, ତାକୁ ଏ ଜୀବନରେ କେଉଁଠି ହେଲେ ଆଉ ଖୋଜି ପାଇବି ନାହିଁ । ବାହାରେ ଟିକିଏ ହେଲେ ପବନ ନାହିଁ । ତଥାପି ଝରକାଗୁଡ଼ିକ ଖୋଲିଦେଇ ଘର ଭିତରେ ପଦଚାରଣ କରିବାକୁ ଲାଗିଲି । ନିଃଶବ୍ଦ ନିସ୍ତବ୍ଧ ପ୍ରକୃତି । ଯେମିତି ଶ୍ୱାସରୁଦ୍ଧ ହୋଇଯିବି ।

 

ପାଖ ଘରଗୁଡ଼ିକର ଖୋଲା ଝରକା ଦେଇ ଉଜ୍ଜ୍ୱଳ ଆଲୋକ ଘର ଭିତରେ ଆସି ପଡ଼ିଲା । ପ୍ରତିଘରେ ବହୁମଣିଷ ବ୍ୟସ୍ତଭାବରେ ଯିବାଆସିବା କରୁଚନ୍ତି, ମାତି ରହିଚନ୍ତି ଆନନ୍ଦରେ-। ଚଞ୍ଚଳ, ଉନ୍ମାଦ ହୋଇଉଠିଲା ମୋର ମନ । କଳ୍ପନାରେ ଭାସି ଉଠିଲା ଗୋଟିଏ ଜଗତ–ଯେଉଁଠି ଲୋକ ଭୁଲ ନବୁଝି କେବଳ ଭଲପାଏ, ବିନିମୟରେ ପାଏ ପ୍ରେମ, ସୋହାଗ, ସ୍ନେହ ସବୁକିଛି, ନିରବଚ୍ଛିନ୍ନ ଶାନ୍ତି ଓ ସୁଖମୟ ଜୀବନ ଯାପନ କରେ, ଆଉ ସେହି ଜଗତରୁ ମୁଁ ହୋଇଛି ଚିର ନିର୍ବାସିତ । ପୁଣି ସେହି ଜଗତରେ ପ୍ରବେଶ କରିବାକୁ ହେଲେ ଲୋଡ଼ା–ଏମିଲିୟାର ଉତ୍ତର, ମୋର ନିର୍ଦୋଷିତା ସମ୍ବନ୍ଧରେ ଅବିଚଳ ବିଶ୍ୱାସ, ଆଉ ଲୋଡ଼ା–ଅଲୌକିକ ପ୍ରେମ । ସେ ପ୍ରେମ କେବଳ ଆମରି ପ୍ରାଣରେ ଜଗେଇ ତୋଳିଲେ ହେବ ନାହିଁ–ଜଗାଇବା ପାଇଁ ହେବ ଅପରର ପ୍ରାଣରେ-। କିନ୍ତୁ ତାହା ତ ଆଉ ସମ୍ଭବ ନୁହେଁ

 

ଭାବିଲି–ଏମିଲିୟାର ମୃତ୍ୟୁ ମୋ ପ୍ରତି ତାର ଚରମ ଶତ୍ରୁତାର ହିଁ ନିଦର୍ଶନ । ...ମୁଁ ଯେମିତି ପାଗଳ ହୋଇଯିବି...ଯେମିତି ଆଉ ବଞ୍ଚି ପାରିବି ନାହିଁ ।

 

କିନ୍ତୁ ବଞ୍ଚି ରହିଲି– ।

 

ତା ଆରଦିନ ପୁଣି ସୁଟକେଶଟି ହାତରେ ଧରି ବାହାରକୁ ଆସି ଘରର ଦୁଆରରେ ତାଲା ଲଗେଇଲି । ଦରୁଆନ ହାତରେ ଚାବିଟି ଦେଇ କହିଲି କିଛି ଦିନ ବୁଲିଆସିଲା ପରେ ଘରଟି ଛାଡ଼ିଦେବି ।

 

କ୍ୟାପ୍ରିକୁ ପୁନରାୟ ଫେରିଆସିଲି । ଯେଉଁଠି ଏମିଲିୟା ମୋତେ ଶେଷଥର ପାଇଁ ଦେଖା ଦେଇଥିଲା ହୁଏତ ସେଇଠି ବା ଅନ୍ୟ କେଉଁଠି ପୁନର୍ବାର ସେ ଦେଖାଦେଇପାରେ । ସେତେବେଳେ ତାକୁ କହିବି–କାହିଁକି ଘଟିଥିଲା ଏତେ ଘଟଣା, ପୁଣି ତାକୁ ନିବେଦନ କରିବି ମୋର ପ୍ରେମ, ସେ ଦେବ ମୋତେ ପ୍ରେମର ପ୍ରତିଶ୍ରୂତି ।

 

ଜାଣୁଥିଲି, ମୋର ଏ ଆକାଂକ୍ଷା ମଧ୍ୟ ଗୋଟିଏ ପାଗଳାମୀ ଛଡ଼ା ଆଉ କିଛି ନୁହେଁ । ତେବେ ହଁ, ବାସ୍ତବ ଓ ମାୟା ପ୍ରତି ସମାନ ଆକର୍ଷଣରେ ଏଭଳି ଯୁକ୍ତିପୂର୍ଣ୍ଣ ଉନ୍ମାଦନା ଆଉ କେବେହେଲେ ଜାଗି ନାହିଁ ।

 

ନିଦ୍ରା ବା ଜାଗରଣରେ ଏମିଲିୟା ସହିତ ମୋର ଆଉ ଦେଖା ହୋଇ ନାହିଁ । କିନ୍ତୁ ସେ ଯେତେବେଳେ ମୋତେ ଶେଷଥର ପାଇଁ ଦେଖାକରେ–ସେହି ସମୟ ସହିତ ତାର ମୃତ୍ୟୁ ସମୟର କୌଣସି ସାମଞ୍ଜସ୍ୟ ନ ଥିଲା । ଯେତେବେଳେ ଏମିଲିୟାକୁ ନୌକାର ମଙ୍ଗ ଉପରେ ଦେଖିଥିଲି ସେତେବେଳେ ଯାଏ ସେ ଜୀବିତ ଥିଲା, କିନ୍ତୁ ଯେତେବେଳେ ମୁଁ ମୂର୍ଚ୍ଛିତ ହୋଇ ବାଲି ଉପରେ ପଡ଼ିଯାଇଥିଲି, ସେତିକିବେଳକୁ ହୁଏତ ତାର ମୃତ୍ୟୁ ହୋଇଛି । ସୁତରାଂ ତା’ର ମୃତ୍ୟୁ ଓ ଜୀବନରେ ପ୍ରକୃତପକ୍ଷରେ କୌଣସି ସଙ୍ଗତି ନ ଥିଲା । କେବେହେଲେ ଜାଣିପାରିବି ନାହିଁ କଣ ହେଇଛି ଏମିଲିୟା–ପ୍ରେତ, ମାୟା, ସ୍ୱପ୍ନ ନା ଆଉ କିଛି । ଯେଉଁ ଅନିଶ୍ଚିୟତା ଜୀବନରେ ଆମର ସମ୍ପର୍କ ବିଷମୟ କରିଥିଲା, ଏମିଲିୟାର ମୃତ୍ୟୁପରେ ମଧ୍ୟ ତାହା ରହିଯାଇଛି ।

 

ଏମିଲିୟାକୁ ପୁନରାୟ ଦେଖିବାର ଆକାଂକ୍ଷାରେ ଯେଉଁଠି ତାକୁ ଶେଷଥର ପାଇଁ ଦେଖିଥିଲି ସେ ଜାଗାଗୁଡ଼ିକ ଦର୍ଶନ କରିବା ଆକୁଳତାର ଦିନେ ପ୍ରମୋଦ–ପ୍ରାସାଦ ତଳର ସୈକତବେଳାରେ ପହଞ୍ଚିଲି...ଯେଉଁଠି ତାକୁ ନଗ୍ନ ଅବସ୍ଥାରେ ଶୋଇଥିବାର ଦେଖିଥିଲି, ଚୁମ୍ବନ କରିଥିବାର ସ୍ୱପ୍ନ ଦେଖିଥିଲି ।

 

ନିର୍ଜନ ବେଳାଭୂମି ।

 

ପ୍ରସ୍ତର ସ୍ତୂପ ଭିତରେ ଚାହିଁଲି–ହାସ୍ୟମୟ ଅନନ୍ତବିସ୍ତୃତି ନୀଳ ସମୂଦ୍ର ଆଡ଼କୁ । ମନେପଡ଼ିଲା ଓଡ଼ିସିର କଥା । ଇଉଲିସିସ ଓ ପେନିଲୋପ ଭଳି ମୋର ପ୍ରାଣାଧିକା ଏମିଲିୟା ହୁଏତ ଚିର ବିଶ୍ରାମ ସୁଖ ଉପଭୋଗ କରୁଛି–ବିଶାଳ ଜଳଧର ବୁକୁରେ ଲୀନ ହୋଇଯାଇଛି...ମିଶିଯାଇଛି ଅନନ୍ତକାଳ ସହିତ ।

 

ଏମିଲିୟାକୁ ପୁନରାୟ ଖୋଜିନେବା ଓ ନିଶ୍ଚିନ୍ତରେ ବାତ୍ତିସତା ସହିତ ଆଳାପ ଆଲୋଚନା କରିବା ନିର୍ଭର କରୁଛି ମୋ ଉପରେ–ସ୍ୱପ୍ନ ବା ପ୍ରେତ ଉପରେ ନୁହେଁ । ପୁନରାୟ ତାର ଦର୍ଶନ ପାଇଲେ ତ ସେ ମୋ ପାଖରୁ ମୁକ୍ତି ପାଇବ, ମୋର ଆବେଗର ଗଣ୍ଡି ପରିତ୍ୟାଗ କରି ଚାଲି ଯାଇପାରିବ ?

 

ସାନ୍ତ୍ୱନା ଓ ସୌନ୍ଦର୍ଯ୍ୟର ପ୍ରତିମା ଭଳି ଅପଲକ ଦୃଷ୍ଟିରେ ମୋର ମୁହଁକୁ ଚାହିଁ ରହିବ ଚିରଦିନ । ତେଣୁ ମୋର ଇଚ୍ଛାଶକ୍ତିରେ ବିଜୟ ଲାଭ କରିବା ଆଶାରେ ଏହି ସ୍ମୃତିର ଅବତାରଣା କରିବା ପାଇଁ ସ୍ଥିର କରି ନେଇଛି ।

Image